spot_img
Home Blog Page 2934

ପୁଣି ବଢିଲା +୨ ନାମଲେଖା ଆବେଦନ ଅବଧି, ୩୦ ତାରିଖ ଯାଏ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ପୁଣି ବଢ଼ିଲା ଯୁକ୍ତଦୁଇ ନାମଲେଖା ଆବେଦନ ଅବଧି । ଗତକାଲି ଆବେଦନର ଶେଷ ତାରିଖ ଥିବାବେଳେ ଏହାକୁ ଆସନ୍ତା ୩୦ ତାରିଖକୁ ବୃଦ୍ଧି କରାଯାଇଛି । ନୂତନ ସୂଚୀ ଅନୁସାରେ ଜୁଲାଇ ୬ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ  । ୭ରୁ ୧୩ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ଏହାପରେ ଜୁଲାଇ ୧୯ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇ ୨୦ରୁ ୨୨ ତାରିଖ ମଧ୍ୟରେ ନାମଲେଖା ଶେଷ ହେବ । ଜୁଲାଇ ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ସ୍ପଟ ଆଡମିଶନ । ଅଗଷ୍ଟ ପହିଲାରୁ ଏକାଦଶ ପାଠପଢା ଆରମ୍ଭ ହେବ ।

ଏପର୍ଯ୍ୟନ୍ତ ସାମ୍ସ ପୋର୍ଟାଲ ଜରିଆରେ ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଚଳିତବର୍ଷ ରାଜ୍ୟରେ ୨୧୪୫ଟି କଲେଜରେ ନାମଲେଖା ହେଉଛି । ୧୦୬ଟି ଉନ୍ନତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟ ଏକାଦଶ ଶ୍ରେଣୀ ପାଠପଢା ଆରମ୍ଭ ହେବାକୁ ଯାଉଛି ।

ଅନନ୍ୟ ଏକାମ୍ର ପ୍ରକଳ୍ପ ପାଇଁ ଭୂମିପୂଜନ, ଆଜି ଯଜ୍ଞରେ ଯୋଗଦେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନ୍ । ନାମଯଜ୍ଞରେ କମ୍ପୁଛି ଏକାମ୍ର ନଗରୀ । ଆଲୋକମାଳାରେ ସଜ୍ଜିତ ହୋଇଛି ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ମୁକ୍ତେଶ୍ବର ମନ୍ଦିର, ବିନ୍ଦୁସାଗର ଓ ଅନ୍ୟ ମନ୍ଦିର । ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତ ହୋଇଛି ବିରାଟ ଯଜ୍ଞସ୍ଥଳୀ । ଆଜି ଭୋର ୪ଟାରୁ ଜଳାଧିବାସ ହୋଇଥିବାବେଳେ ୬ଟା ୩୦ରେ ମନ୍ଦିର ଓ ଯଜ୍ଞବେଦୀ ପ୍ରଦକ୍ଷିଣ କରାଯାଇଛି । ଏହା ପରେ ଘଟ ଓ ଦୀପ ସ୍ଥାପନ, ଗୁରୁ ପୂଜନ, ପଞ୍ଚାମୃତ, ପଞ୍ଚଗବ୍ୟ ଶୋଧନ କରାଯାଇ ସୂର୍ଯ୍ୟ ପୂଜା ସହ ଆରମ୍ଭ ହେବ ଯଜ୍ଞ । ଆଜି ଯଜ୍ଞରେ ଯୋଗଦେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଅପରାହ୍ନ ୪ଟା ୧୫ରେ ହର-ପାର୍ବତୀ ମୂର୍ତ୍ତି ଉନ୍ମୋଚନ କରିବେ ।

ଆସନ୍ତାକାଲି ସକାଳ ୧୦ଟା ୧୧ରୁ ୧୦ଟା ୫୦ ଯାଏ ଶିଳା ଶୋଧନ, ଶିଳା ପ୍ରତିଷ୍ଠା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଶିଳାନ୍ୟାସ କରାଯିବ । ସକାଳ ୧୧ଟା ୩୦ ଭିତରେ ପୂର୍ଣ୍ଣାହୂତିରେ ବି ଯୋଗଦେବେ ମୁଖ୍ୟମନ୍ତ୍ରୀ ।  ବିଏମସି ମାର୍କେଟ କମ୍ପ୍ଲେକ୍ସରେ ସ୍କାଏ ପ୍ରୋଜେକ୍ସନ, ଆଲୋକ ଓ ଶବ୍ଦ ପ୍ରଦର୍ଶନ ସହ ନୃତ୍ୟ ଆୟୋଜନ କରାଯାଇଛି । ପ୍ରୋଜେକ୍ଟ ମଡେଲ ଓ ସୂଚନା ପ୍ରଦର୍ଶନୀ ଜରିଆରେ ଏକାମ୍ର କ୍ଷେତ୍ରର ବିକାଶ ସମ୍ପର୍କରେ ପର୍ଯ୍ୟଟକଙ୍କୁ ଅବଗତ କରାଯାଉଛି । ଆଜି ଓ କାଲି ହରିହରନ, ଅନନ୍ତ ସୁବ୍ରମଣି, ଅଭିଲିପସା ପଣ୍ଡା, ଆନନ୍ଦ ନନ୍ଦ, ନୀଳାଦ୍ରି କୁମାରଙ୍କ ପରି ଦେଶର ନାମୀଦାମୀ କଳାକାର ସନ୍ଧ୍ୟା ୫ଟା ୩୦ରୁ ରାତି ୧୦ଟା ଯାଏ ଭଜନ ପରିବେଷଣ କରିବେ । କାର୍ଯ୍ୟକ୍ରମ ପାଇଁ ଏକାମ୍ରବାସୀଙ୍କ ସହଯୋଗରେ ପ୍ରଶାସନ ପକ୍ଷରୁ ଲିଙ୍ଗରାଜ ନଗରୀକୁ ପ୍ଲାଷ୍ଟିକମୁକ୍ତ କରାଯାଇଛି ।

ବରଗଡ଼ ବିକାଶରେ ଲେଖା ହେଉଛି ବିଶେଷ ଅଧ୍ୟାୟ, ଗ୍ରାଉଣ୍ଡରେ ସମୀକ୍ଷା କରୁଛନ୍ତି 5T ସଚିବ

ବରଗଡ଼: ବରଗଡ଼ ବିକାଶର ଲେଖା ହେଉଛି ବିଶେଷ ଅଧ୍ୟାୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗ୍ରାଉଣ୍ଡରେ ସମୀକ୍ଷା କରୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ବରଗଡ଼ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପର ସମୀକ୍ଷା କରୁଛନ୍ତି 5T ସଚିବ । ପ୍ରବଳ ବର୍ଷାରେ ବରଗଡ଼ରେ ସମୀକ୍ଷା କରୁଛନ୍ତି 5T ସଚିବ । ସେଠାରୁ ସୋହେଲା ଡାକ୍ତରଖାନା ଯାଇ ବିକାଶ କାମର ଅନୁଧ୍ୟାନ କରିବେ ଭିକେ ପାଣ୍ଡିଆନ । ଏହାପରେ ଜନସଭାରେ ଲୋକଙ୍କ ସମସ୍ୟା ଶୁଣିବା ପରେ ଆମ୍ବାଭୋନା ବ୍ଲକ କୁରୁମେକେଲରେ ସାଧାରଣ ଲୋକଙ୍କ ସହିତ ଆଲୋଚନା କରିବେ ।

ପାଇକମାଳ 5T ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଭେଟିବେ 5T ସଚିବ । କସ୍ତୁରବା ଗାନ୍ଧୀ ମାତୃ ନିକେତନ ଗସ୍ତ କରି ପିଲାମାନଙ୍କ ସହିତ କିଛି ସମୟ ବିତାଇବେ । ପରେ ପାଇକମାଳର ନୃସିଂହନାଥ ମନ୍ଦିର ପରିଦର୍ଶନ କରି ବିକାଶ କାର୍ଯ୍ୟର ଅନୁଧ୍ୟାନ କରିବେ । ସେଠାରୁ ଆରବି ହାଇସ୍କୁଲ ଗ୍ରାଉଣ୍ଡ ଯାଇ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବେ 5T ସଚିବ । ପଦମପୁର ଅନ୍ବେଷା ହଷ୍ଟେଲରେ ପିଲାମାନଙ୍କ ସହିତ ଆଲୋଚନା କରିବା ପରେ ଗ୍ରାଉଣ୍ଡ ଯାଇ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବେ 5T ସଚିବ । ପଦମପୁର ଅନ୍ବେଷା ହଷ୍ଟେଲରେ ପିଲାମାନଙ୍କ ସହିତ ଆଲୋଚନା କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ସାରାଦିନ ଗ୍ରାଉଣ୍ଡ ଜିରୋରେ 5T ସଚିବଙ୍କ ମାରାଥନ ବିକାଶ ସମୀକ୍ଷା

ବରଗଡ଼: ବରଗଡ ବିକାଶର ଲେଖା ହେଉଛି ବିଶେଷ ଅଧ୍ୟାୟ । 5T ଉପକ୍ରମରେ ଗ୍ରାଉଣ୍ଡରେ ସମୀକ୍ଷା କରିଛନ୍ତି 5T ସଚିବ ଭି କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମିଳୁଛି ପକ୍କା ପ୍ରତିଶ୍ରୁତି । ପୁଣି ମିଳୁଛି ଡେଡଲାଇନ ଭିତରେ ଅନୁଦାନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ 5T ସଚିବ ଭି କେ ପାଣ୍ଡିଆନ୍ ବାରଗଡ ଜିଲ୍ଲା ପରିଦର୍ଶନ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ତଥା ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ସମୀକ୍ଷା କରିଛନ୍ତି । ସେ ପ୍ରଥମେ ଅତାବିରା ବ୍ଲକର ସାରଣ୍ଡା 5T ହାଇସ୍କୁଲ ପରିଦର୍ଶନ କରିଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସହିତ 5T ହାଇସ୍କୁଲ ରୂପାନ୍ତରିକରଣ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ ।

ସେମାନଙ୍କର ଲକ୍ଷ୍ୟ ଏବଂ ଆକାଂକ୍ଷା ପୂରଣ କରିବା ପାଇଁ କାର୍ଯ୍ୟ ଜାରି ରଖିବାକୁ ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ । ଏହାପରେ ଅତାବିରା ବ୍ଲକ ଅନ୍ତର୍ଗତ ବିଶ୍ୱେଶ୍ୱର ମନ୍ଦିର ଏବଂ ମା ଦୁର୍ଗା ମନ୍ଦିର ପରିଦର୍ଶନ କରିଥିଲେ ଏବଂ ରାମଚଣ୍ଡୀ ମନ୍ଦିର ଓ ବୈଷ୍ଣୋଦେବୀ ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିର ବିକାଶ ପାଇଁ DPR ପ୍ରସ୍ତୁତି ତଥା ତୀର୍ଥଯାତ୍ରୀମାନଙ୍କ ପାଇଁ ସୁବିଧା ସମ୍ପର୍କରେ ମନ୍ଦିର କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଅତାବିରାରେ ଥିବା ଆନନ୍ଦ କଲ୍ୟାଣ ମଣ୍ଡପ, ରାମଚଣ୍ଡୀ କଲ୍ୟାଣ ମଣ୍ଡପରେ ଜନସାଧାରଣଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ସେମାନଙ୍କ ଅଭିଯୋଗ ଶୁଣିଥିଲେ । ସମସ୍ତ ଅଭିଯୋଗର ତ୍ୱରିତ ସମାଧାନ ହେବ ବୋଲି ଜନସାଧାରଣଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ୫ଟି ସଚିବ ।

ପ୍ରବଳ ବର୍ଷା ସତ୍ତ୍ୱେ ବହୁ ସଂଖ୍ୟାରେ ଜନସାଧାରଣ ଅଭିଯୋଗ ସମାଧାନ ସଭାଗୁଡ଼ିକରେ ଅଂଶଗ୍ରହଣ କରିଥିଲେ । ଶ୍ରୀ ପାଣ୍ଡିଆନ୍ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇବା ସହ ଉଲ୍ଲେଖ କରିଛନ୍ତି ଯେ ଖରା ହେଉ କି ବର୍ଷା ହେଉ ନାଗରିକଙ୍କ ନିକଟରେ ପହଞ୍ଚିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ନିର୍ଦେଶ ଅନୁଯାଯୀ ଗ୍ରାଉଣ୍ଡରେ ମୁଁ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ । ବାରାପାଲି ସଭାରେ ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ରେକର୍ଡିଂ ଶୁଣାଇଥିଲେ 5T ସଚିବ । ଏହି ଅଡ଼ିଓରେ ମୁଖ୍ୟମନ୍ତ୍ରୀ  କହିଥିଲେ ଯେ ସେ ତାଙ୍କ ସଚିବ ପାଣ୍ଡିଆନ ବାବୁଙ୍କୁ ଲୋକଙ୍କ ଅଭିଯୋଗ ଶୁଣିବାକୁ ପଠାଇଛନ୍ତି । ବରଗଡରେ ଥିବା ସମ୍ବଲପୁରୀ ବସ୍ତ୍ରାଳୟ ପରିଦର୍ଶନ କରି ସୋସାଇଟି ଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟକଳାପର ସମୀକ୍ଷା କରିଥିଲେ ।

ଏତିସହିତ ସେ ବୁଣାକାରଙ୍କ ସହ କଥାବାର୍ତ୍ତା କରି ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସେମାନଙ୍କୁ ସମର୍ଥନ ମିଳିବ ବୋଲି ନିଶ୍ଚିତ କରିଥିଲେ । ଏହା ପରେ ସେ ଭଟଲି ବ୍ଲକର ଅନ୍ତର୍ଗତ ନିର୍ମାଣାଧୀନ (ଜି+ 5) କର୍କଟ ହସ୍ପିଟାଲକୁ ଯାଇ ଏହାର ଅଗ୍ରଗତିର ସମୀକ୍ଷା କରି ଡିସେମ୍ବର ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ସେ ବରଗଡ଼ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ, ଆମ ହସ୍ପିଟାଲ ଇନିସିଏଟିଭ ଅନୁଯାୟୀ ଚାଲିଥିବା କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ । ବରଗଡ ବ୍ଲକ କ୍ୟାମ୍ପସରେ ଥିବା ମିଶନ ଶକ୍ତି କାଫେ ପରିଦର୍ଶନ କରିଥିଲେ ଏବଂ ଏହି କାଫେ ପରିଚାଳନା କରୁଥିବା ମିଶନ ଶକ୍ତି ସଦସ୍ୟାଙ୍କ ସହ କଥାବାର୍ତ୍ତା କରିଥିଲେ ।

ଏହାପରେ ସେ ବାରପାଲି ଇନଡୋର ଷ୍ଟାଡିୟମ ପରିଦର୍ଶନ କରି ଚାଲିଥିବା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ । ଏଠାରେ ସେ ଜନସାଧାରଣ ଏବଂ କ୍ରୀଡ଼ାବିତଙ୍କ ସହ କଥାବାର୍ତ୍ତା ହୋଇଥିଲେ ଏବଂ ଏହି ଅଞ୍ଚଳରେ କ୍ରୀଡ଼ାର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟଗୁଡ଼ିକୁ ସଠିକ୍ ସମୟରେ ଶେଷ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ବରପାଲି ସ୍ଥିତ ଗଙ୍ଗାଧର ମେହେରଙ୍କ ଜନ୍ମସ୍ଥାନ ପରିଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗଙ୍ଗାଧର ମେହର ସ୍ମାରକୀ ବିକାଶ ଉପରେ କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ।

ଏହାପରେ ସେ ମିଶନ ଶକ୍ତି ଫେଡେରେସନ ଅଫିସ ଧାରକ ଏବଂ ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । ମିଶନ ଶକ୍ତି ଗୋଷ୍ଠୀ ଏବଂ ମହିଳା ସଶକ୍ତିକରଣ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଭିଜନ ଏବଂ ସମର୍ଥନ ବିଷୟରେ ସୂଚନା ଦେଇଥିଲେ । ବିଭିନ୍ନ ଗୋଷ୍ଠୀ ମଧ୍ୟ ସେମାନଙ୍କର ଅଭିଯୋଗ ଦେଇଥିଲେ ଏବଂ ପାଇଭ ଟି ସଚିବ ସମାଧାନର ପ୍ରତିଶ୍ରୁତି ଦେଇଥିଲେ । ପରେ ସନ୍ଧ୍ୟାରେ ସେ ବିଭିନ୍ନ ଶିକ୍ଷାନୁଷ୍ଠାନର କଲେଜ ଛାତ୍ର ଏବଂ କର୍ମଚାରୀଙ୍କୁ ଭେଟିଥିଲେ ।

୫୬ଟି କଲେଜ ଏବଂ ଉଚ୍ଚ ମାଧ୍ୟମିକ ବଦ୍ୟାଳୟ ୫ଟି ଉପକ୍ରମ ଅଧୀନରେ ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ୨୬.୭୫ କୋଟି ଟଙ୍କା ମଞ୍ଜୁର କରିଥିବା ଘୋଷଣା କରିଥିଲେ ଭିକେ ପାଣ୍ଡିଆନ । ଛାତ୍ରଛାତ୍ରୀଙ୍କୁ ଭେଟି ଭଲ ଅଧ୍ୟୟନ କରିବାକୁ ଏବଂ ନିଜର ସ୍ୱପ୍ନକୁ ପୂରଣ ଦିଗରେ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ | ସେ ଓଡିଶାର ଯୁବକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ସ୍ତରରେ ସମସ୍ତ ସହାୟତା ଦିଆଯିବ ବୋଲି କହିଥିଲେ ।

ରାଜ୍ୟରେ ଖୋଲିବ ୯୩ଟି ନୂତନ ଆହାର କେନ୍ଦ୍ର, ଏଣିକି ରବିବାର ବି ଖୋଲା ରହିବ ଆହାର କେନ୍ଦ୍ର

ଭୁବନେଶ୍ୱର: ଆଉ ରବିବାରରେ ଖାଦ୍ୟପାଇଁ ହନ୍ତସନ୍ତ ହେବେନି ଡାକ୍ତରଖାନା ଆସୁଥିବା ଗରିବ । ଏଣିକି ରବିବାରରେ ବି ଡାକ୍ତରଖାନା ପରିସରରେ ଖୋଲା ରହିବ ଆହାର କେନ୍ଦ୍ର । ଏନେଇ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସମସ୍ତ ମହାନଗର ନିଗମ କମିଶନର ତଥା ସିଟି ଆହାର ସମିତି ସଭାପତି ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ଆହାର ସମିତିର ସଭାପତିମାନଙ୍କୁ ଅବଗତ କରାଯାଇଛି । ଏଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏବେ ରାଜ୍ୟରେ ମୋଟ ୧୬୭ଟି ଆହାର କେନ୍ଦ୍ର ରହିଛି । ସେଥିରୁ ୮୨ଟି କେନ୍ଦ୍ର ଡାକ୍ତରଖାନା ପରିସରରେ ରହିଛି ।

ଏଥିରୁ ୫୮ଟିରେ ରାତିରେ ମଧ୍ୟ ଖାଦ୍ୟ ମିଳୁଛି । ୮୨ଟି କେନ୍ଦ୍ରରେ ଦୈନିକ ହାରାହାରି ୪୮ହଜାର ଲୋକ ଉପକୃତ ହେଉଛନ୍ତି । ରବିବାର କେନ୍ଦ୍ରଗୁଡିକ ବନ୍ଦ ରହୁଥିବାରୁ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏନେଇ ସ୍ବାସ୍ଥ୍ୟ ବିଭାଗ ଗୃହ ଓ ନଗର ଉନ୍ନୟନ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲା । ଆବଶ୍ୟକାକୁ ଦୃଷ୍ଟିରେ ରଖି ରବିବାର ମଧ୍ୟ ଡାକ୍ତରଖାନା ପରିସରରେ ଆହାର କେନ୍ଦ୍ରଗୁଡିକ ଖୋଲା ରଖିବା ପାଇଁ ନିଷ୍ପତ୍ତି ହୋଇଛି ।

ରାଜ୍ୟରେ ବଢିବ ଆହାର କେନ୍ଦ୍ରର ପରିସର । ଖୋଲିବ ଆଉ ୯୩ଟି ନୂଆ ଆହାର କେନ୍ଦ୍ର । ଏଥିପାଇଁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଏବେ ୧୬୭ଟି ଆହର କେନ୍ଦ୍ର ଥିବାବେଳେ ୯୩ଟି ନୂତନ କେନ୍ଦ୍ର ହୋଇ ସଂଖ୍ୟା ୨୬୦କୁ ବୃଦ୍ଧି ପାଇବ । ନୂତନ ଭାବେ ପ୍ରତିଷ୍ଠା ହେବାକୁ ଥିବା ସମସ୍ତ ଆହର କେନ୍ଦ୍ର ସମସ୍ତ ପ୍ରାଥମିକ ଓ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଅଥବା ନିକଟରେ ଖୋଲାଯିବ । ଏହାଦ୍ବାରା ଏକ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଝଟକା, ବିଆରଏସ୍ ଛାଡ଼ି କଂଗ୍ରେସରେ ମିଶିଲେ ଅନେକ ନେତା ଓ ପୂର୍ବତନ ମନ୍ତ୍ରୀ

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଦଳ ବିଆରଏସକୁ ବଡ଼ ଝଟକା ଦେଇଛି କଂଗ୍ରେସ । ବିଆରଏସର ଅନେକ ପୂର୍ବତନ ମନ୍ତ୍ରୀ, ସାଂସଦ ଓ ନେତା କଂଗ୍ରେସରେ ଯୋଗ ଦେଇଛନ୍ତି । ପୂର୍ବତନ ସାଂସଦ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ, ତେଲେଙ୍ଗାନାର ପୂର୍ବତନ ମନ୍ତ୍ରୀ ଜୁପଲ୍ଲୀ କୃଷ୍ଣା ରାଓଙ୍କ ସମେତ ୧୦ ନେତା ସୋମବାର କଂଗ୍ରେସରେ ସାମିଲ ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ନେତାମାନେ ଦଳରେ ସାମିଲ ହୋଇଛନ୍ତି ।

ଏହି ଅସବରରେ କଂଗ୍ରେସର ସଂଗଠନ ମହାସଚିବ କେସି ଭେନୁଗୋପାଳ, ଦଳର ତେଲେଙ୍ଗାନା ପ୍ରଭାରୀ ମାଣିକରାଓ ଟାକରେ ଏବଂ ପ୍ରଦେଶ କଂଗ୍ରେସ ଦଳର ଅଧ୍ୟକ୍ଷ ରେୱନ୍ତ ରେଡ୍ଡୀ ଉପସ୍ଥିତ ଥିଲେ । ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧି ଏହା ବ୍ୟତୀତ ଏଆଇସିସି କାର୍ଯ୍ୟାଳୟରେ ତେଲେଙ୍ଗେନା କଂଗ୍ରେସ ନେତାମାନଙ୍କୁ ମଧ୍ୟ ଭେଟିଥିଲେ ।

ପିଏସ୍ ରେଡ୍ଡୀ ଏବଂ କୃଷ୍ଣା ରାଓଙ୍କ ବ୍ୟତୀତ ପୂର୍ବତନ ବିଧାୟକ ଗୁରୁନାଥ ରେଡ୍ଡୀ, ପୂର୍ବତନ ବିଧାୟକ ଏବଂ ସେୱାରତ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୋରାମ କନକୌୟା, ପୂର୍ବତନ ବିଧାୟକ ପାୟମ ଭେଙ୍କଟେଶ୍ୱରଲୁ, ଡିସିସିବି ପୂର୍ବତନ ଅଧ୍ୟକ୍ଷ ମୁୱାମେଣ୍ଟ ବିଜୟା ବେବି, ଏସସି କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ପୀଦମାର୍ଥୀ ରବି, ବର୍ତ୍ତମାନ ଡିସିସିବି ଅଧ୍ୟକ୍ଷ ଥୁଲ୍ଲୁରୀ ବ୍ରହ୍ମୈୟା, ବର୍ତ୍ତମାନ ମାର୍କଫେଡ ରାଜ୍ୟ ଉପାଧ୍ୟକ୍ଷ ବୋର୍ଯା ରାଜଶେଖର ଏବଂ ବୋର୍ଯାରୁ ନାଗପାଳିକା ଅଧ୍ୟକ୍ଷ ଥିବା ଏସ୍ ଜୟପାଲ କଂଗ୍ରେସରେ ସାମିଲ ହୋଇଛି ।

ଏକାମ୍ର ପ୍ରକଳ୍ପ ପାଇଁ ଭୂମିପୂଜନ ଆରମ୍ଭ, ୨୮ ତାରିଖରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏକାମ୍ର ପ୍ରକଳ୍ପ ପାଇଁ ଆଜିଠାରୁ ଭୂମିପୂଜନ ଆରମ୍ଭ ହୋଇଛି । ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପରମ୍ପରା ଆଧାରିତ ଏହି ପ୍ରକଳ୍ପ ପାଇଁ ତିନିଦିନ ପୂଜା ଚାଲିବ । ଏଥିପାଇଁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଆୟୋଜନ ହୋଇଛି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ । ଆସନ୍ତା ୨୮ ତାରିଖରେ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଯଜ୍ଞରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯୋଗଦେବେ। ଆଲୋକମାଳାରେ ସଜ୍ଜିତ ହୋଇଛି ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ମୁକ୍ତେଶ୍ବର ମନ୍ଦିର, ବିନ୍ଦୁସାଗର ଓ ଅନ୍ୟ ମନ୍ଦିର ।

ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତ ହୋଇଛି ବିରାଟ ଯଜ୍ଞସ୍ଥଳୀ । ସନ୍ଧ୍ୟାରେ ଅଙ୍କୁର ରୋପଣ ପରେ ରାତି ୧୧ଟାରେ ମଣ୍ଡଳକରଣ । ମଙ୍ଗଳବାର ଭୋର୍ ୪ଟାରୁ ଜଳାଧିବାସ, ୬ଟା ୩୦ରେ ମନ୍ଦିର ଓ ଯଜ୍ଞବେଦୀ ପ୍ରଦକ୍ଷିଣ କରାଯିବ । ଏହା ପରେ ଘଟ ଓ ଦୀପ ସ୍ଥାପନ, ଗୁରୁ ପୂଜନ, ପଞ୍ଚାମୃତ, ପଞ୍ଚଗବ୍ୟ ଶୋଧନ କରାଯାଇ ସୂର୍ଯ୍ୟ ପୂଜା ସହ ଆରମ୍ଭ ହେବ ଯଜ୍ଞ । ଆସନ୍ତା ତିନିଦିନ ଧରି ବିଏମସି ମାର୍କେଟ କମ୍ପ୍ଲେକ୍ସରେ ସ୍କାଏ ପ୍ରୋଜେକ୍ସନ, ଆଲୋକ ଓ ଶବ୍ଦ ପ୍ରଦର୍ଶନ ସହ ନୃତ୍ୟ ଆୟୋଜନ କରାଯାଇଛି ।

ପ୍ରୋଜେକ୍ଟ ମଡେଲ ଓ ସୂଚନା ପ୍ରଦର୍ଶନୀ ଜରିଆରେ ଏକାମ୍ର କ୍ଷେତ୍ରର ବିକାଶ ସମ୍ପର୍କରେ ପର୍ଯ୍ୟଟକଙ୍କୁ ଅବଗତ କରାଯାଉଛି । ଜୁନ୍ ୨୭ ଓ ୨୮ରେ ହରିହରନ, ଅନନ୍ତ ସୁବ୍ରମଣି, ଅଭିଲିପସା ପଣ୍ଡା, ଆନନ୍ଦ ନନ୍ଦ, ନୀଳାଦ୍ରି କୁମାରଙ୍କ ପରି ଦେଶର ନାମୀଦାମୀ କଳାକାର ସନ୍ଧ୍ୟା ୫ଟା ୩୦ରୁ ରାତି ୧୦ଟା ଯାଏ ଭଜନ ପରିବେଷଣ କରିବେ । କାର୍ଯ୍ୟକ୍ରମ ପାଇଁ ଏକାମ୍ରବାସୀଙ୍କ ସହଯୋଗରେ ପ୍ରଶାସନ ପକ୍ଷରୁ ଲିଙ୍ଗରାଜ ନଗରୀକୁ ପ୍ଲାଷ୍ଟିକମୁକ୍ତ କରାଯାଇଛି ।

‘ଆପଣମାନଙ୍କ ସୁଖଦୁଃଖ ବୁଝିବାକୁ ମୁଁ ମୋ ସଚିବଙ୍କୁ ପଠାଇଛି’,ସଭାରେ ମୁଖ୍ୟମନ୍ତ୍ରୀଙ୍କ ଅଡ଼ିଓ ବାର୍ତ୍ତା ଶୁଣାଇଲେ 5T ସଚିବ

ବରଗଡ଼: ଆଜି ବରଗଡ଼ଗସ୍ତରେ ଥିବା 5T ସଚିବ ଭି.କେ ପାଣ୍ଡିଆନ୍ ଏକ ସଭାରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଲୋକଙ୍କୁ ଶୁଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବଲପୁରୀ ଭାଷାରେ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ ସେ ଲୋକଙ୍କ ସୁଖଦୁଃଖ ବୁଝିବାକୁ ତାଙ୍କ ସଚିବ ପାଣ୍ଡିଆନ୍ ବାବୁଙ୍କୁ ପଠାଇଥିବା କହିଛନ୍ତି । ଲୋକଙ୍କ ସବୁ ପ୍ରକାର ସମସ୍ୟାର ସମାଧାନ ପାଇଁ ଆପଣମାନଙ୍କ ପାଖକୁ ପାଣ୍ଡିଆନ ବାବୁଙ୍କୁ ପଠାଇଛି ବୋଲି ନବୀନ ନିଜ ବାର୍ତ୍ତାରେ କହିଛନ୍ତି । ବରଗଡ ନିଶାମଣି ହାଇସ୍କୁଲ ପଡିଆରେ ଆୟୋଜିତ ଜନସଭାରେ ଏହି ଅଡିଓ ଶୁଣାଛନ୍ତି 5T ସଚିବ ।

୧୮ ତାରିଖରେ ଆଦ୍ଵିକ ପାଳିଥିଲା ପ୍ରଥମ ଜନ୍ମଦିନ, କିଏ ଜାଣିଥିଲା ଏହା ତାର ପ୍ରଥମ ଆଉ ଶେଷ ଜନ୍ମଦିନ ଥିଲା

ଦିଗପହଣ୍ଡି: ମୃତ୍ୟୁର ତାରିଖ ଯେବେ ପାଖେଇଆସେ ବୋଧହୁଏ ମଣିଷ ଅଜାଣତରେ ବେଶୀ ଖୁସି ହୁଏ । ଜୀବନର ପୃଷ୍ଠା ଯେତେବେଳେ ସରିଆସେ ବୋଧହୁଏ ମଣିଷ ଶେଷଥର ପାଇଁ ଭଲକି ହସିଦିଏ । ଜୀବନର ଗୁଢ ରହସ୍ୟ ଭିତରେ ଆଞ୍ଜୁଳାଏ ଆଶାକୁ ନେଇ ଯିଏ ନ ବଞ୍ଚିଛି ସିଏକି ଜାଣିବ ଜୀବନ କଣ । ଏଠିବି ସେମିତି ଚାଲିଥିଲା ଉତ୍ସବ, ହସଖୁସି ଆଉ କୋଳାହଳ । ଗୋଟିଏ ବୋଲି ପୁଅ, ପୁଣି ପ୍ରଥମ ଜନ୍ମଦିନ । ଆଦ୍ବିକର ବର୍ଷପୂରାଣିରେ ଧୁମ୍ ମଜା କରିଥିଲେ ବାପାମାଆ, ବନ୍ଧୁବାନ୍ଧବ ଆଉ ସାହି ପରିଜନ । ହେଲେ ସ୍ବନକ୍ଷତ୍ରର ସପ୍ତାହେ ପରେ ଯେ ମାଆପୁଅ ଶବ ପାଲଟିଯିବେ ଏକଥା ନା ଭାବି ହେଉଛି ଗ୍ରହଣ କରିହେଉଛି ।

 

ରବିବାର ରାତିରେ ଇଏ ଥିଲା ମାଆପୁଅଙ୍କ ଶେଷ ଫଟୋ । କାଖରେ ଶେଷଥର ପାଇଁ କୁନିପୁଅକୁ କାଖେଇଥିଲେ ଶିବାନୀ । କାଳେ କାହା ନଜର ଲାଗିଯିବ, ତେଣୁ କଳାଟିପାଟେ ବି ଲଗାଇଥିଲେ । ହେଲେ ଜାଣି ନଥିଲେ, ଯମ ତାଙ୍କ ସହ ବର୍ଷକର ପୁଅକୁ ବି କୋଳେଇ ନେବ କାଳରାତିରେ ।

ବ୍ୟର୍ଥ ଗଲାନି ମା’ର ନିବେଦନ, BSKY ଜରିଆରେ ହେଲା ଚିକିତ୍ସା ବ୍ୟବସ୍ଥା 

ଭୁବନେଶ୍ଵର: ନିଜ ପୁଅର ଚିକିତ୍ସା ନିମନ୍ତେ ନୂଆପଡା ଜିଲ୍ଲା ସିନାପାଲୀ ବ୍ଲକ ଅନ୍ତର୍ଗତ ମଖାପଦର ଗ୍ରାମର ବୟସ୍କ ବିଧବା ମହିଳା କପୁର ବନଛୋରଙ୍କ ନିବେଦନ ବିଷୟ ଗଣମାଧ୍ୟମରୁ ଜାଣିବା ମାତ୍ରେ, ବିଏସକେୱାଇ ଟିମ୍ ପକ୍ଷରୁ ତାଙ୍କର ସହାୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶୋଭାରାଣୀ ମିଶ୍ରଙ୍କ ନିର୍ଦ୍ଦେଶ ମତେ ସିନାପାଲୀ କମ୍ୟୁନିଟି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ତଥା ଭାରପ୍ରାପ୍ତ ମେଡିକାଲ ଅଫିସର କପୁରଙ୍କ ଘରକୁ ଯାଇ ତାଙ୍କ ଦୁଇ ପୁଅଙ୍କର ସ୍ୱାସ୍ଥ୍ୟ ଅବସ୍ଥା ତନଖି କରିଥିଲେ, ପରୀକ୍ଷାରୁ ଜଣାପଡିଥିଲା ଯେ, ଭୀମସେନ ବନଛୋର (କପୁରଙ୍କ ୨ୟ ପୁତ୍ର) ୨୦୨୨ ମସିହାରେ ବାତଜ୍ଵରରେ ଆକ୍ରାନ୍ତ ହୋଇ କଷ୍ଟ ପାଇଥିଲେ।
ତାଙ୍କୁ ସ୍ଥାନୀୟ ଖଡିଆଳ ମିଶନ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରଯାଇଥିଲା । ତେବେ ଉଚ୍ଚତର ଚିକିତ୍ସା ନିମନ୍ତେ କୌଣସି ସୁପର ସ୍ପେସାଲିଟି ହସ୍ପିଟାଲକୁ ନେବାପାଇଁ ମଧ୍ୟ ସ୍ଥାନୀୟ ଡାକ୍ତର ପରାମର୍ଶ ଦେଇଥିଲେ । ଗ୍ରାମବାସୀଙ୍କ ସାହାଯ୍ୟରେ ଭୀମସେନ ରାୟପୁର ସ୍ଥିତ ବାଲାଜୀ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ତାଙ୍କର ଚିକିତ୍ସା ବାବଦରେ ୪୧ହଜାର ଟଙ୍କାର ଖର୍ଚ୍ଚ ବି.ଏସ୍.କେ.ୱାଇ. ମାଧ୍ୟମରେ ଓଡିଶା ସରକାର ପଇଠ କରିଥିଲେ । ପରେ, ପୁନଶ୍ଚ ଅସୁସ୍ଥ ଅନୁଭବ କରିବାରୁ ଭୀମସେନ ଭୁବନେଶ୍ଵର ଏମ୍ସ୍ ହସପିଟାଲକୁ ଯାଇ ଡାକ୍ତର ପରାମର୍ଶ କରିଥିଲେ ।
ଡାକ୍ତର ଔଷଧ ଖାଇବା ନିମନ୍ତେ ତାଙ୍କୁ ପ୍ରେସକ୍ରିପସନ୍ ଲେଖିଛନ୍ତି ଏବଂ ଔଷଧ ଖାଇବା ସହ ବ୍ରେନ ଏମ୍.ଆର.ଆଇ. କରିବା ପାଇଁ କହିଛନ୍ତି । ଏମ୍ସ୍ ର ଡାକ୍ତର ଲେଖିଥିବା ଆଣ୍ଟିଏପିଲେପଟିକ  ଔଷଧ ସବୁ ନିରାମୟ ଯୋଜନା ମାଧ୍ୟମରେ ଭିମସେନଙ୍କୁ ମାଗଣାରେ ସିନାପାଲୀ ଡାକ୍ତରଖାନାରୁ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହାଛଡା ପରବର୍ତ୍ତୀ ସମୟରେ ଏମ୍ସ୍ ରେ ଚିକିତ୍ସା ପାଇଁ ଯାତାୟାତ ନିମନ୍ତେ ତାଙ୍କୁ ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା କରାଯାଇଛି ।  କପୁରଙ୍କ ୧ମ ପୁତ୍ର ରୂପଧର ବନଛୋର (୩୧ ବର୍ଷ) ଜଣେ ଶତ ପ୍ରତିଶତ ମାନସିକ ଭିନ୍ନକ୍ଷମ ରୋଗୀ ବୋଲି ତନଖିରୁ ଜଣାପଡିଥିଲା।
ତାଙ୍କ ପାଇଁ ଆବଶ୍ୟକୀୟ ଔଷଧ ଓ ପରାମର୍ଶ ଦିଆଯାଇଛି ଏବଂ ମାସିକ ୭୦୦ ଟଙ୍କାର ଭିନ୍ନକ୍ଷମ ଭତ୍ତା ମଞ୍ଜୁର କରାଯାଇଛି । କପୁର ବନଛୋରଙ୍କୁ ବିଧବା ଭତ୍ତା ଦିଆଯିବା ସହ ତାଙ୍କ ପରିବାରକୁ ଖାଦ୍ୟ ନିରାପତ୍ତା ଯୋଜନାରେ ସାମିଲ କରାଯାଇଛି । ଗରିବ ମା’ର ପିଲାଙ୍କ ଚିକିତ୍ସା ନିମନ୍ତେ ବି.ଏସ୍.କେ.ୱାଇ. ଟିମ୍ ର ଏତାଦୃଶ ପ୍ରଚେଷ୍ଟା କୁ ସ୍ଥାନୀୟ ବୁଦ୍ଧିଜୀବୀ ସନ୍ତୋଷ ପ୍ରକାଶ କରିଛନ୍ତି । ଗରିବ ପରିବାରଙ୍କ ଦୁଃଖ କଥା ଦୃଷ୍ଠିକୁ ଆଣିଥିବାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବି.ଏସ୍.କେ.ୱାଇ. ଟିମ୍ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି।