spot_img
Home Blog Page 2859

ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ମୁହଁରେ ଖୁସି, ସିଙ୍ଗାପୁରରୁ ‘ପେଡ୍-ଇଣ୍ଟର୍ଣ୍ଣସିପ୍’ କରି ଫେରିଲେ ଓଡ଼ିଶା

ଭୁବନେଶ୍ୱର: ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ସଫଳତାର ସହ ୬ ମାସିଆ ‘ପେଡ୍ ଇଣ୍ଟର୍ଣ୍ଣସିପ୍’ ଶେଷକରି ଓଡ଼ିଶା ଫେରିଛନ୍ତି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀ। ଭୁବନେଶ୍ୱରରେ ପହଞ୍ଚିବା ପରେ ସେମାନଙ୍କୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସ୍ୱାଗତ କରାଯାଇଥିଲା।

ଏହି ଛାତ୍ରଛାତ୍ରୀମାନେ ମଙ୍ଗଳବାର ଦିନ ସିଙ୍ଗାପୁର-ଭୁବନେଶ୍ୱର ସିଧାସଳଖ ବିମାନ ଯୋଗେ ଆସି ପହଞ୍ଚିଥିଲେ। ସେମାନଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ କରାଯିବା ସହ ସ୍ୱତନ୍ତ୍ର ବସ୍ରେ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ପାରମ୍ପରିକ ଢାଞ୍ଚାରେ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା।

ଶିଳ୍ପ ତାଲିମ କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱ ଦକ୍ଷତା କେନ୍ଦ୍ର ବା ୱାର୍ଲ୍ଡ ସ୍କିଲ ସେଣ୍ଟରର ପ୍ରଥମ ବ୍ୟାଚର ଏହି ମେଧାବୀ ଛାତ୍ରଛାତ୍ରୀମାନେ ୬ ମାସ ବିଦେଶରେ ରହି ନିଜ ଜନ୍ମ ମାଟିକୁ ଫେରିଛନ୍ତି। ତେଣୁ ସେମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଳକା ମିଶ୍ର ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ଅବସରରେ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେଠାରେ ଛାତ୍ରଛାତ୍ରୀମାନେ ସିଙ୍ଗାପୁର ଇଣ୍ଟର୍ଣ୍ଣସିପ୍ ସମୟର ଅନୁଭୂତି ଓ ସେଠିକାର ପରିବେଶ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଅନ୍ତର୍ଜାତୀୟ ସ୍ତରର କମ୍ପାନିରେ କାମ କରି ଶିଖିବାର ଏଭଳି ସୁଯୋଗ ମିଳିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ତାଲିମ ନେଉଥିବା ବର୍ତ୍ତମାନର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ସେମାନେ ସିନିୟରମାନଙ୍କଠାରୁ ସିଙ୍ଗାପୁର ଇଣ୍ଟର୍ଣ୍ଣସିପ୍ ସମୟର ଅନୁଭୂତି ଶୁଣି ପ୍ରେରଣା ପାଇଥିଲେ।

‘‘ସିଙ୍ଗାପୁର ଯାଇ ସେଠାରେ ଏକ ବଡ଼ କମ୍ପାନିରେ ମୁଁ ଇଣ୍ଟର୍ଣ୍ଣସିପ୍ କରିବି ବୋଲି କେବେ ଭାବି ନଥିଲି। ୱାର୍ଲ୍ଡ ସ୍କିଲ ସେଣ୍ଟର ମତେ ଏହି ସୁଯୋଗ ଦେଇଛି। ତେଣୁ ଏଭଳି ଏକ ଅନୁଷ୍ଠାନରେ ତାଲିମ ନେଇ ମୁଁ ଗର୍ବିତ। ସେଠାରେ ଇଣ୍ଟର୍ଣ୍ଣସିପ୍ ବେଳେ ଯାହା ମୁଁ ଶିଖିପାରିଛି ତାହା ମୋ’ ଭବିଷ୍ୟତର କ୍ୟାରିୟରକୁ ଏକ ନୂଆ ରାସ୍ତା ଦେଖାଇବାରେ ସାହାଯ୍ୟ କରିବ’’, କହନ୍ତି ମାନସ କୁମାର ଦାସ।

‘‘ସ୍କୁଲରେ ପାଠ ପଢ଼ିବା ବେଳୁ ମୁଁ ପ୍ରୋଜେକ୍ଟ ଇଞ୍ଜିନିୟର ହେବା ଲାଗି ସ୍ୱପ୍ନ ଦେଖିଥିଲି। ୱାର୍ଲ୍ଡ ସ୍କିଲ୍ ସେଣ୍ଟର ମୋର ଏହି ସ୍ୱପ୍ନକୁ ପୂରଣ କରିଛି। ବିଶେଷକରି ଇଞ୍ଜିନିୟରିଂ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସାରୋ ପୃଥିବୀରେ ପରଚିତ ସିଙ୍ଗପୁର ଭଳି ଏକ ବଡ଼ ସହରରେ ଇଣ୍ଟର୍ଣ୍ଣସିପ୍ କରିବା ଫଳରେ ମୋ’ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଅରଜି ପୃଥିବୀରେ ଯେକୌଣସି ସ୍ଥାନରେ ଯାଇ କାମ କରିବାକୁ ସାହସ କରିପାରିବି’’, କହନ୍ତି ଭାଗ୍ୟଶ୍ରୀ ରାଉତ।

ଏହି ସ୍ୱାଗତ କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ, ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ସଙ୍ଗରଣ ଗୋପାଳ, ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ, ନିର୍ଦ୍ଦେଶକ (ପ୍ରଶାସନ) କେରୱିନ ହିଙ୍ଗ ପ୍ରମୁଖ ଯୋଗ ଦେଇଥିଲେ।

‘ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏଠାରେ ଅନ୍ତର୍ଜାତୀୟ ମାନର ବିଭିନ୍ନ ଅତ୍ୟାଧୁନିକ ଦକ୍ଷତା ବିକାଶ ପାଠ୍ୟକ୍ରମ ରହିଛି।

ସିଙ୍ଗାପୁର ସରକାରଙ୍କ ସହ ଓଡ଼ିଶା ସରକାରଙ୍କ ବୁଝାମଣା ଅନୁଯାୟୀ ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ଅଧୀନରେ ୱାର୍ଲ୍ଡ ସ୍କିଲ ସେଣ୍ଟରର ୪୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରତି ବର୍ଷ ଦୁଇ ସପ୍ତାହ ଲାଗି ସିଙ୍ଗାପୁର ପଠାଯାଉଛି। ସେହିପରି ପ୍ରତି ବର୍ଷ କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀଙ୍କୁ ବାଛି ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ୬ ମାସିଆ ‘ପେଡ୍-ଇଣ୍ଟର୍ଣ୍ଣସିପ୍’ର ସୁଯୋଗ ଦିଆଯାଉଛି।

ଜାତୀୟ ରାଜପଥକଡ଼ ଡ୍ରେନ ସଫା କରିବାକୁ NHAIକୁ ପରାମର୍ଶ ଦେଲା ବିଏମସି

0

ଭୁବନେଶ୍ୱର: ମୌସୁମୀ ଜନିତ ବର୍ଷାରେ ଜଳବନ୍ଦୀ ପରିଚାଳନା ଓ ଡ୍ରେନ ସୁରକ୍ଷା ଜନିତ ସମସ୍ୟାର ମୁକାବିଲା କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ଓ ଜାତୀୟ ରାଜପଥ ପ୍ରାଧିକରଣଙ୍କର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଏମ୍‌ସି କମିଶନର ବିଜୟ ଅମୃତାକୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡ୍ରେନେଜ ସମସ୍ୟା କାରଣରୁ ନାଗରିକଙ୍କ ଅସୁବିଧାକୁ ରୋକିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା ।

ପ୍ରବଳବର୍ଷା ଆରମ୍ଭ ହେବା ପୂର୍ବରୁ ଜାତୀୟରାଜପଥ ପ୍ରାଧିକରଣଙ୍କ ଅଧିନରେ ଥିବା ସମସ୍ତ ଡ୍ରେନ ସମସ୍ୟା ସମାଧାନ କରିବାକୁ କମିଶନର କହିଛନ୍ତି ।
ଜଳମଗ୍ନ ଅଂଚଳରେ ପମ୍ପସେଟ୍‌ ମାଧ୍ୟମରେ ଜଳ ପରିଚାଳନା ପାଇଁ ବିଏମ୍‌ସି ପକ୍ଷରୁ କୁହାଯାଇଛି । ଏନଏଚ୍‌ଏଆଇ ଡ୍ରେନ ସଫାକରିବା, ବ୍ୟାରିକେଡ୍‌ ଲଗାଇବା, ଡ୍ରେନ୍‌ର ଗତିପଥକୁ ଆବଶ୍ୟକତା ଅନୁସାରେ ସଜାଡିବା, ମୁକୁଳାଡ୍ରେନ ଉପରେ ସ୍ଲାବ ପକାଇବା ଆଦି ବିଷୟରେ ଗୁରୁତ୍ୱାରୋପ କରିଛନ୍ତି କମିଶନର ।

ଏହାସହିତ ଏନ୍‌ଏଚ୍‌ଏଆଇ ଅଧିନରେ ଥିବା ଇସ୍କନ ମନ୍ଦିର ନିକଟସ୍ଥ ଡ୍ରେନ କାର୍ଯ୍ୟ ପ୍ରତି ଧ୍ୟାନ ଦେବାକୁ ସେ କହିଛନ୍ତି । ଆବଶ୍ୟକ ମରାମତି କାମ ତୁରନ୍ତ ଆରମ୍ଭ କରିବା ସହ ରାସ୍ତାରେ ଥିବା ଖାଲ ଏବଂ ମ୍ୟାନହୋଲ ପରିଚାଳନା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଡ୍ରେନ ସଫାକରିବା, ନିର୍ମାଣର ସଠିକ ନିଷ୍କାସନ ଏବଂ ଧ୍ୱଂସାବଶେଷ ବର୍ଜ୍ୟବସ୍ତୁ ପରିଚାଳନା ଭଳି ସମସ୍ୟା ଯଥାଶୀଘ୍ର ସମାଧାନ କରିବାର ଆବଶ୍ୟକତା ରହିଛି ବୋଲି ସେ ଆଲୋକପାତ କରିଥିଲେ ।

ସଂପୃକ୍ତ ଅଂଚଳରେ ସଡକ ସଫାକରିବା ପାଇଁ ଭ୍ୟାକୁମକ୍ଲିନର ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି । ଜାତୀୟରାଜପଥରେ ଅଧିକଧୂଳିକଣିକାର ପ୍ରଭାବକୁ ମଧ୍ୟ ସ୍ୱୀକାର କରାଯାଇଥିଲା ଏବଂ ପରିବେଶସୁରକ୍ଷା ଦୃଷ୍ଟିରୁ ଏହି ସମସ୍ୟାକୁ ହ୍ରାସ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛିା ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଡ୍ରେନ କିମ୍ବା ସଡକ ଉପରେ ମାଟିଗଦା ହେଉଥିବା ମାଟି ଏବଂ କଂକ୍ରିଟକୁ ଶୀଘ୍ର ଉଠାଇବାକୁ କୁହାଯାଇଛି । ୮୦ କିଲୋମିଟର ଷ୍ଟ୍ରେଚ୍ ପାଇଁ ମେକାନିକାଲ ସୁଇପିଂ କରାଯାଉଛି, ଯେଉଁଥିରେ ଏନ୍‌ଏଚ୍‌ଏଆଇର୧୮ କିଲୋମିଟର ଜାତୀୟ ସଡକପଥ ବିଏମ୍‌ସି ସୀମା ମଧ୍ୟରେ ରହିଛି । ସଫେଇ ସେ ବା ପାଇଁ ବିଏମ୍‌ସି ବହୁ ଅର୍ଥ ଖର୍ଚ୍ଚକରୁଛି ।

ଏଣୁ ସେ ଖର୍ଚ୍ଚବହନ କରିବାକୁ ଉପସ୍ଥିତ ଏନ୍‌ଏଚ୍‌ଏଆଇ ପ୍ରତିନିଧିଙ୍କୁ ଅବଗତ କରାଇଛନ୍ତି । ଏହି ବୈଠକରେ ଏନ୍‌ଏଚ୍‌ଏଆଇର ଅଧିକାରୀ ନରେନ୍ଦ୍ର ସିଂ, ଅତିରିକ୍ତ କମିଶନର  ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିସନର(ସାନିଟେସନ)ଡକ୍ଟର ମନୋରଂଜନ ସାହୁ, ସିଟିଇଂଜିନିୟର ଅରୁଣ ନାୟକ ଏବଂ ବିଏମ୍‌ସିର ବରିଷ୍ଠ ଇଂଜିନିୟରମାନେ ଉପସ୍ଥିତ ଥିଲେ ।

ଆସନ୍ତାକାଲି ଠାରୁ ସଂସଦର ମୌସୁମୀ ଅଧିବେଶନ, ଦରବୃଦ୍ଧି ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ

0

ନୂଆଦିଲ୍ଲୀ: ବିଭିନ୍ନ ପ୍ରସଙ୍ଗରେ କମ୍ପିବ ସଂସଦ । ଆସନ୍ତାକାଲି ଠାରୁ ହେବାକୁ ଯାଉଥିବା ସଂସଦର ମୌସୁମୀ ଅଧିବେଶନରେ ମଣିପୁର, ଦରବୃଦ୍ଧି ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦୁରୂପଯୋଗ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ । ମୌସୁମୀ ଅଧିବେଶନ ଲାଗି ଆଜି ଗୃହକୁ ସୁରୁଖୁରୁରେ ପରିଚାଳନା କରିବା ଲାଗି ସର୍ବଦଳୀୟ ବୈଠକରେ ହୋଇଛି ଆଲୋଚନା ।

ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଧ୍ୟକ୍ଷତା କରିଥିବାବେଳେ ଅଧିକାଂଶ ଦଳ ଏହି ବୈଠକରେ ଯୋଗଦେଇଥିଲେ । ତେବେ ଏହି ଅଧିବେଶନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଝଡ଼ ସୃଷ୍ଟି ହେବା ନେଇ ଆଶଙ୍କା ରହିଛି । ଅଧିବେଶନରେ ମଣିପୁର ପ୍ରସଙ୍ଗ ଆଲୋଚିତ ହେବ ବୋଲି ସରକାର କହିଥିବାବେଳେ ଏହି ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀ ଘେରିବେ ।

ଏହା ସହ ଦରବୃଦ୍ଧି ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦୁରୂପଯୋଗ ପ୍ରସଙ୍ଗରେ ବି ବିରୋଧୀ ନାରାବାଜି କରିବା ସମ୍ଭାବନା ରହିଛି । କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି- ବିଭିନ୍ନ ପ୍ରସଙ୍ଗ ଉଠାଇବା ଲାଗି ବିରୋଧୀ ଦଳଙ୍କୁ ସୁଯୋଗ ଦିଆଯାଉ । ଚଳିତ ଅଧିବେଶନରେ ୩୨ଟି ବିଧେୟକ ଆଗତ ହେବ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଗତ ମଙ୍ଗଳବାର ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଏହି ବୈଠକ ଡାକିଥିଲେ । ମାତ୍ର ଅନେକ ଦଳର ନେତାଙ୍କ ଅନୁପସ୍ଥିତିକୁ ନେଇ ଏହି ବୈଠକ ବାତିଲ ହୋଇଥିଲା । ଆସନ୍ତା ଅଗଷ୍ଟ ୧୧ ତାରିଖ ଯାଏ ଚାଲିବ ସଂସଦର ଅଧିବେଶନ । ଏହି ଅଧିବେଶନ ସଂସଦର ନବନିର୍ମିତ ଭବନରେ ଅନୁଷ୍ଠିତ ହେବ ।

ମୌସୁମୀ ଅଧିବେଶନରେ ସଂସଦରେ ଉଠିବ ଓଡ଼ିଶାର ଦାବି, ୯ଟି ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି

ଭୁବନେଶ୍ବର: ମୌସୁମୀ ଅଧିବେଶନରେ ସଂସଦରେ ଉଠିବ ଓଡ଼ିଶାର ଦାବି । ଆଜି ହୋଇଥିବା ସର୍ବଦଳୀୟ ବୈଠକରେ ବିଜେଡି ଯୋଗ ଦେଇଥିଲା । ୯ଟି ପ୍ରସଙ୍ଗକୁ ଗୃହରେ ଉଠାଇବା ପାଇଁ ବିଜେଡି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ମହିଳା ସଂରକ୍ଷଣ ବିଲ୍, ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବି ଏବଂ ପିଏମଜିକେଏଓ୍ବାଇରେ ୭ ଲକ୍ଷ ଲୋକଙ୍କ ପାଇଁ ଘର ଏବଂ ପିଏମଏଓ୍ବାଇରେ ୫ କେଜି ଚାଉଳ ପୁଣି ଦେବାକୁ ଦାବି ଉଠାଇବ ।

ଚାଷୀଙ୍କ ସ୍ବାର୍ଥ ପାଇଁ ବଳକା ଚାଉଳ ଉଠାଣ, ଏମଏସପି ଏବଂ ଠିକ ସମୟରେ ଫସଲ କିଣାବିକା ପ୍ରସଙ୍ଗ ସଂସଦରେ ଉଠାଇବ ବିଜେଡି । ଏଥିସହ ସାର ଯୋଗାଣ, ଯୋଗାଯୋଗ ଭିତ୍ତିଭୂମି, କେନ୍ଦୁପତ୍ରରୁ ୧୮ ପ୍ରତିଶତ ଜିଏସଟି ହଟାଇବା ନେଇ ଗୃହରେ ଦାବି ଉଠାଯିବ । ଓଡିଶାକୁ କେନ୍ଦ୍ରୀୟ ଅବହେଳା ସାଙ୍ଗକୁ ବିକାଶ ଧାରାରେ କିଛି ବିଜେପି ସାଂସଦ କିଭଳି ବାଧକ ସାଜୁଛନ୍ତି ସେନେଇ ସଂସଦରେ ସ୍ବର ଉତ୍ତୋଳନ କରିବ ବିଜେଡି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ଏନେଇ ରଣନୀତି ଚୂଡାନ୍ତ ହୋଇଛି । ସଂସଦର ମୌସୁମୀ ଅଧିବେଶନରେ ରାଜ୍ୟ ସ୍ୱାର୍ଥ୍ୟ ସମ୍ପର୍କିତ ପ୍ରସଙ୍ଗଗୁଡିକୁ ବଳିଷ୍ଠ ଭାବେ ଉତ୍ଥାପନ କରାବାକୁ ସବୁ ସାଂସଦଙ୍କୁ ନବୀନ ଗୁରୁମନ୍ତ୍ର ଦେଇଛନ୍ତି । ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗକୁ ସବୁ ସାଂସଦମାନେ ଦଳମତରୁ ଊର୍ଦ୍ଧ୍ବକୁ ଯାଇ କେନ୍ଦ୍ରରେ ଦାବି କରିବା ପରିବର୍ତ୍ତେ ବିଜେପିର କିଛି ସାଂସଦ ରାଜ୍ୟର ବିକାଶ ପାଇଁ ଉଦ୍ଦିଷ୍ଟ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି । ପୁରୀ ଐତିହ୍ୟ ପ୍ରକଳ୍ପ ହେଉ କି ଏକାମ୍ର ବିକାଶ ଯୋଜନା, ସବୁଠି ଜାଣିଶୁଣି ପ୍ରତିବନ୍ଧକ ଲଗାଇବାକୁ ଉଦ୍ୟମ କରୁଛନ୍ତି ।

ରାଜ୍ୟରେ ରହିବନି ଡାକ୍ତର ଅଭାବ, ୫ ହଜାର ନୂଆ ଡାକ୍ତର ପଦବୀକୁ ମଞ୍ଜୁର କରିଛନ୍ତି ରାଜ୍ୟପାଳ

ଭୁବନେଶ୍ବର: ରାଜ୍ୟରେ ରହିବନି ଡାକ୍ତର ଅଭାବ । ସୃଷ୍ଟିହେଲା ୫ ହଜାର ନୂଆ ଡାକ୍ତର ପଦବୀ । ନୂଆ ଡାକ୍ତର ପଦବୀକୁ ମଞ୍ଜୁର କରିଛନ୍ତି ରାଜ୍ୟପାଳ । ରାଜ୍ୟର ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସପିଟାଲ ଓ ରାଉରକେଲା ଆଇଜିଏଚରେ ୬୮୯ଟି ନୂଆ ଡାକ୍ତର ପଦବୀ ସୃଷ୍ଟି କରାଯାଇଛି । ୩୨ଟି ଉପଖଣ୍ଡ ଚିକିତ୍ସାଳୟରେ ୪୮୦ ଜଣ ଡାକ୍ତର ନିଯୁକ୍ତ ହେବେ ।

ଏଥିପାଇଁ ପ୍ରତି ଉପଖଣ୍ଡ ଚିକିତ୍ସାଳୟରେ ୧୫ଟି ଲେଖାଏ ନୂଆ ପଦବୀ ସୃଷ୍ଟି ହୋଇଛି । ୩୭୫ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୩୭୫୦ ଡାକ୍ତର ନିଯୁକ୍ତ ହେବେ । ପ୍ରତି ସିଏଚସିରେ ୧୦ଟି ଲେଖାଏ ଡାକ୍ତର ପଦବୀ ସୃଷ୍ଟି କରାଯାଇଛି । ସେହିପରି ରାଜ୍ୟର ୭ଟି ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୮୧ଟି ଡାକ୍ତର ପଦବୀ ସୃଷ୍ଟି ହୋଇଛି ।

ଭୁବନେଶ୍ବରର ୪ଟି ଓ ସୁନ୍ଦରଗଡ଼ର ଗୋଟିଏ UCHC ପାଇଁ ୧୩ଟେ ଲେଖାଏ ମୋଟ ୬୫ଟି ପଦବୀ ସୃଷ୍ଟି ହୋଇଥିବାବେଳେ କଟକର ସିଡିଏ, ଚାଉଳିଆଗଞ୍ଜରେ ୮ଟି ଲେଖାଏ ମୋଟ ୧୬ଟି ପଦବୀ ସୃଷ୍ଟି କରାଯାଇଛି ।

୮ଟି ନୂଆ ଗ୍ରୀଡ ସବ୍‌ଷ୍ଟେସନ ଲୋକାର୍ପିତ କଲେ ନବୀନ, ୨.୨ ଲକ୍ଷ ଲୋକ ହେବେ ଉପକୃତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟର ୮ଟି ଜିଲ୍ଲାରେ ୮ଟି ଗ୍ରୀଡ ସବଷ୍ଟେସନ ଲୋକାର୍ପିତ କରିଛନ୍ତି । ଏହିସବୁ ସ୍ଥାନ ଗୁଡିକ ହେଲା ଅନୁଗୁଳର ମେରାମୁଣ୍ଡଳି, ଖୋର୍ଦ୍ଧାର କଣ୍ଟାବାଡ, କୋରାପୁଟର ବୋରିଗୁମା, ଝାରସୁଗୁଡାର ଲଖନପୁର, ସୁନ୍ଦରଗଡର କୁମାରମୁଣ୍ଡା, ସମ୍ବଲପୁରର ବାମରା, ବରଗଡର ଭଟଲି ଏବଂ ଭଦ୍ରକ । ଏହିସବୁ ଗ୍ରୀଡ ସବ୍‌ଷ୍ଟେସନ ପାଇଁ ରାଜ୍ୟ ସରକାର ୬୫୦ କୋଟି ଟଙ୍କା ବିନିଯୋଗ କରିଛନ୍ତି  । ଏହାଦ୍ବାରା ରାଜ୍ୟର ୨ ଲକ୍ଷ ୨୦ ହଜାର ଉପଭୋକ୍ତା ଉପକୃତ ହେବେ।

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହାଦ୍ବାରା ଜନସାଧାରଣ ଗୁଣାତ୍ମକ ଓ ନିରନ୍ତର ବିଜୁଳି ପାଇପାରିବେ । ସମସ୍ତଙ୍କ ପାଇଁ ବିଜୁଳିର ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ଏହା ଏକ ବଡ ସଫଳତା  । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ରାଜ୍ୟରେ ୧୬,୩୦୦ ସର୍କିଟ କିଲୋମିଟର ଦୀର୍ଘ ବିଦ୍ୟୁତ ସରବରାହ ନେଟ୍‌ୱାର୍କ ରହିଛି ଏବଂ ୧୯୩ଟି Extra High Voltage ଗ୍ରୀଡ୍ ସବ୍‌ଷ୍ଟେସନ ମଧ୍ୟ ନିର୍ମାଣ କରାଯାଇଛି। ରାଜ୍ୟର ସହରାଞ୍ଚଳର ୯୯ ପ୍ରତିଶତ ଓ ଗ୍ରାମାଞ୍ଚଳର ୯୭ ପ୍ରତିଶତର ଲୋକଙ୍କୁ ବର୍ତ୍ତମାନ ବିଜୁଳିର ସୁବିଧା ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ନୀତି ଆୟୋଗର ରିପୋର୍ଟକୁ ଭିତ୍ତିକରି ମୁଖ୍ୟମନ୍ତ୍ରୀ କହିଲେ ଯେ ୨୦୧୫-୧୬ ରୁ ୨୦୧୯-୨୦ ମଧ୍ୟରେ ରାଜ୍ୟର ୬୦ ଲକ୍ଷରୁ ଅଧିକ ଲୋକ ଗରିବୀରୁ ଉପରକୁ ଉଠିଛନ୍ତି । ଏଥିରେ ଗୁଣାତ୍ମକ ବିଦ୍ୟୁତର ଏକ ବଡ ଭୂମିକା ରହିଛି ବୋଲି ସେ ମତ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଆଧୁନିକ ଅର୍ଥନୀତିର ମୁଖ୍ୟ ଆଧାର ହେଉଛି ବିଜୁଳି । ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ପାଇଁ ବିଜୁଳି ଅତି ଜରୁରୀ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କୁ ନିରନ୍ତର ବିଜୁଳି ଯୋଗାଇବା ସରକାରଙ୍କ ଏକ ମୁଖ୍ୟ ଲକ୍ଷ୍ୟ ଓ ଏଥିପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲେ ।

ଏହି ଅବସରରେ ଓଡିଶା ପାୱାର ଜେନେରେସନ କର୍ପୋରେସନ ପକ୍ଷରୁ ୧୦୩.୩୭ କୋଟି ଟଙ୍କା ଏବଂ OPTCL ପକ୍ଷରୁ ୪୨ କୋଟି ଟଙ୍କା ରାଜ୍ୟ ସରକାରଙ୍କ ଅନ୍ତରୀଣ ଲାଭାଂଶ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା । ଏହାସହିତ OPGC ପକ୍ଷରୁ ୨ କୋଟି ଓ OPTCL ପକ୍ଷରୁ ୩ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଥିଲା ।

ଏଥିରେ ଖୁସିବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଦୁଇଟି public sector unit ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଶିଳ୍ପାନୁଷ୍ଠାନ ଭାବରେ ପରିଣତ ହେବା ଖୁସିର କଥା । ଆଗାମୀ ଦିନରେ ଏହି ଦୁଇ ଅନୁଷ୍ଠାନ ଆହୁରି ସଫଳତା ହାସଲ କରିବେ ବୋଲି ସେ ଆଶାପ୍ରକାଶ କରିଥିଲେ ।

ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଥିଲେ ଯେ ଏହାଦ୍ବାରା ଶିଳ୍ପ, କୃଷି, ଶିକ୍ଷା ଆଦି କ୍ଷେତ୍ରରେ ବିକାଶ ତ୍ବରାନ୍ବିତ ହେବା ସହିତ ଲୋକଙ୍କୁ ଗୁଣାତ୍ମକ ବିଜୁଳି ମିଳିପାରିବ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୬୩ଟି ଗ୍ରୀଡ ସବ୍‌ଷ୍ଟେସନ ନିର୍ମାଣ କରାଯାଇଥିବା ବେଳେ, ଆଉ ୧୦୦ଟି ନିର୍ମାଣାଧୀନ ଅଛି ବୋଲି ସେ କହିଥିଲେ ।

ଏହି ଅବସରରେ ମେରାମୁଣ୍ଡଳିରେ ଉପବାଚସ୍ପତି ରଜନୀକାନ୍ତ ସିଂହ, କଣ୍ଟାବାଡରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, କୁମାରମୁଣ୍ଡାରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ବୋରିଗୁମାରେ ସାଂସଦ ରମେଶଚନ୍ଦ୍ର ମାଝୀ, ଲଖନପୁରରେ ବିଧାୟିକା ଶ୍ରୀମତୀ ଅଳକା ମହାନ୍ତି, ବାମରାରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ ଏବଂ ଭଟଲିରେ ବିଧାୟକ ସୁଶାନ୍ତ ସିଂହ ପ୍ରମୁଖ ଯୋଗ ଦେଇ ରାଜ୍ୟର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ । ଏହି ସବ୍‌ଷ୍ଟେସନ ଦ୍ବାରା ସ୍ଥାନୀୟ ଅଞ୍ଚଳରେ ଲୋ-ଭୋଲଟେଜ ସମସ୍ୟା ଦୂର ହେବା ସହିତ ସାଧାରଣ ଲୋକଙ୍କ ଜୀବନଯାପନ ଆହୁରି ସହଜ ହେବ ବୋଲି ସେମାନେ କହିଥିଲେ ।

ଏହି କାର୍ଯ୍ୟକ୍ରମକୁ 5T ସଚିବ ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ । ଶକ୍ତି ବିଭାଗର ଅତିରିକ୍ତ ଶାସନ ସଚିବ ନିକୁଞ୍ଜ ଧଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ OPTCLର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ ।

ମାସିକିଆ ବଟି ଆଦାୟ କରି ASI ବିଦା, IICଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିଙ୍କୁ ସୁପାରିଶ

ବାଲେଶ୍ବର: ମହଙ୍ଗା ପଡ଼ିଲା ମାସିକିଆ ବଟି ଆଦାୟ । ଭିଜିଲାନ୍ସ ଜାଲରେ ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି ଓ ଏଏସଆଇ । ଆଇଆଇସି ଗଣେଶ୍ବର ପ୍ରଧାନ ଓ ଏଏସଆଇ ବଳି ମହାନ୍ତିଙ୍କୁ ଧରିଛି ଭିଜିଲାନ୍ସ । ଏଏସଆଇଙ୍କୁ ଏସପି ସାଗରିକା ନାଥ ନିଲମ୍ବିତ କରିଥିବା ଆଇଆଇସିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିଙ୍କୁ ସୁପାରିଶ କରାଯାଇଛି ।

ସ୍ଥାନୀୟ ମଦ ବ୍ୟବସାୟୀଙ୍କ ଠୁ ମାସିକିଆ ଚାନ୍ଦା ନେଉଥିଲେ ଆଇଆଇସି । ଏଥିପାଇଁ ଏଏସଆଇ ବଳି ମହାନ୍ତି ମଧ୍ୟସ୍ଥତା କରୁଥିଲେ । ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ରେଡ୍ କରିଥିଲା ତଦନ୍ତକାରୀ ଟିମ୍ । ସେମାନଙ୍କ ନିକଟରୁ ରଙ୍ଗ ଲଗା ଟଙ୍କା ଜବତ କରିବା ସହ ମାମଲାର ତଦନ୍ତ କରୁଛି ଭିଜିଲାନ୍ସ । ଉଭୟଙ୍କୁ ହେପାଜତକୁ ନେଇ ଛାନବିନ ଜାରି ରହିଛି ତଦନ୍ତକାରୀ ଟିମ୍ ।

୩ଟି ଟିମ୍‌ ସୋର ସମେତ ଅନ୍ୟ ୩ଟି ସ୍ଥାନରେ ଚଡ଼ାଉ କରୁଛି । ସୋର ସ୍ଥିତ ବାସଭଵନରେ ବଳି ମହାନ୍ତିଙ୍କ ଘରେ ଭିଜିଲାନ୍ସର ୬ ଜଣିଆ ଟିମ ଛାନଭିନ ଜାରି ରଖିଛନ୍ତି ।

5T ସ୍କୁଲ ରୂପାନ୍ତର ନକ୍‌ସା ପ୍ରସ୍ତୁତ, ଛାତ୍ରଛାତ୍ରୀ, ପ୍ରଧାନଶିକ୍ଷକଙ୍କ ସହ 5T ସଚିବଙ୍କ ଆଲୋଚନା ଆରମ୍ଭ

ଭୁବନେଶ୍ବର: 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀ ତଥା ଅଭିବାବକଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରିଛି। ସ୍କୁଲ ଭିତ୍ତିଭୂମିର ରୂପାନ୍ତର ସହିତ ପାଠ ପଢିବା ପାଇଁ ନୂତନ ସୁବିଧା ସୁଯୋଗର ବିକାଶ ଯଥା E ଲାଇବ୍ରେରୀ, ଅଧୁନିକ ବିଜ୍ଞାନାଗାର, ସ୍ମାର୍ଟ କ୍ଲାସରୁମ  ଇତ୍ୟାଦି ପିଲାମାନଙ୍କ ଭିତରେ ପାଠ ପଢିବା ପାଇଁ ଆଗ୍ରହ ସୃଷ୍ଟି କରିଥିବା ପରିଲକ୍ଷିତ ହେଉଛି।

ଏ ପର୍ଯ୍ୟନ୍ତ ରାଜ୍ୟରେ ତିନୋଟି ପର୍ଯ୍ୟାୟରେ ୬୮୮୩ ହାଇସ୍କୁଲ ରୂପାନ୍ତର କାମ ସମ୍ପୂର୍ଣ୍ଣ ହୋଇଛି। ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟର ସମସ୍ତ ୮୬୫୪ ସରକାରୀ ହାଇସ୍କୁଲ ଗୁଡିକରେ ରୂପାନ୍ତର କାମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଏ ପରିପେକ୍ଷୀରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତକାଲି ଓ ଆଜି ଦୁଇଦିନ ଧରି ଗଂଜାମ, ବରଗଡ, କେନ୍ଦୁଝର, କଟକ, ମୟୁରଭଞ୍ଜ, ମାଲକାନଗିର, ପୁରୀ, ଗଜପତି, ଢେଙ୍କାନାଳ ଆଦି ୯ଟି ଜିଲ୍ଲାର ୧୦୧ଟି ବ୍ଲକର ଓ ୨ଟି ମୁନିସିପାଲିଟି କର୍ପୋରେସନର ୭୫୨ଟି ହାଇସ୍କୁଲର ପ୍ରଧାନଶିକ୍ଷକ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ସରପଞ୍ଚ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟମାନଙ୍କ ସହିତ ମାରାଥନ ବୈଠକ କରି ସେମାନଙ୍କ ସ୍କୁଲରେ 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ କିଭଳି କାର୍ଯ୍ୟକାରୀ କରାଯିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଛାତ୍ରଛାତ୍ରୀମାନେ ବିଶେଷ ଭାବରେ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ଆବଶ୍ୟକତା ସମ୍ପର୍କରେ ଖୋଲା ମତ ପୋଷଣ କରିଥିଲେ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜଳି ଶେରଗଡରୁ ୨୦୨୧ ମସିହାରୁ ଆରମ୍ଭ ହୋଇଥିଲା 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ। ତିନୋଟି ପର୍ଯ୍ୟାୟରେ ସାରା ରାଜ୍ୟରେ ୬୮୮୩ ଟି ହାଇସ୍କୁଲର ରୂପାନ୍ତର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ୧୭୭୧ ହାଇସ୍କୁଲ ରୂପାନ୍ତର ଏହି ପ୍ରକ୍ରିୟାକୁ ଚୁଡାନ୍ତ ରୂପ ଦେବ। ରାଜ୍ୟର ସମସ୍ତ ୮୬୫୪ ଟି ହାଇସ୍କୁଲର ଭିତ୍ତିଭୂମି ରୂପାନ୍ତର ସମ୍ପୂର୍ଣ୍ଣ ହେବ  । 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଆଜି ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ମଡେଲ ହେବା ସଙ୍ଗେ ସଙ୍ଗେ ସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ଛାତ୍ରଛାତ୍ରୀ ତଥା ଅଭିବାବକଙ୍କ ଆଗ୍ରହ ବୃଦ୍ଧିରେ ସହାୟକ ହୋଇପାରିଛି ।

‘ଇଣ୍ଡିଆ’ର ଗାଇଡଲାଇନ, ବିରୋଧୀ ଦଳ ନେତାଙ୍କୁ ଲାଲୁ କହିଲେ ଗୋଡ଼ ଟଣାଟଣି ବନ୍ଦ ହେଉ

ନନ୍ଦିଘୋଷ ବ୍ୟୁରୋ: ବେଙ୍ଗାଲୁରୁରେ ବିରୋଧୀ ଦଳ ବୈଠକ ସରିବା ପରେ ମହାମେଣ୍ଟକୁ ଏକ ନୂଆ ନାଁ ମିଳିଯାଇଛି  । ନାଁ  ମିଳିବା ପରେ ବିରୋଧୀ ମେଳି ପରସ୍ପର ପାଇଁ କିଛି ଗାଇଡଲାଇନ ମାନିବାକୁ ପରାମର୍ଶ ଦେଇଛନ୍ତି  । ଅନେକ ପ୍ରସଙ୍ଗକୁ ନେଇ ବିରୋଧୀ ମେଳି ପରସ୍ପରକୁ କଟାକ୍ଷ କରିବା ଘଟଣା ଅତୀତରେ ଦେଖିବାକୁ ମିଳିଛି  । ପରସ୍ପରକୁ ଟାର୍ଗେଟ କରିବା ଘଟଣା ଏବେ ଏନଡିଏକୁ ପାୱାର ଯୋଗାଇବା ଲକ୍ଷ୍ୟ କରି କିଛି ନୂଆ ନିଷ୍ପତ୍ତି ନେଇଛନ୍ତି ବିରୋଧୀ ଦଳ ।

ବିରୋଧୀ ମେଳିର ନାଁ ଇଣ୍ଡିଆ ରଖାଯାଇଥିବାବେଳେ ପରସ୍ପର ସହ ସମନ୍ବୟ ଓ ସହଯୋଗ ରଖିବା ପାଇଁ ଜଣେ ସଂଯୋଜକଙ୍କୁ ଦାୟିତ୍ବ ଦେବାପାଇଁ ନିଷ୍ପତ୍ତି ହୋଇଛି  । ସୋନିଆ ଗାନ୍ଧୀ କିମ୍ବା ନିତିଶ କୁମାରଙ୍କ ମଧ୍ୟରୁ କାହାକୁ ବି ଏହି ଦାୟିତ୍ବ ମିଳିପାରେ  । ସୋନିଆ ଗାନ୍ଧୀଙ୍କୁ ସମର୍ଥନ ଦେବାରେ କୌଣସି ବିରୋଧୀ ଦଳଙ୍କ ଆପତ୍ତି ନଥିବା  ଜଣାପଡୁଛି  ।

ସେହିପରି ବିରୋଧୀ ଦଳ ପରସ୍ପର ମଧ୍ୟରେ ଥିବା ତିକ୍ତତାକୁ ଭୁଲି ଯେପରି ଟାର୍ଗେଟ ନ କରିବେ ସେ ନେଇ ବୈଠକରେ ନିଷ୍ପତ୍ତି ହୋଇଛି  । ବୈଠକରେ ବରିଷ୍ଠ ନେତା ଲାଲୁ ଯାଦବ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭରପୁର ସମର୍ଥନ କରିଛନ୍ତି  । କଂଗ୍ରେସ ଓ ତାର ନେତାମାନେ ମମତାଙ୍କ ବିରୋଧରେ ବୟାନ ନ ଦେବାକୁ ସେ ନିବେଦନ କରିଛନ୍ତି  । ବାମଦଳକୁ ବି ସେ ମଧ୍ୟ ସମାନ ଅନୁରୋଧ କରିଛନ୍ତି  ।

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପରେ ପ୍ରଥମ ଥର ଏହି ବୈଠକରେ ସୋନିଆ ଗାନ୍ଧୀ ଓ ମମତା ବାନାର୍ଜୀ ମୁହାଁମୁହିଁ ହୋଇଛନ୍ତି  । ବୈଠକରେ ଉଭୟଙ୍କୁ ୨୦ ମିନିଟ ଧରି କଥା ହେଉଥିବା ଦେଖିବାକୁ ମିଳିଛି  । ବାମଦଳ ଓ କଂଗ୍ରେସ ମେଣ୍ଟ ସହ ଲଢେଇ କରି ମମତାଙ୍କ ଟିଏମସି ପଞ୍ଚାୟତ ନିର୍ବାଚନରେ ବାଜିମାତ କରିଛି  ।

ଉତ୍ତରରୁ ପଶ୍ଚିମ ଭାରତ ସବୁଠି ଜଳପ୍ରଳୟ, ବୁଡ଼ିଛି ଘର ଓ ରାସ୍ତାରେ ଭାସୁଛି କାର୍

ନୂଆଦିଲ୍ଲୀ: ପଶ୍ଚିମରୁ ଉତ୍ତର ସବୁଠି ଜଳ ପ୍ରଳୟର ଚିତ୍ର । ମୌସୁମୀ ବର୍ଷାରେ ଉବୁଟୁବୁ ଅଧା ଭାରତ । ଗୁଜରାଟରୁ ମହାରାଷ୍ଟ୍ର, ଦିଲ୍ଲୀରୁ ଜାମ୍ମୁ-କାଶ୍ମୀର ସବୁ ଆଡ଼େ ବନ୍ୟା ବିପତ୍ତି । ବର୍ଷା ପରେ ଗୁଜରାଟ ଅଧିକାଂଶ ଜିଲ୍ଲା ଜଳମଗ୍ନ । ସହରରୁ ଗାଁ ସବୁଠି ଜଳାର୍ଣ୍ଣବ ସ୍ଥିତି । ବୁଡ଼ିଛି ଘର, ରାସ୍ତାରେ ଭାସୁଛି ଶହ ଶହ କାର୍ । ଲଗାଣ ବର୍ଷା ଯୋଗୁ ରାଜକୋଟ, ସୁରଟ, ଗିରି ସୋମନାଥ ଆଦି ଜିଲ୍ଲାରେ କିଛି ଘଣ୍ଟାରେ ୩ ଶହ ମିମି ବର୍ଷା ପରେ ଓ୍ବାଟରଲଗିଂ ସ୍ଥିତି ଉପୁଜିଛି । ଆଜି ସୌରାଷ୍ଟ୍ର ସମେତ ଅନ୍ୟ କିଛି ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରେସ୍କ୍ୟୁ ପାଇଁ ଏନଡିଆରଏଫ ଓ ଏସଡିଆରଏଫ୍ ଟିମକୁ ଆଲର୍ଟରେ ରଖାଯାଛି ।

ସେପଟେ ଯମୁନା ଜଳସ୍ତର ବୃଦ୍ଧି ଯୋଗୁ ତାଜମହଲ ପାଚେରି ଛୁଇଁଛି ବନ୍ୟାଜଳ । ପର୍ଯ୍ୟଟକମାନେ ତାଜମହଲ ଉପରେ ବନ୍ୟାପାଣିର ଫଟୋ ଉଠାଉଥିବା ଦେଖାଯାଛି । ମହାରାଷ୍ଟ୍ରରେ ବି ପ୍ରବଳ ବର୍ଷା ଯୋଗୁ କିଛି ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି । ଅନ୍ୟପଟେ ଅବିଶ୍ରାନ୍ତ ବର୍ଷା ସାଙ୍ଗକୁ ଲ୍ୟାଣ୍ଡସ୍ଲାଇଡ୍ ଯୋଗୁ ଜାମ୍ମୁ-କାଶ୍ମୀରରେ ସ୍ଥିତି ଗମ୍ଭୀର ହୋଇଛି । ପ୍ରବଳ ବର୍ଷା ପରେ ନଦୀ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ସମ୍ଭାବ୍ୟ ବନ୍ୟା ସ୍ଥିତି ଉପୁଜିଛି । କାଠୁଆ ଜିଲ୍ଲାରେ ୬ରୁ ଅଧିକ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିବା ବେଳେ ୪ଜଣଙ୍କର ମୃତ୍ୟୁ ହୋଇଛି । ସାରମୋଲିଠାରେ ଲ୍ୟାଣ୍ଡସ୍ଲାଇଡ୍ ଯୋଗୁ ଜାମ୍ମୁ-ଶ୍ରୀନଗର ହାଇଓ୍ବେର ଗୋଟିଏ ପଟେ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି । ସପ୍ତାହେ ପରେ ଦିଲ୍ଲୀରେ ବନ୍ୟାସ୍ଥିତିରେ ସୁଧାର ଆସିଛି । ପାଣି ଛାଡ଼ିବା ପରେ ଅଧିକାଂଶ ରାସ୍ତାରେ ଗାଡ଼ି ମୋଟର ଚଳାଚଳ ସ୍ବାଭାବିକ ହୋଇଛି । ଆସାମର କିଛି ଜିଲ୍ଲା ଏବେ ବି ପାଣିଘେରରେ ରହିଛି । ପ୍ରଭାବିତ ଅଞ୍ଚଳରେ ରିଲିଫ ଯୋଗାଣ ସହ ରେସ୍କ୍ୟୁ ଅପରେସନ ଜାରି ରହିଛି ।