spot_img
Home Blog Page 3093

ଚମ୍ପୁଆରେ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ସମୀକ୍ଷା କଲେ 5T ସଚିବ

କେନ୍ଦୁଝର: ଚମ୍ପୁଆରେ ଥିବା ୱାଟର ଟ୍ରିଟମେଣ୍ଟ ପ୍ରକଳ୍ପ କାମର ସମୀକ୍ଷା କଲେ 5T ସଚିବ । ଅଧିକାରୀ ଓ ଜଳସାଥୀଙ୍କ ସହ ଆଲୋଚନା କଲେ 5T ସଚିବ । ଟ୍ରିଟମେଣ୍ଟ ପ୍ଲାଣ୍ଟର କଳେବର ବୃଦ୍ଧି ନେଇ ଆଲୋଚନା କରିଛନ୍ତି । ଏବେସୁଦ୍ଧା ୧୩ରୁ ୧୪ ହଜାର ଲୋକଙ୍କ ଘରେ ପହଞ୍ଚୁଛି ପାଣି । ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନାରେ ଘରେ ଘରେ ମିଳୁଛି ବିଶୁଦ୍ଧ ଜଳ । ଜଳସେଚନ ଓ ପାନୀୟ ଜଳ ନେଇ ଦାବି ଥିଲେ ଶୀଘ୍ର ପୂରଣ ହେବ । ୩୦ ବର୍ଷ ଯାଏ ପାଣି ଅସୁବିଧା ଯେପରି ଦେଖାନଯିବ, ସେନେଇ ବ୍ୟବସ୍ଥା ହେଉଛି ।

ନେହରୁ ଷ୍ଟାଡିୟମରେ ପୁଷ୍ପବର୍ଷା ଓ ଗୀତବାଦ୍ୟରେ 5T ସଚିବଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସାଧାରଣ ଲୋକଙ୍କ ସହ ହାତ ମିଳାଇଲେ । ଲୋକଙ୍କଠାରୁ ଦାବିପତ୍ର ଗ୍ରହଣ କରି ଚମ୍ପୁଆର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଥିବା କହିଛନ୍ତି 5T ସଚିବ । ଧର୍ମାନୁଷ୍ଠାନ ଉନ୍ନତି ପାଇଁ ଥିବା ଦାବି ଶୀଘ୍ର ପୂରଣ ହେବ । ସପ୍ତାହେ ସୁଦ୍ଧା ଅର୍ଥାତ୍ ୧୮ ତାରିଖ ଆଗରୁ ଖୁସି ଖବର ପାଇବେ ବୋଲି ଚମ୍ପୁଆବାସୀଙ୍କୁ ପ୍ରତିଶ୍ରୁତି ଦେଲେ ଭି.କେ ପାଣ୍ଡିଆନ । ମହିଳାଙ୍କୁ ସଶକ୍ତ କରିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ମିଶନ ଶକ୍ତି ମହିଳାଙ୍କ କାମକୁ ପ୍ରଶଂସା କଲେ । ଟ୍ରାଫିକ ସମସ୍ୟା ଶୀଘ୍ର ଦୂର ହେବ । ନଭେମ୍ବର ଡିସେମ୍ବର ସୁଦ୍ଧା ଫ୍ଲାଏଓଭର କାମ ସରିବ । ବଡ଼ବିଲ ରିଙ୍ଗରୋଡ୍ କାମ ପାଇଁ ୧୪ ଶହ କୋଟିରୁ ଅଧିକ ଖର୍ଚ୍ଚ ହେବ । ସେପଟେ ମଧୁବାବୁ ପେନସନ୍ ଯୋଜନାରେ ଭତ୍ତା ପାଉଥିବା ଲୋକ ଆଉ ବ୍ୟାଙ୍କ ଯିବାକୁ ପଡ଼ିବନି, ବରଂ ପଞ୍ଚାୟତସ୍ତରରେ ଭତ୍ତା ପାଇବା ବ୍ୟବସ୍ଥା ହୋଇଛି ।

କୋଇଲା ବୋଝେଇ ମାଲବାହୀ ଟ୍ରେନରେ ଲାଗିଲା ନିଆଁ

ଜଳେଶ୍ୱର: କୋଇଲା ବୋଝେଇ ମାଲବାହୀ ଟ୍ରେନରେ ଲାଗିଲା ନିଆଁ । ଦକ୍ଷିଣ ପୂର୍ବ ରେଳପଥର ରୁପସ ରେଳ ଷ୍ଟେସନ ନିକଟରେ ଘଟିଛି ଏମିତି ଘଟଣା । ପଶ୍ଚିମବଙ୍ଗରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ ଦୁଇଦିନ ଧରି ରୁପସା ଷ୍ଟେସନରେ ଛିଡ଼ା ହୋଇଥିଲା । ଆଜି ସକାଳେ ଏହି ଟ୍ରେନରୁ ଧୂଆଁ ବାହାରିବାରୁ ନିଆଁ ଲାଗିଥିବା ଅନୁମାନ କରି ଷ୍ଟେସନ କର୍ମଚାରୀ ଦମକଳ ସାହାଯ୍ୟରେ ପାଣି ପକାଇଥିଲେ । ଫଳରେ ଧୂଆଁ ବନ୍ଦ ହେବାରୁ ଗାଡ଼ିଟି ଷ୍ଟେସନରୁ ଚାଲିଯାଇଛି ।

ମୋବାଇଲ ଚୋରକୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିଲେ ସ୍ଥାନୀୟ ଲୋକ

ଭୁବନେଶ୍ୱର: ବିଳମ୍ବିତ ରାତିରେ ଚତୁରତାର ସହ ମୋବାଇଲ ଚୋରି । କେତେବେଳେ ଝରକା ବାଟେ ତ ଆଉ କେତବେଳେ ଛାତ ଉପରେ ଚଢ଼ି । ଏଭଳି ମୋବାଇଲ ଲୁଟୁଥିବା ଜଣେ ଯୁବକକୁ କାବୁ କରି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଛନ୍ତି ସ୍ଥାନୀୟ ଲୋକେ । ଘଟଣାଟି ଘଟିଛି ନୟାପଲ୍ଲୀ ଅଞ୍ଚଳରେ । ଗିରଫ ଯୁବକର ନାମ ସତ୍ୟ ନାରାୟଣ ରେଡି । ଘର ଗଂଜାମ ଜିଲ୍ଲା ସେରଗଡ଼ ଅଂଚଳରେ । ବର୍ତ୍ତମାନ ସାଲିଆ ସାହିରେ ରହୁଛି । ପୂର୍ବରୁ ତା ନାମରେ ମାମଲା ରହିଛି ।

ବର୍ତ୍ତମାନ ଥାନାରେ ଅଟକ ଥିବା ସତ୍ୟଠାରୁ ଗୋଟିଏ ଚୋରୀ ମୋବାଇଲ ପୋଲିସ ଜବତ କରିଛି । ଆଉ ୨୦ଟି ମୋବାଇଲ ଚୋରି କରି ସେ ଅନ୍ୟତ୍ର ବିକୁଥିବା କହିଛି। ନୟାପଲ୍ଲୀ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ନେଇଛି । ଗ୍ୟାଙ୍ଗ ନୁହେଁ, ବରଂ ସେ ଏକୁଟିଆ ଲୁଟୁଥିବା ସ୍ପଷ୍ଟ କରିଛି ନୟାପଲ୍ଲୀ ପୋଲିସ ।

ସୋରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଗୋଷ୍ଠୀ ସଂଘର୍ଷରେ ୩ ଆହତ

ସୋର: ସୋରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଗୋଟିଏ ଗୋଷ୍ଠୀକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ଅନ୍ୟ ଏକ ଗୋଷ୍ଠୀ । ଗୋଷ୍ଠୀ ସଂଘର୍ଷରେ ୩ ଜଣ ଆହତ ହୋଇଛନ୍ତି । ଆହତ ଯୁବକ ହେଲେ ସୋମନାଥ ସାମଲ, ପର୍ଶୁରାମ ନାୟକ ଓ ରାଜେଶ ନାୟକ । ଗଣ୍ଡଗୋଳର ଭିଡିଓ ଭାଇରାଲ ହୋଇଥିବା ବେଳେ, ଆକ୍ରମଣରେ ଖଣ୍ଡା ଛୁରୀ ଓ ବ୍ଲେଡ୍ ବ୍ଯବହାର ହୋଇଛି । ସୂଚନା ଅନୁସାରେ, ଅଞ୍ଜି ବଜାରରେ ଗତ ଦୁଇ ଦିନ ଧରି ଦୋକାନୀ ଓ ଗ୍ରାହକ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ଲାଗି ରହୁଥିଲା ।

ଗତକାଲି ସନ୍ଧ୍ୟାରେ ଦୋକାନୀ ଓ ସ୍ଥାନୀୟ ଲୋକମାନେ ଏକ ଶାନ୍ତି କମିଟି ଡାକରା ଦେଇ ବିବାଦର ସମାଧାନ ପାଇଁ ଆଲୋଚନା କରୁଥିଲେ । ହେଲେ ଏହି ସମୟରେ କିଛି ଯୁବକ ଅଶାଳୀନ ମନ୍ତବ୍ୟ ଦେବାରୁ ଅନ୍ୟ କିଛି ଯୁବକ ସେମାନଙ୍କୁ ପ୍ରତିବାଦ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିଥିଲା ।

ବଢୁଛି ଚୀନର ଆଧିପତ୍ୟ, ଡ୍ରାଗନକୁ ଟକ୍କର ଦେବେ ଆସିଆନ ରାଷ୍ଟ୍ରଗୋଷ୍ଠୀ

ନୂଆଦିଲ୍ଲୀ: ଚୀନକୁ ଟକ୍କର ଦେବେ ଆସିଆନ ରାଷ୍ଟ୍ରଗୋଷ୍ଠୀ । ପ୍ରଥମ ଥର ଲାଗି ଦକ୍ଷିଣ ଚୀନ୍ ସାଗରରେ ମିଳିତ ସାମରିକ ଡ୍ରିଲ ଲାଗି ଘୋଷଣା କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଇଣ୍ଡୋନେସିଆ ସାମରିକ ମୁଖ୍ୟ ୟୁଦୋ ମାର୍ଗୋନୋ । ବାଲିରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ମିଳିତ ସମରାଭ୍ୟାସରେ ଜୁଣ୍ଟା ଶାସିତ ମିଆଁମାର ବି ସାମିଲ ହେବ । ତେବେ ଏହି ସମରାଭ୍ୟାସ ସାମୁଦ୍ରିକ ନିରାପତ୍ତା ଓ ଉଦ୍ଧାର କାର୍ଯ୍ୟ ଉପରେ ଫୋକସ୍ କରାଯିବ ଏବଂ ଲଢେଇ ସଂକ୍ରାନ୍ତ ଅପରେସନର ଅନ୍ତର୍ଭୁକ୍ତ ହେବ ନାହିଁ ବୋଲି କୁହାଯାଇଛି । ଆସିଆନ ସଦସ୍ୟ ରାଷ୍ଟ୍ର ଯଦିଓ ଆମେରିକା ସହ ନାଭାଲ ଡ୍ରିଲ କରିସାରିଛନ୍ତି ତଥାପି ଏକ ବ୍ଲକ ହିସାବରେ ମିଲିଟାରୀ ଏକ୍ସରସାଇଜ କେବେ କରିନାହାନ୍ତି ।

ଫିଲିପାଇନ୍ସର ଏକ ଜାହାଜ ସହ ଏବଂ ଆମେରିକାର ଏକ ସର୍ଭେଲାନ୍ସ ଏୟାରକ୍ରାଫ୍ଟ ନିକଟରେ ଚୀନର ଏକ ଫାଇଟର ଜେଟର ଟକ୍କର ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତେଜିତ ହୋଇଥିଲା ଆମେରିକା । ଏହି ଦୁଇଟି ଘଟଣା ପରେ ପରେ ମିଳିତ ସମରାଭ୍ୟାସ କରିବା ଲାଗି ଆସିଆନ ସଦସ୍ୟ ରାଷ୍ଟ୍ର ନିଷ୍ପତ୍ତି ନେଇଛନ୍ତି । ଇଣ୍ଡୋନେସିଆର ନର୍ଥ ନାତୁନାରେ ବି ଚୀନର ବିଭିନ୍ନ ଜାହାଜ ବାରମ୍ବାର ପ୍ରବେଶ କରୁଥିବାରୁ ଉଦବେଗ ପ୍ରକାଶ କରିଥିଲେ ଆସିଆନ ରାଷ୍ଟ୍ର । ଆସିଆନ ରାଷ୍ଟ୍ର ଗୋଷ୍ଠୀରେ ଅଛନ୍ତି ବ୍ରୁନେଇ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ, ମ୍ୟାଲେସିଆ, ମିଆଁମାର, ଫିଲିପାଇନସ୍, ସିଙ୍ଗାପୁର, ଥାଇଲାଣ୍ଡ ଓ ଭିଏତନାମ ।

ସ୍ବାମୀ ସ୍ତ୍ରୀ ଝଗଡ଼ାରୁ ବଳି ପଡ଼ିଲା ପିଲା, ଶିଶୁପୁତ୍ରର ତଣ୍ଟିଚିପି ଟାଙ୍ଗିଦେଲା ବାପା

ରାଉରକେଲା: ସ୍ବାମୀ ସ୍ତ୍ରୀ ଝଗଡ଼ାରୁ ବଳିପଡ଼ିଲା ପିଲା । ରାଉରକେଲା ସହରର ଶିତଳପଡ଼ା ବସ୍ତିରେ ଶିଶୁପୁତ୍ରର ତଣ୍ଟିଚିପି ଟାଙ୍ଗିଦେଲା ବାପା । ସ୍ଵାମୀ ସ୍ତ୍ରୀ କଳହ ପରେ ସ୍ତ୍ରୀ ଘର ଛାଡ଼ି ପଳାଇବା ପରେ ସ୍ଵାମୀ ମାନସିକ ଭାରସାମ୍ୟ ହରାଇ ୪ ବର୍ଷ ୮ ମାସର ଶିଶୁପୁତ୍ରର ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶିଶୁପୁତ୍ରକୁ ହତ୍ୟା କରିଥିବା ଅଭିଯୋଗ ପରେ ଅଭିଯୁକ୍ତ ହତ୍ୟାକାରୀ ବାପା ରାଜୁ ଲାକ୍ରାକୁ ଉଦିତନଗର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ସାଇଣ୍ଟିଫିକ ଟିମ ସହ ଉଦିତନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଇଣ୍ଟରକଣ୍ଟିନେଣ୍ଟାଲ କପ୍: ମଙ୍ଗୋଲିଆକୁ ହରାଇ ଭାରତର ବିଜୟ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଉଦଘାଟନୀ ମ୍ୟାଚରେ ଭାରତର ଦମଦାର ବିଜୟ । ମଙ୍ଗୋଲିଆ ବିପକ୍ଷରେ ଭାରତ ୨-୦ ଗୋଲରେ ବିଜୟୀ । ମ୍ୟାଚର ୧ ମିନିଟ ୧୫ ସେକେଣ୍ଡରେ ଭାରତ ପ୍ରଥମ ଗୋଲ ଦେଇଥିଲା । ୧୩ ମିନିଟ ୫୪ ସେକେଣ୍ଡରେ ଭାରତ ଦ୍ଵିତୀୟ ଗୋଲ ସ୍କୋର କରିଥିଲା । ମ୍ୟାଚର ଆରମ୍ଭରୁ ହିଁ ଭାରତୀୟ ଦଳ ମଙ୍ଗୋଲିଆ ବିପକ୍ଷରେ ଆକ୍ରାମଣାତ୍ମକ ଖେଳିଥିଲା । ଘନଘନ ମଙ୍ଗୋଲିଆ ଗୋଲ ପୋଷ୍ଟକୁ ଆକ୍ରମଣ କରିଥିଲେ ଭାରତୀୟ ଖେଳାଳି ।

ସେପଟେ ଗୋଟିଏ ବି ଗୋଲ ଦେବାରେ ସକ୍ଷମ ହୋଇନଥିଲା ବିପକ୍ଷ ଦଳ । ମ୍ୟାଚ ପୂର୍ବରୁ କଳିଙ୍ଗ ଷ୍ଟାଡିଅମରେ ପହଞ୍ଚି ଇଣ୍ଟର-କଣ୍ଟିନେଟାଲ କପକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ 5T ସଚିବ ଉପସ୍ଥିତ ଥିଲେ । ତେବେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାନୁଆଟୁ ବିପକ୍ଷରେ ଲେବାନନ ୩-୧ ରେ ବିଜୟୀ ହାସଲ କରିଥିଲା । ଏହି ପ୍ରତିଯୋଗିତା ଜୁନ ୧୮ ତରିଖ ଯାଏଁ ଚାଲିବ । ପ୍ରତିଯୋଗିତାରେ ଆୟୋଜକ ଭାରତ ସମେତ ଲେବାନାନ, ମଙ୍ଗୋଲିଆ ଏବଂ ଭାନୁଆଟୁ ଅଂଶଗ୍ରହଣ କରିଛନ୍ତି ।

ଅଣସର ଘରେ ମହାପ୍ରଭୁଙ୍କର ଚାଲିଛି ଗୁପ୍ତସେବା, ଆଜି ଷଷ୍ଠୀରେ ଲାଗିହେବ ଓଷ

ପୁରୀ: ସ୍ନାନପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ କରିବାପରେ ଜ୍ବରରେ ପଡ଼ିଛନ୍ତି ଶ୍ରୀଜିଉ । ଅଣସର ଘରେ ଚାଲିଛି ଗୁପ୍ତସେବା । ମହାପ୍ରଭୁଙ୍କ ସେବାରେ ଲାଗିପଡ଼ିଛନ୍ତି ଦଇତାପତି ସେବାୟତ । ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଶ୍ରୀଅଙ୍ଗରେ ଲାଗି ହୋଇଛି ଫୁଲୁରୀ ତେଲ । ପୂର୍ବ ପରମ୍ପରା ଅନୁଯାୟୀ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଫୁଲୁରୀ ତେଲ ବଡ଼ଓଡ଼ିଆ ମଠ ଯୋଗାଇଦେଇଥିଲା । ରାଶିତେଲରେ ବିଭିନ୍ନ ପ୍ରକାର ଚେର, ଔଷଧୀୟ ଫୁଲ ମିଶାଇ ଗୋଟିଏ ବର୍ଷତଳୁ ମାଟିତଳେ ପୋତାଯାଇଥାଏ  । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସେବାୟତ ଏହି ଫୁଲୁରୀ ତେଲ ଲାଗି କରିଛନ୍ତି  । ଆଜି ଷଷ୍ଠୀରେ ଲାଗି ହେବ ଓଷ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ବେହରଣ ଦ୍ବାର ଦେଇ ଦଇତାପତି ପ୍ରବେଶ କରି ଓଷ ଲାଗି କରିବେ । ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ପ୍ରଭୁଙ୍କ ଆୟୁର୍ବେଦ ପଦ୍ଧତିରେ ଚିକିତ୍ସା କରାଯାଉଥିବା ବେଳେ ଘନ ଅନ୍ଧକାର ମଧ୍ୟରେ ଅଣବସର ଗୁପ୍ତ ଚିକିତ୍ସା କରାଯାଉଛି ।

 

ଦୁବୃର୍ତ୍ତଙ୍କ ଗୁଳିମାଡ଼ରେ ନିଶା ମାଫିଆ ସୋମନାଥର ମୃତ୍ୟୁ

ଖୋର୍ଦ୍ଧା: ଦୁବୃର୍ତ୍ତଙ୍କ ଗୁଳିମାଡ଼ରେ ନିଶା ମାଫିଆ ସୋମନାଥର ମୃତ୍ୟୁ । ୭ ତାରିଖ ରାତିରେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ସାମନ୍ତରାପୁର ଛକରେ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ନିଶା ମାଫିଆ ସୋମନାଥ ଭୁଜବଳ ଓରଫ ପାକୁର ମୃତ୍ୟୁ ହୋଇଛି । ପାକୁ ୨୦୧୪ରୁ ୨୦୨୧ ମଧ୍ୟରେ ବ୍ରାଉନସୁଗାର କାରବାର କରି କୋଟିକୋଟି ଟଙ୍କା ସମ୍ପତି ଅର୍ଜନ କରିଥିଲା । ୨୦୨୧ରେ ପୋଲିସ ତା’ର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି କରିଥିଲା । ଏବେ ବି ସୋମନାଥ ନାଁରେ ଖୋର୍ଦ୍ଧା, ପୁରୀ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ଚାଲୁଛି । ଘଟଣା ଦିନ ପାକୁ ସମନ୍ତରାପୁର ଛକରେ ଛିଡ଼ା ହୋଇଥିବା ବେଳେ ୨ରୁ ୩ ଜଣ ଆସି ଗୁଳିମାଡ଼ କରିଥିଲେ । ପାକୁର ହାତ, କନ୍ଧ, ପାକସ୍ଥଳୀରେ ୪ଟି ଗୁଳି ବାଜିଥିଲା । ଗତ ରାତିରେ ନିଶା ବ୍ୟବସାୟୀ ସୋମନାଥ ଓରଫ ପାକୁର ମୃତ୍ୟୁ ଘଟିବା ପରେ ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ଜଳୁଛି ପଶ୍ଚିମ ଓଡ଼ିଶା, ଚଳିତବର୍ଷ ପ୍ରଥମଥର ପାଇଁ ୪୫ ଡିଗ୍ରୀ ଡେଇଁଛି ତାପମାତ୍ରା

ଭୁବନେଶ୍ୱର: ଜଳୁଛି ପଶ୍ଚିମ ଓଡ଼ିଶା । ଚଳିତବର୍ଷ ପ୍ରଥମଥର ପାଇଁ ୪୫ ଡିଗ୍ରୀ ଡେଇଁଛି ତାପମାତ୍ରା । ଗତକାଲି ୪୫ ଡିଗ୍ରୀ ଉପରେ ରହିଥିଲା ରାଜ୍ୟର ୨ଟି ସହରର ତାପମାତ୍ରା । ଝାରସୁଗୁଡ଼ାରେ ସର୍ବାଧିକ ୪୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ସମ୍ବଲପୁରରେ ୪୫.୨ ଡିଗ୍ରୀ ତାତି ରେକର୍ଡ ହୋଇଥିଲା । ବିଶ୍ବ ଉତ୍ତପ୍ତ ସହର ତାଲିକାରେ ଭାରତର ଏହି ଦୁଇଟି ସହର ସ୍ଥାନ ପାଇଥିଲା । ଗତକାଲି ଝାରସୁଗୁଡ଼ା ବିଶ୍ବର ସପ୍ତମ ଉତ୍ତପ୍ତ ସହର ହୋଇଥିଲାବଳେ ସମ୍ବଲପୁର ବିଶ୍ବର ୧୫ ତମ ଉତ୍ତପ୍ତ ସହର ପାଲଟିଥିଲା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର ।

ଆଜି ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ଉପକୂଳରେ ଖରା ସହିତ ଅପରାହ୍ମରେ କାଳବୈଶାଖୀ ତାଣ୍ଡବ ରଚିବ । ସେପଟେ ଆଜି ଉତ୍ତର ପୂର୍ବ ବଙ୍ଗୋପସାଗରରେ ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହେବ ଲଘୁଚାପ କ୍ଷେତ୍ର । ଲଘୁଚାପ ସମୁଦ୍ର ମଝିରେ ରହିବ ନା ସ୍ଥଳଭାଗ ଆଡ଼କୁ ଆସିବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ଓ୍ବେଲ ମାର୍କ ଲୋ ପ୍ରେସରରେ ପରିଣତ ହେଲାପରେ ଏହାର ପ୍ରଭାବ ଆକଳନ କରାଯାଇପାରିବ । ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବନାହିଁ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର କହିଛି । ଆସନ୍ତାକାଲି ଯାଏ ମତ୍ସ୍ୟଜୀବୀଙ୍କୁ ଉତ୍ତର ପୂର୍ବ ବଙ୍ଗୋପସାଗର ନଯିବାକୁ ପରାମର୍ଶ ଦିଆଯାଇଛି ।