ଭଦ୍ରକ: ଭଦ୍ରକ ତିହିଡ଼ି ବ୍ଲକ ଗେଙ୍ଗୁଟି ନଦୀରେ କୁମ୍ଭୀର ଆତଙ୍କ । ନଦୀରେ କୁମ୍ଭୀର ବୁଲୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଶ୍ୟାମସୁନ୍ଦରପୁର ପଞ୍ଚାୟତର ୫ଟି ଗାଁର ଲୋକେ ନଦୀରେ ମାଛ ଧରି ଜୀବିକା ନିର୍ଭର କରିଥାନ୍ତି । ନଦୀରେ କୁମ୍ଭୀର ଭାସୁଥିବା ଦେଖି ଲୋକମାନେ ନଦୀକୁ ଯାଇ ପାରୁନାହାନ୍ତି । କିଛିଦିନ ପୂର୍ବରୁ ଗେଙ୍ଗୁଟି ନଦୀରେ କୁମ୍ଭୀର ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଗାଈ ଗୋରୁ ମଧ୍ୟ କୁମ୍ଭୀର ଆକ୍ରମଣ ଶିକାର ହେଉଛନ୍ତି । ତେଣୁ ନଦୀ ପାର୍ଶ୍ୱରେ ତାରବାଡ଼ ବ୍ୟବସ୍ଥା କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।
ପତଞ୍ଜଳି ଷ୍ଟୋରରେ କଳାକନା ବୁଲାଇଲେ ଦୁର୍ବୃତ୍ତ
ଭୁବନେଶ୍ୱର: ପତଞ୍ଜଳି ଷ୍ଟୋରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ହାତରେ ଶାବଳ ଧରି ରାଜଧାନୀରୁ ଲୁଟିଲେ ମୁଖା ପିନ୍ଧା ଲୁଟେରା । ତମାଣ୍ଡୋ ଥାନା କଳିଙ୍ଗ ବିହାର K4ରେ ଥିବା ପତାଞ୍ଜଳି ଷ୍ଟୋରରୁ ଲୁଟ୍ ଲକ୍ଷାଧିକ ଟଙ୍କାର ମେଡିସିନ ସହ ୫୦ ହଜାରରୁ ଊର୍ଦ୍ଧ୍ବ ନଗଦ ଟଙ୍କା ଲୁଟ୍ ହୋଇଛି । ଲୁଟ୍ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ ନନ୍ଦିଘୋଷ ଟିଭି ହାତରେ ଏକ୍ସକ୍ଲୁସିଭ ଫୁଟେଜ ଲାଗିଛି । ଘଟଣାସ୍ଥଳରେ ତମାଣ୍ଡୋ ଥାନା ପୋଲିସ ପହଞ୍ଚି ଛାନବିନ୍ ଚଳାଇଥିବା ବେଳେ ଆବଶ୍ୟକ ହେଲେ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିବ ।
ମୟୂରଭଞ୍ଜ ବହଳଦାରେ ଗୁଳିକାଣ୍ଡ, ବାଇପାସ୍ ନିକଟରେ ୩ ଦୁର୍ବୃତ୍ତଙ୍କ ଗୁଳିରେ ୨ ଜଣ ଗୁରୁତର ଆହତ
ମୟୂରଭଞ୍ଜ: ମୟୂରଭଞ୍ଜ ବହଳଦାରେ ଗୁଳିକାଣ୍ଡ । ୩ ଦୁର୍ବୃତ୍ତଙ୍କ ଗୁଳିରେ ୨ ଜଣ ଗୁରୁତର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି । ତିନି ଜଣ ଦୁର୍ବୃତ୍ତ ବାଇକରେ ଆସି ଜଣକ ଘରେ ଡକାୟତି ପାଇଁ ଉଦ୍ୟମ କରୁଥିଲେ । ଦୁର୍ବୃତ୍ତଙ୍କ ଗତିବିଧି ଦେଖିବା ପରେ ପରିବାର ଲୋକ ସେମାନଙ୍କୁ ଘଉଡ଼ାଇ ଦେଇଥିଲେ । ପରେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ । ଗୁଳିମାଡ଼ରେ ଗୌରବ ଦାସ ଓ ଅନ୍ୟ ଜଣେ ଯୁବକ କାର୍ତ୍ତିକ ସ୍ବାଇଁ ଆହତ ହୋଇଥିଲେ ।
ଗୁଳିକାଣ୍ଡ ପରେ ଘଟଣାସ୍ଥଳରୁ ଖସି ପଳାଇବା ବେଳେ ଜଣଙ୍କୁ କାବୁ କରି ଲୋକେ ନିସ୍ତୁକ ମାଡ଼ ମାରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଥିବା ଯୁବକଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ପରେ ସେମାନଙ୍କୁ ଜାମସେଦପୁରକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଘଟଣାସ୍ଥଳରୁ ଏକ ମାଉଜର ଜବତ କରିଛି ପୋଲିସ ।
ୟୁକ୍ରେନକୁ ଫ୍ରାନ୍ସ ଯୋଗାଇବ ହାଲୁକା ଲଢୁଆ ଟ୍ୟାଙ୍କ ଓ ସାଞ୍ଜୁଆ ଯାନ
କିଭ୍: ୟୁକ୍ରେନ ହେବ ବାହୁବଳୀ । ୟୁକ୍ରେନକୁ ହାଲୁକା ଲଢୁଆ ଟ୍ୟାଙ୍କ ଓ ସାଞ୍ଜୁଆ ଯାନ ଯୋଗାଇବା ଫ୍ରାନ୍ସ । ଏନେଇ ଘୋଷଣା କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ । ସାମରିକ ସହଯୋଗିତା ନେଇ ଉଭୟ ମାକ୍ରନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ମଧ୍ୟରେ ଘୋଷଣାନାମା ଜାରି ହୋଇଛି । ଏହି ଯୁଦ୍ଧାସ୍ତ୍ର ପାଇଲେ ଋଷ ବିରୋଧରେ ଜୋରଦାର ସଂଘର୍ଷ କରିପାରିବ ୟୁକ୍ରେନ । ଏହା ସହ ଆକାଶ ମାର୍ଗରେ ଋଷର ଆକ୍ରମଣକୁ ପ୍ରତିହତ କରିବା ଲାଗି ୟୁକ୍ରେନକୁ ଫ୍ରାନ୍ସ ଏୟାର ଡିଫେନ୍ସ ସିଷ୍ଟମ ଯୋଗାଇବ । ଋଷ ବାହିନୀକୁ ଦୁର୍ବଳ କରିବା ଲାଗି ୟୁକ୍ରେନକୁ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମାକ୍ରନ । ଗତ ରବିବାର ଫ୍ରାନ୍ସ ଗସ୍ତରେ ଜେଲେନସ୍କି ଯାଇଥିବା ଅବସରରେ ସାମରିକ ସମ୍ପର୍କ ନେଇ ଦୁଇ ନେତା ଆଲୋଚନା କରିଥିଲେ ।
ସେପଟେ ଚଳିତ ବର୍ଷ ହିଁ ଋଷର ପରାଜୟ ଘଟିବ ବୋଲି ଦମ୍ଭୋକ୍ତି ବ୍ୟକ୍ତ କରିଛନ୍ତି ଜେଲେନସ୍କି । ଏହା ସହ ସାମରିକ ସହାୟତା କରୁଥିବାରୁ ସେ ପାଶ୍ଚାତ୍ୟ ରାଷ୍ଟ୍ର ଓ ଜର୍ମାନୀକୁ ଦେଇଛନ୍ତି ଧନ୍ୟବାଦ । ଆସନ୍ତା ଦିନରେ ଖୁବ ଶୀଘ୍ର ଋଷ ବିରୋଧରେ ଜୋରଦାର ହମଲା କରିବା ଲାଗି ଧମକ ଦେଇଛନ୍ତି ଜେଲେନସ୍କି । ସେପଟେ ୟୁକ୍ରେନକୁ ବ୍ରିଟେନ ଶତାଧିକ ଏୟାର ଡିଫେନ୍ସ ସିଷ୍ଟମ ଓ ଲଙ୍ଗରେଞ୍ଜ ଡ୍ରୋନ ଯୋଗାଇବ ବୋଲି ସୂଚନା ମିଳିଛି ।
ଆଜି ଯାତ୍ରା କରିବ ବାତିଲ ହୋଇଥିବା ଇଣ୍ଡିଗୋ ବିମାନ, ଦିନ ୧୧ଟା ୪୦ରେ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବେ ଯାତ୍ରୀ
ଭୁବନେଶ୍ୱର: ଆଜି ଯାତ୍ରା କରିବ ବାତିଲ ହୋଇଥିବା ଇଣ୍ଡିଗୋ ବିମାନ । ଦିନ ୧୧ଟା ୪୦ରେ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବେ ଯାତ୍ରୀ । ଗତକାଲି ଭୁବନେଶ୍ୱର ବିମାନ ବନ୍ଦରରେ ଭୁବନେଶ୍ୱର-ଅହମ୍ମଦାବାଦ ଭାୟା କୋଲକାତା ବିମାନ ବାତିଲ ହେବାରୁ ଯାତ୍ରୀମାନେ ହଟ୍ଟଗୋଳ କରିଥିଲେ । ବିମାନ ବାତିଲ ନେଇ ଇଣ୍ଡିଗୋ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା ।
ଗତକାଲି ରାତି ୯ଟା ୩୦ରେ ବିମାନ ଟେକଅପ୍ କରିବାର ଥିଲା । ଯାତ୍ରୀମାନେ ଦୁଇ ଘଣ୍ଟା ପୂର୍ବରୁ ବୋର୍ଡିଂ କରିଥିଲେ । ରାତି ୧୧.୩୦ରେ ବିମାନ ପହଞ୍ଚିଥାନ୍ତା । କିଛି ଯାତ୍ରୀ ଜରୁରୀ କାମରେ ଯାଉଥିବା ବେଳେ, କିଛି ଯାତ୍ରୀ ମେଡିକାଲ କାମରେ ଯାଉଥିଲେ । ହେଲେ ବିମାନ ବାତିଲ ନେଇ ଇଣ୍ଡିଗୋ ପକ୍ଷରୁ ଆଗୁଆ ସୂଚନା ଦିଆଯାଇନଥିଲା । ଯାହାକୁ ନେଇ ଯାତ୍ରୀମାନେ ହୋହଲ୍ଲା କରିଥିଲେ । ପରେ କମ୍ପାନୀ ପକ୍ଷରୁ ସମସ୍ତ ଯାତ୍ରୀଙ୍କୁ ହୋଟେଲରେ ରହିବାର ବ୍ୟବସ୍ଥା କରାଯାଇଥିଲା । ଆଜି ଯାତ୍ରୀମାନେ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବେ ।

