spot_img
Home Blog Page 3092

ଏନସିପିରେ ଦୁଇ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ନାଁ ଘୋଷଣା, ଅଜିତ ପାଓ୍ବାର କୋଣଠେସା

ମହାରାଷ୍ଟ୍ର: ଶନିବାର ମହାରାଷ୍ଟ୍ର ରାଜନୀତି ହଠାତ ଉଷ୍ଣ ହୋଇଗଲା ଯେତେବେଳେ ଏନସିପି ମୁଖ୍ୟ ଶରଦ ପାଓ୍ବାର ଦଳର ଦୁଇ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ନାଁ ଘୋଷଣା କଲେ । ଦଳର ୨୫ତମ ପ୍ରତିଷ୍ଠା ଦିବସରେ ଶରଦ ପାଓ୍ବାର ମାଇକ ଧରିବା ପରେ ଦୁଇଟି କଥା କହିଥିଲେ ଓ ଦଳକୁ ମିଳିଥିଲା ଦୁଇ କାର୍ଯ୍ୟକାରୀ ଅଧ୍ୟକ୍ଷ । ପ୍ରଥମ ନାଁ ଥିଲା ସୁପ୍ରିୟା ସୁଲେ ଓ ଦ୍ବିତୀୟ ନାଁଟି ଥିଲା ପ୍ରଫୁଲ୍ଲ ପଟେଲ । ଶରଦ ପାଓ୍ବାରଙ୍କ ଘୋଷଣା ରାଜ୍ୟ ରାଜନୀତିରେ ଏହି ଦୁଇ ନାଁକୁ ନେଇ ଯେତିକି ମହତ୍ବ ରଖୁଛି, ତା’ଠାରୁ ବଡ଼ ଗୁରୁତ୍ବପୂର୍ଣ୍ଣ କଥା ହେଲା ଦଳର ଦୁଇ ନମ୍ବର ନେତା ଅଜିତ ପାଓ୍ବାରଙ୍କ ନାଁ ଏଥିରେ ନରହିବା ।

ଏହି ଘୋଷଣା ପରେ ଏକାଧିକ ପ୍ରଶ୍ନ ଉଠିବାରେ ଲାଗିଛି । ପ୍ରଥମ ପ୍ରଶ୍ନ, ଶରଦ ପାଓ୍ବାର, ଅଜିତ ପାଓ୍ବାରଙ୍କୁ କାହିଁକି ଦାୟିତ୍ବ ଦେଲେ ନାହିଁ ?

ଦ୍ବିତୀୟ ପ୍ରଶ୍ନ, ଶରଦ ପାଓ୍ବାର ଅଜିତଙ୍କୁ ଏହି ଘୋଷଣା ଜରିଆରେ ବଡ଼ ରାଜନୈତିକ ସନ୍ଦେଶ ଦେବାକୁ ଚାହିଁଛନ୍ତି କି ?

ଏବେ ପ୍ରଶ୍ନ ଉଠୁଛି, ଏହି ଘୋଷଣା ପରେ ଅଜିତ ପାଓ୍ବାର କ’ଣ କରିବେ ? ଏନସିପିର ଦୁଇ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ନାଁ ଘୋଷଣା ପରେ ଅଜିତ ପାଓ୍ବାର ଓ ତାଙ୍କ ସମର୍ଥକଙ୍କ ପ୍ରତିକ୍ରିୟା କ’ଣ ରହିବ । କୁହାଯାଉଛି, ଅଜିତଙ୍କୁ ଶରଦ ପାଓ୍ବାର ଗୁରୁତ୍ବପୂର୍ଣ୍ଣ ରାଜନୈତିକ ସନ୍ଦେଶ ଦେଉଛନ୍ତି । କାରଣ ପୂର୍ବରୁ ଅଜିତ ପାଓ୍ବାର ଏକାଧିକ ଥର ଭିନ୍ନ ରୂପ ଦେଖାଇ ସାରିଛନ୍ତି ।

ରାଜନୈତିକ ବିଶେଷଜ୍ଞ ସାହିଲ ଯୋଶୀଙ୍କ ଅନୁସାରେ, ସୁପ୍ରିୟା ସୁଲେଙ୍କୁ ଜାତୀୟ ରାଜନୀତିରେ ଏଣ୍ଟ୍ରି କରାଇବାକୁ ଶରଦ ପାଓ୍ବାର ଏପରି ନିଷ୍ପତ୍ତି ନେଇଛନ୍ତି । କାରଣ ଦଳରେ ପୂର୍ବରୁ ସ୍ପଷ୍ଟ ଥିଲା, ପୂର୍ବ ଭଳି ଅଜିତ ପାଓ୍ବାର ମହାରାଷ୍ଟ୍ର ରାଜନୀତିକୁ ଦେଖିବେ, ବୁଝିବେ ଓ ତା’ ପରେ କିଛି ପ୍ରତିକ୍ରିୟା ଦେବେ । ଯାହା ସେ ଆଗରୁ କରି ଆସିଛନ୍ତି ଓ ଆଗକୁ ବି କରିବେ । ଏମିତି ସ୍ଥିତିରେ ଅଜିତ ପାଓ୍ବାରଙ୍କ ସମର୍ଥକ ସୁପ୍ରିୟା ସୁଲେଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯିବାକୁ ଅସନ୍ତୁଷ୍ଟ ରହିବେ ବୋଲି ଆଶା କରାଯାଉନି । କାରଣ, ଶରଦ ପାଓ୍ବାରଙ୍କ ନିଷ୍ପତ୍ତିକୁ ନେଇ ଅଜିତ ଅସନ୍ତୁଷ୍ଟ ନଥିବା ସ୍ପଷ୍ଟ କରିଦିଆଯାଇଛି ।

ଆମାଜନ ଜଙ୍ଗଲରେ ଚମତ୍କାର, ୪୦ ଦିନ ପରେ ଉଦ୍ଧାର ହେଲେ ୪ ନିଖୋଜ ଶିଶୁ

ନୂଆଦିଲ୍ଲୀ: କଲମ୍ବିଆର ଘଞ୍ଚ ଆମାଜନ ଜଙ୍ଗଲରେ ଚମତ୍କାର । ଏକ କ୍ଷୁଦ୍ର ବିମାନ ଦୁର୍ଘଟଣା ପରେ ୪୦ ଦିନ ଧରି ନିଖୋଜ ଥିବା ୪ ଜଣ ଶିଶୁଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ୪ ଜଣ ଶିଶୁଙ୍କ ମଧ୍ୟରୁ ଜଣଙ୍କ ବୟସ ୧୧ ମାସରୁ କମ୍ ହୋଇଥିବା ବେଳେ ଅନ୍ୟମାନଙ୍କ ବୟସ ୧୩, ୯ ଓ ୪ ବର୍ଷ । ହିଂସ୍ର ଜୀବଜନ୍ତୁ, ବିରାଟ ବିରାଟ ସାପ ପରିପୂର୍ଣ୍ଣ କଲମ୍ବିଆର ଏହି ଭୟଙ୍କର ଆମାଜନ ଜଙ୍ଗଲରେ ୪ ଜଣ ଶିଶୁ ପ୍ରତିକୂଳ ପରିସ୍ଥିତିରେ ୪୦ ଦିନ ପରେ ଜୀବିତ ଥିବାରୁ କଲମ୍ବିଆରେ ଖୁସିର ଲହରୀ ଖେଳିଯାଇଛି ।

ଗତ ମେ ୧ ତାରିଖରେ ଆମଜନ ଜଙ୍ଗଲରେ ବିମାନ ଦୁର୍ଘଟଣା ପରେ ଏମାନେ ନିଖୋଜ ଥିଲେ । ୧୬୦ ଜଣ ଯବାନଙ୍କ ସହିତ ୨ ଶହ ସ୍ଥାନୀୟ ଲୋକ ଓ ସନ୍ଧାନୀ କୁକୁର ସର୍ଚ୍ଚ ଅପରେସନରେ ଲାଗିଥିଲେ । ହେଲିକପ୍ଟରର ସହାୟତା ନିଆଯାଇଥିଲା । ଦୁଇ ସପ୍ତାହ ତଳେ ଦୁର୍ଘଟଣାଗ୍ରସ୍ତ ବିମାନର ସନ୍ଧାନ ମିଳିଥିଲା । ଘଟଣାସ୍ଥଳରୁ ଚାରି ଶିଶୁଙ୍କ ମାଆଙ୍କ ସମେତ ୩ଜଣଙ୍କ ମୃତଦେହ ମିଳିଥିଲା । କିନ୍ତୁ ପିଲାମାନଙ୍କ ଖୋଜ ଖବର ମିଳିନଥିଲା । ପରେ ଉଦ୍ଧାର ହୋଇଥିବା ୪ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଦୁର୍ବଳ ଅଛି । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି । ଉଦ୍ଧାରକାରୀ ଦଳ ଆକାଶମାର୍ଗରୁ ପକାଇଥିବା କିଛି ଫଳ ଖାଇ ଓ ନିଜ ବ୍ୟାବହାରିକ ଜ୍ଞାନ ପ୍ରୟୋଗ କରି ସେମାନେ ବିପଦପୂର୍ଣ୍ଣ ଜଙ୍ଗଲରେ ଜୀବନ ବଞ୍ଚାଇଥିଲେ । ଦେଶ ପାଇଁ ଏହା ସବୁଠାରୁ ଏକ ବଡ଼ ଖୁସିର ଦିନ ବୋଲି କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ କହିଛନ୍ତି ।

ଜଳୁଛି ପଶ୍ଚିମ ଓଡ଼ିଶା, ଦିନ ସାଢ଼େ ୧୧ ସୁଦ୍ଧା ୪୦ ଟପିଲା ୩ ସହର ତାତି

ଭୁବନେଶ୍ୱର: ଜଳୁଛି ପଶ୍ଚିମ ଓଡ଼ିଶା । ଦିନ ସାଢେ ୧୧ ସୁଦ୍ଧା ୪୦ ଡିଗ୍ରୀ ଟପିଲା ୩ ସହରର ତାତି । ୪୨.୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ସମ୍ବଲପୁର । ସେହିପରି ଝାରସୁଗୁଡାରେ ୪୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ୪୧ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି କେନ୍ଦୁଝରରେ ୩୮.୨ ଡିଗ୍ରୀ, ଭୁବନେଶ୍ୱରରେ ୩୭.୨ ଡିଗ୍ରୀ, ଗୋପାଳପୁରରେ ୩୫.୬ ଡିଗ୍ରୀ, ବାଲେଶ୍ୱରରେ ୩୪.୮ ଡିଗ୍ରୀ, ପୁରୀରେ ୩୪.୪ ଡିଗ୍ରୀ, ଚାନ୍ଦବାଲି ୩୩.୨ ଡିଗ୍ରୀ, ପାରାଦୀପରେ ୩୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ସେପଟେ ପୁରୀରେ ସର୍ବାଧିକ ୮୦ ପ୍ରତିଶତ ଆଦ୍ରତା ରେର୍କଡ ହୋଇଛି । ଆସନ୍ତା ୫ ଦିନ ଯାଏଁ ମିଳିବନି ନିସ୍ତାର । ଆଜି ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପାଗ ଆଂଶିକ ମେଘାଚ୍ଛନ୍ନ ସହ ତାପମାତ୍ରା ସାମାନ୍ୟ କମ୍ ରହୁଥିଲେ ବି ଉଚ୍ଚ ଆଦ୍ରତା ହେତୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । କାଳବୈଶାଖୀ ସତର୍କତା ନେଇ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାକୁ ସତର୍କତା ଜାରି ହୋଇଛି ।

ପାୱାର କଟ୍ କେଉଁଠି ବି ହେଉନି, କାଳବୈଶାଖୀ ଯୋଗୁ ଉପୁଜୁଛି ସମସ୍ୟା

ଭୁବନେଶ୍ୱର: ପାୱାର କଟ୍ କେଉଁଠି ବି ହେଉନି । ପବନ ହେଲେ ବିଦ୍ୟୁତ କାଟିବାକୁ ବାଧ୍ୟ । କାରଣ କାଳବୈଶାଖୀରେ ବହୁତ ସ୍ଥାନରେ ଖୁଣ୍ଟ ଉପୁଡ଼ି ଯାଉଛି । ପୁଣି ଖୁଣ୍ଟ ପୋତି ତାର ଲଗାଇବା ସମୟସାପେକ୍ଷ । ଆଖି ପିଛୁଳାକେ ସେ କାମ ହୋଇ ପାରିବନି । ଉପଭୋକ୍ତା ଯେପରି ହାରରେ ବିଦ୍ୟୁତ ବ୍ୟବହାର କରୁଛନ୍ତି, ଭିତ୍ତିଭୂମି ସେପରି ଲୋଡ୍ ସମ୍ଭାଳିବାର ଅଛି । ଯେଉଁଥିପାଇଁ ଅନେକ ସ୍ଥାନରେ ତାର କି ଟ୍ରାନ୍ସଫର୍ମର ପୋଡ଼ି ଯାଉଛି । ଏହା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ । ଗଣାମାଧ୍ୟମର ପ୍ରଶ୍ନରେ ଏପରି ଉତ୍ତର ରଖିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ।

ତେଣୁ ଭିତ୍ତିଭୂମି ଅସୁବିଧା ଓ ଅଭାବ ଯୋଗୁଁ ଯେଉଁଠି ବିଦ୍ୟୁତ କାଟ ଦୁଇରୁ ତିନି ଘଣ୍ଟା ପାଇଁ ହେଉଛି, ସେଠି ପାୱାର ଅଭାବ କି ରାଜ୍ୟ ସରକାର ବିଦ୍ୟୁତ ଯୋଗାଇ ପାରୁ ନାହାନ୍ତି ଏ ଶବ୍ଦ ଭୁଲ । ରାଜ୍ୟ ସରକାରଙ୍କ କାମ ହେଉଛି ବିଦ୍ୟୁତ ବିତରଣ କମ୍ପାନୀକୁ ତାଗିଦ କରି ବିଦ୍ୟୁତ ଯୋଗାଇବା । ରାଜ୍ୟ ସରକାର ସେଥିରେ ତତ୍ପର ଅଛନ୍ତି । କାଳବୈଶାଖୀରେ ଯାହା ଭାଙ୍ଗିବ ସରକାର ତାକୁ ଶୀଘ୍ର ଠିକ୍ କରିବାକୁ ପଦକ୍ଷେପ ନେବାରେ ହେଳା କରୁନାହାଁନ୍ତି ।

ମହିଳାଙ୍କ ସଶକ୍ତୀକରଣ ଚାହୁଁନି ରାଜ୍ୟ ବିଜେପି, ମିଶନ ଶକ୍ତି ମାଆଙ୍କୁ ଅପମାନିତ କରୁଛି ଦଳ

ଭୁବନେଶ୍ୱର: ମହିଳା ସଶକ୍ତୀକରଣରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା । ମହିଳା ସଶକ୍ତୀକରଣକୁ ସ୍ୱୟଂ ସହାୟିକା ଗୋଷ୍ଠୀ ନୂଆଦିଗ ଦେଇଛନ୍ତି । ଏହା ଏକ ସାମାଜିକ ବିପ୍ଳବର ରୂପ ନେଇଛି । ଏଥିପାଇଁ ସ୍ୱତନ୍ତ୍ର ଭାବେ ମିଶନ ବିଭାଗ ଗଠନ ହୋଇଛି । ୭୦ ଲକ୍ଷରୁ ଅଧିକ ମହିଳା ଏସଏଚଜିରେ ସାମିଲ ହୋଇଛନ୍ତି । ଏସଏଚଜି ମାଆମାନେ ୨୦ଟି ବିଭାଗରେ କାମ କରୁଛନ୍ତି । କିନ୍ତୁ ମାଆମାନଙ୍କ ଉନ୍ନତିକୁ ବିଜେପି ସହିପାରୁନି । ମାଆମାନଙ୍କୁ ବିଜେପି ଅପମାନିତ କରୁଛି । ଏଥିପାଇଁ ବିଜେପିକୁ ବିଜେଡି କଡ଼ା ସମାଲୋଚନା କରିଛି ।

ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀଙ୍କୁ ନିନ୍ଦା ଓ ଅପମାନିତ କରିଥିଲା ବିଜେପି । ଆଚରଣ ଓ ଉଚ୍ଚାରଣରେ ତ୍ରୁଟି ପାଇଁ ଓଡ଼ିଶାରେ ବିଜେପି ସଫଳ ହେଉନାହିଁ କି ହେବ ନାହିଁ । ବାରମ୍ବାର ଭୁଲ କରି ମହିଳାଙ୍କୁ ବିଜେପି ନେତା ଅପମାନିତ କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ୧୭ ତାରିଖରେ ଜନସମ୍ପର୍କ ସମାବେଶ ପାଇଁ ଆସିଲେ ମଧ୍ୟ ବିଜେପି କିଛି ଲାଭ ପାଇବ ନାହିଁ ବୋଲି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ।

ଆଉ ଅସହାୟ ହେବେନି ଅନାଥ, ବାପା ମା’ ଛେଉଣ୍ଡଙ୍କ ମୁଣ୍ଡ ଉପରେ ରହିଛି ନବୀନଙ୍କ ଆଶୀର୍ବାଦର ହାତ

କେନ୍ଦୁଝର: ଆଦିବାସୀଙ୍କ ବିକାଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁରୁତ୍ବ । ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଦ୍ବାରା ପରିଚାଳିତ ଆଦିବାସୀ ବିକାଶ ଆଶ୍ରମର ଦାୟିତ୍ବ ନେଲେ ରାଜ୍ୟ ସରକାର । ଆଶ୍ରମର ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । କେନ୍ଦୁଝର ଜିଲ୍ଲା ସେରେଣ୍ଡାରେ ଥିବା ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଆଦିବାସୀ ବିକାଶ ଆଶ୍ରମରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ଘୋଷଣା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଆଶ୍ରମରେ ପଢ଼ୁଥିବା ସମସ୍ତ ବାପାମାଆ ଛେଉଣ୍ଡଙ୍କ ଦାୟିତ୍ବ ନେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ।

ଆଦିବାସୀ ଓ ଅନାଥ ପିଲାଙ୍କ ମୁଣ୍ଡ ଉପରେ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦର ହାତ ରହିଛି ବୋଲି 5T ସଚିବ କହିଛନ୍ତି । କେନ୍ଦୁଝର ଗସ୍ତରେ ଯାଇ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଭେଟିଥିଲେ ଭି.କେ ପାଣ୍ଡିଆନ । ତୁଳସୀ ମୁଣ୍ଡାଙ୍କ ସହ ପୂରା ଆଶ୍ରମ ବୁଲି ଦେଖିଲେ । ପିଲାଙ୍କ ସହ କଥା ହୋଇଥିଲେ । ଆଦିବାସୀ ବିକାଶ ଆଶ୍ରମ ଓ ପିଲାଙ୍କ ପାଇଁ ବଡ଼ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ସଚିବଙ୍କୁ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଧନ୍ୟବାଦ ଦେଇଛନ୍ତି ।

ମହଙ୍ଗା ହେଲାଣି ହରଡ଼ ଡାଲି, ଦୁଇ ମାସରେ ୧୫ ପ୍ରତିଶତ ବଢ଼ିଲାଣି ଦର

ଭୁବନେଶ୍ୱର: ହରଡ଼ ଡାଲି ଦର ଦୁଇମାସରେ ୧୫ ପ୍ରତିଶତ ବଢିଛି । ଏବେ ହରଡ଼ ଡାଲି ପାଇକାରୀ ଦର କିଲୋ ପ୍ରତି ୧୨୮ରୁ ୧୪୩ ଟଙ୍କା ଅଛି । ଦୁଇ ମାସ ତଳେ ୧୧୦ରୁ ୧୨୫ ଟଙ୍କା ଥିଲା । ଦର ୧୫ ପ୍ରତିଶତ ବଢ଼ିଛି । ଏଥି ପାଇଁ କେନ୍ଦ୍ର ସରକାରଙ୍କ ପରିଚାଳନାଗତ ତ୍ରୁଟି ଦାୟୀ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା କହିଛନ୍ତି । କର୍ପୋରେଟ୍‌ ସଂସ୍ଥା ହୋର୍ଡିଂ କରୁଥିବାରୁ ଦର ବଢୁଛି । କିଛି ଦିନ ତଳେ କେନ୍ଦ୍ର ସରକାର ଗଚ୍ଛିତ ରଖିବାର ପରିମାଣ ଧାର୍ଯ୍ୟ କରିଛନ୍ତି । ଯାହା କର୍ପୋରେଟ୍‌ ସଂସ୍ଥାକୁ ସୁହାଇବା ପାଇଁ କରାଯାଇଛି । ଏପରି ହେଲେ ଦର ବଢ଼ି ଚାଲିବ ଓ ଖାଉଟି ହଇରାଣ ହେବେ । କେନ୍ଦ୍ର ସରକାରଙ୍କ ଉପରେ ରାଜ୍ୟ ସରକାର ଚାପ ପକାଇ କର୍ପୋରେଟ ସଂସ୍ଥାଙ୍କୁ ଆଇନ ପରିସରକୁ ଆଣନ୍ତୁ । ସେମାନଙ୍କ ଗଚ୍ଛିତ ପରିମାଣ ସ୍ପଷ୍ଟ କରାଯାଉ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା କହିଛନ୍ତି ।

ସେପଟେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ହରଡ଼ ଡାଲି ଦର ବୃଦ୍ଧି ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢ଼ି ଚାଲିଛି । ଦର ନିୟନ୍ତ୍ରଣ କରିବା ଦାୟିତ୍ୱ କେନ୍ଦ୍ର ସରକାରଙ୍କର । ଏହା ଜାତୀୟ ସମସ୍ୟା । କେହି ହୋର୍ଡିଂ କରୁଥିଲେ ଜିଲ୍ଲା ପ୍ରଶାସନ ସହଯୋଗରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ହେବ କେନ୍ଦୁଝରର ପ୍ରସିଦ୍ଧ ଭୀମକୁଣ୍ଡ

କେନ୍ଦୁଝର: ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ହେବ କେନ୍ଦୁଝରର ପ୍ରସିଦ୍ଧ ଭୀମକୁଣ୍ଡ । ପାଟଣାର ବିଭିନ୍ନ ମନ୍ଦିର ପାଇବ ନୂଆ ରୂପ । ଏନେଇ ୬ ମାସରେ କାମ ଆରମ୍ଭ  ହୋଇ ଶୀଘ୍ର ସାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଆଜି ସକାଳୁ କେନ୍ଦୁଝର ବିକାଶର ନକ୍ସା ଅଙ୍କିବାକୁ ପ୍ରଥମେ ପହଞ୍ଚିଥିଲେ ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳୀ । ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବା ସହ ଏହାର ବିକାଶ ଏବଂ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା । ସ୍ଥାନୀୟ ଲୋକଙ୍କର ଚାଷଜମିକୁ ଜଳସେଚନ ବ୍ୟବସ୍ଥା କରାଯିବାକୁ ପ୍ରତିଶ୍ରୁତି ଦେବା ସହ ମିଶନ ଶକ୍ତି ମାମାନଙ୍କ ସହ ହାତ ମିଳାଇ ତାଙ୍କ ସହ ବାର୍ତ୍ତାଳାପ କଲେ  । ପଞ୍ଚାୟତ ସ୍ତରରେ ଥିବା MBK ଓ CRPମାନଙ୍କ ଦରମା ବୃଦ୍ଧି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ଚମ୍ପୁଆରେ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ସମୀକ୍ଷା କଲେ 5T ସଚିବ

କେନ୍ଦୁଝର: ଚମ୍ପୁଆରେ ଥିବା ୱାଟର ଟ୍ରିଟମେଣ୍ଟ ପ୍ରକଳ୍ପ କାମର ସମୀକ୍ଷା କଲେ 5T ସଚିବ । ଅଧିକାରୀ ଓ ଜଳସାଥୀଙ୍କ ସହ ଆଲୋଚନା କଲେ 5T ସଚିବ । ଟ୍ରିଟମେଣ୍ଟ ପ୍ଲାଣ୍ଟର କଳେବର ବୃଦ୍ଧି ନେଇ ଆଲୋଚନା କରିଛନ୍ତି । ଏବେସୁଦ୍ଧା ୧୩ରୁ ୧୪ ହଜାର ଲୋକଙ୍କ ଘରେ ପହଞ୍ଚୁଛି ପାଣି । ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନାରେ ଘରେ ଘରେ ମିଳୁଛି ବିଶୁଦ୍ଧ ଜଳ । ଜଳସେଚନ ଓ ପାନୀୟ ଜଳ ନେଇ ଦାବି ଥିଲେ ଶୀଘ୍ର ପୂରଣ ହେବ । ୩୦ ବର୍ଷ ଯାଏ ପାଣି ଅସୁବିଧା ଯେପରି ଦେଖାନଯିବ, ସେନେଇ ବ୍ୟବସ୍ଥା ହେଉଛି ।

ନେହରୁ ଷ୍ଟାଡିୟମରେ ପୁଷ୍ପବର୍ଷା ଓ ଗୀତବାଦ୍ୟରେ 5T ସଚିବଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସାଧାରଣ ଲୋକଙ୍କ ସହ ହାତ ମିଳାଇଲେ । ଲୋକଙ୍କଠାରୁ ଦାବିପତ୍ର ଗ୍ରହଣ କରି ଚମ୍ପୁଆର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଥିବା କହିଛନ୍ତି 5T ସଚିବ । ଧର୍ମାନୁଷ୍ଠାନ ଉନ୍ନତି ପାଇଁ ଥିବା ଦାବି ଶୀଘ୍ର ପୂରଣ ହେବ । ସପ୍ତାହେ ସୁଦ୍ଧା ଅର୍ଥାତ୍ ୧୮ ତାରିଖ ଆଗରୁ ଖୁସି ଖବର ପାଇବେ ବୋଲି ଚମ୍ପୁଆବାସୀଙ୍କୁ ପ୍ରତିଶ୍ରୁତି ଦେଲେ ଭି.କେ ପାଣ୍ଡିଆନ । ମହିଳାଙ୍କୁ ସଶକ୍ତ କରିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ମିଶନ ଶକ୍ତି ମହିଳାଙ୍କ କାମକୁ ପ୍ରଶଂସା କଲେ । ଟ୍ରାଫିକ ସମସ୍ୟା ଶୀଘ୍ର ଦୂର ହେବ । ନଭେମ୍ବର ଡିସେମ୍ବର ସୁଦ୍ଧା ଫ୍ଲାଏଓଭର କାମ ସରିବ । ବଡ଼ବିଲ ରିଙ୍ଗରୋଡ୍ କାମ ପାଇଁ ୧୪ ଶହ କୋଟିରୁ ଅଧିକ ଖର୍ଚ୍ଚ ହେବ । ସେପଟେ ମଧୁବାବୁ ପେନସନ୍ ଯୋଜନାରେ ଭତ୍ତା ପାଉଥିବା ଲୋକ ଆଉ ବ୍ୟାଙ୍କ ଯିବାକୁ ପଡ଼ିବନି, ବରଂ ପଞ୍ଚାୟତସ୍ତରରେ ଭତ୍ତା ପାଇବା ବ୍ୟବସ୍ଥା ହୋଇଛି ।

କୋଇଲା ବୋଝେଇ ମାଲବାହୀ ଟ୍ରେନରେ ଲାଗିଲା ନିଆଁ

ଜଳେଶ୍ୱର: କୋଇଲା ବୋଝେଇ ମାଲବାହୀ ଟ୍ରେନରେ ଲାଗିଲା ନିଆଁ । ଦକ୍ଷିଣ ପୂର୍ବ ରେଳପଥର ରୁପସ ରେଳ ଷ୍ଟେସନ ନିକଟରେ ଘଟିଛି ଏମିତି ଘଟଣା । ପଶ୍ଚିମବଙ୍ଗରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ ଦୁଇଦିନ ଧରି ରୁପସା ଷ୍ଟେସନରେ ଛିଡ଼ା ହୋଇଥିଲା । ଆଜି ସକାଳେ ଏହି ଟ୍ରେନରୁ ଧୂଆଁ ବାହାରିବାରୁ ନିଆଁ ଲାଗିଥିବା ଅନୁମାନ କରି ଷ୍ଟେସନ କର୍ମଚାରୀ ଦମକଳ ସାହାଯ୍ୟରେ ପାଣି ପକାଇଥିଲେ । ଫଳରେ ଧୂଆଁ ବନ୍ଦ ହେବାରୁ ଗାଡ଼ିଟି ଷ୍ଟେସନରୁ ଚାଲିଯାଇଛି ।