କୋରାପୁଟ: କୋରାପୁଟ ବିଧାୟକ ରଘୁରାମ ପୋଡ଼ାଲଙ୍କୁ ହତ୍ୟା ଧମକ । ସୋସିଆଲ ମିଡିଆ ମାଧ୍ୟମରେ ହତ୍ୟା ଧମକ ମିଳିଥିବା ଅଭିଯୋଗ । ଏନେଇ ସେ କୋରାପୁଟ ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଜଣେ ଯୁବକକୁ ଅଟକ ରଖିଛି । ଫେସବୁକରେ ଜୟ ହୋ ନାମକ ଗ୍ରୁପରେ ଏକ ଖବରକାଗଜର ନିଉଜ୍ କଟିଂ ପୋଷ୍ଟ ହୋଇଛି । ଏଥିରେ ପବନ କୁମାର ନାମକ ଜଣେ ଯୁବକ କମେଣ୍ଟରେ ବେଶି ହେଲେ ସିଧା ସୁଟ୍ କରିଦେବି ତାକୁ ବୋଲି ଉଲ୍ଲେଖ କରିଛନ୍ତି । ବିଧାୟକ ସବୁବେଳେ ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି । ବିଭିନ୍ନ ଜରୁରୀ ସମୟରେ ସୁରକ୍ଷାକର୍ମୀଙ୍କୁ ନନେଇ ମଧ୍ୟ ଗସ୍ତ କରିଥାନ୍ତି । ତେଣୁ ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଏସିଆ କପ୍-୨୦୨୩: ୪୨ ଓଭରରେ ୨୫୨ ରନ୍ କରିଛି ପାକିସ୍ତାନ, ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କାର ବ୍ୟାଟିଂ ଜାରି
କଲମ୍ବୋ: ଏସିଆ କପର ସୁପର-୪ର ୫ମ ମୁକାବିଲା ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଚାଲିଛି । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୪୨ ଓଭରରେ ୭ ୱିକେଟ୍ ବିନିମୟରେ ୨୫୨ ରନ୍ କରିଛି । ବର୍ଷା କାରଣୁ ମ୍ୟାଚ୍ ପ୍ରଥମେ ୪୫-୪୫ ଓଭରର ଆରମ୍ଭ ହୋଇଥିଲା କିନ୍ତୁ ପରେ ପୁଣି ବର୍ଷା ଯୋଗୁଁ ଏହାକୁ ୪୨-୪୨ ଓଭର କରିଦିଆଯାଇଥିଲା । ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜୱାନ ଅପରାଜିତ ୮୬ ରନ୍ କରିଥିଲେ । ସେହିପରି ଅବଦୁଲ୍ଲା ଶଫିକ ୫୨ ରନ୍ ଏବଂ ଇଫତିକାର ଅହମ୍ମଦ ୪୭ ରନ୍ କରିଥିଲେ ।
ଶ୍ରୀଲଙ୍କା ପକ୍ଷରୁ ମଥିସା ପଥିରାନା ତିନୋଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ପ୍ରମୋଦ ମଦୁସାନ ଦୁଇଟି ୱିକେଟ୍ ଅକ୍ତିଆର କରିଥିଲେ । ୨୫୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ପଥୁମ ନିଶାଙ୍କ ଏବଂ କୁଶାଲ ପରେରା ଶ୍ରୀଲଙ୍କା ପକ୍ଷକୁ ପଡ଼ିଆକୁ ଓହ୍ଲାଇଛନ୍ତି । ଏବେ ନିର୍ଦ୍ଧାରିତ ୪୨ ଓଭରରେ ୨୫୩ ରନ୍ କରିପାରିଲେ ଶ୍ରୀଲଙ୍କା ଫାଇନାଲକୁ ପ୍ରବେଶ କରିବ । ସେହିପରି ଯଦି ୨୫୨ ରନ୍ ଭିତରେ ଶ୍ରୀଲଙ୍କାକୁ ପାକିସ୍ତାନ ରଖେ ତେବେ ସେ ଫାଇନାଲକୁ ଯିବ । ଆଜି ଯିଏ ବି ଜିତିବ ଫାଇନାଲରେ ଭାରତକୁ ବେଟିବ ।
ଅବତରଣ ବେଳେ ରନୱେରୁ ଖସି ଦୁଇଖଣ୍ଡ ହୋଇଗଲା ଚାର୍ଟର ବିମାନ
ମୁମ୍ବାଇ: ମୁମ୍ବାଇ ବିମାନ ବନ୍ଦରରେ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ । ଅବତରଣ ସମୟରେ ରନୱେରୁ ଖସିପଡ଼ିଲା ପ୍ରାଇଭେଟ ଚାର୍ଟର ବିମାନ । ବିମାନରେ ୬ ଯାତ୍ରୀ ଏବଂ ଦୁଇଜଣ କ୍ରୁ ସଦସ୍ୟ ଥିଲେ । ଏହି ଦୁର୍ଘଟଣାରେ ମୋଟ ଆଠ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡିଜିସିଏ କହିଛି ଯେ ବିଶାଖାପଟ୍ଟନମରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରିଥିବା ଭିଏସଆର୍ ବେଞ୍ଚର୍ସ ଲିୟରଜେଟ ୪୫ ବିମାନ ଭିଟି-ଡିବିଏଲ୍ ମୁମ୍ବାଇ ବିମାନ ବନ୍ଦରର ରନୱେ-୨୭ରେ ଲ୍ୟାଣ୍ଡିଂ ସମୟରେ ବାହାରକୁ ଚାଲିଯାଇଥିଲା ।
ବିମାନରେ ୬ ଯାତ୍ରୀ ଏବଂ ୨ ଜଣ କ୍ରୁ ସଦସ୍ୟ ଥିଲେ । ଯେଉଁ ସମୟରେ ଏହି ଦୁର୍ଘଟଣା ହୋଇଥିଲା ସେ ସମୟରେ ପ୍ରବଳ ବର୍ଷା ହେଉଥିଲା । ରନୱେ ଠିକସେ ନଦେଖା ଯିବା କାରଣରୁ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି । ଦୁର୍ଘଟଣା ପରେ ବିମାନଟି ଦୁଇଖଣ୍ଡ ହୋଇଯାଇଛି । ଦୁର୍ଘଟଣା ହେବା କ୍ଷଣି ଉଦ୍ଧାର କାର୍ଯ୍ୟ ଜୋରଦାର କରାଯିବା ସହ ବିମାନରେ ଲାଗିଥିବା ନିଆଁ ଲିଭାଯାଇଥିଲା । ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଛି ।
ଏଠି ସ୍କୁଲ ଫି ବାବଦକୁ ପିଲାଙ୍କୁ ଦେବାକୁ ପଡ଼େ ସପ୍ତାହକୁ ୨୫ ପ୍ଲାଷ୍ଟିକ ବୋତଲ
ଆସାମ: ଆଜିର ଦିନରେ ପିଲାଙ୍କୁ ପାଠ ପଢ଼ାଇବା କଷ୍ଟକର ହୋଇଗଲାଣି । ବିଶେଷ କରି ବେସରକାରୀ ସ୍କୁଲରେ । ସବୁ ବାପାମାଆ ଚାହାନ୍ତି ସେମାନଙ୍କ ପିଲା ଭଲ ସ୍କୁଲରେ ପାଠପଢ଼ି, ଭଲ ମଣିଷଟେ ହେଉ । ହେଲେ, ବର୍ତ୍ତମାନ ସମୟରେ ବେସରକାରୀ ସ୍କୁଲରେ ପାଠପଢ଼ା ଫି ଅଭିଭାବକଙ୍କ ଚିନ୍ତା ବଢ଼ାଇଛି । ଏଥିପାଇଁ ବହୁ ଲୋକ ପିଲାର ପାଠପଢ଼ା ପାଇଁ ଟଙ୍କା ସଞ୍ଚୟ କରିବାକୁ ନାନା ଫନ୍ଦି ଆପଣାଇଥାନ୍ତି ।
ତେବେ ସବୁ ବେସରକାରୀ ସ୍କୁଲ ପିଲାଙ୍କ ପାଠପଢ଼ା ପାଇଁ ମୋଟା ଅଙ୍କର ସ୍କୁଲ ଫି ନେଇ ନଥାନ୍ତି । ଏମିତି ବି କିଛି ସ୍କୁଲ ଅଛି, ଯେଉଁଠି ସ୍କୁଲ ଫି ପାଇଁ ଅଭିଭାବକଙ୍କୁ ଚିନ୍ତା କରିବାକୁ ପଡ଼ି ନଥାଏ । ଜାଣନ୍ତୁ, ଆସାମାରେ ଥିବା ଏମିତି ଏକ ସ୍କୁଲ ବିଷୟରେ ଯେଉଁଠି ପିଲାମାନେ ପାଠ ପଢ଼ିବା ଟଙ୍କା ବଦଳରେ ଦେଇଥାନ୍ତି ପ୍ଲାଷ୍ଟିକ ବୋତଲ ।
ଗୌହାଟୀରେ ଥିବା ଏହି ସ୍କୁଲ ନାଁରେ ରହିଛି ଅନେକ ରେକର୍ଡ । ଗ୍ରାମାଞ୍ଚଳର ଶହେରୁ ଅଧିକ ପିଲା ଏଠାରେ ପାଠ ପଢୁଛନ୍ତି । ଯାହା ଅନ୍ୟ ରାଜ୍ୟ ପାଇଁ ରୋଲ ମଡେଲ ପାଲଟିଛି । ଏଠାରେ ପିଲାଙ୍କ ପାଖରୁ ଫି ବାବଦକୁ ଟଙ୍କା ବଦଳରେ ପ୍ଲାଷ୍ଟିକ ବୋତଲ ନିଆଯାଇଥାଏ । ତାହା ପୁଣି ସପ୍ତାହକୁ ୨୫ଟି । କେବଳ ପାଠପଢ଼ା ନୁହେଁ, ପିଲାମାନେ ରୋଜଗାର ବି କରୁଛନ୍ତି ।
ଏମିତି ସ୍କୁଲ ଖୋଲିବାର ଚିନ୍ତା ପରମିତା ଶର୍ମା ଏବଂ ମାଜିନ୍ ମୁକ୍ତାରଙ୍କୁ ଆସିଥିଲା । ସେମାନେ ଅଞ୍ଚଳରେ ଅଳିଆ ଆବର୍ଜନା ଦେଖି ଦୁଃଖି ହୋଇଯାଇଥିଲେ । ଏପରିକି ଅଞ୍ଚଳର ଲୋକେ ଶୀତ ଦିନେ ପ୍ଲାଷ୍ଟିକକୁ ଜଳାଇ ଗରମ ସେକ ନେଉଥିବା ଦେଖିଥିଲେ । ସେମାନେ ଜାଣିବାକୁ ପାଇଥିଲେ, ଅଞ୍ଚଳର ଲୋକେ ପ୍ଲାଷ୍ଟିକର ଅପକାରୀତା ବିଷୟରେ କିଛି ଜାଣନ୍ତି ନାହିଁ । ଏମିତି ସ୍ଥିତିରେ ସେମାନେ ଅଞ୍ଚଳର ପିଲା ଓ ସମାଜ ପାଇଁ କିଛି କରିବାକୁ ଚାହୁଁଥିଲେ । ଯାହାର ଉଦାହରଣ ଏବେ ଏହି ସ୍କୁଲ ପାଲଟିଛି । ଏଠାରେ ପିଲାଙ୍କୁ ପାଠପଢ଼ା ସହ କାରପେଣ୍ଟିଂ, ଗାର୍ଡନିଂ ଓ ଅନ୍ୟ ବୈଷୟିକ ଶିକ୍ଷା ଦିଆଯାଉଛି । ଏହାସହ ପ୍ଲାଷ୍ଟିକ ବୋତଲକୁ କେମିତି ବ୍ୟବହାର କରି ହେବ ଓ ବିଭିନ୍ନ ପ୍ରକାରର କାରୁକାର୍ଯ୍ୟ ବନାଇ ହେବ ସେ ନେଇ ଶିକ୍ଷା ଦିଆଯାଉଛି ।
ଆସନ୍ତାକାଲି ଶ୍ରୀମନ୍ଦିରରେ ପାଳନ ହେବ ସପ୍ତପୁରୀ ଅମାବାସ୍ୟା
ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା ପାଳନ ହେବ । ଭାଦ୍ରବ ମାସ ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା, କୁଶୋତ୍ପାଟିନୀ ବା କୁଶଗ୍ରହଣୀ ଅମାବାସ୍ୟା ଭାବରେ ପାଳନ କରାଯାଏ । ଶ୍ରୀକ୍ଷେତ୍ରରେ ବାର ମାସରେ ତେରପର୍ବ ସହିତ ଅନେକ ନୀତିକାନ୍ତି ସମ୍ପନ୍ନର ବିଧି ରହିଛି । ସପ୍ତପୁରୀ ଅମାବାସ୍ୟା ତିଥିରେ ମହାପ୍ରଭୁଙ୍କୁ ଲାଗି କରାଯାଏ ସପ୍ତପୁରୀ ଭୋଗ । ଏହିଦିନ ଶ୍ରୀଜିଉଙ୍କର ବିଶେଷ ପୂଜାନୀତି ସହ ସେବାୟତଙ୍କ ଦ୍ୱାରା ଏକ ବଡ଼ “ସପ୍ତପୁରୀ” ବା ସାତପୁରୀ ପ୍ରସ୍ତୁତ କରାଯାଇ ଶ୍ରୀଜିଉଙ୍କୁ ଲାଗି କରାଯାଏ । ଏହାକୁ “ସପ୍ତପୁରୀ ତାଡ଼” ମଧ୍ୟ କୁହାଯାଇଥାଏ ।
ଶ୍ରୀମନ୍ଦିରରେ ଦ୍ବିପ୍ରହର ଧୂପ ପରେ ଅଠରନଳା ନିକଟସ୍ଥ ଭଗବତୀ ମାଆ ଆଲାମଚଣ୍ଡୀଙ୍କ ମନ୍ଦିରରୁ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ଼, ଘଣ୍ଟ, ଛତି, କାହାଳୀ ଆଦି ପଟୁଆରରେ ଶ୍ରୀମନ୍ଦିରକୁ ବିଜେ କରାଯିବାର ପରମ୍ପରା ରହିଛି । ପରେ ଚତୁଃପାର୍ଶ୍ୱ ଏକ ଘେରା ପରିକ୍ରମା କରି ତାଡ଼ଗୁଡିକ ରୋଷ ବେହରଣରେ ରଖାଯାଏ । ସନ୍ଧ୍ୟା ଧୂପ ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ପଟୁଆରରେ ଶ୍ରୀମନ୍ଦିର ବାହାରେ ଥିବା ଦକ୍ଷିଣକାଳୀ ମନ୍ଦିରକୁ ଯାଆନ୍ତି । ସେଠାରୁ ମଧ୍ୟ ଶ୍ରୀମନ୍ଦିରକୁ ଆଜ୍ଞାମାଳ ବିଜେ କରାଯାଏ । ବିଶ୍ୱାସ ରହିଛି, ମାଆ ଦକ୍ଷିଣକାଳୀ ଏହି ସପ୍ତପୁରୀ ତାଡ଼ ନିଜେ ପ୍ରସ୍ତୁତ କରିଥାନ୍ତି ।
୨୪ ଘଣ୍ଟାରେ ସ୍ୱାଭାବିକଠାରୁ ୫୨୪ ପ୍ରତିଶତ ଅଧିକ ବର୍ଷା
ଭୁବନେଶ୍ୱର: ଓ୍ବେଲମାର୍କ ଲୋପ୍ରେସର ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ଅତ୍ୟଧିକ ସକ୍ରିୟ ସହ ହାରାହାରି ବର୍ଷା ୪୭.୫ ମିମି ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୭.୬ ମିମି ତୁଳନାରେ ୫୨୪ ପ୍ରତିଶତ ଅଧିକ ରହିଛି । ରାୟଗଡା ଜିଲ୍ଲାରେ ହାରାହାରି ୭୨.୧ ମିମି ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୪.୩ ମିମି ତୁଳନାରେ ୧୫୭୬% ଅଧିକ ରହିଛି । ଫ୍ଳାସଫ୍ଳଡ ନେଇ ସତର୍କତା ଜାରି ହୋଇଛି । ସହରିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଉପୁଜିଵ । କମିବ ଦୃଶ୍ୟମାନ କ୍ଷମତା । ବର୍ତ୍ତମାନ ଏହା ପଶ୍ଚିମବଙ୍ଗ ଉତ୍ତର ଓଡିଶା ଉପକୂଳରେ କେନ୍ଦ୍ରୀଭୂତ ରହିଛି ।
ଦୁଇଦିନ ମଧ୍ୟରେ ଓଡିଶା ଛତିଶଗଡ଼ ଦେଇ ଗତି କରିବ । ଗତ ୨୪ ଘଣ୍ଟାରେ ବଲାଙ୍ଗୀରରେ ସର୍ବାଧିକ ୨୧୫ ମିମି ବର୍ଷା ରେକର୍ଡ । କଳାହାଣ୍ଡି ଏମ.ରାମପୁରରେ ୧୯୩ ମିମି ବର୍ଷା ହୋଇଥିବା ବେଳେ ଥୁଆମୁଳ ରାମପୁର, କଣ୍ଟାମାଳ ବୌଦ୍ଧରେ ୧୫୮ମିଲିମିଟର ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ୫୫ ମିମି ବର୍ଷା ରେକର୍ଡ ହୋଇଛି । ଆଜି ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଜିଲ୍ଲାକୁ ରେଡ ଆଲର୍ଟ ଜାରି ହୋଇଛି । କାଲି ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାର ଅଧିକାଂଶ ନଦୀରେ ଜଳସ୍ତର ବୃଦ୍ଧି ହେବ ।
ଦୁର୍ଗମ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା । ମାଟିଘର କାନ୍ଥ ଭୁସୁଡିବା ସମ୍ଭାବନା, କଚ୍ଚା ରାସ୍ତା ପ୍ରଭାବିତ ହେବ । ଧାନ ବିଲରୁ ଜଳ ନିଷ୍କାସନ ପାଇଁ ପରାମର୍ଶ ଦିଆଯାଇଛି । ସାର ଓ କୀଟନାଶକ ପ୍ରୟୋଗରୁ ନିବୃତ୍ତ ରହିବାକୁ ପରାମର୍ଶ । ଆଜି ଅପରାହ୍ନରୁ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ବର୍ଷା କମିବ । ୧୬ ତାରିଖରୁ ସାରା ଓଡ଼ିଶାରେ ବର୍ଷାର ପରିମାଣ କମିବ । ୧୯ ତାରିଖରୁ ପୁଣି ବଢିବ ବର୍ଷାର ପରିମାଣ ।

