spot_img
Home Blog Page 2864

ମୌସୁମୀ ଅଧିବେଶନ ପାଇଁ ଆଜି ବିଜେଡି ସଂସଦୀୟ ଦଳ ବୈଠକ

ଭୁବନେଶ୍ୱର : ସଂସଦର ମୌସୁମୀ ଅଧିବେଶନ ପାଇଁ ଆଜି ବସିବ ବିଜେଡିର ସଂସଦୀୟ ଦଳ ବୈଠକ । ଗୃହରେ ଆଭିମୂଖ୍ୟ ନେଇ ବିଜେଡି ପ୍ରସ୍ତୁତ କରୁଛି ରଣକୌଶଳ । ଆଜି ସନ୍ଧ୍ୟା ୭ଟାରେ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ।

ସଂସଦର ମୌସୁମୀ ଅଧିବେଶନରେ ଉଭୟ ଗୃହରେ ଦଳ କେଉଁ କେଉଁ ପ୍ରସଙ୍ଗ ସବୁ ଉଠାଇବ ତା ଉପରେ ଆଲୋଚନା ହେବ । ବିଶେଷକରି ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରି ବିଜେଡି ସାଂସଦରେ ହକ୍ ମାଗିବ । ସଂସଦୀୟ ବୈଠକରେ ମୁଖ୍ୟମନ୍ତ୍ରୀ ସମସ୍ତ ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ । ଆସନ୍ତା ୨୦ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି ।

ବେଙ୍ଗାଳୁରୁରେ ବିଜେପି ବିରୋଧରେ ରୋଡମ୍ୟାପ୍, ଆଜି ପ୍ରସ୍ତୁତ ହେବ ବିରୋଧୀଙ୍କ ନିର୍ବାଚନୀ ରଣନୀତି

ବେଙ୍ଗାଲୁରୁ : ବେଙ୍ଗାଲୁରୁରୁ ବିଜେପି ବିରୋଧରେ ରୋଡମ୍ୟାପ୍ । ୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଗାଦିଚ୍ୟୁତ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ବିରୋଧୀ । ଦୁଇଦିନିଆ କାର୍ଯ୍ୟକ୍ରମର ଆଜି ଦ୍ବିତୀୟ ଦିନରେ ପ୍ରସ୍ତୁତ ହେବ ନିର୍ବାଚନୀ ରଣନୀତି । ଗୋଟିଏ ମଞ୍ଚରୁ ବିରୋଧୀ ଦେବେ ଏକତା ବାର୍ତ୍ତା । ରାଜ୍ୟରେ ବିଧାନସଭା ନିର୍ବାଚନ, ୟୁସିସି ଏବଂ ସାଧାରଣ ନିର୍ବାଚନରେ ଓ୍ବାନ ସିଟ୍ ଓ୍ବାନ କ୍ୟାଣ୍ଡିଡେଟ ମୁଦ୍ଦା ଉପରେ ଆଲୋଚନା ହେବ ।

କଂଗ୍ରେସ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ସାମିଲ ହେବେ ଟିଏମସି, ଆପ୍, ଏନସିପି, ପିଡିପି ସମେତ ୨୬ ଦଳର ନେତା । ପାଟନା ବୈଠକରେ ୧୬ ଦଳର ନେତା ସାମିଲ ହୋଇଥିବା ବେଳେ ଦ୍ବିତୀୟ ବୈଠକରେ ଏମଡିଏମକେ, କେଡିଏମକେ, ଆରଏସପି ଆଦି ନୂଆ ଦଳକୁ ଏଥର ନିମନ୍ତ୍ରଣ କରିଛି କଂଗ୍ରେସ । ୨୦୨୪ରେ ସବୁ ବିରୋଧୀ ଏକାଠି ନିର୍ବାଚନ ଲଢ଼ିଲେ, ୫୫ ପ୍ରତିଶତ ସିଟ୍ ଜିତି ସରକାର ଗଠନ କରିପାରିବେ ।

ବିଜେପି ସହ ମୁକାବିଲା ଲାଗି ଓ୍ବାନ ସିଟ ଓ୍ବାନ କ୍ୟାଣ୍ଡିଡେଟ ଫର୍ମୁଲାରେ ପ୍ରାର୍ଥୀ ଦେବାକୁ ଯୋଜନା କରୁଛନ୍ତି ବିରୋଧୀ । ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏକୁ ୩୮.୫ ଓ ୨୦୧୯ରେ ୪୫ ପ୍ରତିଶତ ଭୋଟ ମିଳିଥିଲା । ସେହିପରି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳକୁ ମିଳିଥିଲା ୨୦୧୪ରେ ୬୧.୫ ପ୍ରତିଶତ ଓ ୨୦୧୯ରେ ୫୫ ପ୍ରତିଶତ ଭୋଟ । ଏଥର ଯଦି ବିରୋଧୀ ଏକ ହୋଇ ନିର୍ବାଚନ ଲଢ଼ନ୍ତି, ତେବେ ବିଜେପିକୁ ହରାଇବା ସହଜ ହେବ ବୋଲି ମହାମେଣ୍ଟର ମୁଖ୍ୟ ଏଜେଣ୍ଡା ରହିଛି । ସେପଟେ ବିଜେପି ନେତୃତ୍ବାଧୀନ ଏନଡିଏରେ ଥିବା ୯ଟି ବଡ଼ ରାଜନୈତିକ ଦଳ ଛାଡ଼ିବା ପରେ ମେଣ୍ଟ ଦୁର୍ବଳ ହୋଇପଡ଼ିଛି ବୋଲି କହିଛି ଆମ ଆଦମୀ ପାର୍ଟି ।

ଆସୁଛି ବଡ ବର୍ଷା, ୧୯ରୁ ୨୨ ଯାଏଁ ଅବିଶ୍ରାନ୍ତ ମୂଷଳ ଧାରାରେ ବର୍ଷିବ

ଭୁବନେଶ୍ୱର: ଆସୁଛି ବଡ ବର୍ଷା । ୧୯ରୁ ୨୨ ଯାଏଁ ଅବିଶ୍ରାନ୍ତ ମୂଷଳ ଧାରାରେ ବର୍ଷିବ। ଫୁଲିବ ନଦୀ, ଧସିବ ପାହାଡ! ସହରାଞ୍ଚଳରେ ଉଛୁଳିବ ଡ୍ରେନ୍। ସୃଷ୍ଟି ହେବ ଟ୍ରାଫିକ୍ ସମସ୍ୟା। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସଂଗୀନ ହେବ ସ୍ଥିତି। ଅଧିକାଂଶ ଜିଲ୍ଲାରେ ୨ଶହ ମିଲିମିଟରରୁ ଅଧିକ ବର୍ଷିବା ସମ୍ଭାବନା। ସତର୍କ କରାଇଲା ପାଣିପାଗ କେନ୍ଦ୍ର। ଗତକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇ ଉତ୍ତର ଛତିଶଗଡ ଆଡକୁ ଗତି କରିଛି। ପ୍ରଭାବରେ ଆସନ୍ତାକାଲି ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର ସବୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

ଛତିଶଗଡ ଉପରମୁଣ୍ଡରେ ମଧ୍ୟ ବର୍ଷାର ପରିମାଣ ବଢ଼ିବ। ଫଳରେ ବିଭିନ୍ନ ନଦୀର ଜଳସ୍ତର ଧିରେ ଧିରେ ବଢିବ। ଏହାସହ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧୯ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେଇ ଛତିଶଗଡମୁହାଁ ହେବ। ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

ଗତ ୨୪ଘଣ୍ଟାରେ ରାଜ୍ୟରେ ବିସ୍ତୃତ ବର୍ଷା ଅନୁଭୂତ ହୋଇଛି। ସୋନପୁର ଜିଲ୍ଲାର ବିନିକାଠାରେ ସର୍ବାଧିକ ୧୬୫.୨ ମିଲିମିଟର ରେକର୍ଡ ହୋଇଥିବା ବେଳେ ସମ୍ବଲପୁରର ଧାନକୌଡାରେ ୧୫୫ ମିଲିମିଟର, ଜୁଜୁମରାରେ ୧୩୬ମିମି ଏବଂ ବରଗଡରେ ୧୨୮.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ୬ଟିସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ୧୨ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି।

ଲଗାଣ ବର୍ଷା ଯୋଗୁଁ ସମ୍ବଲପୁର ସାକ୍ଷୀପଡ଼ା ରେଲଓ୍ବେ ଅଣ୍ଡରପାସ୍ ବୁଡ଼ିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଅଇଁଠାପାଲିର ବିଭିନ୍ନ ଅଞ୍ଚଳ ପାଣି ଘେରରେ ରହିଛି । ସକ୍ରିୟ ମୌସୁମୀ ପ୍ରଭାବରେ ଗତ ୨୪ଘଣ୍ଟାରେ ଅନୁଭୂତ ବର୍ଷାରେ ୩% ନିଅଣ୍ଟିଆ ଭରଣା ହୋଇଛି। ରାଜ୍ୟରେ ଚଳିତ ମୌସୁମୀ ଋତୁରେ ଆଜି ସୁଦ୍ଧା ୩୦୭.୮ ମିମି ବର୍ଷା ରେକର୍ଡ ହୋଇଛି। ଏହା ସ୍ୱାଭାବିକ ବର୍ଷା ୩୮୨.୮ ମିମି ତୁଳନାରେ ୨୦ପ୍ରତିଶତ କମ୍। ତେବେ ସାମ୍ଭବ୍ୟ ଲଘୁଚାପ ରାଜ୍ୟରେ ବନ୍ୟାର ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା ରହିଛି।

ଦେବଗଡ଼ରେ 5T ସଚିବଙ୍କ ମାରାଥନ ସମୀକ୍ଷା, ଲୋକଙ୍କ ଘରେ ଘରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ

ଦେବଗଡ଼: ଦେବଗଡ଼ ବିକାଶର ନୂଆ ଅଧ୍ୟାୟ । ଶିକ୍ଷାଠୁ ସ୍ବାସ୍ଥ୍ଯ, କୃଷିଠୁ ପର୍ଯ୍ୟଟନ, ସବୁଠି ଲାଗିବ ରୂପାନ୍ତରଣ ସ୍ପର୍ଶ । ଲୋକଙ୍କ ଘରେଘରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ । ଏଥିପାଇଁ ବାରାକୋଟ, ରିଆମାଳ ଓ ତିଳେଇବଣୀ ବ୍ଲକରେ ୬୦୯ କୋଟି ଟଙ୍କାରେ ପ୍ରକଳ୍ପ ନିର୍ମାଣ ଚାଲିଛି । ଜନସାଧାରଣଙ୍କ ଦୁଆରେ ପହଞ୍ଚି ସମସ୍ୟା ଶୁଣିଛି ସିଏମଓ । ପ୍ରବଳ ବର୍ଷା ସତ୍ତ୍ବେ ସମସ୍ୟାର ଅନୁଧ୍ୟାନ କରିଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ଲଗାଣ ବର୍ଷାରେ ରେନକୋଟ ପିନ୍ଧି ଲୋକଙ୍କଠାରୁ ସମସ୍ୟା ଶୁଣିଥିଲେ ।

୭ଦିନ ଭିତରେ ଲୋକଙ୍କ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଭିକେ ପାଣ୍ଡିଆନ । ଦେବଗଡ଼ର ପ୍ରସିଦ୍ଧ ମାଆ ଝାଡେଶ୍ବରୀ ମନ୍ଦିରର ହେବ ରୂପାନ୍ତରଣ । ଏଥିପାଇଁ ପୀଠକୁ ଯାଇ ପୂଜାର୍ଚ୍ଚନା କରିବା ସହ ପୂଜକ ଓ ଭକ୍ତଙ୍କ ସହ ଆଲୋଚନା କରିଥିଲେ ଭିକେ ପାଣ୍ଡିଆନ । ଶ୍ରାବଣର ଦ୍ବିତୀୟ ସୋମବାରରେ ପୀଠକୁ ଆସିଥିବା କାଉଡ଼ିଆଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ପରେ ତିଳେଇବଣି ମିଶନ ଶକ୍ତି କାଫେକୁ ଯାଇ ଜଳଖିଆ କରିଥିଲେ । ବଳମ ଆଦର୍ଶ ଖେଳ ପଡ଼ିଆରେ ମିଶନ ଶକ୍ତି ମା’ଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ।

ଦେବଗଡ଼ର ଘରେଘରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ । ରିଆମାଳ ଓ ବାରକୋଟ ବ୍ଲକରେ ଜାନୁଆରୀ ସୁଦ୍ଧା ପିଇବା ପାଣି ସମସ୍ୟାର ସମାଧାନ ହେବ । ଏଥିପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଖୁବଶୀଘ୍ର ଅନ୍ୟସମସ୍ତ ଅଞ୍ଚଳରେ ବି ପାନୀୟ ଜଳର ସୁବିଧା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ । କଁସର ଫାଇଭ-ଟି ସ୍କୁଲ ପରିଦର୍ଶନ କରିଥିଲେ ଭିକେ ପାଣ୍ଡିଆନ । ଉତ୍ସାହର ସହିତ ହକି ଷ୍ଟିକ ଗେଟ ମାଧ୍ୟମରେ ଫାଇଭ-ଟି ସଚିବଙ୍କୁ ସ୍ବାଗତ କରିଥିଲେ ଛାତ୍ରଛାତ୍ରୀ ।

ଲଗାଣ ବର୍ଷା ସତ୍ତ୍ବେ ବିଭିନ୍ନ ସ୍ଥାନରେ ଲୋକଙ୍କ ଅଭିଯୋଗ ଶୁଣିଥିଲେ ଫାଇଭ-ଟି ସଚିବ । ମନ୍ଦିର, ମସଜିଦ, କମ୍ୟୁନିଟି ସେଣ୍ଟର ପାଇଁ ଆସିଥିବା ଆବେଦନପତ୍ର ୭ ଦିନ ମଧ୍ୟରେ ସମାଧାନ କରାଯିବ । ଚାଷୀଙ୍କ ସମସ୍ୟା ମଧ୍ୟ ତୁରନ୍ତ ସମାଧାନ ହେବ। ସରକାର ଦେଉଥିବା ଅନୁଦାନକୁ ସ୍ବଚ୍ଛତାର ସହ ବିନିଯୋଗ କରିବାକୁ ଆହ୍ବାନ ଦେଇଛନ୍ତି ଭିକେ ପାଣ୍ଡିଆନ । ଯେଉଁଠି ଜନତା ସେଇଠି ସିଏମଓ । ଲୋକଙ୍କ ପାଇଁ ପ୍ରଶାସନ । ରାଜ୍ୟ ସରକାରଙ୍କ ସେବା ମନ୍ତ୍ରକୁ ନେଇ ଜନତାଙ୍କ ପାଖରେ ପହଞ୍ଚୁଛନ୍ତି ଫାଇଭ-ଟି ସଚିବ । ଯାହା ଦେବଗଡ଼ ଗସ୍ତ ସମୟରେ ପ୍ରମାଣିତ ହୋଇଛି ।

ଓଡ଼ିଶାରେ କମିଛି ଗରିବୀ ସଂଖ୍ୟା, ୫ ବର୍ଷ ଭିତରେ ୫୦ ପ୍ରତିଶତ ହ୍ରାସ ପାଇଛି ଦାରିଦ୍ର୍ୟତା

ଭୁବନେଶ୍ୱର: ଓଡ଼ିଶାରେ କମିଛି ଗରିବୀ ସଂଖ୍ୟା । ଗତ ୫ ବର୍ଷ ଭିତରେ ୫୦ ପ୍ରତିଶତ ହ୍ରାସ ପାଇଛି ଦାରିଦ୍ର୍ୟତା । ରାଜ୍ୟ ସରକାରଙ୍କର ଖାଦ୍ୟ ସୁରକ୍ଷା ଯୋଜନା, ମାଗଣା ସ୍ବାସ୍ଥ୍ୟସେବା, ଗ୍ରାମାଞ୍ଚଳରେ ସ୍ବଚ୍ଛ ପାନୀୟ ଜଳ, ସହରାଞ୍ଚଳରେ ଡ୍ରିଙ୍କ ଫ୍ରମ ଟ୍ୟାପ ଓ ଉନ୍ନତ ଶିକ୍ଷା ଭିତ୍ତିଭୂମି ଯୋଗୁଁ ଦାରିଦ୍ୟ ହ୍ରାସ କରିବାରେ ରାଜ୍ୟ ପାଇଛି ସଫଳତା । କେନ୍ଦ୍ର ସରକାରଙ୍କର ନୀତି ଆୟୋଗ ପକ୍ଷରୁ ପ୍ରକାଶ ପାଇଥିବା ଦାରିଦ୍ୟତା ହ୍ରାସ ନେଇ ବହୁମୁଖୀ ସ୍ତରୀୟ ରିପୋର୍ଟରେ ଓଡ଼ିଶା ଭଲ ସ୍ଥାନରେ ରହିଛି ।

ରିପୋର୍ଟ ଅନୁଯାୟୀ ୨୦୧୫-୧୬ରେ ରାଜ୍ୟରେ ୨୯ ଦଶମିକ ୩୪ ପ୍ରତିଶତ ଗରିବୀ ଥିବା ବେଳେ ୨୦୧୯ରୁ ୨୦୨୧ ବେଳକୁ ଏହା ୧୫ ଦଶମିକ ୬୮ ପ୍ରତିଶତକୁ ହ୍ରାସ ପାଇଛି । ଯାହାକି ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ବହୁ ଆଗରେ ରହିଛି । ୧୬ଟି ଜିଲ୍ଲା ଦାରିଦ୍ୟ ହ୍ରାସ କରିବାରେ ସଫଳତା ପାଇଛନ୍ତି । ସବୁଠୁ କମ ଗରିବ ଲୋକ ରହିଛନ୍ତି ପୁରୀ ଜିଲ୍ଲାରେ । ପୁରୀ ସମେତ ରାଜ୍ୟର ୧୪ଟି ଜିଲ୍ଲା ଦାରିଦ୍ୟ ହ୍ରାସ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରି ଉଲ୍ଲେଖନୀୟ ସଫଳତା ପାଇଛନ୍ତି । ଜାତୀୟ ସ୍ତରରେ ଦାରିଦ୍ର୍ୟତା ହାର ୧୪ ଦଶମିକ ୯୬ ପ୍ରତିଶତ ଥିବା ବେଳେ ଓଡ଼ିଶା ସରକାରଙ୍କର ବହୁମୁଖୀ କାର୍ଯ୍ୟକ୍ରମ ଯୋଗୁଁ ଅଧିକାଂଶ ଜିଲ୍ଲା ଏକ ଅଙ୍କରେ ସୀମିତି ରହିଛି ।

୨୫ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମଙ୍କ ଓଡ଼ିଶା ଗସ୍ତ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଛି । ଜୁଲାଇ ୨୫ରେ ରାଜଭବନରେ ଓଡିଶାର ଆପଦଗ୍ରସ୍ତ ଜନଜାତି ଗୋଷ୍ଠୀ ପ୍ରତିନିଧିଙ୍କ ସହିତ ସାକ୍ଷାତ ଆଲୋଚନା କରିବେ ମହାମହିମ ।

୨୬ ତାରିଖରେ କଟକର ଚଣ୍ଡୀ ମନ୍ଦିର, ଉତ୍କଳଗୌରବ ମଧୁସୁଦନ ଦାସଙ୍କ ବାସ ଭବନ ଏବଂ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ । ସେହିଦିନ କଟକ ଉଚ୍ଚ ନ୍ୟାୟାଳୟର ୭୫ ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ଉତ୍ସବ, ଜାତୀୟ ଆଇନ୍ ବିଶ୍ବବିଦ୍ୟାଳୟ କଟକର ସମାବର୍ତ୍ତନ ଉତ୍ସବ, ଏସସିବିର ବାର୍ଷିକୋତ୍ସବରେ ଯୋଗଦାନ କରିବେ । ୨୭ତାରିଖରେ ଭୁବନେଶ୍ବର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ।

ପରେ ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦାନ କରିବା କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କର ରହଣି, ସୁରକ୍ଷା ବ୍ୟବସ୍ଥା, କାର୍ଯ୍ୟକ୍ରମର ଗଣମାଧ୍ୟମରେ ପ୍ରକାଶନ ଓ ପ୍ରସାରଣ, ସ୍ବାସ୍ଥ୍ୟସେବା ଓ ଚିକିତ୍ସା, ଆମ୍ବୁଲାନ୍ସ, ଉତ୍ସବ ସ୍ଥଳକୁ ଯାତାୟତ ରାସ୍ତାର ରକ୍ଷଣାବେକ୍ଷଣ ତଦାରଖ ଆଦି ବିଭିନ୍ନ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଛି ।

ସମସ୍ତ କାର୍ଯ୍ୟକ୍ରମରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡ଼ା ଇଣ୍ଟରେନେଟ, ଅଗ୍ନିନିର୍ବାପକ ଆଦି ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଛି । ବୈଠକରେ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ପୁଲିସ୍ ମହାନିର୍ଦ୍ଦେଶକ ସୁନୀଲ ବଂଶଲ, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର, ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ସ୍ବାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଓଟିପି ସେୟାରିଂ ମାମଲା; ଅଭିଯୁକ୍ତ ପଠାଣିସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ STF

ଭୁବନେଶ୍ୱର: ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲା । ଗିରଫ ଅଭିଯୁକ୍ତ ପଠାଣିସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ STF । ଆସନ୍ତାକାଲିଠାରୁ ୫ ଦିନିଆ ରିମାଣ୍ଡରେ ନେଇପାରେ STF । ଗୁଡୁ କୁମାର ଲିଙ୍କରେ ହୋଇପାରେ ଅଧିକ ପଚରାଉଚରା । ସିଲିଗୁଡି ଥାନାରେ ପଠାଣିସାମନ୍ତ ନାଁରେ ପୂର୍ବରୁ ରହିଛି ମାମଲା । ରିମାଣ୍ଡ ସରିବା ପରେ ଝାରପଡା ଜେଲରେ ପଠାଣିସାମନ୍ତକୁ ଜେରା କରିବ NIA ।

ପଠାଣିସାମନ୍ତ ଓ ନିକଟରେ ଗିରଫ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେକୁ ହୋଇପାରେ ମୁହାଁମୁହିଁ ଜେରା । ହାନିଟ୍ରାପ୍ ଓ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟ ଲିଙ୍କ ନେଇ ହେବ ଅଧିକ ପଚରାଉଚରା । ପୂର୍ବରୁ ଏ ନେଇ ଇଣ୍ଟେଲିଜେନ୍ସ ବ୍ୟୁରୋ ସହ ଯୋଗାଯୋଗରେ ରହିଛି STF । ଅଭିଯୁକ୍ତଙ୍କୁ ଜେରା କରିଛି ମୁମ୍ବାଇ ଆଣ୍ଟି ଟେରରିଷ୍ଟ ସ୍କ୍ବାର୍ଡ । ମ୍ୟୁଲ ଆକାଉଣ୍ଟ ଓ ପ୍ରି ଆକ୍ଟିଭେଟେଡେ ସିମ ଜରିଆରେ ଚଳାଇଥିଲେ କାରବାର । ଓଡିଶା STF ଅଭିଯୁକ୍ତଙ୍କୁ ଧରିବା ପରେ ପୁରା ଘଟଣାର ଖୋଲୁଛି ଗୁମର ।

ପ୍ରେମ ପାଇଁ ସୀମା ପାର କରି ଭାରତ ଆସିଥିବା ସୀମାଙ୍କୁ ଉଠାଇନେଲା ୟୁପି ଏଟିଏସ୍, ତଦନ୍ତରୁ ସାମ୍ନାକୁ ଆସିଲା ସାଂଘାତିକ ସତ…

ନନ୍ଦିଘୋଷ ବ୍ୟୁରୋ: ବର୍ତ୍ତମାନ ସାରା ଦେଶରେ ସୀମା ହାଇଦର ଏବଂ ସଚିନ ମୀଣାଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଛି । ତେବେ କେବଳ ଭାରତରେ ନୁହେଁ ବରଂ ପାକିସ୍ତାନରେ ମଧ୍ୟ ଏହି ଚର୍ଚ୍ଚା ଲାଗି ରହିଛି । ପାକିସ୍ତାନୀ ନାଗରିକ ସୀମା ହାଇଦର ପବଜୀ ଖେଳିବା ସମୟରେ ଭାରତୀୟ ନାଗରିକ ସଚିନଙ୍କୁ ପ୍ରେମ କରି ବସିଥିଲେ ଏବଂ ନିଜର ଚାରି ପିଲାଙ୍କୁ ଧରି ସ୍ୱାମୀଙ୍କୁ ଛାଡ଼ି ସେ ଭାରତ ଚାଲିଆସିଥିଲେ । ଗ୍ରେଟର ନୋଏଡାଠାରେ ରହୁଥିବା ସଚିନଙ୍କ ପାଖରେ ରହିବାକୁ ଲାଗିଥିଲେ । ହେଲେ ଏହି କଥା ସାମ୍ନାକୁ ଆସିବା ପରେ ସାରା ଦେଶରେ ଆଲର୍ଟ ଜାରି ହୋଇଯାଇଥିଲା ।

ଏହାପରେ ତାଙ୍କୁ ପୋଲିସ ହେପାଜତକୁ ନେଇ ପଚରା ଉଚରା କରିଥିଲା । ଏହାପରେ ଏକ ଅଦାଲତ ଆଗାମୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କୁ ଗ୍ରେଟର ନଏଡାରେ ପ୍ରେମୀ ସଚିନଙ୍କ ସାଙ୍ଗରେ ରହିବା ପାଇଁ ଅନୁମତି ଦେଇଥିଲେ । ସୀମାଙ୍କ କହିବା ଅନୁଯାୟୀ ସେ ସଚିନଙ୍କୁ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି ଏବଂ ତାଙ୍କୁ ସ୍ୱାମୀ ଭାବେ ଗ୍ରହଣ କରିଛନ୍ତି । ହେଲେ ଆଜି ଉତ୍ତରପ୍ରଦେଶର ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ (ଏଟିଏସ୍) ସୀମା ହାଇଦରଙ୍କୁ ଉଠାଇ ନେଇଛି । ୟୁପି ଏଟିଏସର ଏକ ଟିମ୍ ଗ୍ରେଟର ନଏଡାର ରବୁପୁରା ଗାଁକୁ ଯାଇ ସୀମାଙ୍କୁ ହେପାଜତକୁ ନେଇଛି ।

ଏବେ ସୀମା ହାଇଦର ନିଜ ପ୍ରେମୀ ସଚିନଙ୍କଠୁ ଅଲଗା ହୋଇଯାଇଛନ୍ତି । ତେବେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଆଶଙ୍କା କରାଯାଉଛି । ସୀମା ହାଇଦରଙ୍କ କନେକ୍ସନ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ସହ ଥିବା ସନ୍ଦେହ କରାଯାଉଛି । ଏହି ସନ୍ଦେହ ଆଧାରରେ ହିଁ ତଦନ୍ତ କରାଯାଉଛି । ୟୁପି ଏଟିଏସ୍, ଆଇବି, ନୋଏଡା ପୋଲିସ ସମେତ ଅନେକ ଏଜେନ୍ସି ଏହି ଆଙ୍ଗେଲରେ ତଦନ୍ତ କରୁଛନ୍ତି । ସୀମା ହାଇଦରଙ୍କ ଫୋନ୍ କଲ୍ ଡିଟେଲର ମଧ୍ୟ ଯାଞ୍ଚ କରାଯାଉଛି । ସୀମା ପାକିସ୍ତାନରୁ ଦୁବାଇ, ପରେ କାଠମାଣ୍ଡୁ ଏବଂ ସେଠାରୁ ଗ୍ରେଟର ନୋଏଡା ଆସିଥିଲେ ।

ତେବେ ବିନା ପାସପୋର୍ଟରେ ଭାରତ ଆସିବା ଘଟଣା ସମସ୍ତଙ୍କୁ ଆଶ୍ଚମ୍ବିତ କରିଛି । ଆଜି ୟୁପି ଏଟିଏସ୍ ସୀମା ହାଇଦରଙ୍କୁ ହେପାଜତକୁ ନେବା ପରେ ତାଙ୍କୁ ପଚରାଉଚରା କରିବା ଆରମ୍ଭ କରିଦେଇଛି । ସୀମାଙ୍କ ପରିବାର ସହ ପାକିସ୍ତାନୀ ସେନାର ସମ୍ପର୍କକୁ ନେଇ ଖୁଲାସା ପରେ ମାମଲା ଗରମ ରହିଛି । ସୀମାଙ୍କ ଦାଦା ପାକିସ୍ତାନୀ ସେନାରେ ସୁବେଦାର ଥିବା ଜଣାପଡ଼ିଛି । ଏହା ବ୍ୟତୀତ ସୀମାଙ୍କ ଭାଇ ମଧ୍ୟ ପାକିସ୍ତାନୀ ସେନାରେ ଅଛନ୍ତି । ଏପରି ସ୍ଥିତିରେ ସୀମା ହାଇଦର ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ ସହ ଜଡ଼ିତ ନାହାନ୍ତି ତ? ଏହି ପ୍ରଶ୍ନର ଜବାବ ଖୋଜିବା ପାଇଁ ୟୁପି ଏଟିଏସ୍ ପଚରା ଉଚରା କରୁଛି ।

ଗ୍ରେଟର ନୋଏଡାର ରବୁପୁରା ସ୍ଥିତ ସଚିନଙ୍କ ଘରକୁ ୟୁପି ଏଟିଏସ୍ ସିଭିଲ ଡ୍ରେସରେ ଯାଇଥିଲା । ଏହାପରେ ସୀମାଙ୍କୁ ସାଥିରେ ଧରି ଚାଲି ଆସିଥିଲେ । ସୀମାଙ୍କୁ ଏଟିଏସ୍ ନେଇଯିବା ପରେ ସଚିନଙ୍କ ଘରେ ଏବେ ନୀରବତା ଖେଳିଯାଇଛି । କେହି କିଛି କହିବାକୁ ପ୍ରସ୍ତୁତ ନାହାନ୍ତି । ପରିବାର ସଦସ୍ୟ ଘର କବାଟ ବନ୍ଦ କରିଦେଇଛନ୍ତି । ଘରକୁ ଯିବା ପାଇଁ ମଧ୍ୟ କାହାକୁ ଅନୁମତି ଦିଆଯାଉନାହିଁ । ଏପର୍ଯ୍ୟନ୍ତ ସୁଦ୍ଧା ସୀମା ହାଇଦରଙ୍କୁ ନେଇ ସଚିନଙ୍କ ପରିବାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ସୀମାଙ୍କ ସହ ସଚିନ ମଧ୍ୟ ମିଡିଆ ସମ୍ମୁଖକୁ ଆସି ପ୍ରଶ୍ନର ଉତ୍ତର ଦେଉଥିଲେ ।

ଯେମିତି ହିଁ ୟୁପି ଏଟିଏସ୍ ସୀମାକୁ ନେବା ସହ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ସେବେଠୁ ସଚିନଙ୍କ ପରିବାରର ଲୋକ ଘର କବାଟ ବନ୍ଦ କରିଦେଇଛନ୍ତି । ଏପଟେ ପାକିସ୍ତାନରେ ମଧ୍ୟ ଏହି ମାମଲାକୁ ନେଇ ହଲଚଲ ରହିଛି । ମୌଳବାଦୀ ଗୋଷ୍ଠୀ ମଧ୍ୟ ଲଗାତାର ସୀମା ହାଇଦରଙ୍କ ମୁଣ୍ଡ କାଟିବା ପାଇଁ ଧମକ ଦେଉଛନ୍ତି । ଏମିତି କି ଏକ ଡକାୟତି ଗ୍ୟାଙ୍ଗ ସୀମାଙ୍କୁ ପାକିସ୍ତାନକୁ ପେରାଇ ଦେବାକୁ ଧମକ ଦେଇଥିଲା । ଯଦି ସୀମାଙ୍କୁ ପାକିସ୍ତାନ ପଠାନଯାଏ ତେବେ ପାକରେ ଥିବା ହିନ୍ଦୁଙ୍କ ଉପରେ ଆକ୍ରମଣ କରିବେ ବୋଲି ଧମକ ଦେଇଥିଲେ ।

ତଦନ୍ତକାରୀ ସଂସ୍ଥା ସୀମା ହାଇଦରଙ୍କ ଆଇଡି କାର୍ଡକୁ ହାଇ କମିଶନକୁ ପଠାଇଛି । ହାଇ କମିଶନ ସୀମା ହାଇଦରଙ୍କ ଇତିହାସ ଜାଣିବାକୁ ଚେଷ୍ଟା କରିବ । ତଙ୍କର ସମସ୍ତ କୁଣ୍ଡଳୀ ବାହାର କରାଯିବ । ତାଙ୍କର ଭାରତ ଆସିବାର ତାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଏକତ୍ରିତ କରାଯାଉଛି । ସୀମା ପାର ପ୍ରେମ ଏବେ ସୀମାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ତେବେ କଣ ସତରେ ସୀମା ପାକିସ୍ତାନୀ ଗୁଇନ୍ଦା ସହ ଜଡ଼ିତ ନା ସଚିନଙ୍କ ପ୍ରେମ ପାଇଁ ନିଜ ଦେଶ ଛାଡ଼ି ସେ ଭାରତ ଆସିଛନ୍ତି ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

ନିଲମ୍ବନ ପରେ ମୁହଁ ଖୋଲିଲେ ଚିରଞ୍ଜୀବ, କହିଲେ ଏକ କୁଚକ୍ରୀ ଗୋଷ୍ଠୀ ମୋତେ ଦଳରୁ ଦୂରେଇ ଦେବାକୁ ଚାହୁଁଛନ୍ତି

ସସପେଣ୍ଡ ପରେ ଚିରଞ୍ଜୀବ ବିଶ୍ୱାଳଙ୍କ ପ୍ରେସମିଟ୍ । ନିଲମ୍ବନକୁ ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ । ଗତ ୧୫ ତାରିଖରେ ତାଙ୍କୁ ଏଆଇସିସି କଂଗ୍ରେସରୁ ସସପେଣ୍ଡ କରିଥିଲା । ତାଙ୍କ ସହ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ମଧ୍ୟ ଦଳ ସସପେଣ୍ଡ କରିଥିଲା । ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି ଦୁଇ ବରିଷ୍ଠ ନେତାଙ୍କୁ ସସପେଣ୍ଡ କରାଯାଇଥିଲା । ତେବେ ଆଜି ସାମ୍ବାଦିକ ସମ୍ମିଳନୀ ଅସନ୍ତୋଷ ଝାଡ଼ିଛନ୍ତି ଚିରଞ୍ଜୀବ । ଚିରଞ୍ଜୀବ କହିଛନ୍ତି ନିଲମ୍ବନ ସମୟରେ ମୁଁ ଓଡ଼ିଶାରେ ନଥିଲି ।  ଦୁଇ ଦିନ ତଳେ AICC ନୋଟିସ ପାଇଲି । ମୁଁ ଏକ କଂଗ୍ରେସ ପରିବାରର ସଦସ୍ୟ । ମୋ ଜେଜେବାପା, ବାପା, ଭାଇ ସମସ୍ତେ କଂଗ୍ରେସ ଲୋକ । ବେଇମାନ ପରିବାରର ରକ୍ତ ମୋ ଦେହରେ ନାହିଁ ।

ମୋ ଜେଜେ ବାପା ପିଲାବେଳେ କଂଗ୍ରେସ ସମ୍ପର୍କରେ ଶିକ୍ଷା ଦେଉଥିଲେ । ପିତା ବସନ୍ତ ବିଶ୍ୱାଳ କଂଗ୍ରେସ କୁ ସଂଗଠନ କରିବା ପାଇଁ ଯାହା ଉଦ୍ୟମ କରିଛନ୍ତି ସମସ୍ତଙ୍କୁ ଜଣା । ମୋ ରକ୍ତରେ ବେଈମାନ ନାହିଁ, ପଛରୁ ଛୁରା ଭୁସିବା କାମ କେବେ କରିନାହିଁ । ଜାନକୀ ଓ ବସନ୍ତ ଯୋଡି ସୁବର୍ଣ୍ଣ ଯୁଗ ଆଲୋଚନା ହୋଇଥିଲା । ସେ ସମୟ ଏବଂ ଏବର ସମୟ କୁ ନେଇ କିଛି ଟିପ୍ସଣି ଦେଇଥିଲି । କଂଗ୍ରେସକୁ ସୃଦୁଢ କରିବା ପାଇଁ ମନ୍ତବ୍ୟ ଦେଇଥିଲି । ୯ ରୁ ୯୦ ସ୍ଲୋଗାନ ପୂରଣ କରିବାକୁ ହେଲେ ତଳ ସ୍ତରକୁ କଂଗ୍ରେସ କୁ ଯିବାକୁ ପଡିବ । ଏହି ଉପଦେଶ ଯଦି ଦଳ ବିରୋଧୀ ମୋର କିଛି କହିବାର ନାହିଁ ।

ମୋର ବକ୍ତବ୍ୟ ପାଇଁ କଂଗ୍ରେସ ଝାରସୁଗୁଡାରେ ୪ ହଜାର ଭୋଟ ପାଇଲା ବୋଲି କଂଗ୍ରେସର କିଛି ନେତା କହିଲେ । ତେବେ ଧାମନଗର ଓ ପଦ୍ମପୁରରେ କାହିଁକି ଭୋଟ ହାର କମିଲା ସେଥିପାଇଁ ଦାୟୀ କିଏ । ୨୦୧୪ ରେ କଂଗ୍ରେସ 16% ଭୋଟ ପାଇଥିଲା ଏବଂ ସବୁ ଉପ ନିର୍ବାଚନରେ ଭୋଟ ହାର କମିଲା । କେବଳ ମୋ ଜିଲ୍ଲାର ତିର୍ତ୍ତୋଳ ନିର୍ବାଚମଣ୍ଡଳୀରେ ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା କଂଗ୍ରେସ ।  ଜଗତସିଂହପୁର ଏନଏସି ରେ କଂଗ୍ରେସ ଜିତିଥିଲା । କଂଗ୍ରେସ ରେ ଯଦି ସୁଚିନ୍ତିତ ମତାମତ ଶୁଣିବାରେ ଧର୍ଯ୍ୟ ନାହିଁ ତେବେ ଦଳ ଆଗକୁ ବଢ଼ିବା ସମ୍ଭବନ ନୁହେଁ ।

ଜାନକୀ ବସନ୍ତ ଯୋଡିଙ୍କ କାର୍ଯ୍ୟକ୍ରମ କୁ ଇର୍ଷା କରୁଛନ୍ତି କିଛି ଲୋକ । ମୁଁ କଂଗ୍ରେସ ର ଶୃଙ୍ଖଳିତ କର୍ମୀ । ଦଳରୁ ନିଲମ୍ବନ କରିବା ମତେ ଗଭୀର ଆଧାର ଦେଇଛି । ମୋତେ ଓ ମୋ ପରିବାରକୁ କଂଗ୍ରେସଠାରୁ ଦୂରରେ ରଖି ଯଦି ଦଳ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ଭାବୁଛି ତେବେ ଭଲ କଥା । ମୁଁ ସ୍ୱାଭିମାନୀ ବ୍ୟକ୍ତି ଅଟେ କାର୍ଯ୍ୟାନୁଷ୍ଠାନକୁ ଡରୁନି । ଜଗତସିଂହପୁରର କଂଗ୍ରେସ ଲୋକ ସବୁବେଳେ ମୋ ସହିତ ଅଛନ୍ତି । ଏଥିସହିତ ଚିରଞ୍ଜୀବ ଗେହଲଟ ଓ ପାଇଲଟ ଉଦାହରଣ ଦେଇଛନ୍ତି ।

ସେ କହିଛନ୍ତି ଗେହଲଟ ଏବଂ ପାଇଲଟ ବିବାଦଠୁ କଣ ମୋ ବିବାଦ ବଡ଼ । ରାଜସ୍ଥାନ ବିବାଦକୁ ଉଚ୍ଚ ସ୍ତରରେ ଆଲୋଚନା କରାଯାଇ ସମାଧାନ କରାଗଲା ହେଲେ ମୋତେ ଟାର୍ଗେଟ କରାଯାଇ ଦଳରୁ ବାହାର କରିବାକୁ ଷଡ଼ଯନ୍ତ୍ର କରାଯାଉଛି । ଆଗାମୀ ନିର୍ବାଚନରେ ମୁଁ ନିର୍ବାଚନ ନିଶ୍ଚୟ ଲଢ଼ିବି । କଂଗ୍ରେସ ହେଉ ବା ସ୍ୱାଧୀନ ନିର୍ବାଚନ ଲଢ଼ିବା ଥୟ । ଶୁଭେଚ୍ଛୁ, କର୍ମୀଙ୍କ ମତାମତ ନେଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେବି ବୋଲି କହିଛନ୍ତି ଚିରଞ୍ଜୀବ।

ପୁଣି ଓଡ଼ିଶାର ସଫଳତାକୁ ସ୍ବୀକୃତି, ଓଡ଼ିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ସ୍କଚ୍-୨୦୨୩ ପୁରସ୍କାର

ଭୁବନେଶ୍ୱର: ପୁଣି ଓଡ଼ିଶାର ସଫଳତାକୁ ସ୍ବୀକୃତି । ଓଡ଼ିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ସ୍କଚ୍-୨୦୨୩ ପୁରସ୍କାର । କୃଷିରେ ରୌପ୍ୟ ବର୍ଗରେ ଇ-ନାମ୍ ନିମନ୍ତେ ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟର ସମସ୍ତ ୬୬ ନିୟନ୍ତ୍ରିତ ବଜାର କମିଟି ସଫଳତାର ସହ ଇ-ନାମ୍ ପ୍ଲାଟଫର୍ମରେ ସ୍ଥାନିତ ହୋଇଛି । ଇ-ନାମ୍ ହେଉଛି ଏକ ପାନ୍ ଇଣ୍ଡିଆ ଅନଲାଇନ୍ ପ୍ଲାଟଫର୍ମ । ଯାହା କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ବିକଶିତ ହୋଇଛି । ଏହା କୃଷିଜାତ ଦ୍ରବ୍ୟର ସମସ୍ତ କ୍ରେତା ଏବଂ ବିକ୍ରେତାଙ୍କୁ ଏପିଏମସି ବା ନିୟନ୍ତ୍ରିତ ବଜାର କମିଟି ମାଧ୍ୟମରେ ଯୋଡୁଛି ।

୨୦୧୭ରେ ଇ-ନାମ୍ ପ୍ଲାଟଫର୍ମରେ କେବଳ ୧୦ଟି ଆରଏମସି ଥିବାବେଳେ ଓଡିଶା ଦେଶର ଅନେକ କୃଷିଭିତିକ ଉନ୍ନତ ରାଜ୍ୟକୁ ବହୁ ପଛରେ ପକାଇଛି । ସମସ୍ତ ଆରଏମସି ଅଧୀନରେ ଏହାର କୃଷି ବଜାରରେ ଶତପ୍ରତିଶତ ସଫଳତା ହାସଲ କରିଛି । ୪୦୧ ସଂଖ୍ୟକ କୃଷକ ଉତ୍ପାଦକ ସଂଗଠନକୁ କୃଷି-ବଜାର ପ୍ଲାଟଫର୍ମରେ ସାମିଲ କରିଛି । ଏହି ଏଫପିଓର ସଦସ୍ୟ ଭାବରେ ପ୍ରାୟ ୪୦୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସେମାନଙ୍କର ଉତ୍ପାଦର ବିକ୍ରିବଟା ଏହି ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ କରି ଲାଭ ପାଇପାରିବେ ।

ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ମାଧ୍ୟମରେ କାରବାରକୁ ସକ୍ଷମ କରିବାକୁ ସୁବିଧାଗୁଡ଼ିକ ବର୍ତ୍ତମାନ ବିକଶିତ ହୋଇଛି । ଏହି ପ୍ଲାଟଫର୍ମକୁ ପରବର୍ତୀ ପର୍ଯ୍ୟାୟରେ ଆହୁରି ଆଗକୁ ନେବାପାଇଁ ଲକ୍ଷ୍ୟରଖାଯାଇଛି । ସମସ୍ତ କ୍ଷୁଦ୍ର ଏବଂ ମଧ୍ୟମ ବଜାରକୁ ଇଲେକଟ୍ରୋନିକ ପ୍ଲାଟଫର୍ମ ସହିତ ଯୋଡିବା ଏବଂ ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା କ୍ଷୁଦ୍ର, ନାମମାତ୍ର ଚାଷୀମାନେ କିଭଳି ସେମାନଙ୍କ ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ଅନଲାଇନ୍ ବଜାର ବ୍ୟବସ୍ଥାରେ କାରବାର କରି ଲାଭ ଉଠାଇ ପାରିବେ ସେଥିପାଇଁ ଯୋଜନା କରାଯାଇ ପଦକ୍ଷେପ ନିଆଯାଉଛି । ପୁରସ୍କାର ପାଇବା ପରେ ଶୁଭେଚ୍ଛା ଜଣାଇଛନ୍ତି ସମବାୟ ମନ୍ତ୍ରୀ ।