spot_img
Home Blog Page 3184

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେଲା ବାତ୍ୟା ‘ମୋକା’

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେଲା ବାତ୍ୟା ମୋକା। ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ପୋର୍ଟବ୍ଲେୟାର ଠାରୁ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ୫୧୦କିଲୋମିଟର ଦୂରରେ ରହିଛି। କ୍ରମଶଂ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆଜି ବିଳମ୍ବିତ ରାତି ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ ।

୧୨ ତାରିଖକୁ ଅତି ପ୍ରବଳ ବାତ୍ୟାରେ ପରିଣତ ହେବ । ଏହାପରେ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତି କରି ୧୪ ତାରିଖ ପୂର୍ବାହ୍ନରେ  ବାଂଲାଦେଶ ଓ ମିଆଁମାର ଉପକୂଳ ଛୁଇଁବ । ବଙ୍ଗୋପସାଗର, ଆଣ୍ଡାମାନ ନିକୋବର ଦୀପପୂଞ୍ଜ ଓ ବାଂଲାଦେଶ ଓ ମିଆଁମାର ଉପରେ ରହିବ ବିଶେଷ ପ୍ରଭାବ । ମିଜୋରାମ, ତ୍ରୀପୂରା ଏବଂ ମଣିପୁର ଉପରେ ମଧ୍ୟ ପ୍ରଭାବ ରହିବ ।

୧୩ ଓ ୧୪ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପବନମର ବେଗ ୫୦-୬୦ କିଲୋମିଟର ରହିବ । ଏବେ ବାଂଲାଦେଶଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୧୨୧୦ କିଲୋମିଟର ଦୂରରେ ରହିଛି।

କିଏ ପିନ୍ଧିବ ଝାରସୁଗୁଡ଼ା ମୁକୁଟ? ଇଭିଏମରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ

ଝାରସୁଗୁଡ଼ା: କିଏ ପିନ୍ଧିବ ଝାରସୁଗୁଡ଼ା ମୁକୁଟ? କାହାକୁ ଭରସା କରିଛନ୍ତି ଝାରୁସୁଗୁଡ଼ାବାସୀ। ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ଝାରସୁଗୁଡା ଉପନିର୍ବାଚନ। ଇଭିଏମରେ ସିଲ୍ ୯ ପ୍ରାର୍ଥୀଙ୍କ ଭାଗ୍ୟ। କଡା ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗରୁମରେ ଇଭିଏମକୁ ରଖାଯାଇଛି।

ଉପନିର୍ବାଚନରେ ୭୧.୨୯ରୁ ଅଧିକ ପ୍ରତିଶତ ଭୋଟିଂ ହୋଇଛି । ଭୋଟଦାନରେ ପୁରୁଷଙ୍କୁ ପଛରେ ପକାଇଛନ୍ତି ମହିଳା। ମୋଟ ଏକ ଲକ୍ଷ ୫୧ ହଜାର ୩୫ ଜଣ ମତଦାନ କରିଥିବାବେଳେ ସେମାନଙ୍କ ମଧ୍ୟରେ ୭୪ ହଜାର ୮ ଜଣ ପୁରୁଷ ଓ ୭୭ହଜାର ୨୦ଜଣ ମହିଳା ଭୋଟର ରହିଛନ୍ତି। କୌଣସି ସ୍ଥାନରେ ଭୋଟିଂ ପ୍ରଭାବିତ ହୋଇନାହିଁ। ଭୋଟିଂ ପରେ କଡ଼ା ସୁରକ୍ଷାରେ ଇଭିଏମକୁ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି। ବାହାରେ ପଇଁତରା ମାରୁଛି ସୁରକ୍ଷା ବାହିନୀ।

ଆସନ୍ତା ଶନିବାର ପ୍ରକାଶ ପାଇବ ଫଳାଫଳ। ରେଜଲ୍ଟ ଆସିବା ପୂର୍ବରୁ ନାନା ଆକଳନ କରିଛନ୍ତି ରାଜନୈତିକ ଦଳ ଓ ସମୀକ୍ଷକ। ରେକର୍ଡ ଭୋଟରେ ବିଜୟୀ ହେବା ନେଇ ବିଜେଡି ଦୃଢୋକ୍ତି ପ୍ରକାଶ କରିଛି। ପୂର୍ବ ଉପନିର୍ବାଚନ ଅପେକ୍ଷା ଏଥର ଅଧିକ ବ୍ୟବଧାନରେ ଦଳ ଜିତିବ ବୋଲି ଦମ୍ଭୋକ୍ତି କରିଛି। ସେପଟେ ବିଜେପି ଓ କଂଗ୍ରେସ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛନ୍ତି।

କର୍ଣ୍ଣାଟକରେ ଆସିବ କି କଂଗ୍ରେସ ସରକାର? ଏକଜିଟ୍ ପୋଲରେ ବହୁମତ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏଥର କଂଗ୍ରେସ ସରକାର। ବିଭିନ୍ନ ଏକଜିଟ୍ ପୋଲରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିବା ନେଇ ସୂଚନା ମିଳୁଛି। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ରହିଛି ୧୧୩। ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ସର୍ଭେରେ କଂଗ୍ରେସକୁ ୧୨୨ରୁ ୧୪୦ଟି ଆସନ ମିଳିବା ନେଇ ଆକଳନ କରାଯାଇଛି।

ସେହିପରି ବିଜେପିକୁ ଶକ୍ତ ଝଟକା । ଆକଳନରେ ୮୦ ଟପି ପାରୁନି ବିଜେପି । ୬୨ରୁ ୮୦ଟି ଆସନରେ ବିଜେପିକୁ ସନ୍ତୁଷ୍ଟ ହେବାକୁ ପଡିପାରେ । ସେହିପରି ଜେଡିଏସର କିଙ୍ଗ ମେକର ସ୍ବପ୍ନ ହୋଇପାରେ ଧୂଳିସାତ । କୁମାରସ୍ବାମୀଙ୍କ ଦଳକୁ ମାତ୍ର ୨୦ରୁ ୨୫ ଆସନ ମିଳିବା ନେଇ ଆକଳନ କରାଯାଉଛି । ସେହିପରି ଜି ନ୍ୟୁଜ-ମାଟ୍ରିକ୍ସ ସର୍ଭେରେ କଂଗ୍ରେସକୁ ୧୦୩ରୁ ୧୧୮ ଆସନ ମିଳୁଥିବାବେଳେ ବିଜେପିକୁ ୭୯ରୁ ୯୪ ଆସନ ମିଳିପାରେ।

ଇଣ୍ଡିଆ ଟିଭି-ସିଏନଏକ୍ସ ସର୍ଭେରେ କଂଗ୍ରେସକୁ ୧୧୦ରୁ ୧୨୦ ଆସନ ମିଳୁଥିବାବେଳେ ତିନି ଅଙ୍କ ଛୁଇଁପାରୁନି ବିଜେପି । ଏବିପି ନ୍ୟୁଜ-ସି-ଭୋଟର ସର୍ଭେରେ କଂଗ୍ରେସକୁ ୧୦୦ରୁ ୧୧୨ ଆସନ ମିଳୁଥିବାବେଳେ ବିଜେପି ୮୩ରୁ ୯୫ ଆସନ ମଧ୍ୟରେ ସୀମିତ ହୋଇପାରେ । ନ୍ୟୁଜ ୨୪-ଟୁଡେ ଚାଣକ୍ୟ ସର୍ଭେ କହୁଛି, କଂଗ୍ରେସକୁ ୧୨୦ ଆସନ, ବିଜେପିକୁ ୯୨, ଜେଡିଏସକୁ ୧୨ ଟି ଆସନ ମିଳିପାରେ ।

ସେପଟେ କର୍ଣ୍ଣାଟକ ବିଧାନସଭା ଲାଗି ସରିଛି ମତଦାନ। ୨୨୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ସରିଛି ଭୋଟିଂ। ମତଦାନ କରିଛନ୍ତି ୫ କୋଟିରୁ ଅଧିକ ଭୋଟର। ମଇଦାନରେ ଅଛନ୍ତି ୨୬୧୫ ପ୍ରାର୍ଥୀ । ନିର୍ବାଚନ ପାଇଁ ରାଜ୍ୟରେ ମୋଟ୍ ୫୮ ହଜାର ୫୪୫ ପୋଲିଂ ଷ୍ଟେସନର ବ୍ୟବସ୍ଥା କରାଯାଇଥିଲା ।

ଚଢାଉ ବେଳେ ଆକ୍ରମଣ କଲେ ଖଣି ମାଫିଆ, ଅଳ୍ପକେ ବର୍ତ୍ତିଲେ ଏନଫୋର୍ସମେଣ୍ଟ ଟିମ୍

ଟାଙ୍ଗୀ: ଟାଙ୍ଗୀ ଚାନ୍ଦପୁରରେ ବଢ଼ିଛି ଖଣି ମାଫିଆଙ୍କ ଉତ୍ପାତ। କୁଶପଲ୍ଲା ବେଆଇନ ଖଣି ଉପରେ ଚଢ଼ାଉ ବେଳେ ରଣପୁର ତହସିଲ ଏନଫୋର୍ସମେଣ୍ଟ ଟିମକୁ ଖଣି ମାଫିଆଙ୍କ ଆକ୍ରମଣ ଅଭିଯୋଗ । ଖଣି ମାଫିଆମାନେ ଜୋର ଜବରଦସ୍ତ ଗାଡି ନେଇଯିବା ସହ ଗାଡି ଚଢାଇ ମାରି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଥିରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି  ଏନଫୋର୍ସମେଣ୍ଟ ଟିମର ସଦସ୍ୟ ସୁଦାମ ଚରଣ ବେହେରା । ଏ ନେଇ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି  । ରଣପୁର ଅତିରିକ୍ତ ତହସିଲଦାରଙ୍କ ନେତୃତ୍ବରେ ୮ଜଣିଆ ଟିମ୍ କରିଥିଲା ଚଢ଼ାଉ ।

ଘଟଣାସ୍ଥଳରେ ଚମ୍ପଟ ମାରିଛନ୍ତି ମାଫିଆ । ଗୋଟିଏ ବୁଲେଟ୍, ପଥର ବୋଝେଇ ଟ୍ରକ୍, କଟର ନେଇ ଫେରାର ହୋଇଯାଇଥିବା ସୂଚନା ମିଳିଛି । ୨୦ରୁ ଅଧିକ ପଥର ମାଫିଆ ଆକ୍ରମଣ କରିଥିବା ସୂଚନା । ଆହତ କର୍ମଚାରୀଙ୍କୁ ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଛି ।

ରାଜସ୍ବ ସୁପର ଭାଇଜର ଶିବନାରାୟଣ ପ୍ରଧାନ, ଝାରପଡା ଆରଆଇ ଅନିଲ ବେହେରା, ରାଇପଡା ଆରଆଇ ରାକେଶ ରଞ୍ଜନ ସେଠି  ଓ ରଣପୁର ତହସିଲର ଚାରି ଜଣ ଅମିନ ସାମିଲ ହୋଇଥିଲେ | ଅଭିଯୋଗ ପରେ  ଚାନ୍ଦପୁର ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ ।

ଦେଶର ସମ୍ପତ୍ତିକୁ ନଷ୍ଟ କରୁଥିବା ଲୋକେ ଆତଙ୍କବାଦୀ ଗତିବିଧିରେ ସମ୍ପୃକ୍ତ: ସେହେବାଜ ସରିଫ

ଇସଲାମାବାଦ: ପାକିସ୍ତାନରେ ଇମ୍ରାନ ଖାନଙ୍କ ସମର୍ଥକଙ୍କ ବିକ୍ଷୋଭ ଚାଲିଥିବା ବେଳେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ । ଦେଶର ସମ୍ପତ୍ତିକୁ ନଷ୍ଟ କରୁଥିବା ଲୋକେ ଆତଙ୍କବାଦୀ ଗତିବିଧିରେ ସମ୍ପୃକ୍ତ ବୋଲି ସେହେବାଜ କହିଛନ୍ତି । ଏଥିସହ ନ୍ୟାସନାଲ ଆକାଉଣ୍ଟିବିଲିଟି ବ୍ୟୁରୋ ଦ୍ୱାରା ଇମ୍ରାନଙ୍କ ଗିରଫଦାରୀ ଠିକ୍‌ ବୋଲି ସେ ଦର୍ଶାଇଛନ୍ତି । ଆର୍ଥିକ ଅନିୟମିତତା କାର୍ଯ୍ୟରେ ଯେଉଁମାନେ ସମ୍ପୃକ୍ତ ରହିବେ ସେମାନଙ୍କୁ ନିଶ୍ଚୟ ଦଣ୍ଡ ମିଳିବ । ଇମ୍ରାନଙ୍କୁ ୮ ଦିନ ପାଇଁ ନାବ୍‌ ରିମାଣ୍ଡରେ ନେଇଥିବା ବେଳେ ପଚରାଉଚରା କରିବ । ଯେଉଁ ଦଳର ସମର୍ଥକମାନେ ସାରା ଦେଶରେ ବିକ୍ଷୋଭ କରୁଛନ୍ତି ସେମାନଙ୍କୁ ଦଳ ମୁଖିଆ ଏପରି ନକରିବାକୁ ଅପିଲ କରିବା କଥା  । କିନ୍ତୁ ଇମ୍ରାନଙ୍କ ଦଳ ପିଟିଆଇ ପକ୍ଷରୁ ସେମିତି କିଛି ଅପିଲ କରାଯାଇନାହିଁ ବୋଲି ସେହେବାଜ କହିଛନ୍ତି । ଇମ୍ରାନଙ୍କ ସମର୍ଥକଙ୍କୁ ବାର୍ତ୍ତା ଦେବାକୁ ଯାଇ ସେହେବାଜ କହିଛନ୍ତି ଯେ ଇମ୍ରାନ ପ୍ରଧାନମନ୍ତ୍ରୀ ଥିବା ବେଳେ ଜାଣିଶୁଣି ବିରୋଧୀ ଦଳର ନେତା ଓ ତାଙ୍କ ପରିବାର ଲୋକଙ୍କୁ ଗିରଫ କରାଇଥିଲେ ।

ଇମ୍ରାନ ଜେଲ ଯିବା କିଛି ନୂଆ କଥା ନୁହେଁ । ଅଲ କାଦିର ଟ୍ରଷ୍ଟ ମାମଲାରେ ଗିରଫ ହେବା ପରେ ବହୁଚର୍ଚ୍ଚିତ ତୋଷଖାନା ମାମଲାରେ ବି ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଇମ୍ରାନ୍‌ । ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀଙ୍କୁ ବି ଗିରଫ କରାଯାଇଛି । ପ୍ରତିବାଦରେ ପିଟିଆଇ ସମର୍ଥକ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରଖିଛନ୍ତି । ଆନ୍ଦୋଳନକାରୀମାନେ ରେଡିଓ ପାକିସ୍ତାନର ହେଡକ୍ବାର୍ଟର୍ସକୁ ଜାଳି ଦେଇଥିବା ସୂଚନା ମିଳିଛି । ସେପଟେ ଦେଶରେ ମାର୍ଶାଲ ଆଇନ ଲାଗୁ କରିବା ଲାଗି ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି । ବିଭିନ୍ନ ସ୍ଥାନରେ ୧ ହଜାରରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ରାଓଲପିଣ୍ଡିରେ ଆଇଏସଆଇ ମୁଖ୍ୟାଳୟ ବାହାରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ଦେଶବ୍ୟାପୀ ବନ୍ଦ ଲାଗି ପିଟିଆଇ ପକ୍ଷରୁ ଆହ୍ବାନ ଦିଆଯାଇଛି । ସ୍କୁଲ ବନ୍ଦ କରିଦିଆଯାଇଛି । ଲାହୋରରେ ଜଣେ ଆର୍ମି କମାଣ୍ଡରଙ୍କ ଘରେ ପଶି ଇମ୍ରାନଙ୍କ ସମର୍ଥକ କିଛି ମୟୂରଙ୍କୁ ନେଇଯାଇଛନ୍ତି । ଆମେରିକା, ବ୍ରିଟେନ, କାନାଡା ପକ୍ଷରୁ ଟ୍ରାଭେଲ ଆଡଭାଇଜରି ଜାରି କରାଯାଇଛି ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀଙ୍କ ନିକଟରେ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ଦାବି ଦୋହରାଇବେ ନବୀନ । ଦିଲ୍ଲୀରେ ପହଞ୍ଚିବା ପରେ ନବୀନ କହିଛନ୍ତି ଓଡ଼ିଶାର ନ୍ୟାଯ୍ୟ ଦାବିକୁ କେନ୍ଦ୍ର ନିକଟରେ ଉପସ୍ଥାପନ କରିବେ । ୪ ଦିନିଆ ଦିଲ୍ଲୀ ଗସ୍ତରେ କାଲି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସହ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ସମ୍ଭାବନା ରହିଛି । ବିଭିନ୍ନ ଯୋଜନାରେ କେନ୍ଦ୍ର ପାଖରେ ପଡ଼ିଥିବା ବକେୟା ଅର୍ଥ ଓଡ଼ିଶାକୁ ତୁରନ୍ତ ଦେବାକୁ ଦାବି ରଖିବେ ନବୀନ । ଲଗାତର କେନ୍ଦ୍ର ସରକାର ଓଡ଼ିଶା ପ୍ରତି ବିଭିନ୍ନ କ୍ଷେତ୍ରରେ ଅବହେଳା କରିବା ଯୋଗୁ ରାଜ୍ୟ ବିକାଶରେ ବାଧକ ସାଜିଛି । ଏସବୁ ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଦରବାରରେ ଉଠାଇ ରାଜ୍ୟ ପାଇଁ ହକ୍ ମାଗିବେ । ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଓଡ଼ିଶା ଫେରିବେ ।

ପ୍ରଫେସର କିଶୋର ବାସା ହେଲେ ASIର ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ: ଓଡ଼ିଆ ପୁଅଙ୍କୁ ବଡ଼ ଦାୟିତ୍ୱ । NMAର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା କିଶୋର କୁମାର ବାସାଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ । ASIର ମହାନିର୍ଦ୍ଦେଶକ ଭାବେ କିଶୋର ବାସାଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ । ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଉତ୍କଳ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଥିଲେ ପ୍ରଫେସର କିଶୋର ବାସା । ସେ ଭୋପାଳ IGRMSର ନିର୍ଦ୍ଦେଶକ ଦାୟିତ୍ୱରେ ମଧ୍ୟ ଥିଲେ । ସେହିପରି ବାରିପଦା MSCB ବିଶ୍ୱବିଦ୍ୟାଳୟର କୁଳପତି ଥିଲେ କିଶୋର କୁମାର ବାସା ।

ଜଙ୍ଗଲରେ ଚଳିବନି ଜଙ୍ଗଲରାଜ, ହାର୍ଡକୋରଙ୍କୁ ଡିଜିପିଙ୍କ କଡ଼ା ଚେତାବନୀ

ଭୁବନେଶ୍ୱର: ଜଙ୍ଗଲରେ ଚଳିବନି ଜଙ୍ଗଲରାଜ । ହାର୍ଡକୋରଙ୍କୁ ଡିଜିପିଙ୍କ କଡ଼ା ଚେତାବନୀ । ସୁଧୁରିଯାଅ ନହେଲେ ପୋଲିସ ଦେଖାଇବ ଅସଲ ରୂପ । ମାଓବାଦୀରୁ ମିଲିସିଆ, ସମସ୍ତଙ୍କ ପାଇଁ ସତର୍କ ଘଣ୍ଟି । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ତାପରଙ୍ଗ ଜଙ୍ଗଲରେ ଗୁଳିବିନିମୟ ଫଳରେ ୩ ମାଓବାଦୀ ନିହତ ହୋଇଛନ୍ତି । ଆହତ ପୋଲିସ ଡିଏସପି ଏୟାରଲିଫ୍ଟ ହୋଇ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆହତଙ୍କୁ ଆଜି ପୋଲିସ ଡିଜି, ଏଡିଜି ଅପରେସନ, ଗୁଇନ୍ଦା ନିର୍ଦ୍ଦେଶକ ପ୍ରମୁଖ ଭେଟିଛନ୍ତି । ଅସ୍ତ୍ରୋପଚାର ପରେ ଗୋଡ଼ରୁ ଗୋଟିଏ ଗୁଳି ବାହାର କରାଯାଇଛି । ସେପଟେ ମାଓବାଦୀଙ୍କୁ ଗୁଳି, ବନ୍ଧୁକ ଲ୍ୟାଣ୍ଡମାଇନ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ଡିଜିପି । ଓଡ଼ିଶା ସରକାରଙ୍କ ଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ଦ୍ରୁତ ବିକାଶ ଚାଲିଥିବା ବେଳେ ଏଥିରେ ସାମିଲ ହେବାକୁ କହିଛନ୍ତି ସୁନୀଲ ବଂଶଲ ।

ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ପୁର୍ନବାସ ଯୋଜନା ମୁତାବକ ମୁଖ୍ୟସ୍ରୋତକୁ ଫେରିଥିବା ସମସ୍ତ ମାଓବାଦୀଙ୍କୁ ୩୫ ହଜାର ଟଙ୍କା, ୪ ଡିସିମିଲ୍ ଜାଗା କିଣିବାକୁ ୨୫ ହଜାର, ଘର ତିଆରି ପାଇଁ ୪୫ ହଜାର ଟଙ୍କା, ପାଠପଢ଼ା ବାବଦକୁ ୩ ହଜାର ଟଙ୍କା ପ୍ରଦାନ କରୁଛନ୍ତି । ବିଗତ ବର୍ଷରେ ଯୋଗ୍ୟ ବିବେଚିତ ହୋଇଥିବା ୨୨୪ ଜଣ ମାଓବାଦୀଙ୍କୁ ଥଇଥାନ କରିବାରେ ରାଜ୍ୟ ସରକାର ୬ କୋଟି ୭୩ ଲକ୍ଷ ୬ ହଜାର ଟଙ୍କା ଖର୍ଚ୍ଚ କରି ସାରିଥିବା ଗୃହ ବିଭାଗରୁ ସୂଚନା ମିଳିଛି । ଏଣୁ ନିଜର ଦାବି ପୂରଣ ପାଇଁ ନିରୀହଙ୍କ ଜୀବନ ନେବା ଘଟଣା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ମାନବାଧିକାର କର୍ମୀ । ଗୁରୁପ୍ରିୟା ସେତୁ ହେବା ପରେ ବିଚ୍ଛିନ୍ନାଞ୍ଚଳରେ ନିଷ୍ପେସିତ ଭାବେ ବଞ୍ଚୁଥିବା ଲୋକଙ୍କ ସ୍ୱାଭିମାନ ଫେରିଛି । ଏଣୁ ମାରଣାସ୍ତ୍ର ଛାଡ଼ି ଶାନ୍ତିରେ ବଞ୍ଚିବାକୁ ଆହ୍ଵାନ ଦେଇଛନ୍ତି ଡିଜିପି ।

ଜାତୀୟ ସ୍ତରରେ ବଢୁଛି ନବୀନ ପଟ୍ଟନାୟକଙ୍କ ପତିଆରା, ନବୀନ-ନୀତୀଶ ଭେଟଘାଟକୁ ନେଇ ହଲଚଲ ରାଜନୀତି

ଭୁବନେଶ୍ୱର: ନବୀନ-ନୀତୀଶ ଭେଟଘାଟକୁ ନେଇ ରାଜନୀତିରେ ହଟଚମଟ । ମେଣ୍ଟ ନୁହେଁ, ଉଚ୍ଚ ନେତୃତ୍ୱ ପାଇଁ ଜାତୀୟ ସ୍ତରର ନେତାଏ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫ୍ୟାନ୍ । ଥରେ କେନ୍ଦ୍ରମନ୍ତ୍ରୀ ଓ ୫ ଥର ମୁଖ୍ୟମନ୍ତ୍ରୀ ହୋଇ ଜାତୀୟ ରାଜନୀତିକୁ ନୂଆବାଟ ଦେଖାଇଛନ୍ତି ନବୀନ । ଆଦର୍ଶ ଓ ସ୍ବଚ୍ଛ ରାଜନୀତିରେ ଏଜେଣ୍ଡା ସ୍ପଷ୍ଟ ଥିବାରୁ ସାରା ଦେଶରେ ନବୀନଙ୍କ ରହିଛି ସ୍ବତନ୍ତ୍ର ପରିଚୟ । ସେହି ପରିଚୟ ଯୋଗୁଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନଙ୍କ ହୋଇଛି ଭେଟଘାଟ । ଦୁଇ ନେତାଙ୍କ ଭେଟଘାଟକୁ ବ୍ୟକ୍ତିଗତ ଓ ସୌଜନ୍ୟମୂଳକ କହିଛି ବିଜେଡି । ଦଳର ବରିଷ୍ଠ ଉପସଭାପତି କହିଛନ୍ତି- ବିଜେଡି ରାଜ୍ୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଥାଏ । ବିଜେପି ସୁବିଧାବାଦୀ ରାଜନୀତିକୁ ବିଶ୍ବାସ କରେ ।

୨୦୦୦ରୁ ୨୦୦୯ ଯାଏ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ଥିଲା । ମେଣ୍ଟ ଭାଙ୍ଗିବା ପରେ ବିଜେଡି ରାଜ୍ୟ ଓ ଦେଶରେ ସମଦୂରତା ନୀତିକୁ ଆପଣାଇଛି । କେନ୍ଦ୍ରରେ ଯିଏ ବି ସରକାରରେ ଥାଏ ରାଜ୍ୟ ସ୍ୱାର୍ଥକୁ ଆଖିରେ ରହି ପ୍ରସଙ୍ଗଭିତ୍ତିକ ସମର୍ଥନ ଦିଏ ବିଜେଡି । ମୁଖ୍ୟମନ୍ତ୍ରୀ ଜାତୀୟ ସ୍ତରରେ କୌଣସି ମେଣ୍ଟକୁ ଯାଇନାହାନ୍ତି । ତେବେ ଏହି ଭେଟଘାଟକୁ ନେଇ ମୁହାଁମୁହିଁ ବିଜେପି ଓ କଂଗ୍ରେସ । କେନ୍ଦ୍ରର ବିଜେପି ସରକାରକୁ ହଟାଇବା ପାଇଁ ତୃତୀୟ ସାମୁଖ୍ୟ ଗଠନକୁ ଗୁରୁତ୍ୱ ଦେଇଛି କଂଗ୍ରେସ । ତେଣେ ଏହି ଭେଟଘାଟକୁ ନେଇ ଛାନିଆ ରାଜ୍ୟ ବିଜେପି । ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମୁଖ୍ୟମନ୍ତ୍ରୀଙ୍କୁ କରିଥିଲେ ସାକ୍ଷାତ ।

୪ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ସରକାରୀ କାର୍ଯ୍ୟକ୍ରମର କରିବେ ସମୀକ୍ଷା

ଭୁବନେଶ୍ୱର: ୪ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଓ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବେ। ଏହି ସମୟରେ ଓଡ଼ିଶା ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଦାବି କେନ୍ଦ୍ର ପାଖରେ ଦୋହରାଇବେ । ଦିଲ୍ଲୀ ରହଣୀ ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ସମ୍ଭାବନା ରହିଛି। କେନ୍ଦ୍ରକୁ ବିଭିନ୍ନ ଯୋଜନାରେ ବକେୟା ଅର୍ଥ ଓଡ଼ିଶାକୁ ତୁରନ୍ତ ଦେବାକୁ ଦାବି କରିବେ। ରାଜ୍ୟର ନ୍ୟାର୍ଯ୍ୟ ଦାବି ଉପସ୍ଥାପନ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ବିଜେଡି କହିଛି । ଲଗାତର କେନ୍ଦ୍ର ସରକାର ଓଡ଼ିଶା ପ୍ରତି ବିଭିନ୍ନ କ୍ଷେତ୍ରରେ ଅବହେଳା କରିବା ରାଜ୍ୟ ବିକାଶରେ ବାଧକ ସାଜିଛି । ଏସବୁ ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଦରବାରରେ ଉଠାଇ ରାଜ୍ୟ ପାଇଁ ହକ୍ ମାଗିବେ । ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଓଡ଼ିଶା ଫେରିବେ ।