spot_img
Home Blog Page 3034

ପୁଣି ଆସନ୍ତା ୧୪ ରୁ ୧୭ ତାରିଖ ଯାଏଁ ରାଜ୍ୟରେ ବଡ଼ ବର୍ଷା ସମ୍ଭାବନା

ଭୁବନେଶ୍ୱର :  ରାଜ୍ୟରେ ପୁଣି ବଡ଼ ବର୍ଷା ସମ୍ଭାବନା । ଆସନ୍ତା ୧୪ ରୁ ୧୭ ତାରିଖ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରଭାବିତ ହେବ ଉତ୍ତର ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲା । ୧୩ ତାରିଖରେ ଗାଙ୍ଗେୟ ଉପତ୍ୟାକା ଏବଂ ଉତ୍ତର ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଲଘୁଚାପରେ ପରିଣତ ନହେଲେ ବି ଉତ୍ତର ଓଡ଼ିଶାର ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ । କିଛି ସ୍ଥାନରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଘଡଘଡି ବିଜୁଳି ସହ ବର୍ଷା ଜାରି ରହିଛି ।

ଆଜି ଘଡଘଡି ବିଜୁଳି ସହ ବର୍ଷା ନେଇ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଗଜପତି, ମାଲକାନଗିରି ଏବଂ କୋରାପୁଟକୁ ଘଡଘଡି ବିଜୁଳି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ରାଜ୍ୟରେ ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ମୌସୁମୀ ନିମ୍ନଚାପରେଖା ଦୁର୍ବଳ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଆଜି ବି ହରିଆଣା ନୁହରେ ବନ୍ଦ ରହିବ ଇଣ୍ଟରନେଟ ସେବା

ଚଣ୍ଡିଗଡ଼ :  ହରିୟାଣାରେ ସୁଧୁରୁନି ସ୍ଥିତି । ପାରିପାର୍ଶ୍ବିକ ଅବସ୍ଥାକୁ ନଜରରେ ରଖି ଆଜି ବି ହରିଆଣା ନୁହରେ ବନ୍ଦ ରହିବ ଇଣ୍ଟରନେଟ ସେବା । ବର୍ତ୍ତମାନ ସୁଦ୍ଧା ହିଂସାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସ୍ଥିତି ଉପରେ ପୋଲିସର ରହିଛି ତୀକ୍ଷ୍ଣ ନଜର । ଶାନ୍ତିରେ ଯେପରି ବାଧା ସୃଷ୍ଟି ହେବ ନାହିଁ ସେଥିଲାଗି ମୋବାଇଲ ସେବାକୁ ବନ୍ଦ ରଖାଯାଇଛି ।

ଗତ ୫ ତାରିଖରୁ ହିଂସାକୁ ଦୃଷ୍ଟିରେ ରଖି ନୁହରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ଗତକାଲି ବୁଲଡୋଜରରାଜ ଉପରେ ହାଇକୋର୍ଟ ରୋକ୍ ଲଗାଇଥିବାବେଳେ ବନ୍ଦ ରହିଛି ଭଙ୍ଗାରୁଜା । ପ୍ରାୟ ଚାରି ଦିନ ଧରି ହିଂସାକୁ କେନ୍ଦ୍ର କରି ନୁହରେ ବୁଲଡୋଜରରାଜ୍ ଯୋଗୁ ଶହ ଶହ ଘର ମାଟିରେ ମିଶିଛି । ସ୍ଥିତିରେ ସାମାନ୍ୟ ଉନ୍ନତି ଆସିବା ପରେ ଗତକାଲି ସକାଳ ୯ଟାରୁ ୪ ଘଣ୍ଟା ଲାଗି କର୍ଫ୍ୟୁ ହଟାଯାଇଥିଲା । କର୍ଫ୍ୟୁ କୋହଳ ପରେ ଧୀରେଧୀରେ ଯାନବାହନ ଚଳାଚଳ ଆରମ୍ଭ କରିଛି । ବସ୍ ଯାତ୍ରା ବି ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ ଜୋରଦାର ଚେକିଂ ବି ଜାରି ରହିଥିବା ବେଳେ ଉତ୍ତେଜନାପ୍ରବଣ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି ।

ଆଜି ସଂସଦରେ ବହିବ ରାହୁଲ ଝଡ଼, କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବେ ଓ୍ବାଇନାଡ ଏମପି

ନୂଆଦିଲ୍ଲୀ :  ଆଜିଠୁ ସଂସଦରେ ବହିବ ରାହୁଲ ଝଡ଼ । କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବରେ ଭାଗ ନେଇ ବର୍ଷିବେ ଓ୍ବାଇନାଡ ଏମପି ରାହୁଲ ଗାନ୍ଧୀ । ଏହାସହ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଓ ଦୀର୍ଘ ଆଲୋଚନା ବିରୋଧୀ ଦାବି କରୁଥିବାବେଳେ ରାହୁଲଙ୍କ ଉପସ୍ଥିତି ଗୃହକୁ କରିବ ସରଗରମ । ଆଜି ଦିନ ୧୨ଟାରୁ ରାତି ୭ଟା ଯାଏ ଅନାସ୍ଥା ସମ୍ପର୍କରେ ଆଲୋଚନା ହେବ । ୯ ତାରିଖରେ ବି ହେବ ଆଲୋଚନା । ୧୦ ତାରିଖରେ ପ୍ରଧାନମନ୍ତ୍ରୀ ବିବୃତି ରଖିବେ ବୋଲି ସୂଚନା ମିଳିଛି ।

ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଇଣ୍ଡିଆ ମେଣ୍ଟ ରଣନୀତି ସ୍ପଷ୍ଟ କରିଥିବାବେଳେ ରାହୁଲଙ୍କ ନେତୃତ୍ବରେ ଶାଣିତ ହେବ ସ୍ବର । ହିଂସା ଜର୍ଜରିତ ମଣିପୁରକୁ ରାହୁଲ ଗସ୍ତ କରିଥିବାରୁ ସରକାରଙ୍କୁ କରିବେ ଜୋରଦାର ଟାର୍ଗେଟ । ଗତକାଲି ମୋଦି ସାଙ୍ଗିଆ ମାମଲାରେ ସାଂସଦ ପଦ ହରାଇଥିବା ରାହୁଲଙ୍କ ରିଟର୍ଣ୍ଣ ପରେ କଂଗ୍ରେସରେ ଦେଖାଦେଇଛି ଉତ୍ସାହ । ଗତ ମାର୍ଚ୍ଚ ୨୪ ତାରିଖରେ ରାହୁଲଙ୍କ ସାଂସଦ ପଦ ହୋଇଥିଲା ରଦ୍ଦ । ଗତ ୪ ତାରିଖରେ ହାଇକୋର୍ଟ ରାୟ ଉପରେ ରୋକ୍ ଲଗାଇଥିଲେ ସୁପ୍ରିମକୋର୍ଟ । ରାହୁଲଙ୍କ ସଦସ୍ୟତା କାଏମ ନେଇ ଗତକାଲି ବିଜ୍ଞପ୍ତି ଜାରି କରିଥିଲା ଲୋକସଭା ସଚିବାଳୟ ।

ଖୋର୍ଦ୍ଧାରେ ଖଣି ମାଫିଆ ପ୍ରକାଶ ରାଉତରାୟଙ୍କ ଘରେ ଚଢାଉ, ୧୯ ଲକ୍ଷରୁ ଅଧିକ ଟଙ୍କା ଜବତ

ଖୋର୍ଦ୍ଧା: ଖୋର୍ଦ୍ଧାରେ ଖଣି ମାଫିଆ ପ୍ରକାଶ ରାଉତରାୟଙ୍କ ଘରେ ଭୁବନେଶ୍ବର କମିଶନରେଟ୍ ପୋଲିସ ଏବଂ ଖୋର୍ଦ୍ଧା ପୋଲିସର ମିଳିତ ଚଢାଉ । ପ୍ରକାଶଙ୍କ ଘରୁ ୩୮ଟି ବିଡ଼ା ଟଙ୍କା ଜବତ କରିଛି ପୋଲିସ । ଜବତ ଟଙ୍କା 19 ଲକ୍ଷରୁ ଅଧିକ ହେବ ବୋଲି ସୂଚନା ମିଳିଛି । ଏହାସହ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି ପୋଲିସ୍ । ଗତକାଲି ଖଣି, ଗୋତସ୍କରି, ମୋରାମ ଚୋରାଚଳାଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ସଞ୍ଜୟ ଖୁଣ୍ଟିଆ ଗ୍ୟାଙ୍ଗକୁ ଠାବ କରିଥିଲା ଭୁବନେଶ୍ବର ପୋଲିସ । ଆଜି ସ୍ପେଶାଲ ସ୍କ୍ବାର୍ଡ ଓ ତମାଣ୍ଡୋ ପୋଲିସ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଥିବା ବେଳେ ବନ୍ଧୁକ, ଗୁଳି, ଦାମୀ କାର, ମୋବାଇଲ ଆଦି ଠାବ କରିଛି । ସେମାନଙ୍କ ଭିତରୁ ପ୍ରକାଶ ରାଉତରାୟଙ୍କ ଘରେ ଚଢା଼ଉ ଜାରି ରହିଛି ।

AAPକୁ ଝଟକା, ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ଦିଲ୍ଲୀ ସେବା ବିଲ୍ ପାରିତ

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ଦିଲ୍ଲୀ ସେବା ବିଲ୍ ପାରିତ । ଗୋଟିଏ ପଟେ ଆମ ଆମଦୀ ପାର୍ଟିକୁ ବଡ଼ ଝଟକା ଲାଗିଥିବା ବେଳେ ବିରୋଧୀ ଏକତା ମେଣ୍ଟ INDIA ମଧ୍ୟ ପ୍ରଥମ ପରୀକ୍ଷାରେ ବିଫଳ ହୋଇଛି । ରାଜ୍ୟସଭାରେ ସୋମବାର ଆଗତ ହୋଇଥିବା ଦିଲ୍ଲୀ ସେବା ବିଲ୍ ବହୁମତରେ ପାରିତ ହୋଇଯାଇଛି । ଦିଲ୍ଲୀ ସେବା ବିଲ୍ ସମର୍ଥନରେ ମୋଟ ୧୩୧ ଭୋଟ୍ ପଡ଼ିଥିଲା । ସେହିପରି ବିରୋଧରେ ୧୦୨ ଭୋଟ୍ ପଡ଼ିଥିଲା । ଅଟୋମେଟିକ ମେସିନ ଖରାପ ହେବା କାରଣରୁ ଚିଟ୍ ଜରିଆରେ ଭୋଟିଂ କରାଯାଇଥିଲା । ଏଥିରେ କେନ୍ଦ୍ର ପକ୍ଷରୁ ଆଗତ ବିଲ୍ ସମର୍ଥନରେ ଅଧିକ ଭୋଟ ପଡ଼ିଥିଲା । ଦିଲ୍ଲୀରେ ଗ୍ରୁପ-ଏ ଅଧିକାରୀଙ୍କ ପୋଷ୍ଟିଂ ଓ ଟ୍ରାନ୍ସଫର ପାଇଁ କେନ୍ଦ୍ର ଆଣିଥିବା ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ପ୍ରଥମେ ଲୋକସଭା ଏବଂ ଏବେ ରାଜ୍ୟସଭାରେ ଏହା ଆଗତ କରାଯାଇଥିଲା ।

ପୂର୍ବରୁ ଏହି ବିଲ୍ ଲୋକସଭାରେ ପାରିତ ହୋଇସାରିଛି । ଏବେ କେବଳ ରାଷ୍ଟ୍ରପତିଙ୍କ ପାଖକୁ ମଞ୍ଜୁରୀ ପାଇଁ ପଠାଯିବ । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହା ଆଇନରେ ପରିଣତ ହୋଇଯିବ । ରାଜ୍ୟସଭାରେ ବିଲ୍ ଆଗତ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଲ୍ ସହ ସମ୍ବନ୍ଧିତ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ପ୍ରକାଶଥାଉଖି, ଏନଡିଏ ମେଣ୍ଟ ପାଖରେ ରାଜ୍ୟସଭାରେ ଏହି ବିଲ୍ ପାରିତ କରିବା ପାଇଁ ସଂଖ୍ୟା ଗରିଷ୍ଠତା ନଥିଲା । ଏହାପରେ ବିଜେଡି ଏବଂ ୱାଇଏସଆର୍ କଂଗ୍ରେସ ଦିଲ୍ଲୀ ବିଲ୍ ପ୍ରସଙ୍ଗରେ କେନ୍ଦ୍ରକୁ ସମର୍ଥନ ଦେବା ନେଇ ଘୋଷଣା କରିଥିଲେ । ଉଭୟ ୱାଇଏସଆର୍ କଂଗ୍ରେସ ଓ ବିଜେଡିର ରାଜ୍ୟସଭାରେ ୯ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ଏହି ୧୮ ଜଣ ସଦସ୍ୟଙ୍କ ସମର୍ଥନ କେନ୍ଦ୍ରକୁ ମିଳିଥିଲା । ଯାହାଫଳରେ ବିଲ୍ ବହୁମତରେ ପାରିତ ହୋଇଛି ।

ବିଲ ଆଗତ ହେବା ପରେ ଚର୍ଚ୍ଚା ସମୟରେ ଏହାକୁ ଅସାମ୍ବିଧାନିକ କହି ବିଜେପି ଉପରେ ବର୍ଷିଥିଲା କଂଗ୍ରେସ । ଆଲୋଚନା ସମୟରେ ବିରୋଧୀ ଦଳର ସାଂସଦ ହଟଗୋଳ କରିଥିଲେ । ଦିଲ୍ଲୀରେ ବିଜେପି ସୁପର ସିଏମ ଚାହୁଁଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା । ପ୍ରଥମ ଥର ଲାଗି ଏଭଳି ଏକ ନିୟମ ଲାଗୁ ହେବାକୁ ଯାଉଛି, ଯେଉଁଥିରେ ଜଣେ ମୁଖ୍ୟମନ୍ତ୍ରୀ ଦୁଇ ଜଣ ସଚିବଙ୍କ ତଳେ ରହିବେ । ଏହି ବିଲ ପାସ୍ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୟ ସୃଷ୍ଟି କରିବା ବୋଲି କଂଗ୍ରେସ କହିଛି ।

ରୂପାନ୍ତରିତ ହେବ ବାଲେଶ୍ୱରର ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ବର ମନ୍ଦିର, ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର: ରୂପାନ୍ତରିତ ହେବ ବାଲେଶ୍ବରର ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ବର ମନ୍ଦିର । ମନ୍ଦିରର ନବକଳେବର ପାଇଁ ମାଷ୍ଟରପ୍ଲାନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ୧୫ କୋଟି ୫୮ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି । ଫାଇଭ-ଟି ଉପକ୍ରମରେ ସମଗ୍ର ପୀଠର ରୂପାନ୍ତରଣ କରାଯିବ । ମନ୍ଦିରର ଉନ୍ନତିକରଣ ସହିତ ପାରିପାର୍ଶ୍ବିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କରାଯିବ । ଗତ ଜୁନ୍ ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ ପଞ୍ଚଲିଙ୍ଗେଶ୍ବର ମନ୍ଦିର ପରିଦର୍ଶନ କରି ଏହାର ଉନ୍ନତିକରଣ ପାଇଁ ମନ୍ଦିରର ସେବାୟତ, ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରି ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ମାଷ୍ଟରପ୍ଲାନ ଅନୁସାରେ ସଂପୂର୍ଣ୍ଣ ପ୍ରକଳ୍ପକୁ ୪ଟି ଜୋନ୍ରେ ବିଭକ୍ତ କରାଯାଇ ବିକଶିତ କରାଯିବ । ଏହି ୪ଟି ଜୋନ୍ ହେଲା – ବଡମ୍ବା ମନ୍ଦିର, ପଞ୍ଚଲିଙ୍ଗେଶ୍ବର ମନ୍ଦିର ଓ ଜଳପ୍ରପାତ ଅଞ୍ଚଳ, ସପିଂ କମ୍ପ୍ଲେକ୍ସ ଓ ପାର୍କ ଏବଂ ପାନ୍ଥଶାଳା ଅଞ୍ଚଳ । ଜୋନ୍-୧ ବଡମ୍ବା ମନ୍ଦିରରେ ଭକ୍ତମାନଙ୍କ ପାଇଁ ଅଧିକ ସୁବିଧା କରାଯାଇ ପଥର ପାହାଚ, ବେଞ୍ଚ, ଓ୍ବାଚ ଟାଓ୍ବାର, ବସିବା ସ୍ଥାନ, ଗ୍ରାନାଇଟର ଚଲାପଥ ଆଦି ବିକଶିତ କରାଯିବ। ଜୋନ୍-୨ରେ ପଞ୍ଚଲିଙ୍ଗେଶ୍ବର ମନ୍ଦିର ଓ ଜଳପ୍ରପାତ ଅଞ୍ଚଳର ବିକାଶ ହେବ । ପୁରା ମନ୍ଦିରର ବେସ ଏରିଆର ପୁନର୍ବିକାଶ ସହିତ ଗୁମ୍ଫା ଓ ଯଜ୍ଞ ମଣ୍ଡପକୁ ପ୍ରବେଶ ପଥ ନିର୍ମାଣ କରାଯିବ । ପୂଜାର୍ଚ୍ଚନା ସ୍ଥାନର ପରିବର୍ଦ୍ଧନ କରାଯାଇ ସୌନ୍ଦର୍ଯ୍ୟକରଣ କରାଯିବ। ଏହାଛଡା ଅତିରିକ୍ତ ଶୌଚାଳୟ ଓ ଚେଞ୍ଜିଂ ରୁମ ମଧ୍ୟ ନିର୍ମାଣ କରାଯିବ ।

ଜୋନ୍-୩ ରେ ସପିଂ କମ୍ପ୍ଲେକ୍ସ ନିର୍ମାଣ କରାଯିବ ଏବଂ ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ପାଇଁ ପାର୍କ ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯିବ । ସେହିପରି ଜୋନ୍-୪ ପାନ୍ଥଶାଳା ଅଞ୍ଚଳରେ ପାର୍କିଂ ତଥା ପିକ୍ନିକ୍ ପାଇଁ ପିଣ୍ଡିର ବ୍ୟବସ୍ଥା ମଧ୍ୟ କରାଯିବ । ଫୁଡକୋର୍ଟ, ଜଳକ୍ରୀଡା ଓ ପିଲାମାନଙ୍କ ଖେଳ ପାଇଁ ସୁବିଧା କରାଯିବ । ପଞ୍ଚଲିଙ୍ଗେଶ୍ବର ମନ୍ଦିର ରାଜ୍ୟର ଏକ ପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ । ଜଙ୍ଗଲ, ପାହାଡ, ଜଳପ୍ରପାତ ଆଦିର ମନୋରମ ପରିବେଶ ମନ୍ଦିର ପରିସରକୁ ଅଧିକ ଆକର୍ଷଣୀୟ କରି ଗଢିତୋଳିଛି । ପ୍ରତିଦିନ ବିଭିନ୍ନ ସ୍ଥାନରୁ ଶହ ଶହ ପର୍ଯ୍ୟଟକ ପୀଠକୁ ଆସି ଆଧ୍ୟାତ୍ମିକ ତଥା ମାନସିକ ଶାନ୍ତି ଲାଭ କରିଥାନ୍ତି । ପୀଠର ବିକାଶ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସଫଳ ହେବ ।

ରାଜ୍ୟସଭାରେ ୪ ବିଜେଡି ସାଂସଦଙ୍କ ପ୍ରଶ୍ନ; ରାଜ୍ୟରେ କେତେ ବକ୍ସାଇଟ ଉତ୍ପାଦନକାରୀ ୟୁନିଟ ଅଛି?

ଭୁବନେଶ୍ୱର: ରାଜ୍ୟରେ କେତେ ବକ୍ସାଇଟ ଉତ୍ପାଦନକାରୀ ୟୁନିଟ ଅଛି ? ଜିଲ୍ଲାୱାରୀ କ୍ଷମତା, ଲୋକେସନ ସହ ଦୁଇ ବର୍ଷରେ କେତେ ଉତ୍ତୋଳନ ଟାର୍ଗେଟ ଥିଲା ? ଏ ନେଇ ରାଜ୍ୟସଭାରେ ପ୍ରଶ୍ନ କରିଛି ବିଜେଡି । ବିଜେଡି ପକ୍ଷରୁ ସାଂସଦ ମାନସ ମଙ୍ଗରାଜ, ଡ. ପ୍ରଶାନ୍ତ ନନ୍ଦ, ସୁଲତା ଦେଓ ଓ ନିରଞ୍ଜନ ବିଶି ଏ ପ୍ରସଙ୍ଗ ଉଠାଇଥିଲେ । ଉତ୍ତରରେ କେନ୍ଦ୍ର ଖଣି କୋଇଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପହଲ୍ଲାଦ ଯୋଶୀ କହିଥିଲେ, ଏବେ ୪ଟି ବକ୍ସାଇଟ ଉତ୍ତୋଳନ ୟୁନିଟ ରହିଛି । ରାୟଗଡ଼ା ଜିଲ୍ଲାର ପଞ୍ଚପଟମାଳି ନର୍ଥ ବ୍ଲକ, ପଞ୍ଚପଟମାଳି ସାଉଥ ବ୍ଲକ, କୋଡିଙ୍ଗାମାଳି ଓ ବାଫଲିମାଳିରେ ଚାରିଟି ବକ୍ସାଇଟ ଖଣି ରହିଛି ।

୨୦୨୧-୨୨ରେ ୪ଟି ଖଣିରୁ ୧୬୪ଲକ୍ଷ ୪୮ହଜାର ୮୪୬ ମେଟ୍ରିକ ଟନ ବକ୍ସାଇଟି ଉତ୍ତୋଳନ ହୋଇଛି । ୨୦୨୨-୨୩ରେ ୧୭୫ଲକ୍ଷ ୧ହଜାର ୯୪୮ ମେଟ୍ରିକ ଟନ୍ ବକ୍ସାଇଟ ଉତ୍ପାଦନ ହୋଇଛି । ତେବେ ଏହି ବକ୍ସାଇଟ୍ ସାଇଟଗୁଡିକରେ ବ୍ୟବସାୟିକ କାର୍ଯ୍ୟକଳାପ ପାଇଁ କୌଣସି ପିପିପି ମୋଡର ବ୍ୟବସ୍ଥା ନାହିଁ ବୋଲି ଗୃହରେ ଲିଖିତ ଉତ୍ତର ଦେଇଛନ୍ତି କେନ୍ଦ୍ର ଖଣିମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ଏହଛଡ଼ା ରାଜ୍ୟରେ ଇଣ୍ଡଷ୍ଟ୍ରିଆଲ ପଲିସି ରିଜଲ୍ୟୁସନ-୨୦୨୨ରେ ଏନେଇ କୌଣସି ବ୍ୟବସ୍ଥା ନାହିଁ । ସାଂସଦ ମାନସ ମଙ୍ଗରାଜ, ଡ. ପ୍ରଶାନ୍ତ ନନ୍ଦ, ସୁଲତା ଦେଓ, ନିରଞ୍ଜନ ବିଶିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ଖଣି ମନ୍ତ୍ରୀ ।

ମାଲକାନଗିରି ଜିଲ୍ଲାରେ ମାଓ ଡମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମାଓ ଡମ୍ପ ଠାବ । ଆଜି ଏକ ବଡ ଧରଣର ମାଓ ଗୋପନ ଆଡ୍ଡା ଠାବ କରିଛନ୍ତି ବିଏସଏଫ । କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିଓ୍ବାଡାରେ ମୁତୟନ ଥିବା 142 ବାଟାଲିଆନର ବିଏସଏଫ ଆମପଦର ଏଲକାନୁର ଓ ବଦଲିଗୁଡା ଜଙ୍ଗଲରେ କମ୍ବିଂ ଅପରେସନ କରିବା ଲାଗି ଯାଇଥିବା ବେଳେ ଏହାକୁ ଠାବ କରିଥିଲେ । ଲ୍ୟାଣ୍ଡମାଇନ ଡିଟେକ୍ଟର ଦ୍ବାରା ସର୍ଚ୍ଚ କରି ଏହାକୁ ଠାବ କରିଥିଲେ ଜବାନ । ଡମ୍ପ ଭିତରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । 4ଟି ବନ୍ଧୁକ 42 ଟି ଗୁଳି ଭର୍ତ୍ତି କ୍ୟାଟରିଜ, 16ଟି ହେଣ୍ଡ ଗ୍ରେନେଡ, 2ଟି ମୋଟର ବୋମା, ଗୋଟିଏ ରକେଟ ଲଞ୍ଚର, ଏଲଏମଜି ଗୁଳି, 29ଟି ଜିଲୋଟିନ ଷ୍ଟିକ୍, 30ଟି ଇଲେକ୍ଟ୍ରୋନିକ୍ ଡିଟୋନିଟର ଜବତ ହୋଇଛି । ପୂର୍ବରୁ ଏହିସବୁ ଅଞ୍ଚଳ ମାଓବାଦୀଙ୍କ ଚରା ଭୁଇଁ ହୋଇଥିବା ବେଳେ ଜଙ୍ଗଲ ଭିତରେ ସୁରକ୍ଷିତ ଅବସ୍ଥାରେ ଏହି ସବୁ ସାମଗ୍ରୀ ଲୁଚାଇ ରଖିଥିଲେ ।

ମଣିପୁର ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, ହିଂସାକାଣ୍ଡର ଯାଞ୍ଚ ପାଇଁ ତିନି ଜଣିଆ କମିଟି ଗଠନ

ନୂଆଦିଲ୍ଲୀ: ମଣିପୁର ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ । ହିଂସାକାଣ୍ଡର ଯାଞ୍ଚ ପାଇଁ ତିନି ଜଣିଆ କମିଟି ଗଠନ କରିଛନ୍ତି ସର୍ବୋଚ୍ଚ କୋର୍ଟ । ହାଇକୋର୍ଟର ତିନିଜଣ ପୂର୍ବତନ ବିଚାରରପତିଙ୍କୁ ନେଇ ଗଠିତ କମିଟି ଏହାର ତଦନ୍ତ କରିବ । ହିଂସା ଜର୍ଜରିତ ମଣିପୁରରେ ରିଲିଫ, ଥଇଥାନ ସମ୍ପର୍କରେ ଏହି ଟିମ୍ ତଦନ୍ତ କରିବ । ଜାମ୍ମୁ କାଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଗୀତା ମିତ୍ତଲଙ୍କ ନେତୃତ୍ୱରେ ଗଠିତ କମିଟିରେ ବମ୍ବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଶାଲିନୀ ଯୋଶୀ ଏବଂ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆଶା ମେନନ ରହିବେ । ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା ସହ ମଣିପୁରବାସୀଙ୍କ ଭରସା ଜିତିବା ସୁପ୍ରିମକୋର୍ଟଙ୍କ ପ୍ରୟାସ ବୋଲି ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି ।

ରାଜ୍ୟରେ ମହିଳା ବିରୋଧୀ ହିଂସା ମାମଲାର ଯାଞ୍ଚ ସିବିଆଇ କରିବ । ସ୍ବତନ୍ତ୍ର ଓ ନିରପେକ୍ଷ ଯାଞ୍ଚ ପାଇଁ ସିବିଆଇ ଟିମରେ ଅନ୍ୟ ରାଜ୍ୟର ଡପୁଟି ଏସପି ରାଙ୍କର ୫ଜଣ ଲେଖାଏଁ ଅଫିସର ରହିବେ । ସିବିଆଇ ତଦନ୍ତର ସମୀକ୍ଷା ପାଇଁ ପୂର୍ବତନ ଆଇପିଏସ ଅଫିସ ଦତ୍ତାତ୍ରୟ ପଦସାଲଗିକରଙ୍କୁ ଦାୟିତ୍ବ ଦିଆଯାଇଛି । ଅନ୍ୟ ମାମଲାର ଯାଞ୍ଚ ପାଇଁ ୪୨ଟି ଏସଆଇଟି ଗଠନ କରାଯିବ । ଏସପି ରାଙ୍କର ଅଧିକାରୀ SIT ଟିମର ନେତୃତ୍ବ ନେବେ । ଡିଆଇଜି ରାଙ୍କର ଅଫିସର ୬ଟି ଏସଆଇଟି ତଦନ୍ତର ସମୀକ୍ଷା କରିବେ । ହାଇକୋର୍ଟ ବିଚାରପତିଙ୍କ କମିଟି ଓ ସିବିଆଇ ଯାଞ୍ଚର ସମୀକ୍ଷା କରୁଥିବା ଆଇପିଏସ ଅଫିସର ସମୟ ସମୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କ ଭରସା ଓ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଫେରାଇ ଆଣିବାକୁ ଆମର ପ୍ରୟାସ ରହିବ ବୋଲି କୋର୍ଟ କହିଛନ୍ତି ।

ଖୁବଶୀଘ୍ର ଭବାନୀପାଟଣାରୁ ଭୁବନେଶ୍ୱର ଉଡ଼ିବ ବିମାନ, ଉତ୍କେଲା ବିମାନବନ୍ଦରକୁ ଲାଇସେନ୍ସ ଦେଲା ଡିଜିସିଏ

ଭୁବନେଶ୍ୱର: ଆକାଶପଥରେ ଯୋଡ଼ିହେବ କଳାହାଣ୍ଡି । ଉତ୍କେଲା ବିମାନବନ୍ଦରକୁ ମିଳିଲା ଲାଇସେନ୍ସ । ଉତ୍କେଲାରୁ ବିମାନ ଉଡିବା ପାଇଁ DGCA ଅନୁମତି ପ୍ରଦାନ କରିଛି । ଟ୍ବିଟ କରି କରି ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ଭବାନୀପାଟଣାରୁ ଭୁବନେଶ୍ବରକୁ ଖୁବଶୀଘ୍ର ଉଡିବ ବିମାନ । ଯୋଗାଯୋଗ, ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ର ସୁଦୃଢ ହେବ । ଗତମାସ DGCA ଟିମ୍ କଳାହାଣ୍ଡି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲା । ପୂର୍ବରୁ ଝାରସୁଗୁଡ଼ା, ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଓ ଜୟପୁରକୁ ବିମାନ ଯୋଗାଯୋଗ ବ୍ୟବସ୍ଥା ହୋଇଥିବାବେଳେ ଏବେ ଏହି ପର୍ଯ୍ୟାୟରେ ଯୋଡ଼ିହୋଇଛି ଭବନୀପାଟଣା । ମାଲକିନଗିରିରେ ମଧ୍ୟ ଏକ ଗ୍ରୀନଫିଲ୍ଡ ଏୟାରପୋର୍ଟର କାମ ଜାରି ରହିଛି, ଯାହା ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି ।