spot_img
Home Blog Page 2861

ସରିଲା ବିଜେଡିର ବିଧାୟକ ଦଳ ବୈଠକ , ପ୍ରସ୍ତୁତ ହେଲା ରଣନୀତି

ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ବିଜେଡିର ବିଧାୟକ ଦଳ ବୈଠକ ବସି ରଣନୀତି ସ୍ଥିର ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସି ବିରୋଧୀଙ୍କୁ ଚେକ ଦେବାକୁ ରଣନୀତି କରାଯାଇଥିଲା। ରାଜ୍ୟକୁ ପ୍ରଥମ ମହିଳା ବାଚସ୍ପତି ବିଜେଡି ଦେଇଥିବାରୁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ସମସ୍ତେ ଏହାକୁ ସମର୍ଥନ କରିଥିବାରୁ ମୁଖ୍ୟମନ୍ତ୍ରୀ ମଧ୍ୟ ଧନ୍ୟବାଦ ଦେଇଥିଲେ।

ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ଆସିବେ । ଦଳ ସଠିକ ଭାବେ ତାକୁ ମୁକାବିଲା କରିବ । ନୂଆ ଓ ପୁରୁଣା ସଦସ୍ୟ ଠିକ ସମୟରେ ବିଧାନସଭା ଆସିବେ ଓ ସବୁ ସମୟରେ ଉପସ୍ଥିତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ବିକାଶ ପ୍ରମୁଖ ମୁଦ୍ଦା । ବିଧାନସଭା ଚାଲିବା ବେଳେ ଯାହା ପ୍ରଶ୍ନ ଆସିବ, ତାର ଉତ୍ତର ଦିଆଯିବ। ଆଜି ଅପରାହ୍ନ ୪ଟାରେ ସର୍ବଦଳୀୟ ବୈଠକ ବସିବ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି।

ଥମିବାର ନାଁ ନେଉନି ଭାରତ-କାନାଡା କୂଟନୈତିକ ବିବାଦ

ନୂଆଦିଲ୍ଲୀ: ଥମିବାର ନାଁ ନେଉନି ଭାରତ-କାନାଡା କୂଟନୈତିକ ବିବାଦ। ହରଦୀପ ସିଂ ନିଜାର ହତ୍ୟା ଘଟଣାରେ ଭାରତ ସରକାରଙ୍କ ଏଜେଣ୍ଟ ସାମିଲ ବୋଲି ପୁଣି ଦୋହରାଇଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ। ସେପଟେ ଏହି ବିବାଦକୁ ନେଇ ଆଲୋଚନା କରିଛନ୍ତି ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ଓ କାନାଡା ପ୍ରତିପକ୍ଷ।

ନିଜାରର ହତ୍ୟା ସମ୍ପର୍କରେ ଭାରତର ସମ୍ପୃକ୍ତି ନେଇ ଟ୍ରୁଡୁଙ୍କ ଅଭିଯୋଗକୁ ଭାରତ ବାରମ୍ବାର ଖଣ୍ଡନ କରୁଥିଲେ ବି ନିଜ ବୟାନରେ ଅଟଳ ରହିଛନ୍ତି ଟ୍ରୁଡୁ । ନିଜାରର ହତ୍ୟା ଘଟଣାରେ କାନାଡା କୌଣସି ସ୍ପଷ୍ଟ ସୂଚନା ଦେଉନାହିଁ ବୋଲି ଭାରତ କହିଛି। କାନାଡା କୂଟନୀତିଜ୍ଞଙ୍କ ସଂଖ୍ୟା ହ୍ରାସ କରିବାକୁ ଭାରତ ଗତକାଲି କହିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା କାନାଡା।

ଗତ ୨୧ ତାରିଖରେ କାନାଡା ନାଗରିକଙ୍କ ଲାଗି ଭିସା ପ୍ରଦାନ ବାତିଲ କରିଥିଲା ଭାରତ। ଭିସା ଦରଖାସ୍ତ ଯାଞ୍ଚ କରୁଥିବା ଏକ ଘରୋଇ ସଂସ୍ଥା ବିଏଲଏସ ଇଣ୍ଟରନ୍ୟାସନାଲ ପକ୍ଷରୁ ଏହି ନିଷ୍ପତ୍ତି କରାଯାଇଥିଲା। ସେପଟେ ନ୍ଯାସନାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏନଆଇଏ ପକ୍ଷରୁ ଜାରି କରାଯାଇଥିଲା ଆତଙ୍କବାଦୀଙ୍କ ତାଲିକା। ଜାରି କରାଯାଇଥିବା ୪୩ ଜଣିଆ ତାଲିକାରେ ରହିଛନ୍ତି କାନାଡାରେ ବାସ କରୁଥିବା କେତେକ ଆତଙ୍କବାଦୀ। ସେମାନେ ଭାରତ ବିରୋଧୀ କାର୍ଯ୍ଯକଳାପରେ ସାମିଲ ଥିବା ସହ ବିଭିନ୍ନ ଆତଙ୍କବାଦୀ ସଂଗଠନ ସହ ଜଡିତ ଅଛନ୍ତି।

ଏହି ଆତଙ୍କବାଦୀମାନେ ଖଲିସ୍ତାନ ସମର୍ଥନ ହୋଇଥିବାବେଳେ ସେମାନେ ଭାରତରୁ ପଳାୟନ କରି କାନାଡାରେ ରହୁଛନ୍ତି। ଗତ ୨୧ ତାରିଖରେ ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ସିଂ ଓରଫ ଅର୍ଷ ଦାଲାଙ୍କ ସହଯୋଗୀ ସୁଖଦୋଲ ସିଂକୁ କାନାଡାର ଓ୍ବିନପିଗ ସିଟିରେ ହତ୍ୟା କରାଯାଇଥିଲା। ଭାରତର ଓ୍ବାଣ୍ଟେଡ ଲିଷ୍ଟରେ ଥିବା ସୁଖଦୋଲ ଏକ କ୍ୟାଙ୍ଗଓ୍ବାରରେ ପ୍ରାଣ ହରାଇଛି। ଏ-କାଟେଗୋରୀର ଗ୍ୟାଙ୍ଗଷ୍ଟର କୁହାଯାଉଥିବା ସୁଖଦୋଲ ପଞ୍ଜାବରୁ ଫେରାର ହୋଇ କାନାଡା ଚାଲିଯାଇଥିଲା।

ଚନ୍ଦ୍ରଯାନ-୩: ସତେଜ ହେବେ କି ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ?

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଥିବା ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟକିରଣ ପଡିଛି । ଫଳରେ ସୁପ୍ତ ହୋଇ ପଡି ରହିଥିବା ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ସତେଜ ହେବା ଆଶା ଉଜ୍ଜୀବିତ ହୋଇଛି। ସେପଟେ ଇସ୍ରୋର ଚନ୍ଦ୍ର ଅଭିଯାନର ଅନ୍ତ ହେବ ନା ସ୍ଲିପମୋଡରେ ଥିବା ବିକ୍ରମ ଓ ପ୍ରଜ୍ଞାନ ଜାଗ୍ରତ ହେବେ? ଏହାକୁ ନେଇ ଜାରି ରହିଛି ସସପେନ୍ସ।

ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣ ମେରୁରେ ସ୍ଲିପ ମୋଡରେ ରହିଛନ୍ତି ବିକ୍ରମ ଓ ପ୍ରଜ୍ଞାନ। ସେମାନଙ୍କୁ ଜାଗ୍ରତ କରିବା ଲାଗି ଚେଷ୍ଟା କରିବ ଇସ୍ରୋ। ଯଦି ଉଭୟ ବିକ୍ରମ ଓ ପ୍ରଜ୍ଞାନକୁ ଜାଗ୍ରତ କରିବାରେ ଇସ୍ରୋ ସଫଳ ହୁଏ ତେବେ ଇସ୍ରୋର ବିଜ୍ଞାନ କାରିଗରୀର ଉତ୍କର୍ଷତା ପୁଣି ପ୍ରତିପାଦିତ ହେବ। ଏହା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ଇସ୍ରୋ ଗବେଷଣା କରିବାକୁ ସକ୍ଷମ ହେବ।

ଚନ୍ଦ୍ରରେ ଜଳବାୟୁ ନଥିବାରୁ ଏହାର ପୃଷ୍ଠ ଦେଶରେ ରାତିରେ ତାପମାତ୍ରା ମାଇନସ ୧୮୦ ଡିଗ୍ରୀ ହୋଇଥିବା ବେଳେ ସ୍ଥାୟୀ ଭାବେ ସୌରରଶ୍ମୀ ପାଉନଥିବା ସ୍ଥାନରେ ତାପମାତ୍ରା ରହିଥାଏ ମାଇନସ ୨୪୦ ଡିଗ୍ରୀ ସେଲସିୟସ।

ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ପ୍ରଥମେ ଦିବଂଗତ ସଦସ୍ୟ, ପୂର୍ବତନ ସଦସ୍ୟ ଓ ଯବାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ ।

ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ପୂର୍ବତନ ବିଧାୟକ ତ୍ରିଲୋଚନ କାନୁନଗୋ, ରମେଶ ସୋରେନ, ନିବେଦିତା ପ୍ରଧାନ, କୁମର ବେହେରା, ଲାନ୍ସ ନାୟକ ଦେବାଶିଷ ବିଶ୍ବାଳ, କନେଷ୍ଟବଳ ସୁଶାନ୍ତ ଖୁଣ୍ଟିଆ, ସୁଶାନ୍ତ କୁମାର ମହାନ୍ତିଙ୍କ ସ୍ମୃତିରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ।

ଏହି ପ୍ରସ୍ତାବକୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ କରିଥିଲେ । ଗୃହରେ ନିରବ ପ୍ରାର୍ଥନା ପରେ ଅପରାହ୍ଣ ୫ଟା ଯାଏ ଗୃହକୁ ମୁଲତବୀ ରଖାଯାଇଛି । ଅପରାହ୍ଣ ୫ଟାରେ ଅତିରିକ୍ତ ବଜେଟ ଆଗତ ହେବ ।

 

ଜାନୁଆରୀ ଶେଷ ସପ୍ତାହରେ ପାକିସ୍ତାନରେ ହେବ ସାଧାରଣ ନିର୍ବାଚନ

ଲାହୋର: କଳ୍ପନାଜଳ୍ପନାର ଅବସାନ। ଜାନୁଆରୀ ଶେଷ ସପ୍ତାହରେ ପାକିସ୍ତାନରେ ସାଧାରଣ ନିର୍ବାଚନ। ଏନେଇ ଘୋଷଣା କରିଛନ୍ତି ପାକିସ୍ତାନ ନିର୍ବାଚନ ଆୟୋଗ। ଆୟୋଗ କହିଛନ୍ତି- ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଧାରଣ ପ୍ରକ୍ରିୟାର ସମୀକ୍ଷା କରାଯାଇଛି।

ଆସନ୍ତା ସେପ୍ଟେମ୍ବର ୨୭ରେ ସୀମା ନିର୍ଦ୍ଧାରଣ ହୋଇଥିବା ନିର୍ବାଚନମଣ୍ଡଳୀର ପ୍ରାରମ୍ଭିକ ତାଲିକା ପ୍ରକାଶ ପାଇବ। ଏହି ତାଲିକାକୁ ନେଇ କୗେଣସି ଆପତ୍ତି ଓ ପରାମର୍ଶକୁ ବିଚାରକୁ ନେଇ ନଭେମ୍ବର ୩୦ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ୨୦୨୪ ଜାନୁଆରୀ ଶେଷ ସପ୍ତାହରେ ସାଧାରଣ ନିର୍ବାଚନ ହେବ। ବିଭିନ୍ନ ମାମଲାରେ ପାକିସ୍ତାନ ତେହରିକ-ଇ-ଇନସାଫ ନେତା ଇମ୍ରାନ ଖାଁ ଜେଲରେ ଥିବାବେଳେ ଏହି ନିର୍ବାଚନ ହେବା

ସୁନ୍ଦରଗଡ଼ରେ ବେକାବୁ ସ୍କ୍ରବ ଟାଇଫସ; ଦିନକରେ ଆଉ ୫ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ବେକାବୁ ସ୍କ୍ରବ ଟାଇଫସ। ଆଜି ଦିନକରେ ଆଉ ୫ ଆକ୍ରାନ୍ତ ଚିହ୍ନଟ। ୪୫ ଜଣଙ୍କ ରକ୍ତ ନମୁନା ମଧ୍ୟରୁ ୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୧୧େ ପହଞ୍ଚିଛି ।

ପୂର୍ବରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ICUରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ୧୨ ରୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ରହିଛନ୍ତି। ସୁସ୍ଥ ହେଲେଣି ୧୯୮ ଆକ୍ରାନ୍ତ । ତେବେ ଭୟ କରିବାର କିଛି ନାହିଁ। ଲକ୍ଷଣ ଜଣା ପଡ଼ିଲେ ଡାକ୍ତର ପରାମର୍ଶ ନେବା ପାଇଁ CDMO ପରାମର୍ଶ ଦେଇଛନ୍ତି। ସଚେତନତା ଏବଂ ସତର୍କତା ରୁ ହିଁ ଏହି ସ୍କ୍ରବ ଟାଇଫସକୁ ଦମନ କରାଯାଇପାରିବ।

ଓଡ଼ିଶା ରାଜନୈତିକ ଇତିହାସରେ ନୂଆ ଅଧ୍ୟାୟ, ପ୍ରମିଳା ମଲ୍ଲିକ ବନିଲେ ପ୍ରଥମ ମହିଳା ବାଚସ୍ପତି

ଭୁବନେଶ୍ୱର: ଓଡ଼ିଶା ରାଜନୈତିକ ଇତିହାସରେ ନୂଆ ଅଧ୍ୟାୟ। ପ୍ରଥମ ମହିଳା ବାଚସ୍ପତି ହେଲେ ପ୍ରମିଳା ମଲ୍ଲିକ। ପ୍ରମିଳାଙ୍କ ନାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେବାପରେ ତାହାକୁ ସମର୍ଥନ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ପରେ ବାଚନିକ ଭୋଟରେ ଗୃହୀତ ହୋଇଥିଲା ପ୍ରସ୍ତାବ।

ବାଚସ୍ପତି ଭାବେ ଦାୟିତ୍ଵ ଗ୍ରହଣ ପରେ ପ୍ରମିଳାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୃହର ସମସ୍ତ ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସମସ୍ତ ସଦସ୍ୟ ଗୃହର ମର୍ଯ୍ୟାଦା ରକ୍ଷା କରିବା ପାଇଁ ଅନୁରୋଧ କଲେ ନବୀନ। ଉପବାଚସ୍ପତିଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ବିଜେପି ବିଧାୟକ ଦଳ ତରଫରୁ ନବ ନିର୍ବାଚିତ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଜଣାଇଛନ୍ତି ଅଭିନନ୍ଦନ। ପ୍ରଥମ ମହିଳା ବାଚସ୍ପତି ଭାବେ ଦାୟିତ୍ଵ ନେଇଥିବାରୁ ଆମେ ଗର୍ବିତ ବୋଲି କହିଛନ୍ତି ମୋହନ ମାଝି । ପ୍ରଥମ ମହିଳା ବାଚସ୍ପତି ହୋଇଥବାରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

ଗତକାଲି ବିଧାନସଭା ସଚିବଙ୍କ ପାଖରେ ବାଚସ୍ପତି ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ପ୍ରମିଳା । ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବକ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସମର୍ଥକ ହୋଇଥିଲେ । ଦଳର ବହୁ ବିଧାୟକ, ମନ୍ତ୍ରୀ ଓ ସାଂଗଠନିକ ସମ୍ପାଦକ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ କରିଥିଲେ ପ୍ରମିଳା। ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଞ୍ଝାରପୁର ଆସନରୁ ହୋଇଛନ୍ତି ବିଧାୟିକା ।

୧୯୯୦ରେ ପ୍ରଥମେ ଜନତା ଦଳରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ପ୍ରମିଳା । ୨୦୦୦ ମସିହାରୁ କ୍ରମାଗତ ଭାବେ ସେ ବିଜେଡିରୁ ବିଧାୟିକା ଭାବେ ଜିତିଆସୁଛନ୍ତି । ବିଭିନ୍ନ ସମୟରେ ସେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଦାୟିତ୍ବରେ ରହିଥିଲେ । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ସେ ସରକାରୀ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇଛନ୍ତି । ୨୦୨୨ରେ ତାଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଦାୟିତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ଅକ୍ଟୋବରରେ ପୁଣି ବାତ୍ୟା ଭୟ, ଅନ୍ତର୍ଜାତୀୟ ମଡେଲରେ ଭିନ୍ନଭିନ୍ନ ଆକଳନ…

ଭୁବନେଶ୍ୱର: ଅକ୍ଟୋବରରେ ବାତ୍ୟା ସମ୍ଭାବନା। ଆଇଏମଡି ଦ୍ବାରା ପ୍ରକାଶିତ ଦୀର୍ଘ ମିଆଦୀ ଆକଳନ ଅନୁସାରେ ୨୯ ସେପ୍ଟେମ୍ବରରୁ ୫ ଅକ୍ଟୋବର ମଧ୍ୟରେ ସାଇକ୍ଲୋଜେନେସିସ ଅର୍ଥାତ ଅବପାତ ହେବାର ସମ୍ଭାବନା କମ ଦର୍ଶାଉଛି। ହେଲେ କିଛି ଅନ୍ତର୍ଜାତୀୟ ମଡେଲର ଆକଳନ ଅନୁସାରେ, ସେପ୍ଟେମ୍ବର ୨୮ କିମ୍ବା ୨୯ ତାରିଖ ବେଳକୁ ଘୂର୍ଣ୍ଣିବଳୟ ଏବଂ ୩୦ ତାରିଖ ବେଳକୁ ଲଘୁଚାପ ଏବଂ ପରବର୍ତ୍ତୀ ସମୟରେ ଏହା ବାତ୍ୟା ରୂପ ନେଇପାରେ।

ସେହିପରି ECMWF ମଡେଲର ଆକଳନ ହିସାବରେ ୩୦ କିମ୍ବା ଅକ୍ଟୋବର ୧ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି । ହେଲେ ବାତ୍ୟା ସମ୍ଭାବନା କ୍ଷୀଣ ରହିଛି । ସିଏଫସ ମଡେଲ ଅନୁସାରେ ଅକ୍ଟୋବର ପ୍ରଥମ ସପ୍ତାହରେ ଅବପାତ ସମ୍ଭାବନା ରହିଛି।

ବର୍ତ୍ତମାନର ପାଣିପାଗ ସ୍ଥିତିକୁ ଅନୁଧ୍ୟାନ କଲେ ୨୯ ସେପ୍ଟେମ୍ବରରୁ ୧ ଅକ୍ଟୋବର ମଧ୍ୟରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା କେତେ ଘନୀଭୂତ ହେବ ଏବଂ କେଉଁ ଦିଗକୁ ମୁହାଁଇବ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ଏଥିପାଇଁ ବାତ୍ୟା ଗୁଜବ ତଥ୍ୟ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

ବ୍ୟାଙ୍କ ସ୍କାମ; ସମ୍ବାଦ ଭବନରେ ସରିଲା ରେଡ୍

ଭୁବନେଶ୍ୱର: କର୍ମଚାରୀଙ୍କ ନାଁରେ ଋଣ ମାମଲା। ସମ୍ବାଦ ଭବନରେ ଦୀର୍ଘ ୧୧ ଘଣ୍ଟା ଧରି ଚାଲିଥିବା ରେଡ ଶେଷ ହୋଇଛି । ମାନବ ସମ୍ବଳ ବିଭାଗର ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଜବତ ହୋଇଛି । ଲୋନ ଠକେଇ ଘଟଣାରେ ଇଓଡବ୍ଲୁ ନେଇଛନ୍ତି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ । ଏହି ଜେରା ବେଳେ କନକ ଟିଭିର ସମ୍ପାଦକ ମଧ୍ୟ ଉପସ୍ଥିତ ଥିଲେ।

ଏପରିକି ବାହାରିଲା ବେଳେ ନିଜ ମୋବାଇଲରେ କଏଦ କରୁଥିଲେ ସମସ୍ତ ଘଟଣା । ଏହି ଘଟଣାକୁ କଭର କରିବାବେଳେ ନନ୍ଦିଘୋଷ ଟିମକୁ ଦୁର୍ବ୍ୟବହାର କରିଥିଲେ କର୍ମଚାରୀ । ସେପଟେ EOW ଏସପି ଦିଲୀପ ତ୍ରିପାଠୀ କହିଛନ୍ତି- ସବୁ ସିଜର ଲିଷ୍ଟରେ ରହିଛି । ବହୁ ଲୋକଙ୍କୁ ହାଜର ହେବା ଲାଗି ସମନ ଜାରି କରାଯାଇଛି । ସେମାନେ ତଦନ୍ତର ସାମନା କରିବେ । ତଦନ୍ତରେ ବହୁ ତଥ୍ୟ ଲୋକଲୋଚନକୁ ଆସିବ।

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ, ରହିଛି ମୋଟ୍ ୮ଟି କାର୍ଯ୍ୟ ଦିବସ

ଭୁବନେଶ୍ୱର: ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ। ଅକ୍ଟୋବର ୪ ତାରିଖ ଯାଏ ଚାଲିବାକୁ ଥିବା ଅଧିବେଶନରେ ମୋଟ୍ ୮ଟି କାର୍ଯ୍ୟ ଦିବସ ରହିଛି । ସକାଳ ୧୧ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ ସାଢେ ୧୦ଟାରେ ବିଜେଡିର ବିଧାୟକ ଦଳ ବୈଠକ ବସିବ । ବୈଠକରେ ଦଳ ଗୃହ କାର୍ଯ୍ୟ ପାଇଁ ରଣନୀତି କରିବ।

ଅନ୍ୟ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ମଧ୍ୟ ବିଧାୟକ ଦଳ ବୈଠକରେ ନିଜ ରଣନୀତି ପ୍ରସ୍ତୁତ କରିବେ। ବିରୋଧୀଙ୍କ ଦ୍ବାରା ଆଗତ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି।

ସେପଟେ ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ କଂଗ୍ରେସ ପ୍ରସଙ୍ଗ କରିବ। ଆସନ୍ତା ୨୮ ତାରିଖରେ ୨୦୨୩-୨୪ ଆର୍ଥିକବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ। ଅକ୍ଟୋବର ୩ ତାରିଖରେ ଗୃହୀତ ହେବ ବ୍ୟୟ ମଞ୍ଜୁରୀ ବିଲ୍।