spot_img
Home Blog Page 3132

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୋଦ୍ଧରେ ଜିରୋ ଟଲରାନ୍ସ ; ୯ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର :  ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି । ୯ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । 3 ଜଣ ଚାକିରିରୁ ବରଖାସ୍ତ ହୋଇଥିବାବେଳେ ୬ ଜଣଙ୍କ ପେନ୍‌ସନ ସ୍ଥାୟୀ ଭାବେ ବନ୍ଦ କରାଯାଇଛି । ଏପର୍ଯ୍ୟନ୍ତ ୧୯୭ ଅଧିକାରୀଙ୍କ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ । ମୁଖ୍ୟମନ୍ତ୍ରୀ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି ।

ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏକ୍‌ଜିକ୍ୟୁଟିଭ ଇଂଜିନିୟର, ଓଏଏସ୍‌ ଅଧିକାରୀ, କୃଷି ବିଭାଗ ଅଧିକାରୀ, ସାମାଜିକ ଶିକ୍ଷା ଅଧିକାରୀ, ଅଡିଟର, ଜୁନିର ଇଂଜିନିୟରଙ୍କ ଉପରେ କାର୍ୟ୍ୟାନୁଷ୍ଠାନ । ବର୍ତ୍ତମାନ ସୁଦ୍ଧା ୧୯୭ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି କିମ୍ବା ସେମାନଙ୍କର ପେନ୍‌ସନ ବନ୍ଦ କରାଯାଇଛି । ୯ ଜଣଙ୍କ ମଧ୍ୟରୁ କଟକ ଜିଲ୍ଲା RWSS Division-IIର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବରାମ ବିଶ୍ବାଳ ଏକ ଦୁର୍ନୀତି ମାମଲାରେ ଦେଷୀସାବ୍ୟସ୍ତ ହୋଇଛନ୍ତି। ତାଙ୍କର ପେନ୍‌ସନକୁ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି।

ସେହିପରି କଳାହାଣ୍ଡି ଜିଲ୍ଲା କାର୍ଲାମୁଣ୍ଡା ବ୍ଳକ୍‌ର ପୂର୍ବତନ ବିଡିଓ (ଅବସରପ୍ରାସ୍ତ ଓଏଏସ ଅଧିକାରୀ) ଗଣ୍ଡାରାମ ଖମାରୀ ଏକ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କ ପେନ୍‌ସନ ଓ ଗ୍ରାଚ୍ୟୁଇଟି ସ୍ଥାୟୀ ଭାବେ ବନ୍ଦ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟର ପୂର୍ବତନ ସହକାରୀ କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ନାୟକ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୁର୍ନୀତି, ଅପାରଗତା କାରଣରୁ ତାଙ୍କୁ ଚାକୀରିରୁ ବହିଷ୍କୃତ କରାଯାଇଛି। ଜି. ଉଦୟଗିରିର ପୂର୍ବତନ ସହକାରୀ କୃଷି ଅଧିକାରୀ କୃଷ୍ଣଚନ୍ଦ୍ର ଗୌଡ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ତାଙ୍କ ପେନ୍‌ସନ ଓ ଗ୍ରାଚ୍ୟୁଇଟିକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି।

ମାଲକାନଗିରି ଜିଲ୍ଲାର ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀ ଦାଶରଥୀ ତ୍ରିପାଠୀ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ତାଙ୍କ ପେନ୍‌ସନ ଓ ଗ୍ରାଚ୍ୟୁଇଟିକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି । ବରଗଡ ଜିଲ୍ଲା ସୋହେଲା RWSSର ପୂର୍ବତନ ଜୁନିଅର ଇଂଜିନିୟର ଉପେନ୍ଦ୍ରଭଂଜ ନାୟକ ଜଣେ ସରକାରୀ ଅଧିକାରୀ ହେବା ସତ୍ତ୍ବେ କାର୍ଯ୍ୟରେ ସଚ୍ଚୋଟତା ରକ୍ଷା କରିବାରେ ଏବଂ କର୍ତ୍ତବ୍ୟ ପରାୟଣତାରେ ବିଫଳ ହୋଇଥିଲେ। ଏହାସହିତ ତାଙ୍କର ବ୍ୟବହାରରେ ଶିଷ୍ଟାଚାର ମଧ୍ୟ ନଥିଲା। ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଚାକିରୀରୁ ବହିଷ୍କୃତ କରାଯାଇଛି।

ସୁନ୍ଦରଗଡ ଜିଲ୍ଲା ଲୋକାଲ ଫଣ୍ଡ ଅଡିଟ ବିଭାଗର ପୂର୍ବତନ ଅଡିଟର ସୁଶିଲ କୁମାର ମେହେର ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୁର୍ନୀତି ଓ ଅପାରଗତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି। ମୟୁରଭଂଜ ଉଦଳାର ପୂର୍ବତନ ସାମାଜିକ ଶିକ୍ଷା ଅଧିକାରୀ ଆନନ୍ଦ ଚନ୍ଦ୍ର ନାୟକ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଯୋଗୁ ତାଙ୍କ ପେନ୍‌ସନ ଓ ଗ୍ରାଚ୍ୟୁଇଟିକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି। ନୟାଗଡ ଜିଲ୍ଲା ଚାନ୍ଦପୁରର ପୂର୍ବତନ DMSN ସୁପରିନ୍‌ଟେଣ୍ଡେଟ ଡଃ ସୁରେନ୍ଦ୍ର ନାଥ ପତି ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେ ପାଉଥିବା ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି।

ଟମାଟୋ ପରେ ଖାଉଟିଙ୍କୁ ଜିରା ଚଡ଼କ , ରେକର୍ଡ ଭାଙ୍ଗିଲା ଜିରା ଦର

ଭୁବନେଶ୍ୱର :  ମହଙ୍ଗା ମାଡ଼ରୁ ନାହିଁ ନିସ୍ତାର । ପନିପରିବା ଦର ଖାଉଟିଙ୍କ ଉପରେ ଚଡ଼କ ପକାଇଥିବା ବେଳେ ଏବେ ହାଣ୍ଡିଶାଳରେ ମହଙ୍ଗ ହୋଇଛି ଛୁଙ୍କ । ଜିରା କେଜି ହଜାରେ ଟଙ୍କାରେ ପହଞ୍ଚିଛି । ୧୫ଦିନ ତଳେ ଜିରା ଦର ୫୫୦ଟଙ୍କା ଥିଲା । ଦୁଇ ଦିନ ତଳେ ୭ଶହ ଛୁଇଁଥିଲା । ଏବେ ଜିରା ହେଲାଣି ହୀରା । ଜିରା ଦର କେଜି ପ୍ରତି ହଜାରେ ଥିବାରୁ ଖାଉଟିଙ୍କ ନିଦ ହଜିଛି ।

ଟମାଟୋ ଶତକ ମାରିବା ପରେ ଅଦା, ରସୁଣ ଦର ବି ରେକର୍ଡ ଟପିଥିଲା । ଏବେ ବେଡି ଉପରେ କୋରଡ଼ା ସଦୃଶ ହୋଇ ସବୁ ରେକର୍ଡ ବ୍ରେକ୍ କରିଛି ଜିରା ଦର । ଖୁଚୁରା ବଜାରରେ ଜିରା କିଲୋ ପିଛା ହଜାରେ ଟଙ୍କାରେ ପହଞ୍ଚିଛି । ଗୁଜୁରାଟ ଓ ରାଜସ୍ଥାନରୁ ଯୋଗାଣ କମିଥିବାରୁ ଦର ବଢ଼ିଥିବା କୁହାଯାଉଛି ।

ପାଣିପାଗ ବିଗିଡ଼ିବାରୁ ଜିରା ଉତ୍ପାଦନ ପ୍ରଭାବିତ ହୋଇଛି । ସେପଟେ ବ୍ୟବସାୟୀ ସଂଘ କେନ୍ଦ୍ରର କର୍ପୋରେଟ୍ ପ୍ରୀତିକୁ ଦାୟୀ କରିଛି । ଘରୋଇ ବଜାର ଚାହିଦାକୁ ଆଖିବୁଜି ଚାଇନା ଓ ବାଂଲାଦେଶକୁ ଜିରା ରପ୍ତାନି କରାଯାଉଛି । ଫଳରେ ଯୋଗାଣ ଚାହିଦା ଜନିତ ସମସ୍ୟା ଲାଗି ବଜାରରେ ଏବେ ଜିରା ମହଙ୍ଗା ।

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଭଲ ସମ୍ପର୍କରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ନୁହେଁ ବଳାତ୍କାର

କଟକ : ଭଲ ସମ୍ପର୍କରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହେଁ । ଏକ ମାମଲାର ଶୁଣାଣି କରି ଏପରି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ । କୋର୍ଟ କହିଛନ୍ତି ଭଲ ସମ୍ପର୍କରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଏବଂ ମନ୍ଦ ଉଦ୍ଦେଶ୍ୟରେ ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଏକା କଥା ନୁହେଁ ।

ଭୁବନେଶ୍ବରର ଜଣେ ମହିଳା ତାଙ୍କ ପୁରୁଷ ବନ୍ଧୁଙ୍କ ନାଁରେ ଅଭିଯୋଗ କରିଥିଲେ । ଲକ୍ଷ୍ମୀସାଗର ଥାନା ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଅଭିଯୁକ୍ତଙ୍କ ନାରେ ଆଇପିସିର ଅନ୍ୟ ଧାରା ସହିତ ବଳାତ୍କାର ମାମଲା ମଧ୍ୟ ରୁଜୁ ହୋଇଥିଲା । ଏହାକୁ ଚାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଅଭିଯୁକ୍ତ । ମାମଲାର ବିଚାର କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦଫା ୩୭୬ ଲାଗିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

ଆଜିଠୁ ଯୁକ୍ତଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର : ଆଜିଠୁ ଯୁକ୍ତଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା । ୧୩ ତାରିଖ ଯାଏ ନାମ ଲେଖାଇବେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ । ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ ନାମଲେଖା ହେବ । ଗତକାଲି ପ୍ରଥମ ପର୍ଯ୍ୟାୟ ମେଧାତାଲିକାରେ ସିଟ ଆବଣ୍ଟନ ହୋଇଥିବା ଛାତ୍ରଛାତ୍ରୀ ଆଡମିଶନ କରିବେ ।

୪ ଲକ୍ଷ ୧୨ ହଜାର ୩୬୮ ଛାତ୍ରଛାତ୍ରୀ ନାମଲେଖାଇବା ପାଇଁ ସୁଯୋଗ ପାଇବେ । ଗୋଟିଏ ଘଣ୍ଟାରେ ୧୫ ଜଣ ଛାତ୍ରଛାତ୍ରୀଙ୍କୁ ସ୍ଲଟ୍ ପ୍ରଦାନ କରାଯାଇଛି । ଚଳିତବର୍ଷ ୪ ଲକ୍ଷ ୭୨ ହଜାର ୨୭୯ ପିଲା ନାମ ଲେଖା ପାଇଁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ କଳାରେ ସର୍ବାଧିକ ୨ ଲକ୍ଷ ୫୩ ହଜାର ୧୭୮, ବାଣିଜ୍ୟରେ ୨୫ ହଜାର ୧୬୮ ଓ ବିଜ୍ଞାନରେ ୧ ଲକ୍ଷ ୨୧ ହଜାର ୨୩, ସଂସ୍କୃତରେ ୭ହଜାର ୭୭୯ ଏବଂ ଧନ୍ଦାମୂଳକରେ ୫ହଜାର ୨୨୦ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି।

ବାକି ୫୯ ହଜାର ୯୧୧ ପିଲା ଦ୍ବିତୀୟ ପର୍ଯ୍ୟାୟ ଓ ସ୍ପଟ୍ ଆଡ଼ମିଶନ ପାଇଁ ମନୋନୀତ ହୋଇଛନ୍ତି । ଡକୁମେଣ୍ଟ ସହ କଲେଜରେ ପହଞ୍ଚି ଅଫଲାଇନ୍ ମାଧ୍ୟମରେ ନାମ ଲେଖାଇ ପାରିବେ ଛାତ୍ରଛାତ୍ରୀ । ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ୩୧ ଜୁଲାଇ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରି ଅଗଷ୍ଟ ୧ ତାରିଖରୁ ପାଠପଢା ଆରମ୍ଭ କରିବା ପାଇଁ ଲକ୍ଷ ରଖିଛି ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ।

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର : ଘୂର୍ଣ୍ଣିବଳୟ ସହ ରାଜ୍ୟରେ ସକ୍ରୀୟ ରହିଛି ମୌସୁମୀ ନିମ୍ନ ଚାପରେଖା । ପ୍ରଭାବରେ ଉପାନ୍ତରୁ ଉପକୂଳ ଜାରି ରହିଛି ବର୍ଷା । ଆସନ୍ତା ୯ ତାରିଖରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଘୂର୍ଣ୍ଣିବଳୟ । ଲାଗି ରହିବ ଲଗାଣ ବର୍ଷା । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ, ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାକୁ ନିସ୍ତାର ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ମୌସୁମୀ ନିମ୍ନଚାପରେଖା ଏବେ ଉତ୍ତର ଓଡ଼ିଶାର ବାଲେଶ୍ବର ଦେଇ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି । ଏହାସହ ଘୁର୍ଣ୍ଣିବଳୟଟି ଗାଙ୍ଗେୟ ଉପତ୍ୟକାରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରିକରିଛି ପାଣିପାଗ କେନ୍ଦ୍ର ।

ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ନୂଆପଡା, ବଲାଙ୍ଗିର, ବରଗଡ, ଝାରସୁଗୁଡା, ସମ୍ବଲପୁର ଏବଂ ସୁନ୍ଦରଗଡକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ଗଜପତି, ରାୟଗଡା, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ।

ସେହିପରି କାଲି ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ ୯ ତାରିଖରେ ୮ ଜିଲ୍ଲା ଏବଂ ୧୦ ତାରିଖରେ ୧୩ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ୯ ତାରିଖରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି ।

ମୋଦି ସାଙ୍ଗିଆ ମାନହାନୀ ମାମଲା : ଆଜି ରାହୁଲ ଗାନ୍ଧୀଙ୍କ ରିଭ୍ୟୁ ପିଟିସନ ଆବେଦନ ଶୁଣାଣି

ନୂଆଦିଲ୍ଲୀ :  ମୋଦି ସାଙ୍ଗିଆ ମାନହାନୀ ମାମଲା । ଆଜି ରାହୁଲ ଗାନ୍ଧୀଙ୍କ ରିଭ୍ୟୁ ପିଟିସନ ଆବେଦନ ଉପରେ ଶୁଣାଣି କରିବେ ଗୁଜରାଟ ହାଇକୋର୍ଟ । ତଳ କୋର୍ଟଙ୍କ ଦ୍ବାରା ଦୋଷୀ ରାହୁଲ ଗାନ୍ଧୀଙ୍କ ଉପରେ ରାୟ ଆସିବ । ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ହାଇକୋର୍ଟ ଯାଇଥିଲେ ରାହୁଲ ।

ପୂର୍ବରୁ କୋର୍ଟ ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ମନା କରିଦେଇଥିଲେ ଏବଂ ତାଙ୍କ ଆବେଦନକୁ ସଂରକ୍ଷିତ ରଖିଥିଲେ । ଯଦି କୋର୍ଟ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରନ୍ତି ତେବେ ରାହୁଲଙ୍କ ଅଯୋଗ୍ୟତା ପ୍ରତ୍ୟାହାର ହୋଇପାରେ । ସେହିପରି ଯଦି ତାଙ୍କର ନିଲମ୍ବନ ସ୍ଥଗିତ ନହୁଏ ତେବେ ଗୁଜୁରାଟ ହାଇକୋର୍ଟର ଏକ ଉଚ୍ଚ ବେଞ୍ଚରେ ରାହୁଲ ଗାନ୍ଧୀଙ୍କ ନିକଟରେ ଆବେଦନ କରିବାର ବିକଳ୍ପ ରହିବ ବୋଲି ଜଣାପଡ଼ିଛି ।

ଗତ ୧୩ ଏପ୍ରିଲ ୨୦୧୯ରେ କର୍ଣ୍ଣାଟକ କୋଲରରେ ମୋଦି ସାଙ୍ଗିଆକୁ ନେଇ ରାହୁଲଙ୍କ ବିବାଦୀୟ ବୟାନ ପରେ ଆଇପିସିର ଧାରା ୪୯୯, ୫୦୦ ଓ ୫୦୪ ଅନୁସାରେ ମାମଲା ରୁଜୁ ହୋଇଥିଲା । ଗତ ୨୩ ମାର୍ଚ୍ଚରେ ମାନହାନି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲଦଣ୍ଡାଦେଶ ଦେଇଥିଲେ ସିଜେଏମ କୋର୍ଟ । କୋର୍ଟ ରାୟ ପରେ ଗତ ୨୪ ମାର୍ଚ୍ଚରେ ସାଂସଦ ପଦ ହରାଇଥିଲେ ରାହୁଲ ଗାନ୍ଧୀ ।

ଲିଖିତ ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଲା ଓଡ଼ିଶା ଅଣ ଗେଜେଟେଡ ବନ ସେବା ସଂଘ

ଭୁବନେଶ୍ୱର: ଆନ୍ଦୋଳନରୁ ଓହରିଲା ଓଡ଼ିଶା ଅଣ ଗେଜେଟେଡ ବନ ସେବା ସଂଘ । ଦାବି ପୂରଣ ଲାଗି ରାଜ୍ୟ ସରକାର ଲିଖିତ ପ୍ରତିଶ୍ରୁତି ଦେବା ପରେ ଧର୍ମଘଟ ପ୍ରତ୍ୟାହାର ଲାଗି ନିଷ୍ପତ୍ତି ନେଇଛି ସଂଘ । ଆସନ୍ତାକାଲିଠୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟରେ ଯୋଗ ଦେବେ ରାଜ୍ୟର ସମସ୍ତ ଅଣ ଗେଜେଟେଡ ବନ କର୍ମଚାରୀ । ଏନେଇ ସୂଚନା ଦେଇଛନ୍ତି ଅଣଗେଜେଟେଡ ବନ ସେବା ସଂଘର ସାଧାରଣ ସମ୍ପାଦକ ଦିଲ୍ଲୀପ ମିଶ୍ର । ଆଜି ଅପରାହ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବନ ସେବା ସଂଘର ବୈଠକ ବସିଥିଲା ।

କିଛି ଦାବି ପୂରଣ କରିବା ସହ ଆଉ କିଛି ଦାବି ପୂରଣ ଲାଗି ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ସରକାର । ଯଦି ଦୁଇ ମାସ ମଧ୍ୟରେ ସରକାର ଦାବି ପୂରଣ ନ କରନ୍ତି, ତାହେଲେ ଆଗକୁ ଅଣ ଗେଜେଟେଡ ବନ ସେବା ସଂଘ ପୁନଶ୍ଚ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ୫ ଦଫା ଦାବି ନେଇ ଜୁନ ୧୯ ତାରିଖରୁ ରାଜ୍ୟର ୫୩୭୬ ଫରେଷ୍ଟଗାର୍ଡ, ୨୫୩୦ ଫରେଷ୍ଟର, ୨୮୨ ଡେପୁଟି ରେଞ୍ଜର ପ୍ରତୀକ ଆନ୍ଦୋଳନକୁ ଓହ୍ଲାଇଥିଲେ ଓ କାର୍ଯ୍ୟରେ ଥାଇ ପାଟ୍ରୋଲିଂ ଡ୍ୟୁଟି ବନ୍ଦ କରିଥିଲେ ।

ଏନ-୨ ଏବଂ ଏନ-୩ ବର୍ଗର ଟ୍ରକର କ୍ୟାବିନରେ ସ୍ଥାପନ ହେବ ଏୟାର କଣ୍ଡିସନର ସିଷ୍ଟମ

ନୂଆଦିଲ୍ଲୀ: ଏନ-2 ଏବଂ ଏନ-3 ବର୍ଗର ଟ୍ରକର କ୍ୟାବିନରେ ସ୍ଥାପନ ହେବ ଏୟାର କଣ୍ଡିସନର ସିଷ୍ଟମ । ନୋଟିସ ଡ୍ରାଫ୍ଟକୁ ଅନୁମୋଦନ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି । ଏନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି ଗଡ଼କରୀ । ସେ କହିଛନ୍ତି ସଡ଼କ ସୁରକ୍ଷା ସୁନିଶ୍ଚିତ କରିବାରେ ଟ୍ରକ୍ ଡ୍ରାଇଭରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଏହି ନିଷ୍ପତ୍ତି ଟ୍ରକ୍ ଡ୍ରାଇଭରଙ୍କ ପାଇଁ ଏକ ମାଇଲଖୁଣ୍ଟ ଅଟେ । ଆରାମଦାୟକ ଅବସ୍ଥାରେ ଟ୍ରକ ଡ୍ରାଇଭର ମାନେ କାର୍ଯ୍ୟ କରିପାରିବେ । ଯାହାଦ୍ବାରା ସେମାନଙ୍କର ଦକ୍ଷତା ବୃଦ୍ଧି ଏବଂ ଡ୍ରାଇଭର ଥକାପଣ ସମସ୍ୟାର ସମାଧାନ ହୋଇପାରିବ ।

୨୦୨୫ରୁ ଦେଶର ସବୁ ଟ୍ରକରେ ଏସି କ୍ୟାବିନ୍ ରହିବା ନେଇ ଗତ ମାସରେ ଘୋଷଣା କରିଥିଲେ ନୀତିନ ଗଡ଼କରି । ୨୦୨୫ରୁ ସମସ୍ତ ଟ୍ରକରେ ଏସି ଲଗାଇବା ପାଇଁ ବାଧ୍ୟତାମୂଳକ ବୋଲି କହିଥିଲେ କେନ୍ଦ୍ର ପରିବହନ ମନ୍ତ୍ରୀ । ୨୦୨୫ରୁ ବଜାରରେ ଉପଲବ୍ଧ ହେବାକୁ ଥିବା ସବୁ ଟ୍ରକ୍ ରହିବ ଏସି କ୍ୟାବିନ । ଏହା ଦ୍ବାରା ଖରାରୁ ଟ୍ରକ୍ ଚାଳକଙ୍କୁ ଆଶ୍ବସ୍ତି ମିଳିବ । ଦୁର୍ଘଟଣା ବି କମିବ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି । ୨୦୧୬ରେ ପରିବହନ ମନ୍ତ୍ରାଳୟ ପ୍ରଥମଥର ପାଇଁ ଏହି ପ୍ରସ୍ତାବ ଦେଇଥିଲା ।

ଦଶମ ଦଳ ଭାବେ ଦିନିକିଆ ବିଶ୍ୱକପ୍ ପାଇଁ କ୍ୱାଲିଫାଏ କଲା ନେଦରଲ୍ୟାଣ୍ଡସ

ନୂଆଦିଲ୍ଲୀ: ୫ ଅକ୍ଟୋବରରୁ ଭାରତରେ ଦିନିକିଆ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ପୂର୍ବରୁ ହିଁ ୯ଟି ଦଳ କ୍ୱାଲିଫାଏ କରିସାରିଛନ୍ତି । କେବଳ ଦଶମ ସ୍ଥାନ ଫାଙ୍କା ପଡ଼ିଥିଲା । ହେଲେ ଏହି ସ୍ଥାନ ଏବେ ଅଧିକାର କରିନେଇଛି ନେଦରଲ୍ୟାଣ୍ଡ କ୍ରିକେଟ ଦଳ । କ୍ୱାଲିଫାୟର ମ୍ୟାଚରେ ସ୍କଟଲ୍ୟାଣ୍ଡକୁ ୪ ୱିକେଟରେ ପରାଜିତ କରିଛି ନେଦରଲ୍ୟାଣ୍ଡ । ଏହି ବିଜୟ ସହ ନେଦରଲ୍ୟାଣ୍ଡ ଦଳ ଦିନିକିଆ ବିଶ୍ୱକପ୍ ପାଇଁ କ୍ୱାଲିଫାଏ କରିଛି । ସ୍କଟଲ୍ୟାଣ୍ଡ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ୍ ହରାଇ ୨୭୭ ରନ୍ କରିଥିଲା ।

ଏହାର ଜବାବରେ ବିଶ୍ୱକପ୍ ପାଇଁ କ୍ୱାଲିଫାଏ କରିବା ପାଇଁ ନିଜର ରନରେଟ୍ ଭଲ କରିବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇଥିବା ନେଦରଲ୍ୟାଣ୍ଡ ସମ୍ପୂର୍ଣ୍ଣ ଜୋର ଲଗାଇଥିଲା । ନେଦରଲ୍ୟାଣ୍ଡ ଦଳ ୪୩ତମ ଓଭରରେ ୬ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଛି । ଏହା ପୂର୍ବରୁ ଶ୍ରୀଲଙ୍କା ଦଳ ଦିନିକିଆ ବିଶ୍ୱକପ୍ କ୍ୱାଲିଫାୟର ମ୍ୟାଚରେ ନିଜ ସମସ୍ତ ମୁକାବିଲା ଜିତି ପୂର୍ବରୁ ହିଁ କ୍ୱାଲିଫାଏ ହୋଇସାରିଛି । ସ୍କଟଲ୍ୟାଣ୍ଡ ଦ୍ୱାରା ଦିଆଯାଇଥିବା ୨୭୮ ରନ୍ ଲକ୍ଷ୍ୟକୁ ପିଛା କରି ନେଦରଲ୍ୟାଣ୍ଡର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଚମତ୍କାର ପ୍ରଦର୍ଶନ କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ ୬୫ରନର ପାର୍ଟନରସିପ୍ ହୋଇଥିଲା ।

ସିଏମ୍ ଫେସ ବିନା ରାଜସ୍ଥାନରେ ନିର୍ବାଚନ ଲଢ଼ିବ କଂଗ୍ରେସ

ନୂଆଦିଲ୍ଲୀ: ସିଏମ୍ ଫେସ ବିନା ରାଜସ୍ଥାନରେ ନିର୍ବାଚନ ଲଢ଼ିବ କଂଗ୍ରେସ । ରାଜ୍ୟ କଂଗ୍ରେସରେ କ୍ଷମତା କନ୍ଦଳ ମଧ୍ୟରେ ଦିଲ୍ଲୀରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ୪ଟି ନିଷ୍ପତ୍ତିରେ ସହମତି ହୋଇଛି। ରାଜସ୍ଥାନ ଲୋକସେବା ଆୟୋଗର ସଦସ୍ୟଙ୍କ ନିଯୁକ୍ତି ପାଇଁ ସ୍ବତନ୍ତ୍ର ନିୟମ ପ୍ରସ୍ତୁତ କରାଯିବ । ପେପର ଲିକ୍ ନେଇ ବିଧାନସଭାରେ ଆଇନ ଆସିବ । ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ । ଦଳରେ ବୟାନବାଜି ହେବନି । ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାର ପ୍ରଚାର ସହ ଦଳର ପ୍ରଚାର ଅଭିଯାନ ଆରମ୍ଭ ହେବ ।

ରାଜ୍ୟରେ ଏକଜୁଟ୍ ହୋଇ ନିର୍ବାଚନ ଲଢିବ କଂଗ୍ରେସ । ଟ୍ରେଣ୍ଡ ବଦଳାଇବା ସହ ରାଜ୍ୟରେ ପୁଣି ସରକାର ଗଠନ କରିବ ବୋଲି ବରିଷ୍ଠ ନେତା କେସି ବେଣୁଗୋପାଳ କହିଛନ୍ତି ରାଜସ୍ଥାନ ବିଧାନସଭା ନିର୍ବାଚନର ପ୍ରସ୍ତୁତି ସମୀକ୍ଷା ସହ ବିଜୟ ରଣନୀତି ପ୍ରସ୍ତୁତ କରିବା ନେଇ ଆଜି ବୈଠକ ବସିଥିଲା । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କ ସହ ବୈଠକରେ ଦଳର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ । ସମସ୍ତ ନେତା, ବିଧାୟକ, ମନ୍ତ୍ରୀ ଏକାଠି କାମ କରିବେ । ରାଜସ୍ଥାନରେ ପୁଣି କଂଗ୍ରେସକୁ କ୍ଷମତାକୁ ଆଣିବା ଏକମାତ୍ର ଲକ୍ଷ୍ୟ ରହିବ ବୋଲି ବୈଠକ ପରେ ସଚିନ ପାଇଲଟ କହିଛନ୍ତି ।