spot_img
Home Blog Page 3135

ଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ: ଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି। ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ ନାମକୁ ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିସ କରିଛନ୍ତି। ୧୦ ଜୁନ୍ ୨୦୨୨ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଅଛନ୍ତି । ପୂର୍ବରୁ ତ୍ରିପୁରା ହାଇକୋର୍ଟରୁ ଜଷ୍ଟିସ ଶୁଭା‌ଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଛନ୍ତି । ଜଷ୍ଟିସ ଶୁଭାଶିଷ ତାଳପତ୍ର ୪ ଅକ୍ଟୋବର ୧୯୬୧ରେ ତ୍ରିପୁରାର ଉଦୟପୁରଠାରେ ଜନ୍ମଗ୍ରହଣ କରିଥିଲେ। କୋଲକାତା ୟୁନିଭର୍ସିଟିରେ ଆର୍ଟସ ଆଣ୍ଡ ଲ’ରେ ସ୍ନାତକ କଲା ପରେ ୧୨ ସେପ୍ଟେମ୍ବର ୧୯୯୦ରେ ଆସାମ, ନାଗାଲାଣ୍ଡ, ମେଗାଳୟ, ମଣିପୁର, ତ୍ରିପୁରା, ମିଜୋରାମ ଓ ଅରୁଣାଚଳ ପ୍ରଦେଶ ବାର୍‌ କାଉନସିଲରେ ଦାୟିତ୍ବରେ ଥିଲେ ।

ଗୁଜୁରାଟ ହାଇକୋର୍ଟର ଅଗରତାଲା ବେଞ୍ଚରେ ତାଙ୍କ ଓକିଲାତିର ଅଭ୍ୟାସ କରିଛନ୍ତି ଜଷ୍ଟିସ ତାଳପାତ୍ର । ସିଭିଲ୍ ଓ କ୍ରିମିନାଲ ମ୍ୟାଟର ହ୍ୟାଣ୍ଡେଲ କରିଛନ୍ତି । ୨୧ ଡିସେମ୍ବର ୨୦୦୪ରେ ସିନିୟର ଆଇନଜୀବୀ ଭାବେ ପଦୋନ୍ନତି । ୨୦୧୧, ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ଶପଥଗ୍ରହଣ କରିଥିଲେ । ୨୦୧୩ ସେପ୍ଟେମ୍ବର ୧୩ରେ ସେ ତ୍ରିପୁରା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ଦେଶର ୭ଟି ହାଇକୋର୍ଟ ମୁଖ୍ୟ ବିଚାରପତି ପାଇଁ କଲେଜିୟମ ସୁପାରିସ କରିଛନ୍ତି । ଆସନ୍ତା ଅଗଷ୍ଟ ୮ରେ ହାଇକୋର୍ଟ ମୁଖ୍ୟବିଚାରପତି ଏସ. ମୂରଲିଧର ଅବସର ନେବେ । ତାଙ୍କ ସ୍ଥାନରେ ଦାୟିତ୍ବ ନେବେ ଜଷ୍ଟିସ ତାଳପାତ୍ର ।

ଚାନ୍ଦବାଲି ବ୍ଲକ ଶୀତଳପୁର ଗାଁରେ କୁମ୍ଭୀର ଆତଙ୍କ

ଭଦ୍ରକ: ଚାନ୍ଦବାଲି ବ୍ଲକ ଶୀତଳପୁର ଗାଁରେ କୁମ୍ଭୀର ଆତଙ୍କ । କାଲି ସଂଧ୍ଯାରୁ ଆଜି ସକାଳ ଯାଏଁ ସାଳନ୍ଦୀ ନଦୀରେ ସନ୍ତରଣ କରୁଛି ୧୫ରୁ ୧୬ ଫୁଟ ଲମ୍ବର ୨ଟି ବଉଳା କୁମ୍ଭୀର । ନଦୀକୂଳ ଦେଇ ଗାଁ ସ୍କୁଲ ରାସ୍ତା ହୋଇଥିବାରୁ ଭୟଭୀତ ଗ୍ରାମବାସୀ ଓ ଶହଶହ ଛାତ୍ରଛାତ୍ରୀ । ଅନେକ ସମୟରେ ନଦୀବନ୍ଧରେ ଶୋଇ ରହୁଛନ୍ତି କୁମ୍ଭୀର । ବିଶେଷକରି ଗାଁ ପାନୀୟଜଳ ଅଭାବ ରହିଥିବାରୁ ଗାଁର ଶତପ୍ରତିଶତ ଲୋକ ନଦୀଜଳ ଉପରେ ନିର୍ଭର କରିଥାନ୍ତି । ହେଲେ ଗତକାଲିଠାରୁ ଆଜି ସକାଳ ପର୍ଯ୍ଯନ୍ତ ନଦୀରେ କୁମ୍ଭୀର ସନ୍ତରଣ କରୁଥିବା ଗାଁ ଲୋକ ଦେଖିବା ପରେ ଭୟରେ ନଦୀକୁ ଯାଉନାହାନ୍ତି ।

ପୂର୍ବରୁ ଗାଁ ଲୋକ ଚାନ୍ଦାକରି ନଦୀକୂଳରେ ଜାଲ ବାନ୍ଧିଥିଲେ। ହେଲେ ଗତ କିଛିମାସ ତଳେ ନଦୀର ସୁରକ୍ଷାବନ୍ଧ ସାଳନ୍ଦୀ ନଦୀକୁ ଧସିଯିବା ଫଳରେ ବନ୍ଧା ହୋଇଥିବା ଜାଲ ମଧ୍ଯ ନଦୀକୁ ଚାଲିଯାଇଥିଲା । ଜଳସେଚନ ବିଭାଗ ପକ୍ଷରୁ ମାଟି ପଥର ପକାଯାଇ ବନ୍ଧ ସୁଦୃଢିକରଣ କରାଯାଉଥିଲେ ମଧ୍ଯ ବନଖଣ୍ଡ ବିଭାଗ ପକ୍ଷରୁ କୁମ୍ଭୀରଙ୍କ ପାଇଁ କୌଣସି ପ୍ରତିକାର କରାଯାଉନାହିଁ ।

ଆଜିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ ଓ ବିସ୍ତୃତି, ଅତିପ୍ରବଳ ବର୍ଷା ପାଇଁ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ ଓ ବିସ୍ତୃତି । ଅତି ପ୍ରବଳ ବର୍ଷା ପାଇ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କନ୍ଧମାଳ ଏବଂ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରାଯାଇଛି। ସେହିଭଳି କାଲି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୧୪ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗି ରହିବା ନେଇ ଆକଳନ କରାଯାଇଛି।

ସେପଟେ ଚଳିତ ମୌସୁମୀ ସିଜିନ୍ ଜୁନ୍ ୧ରୁ ଜୁଲାଇ ୫ ତାରିଖ ମଧ୍ୟରେ ରାଜ୍ୟରେ ୧୭୬.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୨୫୫.୮ ମିଲିମିଟର ବର୍ଷା ହେବା କଥା । ତେଣୁ ଏଥର ସ୍ବାଭାବିକ ବର୍ଷାଠାରୁ ୩୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ଆସନ୍ତା ୫ ଦିନ ବର୍ଷା ନିଅଣ୍ଟିଆ ବର୍ଷାକୁ ଭରଣା କରିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।

ଆଜିଠୁ ଓଜେଇଇ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା । ଓଜେଇଇ ଓ୍ବେବସାଇଟରେ ଅନଲାଇନ୍ ମାଧ୍ୟମରେ ଆରମ୍ଭ ହେବ ନାମଲେଖା ପାଇଁ ଆବେଦନ । ବିଟେକ, ବିଆର୍କ, ବିପ୍ଲାନ୍, ବିକ୍ୟାଟ, ଇଣ୍ଟିଗ୍ରେଟେଡ ଏମସିଏ ପଢିବାକୁ ଆଗ୍ରହ ଛାତ୍ରଛାତ୍ରୀମାନେ କରିବେ ଆବେଦନ । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚଏସ ଫିଲିଂ କରି ପଞ୍ଜିକରଣ କରିବେ ଛାତ୍ରଛାତ୍ରୀ । ୧୪ ତାରିଖରେ ଚଏସ ଲକିଂ କରିବେ । ୧୫ ତାରିଖ ସୁଦ୍ଧା ଶେଷ ହେବ ପଞ୍ଜିକରଣ ପ୍ରକ୍ରିୟା । ୧୯ ତାରିଖରେ ପ୍ରକାଶ ପାଇବ ପ୍ରଥମ ସିଟ୍ ଆଲର୍ଟମେଣ୍ଟ ତାଲିକା । ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ହେବ ଡକ୍ୟୁମେଣ୍ଟ ଭେରିଫିକେସନ । ରାଜ୍ୟରେ ଥିବା ସରକାରୀ ଓ ଘରୋଇ ଇଞ୍ଜିନିୟରିଂ ସିଟରେ ନାମଲେଖାଇବା ପାଇଁ  ଓଜେଇଇ  କାଉନସେଲିଂ କରିଥାଏ ।

ଆଜି ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ, ଉପସ୍ଥାପନ ହେବ ରିପୋର୍ଟ କାର୍ଡ

ଭୁବନେଶ୍ୱର: ଆଜି ଯୁବ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ । ଏଥିରେ ଦଳର ରାଜନୈତିକ, ସାଂଗଠନିକ ପ୍ରସ୍ତାବ ସହ ସଙ୍କଳ୍ପ ପାରିତ ହେବ । ଆଗାମୀ ୨୦୨୪ ନିର୍ବାଚନରେ ଯୁବ ବିଜେଡି କର୍ମକର୍ତ୍ତାଙ୍କୁ ସେମାନଙ୍କ ଦାୟିତ୍ବ ନେଇ ଅବଗତ କରିବେ ଦଳର ହେଭିଓ୍ବେଟ୍ ନେତା। ଯୁବ ବିଜେଡି କର୍ମୀଙ୍କୁ ପ୍ରଗତିଶୀଳ ଓଡ଼ିଶାରେ ସାମିଲ କରିବାକୁ କାର୍ଯ୍ୟକାରିଣୀରେ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ। ଯୁବ କର୍ମୀଙ୍କୁ ଉତ୍ସାହିତ କରିବାକୁ ଯୋଗ ଦେବେ ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ସଂଗଠନ ମଜବୁତ କରିବାରେ ଯୁବ ବିଜେଡି ନେଇଛି ଗୁରୁତ୍ବପୂର୍ଣ୍ଣ ଭୂମିକା । ରାଜନୈତିକରୁ ସାମାଜିକ କାର୍ଯ୍ୟକ୍ରମରେ ଛାମୁଆ ସଂଗଠନର ରହିଛି ଯୋଗଦାନ। ବର୍ଷ ତମାମ ସେମାନଙ୍କ କାର୍ଯ୍ୟ ଖସଡ଼ାର କାର୍ଯ୍ୟକାରିତା ଉପରେ ଆଜି ରିପୋର୍ଟ କାର୍ଡ ଉପସ୍ଥାପନ କରାଯିବ। ଏଥିସହ ଯୁବ ବିଜେଡିକୁ ଆହୁରି ଆଗକୁ ନେବା ପାଇଁ କିଛି କାର୍ଯ୍ୟ ଖସଡ଼ାର ପ୍ରସ୍ତାବ ବି ରଖିବେ ଦଳୀୟ ନେତା ।

କେନ୍ଦ୍ର ଅବହେଳା ବିରୋଧରେ ଯୁବକଙ୍କ ଶାଣିତ ସ୍ବର ନେଇ ରାଜନୈତିକ ପ୍ରସ୍ତାବ ଆସିପାରେ। ସାଂଗଠନିକ ପ୍ରସ୍ତାବରେ ଅଧିକରୁ ଅଧିକ ସଦସ୍ୟଙ୍କୁ ବିଜେଡିରେ ମିଶାଇ ୨୦୨୪ ପୂର୍ବରୁ ଶକ୍ତି ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯିବ। ସେହିପରି ୨୦୨୪ରେ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସଙ୍କଳ୍ପ ନେବା ସହ ବ୍ୟାପକ ଭାବେ ରକ୍ତଦାନ କାର୍ଯ୍ୟକ୍ରମ ଜାରି ରଖିବାକୁ ସଙ୍କଳ୍ପ ପ୍ରସ୍ତାବ ଆଣିବାକୁ ଲକ୍ଷ୍ୟ ରଖିଛି ଯୁବ ବିଜେଡି। ଆଞ୍ଚଳିକ ଦଳ ଭାବେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିଜେଡି ଶାସନ କରୁଛି। ତୃଣମୂଳସ୍ତରରୁ ଲୋକଙ୍କ ସମସ୍ୟା ବୁଝି କାମ କରିବା ହିଁ ଦଳର ସଫଳତାର ମୂଳମନ୍ତ୍ର ପାଲଟିଛି। ଆଗକୁ ଆହୁରି ଭଲ କାମ କରିବାକୁ କାର୍ଯ୍ୟକ୍ରମରେ ଦିଗଦର୍ଶନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅନାଥଙ୍କୁ ମିଳିଲା ମା’ଙ୍କ ପରିଚୟ, ଶିଶୁକନ୍ୟାକୁ ଆପଣାଇ ନେଲେ ଫିନଲାଣ୍ଡ ମହିଳା

ସମ୍ବଲପୁର: ଅନାଥଙ୍କୁ ମିଳିଲା ମା’ଙ୍କ ପରିଚୟ । ଖୁସି ମୁହଁରେ ହସ ଫୁଟାଇବେ ଫିନଲାଣ୍ଡ ମହିଳା । ସମ୍ବଲପୁର ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ କନ୍ୟା ଖୁସିକୁ ଆପଣାଇଛନ୍ତି ଫିନଲାଣ୍ଡ ମହିଳା ଲୌରା ଏଲେନା | ଅନ୍ତର୍ଦେଶୀୟ ପୋଷ୍ୟ ନିୟମ ଅନୁସାରେ ଆଜି ଖୁସିକୁ ତାର ନୂତନ ମା’ଙ୍କୁ ହସ୍ତାନ୍ତର କରାଯାଇଛି | ଶିଶୁକୁ କୋଳେଇ ନେଇ ଫିନଲାଣ୍ଡ ମହିଳା ଅତ୍ୟନ୍ତ ଆନନ୍ଦିତ ହୋଇଛନ୍ତି | ଆରଡିସି ଡ଼. ସୁରେଶ ଚନ୍ଦ୍ର ଦଳେଇ ଏବଂ ଜିଲ୍ଲାପାଳ ଅନନ୍ୟା ଦାସ ଶିଶୁର ନୂତନ ମା ସହିତ ଆଲୋଚନା କରି ଶିଶୁ କନ୍ୟାର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି | ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ, ଡେପୁଟି କଲେକ୍ଟର ମିତାଲି ମଧୁସ୍ମିତା ଦଳେଇ, ଲୋପାମୁଦ୍ରା କାଲୋ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁଚିସ୍ମିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ, କ୍ୟାନ୍ସର ରୋଗୀଙ୍କୁ ୧ କିଲୋମିଟର ଷ୍ଟ୍ରେଚରରେ ବୋହିଲେ

ବାଲେଶ୍ୱର: କ୍ୟାନ୍ସର ରୋଗୀଙ୍କ ପାଇଁ ପୁଣି ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । କ୍ୟାନ୍ସର ରୋଗୀଙ୍କୁ ୧ କିଲୋମିଟର ଷ୍ଟ୍ରେଚରରେ ବୋହି ଆଣିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ଈଶ୍ୱରପୁର ଗାଁର ବରେନ୍ଦ୍ର ବେହେରା ନାମକ ଜଣେ ବ୍ୟକ୍ତି କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ । ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା କାରଣରୁ ପରିବାର ଲୋକେ ନିକଟସ୍ଥ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ଖବର ପାଇବା ପରେ ନିକଟସ୍ଥ ଡାକ୍ତରଖାନାରୁ ତୁରନ୍ତ ଏକ ୧୦୮ ଆମ୍ବୁଲାନ୍ସ ଇଶ୍ୱରପୁର ଗାଁ ଅଭିମୁଖେ ବାହାରିଯାଇଥିଲା ।

ମାତ୍ର ଗାଁ ଭିତରକୁ ଯାଉଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବା କାରଣରୁ ଆମ୍ବୁଲାନ୍ସଟି ଗାଁ ଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଅଟକି ରହିଥିଲା । ପରେ ୧୦୮ ଆମ୍ବୁଲାନ୍ସ ଇଏମଟି ବିଜୟୀ  କିସନ ସେନ୍ଦ୍‌, ଡ୍ରାଇଭର ଗୟାଧର ଦାସ ଏବଂ ଆଟେଡାଣ୍ଟ ପ୍ରଶାନ୍ତ କୁମାର ବେହେରା ଏକ ଷ୍ଟ୍ରେଚର ଧରି ଯାଇ ରୋଗୀଙ୍କ ନୀକଟରେ ପହଂଚିଥିଲେ । ଏହାପରେ ଆମ୍ବୁଲାନ୍ସ କର୍ମଚାରୀମାନେ ପରିବାର ଲୋକଙ୍କ ସହାୟତାରେ ରୋଗୀଙ୍କୁ ଷ୍ଟ୍ରେଚରରେ ୧ କିଲୋମିଟର ରାସ୍ତା ଚାଲି ଚାଲି ଆଣି ଆମ୍ବୁଲାନ୍ସ ନୀକଟରେ ପହଞ୍ଚାଇଥିଲେ । ପରେ ସେଠାରୁ ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଆମ୍ବୁଲାନ୍ସ କର୍ମଚାରୀମାନଙ୍କର ଏପରି କାର୍ଯ୍ୟକୁ ସଭିଏଁ ପ୍ରଶଂସା କରିଛନ୍ତି ।

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ, ବିରାଟ ଓ ରୋହିତ ବାଦ୍

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତକୁ ଟେଷ୍ଟ ଏବଂ ଦିନିକିଆ ସହ ଟି-୨୦ ସିରିଜ ଖେଳିବାର ଅଛି । ଏଥଇପାଇଁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା କରିଛି ବିସିସିଆଇ । ୧୫ ସଦସୀୟ ଟିମର ନେତୃତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିଆଯଆଇଛି । ସେହିପରି ଟିମରେ ପ୍ରଥମକରି ତିଲକ ବର୍ମା ଏବ ଯଶସ୍ୱୀ ଜୟସୱାଲଙ୍କୁ ମଧ୍ୟ ସାମିଲ କରାଯାଇଛି । ଦଳରେ ନିୟମିତ ଅଧିନାୟକ ରୋହିତ ଶର୍ମା, ଷ୍ଟାର ବ୍ୟାଟର ବିରାଟ କୋହଲି ସମେତ ସିନିୟର ଖେଳାଳିଙ୍କୁ ସ୍ଥାନ ମିଳିନାହିଁ ।

ଯଶସ୍ୱୀ ଜୟସୱାଲ ଏବଂ ତିଲକ ବର୍ମାଙ୍କ ପାଇଁ ଆଇପିଏଲ ୨୦୨୩ ବହୁତ ଚମତ୍କାର ରହିଥିଲା । ଜୟସୱାଲ ରାଜସ୍ଥାନ ରୟାଲ୍ସ ପାଇଁ ୧୪ ଟି ମ୍ୟାଚରେ ୧୬୩.୬୧ ଷ୍ଟ୍ରାଇକ ରେଟରେ ୬୨୫ ରନ୍ କରିଥିଲେ, ଯେଉଁଥିରେ ଏକ ଶତକ ଏବଂ ପାଞ୍ଚ ଅର୍ଦ୍ଧଶତକ ସାମିଲ ରହିଥିଲା । ଯଶସ୍ୱୀଙ୍କ ନାଁରେ ଆଇପିଏଲ ଇତିହାସର ସବୁଠୁ ଦ୍ରୁତତମ ଅର୍ଦ୍ଧଶତକ ମାରିବାର ରେକର୍ଡ ମଧ୍ୟ ରହିଥିଲା । ବାମହାତୀ ବ୍ୟାଟ୍ସମ୍ୟାନ୍ ତିଲକ ବର୍ମା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ । ଅନେକ ଅସମ୍ଭବ ମ୍ୟାଚରେ ଭଲ ବ୍ୟାଟିଂ କରି ଦଳକୁ ବିଜୟ ଦ୍ୱାର ପର୍ଯ୍ୟନ୍ତ ନେଇଯାଇଥିଲେ ।

ଟି-୨୦ ସିରିଜ ପାଇଁ ଭାରତୀୟ ଦଳ: ଇଶାନ କିଶନ (ୱିକେଟକିପର), ଶୁଭମନ ଗିଲ୍, ଯଶସ୍ୱୀ ଜୟସୱାଲ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଉପଅଧିନାୟକ), ସଞ୍ଜୁ ସାମସନ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଅକ୍ଷର ପଟେଲ, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ଉମରାନ ମଲିକ, ଆବେଶ ଖାନ, ମୁକେଶ କୁମାର ।

ନିମ୍ନମାନର ହଷ୍ଟେଲ ନିର୍ମାଣ କରିଥିବା ସଂସ୍ଥା ବିରୋଧରେ କଡ଼ା ଆଭିମୁଖ୍ୟ

ସୁବର୍ଣ୍ଣପୁର: ଦୁର୍ନୀତି ବିରୋଧରେ 5T ଆକ୍ସନ । ନିମ୍ନମାନର ହଷ୍ଟେଲ ନିର୍ମାଣ କରିଥିବା ସଂସ୍ଥା ବିରୋଧରେ କଡ଼ା ଆଭିମୁଖ୍ୟ । 5T ସଚିବଙ୍କ ନିର୍ଦ୍ଦେଶ ପରେ ତଦନ୍ତ ପାଇଁ ଭିଜିଲାନ୍ସକୁ ଚିଠି ଲେଖିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ । ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ସମୟରେ ମକୁନ୍ଦପୁର ୧୦୦ଶଯ୍ୟା ବିଶିଷ୍ଟ ଏସସି ଗାର୍ଲ୍ସ ହଷ୍ଟେଲ ଗସ୍ତ କରିଥିଲେ 5T ସଚିବ ଭି.କେ ପାଣ୍ଡିଆନ । ଏହି ସମୟରେ ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ହଷ୍ଟେଲ କାମ ନିମ୍ନମାନର ହୋଇଥିବା ଜଳଜଳ ଦେଖାଯାଇଥିଲା। କୋଠାର ଉଭୟ ଭିତରେ ଓ ବାହାରେ ଫାଟ ଦେଖିବାକୁ ମିଳିଥିଲା ।

ସେହିପରି କୋଠାରେ ଲାଗିଥିବା ଫିଟିଙ୍ଗ୍ସ ନିମ୍ନମାନର ବୋଲି ଜାଣିବାକୁ ପାଇଥିଲେ 5T ସଚିବ । ସରକାରୀ ଅର୍ଥର ଅପବ୍ୟବହାର ହୋଇଥିବା ଜାଣିବାକୁ ପାଇ ଜିଲ୍ଲାପାଳଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ବରର ହିନ୍ଦୁସ୍ତାନ ଷ୍ଟିଲ ଆଣ୍ଟ କନଷ୍ଟ୍ରକସନ ପକ୍ଷରୁ ଆଶ୍ରମ ସ୍କୁଲ ପାଇଁ ହଷ୍ଟେଲ ନିର୍ମାଣ କରାଯାଇଥିଲା । କେବିକେ ଜିଲ୍ଲା ପାଇଁ ଥିବା ଆରଏଲଟିଏପି ଯୋଜନାରେ ନିର୍ମାଣ କାର୍ଯ୍ୟ କରାଯାଇଥିଲା। ଏହାର ତଦନ୍ତ କରିବାକୁ ଭିଜିଲାନ୍ସକୁ ଚିଠି ଲେଖିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ । ସଂସ୍ଥା ବିରୋଧରେ ଆବଶ୍ୟକ ଆକ୍ସନ୍ ସହ ଖର୍ଚ୍ଚ ଅର୍ଥ ଭରଣା କରିବାକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଆଉ ୨ ଜଜଙ୍କ ନିଯୁକ୍ତି ପାଇଁ କେନ୍ଦ୍ରକୁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ

ବଢ଼ିବ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା । ଆଉ ୨ଜଜଙ୍କ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ । ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁ ଓ ଜଷ୍ଟିସ ଏସ ଭି ଭଟ୍ଟିଙ୍କ ନାମ ସୁପାରିଶ । ତେଲେଙ୍ଗାନା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁ । କେରଳ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିଲ ଏସ୍ ଭେଙ୍କଟନାରାୟଣ ଭଟ୍ଟି । କଲେଜିୟମ ବୁଧବାର କେନ୍ଦ୍ର ସରକାରଙ୍କୁ ସୁପାରିଶ ପଠାଇଛି । ବର୍ତ୍ତମାନ ସୁପ୍ରିମକୋର୍ଟରେ ମୋଟ ୩୧ ଜଣ ଜଜ୍ ରହିଛନ୍ତି । ବର୍ତ୍ତମାନ ୩ ଜଜଙ୍କ ପଦ ଖାଲି ରହିଛି । କେନ୍ଦ୍ରକୁ ଉଜ୍ଜ୍ୱଳ ଭୂୟାଁ ଏବଂ ଏସ୍ ଭି ଭଟିଙ୍କ ନାଁ ସୁପାରିଶ କରିଥିବା କଲେଜିୟମରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସଞ୍ଜ କିଶନ କୌଲ, ଜଷ୍ଟିସ ରାଜୀବ ଖନ୍ନା, ଜଷ୍ଟିସ ବିଆର ଗଭଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ରହିଛନ୍ତି । ସୂଚନାଯୋଗ୍ୟ, ସୁପ୍ରିମକୋର୍ଟରେ ଗତ ମାସରେ ତିନି ଜଜ ଅବସରଗ୍ରହଣ କରିଥିଲେ ।