spot_img
Home Blog Page 2939

ବିରାଟ କୋହଲିଙ୍କ ବିନା ଦଳରେ ମୋର ପ୍ରତ୍ୟାବର୍ତ୍ତନ ସମ୍ଭବ ହୋଇନଥାନ୍ତା: ଯୁବରାଜ ସିଂହ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଭାରତକୁ ଦୁଇଥର ବିଶ୍ୱ ଚାମ୍ପିଅନ ବନାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ୨୦୦୭ରେ ହୋଇଥିବା ଟି୨୦ ବିଶ୍ୱକପ୍ ସମୟରେ ସେ ଇଂଲଣ୍ଡ ବିପକ୍ଷ କର ବା ମର ମ୍ୟାଚରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ । ୨୦୧୧ ବିଶ୍ୱକପରେ ଲଗାତାର ଭଲ ପ୍ରଦର୍ଶନ କରି ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ମଧ୍ୟ ବିବେଚିତ ହୋଇଥିଲେ ।

ଅବଶ୍ୟ ୨୦୧୧ ଦିନିକିଆ ବିଶ୍ୱକପ୍ ପରେ ଯୁବରାଜଙ୍କୁ ନିଜର କ୍ୟାନ୍ସର ରୋଗ ସମ୍ପର୍କରେ ଜଣାପଡ଼ିଥିଲା, ଯେଉଁକାରଣରୁ ତାଙ୍କୁ କ୍ରିକେଟରୁ ବ୍ରେକ ନେବାକୁ ପଡ଼ିଥିଲା ଏବଂ ଯେବେ ସେ ଏକ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିଥିଲେ ତେବେ ତାଙ୍କୁ ଦଳରେ ସ୍ଥାନ ବନାଇ ରଖିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡ଼ିଥିଲା । ଯୁବରାଜ ନିକଟରେ ହିଁ ନିଜ ପ୍ରତ୍ୟାବର୍ତ୍ତନକୁ ନେଇ ଅନେକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ କୋହଲି ନଥିଲେ ସେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରିନଥାନ୍ତେ । ଯୁବରାଜ ସିଂହ ଭାରତ ପାଇଁ ଶେଷ ଦିନିକିଆ ୨୦୧୭ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିଲେ । ଏହି ବର୍ଷ ସେ ଇଂଲଣ୍ଡ ବିପକ୍ଷ ନିଜ ଦିନିକିଆ କ୍ୟାରିଅରର ସର୍ବୋଚ୍ଚ ସ୍କୋର କରିଥିଲେ ।

ଇଂଲଣ୍ଡ ବିପକ୍ଷରେ ସେ ୧୫୦ ରନ୍ କରିଥିଲେ । ଟି୨୦ ଅନ୍ତର୍ଜାତୀୟରେ ମଧ୍ୟ ତାଙ୍କୁ ଅନେକ ସୁଯୋଗ ମିଳିଥିଲା ହେଲେ ସେ ତାର ଫାଇଦା ଉଠାଇ ପାରିନଥିଲେ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି, ଯେବେ ମୁଁ ପ୍ରତ୍ୟାବର୍ତ୍ତନ କରିଥିଲି, ବିରାଟ କୋହଲି ମୋତେ ସପୋର୍ଟ କରିଥିଲେ । ଯଦି ସେ ମୋର ସମର୍ଥନ କରିନଥାନ୍ତେ ତେବେ ମୁଁ ପତ୍ୟାବର୍ତ୍ତନ କରିପାରିନଥାନ୍ତି । ପ୍ରାକ୍ଟିସ ମ୍ୟାଚ୍ ହେଉ ବା ବ୍ୟକ୍ତିଗତ ଜୀବନ ସେ ଅନେକ ସହାୟତା କରିଛନ୍ତି । କିନ୍ତୁ ସେବେ ଧୋନୀ ଥିଲେ ଯିଏକି ମୋତେ ୨୦୧୯କୁ ନେଇ ସଠିକ ଚିତ୍ର ଦେଖାଇଥିଲେ । ସେ କହିଥିଲେ ଯେ ଚୟନକର୍ତ୍ତା ତାଙ୍କ ସମ୍ପର୍କରେ ଚିନ୍ତା କରୁନାହାନ୍ତି । ଏହାପରେ ମୁଁ କ୍ୟାରିଅରକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲି ବୋଲି ଯୁବରାଜ କହିଛନ୍ତି ।

ବିଦ୍ୟୁତ ଉପଭୋକ୍ତା ନିୟମରେ ଆଉ ଏକ ପରିବର୍ତ୍ତନ, ଉପଭୋକ୍ତାଙ୍କୁ ଦିନ ଅପେକ୍ଷା ରାତିରେ ଅଧିକ ପଇଠ କରିବାକୁ ପଡ଼ିବ

ଭୁବନେଶ୍ୱର: ବଦଳିବ ବିଜୁଳି ଦର । ଦିନରେ କମିବ ରାତିରେ ବଢିବ । ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଉପଯୋଗ ଯୋଜନା ଉପଲବ୍ଧ । କେନ୍ଦ୍ରୀୟ ବିଦ୍ୟୁତ ନିୟାମକ ଆୟୋଗଙ୍କ ସୁପାରିଶ । ବିଦ୍ୟୁତ ଉପଭୋକ୍ତା ନିୟମରେ ହୋଇଛି ଆଉ ଏକ ପରିବର୍ତ୍ତନ । ସୌରଶକ୍ତିକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନିୟମରେ ଏଭଳି ପରିବର୍ତ୍ତନ ହୋଇଛି । ଦିନରେ ସୌରଶକ୍ତି ଉତ୍ପାଦନ ହେଉଥିବାରୁ ଏହା ପାରମ୍ପରିକ ଶକ୍ତିର ଭରଣା କରିବ ।

ହେଲେ ରାତି ବେଳା ଅଧିକ ବିଜୁଳି ବ୍ୟବହାର ହେଉଥିବାରୁ ଉପଭୋକ୍ତାଙ୍କୁ ଦିନ ଅପେକ୍ଷା ରାତିରେ ଅଧିକ ପଇଠ କରିବାକୁ ପଡ଼ିବ । ସ୍ମାର୍ଟ ମିଟରିଂ ଜରିଆରେ ବିଜୁଳି ଉପଯୋଗ ହେଉନଥିଲେ, ଗ୍ରାହକ ବାହାରେ ରହି ମଧ୍ୟ ଏହାକୁ ନିୟନ୍ତ୍ରଣ କରିପାରିବେ । ବିଦ୍ୟୁତ ଶୁଳ୍କ ବ୍ୟବସ୍ଥାରେ ୨୦୨୪ ଏପ୍ରିଲ ପହିଲା ଠାରୁ ଟି ଓ ଡି ଶୁଳ୍କ ଲାଗୁ ହେବ । ସମୟ ଓ ବାର ଦେଖି ବିଜୁଳିର ବ୍ୟବହାର ନେଇ ଦର ଏପଟ ସେପଟ ରହିବ । ଏହାକୁ ବିଶେଷଜ୍ଞ ମାନେ ସ୍ବାଗତ କରିଥିବା ବେଳେ ସୌରଶକ୍ତିର ଆବଶ୍ୟକତା ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୩ଟି ଶିକ୍ଷାସୌଧ ଓ ୨୮ଟି ଛାତ୍ରାବାସ ଉଦଘାଟିତ

ଭୁବନେଶ୍ୱର: ସାରା ଦେଶରେ ରୋଲ ମଡେଲ ସାଜିବ ଓଡ଼ିଶା ଆଦର୍ଶ ବିଦ୍ୟାଳୟ । ଗଢାହେବ ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କ ସୁନେଲି ଭବିଷ୍ୟତ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୧୩ଟି ଶିକ୍ଷାସୌଧ ଓ ୨୮ଟି ଛାତ୍ରାବାସ ଉଦଘାଟନ କରିବା ଅବସରରେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ୨୭୬ଟି ହଷ୍ଟେଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତ ନୂଆ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଶିକ୍ଷା ଭିତ୍ତିଭୂମି ଦୃଢ଼ କରୁଛି ଓଏଭି । ଉତ୍ତମ ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ଓଏଭି ସ୍ଥାପନ କରାଯାଇଥିଲା ।

ଯାହାକି ଆଜି ସାକାର ହୋଇଛି । ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହା ମାଧ୍ୟମରେ ଉତ୍ତମ ଶିକ୍ଷା ପ୍ରଦାନ କରାଯାଉଛି । ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରୁଛି ଓଏଭି । ନିଟ୍, ଜି ଆଡଭାନ୍ସ ଓ ଜାତୀୟସ୍ତରୀୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମେଧାବୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଛା ଜଣାଇଛନ୍ତି । ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି ରାଜ୍ୟରେ ୩୧୫ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ହୋଇଛି । ଏଥିରେ ୩୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ବଡ଼ ହେବା ପାଇଁ ଦୃଢ଼ ଇଚ୍ଛାଶକ୍ତି ଆବଶ୍ୟକ । ସମୟକୁ ବିନିଯୋଗ କରି କଠୋର ପରିଶ୍ରମ କରିବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି ।

ମାଲକାନଗିରି ଜିଲ୍ଲାର ଯୋଗାଯୋଗ କ୍ଷେତ୍ରକୁ ବିକଶିତ କରିବାକୁ ୧୫୮ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମାଲକାନଗିରିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର । ପ୍ରତି ଗାଁକୁ ହେବ ରାସ୍ତା । ସହର ସହିତ ଯୋଡ଼ିହେବ ଦୁର୍ଗମ ଅଞ୍ଚଳ । ଜିଲ୍ଲାର ଯୋଗାଯୋଗ କ୍ଷେତ୍ରକୁ ବିକଶିତ କରିବାକୁ ୧୫୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲକାନଗିରି ଜିଲ୍ଲା ଗସ୍ତ ସମୟରେ ଫାଇଭ-ଟି ସଚିବଙ୍କୁ ରାସ୍ତା ସମସ୍ୟା ସମ୍ପର୍କରେ ଜଣାଇଥିଲେ ଜନସାଧାରଣ । ସମସ୍ୟାର ସମାଧାନ ସହିତ ଖୁବଶୀଘ୍ର ଅର୍ଥ ମଞ୍ଜୁର ହେବ ବୋଲି ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲା ଗ୍ରାମୀଣ ବିକାଶ ବିଭାଗର ପ୍ରସ୍ତାବ ଅନୁସାରେ ୨୧ଟି ପ୍ରକଳ୍ପ ପାଇଁ ଅର୍ଥରାଶି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।

୧୫୮ କୋଟି ଟଙ୍କାରେ ୧୭୨ରୁ ଅଧିକ କିଲୋମିଟର ରାସ୍ତା ନିର୍ମାଣ କରାଯିବ । ଏହାଦ୍ବାରା ଚିତ୍ରକୋଣ୍ଡା, କାଲିମେଳା, କୋରୁକୁଣ୍ଡା ଓ ପଡ଼ିଆ ବ୍ଲକବାସୀ ବିଶେଷଭାବେ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ଦୁର୍ଗମ ଅଞ୍ଚଳରେ ଅସଂଯୋଜିତ ଗ୍ରାମ ଗୁଡ଼ିକର ସଂଯୋଗୀକରଣ ଯୋଜନାରେ ରାସ୍ତା ନିର୍ମାଣ କରାଯିବ । ଦୁର୍ଗମ ପାର୍ବତ୍ୟ ଅଞ୍ଚଳ, ମାଓ ପ୍ରଭାବିତ ଅଞ୍ଚଳରେ ରାସ୍ତା ନିର୍ମାଣ କରି ବିକାଶକୁ ଆଗେଇ ନିଆଯିବ । ଏଥିପାଇଁ ରାଜ୍ୟ ସରକାର ସମସ୍ତ ଅର୍ଥ ଯୋଗାଇଦେବେ ।

ଶିକାରୀ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ ମାମଲା, ୧୦ ଶିକାରୀ ଗିରଫ

ବାରିପଦା: ବାରିପଦାରେ ଶିକାରୀ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ ମାମଲା । ୧୦ ଶିକାରୀଙ୍କୁ ଗିରଫ କଲା ମୟୂରଭଂଜ ପୋଲିସ । ମୁଖ୍ୟ ଅଭିଯୁକ୍ତ ରମାଇ କଣ୍ଡିଆନ ସମେତ ୧୦ ଗିରଫ । ଅଭିଯୁକ୍ତ ୧୦ ଶିକାରୀଙ୍କ ଘର ଏଡେଲବେଡା ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ୨ ଦେଶୀ ବନ୍ଧୁକ, ଧନୁ-ତୀର ଜବତ କରିଛି ପୋଲିସ । ଅଭିଯୁକ୍ତଙ୍କ ବିରୋଧରେ କେସ ନମ୍ବର ୬୪/୨ରେ ଆଇପିସିର ଧାରା ୩୦୨, ୩୪, ଅସ୍ତ୍ରଶସ୍ତ୍ର ନିରୋଧ ଆଇର ଧାରା ଓ ୨୭ରେ ମାମଲା ରୁଜୁ ହୋଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କ ନାଁରେ ପୂର୍ବରୁ ଠାକୁରମୁଣ୍ଡା ଥାନାରେ ଶିକାର କରିବା ଅଭିଯୋଗରେ ମାମଲା ରହିଛି ।

ଘଟଣାରେ ଜଡ଼ିତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ମୟୂରଭଞ୍ଜ ଏସପି କହିଛନ୍ତି । ଶିମିଳିପାଳରେ ଶିକାରୀଙ୍କ ଗୁଳିରେ ଫରେଷ୍ଟର ମାଥି ହାଁସଦାଙ୍କର ମୃତ୍ୟୁ ହୋଇଥିଲା । ଶିମିଳିପାଳ ସାଉଥ୍ ଜୋନରେ ରାତି ଅଧରେ ଶିକାରୀଙ୍କ ଗୁଳି ଶବ୍ଦ ଶୁଣି ମୁକାବିଲା କରିବାକୁ ବାହାରିଥିଲେ ଫରେଷ୍ଟର ମାଥି ହାଁସଦା ।ଶିକାରୀମାନଙ୍କୁ ଅସ୍ତ୍ରଶସ୍ତ୍ର ସମର୍ପଣ କରିବାକୁ କୁହାଯାଇଥିଲେ ଫରେଷ୍ଟ ବିଟ୍ ହାଉସରେ ଶିକାରୀଙ୍କ ଅଚାନକ ଗୁଳି ଚାଳନା କରିଥିଲେ । ଫରେଷ୍ଟରଙ୍କ ଛାତିରେ ତିନୋଟି ଗୁଳି ବାଜି ମୃତ୍ୟୁ ହୋଇଥିଲା ।

ନନ୍ଦନକାନନକୁ ବିଶ୍ବସ୍ତରୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ସୁର ରାଉତରାୟଙ୍କ ପ୍ରଶଂସା

ଭୁବନେଶ୍ୱର: ନନ୍ଦନକାନନକୁ ବିଶ୍ବସ୍ତରୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ଭୂରି ଭୂରି ପ୍ରଶଂସା କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କ ଉଦ୍ୟମ ଯୋଗୁ ନନ୍ଦନକାନନ ଆହୁରି ଆକର୍ଷଣୀୟ ହେବ । ନନ୍ଦନକାନନର କଳେବର ବୃଦ୍ଧି ପାଇବା ସହ ପର୍ଯ୍ୟଟକଙ୍କୁ ଅଧିକ ସୁବିଧା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ।

ଦୁଇଟି ପର୍ଯ୍ୟାୟରେ ନନ୍ଦନକାନନ ରୂପାନ୍ତରଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ୍ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଚୂଡଙ୍ଗ ଜଙ୍ଗଲ ଅଞ୍ଚଳର ବିକାଶ କରାଯିବ । ନନ୍ଦନକାନନରେ ପ୍ଲାଷ୍ଟିକ ବ୍ୟବହାର ସଂପୂର୍ଣ୍ଣ ନିଷେଧ ହେବ ।

ମଣିଷ ଛୁଇଁଦେଲା ବୋଲି ଛୁଆହାତୀକୁ ନେଉନାହାନ୍ତି ହାତୀପଲ

କେନ୍ଦୁଝର: ମଣିଷ ଛୁଇଁଦେଲା ବୋଲି ଛୁଆହାତୀକୁ ନେଉନାହାନ୍ତି ହାତୀପଲ । କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଢେଙ୍କିକୋଟ୍ ବିଟ୍ କାଳିମାଟି ଡ୍ୟାମ୍‌ ନିକଟରେ ଛୁଆହାତୀ ଏକା ଏକା ବୁଲୁଛି । ଦେଢ଼ବର୍ଷର ହାତୀ ଛୁଆ ଏକ ପଥର ଖୋଲରେ ପଡ଼ି ଯାଇଥିଲା । ୧୨ ଟିକିଆ ହାତୀପଲ ଛୁଆକୁ ଉଦ୍ଧାର କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଛୁଆହାତୀକୁ ପଥର ଖୋଲରୁ ଉଦ୍ଧାର କରିଥିଲେ । ଏହାପରେ ହାତୀ ଛୁଆକୁ ହାତୀପଲ ସାଥୀରେ ନେଉନାହାନ୍ତି । ବନ ବିଭାଗ କର୍ମଚାରୀ ହାତୀ ଛୁଆଟିକୁ ଜଗି ରହିଛନ୍ତି ।

ପତ୍ନୀ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର: ୧୯୯୫ର ବହୁଚର୍ଚ୍ଚିତ ବିଧାୟକଙ୍କ ପତ୍ନୀଙ୍କୁ ହତ୍ୟା ମାମଲା । ଦୋଷୀ ସାବ୍ୟସ୍ତ ହେଲେ ସ୍ବାମୀ ତଥା ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋ । ଭୁବନେଶ୍ବର ବିଧାୟକ କ୍ବାର୍ଟର୍ସରେ ପତ୍ନୀ ଶଶୀରେଖା ଗମାଙ୍ଗୋଙ୍କୁ ପୋଡ଼ି ମାରିଥିଲେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋ । ୨୮ ବର୍ଷ ପରେ ରାମମୂର୍ତ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ବର ଏଡିଜେ-୩ କୋର୍ଟ । ୧୧ ଜଣ ସାକ୍ଷୀ ଓ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଆଧାରରେ ପତ୍ନୀହତ୍ୟା ମାମଲାରେ ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୧୯୯୫ ମସିହାରେ ଭୁବନେଶ୍ବର ବିଧାୟକ କ୍ବାର୍ଟର୍ସରେ ପତ୍ନୀଙ୍କୁ ପୋଡ଼ି ମାରିଦେଇଥିଲେ ରାମମୂର୍ତ୍ତି ।

ହତ୍ୟା କରିବା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲେ । ଆତ୍ମହତ୍ୟା ନେଇ ଥାନାରେ ଏତଲା ମଧ୍ୟ ଦେଇଥିଲେ ପୂର୍ବତନ ବିଧାୟକ । ଖାରବେଳ ନଗର ଥାନାରେ ଏତଲା ପରେ ତଦନ୍ତ କରିଥିଲା ପୋଲିସ । ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ପରେ ହତ୍ୟା ମାମଲା ରୁଜୁ କରିଥିଲା ପୋଲିସ । ଶେଷରେ ରାମମୂର୍ତ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଆସନ୍ତା ମଙ୍ଗଳବାର ଦଣ୍ଡବିଧାନ କରିବେ କୋର୍ଟ । ରାମମୂର୍ତ୍ତି ୧୯୯୦ ମସିହାରେ ଜନତା ଦଳରୁ ବିଧାୟକ ହୋଇଥିବାବେଳେ ୨୦୦୨ରୁ ୨୦୦୪ ମସିହା ପର୍ଯ୍ୟନ୍ତ ବିଜେପିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସରକାରଙ୍କ ତରଫରୁ ଓକିଲ ରଶ୍ମିରଞ୍ଜନ ବ୍ରହ୍ମା ମାମଲା ପରିଚାଳନା କରୁଥିଲେ ।

ଆଗେଇବ ଆହାର କେନ୍ଦ୍ର: ପ୍ରଦାନ କରାଗଲା ୧୧କୋଟି ୧୭ ଲକ୍ଷ ଟଙ୍କା

ଭୁବନେଶ୍ବର: ମିଶନ ଶକ୍ତିଙ୍କ ଦ୍ବାରା ପରିଚାଳିତ ଆହାର କେନ୍ଦ୍ର ଅଭିଯାନକୁ ଆଗେଇ ନେବା ଲକ୍ଷ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୧କୋଟି ୧୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ୩୪ଟି ଜିଲ୍ଲା ଆହାର ସୋସାଇଟି ଓ ସିଟି ଆହାର ସୋସାଇଟିକୁ ୨୦୨୩-୨୪ ଆର୍ଥିକ ବର୍ଷର ଦ୍ବିତୀୟ କ୍ବାଟର ପାଇଁ ଏହି ଅର୍ଥ ପ୍ରଦାନ କରାଯାଇଛି ।

ରାଜ୍ୟରେ ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ୧୬୭ଟି ଆହାର କେନ୍ଦ୍ରର ପରିଚାଳନା ପାଇଁ ଏହି ଅର୍ଥ ପ୍ରଦାନ କରାଯାଇଛି । ରାଜ୍ୟର ଗରିବ ଗୁରୁବା ଲୋକଙ୍କୁ ସୁଲଭ ମୂଲ୍ୟରେ ଖାଇବା ଯୋଗାଇଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଆହାର ଯୋଜନା ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଅଭିଯାନକୁ ସୁନିଶ୍ଚିତ କରିଛି । ସବୁ ପୌରାଞ୍ଚଳରେ କାର୍ଯ୍ୟକ୍ଷମ ଥିବା ଆହାର କେନ୍ଦ୍ରରେ ଦୈନିକ ଏକ ଲକ୍ଷ ଲୋକଙ୍କୁ ୫ଟଙ୍କାରେ ମଧ୍ୟାହ୍ନ ଭୋଜନ ମିଳୁଛି । ଭୋକିଲା ପେଟରେ କେହି ଶୋଇବେ ନାହିଁ, ଏହି ଅଭିମୁଖ୍ୟରେ କାର୍ଯ୍ୟ କରୁଛି ଆହାର କେନ୍ଦ୍ର । ଏହି ଅଭିଯାନରେ ଗୋଷ୍ଠି ସମ୍ପୃକ୍ତିକୁ ଉତ୍ସାହିତ କରିବା ପାଇଁ ସମସ୍ତ ୧୬୭ ଆହାର କେନ୍ଦ୍ର ଓ ୨୭ ଆହାର ରୋଷେଇଶାଳାର ପରିଚାଳନା ଦାୟିତ୍ବ ମିଶନ ଶକ୍ତିକୁ ପ୍ରଦାନ କରାଯାଇଛି । ଏଥିପାଇଁ ନଗର ଉନ୍ନୟନ ବିଭାଗ ସବୁ ପ୍ରକାର ସହାୟତା ଯୋଗାଇଦେଉଛି ।

ରାଜ୍ୟ ପାଇଁ ଜୁନରୁ ଅକ୍ଟୋବର ଗୁରୁତ୍ବପୂର୍ଣ୍ଣ, ସବୁ ପ୍ରକାର ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ପାଇଁ ଜୁନରୁ ଅକ୍ଟୋବର ଗୁରୁତ୍ବପୂର୍ଣ୍ଣ । ଏହି ସମୟ ମଧ୍ୟରେ ବାତ୍ୟା, ବନ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ ଓଡ଼ିଶା । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ସବୁ ପ୍ରକାର ପ୍ରସ୍ତୁତି କରିବାକୁ ରାଜ୍ୟ ସ୍ତରୀୟ ପ୍ରାକୃତିକ ଦୁର୍ବିପାକ କମିଟି ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଲୋକଙ୍କୁ ସବୁ ପ୍ରକାର ବିପର୍ଯ୍ୟୟ ବାବଦରେ ରିଅଲ ଟାଇମ ସୂଚନା ପ୍ରଦାନ କରିବାକୁ ଜିଲ୍ଲା ସ୍ତରୀୟ ବିଭାଗୀୟ କଣ୍ଟ୍ରୋଲ ରୁମ ୨୪ ଘଣ୍ଟା କାର୍ଯ୍ୟ କରିବ । ସତକ ୱେବ ଓ ମୋବାଇଲ ଆପର ମଧ୍ୟ ବିକାଶ କରାଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପର୍ଯ୍ୟାପ୍ତ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଉପାନ୍ତ ଅଞ୍ଚଳ ପାଇଁ ଗୋଖାଦ୍ୟ ମହଜୁଦ ରଖିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗର୍ଭବତୀ, ଭିନ୍ନକ୍ଷମ ଓ ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ଜିଲ୍ଲା ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଯେକୌଣସି ବିପର୍ଯ୍ୟୟ ପରେ ପୁନଃରୁଦ୍ଧାର ଓ ପୂର୍ନବାସ କାର୍ଯ୍ୟକୁ ସର୍ବାଧିକ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିପର୍ଯ୍ୟୟ ମୁକାବିଲାରେ ଓଡିଶାର ପାରଦର୍ଶିତା ପାଇଁ ଚଳିତ ବର୍ଷ ରାଜ୍ୟ ସରକାରଙ୍କୁ ମିଳିଛି ନେତାଜୀ ସୁବାଷ ଚନ୍ଦ୍ର ବୋଷ ପୁରସ୍କାର । ବାହାନଗା ଟ୍ରେନ ଦୁର୍ଘଟଣା ପରେ ମୃତହତଙ୍କ ଉଦ୍ଧାର ଓ ଚିକିତ୍ସା ସାଙ୍ଗକୁ ଗ୍ରୀଷ୍ମ ପ୍ରବାହର ମଧ୍ୟ ସଫଳତାର ମୁକାବିଲା କରାଯାଇଛି ।