spot_img
Home Blog Page 3002

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିଲା ବିଜେଡି, ରାଜ୍ୟ ବିକାଶ ଦେଖି ହେଉଛନ୍ତି ଇର୍ଷାପରାୟଣ

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିଲା ବିଜେଡି । କଡ଼ା ଶବ୍ଦରେ କଟାକ୍ଷ କଲେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ରୋକିବାକୁ ଚେଷ୍ଟା କରିଥିଲେ ଅପରାଜିତା । କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ଆଘାତ କରିଥିଲେ । ଏଥିପାଇଁ ନା ଲଜ୍ଜିତ ହୋଇଛନ୍ତି ନା କ୍ଷମା ମାଗିଛନ୍ତି । ସେହିପରି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଗରିବ ନୀରିହ ଦଳିତଙ୍କ ଜମି ହଡ଼ପ ବେଳେ ମଧ୍ୟ ପାଟି ଖୋଲିନଥିଲେ ଅପରାଜିତା । ନିଜ ସଂସଦୀୟ କ୍ଷେତ୍ରରେ ଏପରି କାଣ୍ଡକୁ ବିରୋଧ ମଧ୍ୟ କରିନଥିଲେ । ବୈଜୟନ୍ତଙ୍କ ଏପରି ଜମି ହଡ଼ପକୁ ନେଇ ଓଡ଼ିଶା ଲଜ୍ଜିତ ହୋଇଥିଲା ବେଳେ ଅପରାଜିତା ନିରବ ରହିଥିଲେ । ରାଜ୍ୟର ମନ୍ଦିର, ଧାର୍ମିକସ୍ଥଳୀ, କଲେଜ, ସ୍କୁଲ ରୂପାନ୍ତରଣ ହେଉ, ଏକଥା ଅପରାଜିତା ଚାହୁଁନାହାନ୍ତି କି ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି ।

ରୂପାନ୍ତରଣ ନେଇ ସମସ୍ୟା ଥିଲେ ସରକାରଙ୍କୁ କାହିଁକି ଲିଖିତ ଭାବେ ଦେଉନାହାନ୍ତି । ସାହାସ ଥିଲେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ଲୋକଙ୍କୁ ସେମାନଙ୍କ ଭଲ ପାଇଁ ପଦକ୍ଷେପ ନେଉଥିବା ବୁଝାଇ ଜବାବ ଦେବାକୁ ଶ୍ରୀମୟୀ ଚ୍ୟାଲେଞ୍ଜ ଦେଇଛନ୍ତି । ବିଜେପି ନେତା ଜୟନାରାୟଣ ମିଶ୍ର ଓ ଈରାଶିଷ ଆଚାର୍ଯ୍ୟଙ୍କର ମହିଳାଙ୍କ ପ୍ରତି ଆକ୍ରମଣ ନେଇ ଅପରାଜିତା ଲଜ୍ଜିତ ହୋଇନାହାନ୍ତି । ଯେବେକି ସାରା ରାଜ୍ୟ ଲଜ୍ଜିତ ଅନୁଭବ କରିଥିଲା । ଲୋକ ନିଜ ସମସ୍ୟାର ସମାଧାନ ଓ ବିକାଶ ପାଇଁ ଖୁସି ଥିବା ବେଳେ ସେମାନଙ୍କୁ ସମର୍ଥନ କରିବା ବଦଳରେ ଅପରାଜିତା ଇର୍ଷାପରାୟଣ ହୋଇ ଏହାକୁ ବିରୋଧ କରୁଛନ୍ତି । ଇର୍ଷା ନକରି ଲୋକଙ୍କ ପାଖକୁ ଯିବାକୁ ଶ୍ରୀମୟୀ ଟ୍ବିଟ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ ଲୋକଙ୍କ ଦୁଆରେ ପ୍ରଶାସନକୁ ପହଞ୍ଚାଇଛନ୍ତି । ଏହାକୁ ନେଇ ଅପରାଜିତା ଖୁସି ନୁହନ୍ତି । ତା’ର କାରଣ ହେଉଛି, ପ୍ରଶାସନ ଏତେ ପରିମାଣରେ ଲୋକାଭିମୁଖୀ ହୋଇପାରିବ, ସେକଥା ଅପରାଜିତା କେବେ ଭାବି ପାରନ୍ତିନି ।

ପଶ୍ଚିମବଙ୍ଗରେ କଡ଼ା ସୁରକ୍ଷାରେ ଚାଲିଛି ଭୋଟ୍ ଗଣତି, ଟ୍ରେଣ୍ଡରେ ବମ୍ପର ବିଜୟ ଆଡକୁ ଟିଏମସି

କୋଲକାତା: ପଶ୍ଚିମବଙ୍ଗରେ କଡ଼ା ସୁରକ୍ଷାରେ ଚାଲିଛି ପଞ୍ଚାୟତ ଭୋଟ ଗଣତି । ୧୦ଟି ସିଟରେ ଟିଏମସି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୨ ଶହ ପ୍ଳସ୍ ଆସନରେ ଆଗରେ ରହିଛି ତୃଳମୂଳ କଂଗ୍ରେସ । ବାଙ୍କୁରାରେ ଟିଏମସି ୬୫ ଆସନରେ ଲିଡ୍ କରୁଥିବା ବେଳେ ବିଜେପି ଗୋଟିଏ ଆସନରେ ଆଗରେ ରହିଛି ।  ଦକ୍ଷିଣ ୨୪ ପ୍ରଗଣାରେ ଟିଏମସି ୧୨୦ ଆସନରେ ଆଗରେ ରହିଛି । ବର୍ଦ୍ଧମାନରେ ବି ତୃଳମୂଳ କଂଗ୍ରେସ ଆଗରେ ରହିଛି । କାଉଣ୍ଟିଂ ବେଳେ ନନ୍ଦିଗ୍ରାମ ଗଣତି କେନ୍ଦ୍ର ବାହାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ରୋକିବାକୁ ପୋଲିସ ଉଭୟ ପକ୍ଷକୁ ବୁଝାଶୁଝା କରିଛି । ବାରାକପୁର କାଉଣ୍ଟିଂ ସେଣ୍ଟରରେ ପଶି ଗଣ୍ଡଗୋଳ କରୁଥିବା ବିଜେପି ପ୍ରାର୍ଥୀ ବରୁଣ ସରଦାରଙ୍କୁ ପୋଲିସ ହେପାଜତକୁ ନେଇଛି ।

ଗଣତି ସମୟରେ ହିଂସାକୁ ରୋକିବାକୁ ପୋଲିସ ଓ କେନ୍ଦ୍ରୀୟ ବାହିନୀ ମୁତୟନ ହୋଇଛନ୍ତି । ଏଥିସହ ନଜର ରଖିଛି ସିସିଟିଭି କ୍ୟାମେରା । ଭୋଟ ଗଣତି କେନ୍ଦ୍ର ଆଗରେ ବୋମା ମାଡ଼ ଶହ ପଥର ଫିଙ୍ଗିଛନ୍ତି ଦୁର୍ବୃତ୍ତ । ଦକ୍ଷିଣ ଚବିଶି ପ୍ରଗଣା ଜିଲ୍ଲା ଡାଇମଣ୍ଡ ହାରବର ଅଞ୍ଚଳରେ ଥିବା ଫକୀର ଚନ୍ଦ୍ର କଲେଜରେ ଯୁକ୍ତିତର୍କ ହୋଇଛି । ବିଜେପି କର୍ମୀ ସହ କିଛି ଦୁର୍ବୃତ୍ତ ଭୋଟ ଗଣତି କେନ୍ଦ୍ର ଆଗରେ ବୋମାମାଡ଼ କରିଛନ୍ତି । ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସାରେ ଏଯାଏଁ ଗଲାଣି ୩୩ ଜଣଙ୍କ ଜୀବନ । ଭୋଟ ଗ୍ରହଣରେ ହିଂସା ପାଇଁ ଗତକାଲି ୬୯୬ଟି ବୁଥରେ ସାନି ମତଦାନ ହୋଇଥିଲା । ୨୦୧୮ ପଞ୍ଚାୟତ ନିର୍ବାଚନରେ ୯୦ ପ୍ରତିତଶତ ସିଟରେ ବିଜୟୀ ହୋଇଥିଲା ମମତାଙ୍କ ଦଳ ।

ଉଚ୍ଚଶିକ୍ଷା ପାଇଁ ଅନୁସୂଚିତ ଜାତି ଜନଜାତିର ଛାତ୍ରଛାତ୍ରୀଙ୍କୁ ମିଳିବ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆର୍ଥିକ ଅନଗ୍ରସର ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଦିଆଯିବ ଆର୍ଥିକ ସହାୟତା । ଚଳିତ ଶିକ୍ଷା ବର୍ଷରୁ ସରକାରୀ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଅନୁସୂଚିତ ଜାତି ଜାନଜାତିର ଛାତ୍ରଛାତ୍ରୀ ଏକକାଳୀନ ୫୦ ହଜାର ଟଙ୍କାର ସହାୟତା ଦିଆଯିବ । ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଭଳି ଆଦିମ ଜନଜାତି ସଶକ୍ତିକରଣ ଓ ଜୀବନଜୀବିକା କାର୍ଯ୍ୟକ୍ରମର ସଂପ୍ରସାରଣ ପାଇଁ ମଧ୍ୟ କେନ୍ଦ୍ରକୁ ଏକ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । ଚିହ୍ନଟ ହୋଇଥିବା ଆଉ ୧୧୩୮ ଆଦିମ ଜନଜାତି ଗାଁକୁ ଏହି ଯୋଜନା ସଂପ୍ରସାରଣ କରିବାକୁ ଦାବି କରାଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷରୁ ଆସନ୍ତା ୭ ବର୍ଷ ପାଇଁ ଏହିସବୁ ଗାଁରେ ଆଦିମ ଜନଜାତି ସଶକ୍ତିକରଣ ଓ ଜୀବନଜୀବିକା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଦିବାସୀଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ରାଜ୍ୟ ସରକାର ନିରନ୍ତର ଚେଷ୍ଟା କରୁଛନ୍ତି । ସେମାନଙ୍କ ଶିକ୍ଷା, ଜୀବିକା ଓ ଅଧିକାରର ସୁରକ୍ଷାକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାରଙ୍କ । ଆଦିବସୀଙ୍କ କଳା, ସଂସ୍କୃତିର ସୁରକ୍ଷା ଓ ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ୨୩ଟି ଜିଲ୍ଲାର ୧୭୨ ବ୍ଲକକୁ ସଂପ୍ରସାରିତ କରାଯାଇଛି ।

ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଆବାସିକ ଛାତ୍ରାବାସ ଜରିଆରେ ଶିକ୍ଷାଦାନରେ ଓଡ଼ିଶା ସାରା ଦେଶରେ ଏକ ଅଗ୍ରଣୀ ରାଜ୍ୟ । ବାର୍ଷିକ ପ୍ରାୟ ୬ ଲକ୍ଷ ଆଦିବାସୀ ଛାତ୍ରଛତ୍ରୀ ଏହି ସୁବିଧା ପାଉଛନ୍ତି । ଆଦିବାସୀଙ୍କୁ ଜଙ୍ଗଲ ଅଧିକାର ପ୍ରଦାନ କରିବାରୁ ଓଡ଼ିଶା ସବୁଠୁ ଆଗରେ । ଏଥିସହିତ ନିକଟରେ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ମୋ ଜଙ୍ଗଲ ମୋ ଜମି ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ବାରା ଗୋଷ୍ଠିଗତ ଭାବେ ଜଙ୍ଗଲ ଜମି ଉପରେ ଆଦିବାସୀଙ୍କ ଅଧିକାର ସୁନିଶ୍ଚିତ ହୋଇପାରିବ । ଆଦିବାସୀଙ୍କ ଜୀବନଜୀବିକା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଜୀବିକା ମିଶନ ଜରିଆରେ ନିଜସ୍ବ ପାଣ୍ଠିରୁ ୫୦୦ କୋଟି ଙ୍କା ଖର୍ଚ୍ଚ କରୁଛନ୍ତି । ଏହାଦ୍ବାରା ତିନି ବର୍ଷରେ ଦେଢ ଲକ୍ଷ ଆଦିବାସୀ ପରିବାରକୁ ସହାୟତା ମିଳିପାରିବ ।

ପୁଣି ଟ୍ରେନରୁ ବାହାରିଲା ଧୂଆଁ, ବ୍ରହ୍ମପୁର ଷ୍ଟେସନ ନିକଟରେ ଟ୍ରେନରୁ ବାହାରିଲା ଧୁଆଁ

ବ୍ରହ୍ମପୁର: ପୁଣି ଟ୍ରେନରୁ ବାହାରିଲା ଧୂଆଁ । ଦିବ୍ରୁଗଡ଼-କନ୍ୟାକୁମାରୀ ବିବେକ ଏକ୍ସପ୍ରେସରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ବ୍ରହ୍ମପୁର ରେଳ ଷ୍ଟେସନ ପୂର୍ବରୁ ଟ୍ରେନରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ଧୂଆଁ ଦେଖି ଭୟରେ ଟ୍ରେନରୁ ଓହ୍ଲାଇ ପଡ଼ିଛନ୍ତି ଯାତ୍ରୀ । ଟ୍ରେନର ବ୍ରେକ୍ ପାଖରେ କିଛି ଅଖା ଲାଗି ଯାଇଥିଲା । ଯେଉଁଥି ପାଇଁ ଟ୍ରେନରୁ ଧୂଆଁ ବାହାରୁଥିଲା । ଟ୍ରେନକୁ ବ୍ରହ୍ମପୁର ରେଳ ଷ୍ଟେସନକୁ ନିଆଯାଇଥିଲା । ଯାଞ୍ଚ ପରେ ପୁଣି ଟ୍ରେନ୍ ଚଳାଚଳ ଆରମ୍ଭ କରିଛି ।

 

ଓ୍ୱେଷ୍ଟଇଣ୍ଡିଜରେ ଭାରତର ଦବଦବା, ୧୭ ବର୍ଷରେ ଲଗାତର ୪ ସିରିଜ ଜିତି କରିଛି ରେକର୍ଡ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେବ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ୍ । ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ଦୁଇଟି ଟେଷ୍ଟ, ତିନୋଟି ଦିନିକିଆ ଓ ପାଞ୍ଚଟି ୨-୨୦ ମ୍ୟାଚ୍ ଖେଳିବ । ତେବେ ଏହି ସିରିଜର ପ୍ରଥମ ମ୍ୟାଚ ଆସନ୍ତାକାଲି ଡୋମିନିକାରେ ଖେଳାଯିବ । ବିଶ୍ୱ ଟେଷ୍ଟ ଚାମ୍ପିଆନ୍ସସିପ୍ ଫାଇନାଲରେ ପରାଜୟ ପରେ ପୁଣି ଥରେ ଏକ ନୂଆ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ରୋହିତ ବ୍ରିଗେଡ୍ ।

ଜୁଲାଇ ୧୨ରୁ ଆରମ୍ଭ ହେଉଥିବା ଟେଷ୍ଟ ସିରିଜରେ ଓ୍ୱେଷ୍ଟଇଣ୍ଡିଜ୍ ଉପରେ ଭାରି ପଡ଼ିବ ଭାରତ । କାହିଁକି ନା ଓ୍ୱେଷ୍ଟଇଣ୍ଡିଜ୍ ମାଟିରେ ଭାରତ ଶେଷ ଚାରୋଟି ଟେଷ୍ଟ ସିରିଜ୍ ନିଜ ନାମରେ କରିଥିଲା । ଶେଷଥର ପାଇଁ ଓ୍ୱେଷ୍ଟଇଣ୍ଡିଜ୍ ୨୦୦୨ରେ ନିଜ ମାଟିରେ ଭାରତ ବିପକ୍ଷରେ ଟେଷ୍ଟ ସିରିଜ୍ ଜିତିଥିଲା । ସେବେଠାରୁ ଓ୍ୱେଷ୍ଟଇଣ୍ଡିଜରେ ଭାରତ ସମ୍ପୂର୍ଣ୍ଣ ଭାବେ ପ୍ରାଧାନ୍ୟ ବିସ୍ତାର କରିଆସୁଛି ।

୨୦୦୬ ମସିହାରେ ରାହୁଲ ଦ୍ରାବିଡଙ୍କ ଅଧିନାୟକତ୍ୱରେ ଭାରତ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ ଜିତିଥିଲା । ଏହାପରେ ୨୦୧୧ରେ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଓ୍ୱେଷ୍ଟଇଣ୍ଡିଜରେ ୧-୦ରେ ସିରିଜ୍ ଜିତିଥିଲା । ସେହିପରି ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୨୦୧୬ ଓ ୨୦୧୯ରେ କ୍ରମାଗତ ଦୁଇଟି ଟେଷ୍ଟ ସିରିଜକୁ ୨-୦ରେ ନିଜ ନାମରେ କରିଥିଲା । ତେବେ ଏବେ ରୋହିତ ମଧ୍ୟ ଏହି ବିଜୟଧାରାକୁ ଆଗକୁ ନେବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି ।

ଏକବିଂଶ ଶତାବ୍ଦୀରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୮ଟି ଟେଷ୍ଟ ମ୍ୟାଚ୍ ଖେଳି ୧୫ଟି ମ୍ୟାଚରେ ବିଜୟଲାଭ କରିଥିବାବେଳେ ମାତ୍ର ୨ଟି ମ୍ୟାଚରେ ପରାଜୟ ବରଣ କରିଛି । ମୋଟାମୋଟି ଭାବେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୯୮ଟି ଟେଷ୍ଟ ମ୍ୟାଚ୍ ଖେଳିଛି ଯେଉଁଥିରେ ୨୨ଟି ମ୍ୟାଚରେ ବିଜୟଲାଭ କରିଥିବାବେଳେ 30ଟି ମ୍ୟାଚରେ ପରାଜୟ ବରଣ କରିଛି ଓ ୪୬ଟି ମ୍ୟାଚ୍ ଡ୍ର’ ହୋଇଛି । ୱେଷ୍ଟଇଣ୍ଡିଜ୍ ମାଟିରେ ଭାରତ ୫୧ଟି ଟେଷ୍ଟ ମ୍ୟାଚ୍ ମଧ୍ୟରୁ ୧୬ଟି ଜିତିଛି ଏବଂ ୯ଟି ହାରିଛି । ମୋଟ ଉପରେ କହିବାକୁ ଗଲେ ଏକବିଂଶ ଶତାବ୍ଦୀରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ କେବଳ ଦୁଇଟି ଟେଷ୍ଟ ମ୍ୟାଚରେ ପରାଜୟ ବରଣ କରିଛି ।

 

 

ନେପାଳରେ ନିଖୋଜ ହେଲା ହେଲିକପ୍ଟର

କାଠମାଣ୍ଡୁ: ନେପାଳରେ ହେଲିକପ୍ଟର ନିଖୋଜ । ହେଲିକପ୍ଟରରେ କ୍ୟାପଟେନ ଚେତ ଗୁରୁଙ୍ଗଙ୍କ ସହ ୫ ଜଣ ଯାତ୍ରୀ ଥିଲେ । ୫ ଜଣ ବିଦେଶୀ ନାଗରିକଙ୍କୁ ନେଇ ଯାଉଥିବା ହେଲିକପ୍ଟର ନିଖୋଜ । ସୋଲୁଖୁମ୍ବୁରୁ କାଠମାଣ୍ଡୁ ଅଭିମୁଖେ ଯାଉଥିବା 9NMV ହେଲିକପ୍ଟର ଉଡାଣ ଭରିବାର ମାତ୍ର ୧୫ ମିନିଟ ପରେ କଣ୍ଟ୍ରୋଲ ରୁମ ସହ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା । ହେଲିକପ୍ଟରକୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି ।

ଉତ୍ତର ଭାରତରେ ଜଳପ୍ରଳୟ, ବନ୍ୟା ଓ ଭୂସ୍ଖଳନ ଯୋଗୁ ମୃତ୍ୟୁସଂଖ୍ୟା ୪୧ ପାର୍

ନୂଆଦିଲ୍ଲୀ: ଉତ୍ତର ଭାରତରେ ପ୍ରକୃତିର ତାଣ୍ଡବ । ପ୍ରବଳ ବର୍ଷା, ବନ୍ୟା ଯୋଗୁ ପାହାଡ଼ି ରାଜ୍ୟରେ ପ୍ରଳୟର ଚିତ୍ର । ବୁଡ଼ିଛି ସହର, ଭାସୁଛି କାର, ଟ୍ରକ୍ । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ବ୍ୟାପକ କ୍ଷୟକ୍ଷତି । ବର୍ଷା ସାଙ୍ଗକୁ ଲ୍ୟାଣ୍ଡସ୍ଲାଇଡ୍ ଯୋଗୁ ଆଜି ଆଉ ୭ ଜଣଙ୍କ ଜୀବନ ଯାଇଛି । ଏବେ ସୁଦ୍ଧା ଜଳ ପ୍ରଳୟଜନିତ ମୃତ୍ୟୁସଂଖ୍ୟା ୪୧ ପାର୍ କରିଛି । ତଳିଆ ଅଞ୍ଚଳରେ ଲୋକମାନେ ଫସି ରହିଥିବା ବେଳେ ଏନଡିଆରଏଫ ଓ ସେନା ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଅନେକ ଘର ଭାଙ୍ଗି ମାଟିରେ ମିଶିଯାଇଛି । ୨ ଶହରୁ ଅଧିକ ଘର ଓ ୮୦ରୁ ଅଧିକ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଆଗାମୀ ୨୪ ଘଣ୍ଟା ପାଇଁ ହିମାଚଳ ପ୍ରଦେଶକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।

ସେପଟେ ପଞ୍ଜାବ, ହରିଆଣା, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ବି ପ୍ରବଳ ବର୍ଷା ଯୋଗୁ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି । ଆଗାମୀ ୨୪ ଘଣ୍ଟା ପାଇଁ ସତର୍କ ରହିବାକୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପଟେ ରାଜଧାନୀ ବାସିନ୍ଦାଙ୍କୁ ବି ଅସ୍ତବ୍ୟସ୍ତ କରିଛି ଅବିଶ୍ରାନ୍ତ ବର୍ଷା । ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ ଯମୁନା ନଦୀରେ ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି । ୧୯୭୮ ମସିହା ପରେ ପ୍ରଥମ ଥର ଲାଗି ୨୦୭.୪୯ ମିଟର ଛୁଇଁଛି ଯମୁନା ଜଳସ୍ତର । ପୁରୁଣା ଯମୁନା ବ୍ରିଜ୍ ଉପରେ ଟ୍ରେନ୍ ଓ ଗାଡ଼ି ମୋଟର ଚଳାଚଳ ସାମୟିକ ଭାବେ ବାତିଲ କରାଯାଇଛି । ଆସନ୍ତା ସପ୍ତାହେ ଧରି ଦିଲ୍ଲୀରେ ବର୍ଷା ସମ୍ଭାବନା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଅଧିକାଂଶ ସ୍ଥାନରେ ଓ୍ବାଟରଲଗିଂ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକମାନେ ଫସି ରହିଛନ୍ତି ।

ଆଜି ଜନଜାତି ଉପଦେଷ୍ଟା ପରିଷଦ କମିଟି ବୈଠକ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଆଲୋଚନା

ଭୁବନେଶ୍ୱର: ଆଜି ଜନଜାତି ଉପଦେଷ୍ଟା ପରିଷଦ କମିଟି ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଦିନ ସାଢେ ୧୧ଟାରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ମନ୍ତ୍ରୀ ଜଗନ୍ନାଥ ସାରକା, ସୁଦାମ ମାର୍ଣ୍ଡି ଓ କମିଟିର ସଦସ୍ୟମାନେ ସାମିଲ ହେବେ । ଜନଜାତିଙ୍କର ଉନ୍ନତି ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଓ ଆଗକୁ କ’ଣ କରାଯିବ ସେନେଇ ଆଲୋଚନା କରାଯିବ । ବିଶେଷକରି ଆଦିବାସୀଙ୍କ ଜଙ୍ଗଲ ଅଧିକାର, ଶିକ୍ଷା, ସ୍ବାସ୍ଥ୍ୟ, ସାଂସ୍କୃତିକ ସଂରକ୍ଷଣ ଓ ବିଭିନ୍ନ କ୍ଷେତ୍ରରେ ଅଧିକ ସୁବିଧା ସୁଯୋଗ ଦେବା ଉପରେ ଆଲୋଚନା କରାଯିବ ।

ଅନୁଗୁଳରେ 5T ସଚିବଙ୍କ ବିକାଶ କାର୍ଯ୍ୟର ସମୀକ୍ଷା, ଖଲାରି ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ସହ କଲେ ଆଲୋଚନା

ଅନୁଗୁଳ: ଦ୍ବିତୀୟ ଦିନରେ ଅନୁଗୁଳରେ ବିକାଶ କାର୍ଯ୍ୟର ସମୀକ୍ଷା । ଗ୍ରାଉଣ୍ଡ ଜିରୋରେ ପହଞ୍ଚି ବିକାଶ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ । ଆଜି ସକାଳୁ ଶୈଳ ଶ୍ରୀକ୍ଷେତ୍ର ଅନୁଗୁଳର ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ କରିଛନ୍ତି 5T ସଚିବ । ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ବିମଳା ଓ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରିଛନ୍ତି । ମନ୍ଦିର କମିଟି ସହ ମନ୍ଦିରର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଛନ୍ତି 5T ସଚିବ । ଏହାସହ ଜଳୀୟ ପ୍ରକଳ୍ପ ନବୀକରଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି । ଯାତ୍ରୀ ନିବାସ ଓ ଭିତ୍ତିଭୂମିର ବିକାଶ ପାଇଁ ମନ୍ଦିର କମିଟି ପକ୍ଷରୁ ଦାବି କରାଯାଇଛି । ତେବେ ଏହି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ । ଏହି ଅବସରରେ ଲୋକଙ୍କ ଠାରୁ ବିଭିନ୍ନ ଦାବିପତ୍ର ଗ୍ରହଣ କରିଥିଲେ 5T ସଚିବ ।

ଏହାପରେ ଅନୁଗୁଳ ଖଲାରି ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ । 5T ସ୍କୁଲ ରୂପାନ୍ତରଣର ସମୀକ୍ଷା କରିବା ସହ କ୍ଲାସରୁମ ପରିଦର୍ଶନ କରିଥିଲେ । ଶ୍ରେଣୀଗୃହକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ସ୍ମାର୍ଟ କ୍ଲାସ ସମ୍ପର୍କରେ ପଚାରି ବୁଝିଥିଲେ 5T ସଚିବ ଭିକେ ପାଣ୍ଡିଆନ୍ । ଇ-ଲାଇବ୍ରେରୀ ବାବଦରେ ମଧ୍ୟ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି । ଆଗରୁ କେମିତି ଥିଲା ଓ 5T ରୂପାନ୍ତରଣ ପରେ କେମିତି ଲାଗୁଛି, ସେ ନେଇ ଜଣ ଜଣଙ୍କୁ ପଚାରି ଫିଡବ୍ୟାକ୍ ନେଇଥିଲେ । ପିଲାମାନଙ୍କ ଶିକ୍ଷାର ଉନ୍ନତି ପାଇଁ 5T ସ୍କୁଲ ରୂପାନ୍ତରଣ ହୋଇଛି । ଭଲ ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ସ୍କୁଲର ରୂପାନ୍ତରଣ କରିଥିବା ନେଇ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ 5T ସଚିବ । ପ୍ରତି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଭବିଷ୍ୟତର ଲକ୍ଷ୍ୟ ସମ୍ପର୍କରେ ପଚାରିଥିଲେ । ଏହା ଜରିଆରେ ସେ ପିଲାମାନଙ୍କ ଆତ୍ମବିଶ୍ଵାସ ବଢ଼ାଇ ଥିଲେ । ସେହିପରି ପିଲାମାନଙ୍କ ଭିତରେ ଆତ୍ମବିଶ୍ଵାସ ବୃଦ୍ଧି କରିବା ପାଇଁ ପଦକ୍ଷେପ ନେବାକୁ ଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ 5T ସଚିବ ।

 

ରାଜ୍ୟରେ ନିଯୁକ୍ତିର ସମ୍ଭାର, ୩ ହଜାର ୨୬୬ କୋଟି ଟଙ୍କାର ୧୧ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟରେ ନିବେଶର ସମ୍ଭାର । ୧୧ଟି ଶିଳ୍ପ ପ୍ରକଳ୍ପକୁ ମିଳିଛି ଅନୁମୋଦନ । ୧୧୯ ତମ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟିର ବୈଠକରେ ୩ ହଜାର ୨୬୬ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହାଦ୍ବାରା ୯ ହଜାର ୧୪୬ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଧାତବ ଡାଉନଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ କ୍ଷେତ୍ର, ରାସାୟନିକ ପଦାର୍ଥ, ଖାଦ୍ୟ ପ୍ରକ୍ରିୟାକରଣ, କୃଷି ପ୍ରକ୍ରିୟାକରଣ, ପ୍ଲାଷ୍ଟିକ, ବୟନ ପୋଷାକ, ଆଇଟି ଏବଂ ଇଏସଡିଏମ ଏବଂ ଅକ୍ଷୟ ଶକ୍ତି ଭଳି ବିଭିନ୍ନ କ୍ଷେତ୍ରରେ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଅନୁମୋଦିତ ପ୍ରକଳ୍ପଗୁଡ଼ିକ ବାଲେଶ୍ବର, ବଲାଙ୍ଗୀର, କଳାହାଣ୍ଡି, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯିବ । ଖୋର୍ଦ୍ଧାରେ ନେଷ୍ଟଲ ଇଣ୍ଡିଆ ଲିମିଟେଡ୍ ତରଫରୁ ୮୯୦ କୋଟି ଟଙ୍କାରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯିବ । ଏଥିରେ ୮୦୦ରୁ ଅଧିକ ଲୋକଙ୍କୁ ରୋଜଗାର ମିଳିବ । ଖୋର୍ଦ୍ଧାରେ ମେସର୍ସ କଲଗଟୋଜ୍ ଗାର୍ମେଣ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ୨୦୦ କୋଟି ଟଙ୍କାରୁ ଅଧି୍କ ବିନିଯୋଗରେ ୧.୨ ମେଗାଓ୍ବାଟ୍ ରୁଫ୍ ଟପ୍ କ୍ୟାପ୍ଟିଭ୍ ସୋଲାର ପାଓ୍ବାର ପ୍ଲାଣ୍ଟ ସହିତ ଏକ ସମନ୍ବିତ ପୋଷାକ ଉତ୍ପାଦନ କାରଖାନା ସ୍ଥାପନ କରିବ । ଏହାଦ୍ବାରା ୪୮୨୦ରୁ ଅଧିକ ଲୋକଙ୍କୁ ରୋଜଗାର ମିଳିବ ।

ଯାଜପୁରରେ ହିମାଦ୍ରି ସ୍ପେଶାଲିଟି କେମିକାଲ ଲିମିଟେଡ୍ ତରଫରୁ ୯୮୦ କୋଟି ଟଙ୍କାରେ ରସାୟନିକ ଉତ୍ପାଦନ ୟୁନିଟ ପ୍ରତିଷ୍ଠା ହେବାକୁ ରହିଛି । ସେହିପରି ପ୍ଲାଷ୍ଟିକ କ୍ଷେତ୍ରରେ ଖୋର୍ଦ୍ଧାରେ ଆଇଡିଭିବି ରିସାଇକ୍ଳିଂ ଅପରେସନ୍ସ ପ୍ରାଇଭେଟ୍ ଲିମିଟେଡ୍ ୩୧୮ କୋଟି ଟଙ୍କା ନିବେଶ କରିବ । ପର୍ଭ ପ୍ୟାକିଂ ତରଫରୁ ୧୫୨ କୋଟି ଟଙ୍କା ନିବେଶ କରାଯିବ । ସେହିପରି ଆର୍ଡିବି ରାସାୟନସ ଲିମିଟେଡ ୫୯ କୋଟି ଟଙ୍କା ବିନିଯୋଗରେ ଫ୍ଲେକିବଲ ଇଣ୍ଟରମିଡିଏଟ ବଲ୍କ କଣ୍ଟେନର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଉତ୍ପାଦ ଉତ୍ପାଦନ କରିବ । ମେଟାଲ ଡାଉନଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଦୁଇଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ବିକେ ଉତ୍କଳ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଆଇଏଫ୍ ଜିଏଲ୍ ରିଫ୍ରାକ୍ଟୋରିଜ୍ ଲିମିଟେଡର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଯେଉଁଥିରେ ୨୬୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶରେ ୩୫୦ରୁ ଅଧିକ ଲୋକଙ୍କୁ ନିଯୁକ୍ତ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆଇଟି ଏବଂ ଇଏସଡିଏମ କ୍ଷେତ୍ରରେ ନିସୁମ କନସଲଟିଂ ପ୍ରାଇଭେଟ ଲିମିଟେଡ୍ ଦ୍ବାରା ୨୦୦ କୋଟି ଟଙ୍କା ନିବେଶକୁ ମଞ୍ଜୁରୀ ମିଳିଛି । ଗୋଟିଏ ସଫ୍ଟୱେର ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା ପାଇଁ କମ୍ପାନୀ ପ୍ରସ୍ତାବ ଦେଇଛି, ଯାହା ଓଡ଼ିଶାରେ ୬୪୦ରୁ ଅଧିକ ଲୋକଙ୍କୁ ରୋଜଗାର ସୁଯୋଗ ପ୍ରଦାନ କରିବ ।