ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଉଦଘାଟିତ ହେଲା ହକି ଓ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ନବ ନିର୍ମିତ ସେଣ୍ଟରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ହକି ଷ୍ଟାଡିୟମ ପାଖରେ ଗୋଟିଏ ହକି ଅଭ୍ୟାସ ଗ୍ରାଉଣ୍ଡ ଥିଲା । ଯେଉଁଠି ଖେଳାଳି ମାନେ ରହିବା, ଟ୍ରେନିଂ ସହ ବିଭିନ୍ନ ସୁବିଧା ରହିଥିଲା । ଏହି ଅଭ୍ୟାସ ଗ୍ରାଉଣ୍ଡ ନିକଟରେ ହକି ହାଇ ପରଫରମାନ୍ସ ସେଣ୍ଟରର 5 ମହଲା ବିଶିଷ୍ଟ କୋଠାକୁ ଉଦଘାଟନ କରାଯାଇଛି ।

ରାଜ୍ୟ ସରକାର କ୍ରୀଡ଼ାର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଶେଷ କରି କଳିଙ୍ଗ ଷ୍ଟାଡିୟମ ପରିସରରେ କ୍ରୀଡ଼ାର ବିକାଶ ପାଇଁ ଅନେକ ହାଇ ପରଫରମାନ୍ସ ସେଣ୍ଟର ନିର୍ମାଣ ହୋଇଛି । ସେହିଭଳି ପ୍ରେମ ତରୁ ପ୍ଲାଣ୍ଟେସନର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କଳିଙ୍ଗ ଷ୍ଟାଡିୟମ ଟେନିସ ଅଡିଟୋରୟମରେ ସତ୍ୟ ସାଇ ସେବା ଅନୁଷ୍ଠାନ ପକ୍ଷରୁ ପ୍ରେମ ତରୁ ପ୍ଲାଣ୍ଟେସନର ଉଦଘାଟନ କରାଯାଇଛି । ସତ୍ୟ ସାଇ ସେବା ଅନୁଷ୍ଠାନ ରାଜ୍ୟରେ ଦଶ ଲକ୍ଷ ଗଛ ଲଗାଇବାର ଲକ୍ଷ୍ୟ ରଖିଛି ।
ଲୋନ ଆପ ଇନଷ୍ଟଲ କରି ଠକେଇର ଶିକାର ହେଲେ ବ୍ୟାଙ୍କ କର୍ମଚାରୀ
ଭୁବନେଶ୍ୱର: ଲୋନ ଆପ ଡାଉନଲୋଡ୍ କରି ନିଜେ ଫସିଗଲେ ବ୍ୟାଙ୍କ କର୍ମଚାରୀ । ଲୋନ ଆପ ଇନଷ୍ଟଲ କରି ଠକେଇର ଶିକାର ହୋଇଛନ୍ତି ମହିଳା ବ୍ୟାଙ୍କ ଅଧିକାରୀ । ଅଭିଯୋଗ ଅନୁସାରେ ଆପ ମୋବାଇଲକୁ ଆସିବା ପରେ ବିନା କୌଣସି କନମ୍ଫରମେସନରେ ହଠାତ୍ ତିନୋଟି ପର୍ଯ୍ୟାୟରେ ଆକାଉଣ୍ଟକୁ ଟଙ୍କା ଆସିଲା । ଏହାର କିଛିଦିନ ପରେ ବ୍ଲାକମେଲିଂ କରିଥିଲେ ସାଇବର ଠକ । ଆକାଉଣ୍ଟକୁ ଯାଇଥିବା ଅର୍ଥର ତିନି ଗୁଣା ଅର୍ଥ ପୈଠ କରିବାକୁ ଫୋନ ଆସିଥିଲା । ଶେଷରେ ଯୁବତୀଙ୍କ ଫୋନ ହ୍ୟାକ୍ କରି ଗୁରୁତ୍ବପୂର୍ଣ୍ଣ ଡାଟା ଚୋରାଇ ନେଇଥିଲେ ଅଭିଯୁକ୍ତ । ନ୍ୟୁଡ ଫଟୋ ଏଡିଟ୍ କରି ବ୍ଲାକମେଲିଂ କରିଥିଲେ ସାଇବର ଠକ । ଏନେଇ ସାଇବର ଥାନାରେ ଯୁବତୀଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି ।
ଭଦ୍ରକ ଆରଡି ଛକ ନିକଟ ଜାତୀୟ ରାଜପଥ-୧୬ ଓଭବ୍ରିଜରେ ବିରାଟ ଗର୍ତ୍ତ
ଭଦ୍ରକ: ଭଦ୍ରକ ଆରଡି ଛକ ଓଭରବ୍ରିଜରେ ଗାତ । NH-16 ଓଭରବ୍ରିଜରେ ବିରାଟ ଗର୍ତ୍ତ ସୃଷ୍ଟି । ଓଭରବ୍ରିଜରେ ଗାତ ଥିବା ଜଣାପଡିବା ପରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଗତ କିଛି ମାସ ତଳେ ଏକ ଠିକା କମ୍ପାନୀ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ସାରିଥିବା ବେଳେ, ଏତେ କମ ଦିନରେ ରାସ୍ତା ଭୁଶୁଡିବା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ହଜାର ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ରାସ୍ତାକାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି ।

