spot_img
Home Blog Page 3129

ଆଜି ଖେଳାଯିବ ଆଇପିଏଲ ଫାଇନାଲ ମ୍ୟାଚ, ବର୍ଷା ପାଇଁ ମ୍ୟାଚ ହୋଇଥିଲା ବାତିଲ

ଅହମ୍ମଦାବାଦ: ଆଜି ଖେଳାଯିବ ଆଇପିଏଲ ଫାଇନାଲ ମ୍ୟାଚ । ଅହମ୍ମଦାବାଦରେ ମୁହାଁମୁହିଁ ହେବେ ଗୁଜୁରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ । ଆଜି ରିଜର୍ଭ ଡେରେ ସଂଧ୍ୟା ୮ଟାରେ ଖେଳାଯିବ ମ୍ୟାଚ । ଗତକାଲି ପ୍ରବଳ ବର୍ଷା ପାଇଁ ମ୍ୟାଚ ବାତିଲ କରାଯାଇଥିଲା । ଲଗାତାର ବର୍ଷା ଜାରି ରହିଥିବାରୁ ମ୍ୟାଚକୁ ବାଧ୍ୟ ହୋଇ ବାତିଲ କରାଯାଇଥିଲା । ଚଳିତ ବର୍ଷ କିଏ ଟାଇଟଲ ହାତେଇବ ତାରି ଉପରେ ରହିଛି କ୍ରୀଡାପ୍ରେମୀଙ୍କ ନଜର । ମାର୍ଚ୍ଚ ୩୧ ତାରିଖରେ ଆରମ୍ଭ ହୋଇଥିଲା ଆଇପିଏଲ ମୁକାବିଲା ।

ଚେନ୍ନାଇ ଓ ଗୁଜୁରାଟ ମଧ୍ୟରେ ହୋଇଥିଲା ଉଦଘାଟନୀ ମୁକାବିଲା । ଏହି ମ୍ୟାଚରେ ଚେନ୍ନାଇକୁ ୫ ଓ୍ବିକେଟରେ ହରାଇଥିଲା ଗୁଜୁରାଟ । ଏବେ ଦୁଇମାସ ପରେ ପୁଣି ଫାଇନାଲରେ ମୁହାଁମୁହିଁ ହେଉଛନ୍ତି ଉଭୟ ଟିମ୍ । ଚଳିତ ଆଇପିଏଲ ସିଜନରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବରେ ଚେନ୍ନାଇ ଭଲ ପ୍ରଦର୍ଶନ କରି ଆସିଛି । ୧୪ ଟି ମ୍ୟାଚରୁ ୮ଟିରେ ବିଜୟ ଓ ଗୋଟିଏ ଡ୍ର ଯୋଗୁ ୧୭ ପଏଣ୍ଟ ହାସଲ କରି ଟେବୁଲର ଦ୍ବିତୀୟ ସ୍ଥାନରେ ରହିଥିଲା । ସେହିପରି ହାର୍ଦ୍ଦିକଙ୍କ ନେତୃତ୍ବାଧିନ ଗୁଜୁରାଟ ମଧ୍ୟ ୧୪ଟି ଲିଗରୁ ୧୦ଟି ଜିତି ୨୦ ପଏଣ୍ଟ ପାଇ ଟେବୁଲ ତାଲିକାର ପ୍ରଥମରେ ରହିଥିଲା । ଦଳର ଶୁଭମନ ଗିଲଙ୍କ ଲଗାତର ଭଲ ପ୍ରଦର୍ଶନ କରି ଆସୁଛନ୍ତି । ଦଳର ବୋଲିଂ ଲାଇନ ମଧ୍ୟ ଭଲ ରହିଛି ।

ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରକୁ ପୂରିଲା ୪ ବର୍ଷ

ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରକୁ ପୂରିଲା ୪ ବର୍ଷ । ୨୦୧୯ ମେ’ ୨୯ ତାରିଖ । ରାଜନୀତି ପଣ୍ଡିତଙ୍କ ବୁଦ୍ଧି ହଜାଇଦେଇଥିଲା ଫଳାଫଳ । ୧୧୨ ଆସନରେ ବାଜି ମାରି ଲଗାତାର ପଞ୍ଚମ ଥର ପାଇଁ କ୍ଷମତାସୀନ ହୋଇଥିଲା ବିଜୁ ଜନତା ଦଳ ।

ଆରମ୍ଭ ହୋଇଥିଲା ନବୀନ ଶାସନର ଆଉ ଏକ ସଫଳ ଅଧ୍ୟାୟ। ସେ ଐତିହାସିକ ଅଧ୍ୟାୟକୁ ଆଜି ପୂରିଛି ୪ ବର୍ଷ । ଏହାରି ଭିତରେ ଦୁର୍ନୀତିମୁକ୍ତ ଶାସନ ଦେବାରେ ଶ୍ରେଷ୍ଠ ଦୃଷ୍ଟାନ୍ତ ସାଜିଛନ୍ତି ନବୀନ ସରକାର । ଶିକ୍ଷାଠୁ ସ୍ବାସ୍ଥ୍ୟ, କ୍ରୀଡ଼ା, ଭିତ୍ତିଭୂମି ଓ ମୌଳିକ ସୁବିଧା ଯୋଗାଇଦେବାରୁ ମଡେଲ ସାଜିଛି ବିଜେଡି ସରକାର ।

ନୂତନ ଓଡ଼ିଶା ଗଠନର କର୍ଣ୍ଣଧାର ସାଜିଛି 5T । ନୂଆ ଓଡିଶା ଗଠନର ପଡ଼ିଛି ନୂଆ ମୂଳଦୁଆ । ଲୋକଙ୍କ ଘର ଦୁଆର ମୁହଁରେ ପହଞ୍ଚିଛି ପ୍ରଶାସନ। ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ କାରବାର ଉପରେ ରୋକ ଲଗାଇବାକୁ ଆରମ୍ଭ ହୋଇଛି ମୋ ସରକାର ଅଭିଯାନ । ବିଦା ହେଉଛନ୍ତି ଦୁର୍ନୀତିଖୋର ଓ ଅପାରଗ ଅଫିସର । ସ୍ବଚ୍ଛତା ସହ ରୂପାନ୍ତରଣରେ ଲେଖାହୋଇଛି ନୂଆ ଅଧ୍ୟାୟ । ଘରୋଇ ସ୍କୁଲଠାରୁ ସରକାରୀ ସ୍କୁଲ ଅଧିକ ବିକଶିତ ହୋଇଛି । ସ୍ବାସ୍ଥ୍ୟସେବାରେ ଆସିଛି ଐତିହାସିକ ପରିବର୍ତ୍ତନ ।

ରାଜ୍ୟର ସବୁଠୁ ଅନୁନ୍ନତ ଓ ଦୁର୍ଗମ ଅଞ୍ଚଳକୁ ପହଁଚିଛି ସ୍ବାସ୍ଥ୍ୟସେବା । ଦୀର୍ଘ ୨୩ବର୍ଷ ଧରି ନିରବଚ୍ଛିନ୍ନ ଭାବେ ରାଜ୍ୟବାସୀଙ୍କ ବିଶ୍ବାସ ଜିତି ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ୪ବର୍ଷରେ ରାଜ୍ୟର ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ଐତିହ୍ୟ ସଂରକ୍ଷଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି । ଲୋକେ ଯାହା ଚାହୁଁଥିଲେ ସରକାର ଓ ପ୍ରଶାସନରେ ସେହିଭଳି ନୀତି ଓ ବ୍ୟବସ୍ଥା ପ୍ରତିଫଳିତ ହୋଇଛି । ମିଶନ ଶକ୍ତି ଜରିଆରେ ମହିଳାଙ୍କ ସଶକ୍ତୀକରଣ ହେଉ କି ଗରିବଙ୍କ ପାଇଁ ବିଏସକେଓ୍ବାଇ କାର୍ଡ, 5T ଉପକ୍ରମରେ ହାଇସ୍କୁଲ ରୂପାନ୍ତରଣ ହେଉ କି ଧାର୍ମିକସ୍ଥଳୀର ସୌନ୍ଦର୍ଯ୍ୟକରଣ, ଲୋକଙ୍କ ଭିତରେ ନବୀନ ସରକାର ପ୍ରତି ବଢିଛି ବିଶ୍ବାସ। 5T ଓ ମୋ ସରକାରରେ ଭଲ କାମ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ସାବାସୀ ମିଳୁଥିବା ବେଳେ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ହେଉଛି ତ୍ବରିତ କାର୍ଯ୍ୟାନୁଷ୍ଠାନ।

ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ, ଜନ୍ମଦିନରେ ଶ୍ରୀଜିଉଙ୍କୁ କଲେ ଦର୍ଶନ

ପୁରୀ: ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ । ଜନ୍ମଦିନରେ ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି 5T ସଚିବ । ଦର୍ଶନ କରିସାରିବା ପରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ତଦାରଖ କରିଥିଲେ । ବଡ ଆଖଡା ପାର୍ଶ୍ବବର୍ତ୍ତି ସ୍ଥାନରେ ଜାରି ରହିଥିବା କାର୍ଯ୍ୟକୁ ଅନୁଧ୍ୟାନ କରିଥିବା ବେଳେ ବାହାର ମାର୍ଗ ଦେଖିଥିଲେ । ଏନେଇ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହିତ ସେ ଆଲୋଚନା କରିଥିଲେ ।

ସ୍ନାନଯାତ୍ରା ପୂର୍ବରୁ ବାକିଥିବା କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଫେରିବା ବାଟରେ ମହାପ୍ରଭୁଙ୍କ ରଥ ନିର୍ମାଣ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ । 5T ସଚିବଙ୍କର ଆଜି ଜନ୍ମଦିନ ହୋଇଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ 5T ସଚିବଙ୍କୁ ଶ୍ରୀଜିଉଙ୍କ ଲାଗି ଖଣ୍ଡୁଆ ସମେତ ମହାପ୍ରଭୁଙ୍କ ନାକଚଣା ପ୍ରଦାନ କରିଥିଲେ । ସାଧାରଣ ଲୋକ ଓ ସେବାୟତ 5T ସଚିବଙ୍କ ସହିତ ସେଲଫି ନେଇଥିବା ବେଳେ ଶୁଭେଚ୍ଛା ଜଣାଇଥିଲେ।

ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କୁ ବିରୋଧ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମ୍ମୁଖରେ କାଳି ମାଡ଼

ଗଞ୍ଜାମ: ପଦାରେ ପଡିଲା ବିଜେପିର ଗୋଷ୍ଠି କନ୍ଦଳ । ଗଞ୍ଜାମ ଜିଲ୍ଲାରେ ଆଜି ଦୁଇ ଦୁଇଟି ଘଟଣା ଦଳରେ ଅନ୍ତଃକନ୍ଦଳ ଚାଲିଥିବା ସ୍ପଷ୍ଟ କରିଛି । ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଜେନାଙ୍କୁ ବିରୋଧ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମ୍ମୁଖରେ କାଳି ମାଡ । କାଳି ମାଡ କରିଥିବା ଯୁବକ ଜଣଙ୍କ ହେଉଛନ୍ତି ବ୍ରହ୍ମପୁର ମହାନଗର ନିଗମର ୨୭ ନମ୍ବର ଓ୍ବାର୍ଡର କର୍ପୋରେଟର ନୀଳକଣ୍ଠ ସାହୁ । କାଳି ମାଡ଼ କରିବା ନିଜ ଦଳର କର୍ମୀ ମାନେ ତାଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି । ଏପଟେ ଜିଲ୍ଲା ବିଜେପିର ଉପସଭାପତି ରାମକୁମାର ପାତ୍ରଙ୍କୁ ଅବହେଳା କରାଯାଇଥିବାରୁ ଏହାକୁ ପ୍ରତିବାଦ କରି ସର୍କିଟ ହାଉସ ଆଗରେ ଧାରଣାରେ ବସିଛନ୍ତି ।

ବର୍ଷାରେ ଧୋଇଗଲା ଚେନ୍ନାଇ-ଗୁଜରାଟ୍ ଫାଇନାଲ୍, ଆସନ୍ତାକାଲି ୭:୩୦ରେ ଟାଇଟଲ୍ ପାଇଁ ହେବ ମୁକାବିଲା

ଅହମ୍ମଦାବାଦ: ଗୁଜରାଟ ଏବଂ ଚେନ୍ନାଇ ମଧ୍ୟରେ ହେବାକୁଥିବା ଆଇପିଏଲ୍ ୧୬ତମ ସିଜିନର ଫାଇନାଲ୍ ମ୍ୟାଚ୍ ବର୍ଷା କାରଣରୁ ଆଜି ହୋଇପାରି ନାହିଁ । ଫାଇନାଲ୍ ମୁକାବିଲାକୁ ଜାରି ବର୍ଷା ଧୋଇଦେଇଛି । ରବିବାର ଅହମ୍ମଦାବାଦରେ ସନ୍ଧ୍ୟାରୁ ବର୍ଷା ଲାଗିରହିଛି, ଏହି କାରଣରୁ ମ୍ୟାଚକୁ ରିଜର୍ଭ ଡେକୁ ସ୍ଥାନାନ୍ତର କରାଯାଇଛି । ତେବେ ଯେଉଁ ଦର୍ଶକ ଫିଜିକାଲ୍ ଟିକେଟ୍ କରିିଥିଲେ ସେମାନଙ୍କ ଟିକେଟ୍ କାଲି ମଧ୍ୟ ଭାଲିଡ୍ ରହିବ । ବାସ୍ ସେମାନଙ୍କୁ ଟିକେଟ୍ ସୁରକ୍ଷିତ ରଖିବାର ଅଛି ।

ଆସନ୍ତାକାଲି ରାତି ୭ଟା ୩୦ରେ ଟାଇଟଲ୍ ପାଇଁ ଧୋନୀଙ୍କ ସିଏସକେ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ । କିନ୍ତୁ ସୋମବାର ମଧ୍ୟ ଅହମ୍ମଦାବାଦରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଯଦି ବର୍ଷା କାରଣରୁ କାଲି ମଧ୍ୟ ମ୍ୟାଚ୍ ରଦ୍ଦ ହୁଏ ତେବେ ଟ୍ରଫି କାହାକୁ ପ୍ରଦାନ କରାଯିବ ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ । କିନ୍ତୁ ଆଇସିସି ଟୁର୍ଣ୍ଣାମେଣ୍ଟ ଫାଇନାଲ୍ ରଦ୍ଦ ହେଲେ ଟ୍ରଫି ସେୟାର କରାଯାଇଥାଏ । ଏପରି ସ୍ଥିତିରେ ଆଇପିଏଲ୍ ଫାଇନାଲ୍ ରଦ୍ଦ ହେଲେ ମଧ୍ୟ ଟ୍ରଫି ସେୟାର କରାଯାଇ ପାରେ ନଚେତ୍ ପଏଣ୍ଟସ ଟେବୁଲରେ ଶୀର୍ଷରେ ଥିବା ଗୁଜରାଟକୁ ଚମ୍ପିଆନ ଘୋଷିତ କରାଯାଇପାରେ ।

ସୀମା ଟପିଲା ବର୍ବରତା; ଜମି ବାଡ଼ି ବିବାଦକୁ ନେଇ ବୃଦ୍ଧଙ୍କୁ ଅମାନୁଷିକ ଭାବେ ମାଡ଼ ମାରିଲେ ସମ୍ପର୍କୀୟ

ଭୁବନେଶ୍ୱର: ସୀମା ଟପିଲା ବର୍ବରତା । ରାସ୍ତା ଉପରେ ଜଣେ ବୃଦ୍ଧଙ୍କୁ ନିର୍ଧୁମ ମାଡ ମାରିଲେ ୪ ଜଣ ବ୍ୟକ୍ତି । ସେ ଦୃଶ୍ୟ ଦେଖିଲେ ଯେ କେହି ବିଚଳିତ ହୋଇଯିବେ । କଣ ସତରେ ଲୋକମାନେ ଏତେ ଅମାନୁଷିକ ହୋଇପାରନ୍ତି? ସାମାନ୍ୟ ଜମି ବାଡ଼ି ବିବାଦକୁ ନେଇ ଏତେ ବର୍ବରତା । ଏହି ଅମାନୁଷିକ କାଣ୍ଡ ଘଟାଇଛନ୍ତି ବୃଦ୍ଧଙ୍କ ଭାଇ ଓ ପୁତୁରା । ଏଭଳି ବର୍ବରତା ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବନମାଳିପୁର ବଜାରରେ । ଜାଗା ବାଡି ବିବାଦକୁ ନେଇ ବୃଦ୍ଧ କରୁଣାକର ବେହେରାଙ୍କୁ ତାଙ୍କ ପୁତୁରା ଏବଂ ଭାଇ ବିଚ୍ ରାସ୍ତାରେ ମାଡ ମାରିଛନ୍ତି । ବିଧା ଗୋଇଠା, ଚାପୁଡା ମାରିଚାଲିଥିଲେ । କରୁଣାକର ରାସ୍ତାରେ ପଡିଗଲା ପରେ ଗୋଇଠା ଉପରେ ଗୋଇଠା ମାରି ଚାଲିଥିଲେ ପୁତୁରା । ଏପରି କି ବୃଦ୍ଧଙ୍କୁ ରାସ୍ତା ଉପରେ ଟେକି କଚାଡି ଦେଇଥିଲେ । ଏ ନେଇ କରୁଣାକର ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ୨ ଜଣ ଆକ୍ରମଣକାରୀଙ୍କୁ ଥାନାରେ ଅଟକ ରଖିଛି ପୋଲିସ୍ ।

IPL 2023 Final: ଅହମ୍ମଦାବାଦରେ ବର୍ଷା ଜାରି, ଏବେ ୨୦-୨୦ ଓଭରର ଖେଳ ସମ୍ଭବ ନୁହେଁ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସିଜିନର ଫାଇନାଲ୍ ଚେନ୍ନାଇ ସୁପର କିଙ୍ଗସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା । ହେଲେ ଲଗାତାର ବର୍ଷା କାରଣରୁ ଏପର୍ଯ୍ୟନ୍ତ ସୁଦ୍ଧା ଖେଳ ଆରମ୍ଭ ହୋଇପାରୁନାହିଁ । ବର୍ଷା କାରଣରୁ ଟସ୍ ପଡ଼ିବାରେ ବିଳମ୍ବ ହୋଇଛି । ଟସ୍ ପଡ଼ିବାକୁ ଅଧଘଣ୍ଟା ସମୟ ଥିବା ବେଳୁ ବର୍ଷା ଆରମ୍ଭ ହୋଇଥିଲା । ବର୍ଷା ଦାଉରୁ ପିଚ୍ କୁ ରକ୍ଷା କରିବା ପାଇଁ କଭର ପକାଯାଇଛି । ଏହା ବ୍ୟତୀତ ରନର ଅଫ୍ ଏଣ୍ଡରେ ମଧ୍ୟ କଭର ପକାଯାଇଛି । ଯଦି ୧୦ ଟା ୩୦ ସୁଦ୍ଧା ଖେଳ ଆରମ୍ଭ ହେଲେ ୧୫-୧୫ ଓଭରର ଖେଳ ହେବ ଏବଂ ୧୧ଟାରେ ଆରମ୍ଭ ହେଲେ ୧୩-୧୩ ଓଭରର ଖେଳ ହେବ ।

କୁହାଯାଉଥିଲା ଯେ ଯଦି ୯ଟା ୩୫ ସୁଦ୍ଧା ଖେଳ ଆରମ୍ଭ ହୁଏ ତେବେ ୨୦-୨୦ ଓଭରର ମ୍ୟାଚ୍ ସମ୍ଭବ ହେବ । ହେଲେ ଏହି ସମୟସୀମା ଅତିକ୍ରମ କରିଥିଲେ ମଧ୍ୟ ବର୍ଷା ଥମିନାହିଁ । ଯଦି ଆଜି ରାତି ୧୨ ଟା ୬ ମିନିଟ ସୁଦ୍ଧା ୫ ଓଭରର ମ୍ୟାଚ୍ ମଧ୍ୟ ଖେଳିବା ସମ୍ଭବ ନହୁଏ ତେବେ ପାଇନାଲ୍ କାଲି ଖେଳାଯିବ । ଯଦି କାଲି ମଧ୍ୟ ବର୍ଷା କାରଣରୁ ଖେଳ ହୋଇନପାରେ ତେବେ ଲିଗ୍ ପର୍ଯ୍ୟାୟରେ ଶୀର୍ଷରେ ରହିଥିବା ଦଳକୁ ହିଁ ବିଜୟୀ ଘୋଷଣା କରାଯିବ । ଗତଥରର ଚମ୍ପିଆନ ଗୁଜରାଟ ଟାଇଟନ୍ସ ଲିଗ ପର୍ଯ୍ୟାୟରେ ଶୀର୍ଷରେ ରହିଥିଲା ।

ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତିକୁ ନେଇ ରାଜସ୍ୱ ବିଭାଗର ଚିଠି, ମେ ୨୯ ସୁଦ୍ଧା ତାଲିକା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ୨୦୨୪ ମେ ମାସ ପୂର୍ବରୁ ନିର୍ବାଚନ ହେବାକୁ ଥିବାରୁ ସରକାରୀ ଅଧିକାରୀଙ୍କ ଟ୍ରାନ୍ସଫର ଓ ପୋଷ୍ଟିଙ୍ଗ ସହ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଧିକ ସଶକ୍ତ କରିବାକୁ ପ୍ରସେସ ଆରମ୍ଭ ହୋଇଛି । ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ନିର୍ବାଚନ ଅଧିକାରୀ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସମସ୍ତ ତଥ୍ୟ ମାଗିଛନ୍ତି । ସେହି ଅନୁସାରେ ରାଜସ୍ବ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଜିଲ୍ଲାରେ କାର୍ଯ୍ୟରତ ଓଏଏସ୍, ଓଆରଏସ୍ ଏବଂ ଗ୍ରୁପ-ବି କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ଚିଠି ଲେଖାଯାଇଛି ।

ଗୋଟିଏ ପଦବୀରେ ୩ ବର୍ଷ ଥିବା ଅଧିକାରୀ ଏବଂ ନିଜ ଜିଲ୍ଲାରେ କାର୍ଯ୍ୟରତ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ମେ ୨୯ ସୁଦ୍ଧା ଦାଖଲ କରିବାକୁ ରାଜସ୍ବ ବିଭାଗ ନିର୍ଦ୍ଦେଶ ଦେଇଛି । ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ କରିବାକୁ ଅଧିକାରୀଙ୍କ ପୋଷ୍ଟିଙ୍ଗ ଓ ବଦଳି ନେଇ ନିର୍ବାଚନ କମିଶନ କିଛି କଟକଣା ରଖିଛନ୍ତି । ନିର୍ବାଚନ ପ୍ରକ୍ରିୟା ସହ ଜଡ଼ିତ କୌଣସି ଅଧିକାରୀ ନିଜ ଜିଲ୍ଲାରେ ରହିପାରିବେ ନାହିଁ । କୌଣସି ଅଧିକାରୀ ୩ ବର୍ଷରୁ ଅଧିକ ସମୟ ଗୋଟିଏ ପଦବୀରେ ରହିବେ ନାହିଁ । ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର, ପୋଲିସ ଇନସପେକ୍ଟର, ସବ-ଇନସପେକ୍ଟର ଯେଉଁମାନେ ୨୦୧୯ ସାଧାରଣ ନିର୍ବାଚନରେ ଯେଉଁଠି ଥିଲେ, ସେମାନେ ୨୦୨୪ରେ ସେହି ଜାଗାରେ ରହିପାରିବେ ନାହିଁ ।

ଯଦି କୌଣସି ଛୋଟ ରାଜ୍ୟରେ ଅଧିକାରୀଙ୍କ ସମସ୍ୟା ଥାଏ, ତାହାଲେ ସେ ବାବଦରେ ଯଥେଷ୍ଟ କାରଣ ନିର୍ବାଚନ କମିଶନଙ୍କୁ ରାଜ୍ୟ ସରକାର ଜଣାଇବେ । ଏହି ନିୟମ ପୋଲିସ ଆଇଜି, ଡ଼ିଆଇଜି, ଏସପି, ଏସ୍ଡ଼ିପିଓଙ୍କ କ୍ଷେତ୍ରରେ ଲାଗୁ ହେବ । ନିର୍ବାଚନର ୬ ମାସ ମଧ୍ୟରେ ଅବସର ନେବାକୁ ଥିବା କମର୍ଚାରୀ ଓ ଅଧିକାରୀଙ୍କ ପାଇଁ ଏହା ଲାଗୁ ହେବ ନାହିଁ । ଯେଉଁ କମର୍ଚାରୀ ଓ ଅଧିକାରୀମାନେ କମ୍ପ୍ୟୁଟର ସେଲ୍, ଟ୍ରେନିଙ୍ଗ, ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଥିବେ, ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ବୋଲି ନିର୍ବାଚନ କମିଶନ ମଡ଼େଲ କୋଡ଼ରେ ସ୍ପଷ୍ଟ କରିଛନ୍ତି । ଏହା ସହ ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ଅଧିକାରୀ ଓ କମର୍ଚାରୀଙ୍କ ପାଇଁ ଏହି ନିୟମ ମଧ୍ୟ ପ୍ରଯୁଜ୍ୟ ନୁହେଁ ।

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରି ଟ୍ରାନ୍ସଫର ଓ ପୋଷ୍ଟିଙ୍ଗ କାମ ସାରିବାକୁ ମଡ଼େଲ କୋଡ଼ରେ ଉଲ୍ଲେଖ ରହିଛି । ସେହିପରି ନିର୍ବାଚନ ପାଇଁ ମଡ଼େଲ କୋଡ଼ ଲାଗୁ ହେବା ପରେ କୌଣସି ମନ୍ତ୍ରୀ, ରାଜନେତା ସରକାରୀ ଅଧିକାରୀଙ୍କ ସହ ଭିଡ଼ିଓ କନେଫରେନ୍ସିଂ କରିବାକୁ ହେଲେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁମତି ନେବାକୁ ପଡ଼ିବ ଏବଂ ଏହି ମିଟିଂର ବିବରଣୀ ଗଣମାଧ୍ୟମକୁ ଦେବେ ନାହିଁ । ସେହିପରି କୌଣସି ଅଧିକାରୀଙ୍କ ସ୍ବାମୀ କିମ୍ବା ସ୍ତ୍ରୀ ରାଜନୈତିକ ଦଳ ସହ ଜଡ଼ିତ ଥିଲେ, ସେହି ଅଧିକାରୀଙ୍କ ଟୁର୍ ଓ ଛୁଟି ଉପରେ ମଧ୍ୟ କଟକଣା ରହିଛି ।

ସ୍ୱାମୀ ଓ ପିଲାକୁ ଛାଡ଼ି ସୁନା-ଟଙ୍କା ନେଇ ପ୍ରେମିକ ସହ ଫେରାର ହୋଇଗଲା ସ୍ତ୍ରୀ !

କେନ୍ଦ୍ରାପଡ଼ା: ଦ୍ବିତୀୟ ଥର ପାଇଁ ଘରେ କଳାକନା ବୁଲାଇଲା ସ୍ତ୍ରୀ । ସବୁ ଟଙ୍କା ସୁନା ନେଇ ପରପୁରୁଷ ସହ ଚାଲିଯାଇଥିବା ସନ୍ଦେହ । ପାଟକୁରା କୁଦାନଗରୀ ଥାନା ଅନ୍ତର୍ଗତ କରିଲୋପାଟଣା ଗାଁରୁ ଆସିଛି ଏଭଳି ଅଭିଯୋଗ । ଏପରିକି ସ୍ତ୍ରୀ ୧୦ ବର୍ଷର ପୁଅକୁ ମଧ୍ୟ ପର କରି ଚାଲିଯାଇଥିବା ନେଇ ସ୍ବାମୀ ଥାନାରେ ଅଭିଯୋଗ କରିଛନ୍ତି । ୧୨ ବର୍ଷ ତଳେ ଚନ୍ଦନ କୁମାର ସ୍ୱାଇଁ ବଚରେଇ ତେଲିଆକଣ ଗାଁର ସସ୍ମିତା ସ୍ୱାଇଁଙ୍କୁ ବିବାହ କରିଥିଲେ । ତାଙ୍କ ଗୋଟି ୧୦ ବର୍ଷର ସନ୍ତାନ ରହିଛି ।

ହେଲେ ସସ୍ମିତା ଏବେ ପୁରା ପରିବାରକୁ ପର କରି ଘରୁ ସୁନା ଗହଣା ଓ ୩୭ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ମଧ୍ୟ 2018 ମସିହାରେ ସସ୍ମିତା ଘରୁ ଫେରାର ହୋଇଯାଇଥିଲେ । ସ୍ୱାମୀ ବେପାର କରିବା ପାଇଁ ୪ ଲକ୍ଷ ୭୨ ହଜାର ଟଙ୍କା ଲୋନରେ ଆଣିଥିବା ଟଙ୍କା ନେଇ ଛୁ ମାରିଥିଲେ । ଚାରି ବର୍ଷ ପରେ ଗତ ଜାନୁଆରୀ ମାସରେ ଚନ୍ଦନଙ୍କ ସମ୍ପର୍କୀୟ ସସ୍ମିତାଙ୍କୁ କେନ୍ଦ୍ରାପଡ଼ା ସହରରେ ଦେଖି ଘରକୁ ଆଣିଥିଲେ ।

ଭାଇର ଘର ତୋଳିବା ପାଇଁ ଟଙ୍କା ନେଇଥିଲେ ବୋଲି ସସ୍ମିତା ସଫେଇ ଦେଇଥିଲେ । ସବୁ ଶୁଣିବା ପରେ ସ୍ତ୍ରୀର ସବୁ ଦୋଷ କ୍ଷମା କରିଥିଲେ ସ୍ବାମୀ ଚନ୍ଦନ । ପରେ କିନ୍ତୁ ଚନ୍ଦନ ଜାଣିବାକୁ ପାଇଲେ – ସ୍ତ୍ରୀ ଫେରାର ପରେ କେନ୍ଦ୍ରାପଡ଼ା ଗୋପ ଅଞ୍ଚଳରେ ଜଣେ ବ୍ୟକ୍ତି ସୁରେନ୍ଦ୍ର ପ୍ରଧାନ ସହ ରହୁଥିଲେ । ଦୁଇ ଜଣ ମହିଳା ସୋନି ପ୍ରଧାନ ଓ ରଂଜିତା ବେଉରାଙ୍କ ସଂସ୍ପର୍ଷରେ ଆସି ସସ୍ମିତା ସୁରେନ୍ଦ୍ରଙ୍କ ସହ ରହୁଥିଲେ ।

ସସ୍ମିତା କିଛି ଅନିୟମିତ କାର୍ଯ୍ୟରେ ଲିପ୍ତ ଥିଲେ । ସବୁ ଜାଣିବା ପରେ ମଧ୍ୟ ଚନ୍ଦନ ସସ୍ମିତାଙ୍କ ସବୁ ଦୋଷ କ୍ଷମା କରିଥିଲେ । ହେଲେ ଏବେ ପୁଣି ସସ୍ମିତା ଘରୁ କଳାକନା ବୁଲାଇ ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି ଚନ୍ଦନ । ସସ୍ମିତା ଘରେ ରହିବାବେଳେ କିଛି ପରୁଷଙ୍କ ସହ ଫୋନରେ କଥା ହେଉଥିଲେ । ଏବେ ସେମାନେ ତାଙ୍କୁ ହତ୍ୟା ପାଇଁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଚନ୍ଦନ ।

ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଆଇପିଏଲରୁ ସନ୍ନ୍ୟାସ ଘୋଷଣା କଲେ ସିଏସକେର ଏହି ଷ୍ଟାର କ୍ରିକେଟର

ଅହମ୍ମଦାବାଦ: ଆଜି ଆଇପିଏଲ୍ ୨୦୨୩ ଫାଇନାଲ୍ ମ୍ୟାଚ୍ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ହେବାକୁ ଯାଉଛି । ଏହି ମହାମୁକାବିଲା ପୂର୍ବରୁ ସିଏସକେକୁ ଜୋରଦାର ଝଟକା ଲାଗିଛି । କାରଣ ଦଳର ଷ୍ଟାର କ୍ରିକେଟର ଆଇପିଏଲରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ତେବେ ଏହି ଷ୍ଟାର ଖେଳାଳି ଆଉ କିଏ ନୁହଁନ୍ତି ବରଂ ଇଏ ହେଉଛନ୍ତି ଅମ୍ବାତି ରାୟୁଡୁ, ଯିଏକି ମ୍ୟାଚ୍ ପୂର୍ବରୁ ଟ୍ୱିଟ୍ କରି ଆଇପିଏଲରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଏଥିସହିତ କହିଛନ୍ତି ଆଜିର ଫାଇନାଲ୍ ତାଙ୍କର ଶେଷ ମ୍ୟାଚ୍ ହେବ ଏବଂ ଏହାପରେ ସେ ଲିଗରୁ ସନ୍ନ୍ୟାସ ନେଉଛନ୍ତି ।

ସିଏସକେର ଷ୍ଟାର ଖେଳାଳି ଅମ୍ବାତି ରାୟୁଡୁ ରବିବାର ମହାମୁକାବିଲା ପୂର୍ବରୁ ଟ୍ୱିଟ କରି ଲେଖିଛନ୍ତି, ”ଦୁଇଟି ମହାନ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ, ୨୦୪ ମ୍ୟାଚ୍, ୧୪ ସିଜିନ, ୧୧ ପ୍ଲେଅଫ୍, ୮ ଫାଇନାଲ୍ ଏବଂ ୫ ଟ୍ରଫି । ଆଶା ଅଛି ଯେ ଆଜି ଷଷ୍ଠ ଟ୍ରଫି ଜିତିବୁ । ଏହି ଯାତ୍ରା ଚମତ୍କାର ଥିଲା । ମୁଁ ନିଷ୍ପତ୍ତି କରିଛି ଯେ ଆଜି ରାତିରେ ହେବାକୁ ଥିବା ଫାଇନାଲ୍ ମୋର ଆଇପିଏଲରେ ଶେଷ ମ୍ୟାଚ୍ ହେବ । ମୋତେ ବାସ୍ତବରେ ଏହି ମହାନ ଟୁର୍ଣ୍ଣାମେଣ୍ଟ ଖେଳିବାରେ ବହୁତ ମଜା ଆସିଥିଲା । ଆପଣ ସମସ୍ତଙ୍କୁ ଧନ୍ୟବାଦ । କୌଣସି ୟୁ ଟର୍ଣ୍ଣ ନାହିଁ ।” ତାଙ୍କ କଥାରୁ ସ୍ପଷ୍ଟ ଯେ ସେ ଆଉ ଆଇପିଏଲକୁ ଫେରିବେ ନାହିଁ । ଶେଷ ଥର ପାଇଁ ଆଜିର ରାତି ମ୍ୟାଚ୍ ଖେଳିବେ ।

ୟୁ-ଟର୍ଣ୍ଣ କଥା ସେ ଏଥିପାଇଁ ଟ୍ୱିଟରେ ଯୋଡ଼ିଛନ୍ତି କାରଣ ଗତ ବର୍ଷ ଯେବେ ସେ ଏବଂ ତାଙ୍କ ଦଳ ଖରାପ ପ୍ରଦର୍ଶନ କରିଥିଲା ଏବଂ ତାଙ୍କୁ ଦଳରୁ ଡ୍ରପ୍ କରାଯାଇଥିଲା ତେବେ ସେ ଏକ ଟ୍ୱିଟ୍ କରି ରିଟାୟରମେଣ୍ଟ କଥା କହିଥିଲେ । ଅବଶ୍ୟ ପରେ ସେ ଏହି ଟ୍ୱିଟ୍ ଡିଲିଟ କରିଦେଇଥିଲେ କିନ୍ତୁ ଚଳିତଥର ସେ ସ୍ପଷ୍ଟ କରିଛନ୍ତି ଯେ ଆଇପିଏଲ ୨୦୨୩ ଫାଇନାଲ୍ ତାଙ୍କର ଶେଷ ମ୍ୟାଚ୍ ହେବ । ପ୍ରକାଶଥାଉକି, ଅନ୍ତର୍ଜାତୀୟ କ୍ରିକେଟରୁ ସେ ୨୦୧୯ରେ ହିଁ ସନ୍ନ୍ୟାସ ନେଇଥିଲେ, ଯେବେ ତାଙ୍କୁ ବିଶ୍ୱକପ୍ ଦଳରେ ସ୍ଥାନ ମିଳିନଥିଲା । ତାଙ୍କର ଆଇପିଏଲ୍ କ୍ୟାରିଅର କଥା ଦେଖିବାକୁ ଗଲେ ସେ ଏପର୍ଯ୍ୟନ୍ତ ସୁଦ୍ଧା ୨୦୩ଟି ମ୍ୟାଚ୍ ଖେଲିଛନ୍ତି । ସେଥିମଧ୍ୟରୁ ୩୩ ଅପରାଜିତ ଇନିଂସ ରହିଛି । ସେ ଆଇପିଏଲ୍ କ୍ୟାରିଅରରେ ୪୩୨୯ ରନ୍ କରିଛନ୍ତି, ଏଥିରେ ଏକ ଶତକ ମଧ୍ୟ ସାମିଲ ଅଛି ।