spot_img
Home Blog Page 2888

ମଞ୍ଚେଶ୍ବରରେ ମେଡିସିନ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ , ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ

ଭୁବନେଶ୍ୱର : ଭୁବନେଶ୍ୱର ମଞ୍ଚେଶ୍ୱରରେ ମେଡ଼ିସିନ ଗୋଦାମରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ମେଡ଼ିସିନ ସାମଗ୍ରୀ । ଗୋଦାମରେ କୋଭିଡ ପାଇଁ ଷ୍ଟକ ଥିବା ସାନିଟାଇଜର, ମାସ୍କ, ସ୍ପିରିଟ, ଅକ୍ସିଜେନ ସିଲିଣ୍ଡର ଗ୍ୟାସ ଟାଙ୍କି ସମ୍ପୂର୍ଣ ପୋଡି ନଷ୍ଟ ହୋଇଯାଇଛି । ପ୍ରାୟ ୫୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବାର ଅନୁମାନ କରାଯାଉଛି । ରାତି ପ୍ରାୟ ୧୦.୪୫ ରୁ ୧୧ଟା ଭିତରେ ନିଆଁ ଲାଗିଥିବା ଜଣାପଡିଛି ।

ନିଆଁର ବେଗ ଏତେ ପ୍ରଖର ଥିଲା କି ଅଗ୍ନିଶମ ବାହିନୀଙ୍କୁ ନିଆଁ ଆୟତ୍ତ କରିବାକୁ ଦୀର୍ଘ ସମୟ ଲାଗିଥିଲା । ପାଣିମାଡ଼ ପରେ ନିଆଁ ଆୟତ୍ତ ନ ହେବାରୁ ଏକ ହାଇଡ୍ରା ଓ ଆଉ ଗୋଟେ ଜେସିବି ସାହାଯ୍ୟରେ ଗୋଦାମର ଏକ ପାର୍ଶ୍ଵକୁ ଭଙ୍ଗା ଯାଇ ପାଣି ମାଡ଼ କରାଯାଇ ନିଆଁକୁ ଆୟତ୍ତ କରାଯାଇଥିଲା । ପ୍ରାୟ ୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଗୋଦାମରୁ ନିଆଁ ଲିଭାଯାଇ ଆୟତ୍ତ କରାଯାଇଥିଲା ।

ଅଗ୍ନିଶମ ବିଭାଗ ଓ କମିଶନରେଟ ପୋଲିସ ସହଯୋଗରେ ଏହି କାର୍ଯ୍ୟ ସଫଳ ହୋଇଥିଲା । ଯାହା ଫଳରେ ଅନ୍ୟ ଗୋଦାମ କୁ ନିଆଁ ଲାଗିବା ସମ୍ଭବ ହୋଇନଥିଲା । ଏହା ସହିତ ଆକ୍ସିଜେନ ସିଲିଣ୍ଡର ଖାଲି ଥିବାରୁ ଏକ ବଡ଼ ଦୁର୍ଘଟଣାରୁ ମଧ୍ୟ ବର୍ତ୍ତୀ ଯାଇଛି । ଗୋଦାମରେ ଅକ୍ସିଜେନ ଗ୍ୟାସ ସିଲିଣ୍ଡର ଥିବା କାରଣରୁ ସ୍ଥାନୀୟ ଲୋକଙ୍କୁ ଗୋଦାମ ପାଖରୁ ଦୂରେଇ ରାଯାଇଥିଲା ।

ଉତ୍ତର ଭାରତରେ ଜଳ ପ୍ରଳୟ; ଦିଲ୍ଲୀରେ ରେକର୍ଡ ବର୍ଷା, ପଞ୍ଜାବରେ ସ୍ଥିତି ଅସମ୍ଭାଳ, ହିମାଚଳ ସ୍ଥିତି ସଙ୍ଗୀନ

ନୂଆଦିଲ୍ଲୀ: ବର୍ଷୁଛି ମୌସୁମୀ, ଭାସୁଛି ସହର । ଉତ୍ତର ଭାରତରେ ବନ୍ୟା । ରାସ୍ତାରେ ଚାଲୁଛି ଡଙ୍ଗା । ପାଣି ଭିତରେ ବନ୍ଦ ପଡିଛି କାର, ଟ୍ରକ୍‌ । ଦିଲ୍ଲୀ, ହିମାଚଳ ପ୍ରଦେଶ, ପଞ୍ଜାବରେ ପ୍ରବଳ ବର୍ଷା । ଦିଲ୍ଲୀରେ ୪୧ ବର୍ଷର ରେକର୍ଡ ଭାଙ୍ଗିଲା ଏଥରର ବର୍ଷା । ୧୯୮୨ ପରେ ପ୍ରଥମ ଥର ପାଇଁ ଜୁଲାଇ ମାସରେ ଗୋଟିଏ ଦିନରେ ୧୫୩ ମିଲି ମିଟରରୁ ଅଧିକ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଜାମ୍ମୁ କାଶ୍ମୀର, ହିମାଚଳ ଓ ୟୁପିରେ ନଦୀର ଜଳସ୍ତର ବଢିବାରେ ଲାଗିଛି । ଏହି ସବୁ ରାଜ୍ୟରେ ୧୩ରୁ ଅଧିକ ଲୋକଙ୍କ ବନ୍ୟା ପାଣିରେ ଭାସିଯାଇ ମୃତ୍ୟୁ ହୋଇଛି ।

ହିମାଚଳ ପ୍ରଦେଶରେ ସବୁଠୁ ଅଧିକ କ୍ଷତି ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁଁ ବ୍ୟାସ ନଦୀର ଜଳସ୍ତର ବଢିବା ସହ ଜନବସତି ଆଡକୁ ମାଡି ଆସିଛି ବନ୍ୟା ଜଳ । ଲୋକଙ୍କ ଘରେ ମଧ୍ୟ ପାଣିପଶି ଛାରଖାର ହୋଇଯାଇଛି । ଉଚ୍ଚସ୍ଥାନରେ ଥିବା ଲୋକଙ୍କ ଘର ମଧ୍ୟ ବନ୍ୟା ଜଳରୁ ସୁରକ୍ଷିତ ନାହାନ୍ତି । ଘରୁ ବାହାରିବାକୁ ହେଲେ ପହଁରି ପହଁରି ଯିବାକୁ ପଡୁଛି । ବନ୍ୟାପାଣି ପ୍ରଖର ଗତିରେ ମାଡିବା ଯୋଗୁଁ ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥର ଏକ ଅଂଶ ଧୋଇ ହୋଇଯାଇଛି । ହଠାତ୍ ନଦୀର ପାଣି ପଶି ଆସିବାରୁ ଆଖପାଖରେ ଥିବା କାର, ଦୋକାନ ଏବଂ ଏଟିଏମ୍ ବୁଥ୍ ଭାସିଯାଇଥିବା ଦେଖିବାକୁ ମିଳିଛି ।

ଫଶିରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଏନଡିଆରଏଫ ଟିମ୍‌ ବନ୍ୟାଞ୍ଚଳରେ ପହଞ୍ଚିଛନ୍ତି । ଲୋକଙ୍କୁ ଉଦ୍ଧାର କରୁଛନ୍ତି । ସୁରକ୍ଷିତ ସ୍ଥାନକୁ ନେବା ସହ ସେମାନଙ୍କ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରୁଛନ୍ତି । କିଛି ସ୍ଥାନରେ ବନ୍ୟା ଜଳ ଏତେ ପ୍ରଖର ଯେ ସେ ଅଞ୍ଚଳକୁ ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ ରହିଛି । ଫଶି ରହିଥିବା ଲୋକଙ୍କୁ ନିଜ ନିଜକୁ ସୁରକ୍ଷିତ ରଖିବା ପାଇଁ ଅପିଲ କରାଯାଇଛି । କୁଲୁ ମନାଲିରେ ମଧ୍ୟ ସ୍ଥିତି ଅତି ଭୟଙ୍କର ହୋଇଛି । ଗତରାତିରେ ବନ୍ୟା ପାଣି ମାଡି ମାସିବାରୁ ଅନେକ ସ୍ଥାନ ଏବେ ନଦୀର ଭ୍ରମ ସୃଷ୍ଟି କରିଛି ।

ମନାଲୀରେ ପାର୍କ ହୋଇଥିବା କାର ଗୁଡିକ ଭାସୁ ଯାଉଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁଁ ଜମ୍ମୁକୁ ଖାଦ୍ୟ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଲମ୍ବା ଲାଇନ ହୋଇ ରାସ୍ତାରେ ସବୁ ଟ୍ରକ ଠିଆ ହୋଇଛନ୍ତି । ରାସ୍ତା ଭାସିଯିବାରୁ ଜନଜୀବନ ବ୍ୟାପକ ପ୍ରଭାବିତ ହୋଇଛି । ଦିଲ୍ଲୀରେ ବର୍ଷା ବିତ୍ପାତର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ ବିଭାଗୀୟ ଅଧିକାରୀଙ୍କ ଛୁଟିକୁ ବାତିଲ କରିଛନ୍ତି । ସେମାନଙ୍କୁ ଫିଲ୍ଡ ସର୍ଭେ କରି ଲୋକଙ୍କ ଦୁଃଖ ବୁଝିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦିଲ୍ଲୀର ଅଗ୍ନିଶମ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀରେ ୧୫ଟି ଘର ମାଟିରେ ମିଶି ଯାଇଥିବା ବେଳେ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଜଣକ ହେଉଛନ୍ତି ୫୮ ବର୍ଷୀୟା ରଞ୍ଜିତ କୌର । ବର୍ଷା ଯୋଗୁ ଦିଲ୍ଲୀର କାଲକାଜୀ ଅଞ୍ଚଳରେ ଏକ କାନ୍ଥୁ ଭୁଶୁଡ଼ି ୧୫ ଲକଜୁରୀ କାର୍‌ ଓ ୧୦ଟି ୨ ଚକିଆ ଯାନ ଭାଙ୍ଗିରୁଜି ଯାଇଛି । ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ, ପଞ୍ଜାବ, ଜମ୍ମୁ କଶ୍ମୀରରେ ପ୍ରବଳ ବର୍ଷା ଲାଗି ରହିଛି । ଏହି ସବୁ ଜିଲ୍ଲାରେ ଆହୁରି ଭୀଷଣ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ କରାଇଛି ।

ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ୩ ଅଭିଯୁକ୍ତଙ୍କୁ ମାରାଥନ ଜେରା

ନନ୍ଦିଘୋଷ ବ୍ୟୁରୋ: ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ୩ ଅଭିଯୁକ୍ତଙ୍କୁ ମାରାଥନ ଜେରା । ଆଜି ରିମାଣ୍ଡରେ ତୃତୀୟ ଦିନରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଗୁଡେଇ ତୁଡେଇ ଜେରା କରିଛି ୫ ଜଣିଆ ଟିମ । ସେପଟେ ଷ୍ଟେସନ ମାଷ୍ଟରକୁ ସିବିଆଇ ସମନ କରିଛି । ସିବିଆଇରେ ହାଜର ହେବାକୁ କୁହା ଯାଇଥିବା ଜଣାପଡିଛି । ସେପଟେ ଟ୍ରେନ ଟ୍ରାଜେଡି ମାମଲାରେ ଆଉ କାହାର ସଂପୃକ୍ତି ରହିଛି , ଅବହେଳା ଯୋଗୁଁ ନା ଉଦ୍ଦେଶ୍ୟ ରଖି ଏପରି କରାଯାଇଛି ତାକୁ ନେଇ ଖୋଳତାଡ କରୁଛି ସିବିଆଇ । ତୃତୀୟ ଦିନ ଜେରାରେ ଷଡଯନ୍ତ୍ର ଦିଗରେ ତନାଘନା କରୁଛି ଟିମ । ସିଆରଏସ ରିପୋର୍ଟରେ ଷ୍ଟେସନ ମ୍ୟାନେଜର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ତେଣୁ ସିବିଆଇ ସମନ କରିଛି । ତେବେ ଆଗକୁ ଆଉ କାହାର ପାଳି ପଡୁଛି । ଏ ମାମଲାରେ ଗିରଫ ଦାରୀ ସଂଖ୍ଯା ବଢିପାରେ ବୋଲି ଚର୍ଚ୍ଚା ହେଉଛି ।

କଳାହାଣ୍ଡିରେ ଚାଞ୍ଚଲ୍ୟ, ନାବାଳକ ଓ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଧର୍ମଗଡ଼: କଳାହାଣ୍ଡିରେ ଚାଞ୍ଚଲ୍ୟ । ଧର୍ମଗଡ ଥାନା ବାଞ୍ଜିପଦର ଗାଁ ନିକଟରୁ ଦୁଇ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ମୃତକ ଜଣେ ନାବାଳକ ଓ ଅନ୍ୟଜଣେ ନାବାଳିକା । ଉଭୟ ବାଞ୍ଜିପଦର ଗାଁର । ମୃତକ ପ୍ରେମୀଯୁଗଳ ବୋଲି ସୂଚନା ମିଳିଛି । ଅଭିଯୋଗ ଅନୁସାରେ ଉଭୟ ଗତ ଜୁନ ମାସ ୩୦ତାରିଖରେ ଘରୁ କେଉଁଆଡ଼େ ପଳାଇଯାଇଥିଲେ । ପରିବାର ଲୋକ ଖୋଜାଖୋଜି କରିବାପରେ ସେମାନଙ୍କୁ ପାଇନଥିଲେ ।

ସାବୁନିଭାଡ଼ି ଓ ବାଞ୍ଜିପଦର ଗାଁ ମଝି ସ୍ଥାନରେ ଉଭୟଙ୍କ ମୃତଦେହ ଦେଖି କିଛି ଲୋକ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନାବାଳକର ଶରୀର ପଚିଯାଇଥିବାବେଳେ ନାବାଳିକାର ମୃତଦେହ ଖଣ୍ଡବିଖଣ୍ଡିତ ହୋଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଓ ଧର୍ମଗଡ ପୋଲିସ ପହଞ୍ଚି ତଦନ୍ତ କରୁଛି । ଉଭୟଙ୍କର କିଭଳି ମୃତ୍ୟୁ ହେଲା ଛାନବିନ କରାଯାଉଛି । କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପରିବାର ଲୋକଙ୍କ ସହିତ ଗ୍ରାମବାସୀଙ୍କୁ ପଚରାଉଚୁରା କରୁଛି ପୋଲିସ ।

ମନ୍ଦିର ବାହାରୁ ଚୋରି ହୋଇଗଲା ଚପଲ, ଥାନାରେ ମାମଲା ରୁଜୁ କଲେ ଯୁବକ

କାନପୁର: ଉତ୍ତରପ୍ରଦେଶର କାନପୁର ସହରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଆପଣ ଜାଣିଥିବେ କିଛି ମୂଲ୍ୟବାନ ଜିନିଷ ଚୋରି ହୋଇଗଲେ କିମ୍ବା ହଜିଗଲେ ଥାନାରେ ମାମଲା ରୁଜୁ କରାଯାଇଥାଏ । ହେଲେ ଜଣେ ଯୁବକ ଚପଲ ଚୋରି ହୋଇଯିବାକୁ ନେଇ ଥାନାରେ ମାମଲା ରୁଜୁ କରିଛନ୍ତି । ପୀଡିତ ବ୍ୟକ୍ତିଜଣଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ଫେରିବା ପରେ ଦେଖିଥିଲେ ଯେ ତାଙ୍କ ଚପଲ ମନ୍ଦିର ବାହାରେ ନଥିଲା । ଏଥିପାଇଁ ଯେଉଁ ଏଫଆଇଆର ଲେଖାଯାଇଛି ତାହା ଅତ୍ୟନ୍ତ କୌତୁହଳପ୍ରଦ । ପୀଡିତ ବ୍ୟକ୍ତିଜଣଙ୍କ ଲେଖିଛନ୍ତି ଯେ ସେ ସଚ୍ଚୋଟ ରୋଜଗାରରୁ ଚପଲ କିଣିଥିଲେ ।

ନୂଆ ଚପଲ ଗାଏବ ହୋଇଯାଇଛି । ଏହାର ଅର୍ଥ ଯେ କାହାର ନଜର ମୋ ଚପଲ ଉପରେ ରହିଥିଲା । ଏଥିପାଇଁ ମୁଁ ଏଫଆଇଆର ରୁଜୁ କରିଛି । ଏହି ଏଫଆଇଆର ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାନୁଯାୟୀ, କାନପୁରର ଦବୌଲି ଅଞ୍ଚଳରେ ରହୁଥିବା କାନ୍ତିଲାଲ ନିଗମ ଏକ ଇଲେକ୍ଟ୍ରିକ କମ୍ପାନୀରେ କାର୍ଯ୍ୟ କରନ୍ତି । ସେ ରବିବାର ଭୈରବ ବାବା ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ମନ୍ଦିର ଭିତରକୁ ଯିବା ପୂର୍ବରୁ ନିଜ ଚପଲ ବାହାରେ କାଢ଼ି ରଖିଥିଲେ । ଦର୍ଶନ କରିବା ପରେ ଯେବେ ସେ ଫେରି ଦେଖନ୍ତି ତ ତାଙ୍କ ଚପଲ ବାହାରେ ନଥିଲା ।

କାନ୍ତିଲାଲ ଆଖପାଖରେ ନିଜ ଚପଲ ଖୋଜିଥିଲେ । ହେଲେ ଚପଲ ମିଳିନଥିଲା । ଏହାପରେ ସେ କାନପୁର ପୋଲିସରେ ଅନଲାଇନ ଏଫଆଇଆର ରୁଜୁ କରିଥିଲେ । ଏଫଆଇଆରରେ ସେ ଲେଖିଛନ୍ତି ଯେ, ମୁଁ ଦୁଇ ଦିନ ପୂର୍ବେ ଚପଲ କିଣିଥିଲି । ନୀଳ ରଙ୍ଗର ଟୋପିକା ଟୋପିକା ଚପଲ ଥିଲା । ପ୍ରତି ରବିବାର ମୁଁ ଭୈରବ ବାବାଙ୍କ ଦର୍ଶନ କରିବାକୁ ଆସେ । କିନ୍ତୁ କେବେ ବି ମୋ ଚପଲ ଗାଏବ ହୋଇନଥିଲା । ଆଜି ମଧ୍ୟ ଦୋକାନ ଆଖପାଖରେ ଅନେକ ଚପଲ ପଡ଼ିଥିଲା ହେଲେ ମୋ ନୂଆ ଚପଲ ହିଁ ଗାଏବ ହୋଇଥିଲା ।

ଏଥିରୁ ଜଣାଯାଉଛି ଯେ କାହାର ନଜର ମୋ ଚପଲ ଉପରେ ଥିଲା । ଏପରି ସ୍ଥିତିରେ ମୁଁ ମାମଲା ରୁଜୁ କରିଛି । ସେ ଆଗକୁ ଲେଖିଛନ୍ତି ଯେ ମୁଁ କଠିନ ପରିଶ୍ରମ ଏବଂ ସଚ୍ଚୋଟତାର ପଇସାରୁ ଚପଲ କିଣିଥିଲି । ତାହା ଚୋରି ହେବା ପରେ ମୋତେ ଖାଲି ପାଦରେ ଘରକୁ ଯିବାକୁ ପଡ଼ିଲା । ଯାହାଫଳରେ ମୋତେ ବହୁତ କଷ୍ଟ ଲାଗିଥିଲା । ଏଥିପାଇଁ ମୋର ଚପଲ ଚୋରି କରିଥିବା ବ୍ୟକ୍ତିକୁ ଧରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ କରୁଣ କାହାଣୀ, ୧୦ ବର୍ଷ ହେଲା ପୁଅ ବୋହୂ ଦେଉଛନ୍ତି ନିର୍ଯାତନା

ବଲାଙ୍ଗୀର: ବଲାଙ୍ଗୀର ଶାନ୍ତିପଡ଼ା ଚନ୍ଦ୍ରଶେଖରନଗରୁ ଆସିଛି ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ କରୁଣ କାହାଣୀ । ପୁଅ ବୋହୂଙ୍କ ନିର୍ଯ୍ୟାତନା ନେଇ ଥାନାର ଦ୍ବାରସ୍ତ ହେଲେ ସୌଦାମିନୀ ବେହେରା । ଦୀର୍ଘ ୧୦ ବର୍ଷ ହେଲା ପୁଅ ବୋହୂ ନିର୍ଯାତନାରେ ଅତିଷ୍ଠ ହୋଇ ପଡିଲେଣି ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୌଦାମିନୀ । ବଡ ପୁଅ ବୋହୂ ସବୁ ସମ୍ପତ୍ତି ତାଙ୍କ ନାଁରେ କରିଦେବାକୁ ବାଧ୍ୟ କରି ଅକଥନୀୟ ନିର୍ଯ୍ୟାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ମାଡ ମାରି ରକ୍ତାକ୍ତ କରିବା ସହ ତଣ୍ଟି ଚିପି ବୋହୂ ମାରୁଥିବା କହିଛନ୍ତି ଶାଶୂ । କେବଳ ଏତିକି ନୁହେଁ କୁକୁରକୁ ଇଙ୍ଗିତ କରି କାମୁଡିବାକୁ କହୁଛନ୍ତି ।

ଏମିତି କୋହଭରା କଣ୍ଠରେ କାନ୍ଦି କାନ୍ଦି ନିର୍ଯାତନାର କାହାଣୀ ବଖାଣିଛନ୍ତି ସୌଦାମିନୀ । ପୁଅ ବୋହୂଙ୍କ ନିର୍ଯାତନା ନେଇ ଗତକାଲି ସୌଦାମିନୀ ଟାଉନ ଥାନାରେ ଦ୍ୱାରସ୍ଥ ହୋଇଥିଲେ । ପୋଲିସ ତଦନ୍ତ ଆରମ୍ଭ କରିଛି । କିନ୍ତୁ ସୌଦାମିନୀ ବେହେରାଙ୍କ ବୋହୂ ସୁମନ ପାଣିଗ୍ରାହୀ ଶାଶୁଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ପାଲଟା ଅଭିଯୋଗ କରିଛନ୍ତି । ଶାଶୂ ସୌଦାମିନୀ ବମ୍ବେରେ ରହୁଥିବା ତାଙ୍କ ସାନପୁଅ ସୁବ୍ରତ ପାଣିଗ୍ରାହୀଙ୍କୁ ଲଗାଇ ସ୍ବାମୀ ସ୍ତ୍ରୀଙ୍କୁ ଘରୁ ବାହାର କରିବା ପାଇଁ ଗାଳିଗୁଲଜ, ଆକ୍ରମଣ କରିବା ସହ ବାରମ୍ବାର ଘରୁ ତଡ଼ିବା ପାଇଁ ଯୋଜନା କରୁଛନ୍ତି । ସେପଟେ ସୌଦାମିନୀଙ୍କ ଏତଲା ପରେ ଟାଉନ ଥାନାରେ ମାମଲା ରୁଜ୍ଜୁ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ବାଂଲାଦେଶ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ମହିଳା ଦଳର ବଡ଼ ବିଜୟ

ଢାକା: ଭାରତୀୟ ମହିଳା କ୍ରିକେଟ ଟିମ୍ ବାଂଲାଦେଶ ଗସ୍ତର ଅଭିଯାନ ବିଜୟରୁ ଆରମ୍ଭ କରିଛି । ଭାରତ ରବିବାର ଖେଳାଯାଇଥିବା ପ୍ରଥମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ୭ ୱିକେଟରେ ବଡ଼ ବିଜୟ ହାସଲ କରିଛି । ଏହି ମ୍ୟାଚ୍ ଢାକାର ଶେର-ଏ-ବାଂଲା ନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିଲା । ଭାରତ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଏବଂ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ବିନିମୟରେ ୧୧୪ ରନରେ ସୀମିତ ରହିଥିଲା । ସେହିପରି ଭାରତୀୟ ଦଳ ୧୬.୨ ଓଭରରେ ସହଜରେ ୩ ୱିକେଟ୍ ହରାଇ ୧୧୮ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା ।

ଭାରତ ପାଇଁ ଅଧିନାୟକ ହରମନପ୍ରୀତ କୌର (ଅପରାଜିତ ୫୮ ରନ୍) ଏବଂ ଓପନର ସ୍ମୃତି ମନ୍ଧାନା (୩୮ ରନ୍) ଚମତ୍କାର ବ୍ୟାଟିଂ କରିଥିଲେ । ୧୧୫ରନର ବିଜୟ ଲକ୍ଷ୍ୟକୁ ପିଛା କରି କ୍ରୀଜକୁ ଓହ୍ଲାଇଥିବା ଭାରତୀୟ ଦଳର ଆରମ୍ଭ ଖରାପ ରହିଥିଲା । ଓପନର ବ୍ୟାଟ୍ସମ୍ୟାନ୍ ଶେଫାଳି ବର୍ମା ପ୍ରଥମ ଓଭରରେ ହିଁ ନିଜ ୱିକେଟ୍ ହରାଇଥିଲେ । ତାଙ୍କୁ ମାରୁଫା ଅଖତର ଏଲବିଡବ୍ଲୁ କରିଥିଲେ । ସେଫାଳି ୩ଟି ବଲ୍ ଖେଳି ଖାତା ଖୋଲି ପାରିନଥିଲେ । ଜେମିମା ରୋଡ୍ରିଗ୍ସ ୧୪ ଟି ବଲରେ ୨ଟି ଚୌକା ଜରିଆରେ ୧୧ ରନ୍ ହିଁ କରିପାରିଥିଲେ ।

ଭାରତର ଦୁଇଟି ୱିକେଟ୍ ୨୧ରନରେ ପଡ଼ିଯାଇଥିଲା । ଏହାପରେ ହରମନପ୍ରୀତ ଏବଂ ସ୍ମୃତି ମନ୍ଧାନା ସ୍ଥିତି ସମ୍ଭାଳିଥିଲେ । ଉଭୟ ତୃତୀୟ ୱିକେଟ୍ ପାଇଁ ୭୦ ରନର ଭଲ ପାର୍ଟନରସିପ୍ କରିଥିଲେ । ମନ୍ଧାନାଙ୍କୁ ୧୪ତମ ଓଭରରେ ସୁଲତାନା ଷ୍ଟମ୍ପ ଆଉଟ୍ କରିଥିଲେ । ସେ ୩୪ ଟି ବଲରେ ୫ ଚୌକା ଜରିଆରେ ୩୮ ରନର ଇନିଂସ ଖେଳିଥିଲେ । ଏହାପରେ ହରମନପ୍ରୀତ ଏବଂ ୟାସ୍ତିକା ଭାଟିୟା ଦଳକୁ ଜିତାଇ ଫେରିଥିଲେ । ହରମନପ୍ରୀତ ୩୫ ଟି ବଲରେ ୬ ଚୌକା ଏବଂ ୨ ଛକା ସହାୟତାରେ ୫୮ ରନ୍ କରିଥିଲେ । ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି । ୟାସ୍ତିକା ୧୨ ଟି ବଲରେ ୯ ରନ୍ କରିଥିଲେ ।

ବିଶ୍ୱକପ୍ ବୟକଟ୍ ନେଇ ପାକିସ୍ତାନ ଖେଳମନ୍ତ୍ରୀଙ୍କ ଧମକ, କହିଲେ ଏସିଆ କପ୍ ପାଇଁ ଭାରତ ନ୍ୟୁଟ୍ରାଲ ଭେନ୍ୟୁ ଜିଦ୍ ନଛାଡିଲେ ପାକ୍ ଟିମ୍ ମଧ୍ୟ ଭାରତ ଯିବନି

ନନ୍ଦିଘୋଷ ବ୍ୟୁରୋ: ଭାରତରେ ୫ ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ପାକିସ୍ତାନର ସାମିଲ ହେବାକୁ ନେଇ ଏବେ ବି ସନ୍ଦେହ ଜାରି ରହିଛି । ପାକିସ୍ତାନର ଖେଳ ମନ୍ତ୍ରୀ ଏହସାନ ମଜାରି କହିଛନ୍ତି, ମୁଁ ଚାହୁଁଛି ଯେ ଭାରତ ମଧ୍ୟ ଏସିଆ କପ୍ ମ୍ୟାଚ୍ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳିବା ଦାବିକୁ ଛାଡିଦେଉ ନଚେତ୍ ଆମେ ମଧ୍ୟ ବିଶ୍ୱକପ୍ ଖେଳିବା ପାଇଁ ଭାରତ ଯିବୁନି । ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ୨୭ ଜୁନରେ ବିଶ୍ୱକପ୍ ପାଇଁ ସିଡ୍ୟୁଲ ଜାରି କରିସାରିଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲ୍ଟେଜ ମ୍ୟାଚ୍ ୧୫ ଅକ୍ଟୋବରରେ ଅହମ୍ମଦାବାଦରେ ଖେଳାଯିବ ।

ଏହା ବ୍ୟତୀତ ପାକିସ୍ତାନକୁ ନିଜ ଲିଗର ୮ଟି ମ୍ୟାଚ୍ ଚାରି ସହର ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ ଏବଂ କୋଲକାତାରେ ଖେଳିବାକୁ ଅଛି । ପାକିସ୍ତାନ ଖେଳମନ୍ତ୍ରୀ ମଜାରି ଇଣ୍ଡିଆନ ଏକ୍ସପ୍ରେସକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି, ପ୍ରଧାନମନ୍ତ୍ରୀ ଶହବାଜ ସରିଫ ବିଦେଶମନ୍ତ୍ରୀ ବିଲୱାଲ ଭୁଟ୍ଟୋ ଜରଦାରୀଙ୍କ ଅଧ୍ୟକ୍ଷତାରେ ୧୪ ସଦସୀୟ କମିଟିର ଗଠନ କରିଛନ୍ତି । ସେଥିରେ ମୋ ସହ ମୋଟ ୧୧ମନ୍ତ୍ରୀ ରହିଛନ୍ତି । ଆମେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବୁ ଯେ ପାକିସ୍ତାନକୁ ଭାରତ ଯାଇ କ୍ରିକେଟ ଖେଳିବା ଉଚିତ କି ନାହିଁ । ଆମେ ଆମର ସୁପାରିଶ ପ୍ରଧାନମନ୍ତ୍ରୀଙ୍କୁ ପଠାଇବୁ ।

ସେହି ଆଧାରରେ ପ୍ରଧାନମନ୍ତ୍ରୀ ବିଶ୍ୱକପରେ ପାକିସ୍ତାନ କ୍ରିକେଟ ଟିମ୍ କୁ ପଠାଇବର ଶେଷ ନିଷ୍ପତ୍ତି ନେବେ । ପିସିବି ମୋ ଭାଗରେ ଆସୁଛି । ତେଣୁ ମୋ ବିଚାରରେ ଭାରତ ମଧ୍ୟ ଏସିଆ କପ୍ ମ୍ୟାଚ୍ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳିବାର ଜିଦକୁ ଛାଡିଦେଉ ନଚେତ ଆମେ ମଧ୍ୟ ବିଶ୍ୱକପରେ ପାକିସ୍ତାନର ମ୍ୟାଚ୍ ଭାରତ ବଦଳରେ ନ୍ୟୁଟ୍ରାଲ ଭେନ୍ୟୁରେ କରାଇବା ନେଇ ଦାବି କରିବୁ । ଏସିଆନ କ୍ରିକେଟ କାଉନ୍ସିଲ ବିଶ୍ୱକପ୍ ପୂର୍ବରୁ ଏସିଆ କପ୍ ଶ୍ରୀଲଙ୍କା ଏବଂ ପାକିସ୍ତାନରେ କରାଇବା ନେଇ ନିଷ୍ପତ୍ତି କରିଛି । ଏହି ଅନୁଯାୟୀ, ପାକିସ୍ତାନରେ ଟୁର୍ଣ୍ଣାମେଣ୍ଟର କେବଳ ୪ ମ୍ୟାଚ୍ ଖେଳାଯିବ ।

ବାକି ୯ ମୁକାବିଲା ଶ୍ରୀଲଙ୍କାରେ ହେବ । ଗ୍ରୁପ ଷ୍ଟେଜର ଚାରି ମ୍ୟାଚ୍ ପାକିସ୍ତାନରେ ହେବ । ଏଥିରେ ଗୋଟିଏ ଗ୍ରୁପରୁ ପାକିସ୍ତାନ ବନାମ ନେପାଳ ମ୍ୟାଚ୍ ଏବଂ ଦ୍ୱିତୀୟ ଗ୍ରୁପରୁ ଆଫଗାନୀସ୍ତାନ ବନାମ ବାଂଲାଦେଶ, ଆଫଗାନୀସ୍ତାନ ବନାମ ଶ୍ରୀଲଙ୍କା ଏବଂ ବାଂଲାଦେଶ ବନାମ ଶ୍ରୀଲଙ୍କା ମ୍ୟାଚ୍ ସାମିଲ ରହିଛି । ଅର୍ଥାତ ପାକିସ୍ତାନରେ ଭାରତର ଗୋଟିଏ ମ୍ୟାଚ୍ ବି ହେବନାହିଁ । ଯଦି ଟିମ୍ ଇଣ୍ଡିଆ ଫାଇନାଲରେ ପହଞ୍ଚେ ତେବେ ଏହି ମ୍ୟାଚ୍ ମଧ୍ୟ ଶ୍ରୀଲଙ୍କାରେ ହେବ । ୩୧ ଅଗଷ୍ଟରୁ ୧୭ ସେପ୍ଟେମ୍ବର ମଧ୍ୟରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ସମ୍ପୂର୍ଣ୍ଣ ସୂଚୀ ବର୍ତ୍ତମାନ ସୁଦ୍ଧା ଜାରି କରାଯାଇନାହିଁ ।

ରାଜଧାନୀରେ ଲୁଟପାଟ କରି ଲୋକଙ୍କୁ ଟେନସନ ଦେଉଥିବା ଲୁଟେରା ଗ୍ୟାଙ୍ଗକୁ କାବୁ କଲା ସ୍ପେଶାଲ ସ୍କ୍ୱାଡ୍

ଭୁବନେଶ୍ୱର: ରାଜଧାନୀରେ ଲୁଟପାଟ କରି ଲୋକଙ୍କୁ ଟେନସନ ଦେଉଥିବା ଏକ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି ସ୍ପେଶାଲ ସ୍କ୍ବାଡ । ୫ ଜଣ ଲୁଟେରାଙ୍କ ଠାରୁ ଟଙ୍କା, ସୁନା, ଗାଡି ଓ ଲୁଟ ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ । ୨୧ ମାମଲାରେ ସମ୍ପୃକ୍ତ ଥାଇ ବି ବେଫିକର ଥିଲେ ଲୁଟେରା । ଭୁବନେଶ୍ବର ଡିସିପିଙ୍କ ସ୍ପେଶାଲ ସ୍କ୍ବାର୍ଡ ଲୁଟେରା ଓ ଚୋରି ସାମଗ୍ରୀ କିଣୁଥିବା ଅଭିଯୁକ୍ତଙ୍କୁ କାବୁ କରିଛି ।

ଭରତପୁର, ଚନ୍ଦଶେଖରପୁରରେ ହୋଇଥିବା ଅଭିଯୋଗ ମୁତାବକ ସେମାନଙ୍କୁ ଗିରଫ କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ନାଁରେ ପାହାଳ, ସହିଦନଗର,ଖାରବେଳନଗର, ନୟାପଲ୍ଲୀ, ବିଂଝାରପୁର, ରାଜକନିକା ଥାନାରେ ରହିଛି ୨୧ ଟି ମାମଲା । ଗତ ୬ ମାସ ଭିତରେ ରାଜଧାନୀବାସୀଙ୍କ ନିଦ ହଜାଇଦେଇଥିବା ଲୁଟେରାଙ୍କ ଠାରୁ ୪୫ ଗ୍ରାମର ୧୦ ଟି ସୁନା ଚେନ, ୪୦ ହଜାର ଟଙ୍କା, ୨ଟି ବାଇକ, ୮ ଟି ମୋବାଇଲ ଓ ଲୁଟରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି । ତଥ୍ୟ,ପ୍ରମାଣ, ସାଇଣ୍ଟିଫିକ ଟିମରୁ ମିଳିଥିବା ସୁରାକ, ସିସିଟିଭି ଓ ସିଡ଼ିଆର ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଛି।

ମାଆ ଶାରଳାଙ୍କ ପୀଠକୁ ମୋବାଇଲ ଓ କ୍ୟାମେରା ନେବା ମନା

ଜଗତସିଂହପୁର: ଜଗତସିଂହପୁରର ଆରାଧ୍ୟଦେବୀ ମାଆ ଶାରଳାଙ୍କ ପୀଠକୁ ମୋବାଇଲ ଓ କ୍ୟାମେରା ନେବା ମନା । ମାଆଙ୍କ ବିଗ୍ରହର ଫଟୋ କିମ୍ବା ବେଢ଼ା ପରିସରର ଫଟୋ ଉଠାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିସହିତ ମନ୍ଦିର ଭିତରକୁ ପଲିଥିନ ମଧ୍ୟ ନିଷେଦ୍ଧ କରାଯାଇଛି । ଅବିବାହିତ ବା ବ୍ରତ ହୋଇନଥିବା ସେବାୟତଙ୍କୁ ମଧ୍ୟ ଗର୍ଭଗୃହକୁ ଯିବା ଉପରେ କଟକଣା ଲଗାଯାଇଛି ।

ଏମିତି କି ମନ୍ଦିର ପରିସରରେ ଅପରିଷ୍କାର କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ମନ୍ଦିର ପ୍ରଶାସନ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି । ସ୍ବତନ୍ତ୍ର କୋର କମିଟିର ନିଷ୍ପତ୍ତି ଅନୁସାରେ କଟକଣା ଜାରି କରାଯାଇଛି । ଏନେଇ ପୋଷ୍ଟର ମାଧ୍ୟମରେ ଶ୍ରଦ୍ଧାଳୁଙ୍କୁ ଅବଗତ କରାଯାଇଛି । ମୋଟ ୧୮ଟି ପ୍ରସ୍ତାବକୁ ସ୍ବୀକୃତି ମିଳିଛି । ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।