spot_img
Home Blog Page 2879

ଏଇ ସପ୍ତାହରେ ରାଜ୍ୟରେ ନାହିଁ ବଡ଼ ବର୍ଷା, ଆସନ୍ତା ସପ୍ତାହରେ ସୃଷ୍ଟି ହୋଇପାରେ ଲଘୁଚାପ

ଭୁବନେଶ୍ୱର: ମୌସୁମୀରେ ବର୍ଷାର ଉତ୍କଟ ସ୍ଥିତି । ଏଇ ସପ୍ତାହରେ ରାଜ୍ୟରେ ନାହିଁ ବଡ଼ ବର୍ଷା ।  ମୌସୁମୀ ଋତୁକୁ ମାସେ ୧୨ ଦିନ ପୁରିଥିଲେ ବି ବର୍ଷା ଦେଖାନାହିଁ । ରାଜ୍ୟରେ ଏବେ ଗଜା ମରୁଡି ପରିସ୍ଥିତି ଦେଖାଦେଇଛି । ଓଡ଼ିଶା ଉପକୂଳକୁ ଆସୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ବର୍ଷା କରାଇବାରେ ସକ୍ଷମ ହେଉନାହିଁ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ ବର୍ଷା ନ ଥିବାରୁ ସ୍ଥିତି ଆହୁରି ଗମ୍ଭୀର ହୋଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

ସେପଟେ ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଉତ୍ତର ଆନ୍ଧ୍ର ଉପକୂଳରେ ଏବଂ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ପ୍ରଭାବରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଏବଂ ନବରଙ୍ଗପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଆଜି ଉତ୍ତର ଓଡ଼ିଶାର ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଦିଲ୍ଲୀରେ ସଂଗୀନ ହେଉଛି ବନ୍ୟା ସ୍ଥିତି, ୪୫ ବର୍ଷର ରେକର୍ଡ ଭାଙ୍ଗିଲା ଯମୁନା ନଦୀର ଜଳସ୍ତର

ନୂଆଦିଲ୍ଲୀ: ଦିଲ୍ଲୀର ଯମୁନା ନଦୀ ଜଳସ୍ତର ବଢୁଛି । ବୁଧବାର ୪୫ ବର୍ଷର ରେକର୍ଡ ଭାଙ୍ଗି ଯମୁନା ନଦୀର ଜଳସ୍ତର ରେକର୍ଡ ସ୍ତରକୁ ବୃଦ୍ଧି ପାଉଛି । ଏପରି ସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯମୁନା ନଦୀ ନିକଟବର୍ତ୍ତୀ ତଳିଆ ଅଞ୍ଚଳର ବାସିନ୍ଦାଙ୍କୁ ତୁରନ୍ତ ସ୍ଥାନାନ୍ତରିତ ହେବାକୁ ଅନୁରୋଧ କରିଛନ୍ତି । ଆମକୁ ପ୍ରଥମେ ଜୀବନ, ସମ୍ପତ୍ତିର ସୁରକ୍ଷା କରିବାକୁ ପଡ଼ିବ। ଯମୁନା ନଦୀ ନିକଟବର୍ତ୍ତୀ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବା ଆବଶ୍ୟକ ବୋଲି କେଜ୍ରିୱାଲ କହଛନ୍ତି । ପରିସ୍ଥିତି ପ୍ରତି ସଜାଗ ରହିବାକୁ ଦିଲ୍ଲୀ ସରକାର ଏନଡିଆରଏଫକୁ ସତର୍କ କରାଇଛନ୍ତି । ଯମୁନାରେ ଜଳସ୍ତର ଲଗାତର ବୃଦ୍ଧି ପାଉଥିବାରୁ ଆବଶ୍ୟକ ପଡ଼ିଲେ ସ୍କୁଲଗୁଡ଼ିକୁ ରିଲିଫ୍ କ୍ୟାମ୍ପରେ ପରିଣତ କରିବାକୁ କେଜ୍ରିୱାଲ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ୨୦୭.୭୧ ମିଟରକୁ ବୃଦ୍ଧି ପାଇଛି, ଯାହା କି ୧୯୭୮ର ୨୦୭.୪୯ ମିଟରର ପୂର୍ବ ରେକର୍ଡକୁ ଅତିକ୍ରମ କରିଛି ।

ଯମୁନାରେ ଜଳସ୍ତର ବୃଦ୍ଧି ପରେ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ବସିଥିଲା । ଏହି ସଙ୍କଟକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ସହରର ସମ୍ବେଦନଶୀଳ ଅଞ୍ଚଳରେ ସମାବେଶ ଉପରେ କଟକଣା ଲଗାଇଛି । ନଦୀ ନିକଟରେ ଥିବା ଘର ଓ ବଜାର ଉପରେ ପାଣି ପଶିଯିବାରୁ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଜଳସ୍ତର ଆହୁରି ବଢ଼ିବାର ସମ୍ଭାବନା ରହିଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ମଧ୍ୟ ଦିଲ୍ଲୀର ଉପରାଜ୍ୟପାଳ ଓ ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ।

ଆସନ୍ତାକାଲି ଲଞ୍ଚ ହେବ ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୩, ଫୋକସରେ ସଫଳ ଲ୍ୟାଣ୍ଡିଂ

ଶ୍ରୀହରିକୋଟା: ଆସନ୍ତାକାଲି ଲଞ୍ଚ ହେବ ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୩ । ଏଥିପାଇଁ ଇସ୍ରୋ ପ୍ରସ୍ତୁତି ପର୍ବକୁ ଫାଇନାଲ ଟଚ୍ ଦେବାରେ ଲାଗି ପଡ଼ିଛି । ଏଥରକ ଚନ୍ଦ୍ର ପୃଷ୍ଠରେ ସଫଳ ଲ୍ୟାଣ୍ଡିଂକୁ ଫୋକସ କରାଯାଇଥିବାବେଳେ ଏନେଇ ପୂର୍ବାପେକ୍ଷା ଅଧିକ ଇନ୍ଧନ, ବିଫଳ ନହେବା ପାଇଁ ଅଧିକ ପଦକ୍ଷେପ ଏବଂ ଏକ ବିଶାଳ ଲ୍ୟାଣ୍ଡିଂ ସାଇଟ ପ୍ରସ୍ତୁତ କରାଯାଇଛି । ଲଞ୍ଚର ମାସକ ପରେ ଚନ୍ଦ୍ରୟାନ-୩ ତା’ର କକ୍ଷ ପଥରେ ଅବସ୍ଥାପିତ ହେବ । ତେବେ ଲ୍ୟାଣ୍ଡର ବିକ୍ରମ, ରୋଭର ପ୍ରଜ୍ଞା ଅଗଷ୍ଟ ୨୩ରେ ଚନ୍ଦ୍ରରେ ଚନ୍ଦ୍ରୟାନ-୩କୁ ଲ୍ୟାଣ୍ଡ କରିବେ ବୋଲି ଅନୁମାନ କରାଯାଉଛି । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ୍ ଷ୍ଟେସନ ଲଞ୍ଚ ପ୍ୟାଡରେ ଚନ୍ଦ୍ରାୟନ ପହଞ୍ଚି ଇତିମଧ୍ୟରେ ରିହର୍ସାଲ ଶେଷ ହୋଇଛି । LVM-3 ରକେଟ ଯୋଗେ ଚନ୍ଦ୍ରୟାନ-୩ ଉତକ୍ଷେପଣ କରାଯିବ । ଏହି ଅଭିଯାନ ଲାଗି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଲ୍ୟାଣ୍ଡର ମଡ୍ୟୁଲ ଯାହାର ନାମ ବିକ୍ରମ, ଏକ ପ୍ରପଲସନ ମଡ୍ୟୁଲ ଓ ଏକ ରୋଭର ଯାହାର ନାମ ପ୍ରଜ୍ଞାନ ପ୍ରସ୍ତୁତ ହୋଇଛି ।

ଚନ୍ଦ୍ରପୃଷ୍ଠରେ ସେଫ ଓ ସଫ୍ଟ ଲ୍ୟାଣ୍ଡିଂ ସହ ରୋଭିଂକୁ ଅଧିକ ସୁଗମ କରିବା ଚନ୍ଦ୍ରୟାନ-୩ର ଲକ୍ଷ୍ୟ । ଏହା ସହ ଚନ୍ଦ୍ର ପୃଷ୍ଠରେ ରୋଭରର ପ୍ରଦିକ୍ଷଣ, ବିଭିନ୍ନ ବୈଜ୍ଞାନିକ ଗବେଷଣା ଆଦି ଲାଗି ଏହି ଅଭିଯାନ ଉଦ୍ଦିଷ୍ଟ । ୨୦୦୮-୦୯ରେ ହୋଇଥିବା ଚନ୍ଦ୍ରୟାନ-୧ ମିଶନ ଦ୍ବାରା ଚନ୍ଦ୍ର ପୃଷ୍ଠରେ ଜଳର ସନ୍ଧାନ ମିଳିଥିଲା । ମାତ୍ର ୨୦୧୯ ଅଗଷ୍ଟରେ ହୋଇଥିବା ଚନ୍ଦ୍ରୟାନ-୨ ବିଫଳ ହୋଇଥିଲା । କିନ୍ତୁ ଚନ୍ଦ୍ରୟାନ-୨ରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଅର୍ବିଟର ଏବେ ବି ସଫଳତାର ସହ କାର୍ଯ୍ୟ କରୁଛି । ତେବେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ଇସ୍ରୋ ମୁଖ୍ୟ ଏସ. ସୋମନାଥ । ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରୟାନ-୩ ସୁରକ୍ଷିତ ଲ୍ୟାଣ୍ଡିଂ କଲେ ଏଭଳି କରିବାରେ ଆମେରିକା, ରୁଷ, ଚୀନ ପରେ ଚତୁର୍ଥ ଦେଶ ହେବ ଭାରତ ।

ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼

କୋଣାର୍କ: କାକଟପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ । ଚିକିତ୍ସାରେ ଅବହେଳା ଅଭିଯୋଗରେ ଜଣେ ରୋଗୀଙ୍କ ସମ୍ପର୍କୀୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ ନୀଳକଣ୍ଠପୁରର ମନୋରଞ୍ଜନ ରାଉତଙ୍କୁ ଡାକ୍ତରଖାନା ଆଣିଥିଲେ ଭାଇ ମଣ୍ଟୁ ରାଉତ । ଚିକିତ୍ସାରେ ବିଳମ୍ବ ହେଉଥିବା ଅଭିଯୋଗ କରି ଫାର୍ମାସିଷ୍ଟଙ୍କୁ ପ୍ରଥମେ ଗାଳିଗୁଲଜ କରିଥିଲେ ମଣ୍ଟୁ । ଚେୟାର, ଓପିଡି ଟେବୁଲ ଭାଙ୍ଗିବା ସହିତ ଫାର୍ମାସିଷ୍ଟକୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରୁ ସେ ଫେରାର ହୋଇଥିବାବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି

ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଅନୁଗୁଳବାସୀ ଏବଂ ବିଧାୟକଙ୍କ ଧନ୍ୟବାଦ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡାର ହେବ ବିକାଶ । ଶହେ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ ଏବଂ 5T ସଚିବ ଭି.କେ. ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଲେ ବିଧାୟକ ଏବଂ ଅଞ୍ଚଳବାସୀ ।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ପାଳଲହଡା ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଇଥିଲେ । ପବିତ୍ରନଗର ଓ ପାଳଲହଡାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କ ସହ ମିଶିଥିଲେ ଏବଂ ଅଭିଯୋଗ ଶୁଣି ସମସ୍ତ ସମସ୍ୟାର ସମାଧାନର ପ୍ରତିଶ୍ରୁତି ଦେଇଥିଲେ । 5T ସଚିବ ପାଲଲହଡା ଛାଡିବାର ୧୦ ଘଣ୍ଟା ମଧ୍ୟରେ ଅଞ୍ଚଳବାସୀଙ୍କ ଦ୍ୱାରା ଦାବି କରାଯାଇଥିବା ବିଭିନ୍ନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଶହେ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଥିଲେ । ଯାହାକୁ ନେଇ ପାଳଲହଡା ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ 5T ସଚିବଙ୍କୁ ଧନ୍ୟବାଦ ଦିଆଯାଇଛି ।

ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ପ୍ରଶ୍ନ: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ନଦେଇ ଚୁପ କାହିଁକି ?

ଭୁବନେଶ୍ବର: ସ୍ଵାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ତାଳଚେରରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ । ରାଜ୍ୟ ସରକାରଙ୍କ ଘୋଷଣା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟୁଇଟ କରି ପ୍ରଶ୍ନ କଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ପ୍ରଣବ ପଚାରିଛନ୍ତି, ‘ମୁଁ ଆଶା କରିଥିଲି କି ଆପଣ ନିଶ୍ଚିତ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥିପାଇଁ ଧନ୍ୟବାଦ ଦେବେ । ସ୍ଵର୍ଗତ ପବିତ୍ର ମୋହନ ପ୍ରଧାନଙ୍କୁ ଆପଣ ସବୁବେଳେ ମାଟିର ପୁଅ ବୋଲି କହି ତାଙ୍କର ଗୁଣଗାନ କରନ୍ତି । ତାଙ୍କୁ ନେଇ ଗର୍ବ ଅନୁଭବ କରନ୍ତି । ହେଲେ ରାଜ୍ୟ ସରକାର ତାଙ୍କ ସମ୍ମାନାର୍ଥେ ଏତେ ବଡ଼ ଘୋଷଣା କଲା ପରେ ବି ଆପଣ ଚୁପ୍ ରହିଲେ କେମିତି ? ଆପଣ କ’ଣ ମାଟିର ପୁଅକୁ ଭୁଲିଗଲେ ?

କୋରାପୁଟ ଜିଲ୍ଲା ରାଇପାହାଡ ଗାଁକୁ ଅକ୍ତିଆର କରିବାକୁ ଆନ୍ଧ୍ରର ଚକ୍ରାନ୍ତ

ଜୟପୁର: ପଦାରେ ପଡ଼ିଲା ଆନ୍ଧ୍ର ସରକାରଙ୍କ ବଡ଼ ଷଡଯନ୍ତ୍ର । ନଥିପତ୍ର ନଧରି ସୀମା ଚିହ୍ନଟ ପାଇଁ ଆସି ନିରାଶ ହୋଇ ଫେରିଲା ଆନ୍ଧ୍ର ପ୍ରଶାସନ ।

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ଗଲୁର ପଞ୍ଚାୟତର ରାଇପାହାଡ ଗାଁକୁ ଅକ୍ତିଆର ପାଇଁ ଚକ୍ରାନ୍ତ ଚଳାଇଛି ଆନ୍ଧ୍ର । ଗ୍ରାମବାସୀଙ୍କୁ ନିଜ ଅଧୀନକୁ ଆଣିବା ପାଇଁ ବେଆଇନ ଭାବେ ଆଧାର, ରାସନ୍ କାର୍ଡ, ପାଣି, ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲା । ଏହା ଜାଣିବା ପରେ ସୀମାର ସୁରକ୍ଷା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ସକ୍ରିୟ ହୋଇଉଠିଥିଲା । କୋରାପୁଟ ଉପଜିଲ୍ଲାପାଳ, ନନ୍ଦପୁର ବ୍ଲକ ଓ ତହସିଲ ପ୍ରଶାସନ  ରାଇପାହାଡ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଓଡ଼ିଶା ସୀମା ଭିତରେ ପଶି ବେଆଇନ କାର୍ଯ୍ୟ କରିଥିବାରୁ ଆନ୍ଧ୍ରର ଆଲୁର ସୀତାରାମ ରାଜୁ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଥିଲେ ଜିଲ୍ଲାପାଳ ।

ସୀମା ଚିହ୍ନଟ ପାଇଁ ଆଜି ଉଭୟ ରାଜ୍ୟର ଅଧିକାରୀମାନେ ଏକାଠି ହୋଇଥିଲେ । ହେଲେ ଆନ୍ଧ୍ର ଅଧିକାରୀମାନେ କୌଣସି ଡକ୍ୟୁମେଣ୍ଟ ଆଣି ନଥିବା ଯୋଗୁଁ ଆଜି କୌଣସି ନିଷ୍କର୍ସ ବାହାରି ପାରି ନଥିଲା । ପରବର୍ତ୍ତୀ ଦିନ ଧାର୍ଯ୍ୟ କରାଯାଇ ସୀମା ନିର୍ଦ୍ଧାରଣ କରାଯାଇ ବିବାଦର ସମାଧାନ କରାଯିବ ବୋଲି କହିଛି କୋରାପୁଟ ପ୍ରଶାସନ । ଅନ୍ୟପଟେ ରାଇପାହାଡ଼ ଗାଁ ଆମର ବୋଲି କହିଛନ୍ତି ସ୍ଥାନୀୟ ଜନସାଧାରଣ । ଆନ୍ଧ୍ରର ଷଡଯନ୍ତ୍ରକୁ କୌଣସି ସ୍ଥିତିରେ ବରଦାସ୍ତ କରାଯିବାକୁ ଦିଆଯିବନି ବୋଲି କହିଛନ୍ତି ଗ୍ରାମବାସୀ ।

ସବୁଜ ରଙ୍ଗ ଦେଖିଲେ ବାଉଳିଚାଉଳି ହେଉଛନ୍ତି ବିଜେପି ବିଧାୟକ

ଭୁବନେଶ୍ବର: ବିଜେପି ଯୁବ ବିଧାୟକ ସୂରଜ ସୂର୍ଯ୍ୟବଂଶୀଙ୍କୁ ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାସଙ୍କ ଟାର୍ଗେଟ । ସ୍କୁଲ ପିଲାଙ୍କ ପୋଷାକର ରଙ୍ଗକୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ଜବାବ ରଖିଲେ ଗୌତମ । ସୂରଜଙ୍କୁ ସବୁଥିରେ ଖାଲି ରାଜନୀତି ଦେଖାଯାଉଛି । ସବୁଜ ରଙ୍ଗ ଦେଖିଲେ ସୂରଜ ବାଉଳିଚାଉଳି ହେଉଛନ୍ତି ବୋଲି କଲେ କଟାକ୍ଷ ।

ସାମ୍ବାଦିକ ସମ୍ମିଳନୀରେ ଗୌତ କହିଥିଲେ, ‘ସୂରଜଙ୍କ ମୁଣ୍ଡ ଆଉ କାମ କରୁନି । ଅଧିକାଂଶ ପନିପରିବା ଓ ଗଛଲତାର ରଙ୍ଗ ସବୁଜ । ତା’ହେଲେ କ’ଣ ସୂରଜ ସବୁଜ ପରିବା ଖାଇବା ଛାଡ଼ିଦେବେ ନା ଗଛଲତା ଦେଖିଲେ ଆଖି ବୁଜି ଦେବେ । ଆମ ଜାତୀୟ ପତାକାରେ ବି ସବୁଜ ରଙ୍ଗ ରହିଛି । ଯେଉଁମାନେ ଦେଶ ପାଇଁ ବଳିଦାନ ଦେଇଛନ୍ତି, ସେମାନେ ବହୁତ ଭାବିଚିନ୍ତି ପ୍ରଗତିର ରଙ୍ଗ ସବୁଜକୁ ପତାକାରେ ସ୍ଥାନ ଦେଇଛନ୍ତି । ହେଲେ ଏହାର ମହତ୍ବକୁ ବୁଝି ପାରୁନାହାନ୍ତି ସୂରଜ ସୂର୍ଯ୍ୟବଂଶୀ । ରଙ୍ଗକୁ ନେଇ ଏଭଳି ନକାରାତ୍ମକ ରାଜନୀତି କରିବା ଅନୁଚିତ । ରାଜନୀତି କରିବାକୁ ଆହୁରି ବହୁତ ପ୍ରସଙ୍ଗ ଅଛି । କିନ୍ତୁ ସ୍କୁଲ ପିଲାଙ୍କ ପୋଷାକର ରଙ୍ଗକୁ ନେଇ ଅନ୍ତତଃ ଘୃଣାର ରାଜନୀତିରୁ ବିରତ ରହନ୍ତୁ ।’

ଢେଙ୍କାନାଳ ପାଇଁ ଅଙ୍କା ହେଲା ବିକାଶର ନକ୍ସା

ଢେଙ୍କାନାଳ: ଢେଙ୍କାନାଳ ଯାଇଗ୍ରାଉଣ୍ଡ ଜିରୋରେ ସମୃଦ୍ଧି ପାଇଁ ସମୀକ୍ଷା କଲେ 5T ସଚିବ ଭି.କେ. ପାଣ୍ଡିଆନ । ରୂପାନ୍ତରିତ ହେବ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର । ସଦେଇବେରେଣୀ ବୁଣାକାର ଓ ଶିଳ୍ପୀଙ୍କୁ ମିଳିବ ସବୁ ସୁବିଧା । ପ୍ରମୁଖ ପର୍ଯ୍ୟଟନରେ ପରିଣତ ହେବ ସାପୁଆ ଡ୍ୟାମ । ସେପଟେ ଚାକିରି ପାଇଁ ନୁହେଁ ବରଂ ମେଡାଲ ଆଣିବାକୁ ଖେଳିବାକୁ ଖେଳାଳିଙ୍କୁ ପରାମର୍ଶ ଦେଇଲେ 5T ସଚିବ ସଚିବ ।

ଢେଙ୍କାନାଳରେ କ’ଣ ହୋଇଛି, କେତେ ବାକି ଅଛି ? ଐତିହାସିକ ରୂପାନ୍ତରଣ ଅଧ୍ୟାୟରେ ଢେଙ୍କାନାଳକୁ ଯୋଡ଼ିବାକୁ ଟିକିନିକି ସମୀକ୍ଷା କରିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ । ଲୋକ ପ୍ରଶାସନ ପାଖରେ ନୁହେଁ, ପ୍ରଶାସନ ପହଞ୍ଚିଛି ଲୋକଙ୍କ ପାଖରେ । ଦୀର୍ଘ ୬୦ ବର୍ଷ ଧରି ଯାହା ହୋଇ ନଥିଲା 5T ସଚିବଙ୍କ ଗସ୍ତ ପରେ ୬ ଦଶନ୍ଧିର ଆଶା ଉଜ୍ବଳ ହୋଇଛି ।

ଖୁବଶୀଘ୍ର ରୂପାନ୍ତରିତ ହେବ ଢେଙ୍କାନାଳ ସହରର ସିଦ୍ଧ ବଳରାମଜୀଉଙ୍କ ମନ୍ଦିର । ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ପାରିପାର୍ଶ୍ବିକ ଉନ୍ନତି ପାଇଁ ଅନୁଧ୍ୟାନ କରିଥିଲେ 5T ସଚିବ । ଯାଉନଳିପୋଖରୀ ମଠର ବିକାଶ ପାଇଁ ମହନ୍ତଙ୍କ ସହିତ ଆଲୋଚନା କରିଥିଲେ । ସେପଟେ ପରଜଙ୍ଗ ବ୍ଲକର ଅଷ୍ଟଶମ୍ଭୁ ଶୈବପୀଠର ରୂପାନ୍ତରଣ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

ସେପଟେ ଚାକିରି ଲକ୍ଷ୍ୟ ରଖି ଖେଳ ନାହିଁ, ଅଲିମ୍ପିକରେ ମେଡାଲ ଜିତିବାର ଝୁଙ୍କ ନେଇ ଭଲ କ୍ରୀଡାବିତ ହେବା ଆବଶ୍ୟକ ବୋଲି ଢେଙ୍କାନାଳ ଷ୍ଟାଡିୟମରେ କ୍ରୀଡାବିତଙ୍କୁ ପରାମର୍ଶ ଦେଇଛନ୍ତି ଫାଇଭ-ଟି ସଚିବ । ଖେଳିବା ପାଇଁ ମୁଖ୍ୟମନ୍ତ୍ରୀ ସବୁ ସହାୟତା ଯୋଗାଇଦେବେ ବୋଲି କହିଛନ୍ତି ।

ସଦେଇବେରେଣୀ ବୁଣାକାର ଓ ଶିଳ୍ପୀଙ୍କ ଗାଁକୁ ଯାଇ ବୁଣାକାର, କଳାକାର ଓ ଶିଳ୍ପୀଙ୍କ ସହ ଆଲୋଚନା କରିଥିଲେ 5T ସଚିବ । ଆଗକୁ ଆବଶ୍ୟକତା ଅନୁସାରେ ସବୁ ସହାୟତା ଯୋଗାଇଦିଆଯିବ ବୋଲି ଦେଇଥିଲେ ପ୍ରତିଶ୍ରୁତି । ସାପୁଆ ଡ୍ୟାମ ଏକ ଉନ୍ନତ ପର୍ଯ୍ୟଟନସ୍ଥଳୀରେ ପରିଣତ ହେବ । ଗ୍ରାଉଣ୍ଡରେ ତଦାରଖ କରିବା ସହ ଉନ୍ନତିକରଣ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ ।

ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କୁ ଅଭିଯୋଗପତ୍ର ଗ୍ରହଣ କରିଥିଲେ 5T ସଚିବ । କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ, ପରଜଙ୍ଗ ଓ ହିନ୍ଦୋଳ ଖଜୁରିଆକଟାରେ ଲୋକଙ୍କୁ ଭେଟି ଦାବିପତ୍ର ଗ୍ରହଣ କରିଥିଲେ । ସପ୍ତାହେ ଭିତରେ ସମସ୍ୟାର ସମାଧାନ ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ 5T ସଚିବ । ମିଶନ ଶକ୍ତି ମିଲେଟ କ୍ୟାଫେ ପରିଦର୍ଶନ କରି ମାଆମାନଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିତ୍ତିଭୂମିର ଅନୁଧ୍ୟାନ କରିବା ସହ ସପ୍ତଶଯ୍ୟା ଯାଇ ପିଲାମାନଙ୍କ ସହ କରିଥିଲେ ଆଲୋଚନା ।

୨୦୨୩-୨୪ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର: ଆରମ୍ଭ ହେଲା ଅତିରିକ୍ତ ବଜେଟ୍ ପାଇଁ ପ୍ରସ୍ତୁତି । ୨୦୨୩-୨୪ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ପାଇଁ ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ସରକାର । କେଉଁ ବିଭାଗର କେଉଁ ଯୋଜନା ପାଇଁ କେତେ ଅର୍ଥ ଆବଶ୍ୟକ, ତାହା ଜାଣିବା ପାଇଁ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗକୁ ଲେଖାଯାଇଛି ଚିଠି । ଜୁଲାଇ ୩୧ ସୁଦ୍ଧା ସମସ୍ତ ବିଭାଗ ଅତିରିକ୍ତ ବଜେଟ ପାଇଁ ସେମାନଙ୍କ ଡିମାଣ୍ଡ ପଠାଇବାକୁ ଅର୍ଥ ବିଭାଗ ପରାମର୍ଶ ଦେଇଛି । ସରକାରଙ୍କ ଫୋକସରେ ରହିଛି କୃଷକଙ୍କ ଆୟ ବୃଦ୍ଧି, ପାନୀୟ ଜଳ ଯୋଗାଣ, ଉତ୍ତମ ସ୍ବାସ୍ଥ୍ୟ ସୁବିଧା, ଉନ୍ନତମାନର ଶିକ୍ଷା ସାଙ୍ଗକୁ ଦକ୍ଷତା ବିକାଶ ଓ ଭିତ୍ତିଭୂମି । ଏହାସହ ମୂଳ ବଜେଟ ପରେ ସରକାର ଘୋଷଣା କରିଥିବା ବିଭିନ୍ନ ଜନକଲ୍ୟାଣ ଯୋଜନା ପାଇଁ ମଧ୍ୟ ଅତିରିକ୍ତ ବଜେଟରେ ବ୍ୟୟବରାଦ କରାଯିବ ।

ମୌସୁମୀ କିମ୍ବା ଶୀତ ଅଧିବେଶନରେ ଆସିପାରେ ଅତିରିକ୍ତ ବଜେଟ । ଭିତ୍ତିଭୂମି ଓ ଯୋଜନା ବାବଦରେ ଏଥର ବଢିଛି ଖର୍ଚ୍ଚ ହାର । ତେଣୁ ୨୦୨୩-୨୪ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗର ସଚିବଙ୍କୁ ଚିଠି ଲେଖି ଅତିରିକ୍ତ ବଜେଟ ପାଇଁ କାହାର କେତେ ଅର୍ଥ ଆବଶ୍ୟକତା ଅଛି ତାହା ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ଫୋକସରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ସମସ୍ତଙ୍କୁ ସ୍ବାସ୍ଥ୍ୟ ସୁବିଧା, କୃଷକଙ୍କ ଆୟ ବୃଦ୍ଧି, ଗରିବୀ ହାର ହ୍ରାସ, ଗୁଣାତ୍ମକ ଶିକ୍ଷା ଓ ଦକ୍ଷତା ବିକାଶ ସହିତ ଭିତ୍ତିଭୂମି ଉନ୍ନୟନ ରହିଛି । ମିଶନଶକ୍ତି ଜରିଆରେ ମହିଳା ସଶକ୍ତୀକରଣକୁ ବି ସରକାର ପ୍ରାଧାନ୍ୟ ଦେଉଛନ୍ତି । ଦେଶର ଆର୍ଥିକ ଅଭିବୃଦ୍ଧି ୬.୩ ପ୍ରତିଶତ ଆଶା କରାଯାଉଥିବା ବେଳେ ରାଜ୍ୟର ଅଭିବୃଦ୍ଧି ହାର ୮ ପ୍ରତିଶତ ରହିବ । ରାଜସ୍ବ ସଂଗ୍ରହ ଗତବର୍ଷ ଅପେକ୍ଷା ୧୩ ପ୍ରତିଶତ ବୃଦ୍ଧି ହୋଇଥିବାରୁ ଅର୍ଥର ଅଭାବ ନାହିଁ । ଖର୍ଚ୍ଚ କ୍ଷେତ୍ରରେ ମଧ୍ୟ ୧୫ ପ୍ରତିଶତ ବୃଦ୍ଧି ହୋଇଛି । ଅତିରିକ୍ତ ବଜେଟରେ ଲୋକଙ୍କ ଆବଶ୍ୟକତା ପୂରଣ ଦିଗରେ ଧ୍ୟାନ ଦିଆଯିବ ବୋଲି ବିଶେଷଜ୍ଞ ଆଶା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବେ ଲୋକଙ୍କ ନିକଟତର ହେଉଛି । 5T ସଚିବ ଜିଲ୍ଲାରୁ ଜିଲ୍ଲା ବୁଲି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ଲୋକଙ୍କ ଆବଶ୍ୟକତାକୁ ଦେଖି ବିଭିନ୍ନ ଯୋଜନା ଓ ପ୍ରକଳ୍ପ ବି ଘୋଷଣା ହେଉଛି । ଏଥିପାଇଁ ଦରକାର ପଡ଼ୁଥିବା ଅର୍ଥର ବ୍ୟବସ୍ଥା ଅତିରିକ୍ତ ବଜେଟରେ ରଖାଯିବ । ଲୋକଙ୍କ ଜୀବନଜୀବିକା ଉପରେ ଗୁରୁତ୍ବ ଦେଇ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ତୁରନ୍ତ ସାରିବା ଉପରେ ବି ସରକାର ଗୁରୁତ୍ବ ଦେଉଛନ୍ତି । ତେବେ ଯେଉଁ ବିଭାଗ ଜୁଲାଇ ୩୧ ସୁଦ୍ଧା ମୂଳ ବଜେଟରେ ହୋଇଥିବା ଅଟକଳର ୨୫ ପ୍ରତିଶତ ଖର୍ଚ୍ଚ କରିନଥିବେ, ସେମାନଙ୍କୁ ଅତିରିକ୍ତ ବଜେଟରେ ଆଉ ଅର୍ଥ ମିଳିବ ନାହିଁ ।

ବାସ୍ତବ ଆବଶ୍ୟକତା ଅନୁଯାୟୀ ଅତିରିକ୍ତ ବଜେଟରେ ବିଭାଗ ଗୁଡ଼ିକ ନିଜର ଡିମାଣ୍ଡ ରଖିବାକୁ ଅର୍ଥ ବିଭାଗ ପରାମର୍ଶ ଦେଇଛି । ଯାହା ଫଳରେ ବଜେଟରେ ହୋଇଥିବା ଖର୍ଚ୍ଚ ଅଟକଳ ଠିକ୍ ସମୟରେ ଖର୍ଚ୍ଚ ହୋଇପାରିବ ଓ ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚିପାରିବ ।