spot_img
Home Blog Page 3091

ପ୍ରଦୂଷଣ ଓ ଟ୍ରାଫିକ ସମସ୍ୟା ଦୂର କରିବାକୁ ୧୪ ଶହ କୋଟି ଟଙ୍କାର ବଡବିଲ ରିଂ  ରୋଡ

କେନ୍ଦୁଝର: କେନ୍ଦୁଝର ଲେଖୁଛି ନୂଆ ବିକାଶ କାହାଣୀ । ଦୁଇ ଦିନିଆ  କେଉଁଝର  ଗସ୍ତରେ  ଯାଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ୍ । ପାଟଣା, ଚମ୍ପୁଆ, ଯୋଡ଼ା ବ୍ଲକ ଓ କେନ୍ଦୁଝର ପୌରପାଳିକା ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତକରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ବହୁସଂଖ୍ୟକ ହିତାଧିକାରୀଙ୍କ ସହ କଲେ ଆଲୋଚନା । ଖଣି ସମୃଦ୍ଧ ବଡବିଲର ପ୍ରଦୂଷଣ ଓ ଟ୍ରାଫିକ ସମସ୍ୟା ଦୂର ପାଇଁ ଶୀଘ୍ର ୧୪ ଶହ କୋଟି ଟଙ୍କାର ବଡବିଲ ରିଂ  ରୋଡ ପ୍ରକଳ୍ପ ଆରମ୍ଭ କରାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ବିଷୟରେ ସୂଚନା  ଦେଇଛନ୍ତି 5T ସଚିବ ।

ପ୍ରଥମେ ପାଟଣା ବ୍ଲକର ଭୀମକଣ୍ଡକୁ ଯାଇ ସେଠାରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ ପାଣ୍ଡିଆନ୍ । ଏହାପରେ 5T ସଚିବ ଚମ୍ପୁଆ ଯାଇ ଏନଏସି ସ୍ଥିତ ଜଳ ବିଶୋଧନାଗାର ପରିଦର୍ଶନ କରିଥିଲେ । ସେଠାରେ ଜାରି ରହିଥିବା ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ପ୍ରକଳ୍ପ ବାବଦରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା । ପ୍ରକଳ୍ପଟି ସଫଳତାର ସହ କାର୍ଯ୍ୟକାରୀ ହେଉଥିବା ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ । ଏହି ଅବସରରେ 5T ସଚିବ ‘ଜଳ ସାଥୀ’ଙ୍କ ସହ ଆଲୋଚନା କରିବା ସହ ଜନସାଧାରଣଙ୍କ ହିତ ପାଇଁ ସେମାନଙ୍କ କାର୍ଯ୍ୟ ବେଶ୍ ଗୁରୁତ୍ୱବହନ କରୁଛି ବୋଲି କହିଥିଲେ ।

ପରେ ସେ ନେହେରୁ ଷ୍ଟାଡିୟମରେ ଏକ ସ୍ଥାନୀୟ ସମାବେଶକୁ ସମ୍ବୋଧିତ କରିଥିଲେ  5T ସଚିବ । ସେଠାରୁ ବଡ଼ବିଲ ଗସ୍ତ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ଏନଆରସି ଓ ଡାଇଲିସିସ୍ ସେଣ୍ଟରରେ ଉପଲବ୍ଧ ହେଉଥିବା ସୁବିଧା ବିଷୟରେ ରୋଗୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ମତାମତକୁ ଶୁଣିଥିଲେ । ପରେ ଯୋଡ଼ା ବ୍ଲକର ସେରେଣ୍ଡା ପରିଦର୍ଶନ କରି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଏବଂ ଆଦିବାସୀ ବିକାଶ ସମିତିର ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । ସେଠାରେ ଆଦିବାସୀ ବିକାଶ ସମିତିର ୯ ଶହ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ ବୋଲି ସୂଚନା ଦେଇଥିଲେ ପାଣ୍ଡିଆନ୍ । ଏହାପରେ, ଯୋଡ଼ା ଫ୍ଲାଇ ଓଭରରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ସେଠାରୁ ଯୋଡ଼ାଠାରେ ଥିବା ଜରାଶ୍ରମକୁ ପରିଦର୍ଶନରେ ଯାଇ ଅନ୍ତେବାସୀଙ୍କ ମଧ୍ୟାନ୍ନ ଭୋଜନରେ ଅଂଶଗ୍ରହଣ କରିଥିଲେ ।

କାନପୁର ଜଳସେଚନ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ସେଠାରେ ପ୍ରକଳ୍ପର ଅଗ୍ରଗତିର ଆକଳନ ସାଙ୍ଗକୁ ଜାତୀୟ ରାଜପଥ ସହ ଜଡ଼ିତ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ । ସେଠାରୁ କେନ୍ଦୁଝର ସହରସ୍ଥିତ ଓଏସଏମଇ କମ୍ପ୍ଲେକ୍ସକୁ ଯାଇ ମିଶନ ଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ସମ୍ବୋଧିତ କରିଥିଲେ । ପରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ‘ମିଶନ୍ ଶକ୍ତି’ କାଫେ ପରିଦର୍ଶନ କରିଥିଲେ ।  ସେଠାରୁ ସେ କେନ୍ଦୁଝର ଅଡିଟୋରୀୟମ ଯାଇ ସେଠାରେ ପ୍ରାୟ ୧ ହଜାର ସଂଖ୍ୟାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସମ୍ବୋଧିତ କରିଥିଲେ । ସେଠାରୁ ସ୍ଥାନୀୟ ହ୍ୟାଣ୍ଡବଲ୍ ଷ୍ଟାଡିୟମ ପରିଦର୍ଶନରେ ଯାଇ ସେଠାରେ ତାଲିମ୍ ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କ ଉତ୍ସାହ କରିବା ସହ ଖେଳ ପ୍ରତି ଉତ୍ସର୍ଗୀକୃତତାକୁ ଦେଖି ଖୁସି ବ୍ୟକ୍ତ କରିଥିଲେ । ଏହାସହ ଷ୍ଟାଡିୟମରେ ଉପସ୍ଥିତ ହ୍ୟାଣ୍ଡବଲ୍ ଖେଳାଳିଙ୍କ ସହ କଥା ହୋଇଥିଲେ । ପରେ, ବଳଦେବଜୀଉ ମନ୍ଦିର ପରିଦର୍ଶନରେ ଯାଇ ସେଠାରେ  ପୂଜାର୍ଚନା କରିଥିଲେ । ପରେ ବଡ଼ଦାଣ୍ଡରେ ଚାଲିଥିବା ବିକାଶ କାର୍ଯ୍ୟ ଓ ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ସେଠାରୁ ହାଡ଼ବନ୍ଧ ଜଳାଶୟ ପରିଦର୍ଶନରେ ଯାଇ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ।

ଗରିବ ଛାତ୍ରୀଙ୍କୁ ସହାୟତାର ହାତ ବଢ଼ାଇଲେ 5T ସଚିବ, ମିଳିଲା ପୁସ୍ତକ ସହ ଆର୍ଥିକ ସହାୟତା

ଭୁବନେଶ୍ବର: ଗରିବ ମେଧାବୀ ଛାତ୍ରୀଙ୍କ ଦୁଃଖ ବୁଝିଲେ 5T ସଚିବ ଭି.କେ. ପାଣ୍ଡିଆନ । ପାଠ ପଢା ପାଇଁ ପୁସ୍ତକ ସହ ମିଳିଲା ଆର୍ଥିକ ସହାୟତା । ସାହାଯ୍ୟ ସହଯୋଗ ପାଇଁ ଉପକୃତ ହେଲେ କଟକ ଜିଲ୍ଲା ବଡ଼ମ୍ବା ବ୍ଲକର ରତାପାଟ ଗାଁର ମେଧାବୀ ଝିଅ ଶୁଭଲକ୍ଷ୍ମୀ ଧଳ ।

ଚଳିତବର୍ଷ ଦଶମ ପରୀକ୍ଷାରେ ୬୦୦ରୁ ୫୬୮ ମାର୍କ ରଖି ବ୍ଲକରେ ଟପ୍ପର ହୋଇଛନ୍ତି ଶୁଭଲକ୍ଷ୍ମୀ । ବାପାଙ୍କ ମୃତ୍ୟୁ ପରେ ପରିବାର ଦୁଃଖ ଆଉ ଦୁର୍ଦ୍ଦିନ ଦେଇ ଗତି କରୁଛି । ଉଚ୍ଚ ଶିକ୍ଷାନେଇ ମନରେ ଉଚ୍ଚ ଅଭିଳାଷ ଥିଲେ ମଧ୍ୟ ପାଖରେ ନଥିଲା ସମ୍ବଳ । ଦୁଃଖକଷ୍ଟରେ ପରିବାର ପୋଷୁଥିବା ମାଆ ରେବତୀ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଥିଲେ । ଏହି ଖବର ଜାଣିବା ପରେ ଶୁଭଲକ୍ଷ୍ମୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି 5T ସଚିବ । ଶୁଭଲକ୍ଷ୍ମୀର ପାଠ ପଢ଼ା ପାଇଁ ସହାୟତା ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ କଟକ ଜିଲ୍ଲାପାଳ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ସହ ଶୁଭଲକ୍ଷ୍ମୀଙ୍କୁ ପୁସ୍ତକ ଯୋଗାଇ ଦେଇଛନ୍ତି । ଏବେ ଆଉ ଶୁଭଲକ୍ଷ୍ମୀଙ୍କ ପାଠ ପଢା ଅଧାରେ ଅଟକିବନି । ସରକାରୀ ଆର୍ଥିକ ସହାୟତା ମିଳିବା ପରେ ଶୁଭଲକ୍ଷ୍ମୀ ଓ ପରିବାର ଖୁସି ବ୍ୟକ୍ତ କରିଛନ୍ତି ।

ଆମାଜନ ଜଙ୍ଗଲରୁ ୪୦ ଦିନ ପରେ ୪ ଶିଶୁ ସୁରକ୍ଷିତ ଉଦ୍ଧାର

କଲମ୍ବିଆ: ଚମତ୍କାର ! ଅଭାବନୀୟ ! ଆଶ୍ଚର୍ଯ୍ୟଜନକ ! କଲମ୍ବିଆର ଭୟଙ୍କର ଆମାଜନ ଜଙ୍ଗଲରେ ଚମତ୍କାର । ଜଙ୍ଗଲରେ ଏକ କ୍ଷୁଦ୍ର ବିମାନ ଦୁର୍ଘଟଣାର ୪୦ ଦିନ ପରେ ୪ ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ୪ ଜଣଙ୍କ ମଧ୍ୟରୁ ଜଣଙ୍କ ବୟସ ୧୧ ମାସରୁ କମ୍ ହୋଇଥିବା ବେଳେ ଅନ୍ୟମାନଙ୍କ ବୟସ ୧୩, ୯ ଓ ୪ ବର୍ଷ । ହିଂସ୍ର ଜୀବଜନ୍ତୁ, ବିରାଟ ବିରାଟ ସାପ ଥିବା ଆମାଜନ ଜଙ୍ଗଲରେ ପ୍ରତିକୂଳ ପରିସ୍ଥିତିରେ ୪୦ ଦିନ ପରେ ୪ ଶିଶୁଙ୍କୁ ଜୀବିତ ଉଦ୍ଧାର କରାଯାଇଥିବାରୁ କଲମ୍ବିଆରେ ଖୁସିର ଲହରୀ ଖେଳିଯାଇଛି ।

ଗତ ମେ ୧ ତାରିଖରେ ଆମଜନ ଜଙ୍ଗଲରେ ଏକ କ୍ଷୁଦ୍ର ବିମାନ ଖସି ପଡ଼ିଥିଲା । ବିମାନରେ ୪ ଶିଶୁଙ୍କ ସହ ସେମାନଙ୍କ ମାଆ, ପାଇଲଟ ଓ ସହ-ପାଇଲଟ୍ ଥିଲେ । ଦୁର୍ଘଟଣା ପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ହେଲିକପ୍ଟର ସହାୟତା ମଧ୍ୟ ନିଆଯାଇଥିଲା । ଦୁଇ ସପ୍ତାହ ତଳେ ଦୁର୍ଘଟଣାଗ୍ରସ୍ତ ବିମାନର ସନ୍ଧାନ ମିଳିଥିଲା । ଘଟଣାସ୍ଥଳରୁ ମିଳିଥିଲା ଚାରି ଶିଶୁଙ୍କ ମାଆ, ପାଇଲଟ୍‌ ଓ ସହ-ପାଇଲଟଙ୍କ ମୃତଦେହ । କିନ୍ତୁ ପିଲାମାନଙ୍କ ଖୋଜ ଖବର ମିଳିନଥିଲା । ପ୍ରବଳ ବର୍ଷା ହେଉଥିବା ଜଙ୍ଗଲରେ କିଛି ଛୋଟ ପିଲାଙ୍କ ପାଦଚିହ୍ନ ଦେଖି ରେସ୍କ୍ୟୁ ଟିମ୍ ଖୋଜାଖୋଜି ଜାରି ରଖିଥିଲେ । ଶେଷରେ ୪ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବର୍ଷାଜଳ ପିଇ ଓ ଉଦ୍ଧାରକାରୀ ଦଳ ଅନୁମାନ କରି ଆକାଶମାର୍ଗରୁ ପକାଇଥିବା କିଛି ଫଳ ଖାଇ ଏହି ଶିଶୁମାନେ ୧୧ ମାସରୁ କମ୍ ବୟସର ପିଲା ସହିତ ନିଜକୁ ବଞ୍ଚାଇ ପାରିଛନ୍ତି । ଦୁର୍ଗମ ଜଙ୍ଗଲରେ ଆତ୍ମରକ୍ଷା ପାଇଁ କିଛି ପାରମ୍ପରିକ କୌଶଳ ଏମାନଙ୍କୁ ବେଶ୍‌ ସାହାଯ୍ୟ କରିଛି । ୪ ଶିଶୁ ଉଦ୍ଧାର ପରେ ଦେଶ ପାଇଁ ଏହା ସବୁଠାରୁ ଏକ ବଡ଼ ଖୁସିର ଦିନ ବୋଲି କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ କହିଛନ୍ତି ।

ଏଣିକି ଘରେ ହୋଇପାରିବ ଡାଇଲିସିସ

କଟକ: କିଡନୀ ରୋଗୀଙ୍କ ପାଇଁ ଆଶ୍ବସ୍ତିକର ଖବର । ଏଣିକି କେବଳ ମେଡିକାଲ ନୁହେଁ, ଘରେ ବି ହୋଇପାରିବ ଡାଇଲିସିସ । ରୋଗୀ ତାଙ୍କ ପରିବାର ସଦସ୍ୟଙ୍କ ଦ୍ଵାରା ଘରେ ରହି ଡାଇଲିସିସ କରିପାରିବେ । ରାଜ୍ୟ ସରାକର ପ୍ରତି ରୋଗୀ ପାଇଁ ପ୍ରଥମେ ୧ ଲକ୍ଷ ଟଙ୍କା ଏବଂ ପରେ ମାସିକ ୬୦ ହଜାର ଟଙ୍କାର ଫ୍ଲ୍ୟଇଡ ପ୍ରଦାନ କରୁଛନ୍ତି ।

ଏସସିବି କିଡ଼ନୀ ବିଭାଗରେ ୨ ଦିନିଆ ସିଏପିଡି କ୍ୟାଥେଟର ଇନସରର୍ସନ କର୍ମଶାଳାରେ ଏହି ସୂଚନା ଦିଆଯାଇଛି । ବିଭାଗୀୟ ମୁଖ୍ୟ ଡାକ୍ତର ଅରୁଣା ଆଚାର୍ଯ୍ୟଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ କୋଲକାତାର ବିଶିଷ୍ଟ ନେଫ୍ରୋଲୋଜିଷ୍ଟ ଡାକ୍ତର ସୁଗତ ଦାସଗୁପ୍ତା ଏଥିରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଏସସିବିର ୧୨ ଜଣ ନେଫ୍ରୋଲୋଜିଷ୍ଟଙ୍କୁ ସିଏପିଡି ଡାଇଲିସିସ ପାଇଁ କ୍ୟାଥଟର ଇନଜେକ୍ଟ ପ୍ରକିୟା ନେଇ ପ୍ରଶିକ୍ଷଣ ଦିଆଯାଇଥିଲା । ଦୁଇ ଦିନରେ ୧୦ ଜଣ ରୋଗୀଙ୍କ ଶରୀରେ କ୍ୟାଥଟର ଲଗାଯାଇଛି ।

ଜାତୀୟ ରାଜନୀତିକୁ ନବୀନଙ୍କ ବଡ଼ ସନ୍ଦେଶ, ଲୋକଙ୍କ ସେବା ଶାସନର ମୂଳମନ୍ତ୍ର

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟ ରାଜନୀତିକୁ ବଡ଼ ସନ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୫ ବର୍ଷ ଧରି ଜନସେବା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ସେବାକୁ ଶାସନର ମୂଳମନ୍ତ୍ର କରିଛନ୍ତି ।

ପଦ ପଦବୀ ନୁହେଁ, ବରଂ ଜନସେବାକୁ ମନ୍ତ୍ରୀମାନେ ଅଧିକ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ ୫ମ ପାଳିର ପ୍ରଥମ କ୍ୟାବିନେଟ ବୈଠକରେ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ମନ୍ତ୍ରୀମାନେ କାମ କରିବା ସହ ପ୍ରତିମାସରେ ବିଭାଗର କ’ଣ କାମ କରୁଛନ୍ତି ତାହାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ମନ୍ତ୍ରୀମାନେ ମାସିକିଆ ରିପୋର୍ଟ ମଧ୍ୟ ଦେଇ ଆସୁଥିଲେ । ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ବିଭାଗର ସମୀକ୍ଷା କରି ନିଜ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ଲାଗି ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଛନ୍ତି । ସେହିପରି ବିଭାଗୀୟ ସଚିବଙ୍କୁ ମଧ୍ୟ ବଦଳି କରାଯାଇଛି । ପଦବୀରେ ରହି ନିଜର ଦାୟିତ୍ବ ସଠିକ ଭାବେ ତୁଲାଇ ପାରି ନଥିବାରୁ ମୁଖ୍ୟମନ୍ତ୍ରୀ ଉଭୟ ମନ୍ତ୍ରୀ ଓ ସଚିବଙ୍କୁ ବାଦ୍ ଦେଇ ବଡ଼ ସନ୍ଦେଶ ଦେଇଛନ୍ତି । ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏପରି ନିଷ୍ପତ୍ତିକୁ ସବୁ ମହଲରେ ସ୍ବାଗତ କରାଯାଇଛି । ସେହିପରି ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ ପାଇବା ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି – ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ବ ଦେବେ ତାହାକୁ ସେ ସଠିକ୍ ଭାବେ ତୁଲାଇବାକୁ ଚେଷ୍ଟା କରିବେ ।

ଜିଲ୍ଲା ସଭାପତି ପରିବର୍ତ୍ତନ ଓ ନୂଆ କମିଟିକୁ ନେଇ ରାଜ୍ୟ କଂଗ୍ରେସରେ ଗୋଳମାଳିଆ ସ୍ଥିତି

ଭୁବନେଶ୍ବର: ୧୦ ଜିଲ୍ଲାର ଜିଲ୍ଲା ସଭାପତି ପରିବର୍ତ୍ତନ ଓ ନୂଆ କମିଟିକୁ ନେଇ ରାଜ୍ୟ କଂଗ୍ରେସ ରାଜନୀତି ଗୋଳିଆ । ବିଶେଷ କରି କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ପଦରୁ ମୀନାକ୍ଷୀ ବାହିନୀପତି ହଟିବା ପରେ ଏହାକୁ ନେଇ ଉଷ୍ଣ ହୋଇଛି ରାଜନୀତି । ଏନେଇ ସ୍ଥାନୀୟ ସାଂସଦଙ୍କୁ ଟାର୍ଗେଟ କରିଛନ୍ତି ମୀନାକ୍ଷୀ । ଏହି ପ୍ରସଙ୍ଗରେ ଦଳର ବିଧାୟକମାନେ ବି ଭିନ୍ନ ଭିନ୍ନ ମତ ରଖିଛନ୍ତି । ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଛନ୍ତି- ମୀନାକ୍ଷୀଙ୍କ ପ୍ରତି କରାଯାଇଛି ଅନ୍ୟାୟ । ଆଲୋଚନା ଜରିଆରେ ବିଧାୟକ ତାରା ପ୍ରସାଦ ବାହିନୀପତି ଏହାର ସମାଧାନ କରିବେ ।

ଅନ୍ୟପଟେ ସଭାନେତ୍ରୀ ପଦରୁ ମୀନାକ୍ଷା ଯିବା ଠିକ୍ ବୋଲି ଯୁକ୍ତି କରିଛନ୍ତି ବିଧାୟକ ମହମ୍ମଦ ମୋକିମ ଓ ସନ୍ତୋଷ ସିଂ ସାଜୁଲା । ମୋକିମଙ୍କ କହିବା କଥା- ଜଣେ ନାରୀନେତ୍ରୀଙ୍କୁ ଜିଲ୍ଲାସ୍ତରରୁ ଆଣି ରାଜ୍ୟ ସଂଗଠନର ଦାୟିତ୍ବ ଦିଆଯାଇଛି । ସେହିପରି ମୀନାକ୍ଷୀଙ୍କ ନିଯୁକ୍ତି ନେଇ ଯଦି କୌଣସି ଦଳୀୟ ବିଶୃଙ୍ଖଳା ଦେଖାଯାଏ ତେବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହି ତାରାଙ୍କୁ ସତର୍କ କରାଇଛନ୍ତି ସାଲୁଜା ।

ବେଶ୍ କିଛିଦିନ ଧରି କୋରାପୁଟ ଜିଲ୍ଲା ସଭାପତି ପଦକୁ ନେଇ ବିଧାୟକ ତାରା ପ୍ରସାଦ ବାହୀନପତି ଓ ସାଂସଦ ସପ୍ତଗିରି ଉଲାକା ମଧ୍ୟରେ ବିବାଦ ଲାଗି ରହିଥିଲା । ଅନ୍ୟପଟେ ବିଧାୟକ ମହମ୍ମଦ ମୋକିମ କାରଣ ଦର୍ଶାଅ ନୋଟିସର ଜବାବ ଦେଇଛନ୍ତି । ସେ ଜଣେ ଶୃଙ୍ଖଳିତ କର୍ମୀ ଓ କୌଣସି ବିଶୃଙ୍ଖଳା କରି ନଥିବା କହିଛନ୍ତି ମୋକିମ ।

ଜୁନରେ ଜଳୁଛି ଓଡ଼ିଶା, ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ସ୍ଥିତି

ଭୁବନେଶ୍ବର: ଅସହ୍ୟ ଗୁଳୁଗୁଳିକୁ ଅସମ୍ଭାଳ ତାତି । ପଶ୍ଚିମରୁ ଉପକୂଳରେ ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର । ଉତ୍ତର ପଶ୍ଚିମ ଦିଗରୁ ଓଡ଼ିଶାକୁ ପ୍ରବେଶ କରୁଥିବା ଗରମ ଶୁଷ୍କ ପବନ ସହ ଟାଣ ଖରା ପାଇଁ ରାଜ୍ୟରେ ଜାରି ରହିବ ଏଭଳି ସ୍ଥିତି । ସେପଟେ ଆରବ ସାଗର, ପ୍ରଶାନ୍ତ ମହାସାଗର ଓ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସିଷ୍ଟମଗୁଡିକ ସମାନ୍ତରାଳ ଭାବରେ ରହିଥିବାରୁ ବାଟବଣା ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ୧୫ ପୂର୍ବରୁ ଓଡ଼ିଶା ଛୁଇଁବା ସମ୍ଭାବନା ନାହିଁ । ୧୬ରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆଣିପାରେ ଆଶ୍ବସ୍ତି ।

ଭୁବନେଶ୍ବରରେ ୩୭.୨ ଡିଗ୍ରୀ ତାପମାତ୍ରା । ଉପର ମୁହାଁ ହିଟ୍ ଇଣ୍ଡେକ୍ସ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ଶାନ୍ତି କରିପାରିବନି କାଳବୈଶାଖୀ । କାଲି ୮ ଜିଲ୍ଲାକୁ ହିଟ୍ଓ୍ବେଭ୍ ଆଲର୍ଟ । ସାରା ରାଜ୍ୟରେ ଏବେ ରାଜ କରୁଛି ତାତି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକଠାରୁ ୫ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ଥିବା ବେଳେ ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗ୍ରୀଷ୍ମ ପ୍ରବାହ ପାଇଁ ବରଗଡ, ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା, ସୋନପୁର, ବଲାଙ୍ଗିର, ବୌଦ୍ଧ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଅନ୍ୟପଟେ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ସୁଦୃଶ ଲଘୁଚାପ କ୍ଷେତ୍ର ରହିଥିବାବେଳେ ଆରବସାଗରରେ ଅତିଭୀଷଣ ବାତ୍ୟା ବିପର୍ଯ୍ୟୟ ଓ ଉତ୍ତର-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଗୁଚୋଲ ଏକ ସମାନ୍ତରାଳରେ ରହିଛି । ବଙ୍ଗୋପସାଗର ଲଘୁଚାପ ଯୋଗୁଁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଗରମ ବାୟୁ କେନ୍ଦ୍ରୀୟ ଭାରତ ଓ ଓଡ଼ିଶା ହୋଇ ବଙ୍ଗୋପସାଗରକୁ ପ୍ରବେଶ କରୁଛି । ପ୍ରଭାବରେ ରାଜ୍ୟରେ ହିଟଓ୍ବେଭ ଜାରି ରହିଛି । ସିଷ୍ଟମ ଗୁଡିକର ପ୍ରଭାବ ଓଡ଼ିଶାରେ ପଡୁ ନଥିବାରୁ ଏହା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ଗୋଳମାଳ କରାଉଛି । ତେଣୁ ଆସନ୍ତା ୧୫ ତାରିଖ ଅର୍ଥାତ ରଜ ମଧ୍ୟରେ ଓଡ଼ିଶାରେ ମୌସୁମୀ ସକ୍ରିୟ ହେବାର ସମ୍ଭାବନା ନାହିଁ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ । ୧୬ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି ।

ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା କିଛି ସମୟ ପାଇଁ ଆଶ୍ୱସ୍ତି ଆଣୁଥିଲେ ମଧ୍ୟ ତାତି ଜାରି ରହିବ । ବିଶେଷ କରି ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡିକରେ ଘଡଘଡି ବିଜୁଳି ସହ ବର୍ଷା ଏବଂ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବା ନେଇ ସତର୍କତା ଜାରି କରାଯାଇଛି ।

କେନ୍ଦୁଝର ବିକାଶର ସମୀକ୍ଷା, ସମସ୍ୟା ସମାଧାନର ପ୍ରତିଶ୍ରୁତି

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ବିକାଶର ମାରାଥନ ସମୀକ୍ଷା । ଶିକ୍ଷାଠାରୁ ଜଳସେଚନ, ମା’ଙ୍କଠାରୁ ବୃଦ୍ଧବୃଦ୍ଧା, ପର୍ଯ୍ୟଟନରୁ ଗମନାଗମନ, ବିଭିନ୍ନ ସମସ୍ୟାର ସମୀକ୍ଷା କରିବା ସହ ଗୁହାରି ଶୁଣିଲେ 5T ସଚିବ ଭି.କେ. ପାଣ୍ଡିଆନ । ଶୀଘ୍ର ସମସ୍ତ ସମସ୍ୟାର ସମାଧାନ ନେଇ ଦେଲେ ପ୍ରତିଶ୍ରୁତି ।

ଖଣି ଖାଦାନ ଭରା କେନ୍ଦୁଝରର ସ୍ବପ୍ନ ହେଉଛି ସାକାର । ବିପ୍ଳବୀ ଧରଣୀଧରଙ୍କ ମାଟିରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ବିକାଶ ସମୀକ୍ଷା । ଗ୍ରାଉଣ୍ଡ ଜିରୋରେ ମାରାଥନ ସମୀକ୍ଷା କରିବା ସହ କହିଛନ୍ତି, ‘ମହିଳା ସଶକ୍ତ ହେଲେ, ଓଡ଼ିଶାର ବିକାଶ ହେବ । ମିଶନଶକ୍ତି ଉପରେ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣ୍ଣ ବିଶ୍ବାସ ରହିଛି ।’

ଆଜି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ସାମଗ୍ରିକ ବିକାଶ ପାଇଁ ପ୍ରସ୍ତୁତ ବ୍ଲୁପ୍ରିଣ୍ଟ କେତେଦୂର କାର୍ଯ୍ୟକାରୀ ହୋଇଛି ତାହାର ସ୍ଥିତି ପରଖିଛନ୍ତି 5T ସଚିବ । ସକାଳେ ପ୍ରଥମେ ଭୀମକୁଣ୍ଡ ପର୍ଯ୍ୟଟନସ୍ଥଳୀରେ ପହଞ୍ଚି ସେଠାରେ ବିକାଶ ସମୀକ୍ଷା କରିଥିଲେ । ଏହାକୁ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଚମ୍ପୁଆ ଏନଏସିରେ ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ପ୍ରୋଜେକ୍ଟ ପରିଦର୍ଶନ କରିବା ପରେ ନେହରୁ ଷ୍ଟାଡିୟମ ଯାଇ ଲୋକଙ୍କ ସମସ୍ୟା ଶୁଣିଥିଲେ ।

ପରେ ବଡବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାୟାଲିସିସ ସେଣ୍ଟର ଓ ଅନ୍ୟାନ୍ୟ ବିକାଶ କାମର ଅନୁଧ୍ୟାନ କରିଥିଲେ । ସେଠାରୁ ଯୋଡ଼ା ଜରା ନିବାସ ପରିଦର୍ଶନ ସହ କେନ୍ଦୁଝର ଜିଲ୍ଲାବାସୀଙ୍କ ସ୍ବପ୍ନର ପ୍ରକଳ୍ପ କାନପୁର ଡ୍ୟାମକୁ ଯାଇ କାମର ସ୍ଥିତି ସମୀକ୍ଷା କରିଥିଲେ । ଯୋଡ଼ା ଫ୍ଲାଏ ଓଭର ନିର୍ମାଣ ଅଗ୍ରଗତିର ସମୀକ୍ଷା ସହ ହିଲଟପରେ ବିକାଶ କାମର ସମୀକ୍ଷା କରିଥିଲେ 5T ସଚିବ । ସହର ଉପକଣ୍ଠରେ ଡିଏମଏଫ ପରିଚାଳିତ ଜରା ନିବାସରେ ବେଶ କିଛି ସମୟ ବିତାଇଥିଲେ ।

ଯୋଡା ପରେ ସେରେଣ୍ଡାରେ ଥିବା ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଆଦିବାସୀ ବିକାଶ ସମିତି ଆଶ୍ରମରେ ପହଞ୍ଚିଥିଲେ ପାଣ୍ଡିଆନ । ଆଶ୍ରମର ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଥିଲେ 5T ସଚିବ । କହିଲେ- ଆଶ୍ରମରେ ପଢୁଥିବା ସମସ୍ତ ଅନାଥ ପିଲାଙ୍କ ଦାୟିତ୍ବ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଦିବାସୀ ଓ ଅନାଥ ପିଲାଙ୍କ ମୁଣ୍ଡ ଉପରେ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦର ହାତ ରହିଛି । ଏନେଇ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ।

ସେହିପରି ମିଶନଶକ୍ତି ମାଆଙ୍କୁ ଭେଟିଥିଲେ 5T ସଚିବ ଭି.କେ. ପାଣ୍ଡିଆନ । କେନ୍ଦୁଝର ଓଏସଏମଇ କ୍ୟାମ୍ପସରେ ମିଶନଶକ୍ତି ମାଆଙ୍କ ସହିତ ଆଲୋଚନା କରିବା ସହ କହିଥିଲେ, ମହିଳାଙ୍କ ବିକାଶରେ ଓଡ଼ିଶାର ବିକାଶ । ମା’ଙ୍କ ଉନ୍ନତିକୁ ଗୁରୁତ୍ବ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ମିଶନଶକ୍ତିର ମାଆଙ୍କ ବିକାଶ ପାଇଁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଥିବା କହିଥିଲେ ।

ଧରଣୀଧର ବିଶ୍ବବିଦ୍ୟାଳୟ ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକଙ୍କ ସମସ୍ୟା ଶୁଣିଥିଲେ 5T ସଚିବ । କେନ୍ଦୁଝର ଅଡିଟୋରିୟମରେ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ସହିତ ମତ ବିନିମୟ କରିଥିଲେ । ବିଳମ୍ବରେ ପହଞ୍ଚି ଥିବାରୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ କ୍ଷମା ମାଗିବା ସହ ପିଲାମାନେ ସ୍ମାର୍ଟ ଦିଶୁଥିବା କହିଥିଲେ । ପିଲାଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ସମସ୍ୟାର ସମାଧାନ ଶୀଘ୍ର କରାଯିବ ବୋଲି ଦେଇଥିଲେ ପ୍ରତିଶ୍ରୁତି । ପରେ ହ୍ୟାଣ୍ଡବଲ ଷ୍ଟାଡିୟମର ବିକାଶ ଅନୁଧ୍ୟାନ କରିଥିଲେ । ସେଠାରେ କୁନି କୁନି ପିଲାମାନେ 5T ସଚିବଙ୍କୁ ପାଖରେ ପାଇ ବେଶ ଖୁସି ପ୍ରକାଶ କରିଥିଲେ ।  ପରେ ଶ୍ରୀ ବଳଦେବଜୀଉ ମନ୍ଦିରକୁ ଯାଇଥିଲେ 5T ସଚିବ । ଦେବସ୍ନାନ ପରେ ଶ୍ରୀଜିଉ ଜ୍ବରରେ ପୀଡ଼ିତ ହୋଇ ଅଣସର ଘରେ ଗୁପ୍ତ ସେବା ଚାଲିଥିବାରୁ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରିବା ସହ ବଡ଼ଦାଣ୍ଡ ପରିଦର୍ଶନ କରିଥିଲେ । ଏହି ଅବସରରେ ମନ୍ଦିର, ମସଜିଦ, ଚର୍ଚ୍ଚର ବିକାଶ କରାଯିବା ନେଇ ଦେଇଥିଲେ ପ୍ରତିଶ୍ରୁତି ।

ପରେ ହଠାତ ହାଡ଼ବନ୍ଧ ପୋଖରୀ ପାଖରେ ପହଞ୍ଚି ଥିଲେ 5T ସଚିବ ଭି.କେ. ପାଣ୍ଡିଆନ । ହଠାତ 5T ସଚିବଙ୍କୁ ଦେଖି ଲୋକେ ଉତ୍ସାହିତ ହୋଇଥିଲେ । ଜରାଜୀର୍ଣ୍ଣ ହୋଇ ପଡ଼ିଥିବା ଏହି ପୋଖରୀର ପୁନଃରୁର୍ଦ୍ଧାର ସହ ସୌନ୍ଦର୍ଯ୍ୟକରଣ କରିଛନ୍ତି ରାଜ୍ୟ ସରକାର । 5T ସଚିବଙ୍କ ସହ କୁନି କୁନି ପିଲାମାନେ ସେଲଫି ଉଠାଉ ଥିବା ଦେଖିବାକୁ ମିଳିଥିଲା ।

ରବିବାର ମଧ୍ୟ ଦିନ ତମାମ 5T ସଚିବ ଭି.କେ. ପାଣ୍ଡିଆନଙ୍କ କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କାର୍ଯ୍ୟକ୍ରମ ରହିଛି

ଅବସରପ୍ରାପ୍ତ ଭାଇସ ମାର୍ସଲ ଶିବରାମ ମହାପାତ୍ରଙ୍କ ପରଲୋକ, ସ୍ବର୍ଗଦ୍ବାରରେ ଶେଷକୃତ୍ୟ

ପୁରୀ: ଅବସରପ୍ରାପ୍ତ ଭାଇସ ମାର୍ସଲ ଡ. ଶିବରାମ ମହାପାତ୍ରଙ୍କ ପରଲୋକ । ୭୨ ବର୍ଷ ବୟସରେ ଶୁକ୍ରବାର ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଭାରତୀୟ ବାୟୁ ସେନାରେ ଡାକ୍ତର ଭାବେ କାମ କରି ସୁନାମ ଅର୍ଜନ କରିଥିଲେ । ୧୯୯୯ କାରଗିଲ ଯୁଦ୍ଧରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତିଙ୍କଠାରୁ ଅତି ବିଶିଷ୍ଟ ସେବା ପଦକରେ ସମ୍ମାନିତ ହୋଇଥିଲେ ।

ପୁରୀ ଜିଲ୍ଲା ନରସିଂହପୁରରେ ଜନ୍ମ ଗ୍ରହଣ କରିଥିଲେ ସ୍ବର୍ଗତ ମହାପାତ୍ର । ଗାର୍ଡ ଅଫ୍ ଅନର୍ ପ୍ରଦାନ ପରେ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ । ପୁଅ କେତକ ମହାପାତ୍ର ମୁଖାଗ୍ନୀ ଦେଇଥିବା ବେଳେ ଭଣଜା ଶ୍ରୀନିବାସ ମିଶ୍ର ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

ବ୍ରିଜଭୂଷଣଙ୍କ ବାସଭବନକୁ ସଙ୍ଗୀତାଙ୍କୁ କାହିଁକି ନେଇଥିଲା ପୋଲିସ: ସାକ୍ଷୀ ମଲ୍ଲିକ

ସୋନିପତ: ଯୌନ ଅଭିଯୋଗର ଅଭିଯୁକ୍ତ କୁସ୍ତି ସଂଘ ସଭାପତି ତଥା ବିଜେପି ନେତା ବ୍ରିଜଭୂଷଣ ଶରଣ ସିଂଙ୍କ ବାସଭବନକୁ ଦିଲ୍ଲୀ ପୋଲିସ ମହିଳା କୁସ୍ତିଯୋଦ୍ଧା ସଙ୍ଗୀତା ଫୋଗାଟଙ୍କୁ ନେବାକୁ ନେଇ ପ୍ରଶ୍ନ ଉଠାଇଲେ ସାକ୍ଷୀ ମଲ୍ଲିକ । କହିଲେ- ମହିଳା କୁସ୍ତିଯୋଦ୍ଧାଙ୍କ ମାନସିକ ସ୍ଥିତି ବୁଝିବାକୁ ଚେଷ୍ଟା କରନ୍ତୁ । ଏହା ଏକ ପ୍ରକାର ଶୋଷଣ । ପୋସ୍କ ମାମଲାରେ ଅଭିଯୋଗକାରୀଙ୍କ ବୟାନ ବଦଳି ଯାଇଛି । ବ୍ରିଜଭୂଷଣଙ୍କୁ ଗିରଫ କରା ନଗଲେ ତଦନ୍ତ ପ୍ରଭାବିତ ହେବ । ବ୍ରିଜଭୂଷଣ କୁସ୍ତିଯୋଦ୍ଧାଙ୍କ ଉପରେ ଚାପ ପକାଉଛନ୍ତି ।

ହରିୟାଣାର ସୋନିପତ ଧର୍ମଶାଳାରେ କୁସ୍ତିଯୋଦ୍ଧାଙ୍କ ମହା ପଞ୍ଚାୟତ ହୋଇଥିଲା । ଏଥିରେ ଏକାଧିକ ଚାଷୀ ନେତା ସାମିଲ ହୋଇଥିଲେ । ମହା ପଞ୍ଚାୟତ ପରେ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ କହିଥିଲେ, ‘ବ୍ରିଜଭୂଷଣଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଆମ ଆନ୍ଦୋଳନ ଜାରି ରହିବ । ୧୫ ଦିନର ସମୟ ଦିଆଯାଇଥିଲା । ମୁଁ ପ୍ରଥମ ଦିନରୁ କହି ଆସୁଛି, ଅଭିଯୁକ୍ତ ଗିରଫ ହେବା ଦରକାର ।’

ସୂଚନାଯୋଗ୍ୟ, ଶୁକ୍ରବାର ଦିଲ୍ଲୀ ପୋଲିସ କ୍ରାଇମ ସିନ୍ ରିକ୍ରିଏଟ କରିବାକୁ ମହିଳା କୁସ୍ତିଯୋଦ୍ଧା ସଙ୍ଗୀତା ଫୋଗାଟଙ୍କୁ ନେଇ ବ୍ରିଜଭୂଷଣଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ଏହାପରେ ଖବର ଆସିଥିଲା ସଙ୍ଗୀତା ଓ ବ୍ରିଜଭୂଷଣଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଯାଇଛି । ଏପରି ଖବରକୁ ସଙ୍ଗୀତାଙ୍କ ଭଉଣୀ ବିନେଶ ଫୋଗାଟ ଖଣ୍ଡନ କରିଥିଲେ ।