spot_img
Home Blog Page 3164

ସେନକୋ ଗୋଲ୍ଡ ସୁନା ଦୋକାନରୁ ଲୁଟ୍ ଘଟଣା, ଡକାୟତଙ୍କ ଟେର ପାଉନି ପୋଲିସ

ଯାଜପୁର: ଯାଜପୁର ବ୍ୟାସନଗର ସ୍ଥିତ ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ସୁନା ଦୋକାନରୁ ଡକାୟତି ଘଟଣାରେ ଛାନବିନ୍ । ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ସୋମବାର ଦିନ ଦ୍ବିପ୍ରହରରେ ସୋରୁମକୁ ଗ୍ରାହକ ବେଶରେ ଆସି ୭ ଜଣ ଲୁଟେରା ୧୫ କୋଟିରୁ ଅଧିକ ଟଙ୍କାର ସୁନା ଓ ହୀରା ଅଳଙ୍କାର ଲୁଟି ନେଇଥିଲେ ।

ପୋଲିସ ବିଭିନ୍ନ ଦିଗରୁ ସିସିଟିଭି ଫୁଟେଜ ସଂଗ୍ରହ କରି ତଦନ୍ତ କରୁଛି । ସୁନା ଦୋକାନ କର୍ମଚାରୀଙ୍କୁ ମାଡ ମାରି ବନ୍ଧୁକ ମୁନରେ ଗହଣା ସବୁ ଲୁଟି ନେବା ସହ ବାହାରୁ ସଟର ପକାଇ ଫେରାର ହୋଇଯାଇଥିଲେ । ଆକ୍ରମଣରେ ସୋରୁମର ୨ ଜଣ କର୍ମଚାରୀ ଆହତ ହୋଇଥିଲେ । ଏପର୍ଯ୍ୟନ୍ତ ଡକାୟତ ଟେର ପାଉନି ପୋଲିସ । ସେହିପରି ଡକାୟତଙ୍କ ବିଷୟରେ ସୂଚନା ଦେଲେ ପୁରସ୍କାର ପ୍ରଦାନ କରାଯିବ ବୋଲି କହିଥିଲା ପୋଲିସ ।

ସୋରରେ ସାପ ଆତଙ୍କ; ଗୋଟିଏ ଦିନରେ ୧୩ ଜଣଙ୍କୁ କାମୁଡିଲା

ସୋର: ବାଲେଶ୍ବର ସୋର ଅଞ୍ଚଳରେ ସାପ ଆତଙ୍କ। ଗୋଟିଏ ଦିନରେ ୧୩ ଜଣଙ୍କୁ କାମୁଡାଲାଣି ବିଷଧର ସାପ।ସୋର, ବିଦୁ, ଈଶ୍ବରପୁର, ମୁନିସିପାଲଟି ଆଦି ଅଞ୍ଚଳରୁ ୧୩ଜଣଙ୍କୁ ସାପ କାମୁଡିବା ପରେ ସମସ୍ତଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଥିବାରୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଗୋଟିଏ ଦିନରେ ଏକାଧିକ ଲୋକଙ୍କୁ ସାପ କାମୁଡିବାକୁ ନେଇ ଅଞ୍ଚଳ ବାସୀ ଭୟଭୀତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଦୁଇ ଦିନ ମଧ୍ୟରେ ୮ଜଣ ସାପ କାମୁଡା ରୋଗୀ ସୋର ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଆସନ୍ତା ୨୪ରେ ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ମହୋତ୍ସବ

ଆରଡି: ଆସନ୍ତା ୨୪ ତାରିଖରେ ମହା ଆଡମ୍ବରରେ ପାଳନ ହେବ ଆରଡିର ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ମହୋତ୍ସବ । ଏନେଇ ପୀଠରେ ଚାଲିଛି ବ୍ଯାପକ ପ୍ରସ୍ତୁତି । ବରପିତା ଓ କନ୍ୟାପିତାଙ୍କ ପକ୍ଷରୁ ଚାଲିଛି ପ୍ରସ୍ତୁତି ପର୍ବ । ବର ଓ କନ୍ୟାପିତାଙ୍କ ପକ୍ଷରୁ ମଙ୍ଗୁଳା ଗୁଆ ଓ ନିମନ୍ତ୍ରଣପତ୍ର ଈଷ୍ଟଦେବ ଓ ବନ୍ଧୁ ପରିଜନଙ୍କୁ ବଣ୍ଟନ କରାଯାଉଛି ।

ମନ୍ଦିର ପ୍ରଶାସନ ପକ୍ଷରୁ କାଲିଠୁ ନିମନ୍ତ୍ରଣ ରଥ ବାହାରିବ । ପ୍ରଥମେ ମା ବିରଜା ଓ ପର୍ଯ୍ୟାୟକ୍ରମେ ମା’ ଭଦ୍ରକାଳୀ ଓ କେନ୍ଦ୍ରାପଡାର ବଳଦେବଜୀଉଙ୍କୁ ନିମନ୍ତ୍ରଣ କରାଯିବ।  ସମ୍ପୁର୍ଣ୍ଣ ବୈଦିକ ରୀତିନୀତିରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ ହେବ । ଚଳିତବର୍ଷ ବିବାହ ଉତ୍ସବରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଯୌତୁକ ଦାବି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ: ବିଧାୟକ ଶଶିଭୂଷଣ ବେହେରା

କଟକ: ବୋହୂ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ଶଶିଭୂଷଣ ବେହେରା । ଏଭଳି ଅଭିଯୋଗରେ ସେ ମର୍ମାହତ ଓ ଦୁଃଖିତ ବୋଲି କହିଛନ୍ତି ଶଶିଭୂଷଣ । ଯୌତୁକ ଦାବି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ତେବେ ବିବାହର ଦୁଇ ବର୍ଷ ପରେ ଏପରି ଅଭିଯୋଗ ଆଣିବା ଆଶ୍ଚର୍ଯ୍ୟ କରିଛି ।

ବୋହୂ ରୋନାଲିଙ୍କ ଅଭିଯୋଗକୁ ଗ୍ରହଣ କରିପାରୁନି ବୋଲି କହିଛନ୍ତି ଶଶିଭୂଷଣ । ଶଶିଭୂଷଣ ବେହେରା ଓ ତାଙ୍କ ପରିବାର ବିରୋଧରେ ବୋହୂ ରୋନାଲି ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏନେଇ ବାଙ୍କୀ ଥାନାରେ ଦେଇଥିଲେ ଏତଲା ।

ଶଶିଭୂଷଣଙ୍କ ପୁଅ ସତ୍ୟପ୍ରକାଶଙ୍କ ସହିତ ରୋନାଲିଙ୍କର ୨୦୨୧ ମସିହା ମାର୍ଚ୍ଚ ୩ ତାରିଖରେ ବାହାଘର ହୋଇଥିଲା । ବାହାଘରର ୧୦-୧୨ ଦିନ ପରେ ଶ୍ବଶୁର ଘର ଲୋକମାନେ ତାଙ୍କ ଉପରେ ନିର୍ଯାତନା ଆରମ୍ଭ କରିଥିଲେ ବୋଲି ଅଭିଯୋଗ ହୋଇଛି । ବାପଘରୁ ଅଧିକ ସୁନା ଅଳଙ୍କାର ଓ ୪୦ ଲକ୍ଷ ଟଙ୍କା ଆଣିବାକୁ ଶ୍ବଶୁର ଘର ଲୋକ କହିଥିଲେ ବୋଲି ରୋନାଲି ଅଭିଯୋଗ କରିଛନ୍ତି । ଏପଟେ ବାଙ୍କୀ ପୋଲିସ ଘଟଣାରେ ତଦନ୍ତ ଜାରି ରଖିଛି।

ସିଦ୍ଧରମୈୟା ହୋଇପାରନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଖୁବଶୀଘ୍ର ଘୋଷଣା

ବେଙ୍ଗାଲୁରୁ: ସିଦ୍ଧରମୈୟା ହୋଇପାରନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ। ଖୁବ ଶୀଘ୍ର ସିଦ୍ଧରମୈୟାଙ୍କ ନାଁ ଘୋଷଣା କରିପାରନ୍ତି ହାଇକମାଣ୍ଡ । ସିଦ୍ଧରମୈୟା ଆସନ୍ତାକାଲି ଶପଥ ନେଇପାରନ୍ତି ବୋଲି ସୂଚନା ମିଳିଛି ।

ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସିଦ୍ଧରମୈୟା ଭେଟିଛନ୍ତି । ସିଦ୍ଧରମୈୟାଙ୍କ ପରେ ଶିବକୁମାରଙ୍କୁ ଭେଟିବେ ରାହୁଲ ।  ତେଣେ ଦିଲ୍ଲୀରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ କର୍ଣ୍ଣାଟକର ନବନିର୍ବାଚିତ ବିଧାୟକ ହାଜର ହୋଇଛନ୍ତି । ଏହା ସହ ଖଡଗେଙ୍କ ଘରେ ବି ଉପସ୍ଥିତ ହୋଇଛନ୍ତି କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେଓ୍ବାଲା । ଗତକାଲି ସନ୍ଧ୍ୟାରେ ଉଭୟ ସିଦ୍ଧରମୈୟା ଓ ଶିବକୁମାରଙ୍କୁ ଭେଟିଥିଲେ ମଲ୍ଲିକାର୍ଜୁନ ।

ଆଜି ୧୦-ଜନପଥରେ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି ଏଆଇସିସି ସାଧାରଣ ସମ୍ପଦକ କେ.ସି. ଭେନୁଗୋପାଲ। ସୋମବାରଠାରୁ ସିଦ୍ଧରମୈୟା ଦିଲ୍ଲୀରେ ଡେରା ପକାଇଥିବାବେଳେ ମଙ୍ଗଳବାରଠାରୁ ଡେରା ପକାଇଛନ୍ତି ଶିବକୁମାର। ଶିବକୁମାର ଦୁଇଟି ସର୍ତ୍ତ ରଖିଛନ୍ତି । ସେ ମୁଖ୍ୟମନ୍ତ୍ରୀ ହେବେ ନଚେତ ବିଧାୟକ ହିଁ ରହିବେ । ସେ କୌଣସି ଦଳଦ୍ରୋହୀ କାର୍ଯ୍ୟ କରିବେ ନାହିଁ ।  ତେଣେ ଶିବକୁମାର- ସିଦ୍ଧରମୈୟା ବିବାଦ ମଧ୍ୟରେ ମୁଣ୍ଡ ଟେକିଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ବର । ସେ କହିଛନ୍ତି ତାଙ୍କ ନିକଟରେ ୫୦ରୁ ଅଧିକ ବିଧାୟକ ରହିଛନ୍ତି । ତେବେ ଦଳୀୟ ଶୃଙ୍ଖଳା ତାଙ୍କ ଲାଗି ଅଧିକ ଗୁରୁତ୍ବପୂର୍ଣ୍ଣ ।

ପୁଞ୍ଜିନିବେଶରେ ଓଡ଼ିଶା ନଂ ୨

ଭୁବନେଶ୍ୱର: ପୁଞ୍ଜିନିବେଶର ଟପ ଡେଷ୍ଟିନେସନ୍ ଓଡ଼ିଶା। CII ରିସର୍ଚ୍ଚ ଓ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି ବା ସିଏମଆଇଇ ପକ୍ଷରୁ ହୋଇଥିବା ସର୍ଭେରୁ ମିଳିଥିବା ତଥ୍ୟରେ ସାରା ଦେଶରେ ଓଡ଼ିଶା ପୁଞ୍ଜିନିବେଶ ଆକର୍ଷିତ କରିବାରେ ଦ୍ବିତୀୟ ସ୍ଥାନରେ ରହିଛି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ୨୦.୧ଲକ୍ଷ କୋଟି ପୁଞ୍ଜିନିବେଶ ହୋଇଛି।

ଗୁଜରାଟ, ଆନ୍ଧ୍ରପ୍ରଦେଶ ପରି ବଡ଼ ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା। ୧ ନମ୍ବର ସ୍ଥାନରେ ମହାରାଷ୍ଟ୍ର ରହିଥିବା ବେଳେ ତାଲିକାର ଶେଷରେ ରହିଛି ୟୁପି। କରୋନା ସମୟରେ ଦେଶରେ ସର୍ବାଧିକ ନିବେଶ ଆଣିଥିଲା ଓଡ଼ିଶା। ପୁଞ୍ଜିନିବେଶରେ ମହାରାଷ୍ଟ୍ରକୁ ପଛରେ ପକାଇ ୧ନମ୍ବର ସ୍ଥାନ ହାସଲ କରିଥିଲା। ୨୦୨୦ ଆର୍ଥିକ ବର୍ଷରେ ମହାରାଷ୍ଟ୍ରରେ ୧୬ପ୍ରତିଶତ ନିବେଶ ହୋଇଥିଲା।

ତେବେ ସେହି ସମୟରେ ଓଡ଼ିଶାକୁ ୧୨ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା। ଦେଶର ପୁଞ୍ଜିନିବେଶରୁ ୧୮ପ୍ରତିଶତ ଓଡ଼ିଶାରେ ହୋଇଥିଲା। ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମହାରାଷ୍ଟ୍ରକୁ ପଛରେ ପକାଇ ପୁଞ୍ଜିନିବେଶର ଶୀର୍ଷ ଛୁଇଁଥିଲା ଓଡ଼ିଶା। କେବଳ ଶିଳ୍ପ ନୁହେଁ, କୃଷି କ୍ଷେତ୍ରରେ ବି ରାଜ୍ୟ ଆଗୁଆ ରହିଥିଲା। ଦେଶର ଅଭିବୃଦ୍ଧି ହାର ୨.୮୦ ପ୍ରତିଶତ ହୋଇଥିବାବେଳେ ରାଜ୍ୟରେ ୭.୬୧ ପ୍ରତିଶତ ରହିଥିଲା।

କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିଲେ ଜି-୨୦ ପ୍ରତିନିଧି ଦଳ

କୋଣାର୍କ: ସୂର୍ଯ୍ୟ ମନ୍ଦିର ବୁଲିଲେ ଜି-୨୦ ପ୍ରତିନିଧି ଦଳ । ଜି-୨୦ ସଦସ୍ୟ ରାଷ୍ଟ୍ର ସମୁହର ସଦସ୍ୟମାନେ ଗତକାଲି ସନ୍ଧ୍ୟାରେ କୋଣାର୍କ ସୂର୍ଯ୍ୟମନ୍ଦିର ଓ ଆଇଓସିଏଏର ବାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଥିଲେ । ଏହାସହ କୋଣାର୍କ ମନ୍ଦିର ପରିସରରେ ଆୟୋଜିତ ପାରମ୍ପରିକ ଗୋଟିପୁଅ ନୃତ୍ୟ ଉପଭୋଗ କରିଥିଲେ ।

ୟୁନେସ୍କୋ ଓ ଆନ୍ତର୍ଜାତୀୟ ଶ୍ରମ ସଂଗଠନ ଭଳି ୪ଟି ଆନ୍ତର୍ଜାତୀୟ ସଂଗଠନର ପ୍ରତିନିଧିଙ୍କୁ ବୈଦେଶିକ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ମିନାକ୍ଷୀ ଲେଖି ସ୍ବାଗତ କରିଥିଲେ । ସ୍ଥାନୀୟ ଗାଇଡ୍‌ ମାନେ ପ୍ରତିନିଧି ଦଳକୁ ସୂର୍ଯ୍ୟମନ୍ଦିର ଇତିହାସ ସମ୍ପର୍କରେ ଅବଗତ କରାଇଥିଲେ ।

ତୁଟୁଛି ପାକିସ୍ତାନୀ ନ୍ୟାୟାଳୟ ଉପରେ ଭରସା, ପ୍ରତିଷ୍ଠା ହେବ ମିଲିଟାରୀ କୋର୍ଟ !

ଲାହୋର: ମିଲିଟାରୀ କୋର୍ଟଗୁଡିକୁ ପୁନଃକାର୍ଯ୍ୟକ୍ଷମ କରିବା ଲାଗି ଚିନ୍ତା କରୁଛନ୍ତି ପାକିସ୍ତାନ ସରକାର। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସୁପ୍ରିମକୋର୍ଟ ସମେତ ଅନ୍ୟାନ୍ୟ କୋର୍ଟ ସୁରକ୍ଷା ଦେଉଥିବା ଅଭିଯୋଗ କ୍ରମେ ମିଲିଟାରୀ କୋର୍ଟଗୁଡିକ ଉପରେ ଭରସା ରଖିଛନ୍ତି ସରକାର । ଏଥିଲାଗି ଏକ ଆଇନ ଆଣିବାକୁ ସରକାର ଚିନ୍ତା କରୁଥିବା ସୂଚନା ମିଳିଛି ।

ଗୁଇନ୍ଦାଗିରି ଅଭିଯୋଗ କ୍ରମେ ଗିରଫ ହୋଇଥିବା ଭାରତୀୟ କୁଳ ଭୂଷଣ ଯାଦବଙ୍କ କ୍ଷେତ୍ରରେ ପାକିସ୍ତାନୀ କୋର୍ଟ ବିଚାର କରି ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିବାରୁ ସେହି କୋର୍ଟ ଉପରେ ବିଶ୍ବାସ ବ୍ୟକ୍ତ କରୁଛନ୍ତି ସରକାର । ୨୦୧୪ ଡିସେମ୍ବର ୧୬ ତାରିଖରେ ପେଶଓ୍ବାରର ଏକ ଆର୍ମି ପବ୍ଲିକ ସ୍କୁଲରେ ପାକିସ୍ତାନୀ ତାଲିବାନୀମାନେ ଆଖିବୁଜା ଗୁଳିମାଡ କରିବା ଫଳରେ ୧୩୪ ଛାତ୍ରଛାତ୍ରୀ ପ୍ରାଣ ହରାଇଥିଲେ । ସେହି ଘଟଣାକୁ ନେଇ ପାକିସ୍ତାନ ସରକାର ୨୦୧୫ରେ ମିଲିଟାରୀ କୋର୍ଟ ପ୍ରତିଷ୍ଠା କରିଥିଲେ ।

ସ୍ବତନ୍ତ୍ର ଆଇନ ବଳରେ ତିଆରି ହୋଇଥିବା ଏହି କୋର୍ଟର ଅବଧି ପ୍ରତି ୨ ବର୍ଷରେ ନବୀକରଣ ହେବାର ଆବଶ୍ୟକତା ରହିଛି । ଗତ ଜାନୁଆରୀ ୭ରେ ଏହାର ଅବଧି ଶେଷ ହୋଇଥିବାରୁ ଏହାକୁ ପୁନଃକାର୍ଯ୍ୟକ୍ଷମ କରିବା ଲାଗି ଯୋଜନା କରିଛନ୍ତି ସରକାର । ଏହି କୋର୍ଟଗୁଡିକ ଜରିଆରେ ଅନେକ ମୃତ୍ୟୁ ଦଣ୍ଡାଦେଶ ଦିଆଯାଉଥିବାରୁ ସରକାର ଏହା ଉପରେ ଭରସା ରଖିଛନ୍ତି । ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ତତକାଳୀନ ନୌସେନା ଅଧିକାରୀ କୁଳଭୂଷଣଙ୍କୁ ପାକିସ୍ତାନ ସରକାର ବାଲୁଚସ୍ତାନରୁ  ୨୦୧୬ରେ ଗିରଫ କରିଥିଲେ । ମାମଲାର ବିଚାର କରି ପାକିସ୍ତାନର ଏକ ଫିଲ୍ଡ ଜେନେରାଲ କୋର୍ଟ କୁଳଭୂଷଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ । ଏହି ରାୟ ବିରୋଧରେ ଭାରତ ସରକାର ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସଙ୍କ ଦ୍ବାରସ୍ଥ ହେବା ପରେ ତାଙ୍କର ଫାଶୀ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି ହୋଇଥିଲା ।

ବଜ୍ରକାପ୍ତା ଚୋରାଚାଲାଣ ବେଳେ ମାଡି ବସିଲା STF

ସୋନପୁର: ବଜ୍ରକାପ୍ତା ଚୋରାଚାଲାଣ ବେଳେ ମାଡି ବସିଲା STF । ୧୦ କେଜି ଓଜନର ୨ଟି ବଜ୍ରକାପ୍ତା ଉଦ୍ଧାର ହୋଇଛି । ଗୋଟିଏର ଓଜନ ୭ କେଜି ଓ ଅନ୍ୟଟିର ୩ କେଜି ହେବ । ସୋନପୁର ଫରେଷ୍ଟ ଡିଭିଜନ ଭିତରେ ଚାଲିଥିଲା ଡିଲ୍ । ୨ ଭାଇ ଡିଲ୍ କରୁଥିବା ନେଇ ଖବର ପାଇଥିଲା STF । ଗିରଫ ୨ ଅଭିଯୁକ୍ତ ହେଲେ ବେଦବ୍ୟାସ ଧାରୁଆ ଓ ନବଦୀପ ଧାରୁଆ ।

ଉଭୟଙ୍କ ଘର ସୋନପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଝଙ୍କାରପଲ୍ଲୀ । ବନ୍ୟପ୍ରାଣୀ ସୁରକ୍ଷା ଆଇନ୍ ଅନୁସାରେ ଉଭୟଙ୍କୁ ଗିରଫ କରାଯାଇଛି । ଗୋଟିଏ ବଜ୍ରକାପ୍ତାକୁ ୧୦ ଲକ୍ଷ ଟଙ୍କାରେ ବିକିଥାନ୍ତେ ଅଭିଯୁକ୍ତ । ଦେଢ଼ରୁ ଅଢ଼େଇ ଲକ୍ଷ ଟଙ୍କା କେବଳ କାତିର ଦାମ । ଫିଲିପାଇନ୍ସ, ଚାଇନା, ନେପାଳ ଓ ବାଂଲାଦେଶକୁ ଭାରତରୁ ଚାଲାଣ ହେଉଛି ବଜ୍ରକାପ୍ତା । ବନ୍ୟଜନ୍ତୁ ଅପରାଧ ରୋକିବା ପାଇଁ ସ୍ପେଶାଲ ଡ୍ରାଇଭ ଚଳାଇଛି STF ।

ଋଷର ହାଇପରସୋନିକ ମିସାଇଲକୁ ଖସାଇଲା ୟୁକ୍ରେନ

କିଭ୍: ଋଷ ଓ ୟୁକ୍ରେନ ମଧ୍ୟରେ ହାଇପରସୋନିକ ଓ୍ବାର। ବିଶ୍ବର ଅତି ଶକ୍ତିଶାଳୀ କୁହାଯାଉଥିବା ହାଇପରସୋନିକ କିନଝାଲ ମିସାଇଲକୁ ଖସାଇଛି ୟୁକ୍ରେନ। ଗତ ରାତିରେ ଋଷର ୬ଟି କିନଝାଲ ମିସାଇଲକୁ ଖସାଇଦେଇଛି ବୋଲି ୟୁକ୍ରେନ ଦାବି କରିଛି । ଶବ୍ଦଠାରୁ ୧୦ଗୁଣ ବେଗରେ ଗତି କରିପାରୁଥିବା ଏହି ମିସାଇଲକୁ ଅଟକାଇପାରିବେ ନାହିଁ ବୋଲି ଦାବି କରିଥିଲା ଋଷ ।

ପାଶ୍ଚାତ୍ୟ ରାଷ୍ଟ୍ର ପକ୍ଷରୁ ହାସଲ କରିଥିବା ଏୟାର ଡିଫେନ୍ସ ସିଷ୍ଟମ ଜରିଆରେ ଏହା ସମ୍ଭବ ହୋଇଛି ବୋଲି ୟୁକ୍ରେନ ଦାବି କରିଛି । ଗତକାଲିଠାରୁ ସମଗ୍ର ୟୁକ୍ରେନରେ ଏୟାର ରେଡ ସାଇରନ ବାଜି ଥିବାବେଳେ ଋଷର ଅତି ଶକ୍ତିଶାଳୀ ମିସାଇଲକୁ ଖସାଯିବା ଘଟଣା ଚକିତ କରିଛି । ଗତକାଲି ରାତିରେ ୟୁକ୍ରେନର ବିଭିନ୍ନ ଅଞ୍ଚଳକୁ ଋଷ ୧୮ଟି କ୍ଷେପଣାସ୍ତ୍ର ଜରିଆରେ ଟାର୍ଗେଟ କରିଥିଲା। ସେଥିରେ ରହିଥିଲା ୬ଟି କିନଝାଲ ମିସାଇଲ ଓ ୯ଟି କାଲିବର କ୍ରୁଜ ମିସାଇଲ ।

ସେପଟେ କିନଝାଲ ମିସାଇଲ ଜରିଆରେ ଆମେରିକା ନିର୍ମିତ ପାଟ୍ରିଅଟ ସରଫେସ-ଟୁ-ଏୟାର ମିସାଇଲ ଡିଫେନ୍ସ  ସିଷ୍ଟମକୁ ଧ୍ବଂସ କରାଯାଇଛି ବୋଲି କହିଛି ଋଷ । ଏହା ସହ ୟୁକ୍ରେନକୁ ବ୍ରିଟେନ ଯୋଗାଇଥିବା ୭ଟି ଲଙ୍ଗରେଞ୍ଜ ଷ୍ଟର୍ମ ସାଡୋ ମିସାଇଲକୁ ଧ୍ବଂସ କରାଯାଇଛି ବୋଲି ଋଷ ଦାବି କରିଛି । ଆଣବିକ କ୍ଷମତା ସମ୍ପନ୍ନ କିନଝାଲ ମିସାଇଲ ପ୍ରାୟ ୨ ହଜାର କିଲୋମିଟର ଦୂରକୁ ଟାର୍ଗେଟ କରିବାର କ୍ଷମତା ହାସଲ କରିଛି । ତେଣେ ଆଇସଲ୍ୟାଣ୍ଡରେ ୟୁରୋପୀୟ ରାଷ୍ଟ୍ରର ନେତାମାନେ ଏକ ବୈଠକରେ ଉପନୀତ ହୋଇ ୟୁକ୍ରେନକୁ ନିଜ ନିଜର ସମର୍ଥନ ଜ୍ଞାପନ କରିଛନ୍ତି ।