spot_img
Home Blog Page 2889

ମାଆ ଶାରଳାଙ୍କ ପୀଠକୁ ମୋବାଇଲ ଓ କ୍ୟାମେରା ନେବା ମନା

ଜଗତସିଂହପୁର: ଜଗତସିଂହପୁରର ଆରାଧ୍ୟଦେବୀ ମାଆ ଶାରଳାଙ୍କ ପୀଠକୁ ମୋବାଇଲ ଓ କ୍ୟାମେରା ନେବା ମନା । ମାଆଙ୍କ ବିଗ୍ରହର ଫଟୋ କିମ୍ବା ବେଢ଼ା ପରିସରର ଫଟୋ ଉଠାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିସହିତ ମନ୍ଦିର ଭିତରକୁ ପଲିଥିନ ମଧ୍ୟ ନିଷେଦ୍ଧ କରାଯାଇଛି । ଅବିବାହିତ ବା ବ୍ରତ ହୋଇନଥିବା ସେବାୟତଙ୍କୁ ମଧ୍ୟ ଗର୍ଭଗୃହକୁ ଯିବା ଉପରେ କଟକଣା ଲଗାଯାଇଛି ।

ଏମିତି କି ମନ୍ଦିର ପରିସରରେ ଅପରିଷ୍କାର କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ମନ୍ଦିର ପ୍ରଶାସନ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି । ସ୍ବତନ୍ତ୍ର କୋର କମିଟିର ନିଷ୍ପତ୍ତି ଅନୁସାରେ କଟକଣା ଜାରି କରାଯାଇଛି । ଏନେଇ ପୋଷ୍ଟର ମାଧ୍ୟମରେ ଶ୍ରଦ୍ଧାଳୁଙ୍କୁ ଅବଗତ କରାଯାଇଛି । ମୋଟ ୧୮ଟି ପ୍ରସ୍ତାବକୁ ସ୍ବୀକୃତି ମିଳିଛି । ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ମୌସୁମୀ ନିମ୍ନଚାପରେଖା ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା

ଭୁବନେଶ୍ୱର: ମୌସୁମୀ ନିମ୍ନଚାପରେଖା ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଲାଗିରହିଛି ବର୍ଷା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୭ଜିଲ୍ଲା ୟେଲୋ ଆଲର୍ଟ ଜାରି ହୋଇଛି । ୧୧ତାରିଖରେ ୮ଜିଲ୍ଲାରେ ପ୍ରବଳ ବର୍ଷିବା ସମ୍ଭାବନା ରହିଚି । ୧୨ ତାରିଖରେ ୧୦ ଜିଲ୍ଲାରେ ବର୍ଷା ହେବ । ୧୩ ତାରିଖ ଯାଏ ଏଭଳି ପାଗ ଜାରି ରହିବ । 24ଘଣ୍ଟାରେ ସୁନ୍ଦରଗଡ଼ରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ଚଳିତ ମୌସୁମୀ ଋତୁରେ ନିଅଣ୍ଟିଆ ବର୍ଷା ହୋଇଛି । ୧ ଜୁନରୁ ଆଜି ଯାଏ ୨୨୦.୭ ମିମି ବର୍ଷା ରେକର୍ଡ କରାଯାଇଛି ।

ଯାହା ସ୍ୱାଭାବିକ ବର୍ଷା ୨୯୫ମିମି ତୁଳନାରେ ୨୫ ପ୍ରତିଶତ କମ ରହିଛି । ଏହି ପରିଧି ମଧ୍ୟରେ ଦେବଗଡ ଜିଲ୍ଲାରେ ସର୍ବାଧିକ ୪୩୭.୩ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୨୯୨.୫ ମିମି ତୁଳନାରେ ୫୦% ଅଧିକ ରହିଛି । ସେହିପରି କଳାହାଣ୍ଡି ଜିଲ୍ଲାରେ ୧୨୩.୫ ମିମି ସହ ସବୁଠାରୁ କମ୍‌ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୫% କମ୍‌ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩.୫ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୯.୨ ମିମି ତୁଳନାରେ ୬୨% କମ୍‌ ରହିଛି ।

ଗୋପାଳପୁର ନିର୍ବାଚନମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କର ପ୍ରିୟ ନିର୍ବାଚନମଣ୍ଡଳୀ: ସାଂସଦ ମାନସ ମଙ୍ଗରାଜ

ବ୍ରହ୍ମପୁର: ଗୋପାଳପୁର ନିର୍ବାଚନମଣ୍ଡଳୀ ହେଉଛି ମୁଖ୍ୟମନ୍ତ୍ରୀଙ୍କର ପ୍ରିୟ ନିର୍ବାଚନମଣ୍ଡଳୀ । ଉନ୍ନୟନ କାମ ପାଇଁ ଏହି ନିର୍ବାଚନମଣ୍ଡଳୀ ରାଜ୍ୟ ସରକାରଙ୍କ ଫୋକସରେ ରହିଛି । ଆଗାମୀ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଏଠାରୁ ବଡ଼ ବ୍ୟବଧାନରେ ବିଜୟୀ ହେବେ ବୋଲି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବିଜେଡି ପର୍ଯ୍ୟବେକ୍ଷକ ତଥା ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି । ଏଥିସହିତ ସାଂସଦ ମାନସ ମଙ୍ଗରାଜ କହିଥିଲେ, ଆଗାମୀ ନିର୍ବାଚନରେ ଗତ ୨୪ ବର୍ଷ ଭିତରେ ଯାହା ଜନହିତକାରୀ କାର୍ଯ୍ୟ କରାଯାଇଛି ଏବଂ ମୁଖ୍ୟମନ୍ତ୍ରୀ ଗୋପାଳପୁରରେ ଯାହା ଯାହା କାର୍ଯ୍ୟ କରିଛନ୍ତି ସେ ସମ୍ପର୍କରେ ଲୋକଙ୍କୁ ବୁଝାଇବା ଆମର ପ୍ରଥମ କାର୍ଯ୍ୟ ହେବା ଉଚିତ ।

ମୁଖ୍ୟମନ୍ତ୍ରୀ ବିଧାୟକ ଭାବେ ଯାହାଙ୍କୁ ପ୍ରାର୍ଥୀ କରିବେ ଆମେ ସମସ୍ତେ ତାଙ୍କୁ ମାନିନେବା । ଆମେ ତାଙ୍କୁ ସମସ୍ତଙ୍କଠୁ ଅଧିକ ଭୋଟରେ ଜିତାଇବା । ମୁଖ୍ୟମନ୍ତ୍ରୀ ଓଡ଼ିଶାର ଅନ୍ଯ ସ୍ଥାନରୁ ଯେତେକି ଆଶା କରନ୍ତିନି ଯେହେତୁ ଏହା ତାଙ୍କ ନିଜ ଜିଲ୍ଲା ସେଥିପାଇଁ ସେ ଏଠାରୁ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛନ୍ତି । ମୁଁ ପ୍ରତିଶ୍ରୁତି ଦେଉଛି ମୋର ଯେଉଁ ୫ କୋଟି ଟଙ୍କାର ହାତପାଣ୍ଠି ଅଛି ସେଥିରୁ ଅଧାଭାଗ ମୁଁ ଗଞ୍ଜାମ ଜିଲ୍ଲା ଖାସ କରି ଗୋପାଳପୁର ନିର୍ବାଚନମଣ୍ଡଳୀରେ ଖର୍ଚ୍ଚ କରିବି ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ ।

ଗୋପାଳପୁର ନୂଆ ବସଷ୍ଟାଣ୍ଡ ନିକଟରେ ଆୟୋଜିତ ସଭାରେ ଉଦବୋଧନ ଦେଇ ତୃଣମୂଳସ୍ତରରୁ ବିଜେଡି ସଂଗଠନକୁ ମଜଭୁତ କରୁବାକୁ ସେ ଆହ୍ବାନ ଦେଇଛନ୍ତି । ଗୋପାଳପୁରରେ ବିଜେଡି କାର୍ଯ୍ୟାଳୟକୁ ମାନସ ରଞ୍ଜନ ମଙ୍ଗରାଜ ଉଦଘାଟନ କରିଥିଲେ । ପୂର୍ବରୁ ମାନସ ରଞ୍ଜନ ମଙ୍ଗରାଜଙ୍କୁ ବିଜେଡି ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଗୋପାଳପୁର ଜଙ୍କସନରୁ ବିରାଟ ବାଇକ ରାଲିରେ ତାଙ୍କୁ ନେତା ଓ କର୍ମୀ ପାଛୋଟି ନେଇଥିଲେ ।

ରାଲିରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା, ଅମିତ ମଲ୍ଲିକ, ଗୋପାଳପୁର ଏନଏସି ଅଧ୍ୟକ୍ଷ ଏ. ଜାନକୀ ରାମ, ବ୍ଲକ ଅଧ୍ୟକ୍ଷ ସି.ଏସ ଉଷାରାଣୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଜେଶ୍ବରୀ ଦୋରା, ବ୍ଲକ ସଭାପତି ଅଜିତ ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶଶିଭୂଷଣ ମହାନ୍ତିଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟ ଲୋକ ପ୍ରତିନିଧିମାନେ ସାମିଲ ହୋଇଥିଲେ ।

 

 

 

ଓସାର ୫୪ ତମ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଆମେରିକାରେ ଗୁରୁଜୀଙ୍କ ଓଡ଼ିଶା ଚିନ୍ତା

ଚିକାଗୋ :  ଓଡିଶା ସୋସାଇଟି ଅଫ୍‌ ଆମେରିକାର ୫୪ ତମ ଅଧିବେଶନ ଉଦଘାଟିତ । ଆମେରିକାରେ ରହୁଥିହା ଓଡିଆ ପ୍ରବାସୀଙ୍କୁ ନେଇ ଅଧିବେଶନ ହୋଇଛି । ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଓଡିଶାର ଏୈତିହ୍ୟ, ସଂସ୍କୃତି, କଳା ଓ ସାହିତ୍ୟ ଉପରେ ଆଲୋଚନା ହୋଇଥିଲା । ଓଡିଶା ତା’ର ଗୌରବମୟ ଅତୀତକୁ ପୁଣି ଫେରିବ ବୋଲି କହିଥିଲେ ଚନ୍ଦ୍ରଭାନୁ ଶତପଥୀ ।

ଏହି ଅବସରରେ ବିଶ୍ବବ୍ୟାପୀ ମାନବ ଜୀବନର ଚିନ୍ତା ଓ ଚେତନାର ଉନ୍ନତି ଆଣିବା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କୁ ସ୍ପିରିଚୁଆଲ ଆମ୍ବାସଡର ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଓସା ପକ୍ଷରୁ ନେଭିଲେର ମେୟର ସ୍କଟ ଓ୍ବେରିଲ୍‌ ଗୁରୁଜୀଙ୍କୁ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ଓସାର ବହୁ କର୍ମକର୍ତ୍ତା ମାନେ ସାମିଲ ଥିଲେ । ଏହସହ ଭାରତର ବିଭିନ୍ନ ରାଜ୍ୟରୁ ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ ।

ପ୍ରତି ସେକେଣ୍ଡରେ ହୀରାକୁଦକୁ ପ୍ରବେଶ କରୁଛି ୫୬ ହଜାର ୭୨୮ ଘନଫୁଟ ଜଳ

ସମ୍ୱଲପୁର : ପୁଣି ବଢ଼ିଲା ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶର ପରିମାଣ । ପ୍ରତି ସେକେଣ୍ଡରେ ହୀରାକୁଦକୁ ପ୍ରବେଶ କରୁଛି ୫୬ ହଜାର ୭୨୮ ଘନଫୁଟ ଜଳ । ବିଭିନ୍ନ କେନାଲ ଦେଇ ୩୬ ହଜାର ୩୧୫ ଘନଫୁଟ ଜଳ ନିଷ୍କାସିତ ହେଉଛି ।

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୫ ଦଶମିକ ୦୬ ଫୁଟରେ ପହଞ୍ଚିଛି । ଛତିଶଗଡ଼ କଲମା ଡ୍ୟାମର ସମସ୍ତ ୬୬ ଗେଟ୍ ଖୋଲାଥିବା ହୀରାକୁଦ ଜଳଭଣ୍ଡାରୁ ଜଳ ପ୍ରବେଶ ପରିମାଣ ବଢ଼ିଥିବା ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ଅଭିଜିତକୁ ଏସଟିଏଫ, ଏଟିଏସ ଆଇବିର ମିଳିତ ଜେରା

ଭୁବନେଶ୍ୱର : Otp ସେୟାରିଂ ସ୍କାମରେ ଆତଙ୍କି ମାମଲା । ଭୁବନେଶ୍ୱର ଏସଟିଏଫ କାର୍ଯ୍ୟାଳୟରେ ଏସଟିଏଫ, ୩ ଜଣିଆ ଏଟିଏସ ଟିମ ଓ ଦୁଇ ଜଣିଆ ଆଇବି ଟିମ ଅଭିଯୁକ୍ତ ସଞ୍ଜୟକୁ କରୁଛନ୍ତି ଜେରା । ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେକୁ ଆତଙ୍କବାଦୀ ଲିଙ୍କ ନେଇ ଚାଲିଛି ମିଳିତ ଜେରା । ପୂର୍ବରୁ ଗିରଫ ହୋଇଥିବା ପଠାଣି ସାମନ୍ତ ସିମରୁ ଭାରତର ସେନା, ବାୟୁସେନା ଓ ନୌସେନାର ମାନଚିତ୍ର ପାକିସ୍ତାନ ଗୁଇନ୍ଦା ଅଧିକାରୀ ଅବଦୁଲ ହମିଦ ପାଖକୁ ଯାଇଛି । ପଶ୍ଚିମବଙ୍ଗର ଗୁଡୁ କୁମାର ମୋବାଇଲରୁ ହମିଦ ପାଖକୁ ଯାଇଥିଲା ଏହି ମାନଚିତ୍ର । ପଠାଣି ସାମନ୍ତ, ଅବଦୁଲ ହମିଦକୁ ଦେଇଥିବା ସିମଟି ଗଂଜାମ ଜିଲ୍ଲାର ବୋଲି ଜଣାପଡିଛି ।

ସେହିପରି ମୁଖ୍ୟ ଅଭିଯୁକ୍ତ ଅଭିଜିତର କଲେଜ କିମ୍ବା ସ୍କୁଲ ସାଙ୍ଗ ଏଜେଣ୍ଟ ଅଛନ୍ତି ନା ନାହିଁ ସେନେଇ ଜେରା କରୁଛି ମିଳିତ ଟିମ୍ । ପାକିସ୍ତାନ isi ଏଜେଣ୍ଟ ମାନଙ୍କ ସହିତ କେମିତି ଥିଲା ଅଭିଜିତର ଲିଙ୍କ। କେମିତି ହେଉଥିଲା ଟଙ୍କା ଫଣ୍ଡିଂ। ଜାତୀୟ ସୁରକ୍ଷା ସମ୍ବନ୍ଧୀୟ କେଉଁ ସବୁ ତଥ୍ୟ ଲିକ କରିଛି । ଭାରତରେ କେତେଜଣ ଏଜେଣ୍ଟ ଅଛନ୍ତି । ଅଭିଜିତ ଭଳି ଆଉ କେତେ ଗ୍ରୁପ କାମ କରୁଛନ୍ତି ବୋଲି ପ୍ରଶ୍ନ ପଚାରିଛି ତଦନ୍ତକାରୀ ଟିମ୍ । ଡାନିସ ଓ ଖୁରାମଙ୍କ ସହିତ କେଉଁ ସବୁ ତଥ୍ୟ ଦେଇଛି ଅଭିଜିତ । ଏସବୁର ତଥ୍ୟ ଉଗାରୁଛି ଏଟିଏସ୍ । ଅଭିଜିତ, ପାକିସ୍ତାନ ଆର୍ମିର ସିନିଅର ଅଫିସର ଇଣ୍ଟେଲିଜେଣ୍ଟ ସହ ସମ୍ପର୍କରେ ଥିଲା । ଖୁରାମ ସହ ଅଭିଜିତର ସମ୍ପର୍କ ଥିଲା, ପୂର୍ବରୁ ଖୁରାମ ଭାରତ ଆସିଥିଲା । ଅଭିଜିତର ପାସୱାର୍ଡ ନେଇ ଡାନିସ ଆକାଉଣ୍ଟ ଚଲାଉଥିଲା । ପ୍ରତିବଦଳରେ ଅଭିଜିତ ଡାନିସ ଠାରୁ ଟଙ୍କା ଆଣି ଭାରତରେ isi ଏଜେଣ୍ଟକୁ ଟଙ୍କା ଦେଉଥିଲା ।

ପଶ୍ଚିମବଙ୍ଗ: ଥମୁନି ନିର୍ବାଚନୀ ହିଂସା ଗଲାଣି ୧୯ ଜୀବନ

ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା । ପଞ୍ଚାୟତ ନିର୍ବାଚନ ହିଂସାରେ ଏପର୍ଯ୍ୟନ୍ତ ଗଲାଣି ୧୯ ଜଣଙ୍କ ଜୀବନ । ଗତକାଲି ମତଦାନ ହୋଇଥିବା ବେଳେ, ବିଭିନ୍ନ ସ୍ଥାନରେ ହିଂସା ଓ ବୋମାମାଡ଼ ହୋଇଥିଲା । ଯେଉଁଥିରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଗଣ୍ଡଗୋଳ ହୋଇଛି । ବୁଥରେ ଭଙ୍ଗାରୁଜା କରିବା ସହ ବୋମାମାଡ଼ କରିଥିଲେ ଦୁର୍ବୃତ୍ତ ।

ଅନ୍ୟପଟେ ମାଲଦା ଜିଲ୍ଲା କେବିଏମ୍ ପଡାରେ ଟିଏମସି କର୍ମୀଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ଗୁରୁତର ଅବସ୍ଥାରେ ୭ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଂଗ୍ରେସ କର୍ମୀ ଏଭଳି କାଣ୍ଡ ଭିଆଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଅନ୍ୟ କିଛି ସ୍ଥାନରେ ମଧ୍ୟ ହିଂସା ହୋଇଥିବା ଦେଖିବାକୁ ମିଳିଛି ।

ଦିଲ୍ଲୀରେ ୪୧ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ ୪୧ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା ।  ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନ ଜଳବନ୍ଦୀ ହୋଇଛି । ରାସ୍ତା, ଗଳି କନ୍ଦି, ଅଣ୍ଡରପାସ ସବୁଠି ପାଣି ଜମି ରହିଛି। ଜଳବନ୍ଦୀ ଅଞ୍ଚଳ ଅନୁଧ୍ୟାନ କରିବେ ସମସ୍ତ ମନ୍ତ୍ରୀ ଓ ମେୟର । ସେହିପରି ସବୁ ବିଭାଗର ଅଧିକାରୀଙ୍କ ରବିବାର ଛୁଟି ବାତିଲ୍ କରିବା ସହ ସେମାନଙ୍କୁ ଗ୍ରାଉଣ୍ଡକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।

ଗତ ୨୪ଘଣ୍ଟା ମଧ୍ୟରେ ଦିଲ୍ଲୀରେ୧୫୩ ମିଲିମିଟର ବର୍ଷା ହୋଇଛି । ୧୯୮୨ମସିହା ପରେ ଜୁଲାଇ ମାସରେ ଏହା ସର୍ବାଧିକ ବର୍ଷା। ପ୍ରବଳ ବର୍ଷା ଯୋଗୁଁ ବିଦ୍ୟୁତ ସରବରାହ ଓ ଇଣ୍ଟରନେଟ୍ ମଧ୍ୟ ବାଧାପ୍ରାପ୍ତ ହୋଇଛି । କେବଳ ଦିଲ୍ଲୀ ନୁହେଁ ଉତ୍ତର ଭାରତରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ଗତ ଦୁଇ ଦିନ ମଧ୍ୟରେ ବର୍ଷା ଯୋଗୁଁ ଉତ୍ତର ଭାରତରେ ୯ଜଣଙ୍କ ମୃତ୍ୟୁ ହୋଇଛି । ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଦିଲ୍ଲୀ, ହରିୟାଣା, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ, ପଞ୍ଜାବ ଓ ଜାମ୍ମୁ କାଶ୍ମୀରକୁ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି।

ବର୍ଷା ଯୋଗୁଁ ଉତ୍ତର ଭାରତରେ ୨୦ଟି ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସିମଲାରେ ଭୂସ୍ଖଳନରେ ଘର ଭାଙ୍ଗି ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇଛି । ହିମାଚଳପ୍ରଦେଶ କୁଲୁରେ ବେଜ୍ ନଦୀରେ ଜାତୀୟ ରାଜପଥ ଧୋଇ ହୋଇଯାଇଛି । ସେହିପରି ଲାହୁଲ ସ୍ପିତିରେ ଫ୍ଲାସ ଫ୍ଲଡ ଓ ଲ୍ୟାଣ୍ଡସ୍ଲାଇଡ୍ ହୋଇଛି ।

ମହିଳାଙ୍କୁ ପିଟି ୪ କିଲୋ ଟମାଟୋ ଲୁଟ କଲେ ଯୁବକ

ପ୍ରୟାଗରାଜ : ବଜାରରେ ନିଆଁ ଲଗାଇବା ପରେ ଏବେ ଲୁଟେରାଙ୍କ ଟାର୍ଗେଟକୁ ଆସିଲାଣି ଟମାଟୋ। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଟମାଟୋ ଲୁଟର ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ମହିଳା ଦୋକାନୀଙ୍କ ସହିତ ମାରପିଟ କରି ତାଙ୍କଠାରୁ ୪ କିଲୋ ଟମାଟୋ ଲୁଟ କରିଛନ୍ତି ଲୁଟେରା। ଲୁଟକୁ ବିରୋଧ କରିବାରୁ କେବଳ ମହିଳା ନୁହନ୍ତି ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଲୁଟେରା ମାଡ଼ ମାରିଛନ୍ତି। ପୋଲିସ ମାମଲାର ତଦନ୍ତ କରୁଛି।
ଅଭିଯୋଗ ଅନୁସାରେ ଦୁଇ ଦିନ ତଳେ ମହିଳା ଦୋକାନୀ ସନ୍ତୋଷ ଦେବୀଙ୍କ ଦୋକାନକୁ ତାଙ୍କ ଗାଁର ଜଣେ ଯୁବକ ଟମାଟୋ କିଣିବାକୁ ଆସିଥିଲେ। ଟମାଟୋ କିଲୋ ୧୨୦ ଟଙ୍କା ଥିବା ବେଳେ ଯୁବକ ଜଣକ କିଲୋ ପ୍ରତି ୧୦ ଟଙ୍କା ନେବାକୁ ସନ୍ତୋଷ ଦେବୀଙ୍କୁ ବାଧ୍ୟ କରିଥିଲେ। କିନ୍ତୁ ଦୋକାନୀ ୧୦ ଟଙ୍କାରେ ଟମାଟୋ ଦେବାକୁ ମନା କରିଦେଇଥିଲେ। ଏଥିରେ ଉତ୍ତକ୍ଷିପ୍ତ ହୋଇ ଯୁବକ ସନ୍ତୋଷ ଦେବୀଙ୍କୁ ଗାଳିଗୁଲଜ କରିଥିଲେ। ପରେ କିଛି ବ୍ୟକ୍ତିଙ୍କ ସହିତ ଯୁବକ ଜଣକ ଫେରି ତାଙ୍କୁ ମାଡ଼ ମାରିବା ସହିତ ୪ କିଲୋ ଟମାଟୋ ଲୁଟ୍ କରିଥିଲେ।
ଘଟଣାର ପରଦିନ ଯୁବକ ଜଣକ ପୁଣି ଫେରି ମହିଳାଙ୍କୁ ଥାନାରେ ଅଭିଯୋଗ ନକରିବାକୁ ଧମକ ଦେଇଥିଲେ। ପରେ ଅଭିଯୋଗ ଆଧାରରେ ପୋଲିସ ଯୁବକଙ୍କୁ ଅଟକ ରଖିଛି। ତେବେ ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି ଏତଲା ଦାଏର ହୋଇନାହିଁ। ଝାନସି ଥାନାର କୁସମିପୁର ଗାଁରେ ଏହି ଘଟଣା ଘଟିଛି। ଟମାଟୋ ଲୁଟର ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଗୋପାଳପୁରରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବ୍ରହ୍ମପୁର : ଗୋପାଳପୁର ନିର୍ବାଚନମଣ୍ଡଳୀରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବିଜେଡି ପର୍ଯ୍ୟବେକ୍ଷକ ତଥା ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ଗୋପାଳପୁରରେ ପହଞ୍ଚିବା ପରେ ମାନସ ରଞ୍ଜନ ମଙ୍ଗରାଜଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଗୋପାଳପୁର ଜଙ୍କସନରୁ ବିରାଟ ବାଇକ ରାଲିରେ ତାଙ୍କୁ ନେତା ଓ କର୍ମୀ ପାଛୋଟି ନେଇଥିଲେ ।

ରାଲିରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟ ଲୋକପ୍ରତିନିଧିମାନେ ସାମିଲ ହୋଇଥିଲେ । ଏହାପରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବିଜେଡି ପର୍ଯ୍ୟବେକ୍ଷକ ତଥା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଗୋପାଳପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି ।