ଭୁବନେଶ୍ବର: ଭୁବନେଶ୍ବର ଭିଜିଲାନ୍ସ କାର୍ଯ୍ୟାଳୟରେ ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଜୟଙ୍କୁ ଅଧିକ ପଚରାଉଚରା କରାଯାଉଛି । ଗତକାଲି ବିଜୟଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ । ଏକକାଳୀନ ୭ଟି ସ୍ଥାନରେ ଚଢାଉ ହୋଇଥିଲା । ରାୟଗଡ଼ା କାଳୀପୂଜା ପଡ଼ିଆରେ ଥିବା ସରକାରୀ କ୍ବାଟର୍ସ, ରାଣୀଗୁଡ଼ା ଫାର୍ମରେ ଥିବା ଅଫିସରେ ରେଡ୍ ହୋଇଥିଲା । ସେହିପରି ଭୁବନେଶ୍ବର ପଟିଆ କଳାରାହାଙ୍ଗରେ ଥିବା ଆଶୀର୍ବାଦ ପ୍ଲାଜାର ବ୍ଲକ୍-ଏ ତୃତୀୟ ମହଲା, ସମ୍ପର୍କୀୟଙ୍କ ଶିଶୁବିହାରରେ ଥିବା ଭଡ଼ା ଘର, ଯାଜପୁର କଳିଙ୍ଗନଗର ଦାମୋଦରପୁରରେ ଥିବା ପୈତୃକ ଗାଁ, କଟକ ସଦର ଥାନା ଶ୍ରୀକୋରୁଆଁ ସ୍ଥିତ ସମ୍ପର୍କୀୟଙ୍କ ଘରେ ଛାନବିନ୍ କରିଥିଲା ଭିଜିଲାନ୍ସ । ଡିଏଫଓଙ୍କ ସମ୍ପର୍କୀୟ ସାରଦା ବେହେରାଙ୍କ ବାସଭବନ ଓ ବିବାହ ମଣ୍ଡପରେ ମଧ୍ୟ ରେଡ୍ କରିଥିଲା ଭିଜିଲାନ୍ସ । ଚଢ଼ାଉ ସମୟରେ ବୀମା ରସିଦ ଓ ବଣ୍ଡ୍ ସମେତ ବ୍ୟାଙ୍କ ଡିପୋଜିଟ କାଗଜପତ୍ର ଠାବ କରିଛି ଭିଜିଲାନ୍ସ ଟିମ୍ ।
ନୂଆପଡ଼ାରେ ମାଓ ହିଂସା, ଗୋଲବନ୍ଧ ଗାଁରେ ଲାଲବାହିନୀର ଲଙ୍କାକାଣ୍ଡ
ନୂଆପଡ଼ା: ନୂଆପଡ଼ାରେ ମାଓ ହିଂସା । ନୂଆପଡ଼ା ଥାନା ଗୋଲବନ୍ଧ ଗାଁରେ ଫରେଷ୍ଟ ବିଟ୍ ଉଡ଼ାଇ ଦେଇଛନ୍ତି ମାଓବାଦୀ । ବ୍ଲାଷ୍ଟିଂ କରି ମାଓବାଦୀ ବିଟ୍ ହାଉସ ଉଡ଼ାଇଦେଇଛନ୍ତି । ଏହା ସହିତ ଏକ ଜେସିବିକୁ ଜାଳି ଦେଇଛନ୍ତି । ଗାଁର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ ଅଭୟାରଣ୍ୟ ଭିତରେ ଥିବା ଗୋଲାବନ୍ଧ ଗାଁରେ ଲଙ୍କାକାଣ୍ଡ କରିଛି ଲାଲବାହିନୀ । ରାତି ପ୍ରାୟ ଗୋଟାଏରେ ୧୫ରୁ ୨୦ ମାଓବାଦୀ ଆସି ବର୍ବରକାଣ୍ଡ ଘଟାଇଛନ୍ତି । ପରେ ୮ଟି ପଲିଥିନରେ ଲାଲ ରଙ୍ଗରେ ହାତ ଲେଖା ବ୍ୟାନର ଛାଡି ଯାଇଛନ୍ତି । ମାଓ ଆତଙ୍କ ପରେ ଗାଁରେ ଭୟର ବାତାବରଣ ଖେଳିଯାଇଛି ।
ରାଜ୍ୟରେ କମିଛି ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁହାର
ଭୁବନେଶ୍ୱର: ରାଜ୍ୟରେ କମିଛି ସଡ଼କ ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁହାର । ୨୦୨୨ର ଦ୍ୱିତୀୟ ତ୍ରୈମାସିକ ତୁଳନାରେ ୨୦୨୩ର ଦ୍ୱିତୀୟ ତ୍ରୈମାସିକରେ ସଡକ ଦୁର୍ଘଟଣା କମିଛି । ସଡ଼କ ଦୁର୍ଘଟଣା ୭.୫୬% ହ୍ରାସ ପାଇଥିବା ବେଳେ ମୃତ୍ୟୁହାର ୬.୨୪% ହ୍ରାସ ପାଇଛି । ଦ୍ୱିତୀୟ ତ୍ରୈମାସିକରେ ୨୮୯୭ ସଡ଼କ ଦୁର୍ଘଟଣା ହୋଇଥିବା ବେଳେ, ୧୩୯୭ ଜଣଙ୍କ ମୃତ୍ୟୁ ହୋଇଥିଲା । ପୂର୍ବ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୩୧୩୪ ଦୁର୍ଘଟଣା ଏବଂ ୧୪୯୦ ମୃତ୍ୟୁ ଘଟିଥିଲା । ସେହିପରି ଚଳିତ ବର୍ଷ ଦୁର୍ଘଟଣାରେ ୨୫୭୨ ଜଣ ଆହତ ହୋଇଛନ୍ତି । ପୋଲିସ ସହଯୋଗରେ ପରିବହନ ବିଭାଗ ପକ୍ଷରୁ ଟ୍ରାଫିକ ନିୟମ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଦିବସ ପାଳନ କରାଯାଉଛି ବୋଲି କହିଛନ୍ତି ପରିବହନ ବିଭାଗର ଯୁଗ୍ମ କମିଶନର ।
ରାୟଗଡାର କୃଷ୍ଣଚନ୍ଦ୍ର ଆଟକା ବନିବେ ଡାକ୍ତର, ସପ୍ନରେ ଡେଣା ଲଗାଇଲେ ରାଜ୍ୟ ସରକାର
ଭୁବନେଶ୍ବର: ବୟସ ମାତ୍ର ଏକ ନମ୍ବର । ଦୃଢ ମନୋବଳ ଓ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ । ଗରିବ ଯୁବକ ଦେଖିଥିବା ସ୍ବପ୍ନରେ ଡେଣା ଲଗାଇଲା ରାଜ୍ୟ ସରକାରଙ୍କ ସହଯୋଗ । ୩୩ ବର୍ଷୀୟ ରାୟଗଡାର କୃଷ୍ଣଚନ୍ଦ୍ର ଆଟକା ବନିବେ ଡାକ୍ତର । ନିଟ୍ କ୍ଲିୟର କରି ସରକାରୀ ମେଡିକାଲ କଲେଜରେ ନାଁ ଲେଖାଇଛନ୍ତି କୃଷ୍ଣ । ତାଙ୍କ ସମସ୍ତ ଡାକ୍ତରୀ ପଢା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । 5T ସଚିବଙ୍କ ସହ କୃଷ୍ଣଙ୍କ ଆଲୋଚନା ବେଳେ ସେ ଡାକ୍ତର ହୋଇ ସମାଜ ସେବା କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି । ସେ ୨୦୦୮ରେ ଯୁକ୍ତ ଦୁଇ ପାସ କରିବା ପରେ ଚାକିରି କରିଥିଲେ । ଏହି ସମୟରେ କୃଷ୍ଣ ବିବାହ କରିବା ସହ ତାଙ୍କର ଏବେ ଦୁଇଟି ସନ୍ତାନ ଅଛନ୍ତି । ହେଲେ ସମାଜ ସେବା ପାଇଁ ଦେଖିଥିବା ସ୍ବପ୍ନ ସାକାର ପାଇଁ ୨୦୨୧ରେ ଏନସିଇଆରଟି ବହି କିଣି ନିଟ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ କୃଷ୍ଣ । ଚଳିତ ବର୍ଷ ସେ ନିଟ୍ କ୍ଲିୟର କରିଛନ୍ତି । ଲକ୍ଷ୍ୟ ପୂରଣ ପାଇଁ 5T ସଚିବ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପୁଣି ବିଶ୍ବସ୍ତ ପ୍ରାଣୀର ପ୍ରମାଣ ଦେଲା କୁକୁର, ମାଲିକକୁ ବଞ୍ଚାଇବାକୁ ନାଗ ସାପଠୁ ଖାଇଲା ଚୋଟ
ସମ୍ବଲପୁର: ପ୍ରାଣୀ ଭିତରେ କୁକୁର ସବୁଠୁ ବିଶ୍ବସ୍ତ ଓ ଭରସାଯୋଗ୍ୟ ବୋଲି ପୁଣି ଥରେ ପ୍ରମାଣିତ ହୋଇଛି । ନିଜ ମାଲିକ ପାଇଁ ଜୀବନ ଦେଇଛି ଏକ ପୋଷା କୁକୁର । ମାଲିକଙ୍କ ପରିବାରକୁ ନାଗସାପଠାରୁ ବଂଚାଇବାକୁ ଯାଇ ବ୍ଲାକି ନାମକ ପୋଷା କୁକୁର ଜୀବନ ଦେଇଦେଇଛି । ସମ୍ବଲପୁର ଜିଲ୍ଲା ବୁର୍ଲା ଗୋଲକୁଣ୍ଡା ଗାଁର ଜୟନାରାୟଣ ମହାପାତ୍ର ୧୫ ବର୍ଷ ହେଲା ଏକ ଜର୍ମାନ ସେଫର୍ଡର ଏକ ପୋଷା କୁକୁର ରଖିଥିଲେ । ଗତକାଲି ବିଳମ୍ବିତ ରାତିରେ ଏକ ନାଗସାପ ଜୟନାରାୟଣଙ୍କ ଘର ଭିତରକୁ ପଶିବାକୁ ଉଦ୍ୟମ କରୁଥିବାବେଳେ ତା ସହିତ ଲଢେଇ କରିଥିଲା ବ୍ଲାକି । ଉଭୟେ ଉଭୟଙ୍କୁ ଆକ୍ରମଣ କରିଥିଲେ । ନାଗ ସାପ ଚୋଟର ବ୍ଲାକିର ଜୀବନ ଚାଲିଯିବା ସହିତ ନାଗ ସାପର ମଧ୍ୟ ମୃତ୍ୟୁ ହୋଇଛି ।
ଚନ୍ଦ୍ରରେ ପୃଥିବୀ ପାଇଁ କେତେ ରହିଛି ଉପାଦେୟ, ତଥ୍ୟ ଖୋଜୁଛି ରୋଭର ପ୍ରଜ୍ଞାନ
ନୂଆଦିଲ୍ଲୀ: ଚନ୍ଦ୍ରରେ ପୃଥିବୀ ପାଇଁ କେତେ ରହିଛି ଉପାଦେୟ । ତଥ୍ୟ ଖୋଜୁଛି ରୋଭର ପ୍ରଜ୍ଞାନ । ରାସାୟନିକ, ଖଣିଜ ପଦାର୍ଥ, ମାଟି ଓ ପଥର ସମ୍ପର୍କରେ କରୁଛି ଗବେଷଣା । ଏନେଇ ଗତକାଲି ପ୍ରଥମ ଫୋଟୋ ପଠାଇଥିଲା ଲ୍ୟାଣ୍ଡର । ୧୪ ଦିନ ଲାଗି ୬ ଚକିଆ ବିଶିଷ୍ଟ ରୋଭର ଚନ୍ଦ୍ରପୃଷ୍ଠର ଗବେଷଣା କରିବ । ୧୪ ଦିନର କାର୍ଯ୍ୟ ସମ୍ପାଦନ ପରେ ସୌରଶକ୍ତି ସମ୍ପନ୍ନ ରୋଭରର ଗତି କ୍ରମଶଃ ଥମିବ ।ଏହି ସମୟରେ ଲ୍ୟାଣ୍ଡର ନିକଟକୁ ପ୍ରଜ୍ଞାନ ଆସିବ । ଗତକାଲି ଲ୍ୟାଣ୍ଡର ବିକ୍ରମ ପଠାଇଛି ଲ୍ୟାଣ୍ଡିଂ ସାଇଟ, ମେଟାଲ ଲେଗ ଓ ଏହାର ଛାଇର ଫଟୋ । ମାଇକ୍ରୋଓ୍ବେଭ ଓଭନ ଆକାରର ରୋଭର ପ୍ରାୟ ୫୦୦ ମିଟର ଯାତ୍ରା କରିବ । ପ୍ରଜ୍ଞାନରେ ଥିବା କ୍ୟାମେରା, ସ୍ପେକ୍ଟ୍ରୋମିଟର ଓ ମାଗ୍ନେଟୋମିଟର ବିଭିନ୍ନ ଗବେଷଣା କାର୍ଯ୍ୟରେ ନିଜକୁ ନିୟୋଜିତ ରଖିବେ । ତେବେ ୧୪ ଦିନ ପରେ ବି ଲ୍ୟାଣ୍ଡର ଓ ରୋଭର କାର୍ଯ୍ୟକ୍ଷମ ନେଇ ଆଶାବାଦୀ ରହିଛି ଇସ୍ରୋ । ସୌରରଶ୍ମି ପଡୁଥିବା ଯାଏ ଲ୍ୟାଣ୍ଡର ଓ ରୋଭର କାର୍ଯ୍ୟକ୍ଷମ ହେବେ ବୋଲି କହିଛି ଇସ୍ରୋ ।
ଆଜି ବି ଭିଜିବ ଓଡ଼ିଶା, ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା
ଭୁବନେଶ୍ୱର: ଆଜି ବି ଭିଜିବ ଓଡ଼ିଶା । ଅଧିକାଂଶ ସ୍ଥାନରେ ଘଡଘଡି ବିଜୁଳି ସହିତ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ,କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା , ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି , ରାୟଗଡା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ୨୬ ତାରିଖରେ ଉତ୍ତର ଉପକୂଳ ଏବଂ ଦକ୍ଷିଣ ଓଡିଶାର ୧୭ଟି ଜିଲ୍ଲାରେ ଘଡଘଡି ଓ ବିଜୁଳି ସହିତ ବର୍ଷା ହେବ ।
୨୭ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ଓଡିଶା ଉପରେ କୌଣସି ସିଷ୍ଟମର ପ୍ରଭାବ ନାହିଁ । ମୌସୁମୀ ନିମ୍ନ ଚାପରେଖା ତାର ସ୍ବାଭାବିକ ଅବସ୍ଥାନରୁ ସାମାନ୍ୟ ଉତ୍ତରରେ ରହିଛି । ସେପଟେ ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଠାରୁ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୧୧ ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ୨୦ ରୁ ୫୯ ପ୍ରତିଶତ ବର୍ଷା ରେକର୍ଡ ହୋଇଥିବା ବେଳେ ୧୭ ଟି ଜିଲ୍ଲାରେ ସ୍ବାଭାବିକ ଏବଂ ୨ ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି ।
ଗିରଫ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ଓ୍ୱାଶିଂଟନ: ଗିରଫ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ବଦଳାଇବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଜର୍ଜିଆ ଷ୍ଟେଟର ଆଟଲାଣ୍ଟା ଜେଲରେ ତାଙ୍କୁ ହାଜର କରାଯାଇଥିଲା । ସେଠାରେ ସେ ୨୦ ମିନିଟ ରହିବା ପରେ ଜାମିନରେ ଆସିଥିଲେ । ୨ ଲକ୍ଷ ଡଲାର ବଣ୍ଡରେ ଟ୍ରମ୍ଫଙ୍କୁ ଜାମିନରେ ଛଡ଼ାଯାଇଛି । ଜର୍ଜିଆ ଜେଲରେ ସାଧାରଣ କଏଦୀଙ୍କ ଭଳି ଫଟୋ ଉଠାଇଥିଲେ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି ଏହା ମୋ ପାଇଁ ଏକ ଚ୍ୟାଲେଞ୍ଜିଂ ସମୟ ।
ଟ୍ରମ୍ପଙ୍କ ବିରୋଧରେ ଆସିଥିଲା ମୋଟ ୧୩ଟି ଅଭିଯୋଗ । ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବଦଳାଇବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା । ଏନେଇ ତାଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ କରାଯାଇଥିଲା । ନିର୍ବାଚନରେ ପରାଜୟ ବରଣ କରିବା ଓ କ୍ଷମତା ହସ୍ତାନ୍ତରକୁ ରୋକିବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ଫେଡେରାଲ ତଦନ୍ତରେ ଅଭିଯୁକ୍ତଭାବେ ଦର୍ଶାଯାଇଛି । ୪ ମାସ ଭିତରେ ଟ୍ରମ୍ପଙ୍କ ବିରୋଧରେ ଏହା ତୃତୀୟ ଥର ପାଇଁ ଅପରାଧିକ ମାମଲା ।ଆଇନଗତ ସମସ୍ତ କାର୍ଯ୍ୟାନୁଷ୍ଠାନକୁ ସେ ସମ୍ମୁଖିନ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଟ୍ରମ୍ପ କହିଛନ୍ତି ।
୨୫ ଅଗଷ୍ଟରେ ବନ୍ଦ ରହିବ ସିମଲାର ସମସ୍ତ ସ୍କୁଲ
ସିମଲା: ହିମାଚଳ ଜାରି ରହିଛି ପ୍ରକୃତିର ତାଣ୍ଡବ । ପ୍ରବଳ ବର୍ଷା କାରଣରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଆସନ୍ତାକାଲି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେବାପରେ ଅଗଷ୍ଟ ୨୫ ତାରିଖରେ ସିମଲାର ସମସ୍ତ ସ୍କୁଲ ବନ୍ଦ ରହିବା ନେଇ ସୂଚନା ରହିଛି । ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଅନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜଳ ପ୍ରଳୟ ପାଇଁ ଅନେକ ଜୀବନ ଯାଇଥିବାବେଳେ କୋଟି କୋଟି ଟଙ୍କାର ଧନ ନଷ୍ଟ ହୋଇଛି ।

