spot_img
Home Blog Page 3107

ବାହାନଗା ଟ୍ରେନ ଟ୍ରାଜେଡି: କାନ୍ଥରୁ ବାହା ଚିତା ଲିଭିନି, ହେଲେ ମଥାରୁ ଲିଭିଗଲା ସିନ୍ଦୂର

ଆଉ ଦିନ କେଇଟା ପରେ ଥିଲା ମ୍ୟାରେଜ ଆନିଭର୍ସରି। ଆଖିରେ ଆଖିଏ ସ୍ବପ୍ନ। ସ୍ବାମୀ ଫେରିବେ, ଧୁମଧାମରେ ପାଳିବେ ସ୍ମୃତିର ମୁହୂର୍ତ୍ତ । ହେଲେ ମୃତ୍ୟୁ ଯେ ମାମାଙ୍କ ଠାରୁ ଗୋବିନ୍ଦଙ୍କୁ ଛଡାଇନେବ କିଏବା ଜାଣିଥିଲା ! ସେ ଆସୁଥିବା ଟ୍ରେନ ଯେ ଯମଙ୍କ ଦୁଆରକୁ ବାଟ କଢେଇବ କିଏବା ଭାବିଥିଲା । ସକାଳର ଖୁସି ସଂଧ୍ୟାରେ ଦୁଃଖରେ ପରିଣତ ହୋଇଯିବ କିଏବା ଅନୁମାନ କରିଥିଲା। କାନ୍ଥରୁ ବିବାହ ଚିତା ଲିଭିବା ପୂର୍ବରୁ ଜୀବନ ଦ୍ବୀପ ଲିଭିଗଲା। ବାପାଙ୍କୁ ଭଲରେ ଚିହ୍ନିବା ପୂର୍ବରୁ ବାହାନଗା ଟ୍ରେନ ଦୁର୍ଘଟଣା କଅଁଳା ଶିଶୁର ମୁଣ୍ଡରୁ ସ୍ନେହର ହାତ ଛଡାଇନେଲା। ମୃତଦେହ ବାସୁଦେବପୁର ବ୍ଲକର ସୁଗୋ ପଞ୍ଚାୟତର ସାହୁ ସାହିରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟୁଥିଲା ପରିବେଶ ।

ରବୀନ୍ଦ୍ର ସାହୁ ଓ ଅନ୍ନପୂର୍ଣ୍ଣାଙ୍କ ପୁଅ ଗୋବିନ୍ଦ କୋଲକାତାରେ ରହି ପାଣି  ପାଇପ୍ ଲାଇନରେ ଠିକାଦାର ଭାବେ କାମ କରୁଥିଲେ । ୨୦୨୨ ଜୁନ ୧୦ ତାରିଖରେ ଭଦ୍ରକ ଜଗନ୍ନାଥପୁରର ବିଜୟାଙ୍କ ସହିତ ବିବାହ ହୋଇଥିଲା । କୋଳରେ ଅଛି ଦେଢ ମାସର ଶିଶୁ କନ୍ୟା । ଜୁନ୍ ୧୦ ରେ ପାଳିଥାନ୍ତେ ବିବାହ ବାର୍ଷିକୀ। ଏଥିସହ ଝିଅ ଓ ପରିବାରକୁ ଦେଖିବା ଖୁସିରେ ଗାଁକୁ ଫେରୁଥିଲେ ଗୋବିନ୍ଦ। ପରିବାର ଖୁସିରେ ଅପେକ୍ଷା କରିଥିଲେ ।  ହେଲେ କାଳ ସାଜିଲା କରମଣ୍ଡଳ  । ଗଣମାଧ୍ୟମରେ ଶୁଭିଥିଲା ଅଶୁଭ ଖବର  । ଆତଙ୍କିତ ହୋଇ ବାପା ଘଟଣା ସ୍ଥଳରେ ପହଞ୍ଚି ଶବର ସଭା ମଧ୍ୟରେ ପୁଅକୁ ଖୋଜିଥିଲେ । ହେଲେ ସେ ତ ମିଳିନଥିଲେ ମିଳିଥିଲା ମୃତଦେହ  । ଗାଁରେ ଛାଇଯାଇଥିଲା ଶୋକର କଳାବାଦଲ  ।

ବାହାନଗାରେ ଟ୍ରେନ ଟ୍ରାଜେଡି: ରେଳବାଇ ବିରୋଧରେ ମାମଲା ରୁଜୁ

ବାଲେଶ୍ୱର: ବାଲେଶ୍ୱର ବାହାନଗାରେ ଟ୍ରେନ ଟ୍ରାଜେଡି। ରେଳବାଇର ଦାୟିତ୍ୱହୀନତା ଓ ଅବହେଳା ଅଭିଯୋଗରେ ରୁଜୁ ହୋଇଛି ମାମଲା। ଜିଆରପି ଏସଆଇ ପପୁ ନାୟକଙ୍କ ଏତଲା ଅଧାରରେ ମାମଲା ରୁଜୁ କରିଛି ବାଲେଶ୍ୱର ଜିଆରପି। ଜୁନ ୩ ତାରିଖରେ ଅଭିଯୋଗ କରିଥିଲେ ପପୁ।

ଆଇପିସିର ଧାରା ୩୩୭,୩୩୮,୩୦୪(A), ୩୪ ସମେତ ରେଲଓ୍ବେ ଆକ୍ଟ 153/154/175ରେ ମାମଲା ରୁଜୁ କରି ତଦନ୍ତ କରୁଛି ଜିଆରପି। ପ୍ରାଥମିକ ପର୍ଯ୍ୟାୟରେ ମୃତକଙ୍କ ତଥ୍ୟ ସଂଗ୍ରହ କରାଯାଉଛି। ପରେ ଅନ୍ୟ ଦିଗରୁ ଯାଞ୍ଚ ହେବ ବୋଲି ସୂଚନା ମିଳିଛି।

ବାହାନଗା ଟ୍ରେନ୍ ଦୁର୍ଘଟଣା; ଆହତଙ୍କ ପାଇଁ ଦେବଦୂତ ସାଜିଥିଲେ ସ୍ଥାନୀୟ ଲୋକେ

ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ବେଳେ ଦେବଦୂତ ସାଜିଥିଲେ ସ୍ଥାନୀୟ ଲୋକେ। ଜନତାଙ୍କ ଏଭଳି ମହାମାନବିକତାକୁ କୃତଜ୍ଞତା ଜଣାଇଛନ୍ତି ରାଜ୍ୟ ସରକାର । ସୂଚନା ଅନୁଯାୟୀ, ଦୁର୍ଘଟଣା ପରେ ପ୍ରଶାସନକୁ ନ ଅନେଇ ସ୍ଥାନୀୟ ଲୋକେ ଆରମ୍ଭ କରି ଦେଇଥିଲେ ରେସକ୍ୟୁ ଅପରେସନ। ଘଟଣାସ୍ଥଳରେ ପହଞ୍ଚି ଗୋଲଡେନ୍ ପିରିୟଡରେ ହିଁ ଆହତଙ୍କୁ ହସ୍ପିଟାଲ ନିଆଯିବାରୁ ପ୍ରାୟ ୧୨ଶହ ଜୀବନ ବଞ୍ଚି ଯାଇଥିଲା। ସେହିପରି ଅଗ୍ନିଶମ ଓ ଓଡ୍ରାଫ ବାହିନୀ ମଧ୍ୟ ଠିକଣା ସମୟରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ଅନ୍ଧାର ରାତିରେ ରେସକ୍ୟୁ ଅପରେସନ୍ ଥିଲା ସବୁଠୁ ଚ୍ୟାଲେଞ୍ଜିଂ।

ପ୍ରତିକୂଳ ପରିସ୍ଥିତିରେ ବି ପ୍ରତିଟି ଜୀବନ ମୂଲ୍ୟବାନ ମନ୍ତ୍ରକୁ ପାଳନ କରି ଆହତଙ୍କୁ ଉଦ୍ଧାର କରାଯାଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ପହଞ୍ଚିଥିଲେ। ଜାତୀୟ ରାଜପଥ ଖାଲି କରିବାଠୁ ଆରମ୍ଭ କରି ହସ୍ପିଟାଲରେ ଆଗୁଆ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ କରାଯାଇଥିଲା। ଆହତଙ୍କୁ ଖୁବ୍ ସମୟରେ ହସପିଟାଲ ନିଆଯାଇ ଆବଶ୍ୟକ ଚିକିତ୍ସା କରାଯାଇଥିଲା। ସ୍ଥାନୀୟ ଲୋକେ ମଧ୍ୟ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ । ସ୍ଥାନୀୟ ଦୋକାନୀ ମାଗଣାରେ ଖାଇବା ବାଣ୍ଟି ଦେଇଥିଲେ। ସପ୍ଲାଏ ଚେନ୍ ସିଷ୍ଟମ ଯୋଗୁଁ ରାତି ସୁଦ୍ଧା ଦୁର୍ଘଟଣାସ୍ଥଳକୁ ଆଲୋକିତ କରାଯାଇଥିଲା। ଜନତାଙ୍କ ଏଭଳି ମହାମାନବିକତାକୁ କୃତଜ୍ଞତା ଜଣାଇଛନ୍ତି ରାଜ୍ୟ ସରକାର ।

ତେବେ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୭୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭୦ଟି ଶବ ଚିହ୍ନଟ ହୋଇସାରିଛି। ମୃତଦେହ ଚିହ୍ନଟ ଓ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି। ମୃତକଙ୍କ ପରିବାର ଲୋକେ ଯେମିତି କୌଣସି ଅସୁବିଧା ନଭୋଗିବେ ସେନେଇ ଗୁରୁତ୍ବ ଦିଆଯାଉଛି। ମୃତଦେହ ନେବା ପାଇଁ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏନେଇ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ କୋ-ଅର୍ଡିନେଟ୍ କରୁଛନ୍ତି। ଡେଥ୍ ସାର୍ଟିଫିକେଟ୍ ସଂଗ୍ରହ କରି ସବୁଠୁ କମ ସମୟରେ ସ୍ପିଡ ପୋଷ୍ଟରେ ପଠାଯିବ।

ତେବେ ୧୯୯୯ ପରେ ଏତେ ବଡ଼ ବିପତ୍ତିକୁ ସାମ୍ନା କରିଛି ରାଜ୍ୟ। ସ୍ଥାନୀୟ ଲୋକଙ୍କ ସହଯୋଗ, ରାଜ୍ୟ ପ୍ରଶାସନ ତତ୍ପରତା ଏବଂ ପାଖାପାଖି ସବୁ ଜିଲ୍ଲାର ଭିତ୍ତିଭୂମିକୁ ବ୍ୟବହାର କରି ଅନେକ ଜୀବନ ରକ୍ଷା କରାଯାଇପାରିଛି। ଦୁର୍ଘଟଣାସ୍ଥଳକୁ ପୁଣି ଥରେ ତନ ତନ ଯାଞ୍ଚ କରାଯାଉଛି।

ମଥାରୁ ଲିଭିଗଲା ସିନ୍ଦୂର, ହେଲେ ବାପାଙ୍କ ଆସିବା ବାଟକୁ ଚାହିଁରହିଛି ଅବୁଝା ପିଲା

ବାଲେଶ୍ୱର: କାନ୍ଥରୁ ଲିଭିନି ଶୁଭ ବିବାହର ଚିତ୍ର। ହେଲେ ମଥାରୁ ଲିଭିଗଲା ସିନ୍ଦୂର। ମୃତ୍ୟୁ କ’ଣ ଜାଣିନଥିବା ଝିଅ ଦେଖିଲା ବାପାର ମଲାମୁହଁ। ସ୍ନେହର ହାତ ଆଜି ତା ପାଇଁ ସ୍ମୃତି। ବାହାନଗା ଟ୍ରେନ ଟ୍ରାଜେଡି ବିକ୍ଷିପ୍ତଙ୍କ ପରିବାରକୁ କରିଦେଇଛି ଆଜି ବିକ୍ଷିପ୍ତ। ଫଟୋକୁ ଧରି ତାଙ୍କୁ ମନେପକାଇ ବାହୁନି ବାହୁନି କାନ୍ଦୁଛନ୍ତି ପରିବାର। ସ୍ତ୍ରୀ ଶୁଭଶ୍ରୀଙ୍କୁ ଭାଙ୍ଗିଦେଇଛି ଅଶୁଭ ସମୟ।

ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବାଲେଶ୍ବର ଜିଲ୍ଲା ଝିଙ୍କିରିଆ ପଞ୍ଚାୟତ ସିଙ୍ଗିପୁରର ବିକ୍ଷିପ୍ତ ପଲେଇ। ବାଲେଶ୍ବରରେ ଚାକିରି କରୁଥିବା ବିକ୍ଷିପ୍ତ ଭଦ୍ରକରେ ଘରଭଡ଼ା ନେଇ ରହୁଥିଲେ ଓ ପ୍ରତିଦିନ କରମଣ୍ଡଳ ଏକ୍ସପ୍ରେସରେ ବାଲେଶ୍ବର ଯିବା ଆସିବା କରୁଥିଲେ। ସବୁଦିନ ପରି ଶୁକ୍ରବାର ମଧ୍ୟ ସେହି ଟ୍ରେନରେ ଯାଇ ଫେରୁଥିଲେ । ଟ୍ରେନରେ ବସିବା ପରେ ସ୍ତ୍ରୀ ଶୁଭଶ୍ରୀଙ୍କ ସହ ଫୋନରେ କଥା ହୋଇଥିଲେ। ହେଲେ ଶୁଭଶ୍ରୀ ଜାଣିନଥିଲେ ସ୍ବାମୀଙ୍କର ଏହି କଲ୍‌ ଥିଲା ଶେଷ କଲ୍‌।

ବିକ୍ଷିପ୍ତଙ୍କର ଏକ ମାତ୍ର ୪ ବର୍ଷର ଝିଅ ବାପାଙ୍କ ଫଟୋକୁ ଗେଲ କରିବା ସହିତ ବାପା ବାପା ବୋଲି ଡାକ ପକାଉଛି । ହେଲେ ସେ ଜାଣିନି ତା’ ବାପା ଆଉ କେବେବି ତା’ ଡାକ ଶୁଣିବେନି ।

ସ୍ୱାଧୀନତା ସଂଗ୍ରାମୀ ‘ରେଣ୍ଡୋ ମାଝୀ’ଙ୍କ ନାଁରେ ନାମିତ ହେଲା ଭବାନୀପାଟଣା ମେଡିକାଲ କଲେଜ

ଭବାନୀପାଟଣା: ଭବାନୀପାଟଣା ମେଡିକାଲ କଲେଜର ନାମକରଣ କଲେ ସରକାର। ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ନାମରେ ନାମିତ ହେଲା ଭବାନୀପାଟଣା ମେଡିକାଲ କଲେଜ। ବିଶିଷ୍ଟ ଆଦିବାସୀ ନେତା ଓ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀ। ୪୮୧ କୋଟି ଟଙ୍କା ଖର୍ଚ୍ଚରେ ହୋଇଛି ହସ୍ପିଟାଲ ନିର୍ମାଣ କାର୍ଯ୍ୟ।

ଚଳିତ ଶିକ୍ଷାବର୍ଷରୁ ୧୦୦ସିଟ୍ ପାଇଁ ହେବ ନାମଲେଖା । ନାମଲେଖା ପାଇଁ NMCଙ୍କ ଠାରୁ ମିଳିଛି ଅନୁମତି। ରାଜ୍ୟ ସରକାର ରାଜ୍ୟରେ MBBS ପାଠ୍ୟକ୍ରମରେ ଶିକ୍ଷାଦାନ ପାଇଁ ୧୦ଟି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିଥିଲେ। ଏହି କ୍ରମରେ ଆଉ ଏକ ମେଡିକାଲ କଲେଜ ଓ ହସ୍ପିଟାଲ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ ଚଳିତ ବର୍ଷଠାରୁ କାର୍ଯ୍ୟକ୍ଷମ ହେବ। ଏହା ଫଳରେ ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଗୁଡିକର ସଂଖ୍ୟା ୧୧ରେ ପହଞ୍ଚିବ।

ଏହି ମେଡିକାଲ କଲେଜ ଓ ହସ୍ପିଟାଲଟିର ନାମ କଳାହାଣ୍ଡି ଜିଲ୍ଲାର ମହାନ ସ୍ଵାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ରଖାଯାଇଛି । ସହିଦ ରେଣ୍ଡୋ ମାଝୀ ଜଣେ ମହାନ ଆଦିବାସୀ ନେତା ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସ୍ଵାଧୀନତା ସଂଗ୍ରାମ ସମୟରେ ଲୋକଙ୍କ ପାଇଁ ସଂଗ୍ରାମ କରି ସେ ବହୁତ ଦୁଃଖ ଓ ଯନ୍ତ୍ରଣା ଭୋଗିଥିଲେ ଓ ଏଥିପାଇଁ ନିଜ ପ୍ରାଣର ବଳିଦାନ ଦେଇଥିଲେ।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ବସ୍ ଧକ୍କାରେ ଗୋଟିଏ ପରିବାରର ୩ ମୃତ

ପୁରୀ: ବସ୍ ଧକ୍କାରେ ୩ ମୃତ । ପୁରୀ ଓଁକାରେଶ୍ୱର ମନ୍ଦିର ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁଘଟଣା । ମୃତକ ୩ ଜଣ ଗଞ୍ଜାମ ଜିଲ୍ଲାର ଗୋଟିଏ ପରିବାରର ବୋଲି ଜଣାପଡିଛି।  ମୃତକ ହେଉଛନ୍ତି ଛତ୍ରପୁରର ସତ୍ୟରଞ୍ଜନ ଦାସ, ତାଙ୍କ ସ୍ତ୍ରୀ ଗାୟତ୍ରୀ ଦାସ, ହାଡ଼ଗୋଡ଼ିଆ ସାହିର ରାକେଶ ନନ୍ଦ।

ଗୋଟିଏ ନିର୍ବନ୍ଧ ଭୋଜି ଖାଇବା ପାଇଁ ଓଁକାରେଶ୍ୱର୍ ମନ୍ଦିର ଯାଇଥିଲେ ସମସ୍ତେ। ଭୋଜି ଖାଇ ରାସ୍ତା ଉପରକୁ ଚଢ଼ୁଥିବାବେକେ ସମସ୍ତଙ୍କୁ ବସ ଧକ୍କା ଦେଇଥିଲା।

୩୨ ବର୍ଷର ପୁରୁଣା ମାମଲା; ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ବାହୁବଳୀ ମୁଖତାର ଅନସାରୀକୁ ବାରାଣସୀ କୋର୍ଟ ୩୨ ବର୍ଷ ପୁରୁଣା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅବଧେଶ ରାଇ ହତ୍ୟାକାଣ୍ଡ ମାମଲାରେ ମୁଖତାର ଅନସାରୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ।

ଏନେଇ ବାନ୍ଦା ଜେଲର ଅଧିକ୍ଷକ ବିରେଜ ରାଜ ଶର୍ମା କହିଛନ୍ତି, ଅବଧେଶ ରାଇ ହତ୍ୟା ମାମଲାରେ ମୁଖତାର ଆଜି କୋର୍ଟରେ ଭିଡ଼ିଓ କନଫରେନ୍ସ ଜରିଆରେ ହାଜର ହୋଇଥିଲେ । ତାକୁ ସଜା ହେବାପରେ ସେ ଚିନ୍ତାମଗ୍ନ ହୋଇପଡିଥିଲା । ପାଖପାଖି ୩୨ ବର୍ଷ ପରେ ଏହି ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ବାରାଣସୀର ଏମପି, ଏମଏଲଏ କୋର୍ଟ ଏହି ରାୟ ଶୁଣାଇଛନ୍ତି।

୧୯୯୧ ଅଗଷ୍ଟ ୩ ତାରିଖରେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଅଜୟ ରାଇଙ୍କ ଭାଇ ଅବଧେଶ ରାୟଙ୍କୁ ଚେତଗଞ୍ଜରେ ଗୁଳି କରି ହତ୍ୟା କରାଯାଇଥିଲା । ଭାଇ ଅଜୟଙ୍କ ସହ ବାସଭବନ ଆଗରେ ଅବଧେଶ ଛିଡା ହୋଇଥିବା ବେଳେ କିଛି ଦୁବୃର୍ତ୍ତ ଅଚାନକ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଯାହାପରେ ବାରାଣସୀର ଚେତଗଞ୍ଜ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା ।

ଏହି ମାମଲାରେ ପୂର୍ବତନ ବିଧାୟକ ଅବଦୁଲ୍ କଲାମ, ଭିମ ସିଂହ, କମଳେଶ ସିଂହ ଓ ରାକେଶ ଶ୍ରୀବାସ୍ତବ ଅଭିଯୁକ୍ତ ଥିଲେ । ତେବେ ମୁଖତାର ଏବେ ବାନ୍ଦା ଜେଲରେ ଥିବା ବେଳେ ଗ୍ୟାଙ୍ଗଷ୍ଟର ଭିମ ସିଂହ ଗାଜିପୁର ଜେଲରେ ସଜା କାଟୁଛି। ଅପରପକ୍ଷେ ପୂର୍ବତନ ବିଧାୟକ ଅବଦୁଲ୍ କଲାମ ଓ କମଳେଶ ସିଂହଙ୍କ ମୃତ୍ୟୁ ଘଟିଛି। ସେହିପରି ରାକେଶ ଏହି ମାମଲାରୁ ନିଜ କେସ୍ ଅଲଗା କରି ଟ୍ରାଏଲ୍ ଆରମ୍ଭ କରିଥିଲେ। ଯାହା ପ୍ରୟାଗରାଜ ସେସନ୍ କୋର୍ଟରେ ଚାଲିଛି।

ଟଙ୍କା ପାଇଁ ମୃତ ବ୍ୟକ୍ତିଙ୍କୁ ନିଜ ସ୍ୱାମୀ ବୋଲି କହିଲେ ମହିଳା, ସତ ଜଣାପଡିବା ପରେ…

ବାଲେଶ୍ୱର: ଶବକୁ ନେଇ ସାଂଘାତିକ ଖେଳ। ରେଳ ଦୁର୍ଘଟଣା ବିପତ୍ତି ସମୟରେ ସହାୟତା ରାଶି ହଡ଼ପ ପାଇଁ ସାଂଘାତିକ ଚକ୍ରାନ୍ତ। ଟଙ୍କା ପାଇଁ ମୃତ ବ୍ୟକ୍ତିଙ୍କୁ ସ୍ବାମୀ ବୋଲି ପରିଚୟ ଦେଲେ ମହିଳା । ବାଲେଶ୍ବର ନୋସି ବିଜନେସ ପାର୍କ ପରିସରରେ ଦେଖାଦେଇଥିଲା ଏମିତି ଦୃଶ୍ୟ ।

ଅନେକ ସମ୍ପର୍କୀୟ ମୃତକଙ୍କୁ ଚିହ୍ନଟ କରୁଥିବାବେଳେ ହଠାତ ପହଞ୍ଚି କାନ୍ଦବୋବାଳି କରିଥିଲେ ଜଣେ ମହିଳା। ନିଜ ସ୍ବାମୀ କରମଣ୍ଡଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରକାଶ କରିଥିଲେ ବଡମ୍ବା ଥାନା ଅଞ୍ଚଳର ଗୀତାଞ୍ଜଳି ଦାସ । ସ୍ବାମୀ ବିଜୟନ ଦତ୍ତଙ୍କର ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ ମିଛ କହିଥିଲେ। ଏମିତିକି ଏକ ଶବ ଉପରୁ ଧଳା କପଡ଼ା ଉଠାଇ ନିଜ ସ୍ବାମୀ ବୋଲି ଦର୍ଶାଇଥିଲେ।

ପରେ ସ୍ବାମୀଙ୍କ ଆଧାରକାର୍ଡ ସହିତ, ପୂର୍ବ ଫଟୋ, ଏବଂ ସ୍ବାମୀଙ୍କ ନାମ ଥାଇ ଆଧାର କାର୍ଡ ମାଗିବା ପରେ ଅକଳରେ ପଡ଼ିଯାଇଥିଲା ଠକ ମହିଳା । ପଚରାଉଚରା ପରେ ସଂପୃକ୍ତ ମହିଳାଙ୍କର ଚାଲବାଜି ଧରାପଡ଼ିଯାଇଥିଲା। ପରେ ଜିଆରପି ତାଙ୍କୁ ଅଟକ ରଖିଥିବାବେଳେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ମହିଳା।

ବାହାନଗା ଟ୍ରେନ୍ ଟ୍ରାଜେଡିକୁ ନେଇ ଆମେରିକାରୁ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ: ବାହାନଗା ଟ୍ରେନ ଟ୍ରାଜେଡି । କେନ୍ଦ୍ରର ବିଫଳତାକୁ ନେଇ ଆମେରିକାରୁ ବର୍ଷିଲେ ରାହୁଲ । ବିଫଳତା ଲୁଚାଇବାକୁ ବାହାନା ଖୋଜୁଛି ବିଜେପି । ଭବିଷ୍ୟତ କଥା କହି ସବୁବେଳେ ଅତିତକୁ ଦୋଷ ଦେଇ କେନ୍ଦ୍ରର ବିଜେପି ସରକାର ଖସିଯିବାକୁ ଚେଷ୍ଟା କରନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଜାଭିସଟ ସେଣ୍ଟରରେ ପ୍ରଭାବସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ କେନ୍ଦ୍ର ଉପରେ ବର୍ଷିଛନ୍ତି ରାହୁଲ ।

ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ କେନ୍ଦ୍ର ସରକାରଙ୍କ ଅବହେଳାରୁ ଘଟିଥିବା ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ହୋଇଥିବା କହିଥିଲେ । କଂଗ୍ରେସ ସରକାର ଅମଳରେ ହୋଇଥିବା ଟ୍ରେନ ଦୁର୍ଘଟଣା ପରେ ରେଳ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ହେଲେ ଏବେର ସରକାର ବାସ୍ତବିକତାକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହନ୍ତି ।  ବିଜେପି ଓ ଆରଏସଏସ୍ ଭବିଷ୍ୟତ ଦେଖିବାରେ ଅକ୍ଷମ । ପ୍ରଧାନମନ୍ତ୍ରୀ ପଛ ମିରର ଦେଖି କାର ଚଳାଇବାକୁ ଚେଷ୍ଟା ଚଳାଇଛନ୍ତି । ଭାରତରେ ଏବେ ଦୁଇଟି ବିଚାରଧାରାକୁ ନେଇ ସଂଘର୍ଷ ଜାରି ରହିଛି । ଗୋଗେ ପଟେ ମହାତ୍ମା ଗାନ୍ଧୀଙ୍କ ବିଚାରଧାରା ଓ ଗୋଟେ ପଟେ ନାଥୁରାମ ଗଡସେ ବିଚାର ଧାରାକୁ ନେଇ ଲଢ଼େଇ ଚାଲିଛି ବୋଲି ରାହୁଲ କହିଛନ୍ତି ।

ଅନ୍ୟପଟେ ଟ୍ରେନ ଦୁର୍ଘଟଣାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିବା ସହ ସରକାରଙ୍କ ବିଫଳତା ଓ ମିଛ ପ୍ରତିଶ୍ରୁତିକୁ ସମାଲୋଚନା କରିଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀ ସାଂସଦ ସଞ୍ଜୟ ରାଉତ । ଟ୍ରେନ ଦୁର୍ଘଟଣା ରୋକିବାକୁ ସରକାର ଅତ୍ୟାଧୁନିକ କବଚ ଟେକ୍ନୋଲୋଜି ବ୍ୟବହାର ନେଇ ଡିଣ୍ଡିମ ପିଟୁଥିବା ବେଳେ ବାହାନଗା ରୁଟରେ ଅତି ଭୟାବହ ଦୁର୍ଘଟଣା ଘଟି ୨୭୫ ଲୋକଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ରେଳ ଦୁର୍ଘଟଣା ପରେ ନୈତିକତା ଦୃଷ୍ଟିରୁ ମାଧବରାଓ ସିନ୍ଧିଆ ଓ ଲାଲବାହାଦୂର ଶାସ୍ତ୍ରୀ ରେଳ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ବାହାନଗା ଦୁର୍ଘଟଣା ପାଇଁ ସରକାର ନା ରେଳମନ୍ତ୍ରୀ କିଏ ଦାୟୀ ବୋଲି ପ୍ରଶ୍ନ କରିଛନ୍ତି ସଞ୍ଜୟ ରାଉତ ।

ଘୂର୍ଣ୍ଣିବଳୟ ଯୋଗୁଁ ବିଳମ୍ବରେ ଆସିବ ମୌସୁମୀ

ଭୁବନେଶ୍ବର: ବିଳମ୍ବରେ କେରଳ ଛୁଇଁବ ମୌସୁମୀ ବାୟୁ। ଆରବସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ବିଳମ୍ବରେ ଆସିବ ମୌସୁମୀ। ଆରବ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ୨୪ଘଣ୍ଟାରେ ଲଘୁଚାପରେ ପରିଣତ ହେବ । ଏହାପରେ ଉତ୍ତର ଦିଗରେ ଗତି କରି ୪୮ଘଣ୍ଟାରେ ଅବପାତର ରୂପ ନେବ। ଏହା ଯୋଗୁଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବାରେ ବିଳମ୍ବ ହେବ। ଘୂର୍ଣ୍ଣିବଳୟ ଯୋଗୁଁ  ଆରବସାଗରରେ ମେଘଖଣ୍ଡ ଏକତ୍ରିତ ହେଉଛନ୍ତି। ଫଳରେ କେରଳ ଉପକୂଳରେ ମେଘଖଣ୍ଡଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।