spot_img
Home Blog Page 3173

ସୀମାନ୍ତରେ ଋଷର ୪ ସାମରିକ ଯୁଦ୍ଧବିମାନକୁ ଖସାଇଲା ୟୁକ୍ରେନ, ୪ ପାଇଲଟଙ୍କ ମୃତ

ମସ୍କୋ: ଋଷକୁ ଜବରଦସ୍ତ ଝଟକା । ୟୁକ୍ରେନ ସୀମାନ୍ତରେ ଋଷର ସାମରିକ ଯୁଦ୍ଧବିମାନକୁ ଖସାଇ ଦେଇଥିବା ନେଇ ଦାବି କରିଛି ୟୁକ୍ରେନ । ଋଷର ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ କୁହାଯାଇଛି ୟୁକ୍ରେନ ସୀମାରେ ଉଡ଼ୁଥିବାବେଳେ ନିଜ ଦେଶର ଦୁଇଟି ଫାଇଟର ଜେଟ୍ ଓ ଦୁଇଟି ମିଲିଟାରୀ ହେଲିକପ୍ଟରକୁ ଖସାଇ ଦିଆଯାଇଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ବରିଷ୍ଠ ପରାମର୍ଶଦାତା ମିଖାଇଲୋ ପୋଦୋଲିକ କହିଛନ୍ତି ଋଷ ନିଜର କର୍ମଫଳ ପାଇଛି । ଖସାଇ ଦିଆଯାଇଥିବା ବିମାନ ମଧ୍ୟରେ ରହିଛି ଦୁଇଟି ଏମଆଇ ୮ ଏସ୍, ଗୋଟିଏ ଏସୟୁ-୩୫ ଓ ଗୋଟିଏ ଏସୟୁ- ୩୪ । ୟୁକ୍ରେନର ବ୍ରିଆନ୍ସକରେ ଘଟିଛି ଏହି ଘଟଣା । ୟୁକ୍ରେନ ଉପରେ ଆକ୍ରମଣ ଲାଗି ଏହି ବିମାନଗୁଡିକ ଯାଇଥିବାବେଲେ ପ୍ରତିଫଳ ଭୋଗିଥିବା କୁହାଯାଇଛି ।

ୟୁକ୍ରେନର ଚେରିନହିବ ଅଞ୍ଚଳରେ ମିସାଇଲ ଓ ବୋମା ଆକ୍ରମଣ ଲାଗି ଯୋଜନା ରହିଥିଲା । ବିମାନରେ ଥିବା ୪ ଜଣ ଯାକ ଚାଳକଙ୍କ ମୃତ୍ୟୁ ଘଟିଛି । ସେପଟେ ଋଷ ଅଭିଯୋଗ କରିଛି- ଲୁହାନସ୍କରେ ଭୟଙ୍କର ଆକ୍ରମଣ ଲାଗି ବ୍ରିଟେନରୁ ୟୁକ୍ରେନ ପାଇଥିଲା ଲଙ୍ଗରେଞ୍ଜ ଷ୍ଟର୍ମ ସାଡୋ ମିସାଇଲ ।

ଶ୍ରୀମନ୍ଦିରରେ ଆରମ୍ଭ ହେଲା ଭିତର ଚନ୍ଦନ ଯାତ୍ରା, ସ୍ନାନ ପୂର୍ଣ୍ଣିମା ଯାଏଁ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି

ପୁରୀ: ଶ୍ରୀମନ୍ଦିର ଭିତରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କର ଭିତର ଚନ୍ଦନ ଯାତ୍ରା । ଏହି ଗନ୍ଧ ଯାତ୍ରା ସମୟରେ ମହାପ୍ରଭୁଙ୍କୁ ପ୍ରତ୍ୟେହ ଆଲଟ, ଚାମର, ଚନ୍ଦନ ଲାଗି କରାଯିବା ସହ ପଣା ଭୋଗ ଅନୁଷ୍ଠିତ ହେବ । ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ ଚନ୍ଦନ ଯାତ୍ରା । ବାହାର ଚନ୍ଦନ ଯାତ୍ରାରେ ମହାପ୍ରଭୁ ନରେନ୍ଦ୍ର ସରୋବରରେ ୨୧ ଦିନ ଜଳକ୍ରୀଡ଼ା କରୁଥିବା ବେଳେ ଭିତର ଚନ୍ଦନ ଯାତ୍ରା ସମୟରେ ୪ ଦିନ ଜଳକ୍ରୀଡ଼ା ମଣ୍ଡପରେ ହୁଏ ସ୍ବତନ୍ତ୍ର ନୀତି । ଦୁଇଟି ଏକାଦଶୀ, ସହ ସାବିତ୍ରୀ ଅମାବାସ୍ୟା ଓ ଶୀତଳ ଷଷ୍ଠୀ ଦିନ ଏହି ବିଶେଷ ଜଳକ୍ରୀଡା ନୀତି ପାଳନ କରାଯିବ ।

ସେପଟେ ରଥଯାତ୍ରା ପାଇଁ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଜାରି ରହିଥିବା ବେଳେ ୨୦ରୁ ଉର୍ଦ୍ଧ୍ୱ ଚକ ନିର୍ମାଣ ଶେଷ ହୋଇଛି । ଭୂଇଁ ନିର୍ମାଣ ପାଇଁ କାଠ ସାଇଜ ଜାରି ରହିଛି । ଅଖ ନିର୍ମାଣ ପାଇଁ ଅଖ କାଠ ଭୋଇ ସେବାୟତଙ୍କ ଦ୍ୱାରା ମହାରଣା ସେବାୟତଙ୍କୁ ଯୋଗାଇ ଦିଆଯାଇଛି । ପାଗ ଅନୁକୂଳ ହେଲେ ଅଖ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ମହାରଣା ସେବାୟତ । ବଳକା ଚକ ନିର୍ମାଣ କାର୍ଯ୍ୟ କରି ସରିବା ପରେ ଗୟଳ, କୁଡୁକା ଓ ଦଣ୍ଡା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ପରମ୍ପରା ଅନୁସାରେ ଆଗାମୀ ଶୀତଳ ଷଷ୍ଠୀ ପୂର୍ବରୁ ସମସ୍ତ ଚକ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଧି ପରମ୍ପରା ଅନୁସାରେ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି ସମ୍ପାଦନ ସହ ରଥ ଶୃଙ୍ଖଳିତ ଘୋଷଯାତ୍ରା ନେଇ ବିଶେଷ ଧ୍ୟାନ ଦିଆଯାଉଛି ।

ASI ଡିଜି ଭାବେ ପ୍ରଥମ ଥର ଓଡ଼ିଶା ଆସିଲେ କିଶୋର ବାସା

ଭୁବନେଶ୍ୱର: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୟାରୁ ମିଳିଛି ଗୁରୁଦାୟିତ୍ୱ। ଏଏସଆଇ ଡିଜି ଭାବେ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସି ଏହା କହିଛନ୍ତି କିଶୋର କୁମାର ବାସା । ଛ’ ମାସ କାର୍ଯ୍ୟକାଳ ଭିତରେ ସେ ଓଡ଼ିଶାର ସମସ୍ତ କାର୍ଯ୍ୟକ୍ରମ କେମିତି ତ୍ୱରାନ୍ୱିତ ହେବ ସେ ଦିଗରେ ଧ୍ୟାନ ଦେବେ । କପିଳେଶ୍ଵର ମନ୍ଦିର ଏବେ ତାଲିକାଭୁକ୍ତ ହୋଇଛି । ଅଧିକାରୀଙ୍କ ସହ ଆଲୋଚନା କରି ଭଲ ସଂରକ୍ଷଣ ପ୍ଲାନ ସଂପର୍କରେ ବିଶେଷଜ୍ଞଙ୍କ ମତାମତ ନେବେ । ଏହାପରେ ଏନେଇ ପ୍ରୋଜେକ୍ଟ କରାଯାଇ ଆଗେଇବେ ବୋଲି ଏଏସଆଇ ଡିଜି କହିଛନ୍ତି । ଛ’ ମାସ କାର୍ଯ୍ୟକାଳରେ ସେ ଓଡ଼ିଶା ପାଇଁ ତାଙ୍କର ବେଷ୍ଟ ଦେବେ ବୋଲି କହିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ଲାଗି ସମସ୍ତ ଅନୁମତି ଦିଆଯାଇଛି । ପ୍ରଭୁ ଲିଙ୍ଗରାଜ ମନ୍ଦିର ପାଇଁ କିଛି ଅନୁମତି ଦିଆଯାଇଥିବା ବେଳେ ଆଉ କିଛି ବିଷୟରେ ତଦାରଖ କରି ଅନୁମତି ଦିଆଯିବ ବୋଲି ଏଏସଆଇ ଡିଜି କିଶୋର ବାସା କହିଛନ୍ତି ।

ଦିନକୁ ଦିନ ଦୟନୀୟ ହେଉଛି ରାଜ୍ୟ କଂଗ୍ରେସର ସ୍ଥିତି, ହାତ ଭୋଟ୍ ପଦ୍ମ ଖାତାକୁ ଯାଉଥିବା ସମୀକ୍ଷକଙ୍କ ଆକଳନ

ଭୁବନେଶ୍ୱର: କର୍ଣ୍ଣାଟକରେ କ୍ଲିନ୍‌ ସ୍ୱିପ୍‌ । ଓଡ଼ିଶାରେ କ୍ଲିନ୍‌ ବୋଲ୍ଡ । ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି ରାଜ୍ୟ କଂଗ୍ରେସର ସ୍ଥିତି । ପଦମପୁର ପରି ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସ ଭୋଟ୍‌ ହାର ଅତି ତଳକୁ ଖସିଯାଇଛି । ଭୋଟ୍‌ କାଏମ ରହୁଛି ବିଜେଡିର । ତେଣୁ କଂଗ୍ରେସର ଭୋଟ୍‌ ବିଜେପି ଖାତାକୁ ଯାଉଥିବା ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି । ରାଜ୍ୟରେ କଂଗ୍ରେସ ସହ ବିଜେପି ଅଘୋଷିତ ମେଣ୍ଟ କରିଥିବା ଚର୍ଚ୍ଚା ହେଲାଣି । ସେପଟେ ପରାଜୟ ପରେ କଂଗ୍ରେସରେ ପୁଣି କନ୍ଦଳ ଓ ଆରୋପ ପ୍ରତ୍ୟାରୋପ ରାଜନୀତି ଫେରିଛି ।

୨୦୧୯ ନିର୍ବାଚନରେ ଝାରସୁଗୁଡ଼ାରେ କଂଗ୍ରେସ ପାଇଥିଲା ୧୮ ହଜାର ୮୨୩ ଭୋଟ୍‌ । ଉପନିର୍ବାଚନରେ ଏହା ୪ ହଜାର ୪୯୬କୁ ଖସିଛି । ତେବେ କଂଗ୍ରେସର ୧୪ ହଜାର ୩୨୭ ଭୋଟ୍‌ ଗଲା କୁଆଡ଼େ ? ବିଜେପିର ଯେଉଁ ଭୋଟ୍‌ ବଢ଼ିଛି, ତାହା କଂଗ୍ରେସ ଖାତାରୁ ଆସିଥିବା ଚର୍ଚ୍ଚା ହେଉଛି । ଦେଶରେ କଂଗ୍ରେସ ଓ ବିଜେପି ପରସ୍ପର ରାଜନୈତିକ ଶତ୍ରୁ । କିନ୍ତୁ ଓଡ଼ିଶାରେ ବିଜେଡି ବିରୋଧରେ ଦୁଇଦଳ ହାତ ମିଶାଇଥିବା ଅଭିଯୋଗ ହେଉଛି । ବିଜେପିର ଗୋଡ଼ାଣିଆ ହେବା ଓ ବିଜେପି ଏଜେଣ୍ଡାରେ କଂଗ୍ରେସ କାମ କରୁଥିବା ସମୀକ୍ଷଙ୍କ ମତ । ଏହି କାରଣରୁ କଂଗ୍ରେସ ପାଇଁ ଆସ୍ଥା ସଂକଟ ସାଙ୍ଗକୁ ପରିଚୟ ସଂକଟ ସୃଷ୍ଟି ହେଲାଣି । ଭୁଲ ରାଜନୀତି ଯୋଗୁ ଦିନକୁ ଦିନ ସତ୍ତା ହରାଉଛି କଂଗ୍ରେସ । ଆଭିମୁଖ୍ୟ ନ ବଦଳାଇଲେ କଂଗ୍ରେସ ହରାଇଥିବା ଭୋଟ୍‌ ୨୦୨୪ ନିର୍ବାଚନରେ ଫେରିପାଇବ ନାହିଁ ବୋଲି ବିଜେଡି କହିଛି ।

ପଦମପୁର ଉପନିର୍ବାଚନରେ ମଧ୍ୟ ବିଜେପି ଓ କଂଗ୍ରେସ କୋଳାକୋଳି ହୋଇଥିଲେ । ଟାଣୁଆ କଂଗ୍ରେସ ନେତା ସତ୍ୟ ଭୂଷଣ ସାହୁ ୨୦୧୯ ନିର୍ବାଚନରେ ୩୨ ହଜାର ୭୮୭ ଭୋଟ୍‌ ପାଇଥିଲା ବେଳେ ୨୦୨୨ ଉପନିର୍ବାଚନରେ ଏହା ୩ ହଜାର ୫୯୪କୁ ଖସିଥିଲା । ବିଜେଡି ଜିତିଥିଲା । ବିଜେପିର ଯେଉଁ ଭୋଟ୍‌ ବଢ଼ିଥିଲା, ତାହା କଂଗ୍ରେସ ଖାତାରୁ ଯାଇଥିଲା ବୋଲି ସେ ସମୟରେ କଂଗ୍ରେସ ନେତାମାନେ ଟୁପୁରୁ ଟାପୁରୁ ହେଉଥିଲେ । ବିଜେଡି ପରି କଂଗ୍ରେସ ନେତା ଏକାଠି‌ ହୋଇ କାମ କରି ନଥିବା ବିଧାୟକ ସୁରେଶ ରାଉତରାୟ ସ୍ୱୀକାର କରିଛନ୍ତି । ଏକଜୁଟ ଲଢ଼ିବା ନେଇ କର୍ଣ୍ଣାଟକ କଂଗ୍ରେସଠାରୁ ଓଡ଼ିଶା କଂଗ୍ରେସ ଶିଖିବା କଥା ବୋଲି ମତ ଦେଇଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି । ରାଜନୈତିକ ସମୀକ୍ଷକ କହିଛନ୍ତି, କର୍ଣ୍ଣାଟକରେ ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ୱଙ୍କ ମଧ୍ୟରେ ସମନ୍ବୟ ଭଳି ଓଡ଼ିଶା କଂଗ୍ରେସରେ ସ୍ଥିତି ନଥିବାରୁ ଦଳର ଭୋଟ୍‌ ବ୍ୟାଙ୍କ ହ୍ରାସ ପାଉଛି ।

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୀପାଳି ଦାସ, ଲୋକଙ୍କ ପାଇଁ କାମ କରିବାକୁ ଦେଲେ ପରାମର୍ଶ

ଭୁବନେଶ୍ୱର: ନବୀନ ନିବାସରେ ଝାରସୁଗୁଡ଼ାର ନବ ନିର୍ବାଚିତା ବିଧାୟିକା ଦୀପାଳି ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେ ଆଶୀର୍ବାଦ ନେଇଛନ୍ତି । ଝାରସୁଗୁଡା ଲୋକଙ୍କ ପାଇଁ ସମର୍ପିତ ହୋଇ କାମ କରିବାକୁ ଦୀପାଳିଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭୁବନେଶ୍ବରରେ ପହଞ୍ଚିବା ପରେ ଦୀପାଳି କହିଥିଲେ ଯେ ଏ ବିଜୟ ଝାରସୁଗୁଡ଼ାବାସୀଙ୍କର ଓ ମୁଖ୍ୟମନ୍ତ୍ରୀଙ୍କର । ଉପନିର୍ବାଚନ ପାଇଁ ସମସ୍ତେ ବହୁତ ପରିଶ୍ରମ କରିଛନ୍ତି । ବାପାଙ୍କ ସ୍ବପ୍ନ ଥିଲା ଝାରସୁଗୁଡ଼ାର ନୂତନ ନିର୍ମାଣ । ବାପାଙ୍କ ଦ୍ବାରା କରାଯାଇଥିବା ବିକାଶ କାର୍ଯ୍ୟ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଝାରସୁଗୁଡ଼ାରେ ହାର୍ଟ ହସ୍ପିଟାଲ, କ୍ୟାନସର ହସ୍ପିଟାଲ, ଓଭରବ୍ରିଜର ସ୍ୱପ୍ନ ପୂରଣ ହେବ । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡ଼ାବାସୀଙ୍କ ସ୍ୱପ୍ନ ସାକାର କରିବି ବୋଲି ଦୀପାଳି କହିଛନ୍ତି । ଦୀପାଳି କହିଛନ୍ତି ମୋର ସୌଭାଗ୍ୟ ଯେ ମୁଖ୍ୟମନ୍ତ୍ରୀ ମୋତେ ଝିଅ ଭଳି ଭାବୁଛନ୍ତି । ଜନତା ଓ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ହାତ ମୋ ମୁଣ୍ଡରେ ରହିଛି । ଝାରସୁଗୁଡ଼ା ଉପନିର୍ବାଚନରେ ୪୮ ହଜାର ୭୨୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ଦୀପାଳି । ଦୀପାଳିଙ୍କ ବିଜୟକୁ ନେଇ ଉତ୍ସବ ମନାଉଛି ବିଜେଡି । ଝାରସୁଗୁଡ଼ାରୁ ଭୁବନେଶ୍ବର ପର୍ଯ୍ୟନ୍ତ ବିଜୟ ଉତ୍ସବ ମନାଉଛି ବିଜେଡି ।

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏବର୍ଷ ଜନଜାତିଙ୍କ ବିକାଶ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୨୨୩ କୋଟି

ଭୁବନେଶ୍ୱର: ସ୍ୱତନ୍ତ୍ର ବିକାଶ ପରିଷଦରେ ସାମିଲ ହେଲା ଆଉ ୧୪ ଜିଲ୍ଲା । ଆଦିବାସୀଙ୍କ କଳା, ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ନେଇ ସ୍ୱତନ୍ତ୍ର ବିକାଶ ପରିଷଦର ପରିସୀମା ୨୩ ଜିଲ୍ଲାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆଜି ଭୁବନେଶ୍ୱରରେ ସ୍ୱତନ୍ତ୍ର ବିକାଶ ପରିଷଦର ବର୍ଣ୍ଣାଢ୍ୟ ଉତ୍ସବରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୮ରେ ପ୍ରଥମ ଥର ପାଇଁ ଅଭିନବ ଭାବେ ଆଦିବାସୀ ବହୁଳ ଜିଲ୍ଲାରେ ଆଦିବାସୀ ଭାଷା, ନୃତ୍ୟ, ସଂଗୀତ ଓ କଳାକାରଙ୍କୁ ବିଶ୍ୱ ଦରବାରରେ ପରିଚିତ କରିବା ପାଇଁ ୯ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ସ୍ୱତନ୍ତ୍ର ବିକାଶ ପରିଷଦ । ପୂର୍ବରୁ ୯ଟି ଜିଲ୍ଲାରେ ସ୍ବତନ୍ତ୍ର ବିକାଶ ପରିଷଦ କାର୍ଯ୍ୟ କରୁଥିବା ବେଳେ ଏବେ ଆଉ ୧୪ଟି ଜିଲ୍ଲାକୁ ଏସଡିସିରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେଗୁଡିକ ହେଲା ବାଲେଶ୍ବର, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ବୌଦ୍ଧ ଓ ଗଂଜାମ । ମୋଟ ୨୩ ଜିଲ୍ଲାର ଆଦିବାସୀଙ୍କ ବିକାଶ ପାଇଁ ସରକାର ଆଙ୍କିଛନ୍ତି ନକ୍ସା । ଏନେଇ ମୁଖ୍ୟମନ୍ତ୍ରୀ ନିଜେ ଆଜି ସ୍ବତନ୍ତ୍ର ବିକାଶ ପରିଷଦ ବୈଠକରେ ବଡ଼ ଘୋଷଣା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଓଡ଼ିଶା ହେଉଛି ଜଗନ୍ନାଥଙ୍କ ଦେଶ । ଜଗନ୍ନାଥ ସଂସ୍କୃତି ସହ ଜନଜାତିର ସଂପୃକ୍ତି ରହିଛି । ବିକାଶର ପରିଭାଷାରେ କଳା ଓ ସଂସ୍କୃତିର ଭୂମିକା ସ୍ୱତନ୍ତ୍ର । ୨୦୧୮ରୁ ୯ଟି ଜିଲ୍ଲାରେ ସ୍ୱତନ୍ତ୍ର ବିକାଶ ପରିଷଦ କାମ କରୁଥିଲା । ଏବେ ଆଉ ୧୪ ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦରେ ସାମିଲ ହେଲେ । ଆଦିବାସୀଙ୍କ ବିକାଶ ପାଇଁ ୨୨୩ କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର । ୨୦୨୩-୨୪ରେ ୨୨୩ କୋଟି ଖର୍ଚ୍ଚ କରିବେ ସରକାର । ଏହା ଦ୍ୱାରା ୮୦ ଲକ୍ଷରୁ ଅଧିକ ଜନଜାତି ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଡେଲାଙ୍ଗ ଘୋରଡିଆ ଗ୍ରାମ୍ୟ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ଘୋରଡିଆ ଗ୍ରାମ୍ୟ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ଘଟଣା ସ୍ଥଳରେ ଡେଲାଙ୍ଗ ପୋଲିସ ଓ ଡେଲାଙ୍ଗ ଅଗ୍ନିଶମ ବିଭାଗର ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ନିଆଁରେ କାର୍ଯ୍ୟାଳୟର ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିବା ବେଳେ ଗ୍ରାମ୍ୟ ବ୍ୟାଙ୍କର ଅଧିକାରୀ ପୋଲିସ ଉପସ୍ଥିତିରେ କ୍ଷୟକ୍ଷତି ଯାଞ୍ଚ କରୁଛନ୍ତି ।

ସୁଗମ ହେବ ଧବଳେଶ୍ୱର ପୀଠକୁ ଯାତ୍ରା, ଏଣିକି ସ୍ଥଳପଥ ଦେଇ ପୀଠରେ ପହଞ୍ଚି ପାରିବେ ଭକ୍ତ

କଟକ: ସୁଗମ ହେବ ବାବା ଧବଳେଶ୍ୱରଙ୍କ ପୀଠକୁ ଯାତ୍ରା । ଦୂର ହେବ ଝୁଲାପୋଲର ଭୟ । ନଦୀରେ ନୁହଁ, ଏଣିକି ସିଧାସଳଖ ସ୍ଥଳପଥ ଦେଇ ପୀଠରେ ପହଞ୍ଚି ପାରିବେ ଭକ୍ତ । ମହାନଦୀ ଛାତି ଉପରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ସେତୁକାର୍ଯ୍ୟ । ଆଠଗଡ଼ର ପ୍ରସିଦ୍ଧ ଶୈବପୀଠକୁ ଯିବାକୁ ଏକ ମାତ୍ର ମାଧ୍ୟମ ଥିଲା ଡଙ୍ଗା । ପରେ ରଜ୍ୟ ସରକାରଙ୍କ ପକ୍ଷରୁ ୨୦୦୬ ମସିହାରେ ନିର୍ମାଣ ହୋଇଥିଲା ଝୁଲାପୋଲ । ଗୁଜରାଟର ମୋର୍ବି ଝୁଲାପୋଲ ଅଘଟଣ ପରେ ଏହି ଝୁଲାପୋଲର ମରାମତି ପାଇଁ ପ୍ରଶାସନ ପକ୍ଷରୁ ଏହାକୁ ବନ୍ଦ ରଖାଯାଇଛି । ଫଳରେ ଚଳିତ ବର୍ଷ ଜାନୁଆରୀ ୧୧ ତାରିଖଠାରୁ ମଞ୍ଚେଶ୍ବର ଘାଟ ପାଖ ମହାନଦୀ ମଝିରେ ମୋରମ ଦ୍ୱାରା ନିର୍ମାଣ ହେଇଥିବା ଅସ୍ଥାୟୀ ରାସ୍ତା ହିଁ ଯାତାୟତର ମାଧ୍ୟମ ପାଲଟିଛି । ତେବେ ଖୁବ୍ ଶୀଘ୍ର ବାବା ଧବଳେଶ୍ବର ପୀଠକୁ ସଂଯୋଗ କରିବାକୁ ଯାଉଛି ସ୍ଥାୟୀ କଂକ୍ରିଟ ସେତୁ ।

ରାଜ୍ୟ ସରକାରଙ୍କ ବିଜୁ ସେତୁ ଯୋଜନାରେ ସେତୁ କାର୍ଯ୍ୟ ଜାରି ରହିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାଜଲକ୍ଷ୍ମୀ କନଷ୍ଟ୍ରକସନକୁ କାର୍ଯ୍ୟ ହସ୍ତାନ୍ତର କରାଯାଇଛି । ୨୨ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ସେତୁ କାମ ଚାଲିଛି । ଦୁଇ ପାଖର ଅପ୍ରୋଜ୍ ରୋଡ୍ କାମ ପ୍ରାୟ ଶେଷ ହୋଇସାରିଥିବା କହିଛନ୍ତି ଉପଜିଲ୍ଲାପାଳ । ସେତୁର କାର୍ଯ୍ୟ ଶେଷ ହେଲେ ଧବଳେଶ୍ବରଙ୍କ ପୀଠକୁ ଅଧିକରୁ ଅଧିକ ଶ୍ରଦ୍ଧାଳୁ ଆଗମନ କରିପାରିବେ ।

ମାଟ୍ରିକ୍ ଟପର ହେଲେ ଏସିଡ୍ ପୀଡିତା

ଚଣ୍ଡିଗଡ଼: କୁନି ଝିଅଟି ହୋଇଥିଲେ । ବୟସ ଥିଲା ମାତ୍ର ୩ ବର୍ଷ । ଦୁନିଆ ଜାଣିନଥିବା ଏହି ବୟସରେ ତାଙ୍କ ଉପରେ ହୋଇଥିଲା ଏସିଡ୍ ମାଡ଼ । କୁନି ଝିଅକୁ ଦେଖି ସହି ପାରୁନଥିଲେ ପଡ଼ିଶା ଘରର ଲୋକେ । ଆଉ ଦିନେ ଅଚାନକ ଏହି ଝିଅ ଉପରେ ଏସିଡ୍ ମାଡ଼ କରିଥିଲେ । ଏସିଡ୍ ଆକ୍ରମଣ ଯୋଗୁଁ ଝିଅଟିର ଦୁଇ ଆଖି ଚାଲିଯାଇଥିଲା । ମୁହଁ ନଷ୍ଟ ହୋଇଯାଇଥିଲା । ହେଲେ ପରିବାର ଲୋକେ ହାରିନଥିଲେ ।

ଏହି କୁନି ଝିଅକୁ ଏବେ ୧୫ ବର୍ଷ । ନିକଟରେ ପ୍ରକାଶ ପାଇଥିବା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳରେ ଏହି ଝିଅ ୯୫.୨୦ ପ୍ରତିଶତ ନମ୍ବର ରଖିଛନ୍ତି । ଏବଂ ନିଜ ସ୍କୁଲରେ ଟପ୍ପର ହୋଇଛନ୍ତି । ୨୦୧୧ ମସିହାରେ ହରିଆଣାର ହିସାରରେ ରହୁଥିବା ୩ ବର୍ଷୀୟ କାଫି ହୋଲି ଖେଳିବାକୁ ଘର ବାହାରକୁ ଯାଇଥିଲେ । କିନ୍ତୁ ରଙ୍ଗ ବଦଳରେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଏସିଡ୍ ମାଡ଼ କରିଥିଲେ । ଆଉ ତାଙ୍କ ମୁହଁ ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ବେଳେ ଆଖିର ଆଲୋକ ମଧ୍ୟ ଚାଲିଯାଇଥିଲା । ପରେ କାଫିଙ୍କୁ ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ସପ୍ତାହେ ଧରି ଚିକିତ୍ସା ଚାଲିବା ପରେ ଡାକ୍ତର କହିଥିଲେ ଯେ କାଫି ସାରା ଜୀବନ ଅନ୍ଧକାରରେ ବିତାଇବେ । ଝିଅକୁ ନ୍ୟାୟ ଦେବା ପାଇଁ ବାପା ହିସାର ଜିଲ୍ଲା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । କୋର୍ଟ ଆକ୍ରମଣକାରୀଙ୍କୁ ଦୁଇବର୍ଷର ଜେଲ ଦଣ୍ଡାଦେଶ ମଧ୍ୟ ଶୁଣାଇଥିଲେ । ଆଖି ହରାଇବା ପରେ କାଫିଙ୍କୁ ଚଣ୍ଡିଗଡ଼ର ଦୃଷ୍ଟିବାଧିତ ଶିକ୍ଷାନୁଷ୍ଠାନର ପାଠ ପଢ଼ାଇଥିଲେ ବାପା-ମାଆ । ଆଉ ଏବେ ସିବିଏସଇ ଦଶମ ଶ୍ରେଣୀରେ ସେ ୯୫ ପ୍ରତିଶତରୁ ଅଧିକ ମାର୍କ ରଖି ନିଜ ସ୍କୁଲରେ ଟପ୍ପର ହୋଇଛନ୍ତି । ଆଗକୁ ଆଇଏଏସ ଅଫିସର ହେବାକୁ ଲକ୍ଷ୍ୟ ରଖିଛନ୍ତି କାଫି ।

ଧୁମଧାମରେ ହେଲା ପାଲଲହଡ଼ା ବିଧାୟକଙ୍କ ବିବାହ ଉତ୍ସବ, ମୁକେଶ ପାଲଙ୍କ ବିବାହ ଭୋଜିରେ ଯୋଗଦେଲେ 5T ସଚିବ

ପାଲଲହଡ଼ା: ବିଧାୟକଙ୍କ ବିବାହ ଭୋଜିରେ ଯୋଗ ଦେଇ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ 5T ସଚିବ ଭି.କେ ପାଣ୍ଡିଆନ । ପାଲଲହଡ଼ା ବିଧାୟକ ମୁକେଶ ପାଲଙ୍କ ବିବାହ ଭୋଜିରେ 5T ସଚିବ ଭି.କେ ପାଣ୍ଡିଆନ ଯୋଗଦେଇ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିମନ୍ତ୍ରଣ ରକ୍ଷା କରି 5T ସଚିବ ଭି.କେ ପାଣ୍ଡିଆନ ବିଧାୟକ ମୁକେଶ ପାଲଙ୍କ ପାଲଲହଡ଼ାସ୍ଥିତ ବାଲିପଶି ଗାଁରେ ଆୟୋଜିତ ଭୋଜିରେ ଯୋଗ ଦେଇଥିଲେ । ଭୋଜିରେ ବହୁ ବିଧାୟକ, ପ୍ରଶାସନିକ ଅଧିକାରୀ ଓ ଜିଲ୍ଲାର ବହୁ ଲୋକପ୍ରତିନିଧିଙ୍କୁ ଦେଖିବାକୁ ମିଳିଥିଲା । ଗତ ୧୨ ତାରିଖରେ ଅନୁଗୁଳ ବଣିଆ ବାହାଲର ମଧୁସୂଦନ ପଟ୍ଟନାୟକଙ୍କ କନ୍ୟା ଅବଲିଶା ପଟ୍ଟନାୟକଙ୍କ ସହ ପାଲଲହଡ଼ା ବିଧାୟକ ମୁକେଶ ପାଲଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ଅନୁଗୁଳର ଏକ ତାରକା ହୋଟେଲରେ ଆୟୋଜନ ହୋଇଥିଲା ବିବାହ ଉତ୍ସବ ।