spot_img
Home Blog Page 321

ଆଜିଠାରୁ ସାଇନ ଡାଏ ହୋଇପାରେ ସଂସଦର ମୌସୁମୀ ଅଧିବେଶନ

ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ସାଇନ ଡାଏ ହୋଇପାରେ ସଂସଦର ମୌସୁମୀ ଅଧିବେଶନ। ଏନେଇ ସରକାରୀ ସ୍ତରରେ ବିଚାରବିମର୍ଷ କରାଯାଉଥିବା ସୂଚନା ମିଳିଛି। ଆସନ୍ତା ଅଗଷ୍ଟ ୨୧ ଯାଏ ମୌସୁମୀ ଅଧିବେଶନ ଚାଲିବାର ଥିଲା। ଅଗଷ୍ଟ ୧୨ରୁ ୧୮ ଯାଏ ବ୍ରେକ ପରେ ୨୧ ଯାଏ ଅଧିବେଶନ ଚାଲିବା ଲାଗି ସ୍ଥିରୀକୃତ ହୋଇଥିଲା। ମାତ୍ର ଆଜିଠାରୁ ଅଧିବେଶନ ସାଇନ ଡାଏ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି। ବିହାର ଏସଆଇଆର ପ୍ରସଙ୍ଗରେ ଗୃହ ଭିତରେ ଓ ବାହାରେ ପ୍ରବଳ ହଙ୍ଗାମା କାରଣରୁ ଅଧିବେଶନ ଆରମ୍ଭ ଦିନଠାରୁ ଉଭୟ ଗୃହ କାର୍ଯ୍ଯ ବାଧାପ୍ରାପ୍ତ ହେବାରେ ଲାଗିଛି। ଗତକାଲି ଗୋଟିଏ ଦିନରେ ମୋଟ ୯ଟି ବିଲ୍ ପାସ୍ କରାଯାଇଥିଲା। ଲୋକସଭାରେ ୪ଟି ଓ ରାଜ୍ୟସଭାରେ ୫ଟି ବିଲ୍ ଗୃହୀତ ହୋଇଥିଲା। ଲୋକସଭାରେ ଗୃହୀତ ହୋଇଥିଲା ଆୟକର ବିଲ, କର ଆଇନ ସଂଶୋଧନ ବିଲ, ଜାତୀୟ କ୍ରୀଡ଼ା ବିଲ ଓ ଜାତୀୟ ଆଣ୍ଟିଡୋପିଂ ବିଲ। ସେହିପରି ରାଜ୍ୟସଭାରେ ମଣିପୁର ବଜେଟ ୨୦୨୫-୨୬, ମଣିପୁର ସାମଗ୍ରୀ ଓ ସେବାକର ବିଲ, ମର୍ଚାଣ୍ଟ ସିପିଂ ବିଲ୍ ଇତ୍ୟାଦି।

ବିହାରରେ ଭୋଟ ଗଡ଼ବଡ଼ି ବିରୋଧରେ ରଣନୀତି, କଂଗ୍ରେସ ପକ୍ଷରୁ votechori.in ପୋର୍ଟାଲ ଲଞ୍ଚ

ନନ୍ଦିଘୋଷ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ମୁଣ୍ଡ ଉପରେ । ସେପଟେ କଂଗ୍ରେସ ଆରମ୍ଭ କରିଛି ଭୋଟ ଚୋରି ବିରୋଧରେ ଅଭିଯାନ । ସ୍ବଚ୍ଛ ନିର୍ବାଚନ ଲାଗି ନିର୍ବାଚନ କମିଶନଙ୍କ ନିକଟରେ ଦାବି ରଖିଛି କଂଗ୍ରେସ । ଗତ ଲୋକସଭା ନିର୍ବାଚନ ବେଳେ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଭୋଟ ଚୋରି ହୋଇଥିଲା ବୋଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଯାହା କହିଥିଲେ ତାହାକୁ ନେଇ ବିହାରରେ ଚାଲିଛି ଅଭିଯାନ । ସ୍ବଚ୍ଛ ଭୋଟର ତାଲିକା ଓ ଅବାଧ ନିର୍ବାଚନ ଲାଗି ଜନସାଧାରଣଙ୍କୁ ସାମିଲ କରିବା ନିମନ୍ତେ କଂଗ୍ରେସ  votechori.in ପୋର୍ଟାଲ ଲଞ୍ଚ କରିଛି । ଏହି ପୋର୍ଟାଲରେ ନିଜର ମତ ଉପସ୍ଥାପନ କରିବା ଲାଗି ଆହ୍ବାନ ଦିଆଯାଇଛି । ମେସିନ ପଢିପାରୁଥିବା ଡିଜିଟାଲ ଭୋଟର ତାଲିକା ଲାଗି ଏହି ପୋର୍ଟାଲରେ ଦାବି କରିପାରିବେ ଜନତା । ଏହି ପୋର୍ଟାଲରେ ଅଭିଯୋଗ କଲେ ମଲ୍ଲିକାର୍ଜୁନ ଖଡଗେ, କେ.ସି. ବେଣୁଗୋପାଳ ଓ ଅଜୟ ମାକେନଙ୍କ ସ୍ବାକ୍ଷର ଥିବା ଏକ ଡିଜିଟାଲ ସାର୍ଟିଫିକେଟ ମିଳିପାରିବ । ଏହା ସହ 96-5000-3420କୁ ମିସଡ କଲ୍ କଲେ ନିଜ ଅଭିଯୋଗ ପଞ୍ଜିକରଣ ଲାଗି ଏକ ଏସଏସଏସ ଲିଙ୍କ ଆସିପାରିବ । ଜଣେ ବ୍ୟକ୍ତି-ଗୋଟିଏ ଭୋଟ ନୀତି ବିରୋଧରେ ଭୋଟ ଚୋରି ଏକଅପରାଧ ବୋଲି କୁହାଯାଇଛି । ସେପଟେ ଆସନ୍ତା ସେପ୍ଟେମ୍ବର ୧ରେ ବିହାରରେ ଇଣ୍ଡିମେଣ୍ଟର ମତଦାତା ଅଧିକାର ଯାତ୍ରା କରାଯିବ ବୋଲି ଘୋଷଣା କରାଯାଇଛି । ତେଣେ ବିହାରର ଡିଜିଟାଲ ଚିଠା ଭୋଟର ତାଲିକା ବଦଳରେ ଭୋଟର ତାଲିକାର ଏକ ସ୍କାନଭିତ୍ତିକ ଭୋଟର ତାଲିକା ନିର୍ବାଚନ କମିଶନଙ୍କ ଓ୍ବେବସାଇଟରେ ସ୍ଥାନୀତ କରାଯାଇଛି । ଡିଜିଟାଲ ତାଲିକାରେ ସମସ୍ତ ତଥ୍ୟ ସହଜରେ ମିଳିପାରୁଥିବାବେଳେ ସ୍କାନକପିରେ ତାହା ସମ୍ଭବ ହୋଇପାରୁନଥିବାରୁ ଇସିଙ୍କୁ ପୁଣି ଟାର୍ଗେଟ କରିଛନ୍ତି ବିରୋଧୀ । ଗତ ଅଗଷ୍ଟ ୧ ତାରିଖରେ ଏହି ଚିଠା ଭୋଟର ତାଲିକାକୁ ଅପଲୋଡ କରିଥିଲେ । ମାତ୍ର ବର୍ତ୍ତମାନ ତାହା ବଦଳରେ ସ୍କାନ କପିକୁ ଅପଲୋଡ କରିଛନ୍ତି । ସେପଟେ ଲୋକଜନଶକ୍ତି ପାର୍ଟି(ରାମବିଳାସ) ନେତା ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ବାନ ଖୁବ  ଶୀଘ୍ର ବିହାରରେ ଚିରାଗ କା ଚୌପାଲ ଅଭିଯାନ ଆରମ୍ଭ କରିବେ ବୋଲି ସୂଚନା ମିଳିଛି ।

ଭାରତ-ପାକିସ୍ତାନ ମଧ୍ୟରେ ପୁଣି ବଢିଲା କୂଟନୈତିକ ଉତ୍ତେଜନା

ନନ୍ଦିଘୋଷ ବ୍ୟୁରୋ : ଭାରତ-ପାକିସ୍ତାନ ମଧ୍ୟରେ ପୁଣି ବଢିଲା କୂଟନୈତିକ ଉତ୍ତେଜନା। ଅପରେସନ ସିନ୍ଦୂର ପରେ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସରେ ଭାରତୀୟ ପଦାଧିକାରୀଙ୍କୁ କରାଯାଉଛି ହଇରାଣ, ହରକତ। ଅପରେସନ ସିନ୍ଦୂରରେ ପାକିସ୍ତାନର ୯ଟି ଆତଙ୍କବାଦୀ ଶିବିର ଧ୍ବଂସ ହେବା ସହେ ୧୦୦ରୁ ଅଧିକ ଆତଙ୍କୀ ନିହତ ହେବା ପରେ କ୍ଷୁବ୍ଧ ହୋଇଛି ପାକିସ୍ତାନ। ଜବାବରେ କୂଟନୀତିଜ୍ଞମାନଙ୍କୁ କରିଛି ଟାର୍ଗେଟ। ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସ ଓ କୂଟନୀତିଜ୍ଞଙ୍କ ବାସଭବନକୁ ଖବରକାଗଜ ବନ୍ଦ କରିଦିଆଯାଇଛି। ପ୍ରତିବାଦରେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନୀ ଦୂତାବାସକୁ ବି ଖବରକାଗଜ ବନ୍ଦ କରିଛି ଭାରତ। ସେପଟେ ଭାରତୀୟ କୂଟନୀତିଜ୍ଞଙ୍କ ବାସଭବନ ଓ କାର୍ଯ୍ଯାଳୟକୁ ପାକିସ୍ତାନୀ ଅଧିକାରୀ ବେଆଇନ ପ୍ରବେଶ କରୁଥିବା ଅଭିଯୋଗ ପରେ କ୍ଷୁବ୍ଧ ହୋଇଛି ଭାରତ। ପାକିସ୍ତାନର ଏସବୁ ପଦକ୍ଷେପ ଭିଏନା କନଭେନସନର ନୀତିକୁ ଉଲ୍ଲଂଘନ କରୁଛି ବୋଲି ଭାରତ ଅଭିଯୋଗ କରିଛି। ଭାରତୀୟ କୂଟନୀତିଜ୍ଞଙ୍କ ନିରାପତ୍ତା ଓ ସ୍ବାଭିମାନର ସୁରକ୍ଷା ଦାବି କରିଛି ଭାରତ। ଇସଲାମାବାଦରେ ଭାରତୀୟ କୂଟନୀତିଜ୍ଞଙ୍କୁ ଗ୍ୟାସ, ପାଣି ସଠିକ୍ ଭାବେ ଯୋଗାଯାଉନାହିଁ। ଭାରତୀୟ କୂଟନୀତିଜ୍ଞଙ୍କୁ ଉଚିତ ସୁବିଧା ନଦେବା ଲାଗି ପାକିସ୍ତାନ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିବା କୁହାଯାଇଛି। ୨୦୧୯ରେ ବି ଭାରତର ସର୍ଜିକାଲ ଷ୍ଟ୍ରାଇକ ବେଳେ ଏହି ଧରଣର ଘଟଣା ଘଟିଥିବା କୁହାଯାଇଛି।

ମାଆଙ୍କୁ ମେସେଜ କରିବା ପରେ ନିଜକୁ ଗୁଳି କଲେ ବିଏସଏଫ ଯବାନ

ନନ୍ଦିଘୋଷ ବ୍ୟୁରୋ: ମାଆକୁ ମୋବାଇଲରେ ମେସେଜ ପଠାଇଲେ, ପରେ ଫୋନରେ ମାଆ ସହ କଥା ହେଉଥିବା ସମୟରେ ନିଜ ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କଲେ BSF ଯବାନ l ମୃତ ଯବାନ ଜଣକ କାମାକ୍ଷାନଗର ଥାନା ମାଳପୁରା ଗାଁର ସୁରେଶ ବିଶ୍ୱାଳ  l

ସୂଚନା ଅନୁସାରେ ସୁରେଶ ଆଜିକୁ ପନ୍ଦର ବର୍ଷ ହେବ BSFରେ ଯବାନ ଭାବେ କାର୍ଯ୍ୟ କରି ଆସୁଥିଲେ । ଏବେ ସେ ଜାମ୍ମୁ କାଶ୍ମୀରଠାରେ କାର୍ଯ୍ୟ କରୁଥିଲେ l ୯ ଦିନ ତଳେ ସେ ଘରକୁ ଆସି ଛୁଟି କଟାଇ ଜାମ୍ମୁ କାଶ୍ମୀର ଯାଇଥିଲେ । ଆଜି ସଂନ୍ଧ୍ୟା ସମୟରେ ଡ୍ୟୁଟିରେ ଥିବାବେଳେ ସେ ନିଜ ବନ୍ଧୁକରୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି l

ବଡ଼କଥା ହେଉଛି ସୁରେଶ ନିଜ ଆତ୍ମହତ୍ୟାର କାରଣ ବିଷୟରେ ତାଙ୍କ ମାଆଙ୍କ ଫୋନକୁ ମେସେଜ ପଠାଇବା ସହ ତାଙ୍କ ଆତ୍ମହତ୍ୟା ପାଇଁ ନିଜ ସ୍ତ୍ରୀ, ସାନଭାଇ ଓ ନିଜ ଶ୍ୱଶୁର ଘରକୁ ଦାୟୀ କରିଛନ୍ତି l ତେବେ ସୁରେଶଙ୍କ ମରଶରୀର ଜାମ୍ମୁ କାଶ୍ମୀରରେ ଥିବା ତାଙ୍କ ମାଆଙ୍କୁ ସୂଚନା ଦିଆଯାଇଛି l ଆସନ୍ତାକାଲି ତାଙ୍କ ମରଶରୀର କାମାକ୍ଷାନଗରରେ ପହଞ୍ଚିବା ନେଇ ସୂଚନା ରହିଛି ।

ବିରଳ ବଦନାମୀ ମୁଣ୍ଡାଇଛି ଓଡ଼ିଶା, ରକ୍ତ ଶିକୁଳିରେ ଦେଶରେ ଏକ ନମ୍ବର

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ପାଇଁ ଆଉ ଏକ ଅଲୋଡ଼ା ରେକର୍ଡ । ସିକଲ ସେଲ ବା ରକ୍ତ ଶିକୁଳି ରୋଗରେ ଜାତୀୟ ସ୍ତରରେ ସବୁ ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା । ଅଧିକାର କରିଛି ପ୍ରଥମ ସ୍ଥାନ । ଗତ ବର୍ଷେ ମଧ୍ୟରେ ବହୁ ସଂଖ୍ୟାରେ ବଢିଛି ରୋଗୀଙ୍କ ସଂଖ୍ୟା । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । ସେପଟେ ଏସବୁ ରୋଗ ପାଇଁ ଆବଶ୍ୟକ ରକ୍ତ ସଂଗ୍ରହ ମଧ୍ୟ କମୁଛି । ଯାହାଫଳରେ ସଂକଟରେ ସିକଲ ସେଲ ଓ ଥାଲାସେମିଆ ରୋଗୀ । ରୋଗ ନିରାକରଣ ବ୍ୟବସ୍ଥାରେ ଗ୍ରହଣ କରିବାରେ ସରକାରଙ୍କ ଆଭିମୁଖ୍ୟକୁ ନେଇ ଉଠିଛି ପ୍ରଶ୍ନ ।

ରକ୍ତ ଶିକୁଳିରେ ଛନ୍ଦି ହୋଇଛି ଓଡ଼ିଶା । ସିକଲ ସେଲ ରୋଗରେ ଦେଶରେ ଏବେ ନମ୍ବର । ଏଭଳି ବିରଳ ବଦନାମୀ ମୁଣ୍ଡାଇଛି ରାଜ୍ୟ । ଦିନକୁ ଦିନ ରାଜ୍ୟରେ ସିକଲ ସେଲରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଓଡ଼ିଶାରେ ମୋଟ ୪୫ ଲକ୍ଷ ୪୬ ହଜାର ୩୦୯ ଜଣଙ୍କ ସ୍କ୍ରିନିଂ ହୋଇଥିବା ବେଳେ ସେଥିମଧ୍ୟରୁ ୯୬ ହଜାର ୪୮୪ ଜଣ ସିକଲ ସେଲ ରୋଗୀ ବୋଲି ଚିହ୍ନଟ ହୋଇଛନ୍ତି । ଜାତୀୟ ସ୍ତରର ଏହି ତାଲିକାରେ ଓଡିଶା ପ୍ରଥମରେ ରହିଥିବା ବେଳେ ମଧ୍ୟପ୍ରଦେଶ ଦ୍ବିତୀୟରେ, ଗୁଜରାଟ ତୃତୀୟରେ ଛତିଶଗଡ଼ ଓ ମହାରାଷ୍ଟ୍ର ଚତୁର୍ଥ ଓ ପଞ୍ଚମରେ ରହିଛନ୍ତି । ବିଶେଷ କରି ଏହି ରୋଗୀ ପଶ୍ଚିମ ଓଡ଼ିଶାର ଅଧିକ ରହିଛନ୍ତି । ବଲାଙ୍ଗୀର, ସୁବର୍ଣ୍ଣପୁର, ଝାରସୁଗୁଡା, ବରଗଡ଼, ସମ୍ବଲପୁର, କଳାହାଣ୍ଡିରେ ସିକଲ ସେଲ ଚିନ୍ତା ବଢାଇଛି । ସୁବର୍ଣ୍ଣପୁର ଓ ବଲାଙ୍ଗୀରରେ ମାମଲା ସବୁଠୁ ଅଧିକ ରହିଥିବା କୁହାଯାଇଛି । ଏହି ରୋଗ ପାଇଁ ଜେନେଟିକ କାର୍ଡ ହୋଇଛି । ଜେନେଟିକ କାଉନସେଲିଂ ପାଇଁ ଏଏନଏମ,  ଆଶା ଓ ଅଙ୍ଗନବାଡି କର୍ମୀ ଅଛନ୍ତି, କିନ୍ତୁ ବ୍ୟାପକ ପ୍ରଚାର ହୋଇପାରୁନି । କମ୍ୟୁନିଟି ସ୍କ୍ରିନିଂ ହେବା ପରେ ଅଧିକ ରୋଗୀ ବାହାରୁଛନ୍ତି । ସେପଟେ ରୋଗ ବଢ଼ୁଥିବା ବେଳେ ରକ୍ତ ସଂଗ୍ରହ କମୁଛି ବୋଲି କୁହାଯାଇଛି । ସେଥିପାଇଁ ଏନଜିଓମାନଙ୍କୁ ଇନସେନଟିଭ ଦେବାକୁ ଯୋଜନା ହେଉଛି ବୋଲି କୁହାଯାଇଛି ।

ଏହି ରୋଗ ସାଧାରଣ ଭାବରେ ପଛୁଆ ବର୍ଗ ଏବଂ ଆଦିବାସୀ ଜନଜାତିମାନଙ୍କ ମଧ୍ୟରେ ଦେଖାଯାଇଥାଏ । ପ୍ରାଥମିକ ଅବସ୍ଥାରୁ ଚିହ୍ନଟ କରାଗଲେ ରୋଗର ସୁପରିଚାଳନା କରାଯାଇପାରିବ । କିନ୍ତୁ ଏବେ ସଚେତନତାର ବ୍ୟାପକ ଅଭାବ ରୋଗ ବୃଦ୍ଧିର କାରଣ ବୋଲି କୁହାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସମ୍ପର୍କୀୟଙ୍କ ମଧ୍ୟରେ ବିବାହ କରିଥାନ୍ତି । ରକ୍ତ ସମ୍ପର୍କରେ ବିବାହ ଯୋଗୁଁ ସିକଲ ସେଲ ବ୍ୟାପିବା ଦେଖାଯାଉଛି ବୋଲି ବିଶେଷଜ୍ଞ ମତ ଦେଉଛନ୍ତି । ସେପଟେ ସିକଲ ସେଲ ଓ ଥାଲାସେମିଆ ରୋଗ ପାଇଁ ଆବଶ୍ୟକ ରକ୍ତ ମଧ୍ୟ ରାଜ୍ୟରେ କମ ରହିଛି । ଯାହାକୁ ନେଇ ଅସନ୍ତୋଷ ବଢିଛି ।

ରାଜ୍ୟକୁ ୨୦୩୫ ମସିହା ସୁଦ୍ଧା ସିକଲ ସେଲ ମୁକ୍ତ କରିବା ପାଇଁ କାଗଜପତ୍ରରେ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଏହି ରୋଗୀଙ୍କ ସଂଖ୍ୟା ବଢି ଚାଲିବା ସ୍ଥିତିକୁ ଜଟିଳ କରିଛି ।

ଜମି ବଦଳରେ ଲୋକଙ୍କ ଗିରଫଦାରୀ ସହ ମାଡ଼ ମାରୁଥିବା ସରକାର ଜମିହରାଙ୍କୁ କେମିତି କରିବ କମ୍ପାନୀର ଅଂଶିଦାର ?

ନନ୍ଦିଘୋଷ ବ୍ୟୁରୋ: ଏଣିକି କମ୍ପାନୀକୁ ଜମି ଦେଇଥିବା ଜମିହରା ଲୋକ ସେହି କମ୍ପାନୀର ଅଂଶୀଦାର ହେବେ । ଖୁବଶୀଘ୍ର ରାଜ୍ୟ ସରକାର ଆଣିବାକୁ ଯାଉଛନ୍ତି ନୂଆ ବିସ୍ଥାପନ ନୀତି । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ସେପଟେ ସରକାରୀ ବିସ୍ଥାପନ ନୀତି ଆଣିବା ପୂର୍ବରୁ ଦେଖାଦେଇଛି ବିବାଦ । ଜମି ବଦଳରେ ଲୋକଙ୍କ ଗିରଫଦାରୀ ସହ ମାଡ଼ ମାରୁଥିବା ସରକାର କେମିତି ଜମିହରାଙ୍କୁ କମ୍ପାନୀରେ ଅଂଶୀଦାର କରିବେ ବୋଲି ପ୍ରଶ୍ନ କରିଛି ବିଜେଡି । କଂଗ୍ରେସର ଅଭିଯୋଗ, ଲୋଭ ଦେଖାଇ ଜମି ହଡ଼ପ କରିବାକୁ ଏହା ସରକାରଙ୍କ ଷଡ଼ଯନ୍ତ୍ର ।

ଶିଳ୍ପ ପାଇଁ ଜମି ଦେଇ ବିସ୍ଥାପିତ ହେଲେ ମିଳିବ କମ୍ପାନୀର ଅଂଶୀଦାର । ଜମି ନେଇଥିବା କମ୍ପାନୀରୁ ସମାନୁପାତିକ ଲାଭା ପାଇପାରିବେ ଜମିହରା । ରାଜ୍ୟ ସରକାର ଏପରି ଏକ ନୂଆ ବିସ୍ଥାପନ ଓ ଥଇଥାନ ନୀତି ଆଣିବାକୁ ଯାଉଛନ୍ତି । ଖାଲି ସେତିକି ନୁହେଁ । ନୂଆ ନୀତିରେ ପ୍ରାକୃତିକ ବିପର୍ଯ୍ୟୟରେ ଜମି ହରାଇଥିବା ଲୋକଙ୍କୁ ଜମି ବଦଳରେ ଜମି ଦେବେ ସରକାର, ନଚେତ ଦିଆଯିବ ଜମି ମୂଲ୍ୟର କ୍ଷତିପୂରଣ ।

ନୂଆ ବିସ୍ଥାପନ ନୀତିର ବିଭିନ୍ନ ଦିଗକୁ ନେଇ ବିରୋଧୀ ସମାଲୋଚନା କରିଛନ୍ତି । ଜମି ବଦଳରେ ଜମି କଥା କହି ଲୋକଙ୍କୁ ଭଣ୍ଡାଉଛନ୍ତି ସରକାର । ଲୋକେ ଭିଟାମାଟି କାହିଁକି ଛାଡ଼ିବେ ? ସୁନ୍ଦରଗଡ଼ରେ ଜମିହରାଙ୍କୁ ବୁଲଡୋଜର ଲଗାଇ ମରାଗଲା । ସିଜୁମାଳୀରେ ଜମିହରା ଗିରଫ ହେଲେ । ମୟୂରଭଞ୍ଜ କୁସୁମୀରେ ଖଣି ପାଇଁ ଲୋକଙ୍କୁ ମାଡ଼ ମରାଗଲା । ଯେଉଁ ଅନ୍ତରାଷ୍ଟ୍ରୀୟ କମ୍ପାନୀ ସବୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ସରକାର ପରିବର୍ତ୍ତନ ପରେ ସେସବୁ କମ୍ପାନୀ ଏବେ ବାହାର ରାଜ୍ୟକୁ ଚାଲିଗଲେଣି । ନିପନ ଆନ୍ଧ୍ର ମୁହାଁ, ଇଭି କମ୍ପାନୀ ପଳେଇଲା । କାହିଁକି କମ୍ପାନୀ ମୁହଁ ଫେରାଉଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି । ଜମିହରାଙ୍କୁ କମ୍ପାନୀର ଅଂଶୀଦାର କରିବା କଥା କେବଳ ବାହାନା । ଏପରି କରି ଜମିହରା ଲୋକଙ୍କୁ ଭଣ୍ଡାଇବା ଉଦ୍ୟମକୁ ବିଜେଡି ବରଦାସ୍ତ କରିବ ନାହିଁ ।

ରାଜ୍ୟରେ ଶିଳ୍ପପତିମାନେ ଲୋକଙ୍କ ଜମି ନେଉଛନ୍ତି । ଲୋକ ବିରୋଧ କଲେ ବି ଶୁଣୁ ନଥିବା ଅଭିଯୋଗ କରିଛି କଂଗ୍ରେସ । ଅଂଶୀଦାର ନାଁରେ ଲୋକଙ୍କୁ ଭୁତାଇ ଜମି ହାତେଇବାକୁ ଏହା ସରକାରଙ୍କ ଷଡ଼ଯନ୍ତ୍ର ବୋଲି ଗୁରୁତର ଅଭିଯୋଗ ଆଣିଛି କଂଗ୍ରେସ ।

ରାଜ୍ୟର ଅଶାନ୍ତ ପରିସ୍ଥିତି ଓ ଆନୁସଙ୍ଗିକ ଭିତ୍ତିଭୂମିର ଅଭାବ ଯୋଗୁ ଶିଳ୍ପପତି ମୁହଁ ଫେରାଇବା ଆରମ୍ଭ କଲେଣି । ସେପଟେ ଜମିହରା କ୍ଷତିପୂରଣ ଆଶାରେ ଦିନ କାଟୁଛନ୍ତି । ତେବେ ଶିଳ୍ପପତିଙ୍କ ସହ ଆଲୋଚନା ପରେ ଜମିହରାଙ୍କୁ କମ୍ପାନୀର ଅଂଶୀଦାର କରିବା ନୀତି ଆଣିବେ ସରକାର ନା ଜମି ନେବା ପରେ ଲୋକଙ୍କୁ ଭୁଲି ଯିବେ ତାକୁ ନେଇ ସୃଷ୍ଟି ହୋଇଛି ଆଶା ଆଶଙ୍କା ।

ଗାନ୍ଧୀ ଜୟନ୍ତୀରୁ ବିଜେପି ସରକାରଙ୍କ ବିଫଳତା ଘରେ ଘରେ ପହଞ୍ଚାଇବ ବିଜେଡି

ନନ୍ଦିଘୋଷ ବ୍ୟୁରୋ: ସରକାରଙ୍କ ବିଫଳତାକୁ ଗାନ୍ଧୀ ଜୟନ୍ତୀରୁ ଘରେ ଘରେ ପହଞ୍ଚାଇବ ବିଜେଡି । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଦଳ ଆରମ୍ଭ କରିବ ପଦଯାତ୍ରା । ନାରୀ ନିର୍ଯାତନା, ମହାନଦୀ, ପୋଲାଭରମ ଭଳି ପ୍ରସଙ୍ଗରେ ସରକାରଙ୍କ ବିଫଳତା ନେଇ ଲୋକଙ୍କ ପାଖକୁ ପହଞ୍ଚାଇବାକୁ ଲମ୍ବା ବ୍ଲ ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେଡି । ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ ମାଧ୍ୟମରେ ଅକ୍ଟୋବର ୨ରୁ କଂଗ୍ରେସ ବର୍ଷେ ବ୍ୟାପୀ ପଦଯାତ୍ର କରିବାକୁ ଅଣ୍ଟା ଭିଡିଛି । ସେପଟେ ବିଜେପିର ତ୍ରିରଙ୍ଗା ପଦଯାତ୍ରା ଜାରି ରହିବ ବୋଲି ଦଳ କହିଛି ।

ପ୍ରତିବର୍ଷ ପରି ଚଳିତ ବର୍ଷ ଅକ୍ଟୋବର ୨  ଗାନ୍ଧୀ ଜୟନ୍ତୀରୁ ବିଜେଡି ପଦଯାତ୍ରା ଆରମ୍ଭ କରିବ । ପଦଯାତ୍ରା ମାଧ୍ୟମରେ ବିଜେପି ସରକାରର ଗୋଟିଏ ପରେ ଗୋଟିଏ ବିଫଳତାକୁ ଲୋକଙ୍କ ସାମ୍ନାକୁ ଆଣିବ ଦଳ । ନାରୀ ନିର୍ଯାତନା, ମହାନଦୀ, ପୋଲାଭରମ, କୋଟିଆଠାରୁ ଆରମ୍ଭ କରି କେନ୍ଦ୍ର ଅନୁଦାନ ଭଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବ । ଏନେଇ ଖୁବଶୀଘ୍ର କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବ । ଅନ୍ୟପଟେ ଅକ୍ଟୋବର ୨ ତାରିଖରୁ କଂଗ୍ରେସ ବର୍ଷେ ବ୍ୟାପୀ ପଦଯାତ୍ରା କରିବ । କଂଗ୍ରେସ ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ ମାଲକାନାଗିରିରୁ ଆରମ୍ଭ କରିବ । ୩ଟି ପର୍ଯ୍ୟାୟରେ କଂଗ୍ରେସ ପଦଯାତ୍ରା କରିବ । କଂଗ୍ରେସର ବର୍ଷେ ବ୍ୟାପୀ ପଦଯାତ୍ରାରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏଆଇସିସି ବରିଷ୍ଠ ସଦସ୍ୟମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିବା ପିସିସି ସଭାପତି କହିଛନ୍ତି । ଗାନ୍ଧୀ ଜୟନ୍ତୀରୁ ପିସିସି ସଭାପତି ମାଲକାନାଗିରିରୁ ପଦଯାତ୍ରା ଆରମ୍ଭ କରି ୧୪୭ଟି ନିର୍ବାଚନ ମଣ୍ଡଳରେ ପଦଯାତ୍ରା ମାଧ୍ୟମରେ ଜନ ସଚେତନ କରିବେ  ବୋଲି କହିଛନ୍ତି ।

ବିଜେଡିର ଜନ ଜାଗରଣ ପଦଯାତ୍ରା, କଂଗ୍ରେସ ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହକୁ ଟକ୍କର ଦେବା ପାଇଁ ଶାସକ ବିଜେପି ଜାରି ରଖିବ ତ୍ରିରଙ୍ଗା ଯାତ୍ରା । ବିଜେପି ବିଧାୟକ ବାବୁ ସିଂ କହିଛନ୍ତି ସରକାର ବିରୋଧୀ ପଦଯାତ୍ରାର କୌଣସି ପ୍ରଭାବ ପଡିବନି । ନାରୀ ନିର୍ଯାତନା ପ୍ରସଙ୍ଗରେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଜେପି ବର୍ଷ ସାରା ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ଦଳ କହିଛି ।

ବିରୋଧୀଙ୍କ ପଦଯାତ୍ରା ବନାମ ଶାସକ ଦଳର ତ୍ରିରଙ୍ଗା ଯାତ୍ରା । ନାରୀ ନିର୍ଯାତନା ସହ ରାଜ୍ଯରେ ଆଇନ ଶୃଙ୍ଖଳା ବ୍ଯବସ୍ଥା ହେଉ କି ବିକାଶ ପ୍ରସଙ୍ଗ । କାହାର ହେବ ଜିତାପଟ ତା’ଉପରେ ରହିବ ଲୋକଙ୍କ ନଜର ।

ବିଜେଡି ପ୍ରଶ୍ନର ଏଯାଏଁ ମିଳିଲାନି ଉତ୍ତର, ହାଇକୋର୍ଟକୁ ଯିବ ବିଜେଡି

ନନ୍ଦିଘୋଷ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନରେ ଭୋଟିଂ ଓ ଗଣତିରେ ହୋଇଛି ତ୍ରୁଟି । ନିର୍ବାଚନ କମିଶନଙ୍କୁ ବାରମ୍ବାର ୧୭ସି ଫର୍ମ ମାଗିଲେ ମିଳିଲାନି । ମିଳିଲାନି କୌଣସି ସନ୍ତୋଷଜନକ ଉତ୍ତର । ଏଣିକି ନିର୍ବାଚନ କମିସନଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବ ବିଜୁ ଜନତା ଦଳ । ସେପଟେ କଂଗ୍ରେସ ଏ ଦିଗରେ ଯେଉଁ ତମ୍ବିତୋଫାନ କରୁଛି । ଆଠ ମାସ ପୂର୍ବରୁ ବିଜେଡି ସମାନ ପ୍ରସଙ୍ଗରେ ଦାବି କରିଥିବା କହିଛି । ଇସିଆଇଙ୍କ ନିରପେକ୍ଷତାକୁ ନେଇ ଦଳ ପ୍ରଶ୍ନ କରିଛି ।

୮ ମାସ ତଳୁ ଯାହା ବିଜେଡି କହିଥିଲା, ତାକୁ ଦୋହରାଉଛି କଂଗ୍ରେସ । ୨୦୨୪ ନିର୍ବାଚନରେ ଭୋଟିଂ ଓ ଗଣତିରେ ତ୍ରୁଟି ହୋଇଥିଲା । ଏ ନେଇ ବିଜୁ ଜନତା ଦଳ ଗତବର୍ଷ ଡିସେମ୍ବର ୧୯ ତାରିଖରେ ଭାରତୀୟ ନିର୍ବାଚନ କମିସନଙ୍କୁ ଭେଟି ଅଭିଯୋଗ କରିଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ନିର୍ବାଚନ କମିସନଙ୍କ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିଲାନି । ଏବେ ବିଜେଡି ନିର୍ବାଚନ କମିସନଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ନିଷ୍ପତ୍ତି ନେଇଛି । ସନ୍ଧ୍ୟା ୫ଟା ଯାଏଁ ଭୋଟ ଥିଲା । ଯେଉଁମାନେ ମତଦାନ କେନ୍ଦ୍ର ଭିତରେ ଥିଲେ, ସେମାନେ ରାତି ୧୧ଟା ୪୫ ଯାଏଁ ଭୋଟ ଦେଇଥିଲେ । ସନ୍ଧ୍ୟା ୫ଟା, ୭ଟା ଓ ରାତି ୧୧ଟା ୪୫ ସୁଦ୍ଧା କେତେ ଭୋଟ ହେଲା । ସେସବୁର ତଥ୍ୟ ରହିଛି । ହେଲେ ଦୁଇ ଦିନ ପରେ ଏହି ତଥ୍ୟରେ ଫରକ ରହିଲା । ଏହା ଇଭିଏମ ନା ମନୁଷ୍ୟକୃତ ଭୁଲ । ସେ ନେଇ ବିଜେଡି ପ୍ରଶ୍ନ କରିଥିଲା । ଫର୍ମ ୧୭ସି ବି ମାଗିଥିଲା । ନିୟମ ଅନୁସାରେ ଏହା ଇସିଆଇ ଦେବା କଥା । ଯାହା ଏଯାଏଁ ମିଳିଲା ନାହିଁ ।

ଏବେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସ୍ବର ଉଠାଇବା ପରେ ରାଜ୍ୟ କଂଗ୍ରେସ ସଭାପତି ସମାନ କଥା କହୁଛନ୍ତି । ଇଭିଏମରେ ପଡ଼ିଥିବା ଭୋଟ ଓ ଗଣତିରେ ତାଳମେଳ ନଥିବା ଇସିଆଇଙ୍କ ଓ୍ବେବସାଇଟରୁ ଅନୁଧ୍ୟାନ କରି ବିଜେଡି ଆପତ୍ତି ଉଠାଇଥିଲା । ସଂସଦୀୟ କ୍ଷେତ୍ର ଓ ବିଧାନସଭା ଭୋଟରେ ବି ତାଳମେଳ ନଥିଲା । ୫୦ ପ୍ରତିଶତ ସଂସଦୀୟ କ୍ଷେତ୍ରରେ ୧୫ ପ୍ରତିଶତରୁ ଅଧିକ ତାରତମ୍ୟ ଦେଖାଦେଇଛି । କେନ୍ଦୁଝରରେ ସର୍ବାଧିକ ୩୦ ପ୍ରତିଶତ ସହ ସବୁଠୁ ବେଶୀ ତାରତମ୍ୟ ଥିଲା । ସେଠି ରାତି ୧୧ଟା ୪୫ ପରେ କିପରି ୧୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା ? ଭୋଟର ପରିଚୟପତ୍ର ପ୍ରକାଶ ହେବାଠୁ ଗଣତି ଯାଏଁ ଅଡିଟ କରିବାକୁ ଇସିଆଇଙ୍କୁ ବିଜେଡି ପ୍ରସ୍ତାବ ଦେଇଥିଲା । ହେଲେ ଇସିଆଇଙ୍କ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ଏଯାଏଁ ମିଳିନାହିଁ । ଆବଶ୍ୟକ ପଡ଼ିଲେ, ସୁପ୍ରିମକୋର୍ଟ ଯିବ ବିଜେଡି । ଇସିଆଇଙ୍କ ଏପରି ଆଚରଣ ଯୋଗୁଁ ଲୋକେ ନିର୍ବାଚନ ପ୍ରକ୍ରିୟାରୁ ବିଶ୍ବାସ ହରାଇବା ଆଶଙ୍କା ସୃଷ୍ଟି ହୋଇଛି ।

ଭୋଟିଂ ଓ ଗଣତିରେ ତାରତମ୍ୟ ଲୋକଙ୍କ ମନରେ ସନ୍ଦେହ ଆଣିଛି । ନିୟମ ଅନୁସାରେ ସବୁ ତଥ୍ୟ ନିର୍ବାଚନ କମିସନ ଦେବା କଥା । ହେଲେ ସୂଚନା ଅଧିକାରୀ ଆଇନ ଆଧାରରେ ମାଗିବା ପରେ ବି ଇସିଆଇ ତଥ୍ୟ ଦେଇ ନଥିବା ଅଭିଯୋଗ କରିଛି ବିଜେଡି । ଯାଜପୁର ସଂସଦୀୟ କ୍ଷେତ୍ରରେ ୧୫୮୭ ଭୋଟ ବ୍ୟବଧାନ ଅଛି । ସେହିପରି ୬୭୭ଟି ହେଉଛି ବିଧାନସଭା ଭୋଟ ବ୍ୟବଧାନ । ଯାହାର ସ୍ପଷ୍ଟୀକରଣ ଏଯାଏଁ ମିଳିନି । ଓଡ଼ିଶାବାସୀଙ୍କ ମନର ସନ୍ଦେହ ଦୂର କରିବାକୁ ବିଜେଡି ବାରମ୍ବାର ଇସିଆଇଙ୍କ ଦ୍ବାରସ୍ଥ ହୋଇଛି ।

ନିର୍ବାଚନ କମିସନଙ୍କ ସ୍ବଚ୍ଛତା ଓ ନିରପେକ୍ଷତା ନେଇ ସାରାଦେଶରେ ଏବେ ବିରୋଧୀଙ୍କ ଗର୍ଜନ । ଓଡ଼ିଶାରେ ବି ବିରୋଧୀ ସ୍ବର ଉଠାଇଛନ୍ତି । ହେଲେ ନିର୍ବାଚନ କମିସନଙ୍କ ନୀରବତା ଅନେକ ବିବାଦୀୟ ପ୍ରଶ୍ନ ଆଡ଼କୁ ଇଙ୍ଗିତ କରୁଛି ।

ଟ୍ରମ୍ପ-ପୁଟିନ ବୈଠକ ପୂର୍ବରୁ ମୋଦିଙ୍କୁ ଜେଲେନସ୍କିଙ୍କ ଫୋନ୍ କଲ୍, ଚାଲିଛି କ’ଣ…

ନନ୍ଦିଘୋଷ ବ୍ୟୁରୋ: ଋଷ-ୟୁକ୍ରେନ ଯୁଦ୍ଧ, ଇସ୍ରାଏଲ-ପାଲେଷ୍ଟାଇ ଓ ଇସ୍ରାଏଲ-ଇରାନ ଯୁଦ୍ଧ । ଆଉ ଏହା ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନାଟ୍ ବିଶ୍ବକୁ ଏମିତି ସ୍ଥିତିକୁ ଟାଣି ନେଇଛି ଘଡି କି ଘଡି ବୈଶ୍ବିକ ସ୍ତରରେ ଦେଖିବାକୁ ମିଳୁଛି ବଡ଼ ବଡ଼ ଅପଡେଟ୍ । ଗୋଟିଏ ପଟେ ଟ୍ରମ୍ପ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବୈଠକ ହେବାକୁ ଯାଉଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ ଲଗାଇଛନ୍ତି । ଯାହାକୁ ନେଇ ସାରା ବିଶ୍ବରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ, ଅଗଷ୍ଟ ୧୫ ତାରିଖରେ ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ବୈଠକ ହେବାକୁ ଯାଉଛି । ଏହା ପୂର୍ବରୁ ଜେଲେନସ୍କି ବିଶ୍ବ ନେତାଙ୍କ ସହ ସମ୍ପର୍କ ବଢ଼ାଇବା ଆରମ୍ଭ କରି ଦେଇଛନ୍ତି । ଏହି କ୍ରମରେ ସୋମବାର ଜେଲେନସ୍କି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି ଦୀର୍ଘ ସମୟ କଥା ହୋଇଥିବା ସୂଚନା ଦେଇଛନ୍ତି ।

ଜେଲେନସ୍କି ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଛି । ଆମେ ସମସ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତାରରେ ଆଲୋଚନା କଲୁ । ଏଥିରେ ଦ୍ବିପକ୍ଷିକ ସହଯୋଗ ଓ କୁଟନୈତିକ ସ୍ଥିତି ସମ୍ପର୍କରେ ଆଲୋଚନା କଲୁ । ଆମ ଲୋକଙ୍କ ପ୍ରତି ଭାରତର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ।

ଅନ୍ୟପକ୍ଷେ, ଜେଲେନସ୍କିଙ୍କ ସହ ଆଲୋଚନା ନେଇ ମୋଦି ମଧ୍ୟ ସ୍ପଷ୍ଟ କରିଛନ୍ତି । ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି, ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇ ନିକଟରେ ଘଟିଥିବା ଘଟଣାକ୍ରମ ସମ୍ପର୍କରେ ଆଲୋଚନା କରି ଖୁସି ଲାଗିଲା । ଶୀଘ୍ର ଓ ଶାନ୍ତିପୂର୍ଣ୍ଣ ଭାବେ ଯୁଦ୍ଧ ବନ୍ଦ କରିବାକୁ ସମସ୍ତ ପ୍ରକାର ଆବଶ୍ୟକତ ସହଯୋଗ କରାଯିବ ବୋଲି କହିଲି । ଭାରତ ଯୁଦ୍ଧ ବନ୍ଦ ନେଇ ସମସ୍ତ ପ୍ରକାର ସହଯୋଗ କରିବା ସହ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବାକୁ ପ୍ରତିବଦ୍ଧ ଥିବା ଜଣାଇଲି ।

ସୂଚନାଯୋଗ୍ୟ, ଋଷ ଆକ୍ରମଣରେ ୟୁକ୍ରେନରେ ହେଉଥିବା କ୍ଷତି ସମ୍ପର୍କରେ ଜେଲେନସ୍କି, ମୋଦିଙ୍କୁ ଅବଗତ କରାଇଛନ୍ତି । ଋଷ କେମିତି ଶହର ଓ ଗାଁକୁ ଟାର୍ଗେଟ କରୁଛି ସେ ସମ୍ପର୍କରେ ମଧ୍ୟ ଜଣାଇଛନ୍ତି । ଗତକାଲି ଜେପୋରିଜ୍ଜିଆର ଏକ ବସ୍ ଡିପୋ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ମୋଦିଙ୍କୁ କହିଥିଲେ । ଋଷ ଜାଣିଶୁଣି ସହର ଉପରେ ଆକ୍ରମଣ କରିବା କାରଣରୁ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ଆକ୍ରମଣ ଏମିତି ସମୟରେ ହୋଇଛି, ଯେତେବେଳେ ଯୁଦ୍ଧ ଶେଷ କରିବାକୁ କୁଟନୈତିକ ସମ୍ଭାବନା ଦେଖାଦେଇଛି । ଜେଲେନସ୍କି ମୋଦିଙ୍କୁ ଏହା ମଧ୍ୟ କହିଛନ୍ତି, ଅସ୍ତ୍ରବିରତ ପାଇଁ ତତ୍ପରତା ଦେଖାଇବା ବଦଳରେ ଋଷ କେବଳ ଜବରଦଖଲ ଓ ହତ୍ୟା କରିବାକୁ ଲାଗିଛି ।

ଭୁବନେଶ୍ବର ହିଟ୍ ଆଣ୍ଡ ରନ୍ ମାମଲା: କ୍ଷତିପୂରଣ ଦାବିରେ ମହିଳାଙ୍କ ଶବ ରଖି ରାସ୍ତାରୋକ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ହିଟ୍ ଆଣ୍ଡ ରନ୍ ମାମଲାରେ ଆଜି ଆହତ ମହିଳାଙ୍କ ମୃତ୍ୟୁ ଘଟିଛି । ଘଟଣା ଦିନ ୮ ବର୍ଷର ଝିଅର ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମାଆଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ ପାତ୍ରପଡ଼ା ଅଞ୍ଚଳରେ ପୁଣି ଉତ୍ତେଜନା ପ୍ରକାଶ ପାଇଛି । ମହିଳାଙ୍କ ଶବ ରଖି ଉତ୍ତ୍ୟକ୍ତ ଲୋକେ ପାତ୍ରପଡ଼ା ଭି-ଟୁ ସମ୍ମୁଖ ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ ଭୁବନେଶ୍ବର ଡିସିପି ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଛି ।

ସୂଚନାଯୋଗ୍ୟ, ରାକ୍ଷୀ ପୂର୍ଣ୍ଣିମା ଦିନ ପାତ୍ରପଡ଼ା ଠାରେ ଏକ ଥାର କାର୍ ମହିଳା, ତାଙ୍କ ଝିଅ ଓ ପୁଅକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଥାର ଡ୍ରାଇଭର ରହିବା ପରିବର୍ତ୍ତେ ଦ୍ରୁତ ଗତିରେ ଗାଡି ଚଲାଇ ପଳାଇଥିଲେ । ଫଳରେ ୮ ବର୍ଷର ଝିଅଟି ଘୋଷାଡ଼ି ହୋଇ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କ ମାଆ ଓ ଭାଇଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ମାଆଙ୍କ ମୃତ୍ୟୁ ଘଟିଛି ।

ଘଟଣା ଘଟିବା ପରେ ପାତ୍ରପଡ଼ା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହ ଅଭିଯୁକ୍ତଙ୍କୁ ଧରିବା, ଗାଡି ଜବତ କରିବା ଓ କ୍ଷତିପୂରଣ ଦେବା ଦାବିରେ ରାସ୍ତାରୋକ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ପରେ ପୁଣି ଉତ୍ତେଜନା ପ୍ରକାଶ ପାଇଥିଲା । ମେଡିକାଲରୁ ମହିଳାଙ୍କ ମୃତଦେହ ପାତ୍ରପଡ଼ାରେ ପହଞ୍ଚିବା ପରେ ଉତ୍ତେଜନା ଆହୁରି ତୀବ୍ର ହୋଇଥିଲା । ଶତାଧିକ ଲୋକ ପାତ୍ରପଡ଼ା ଭି-ଟଚ ସମ୍ମୁଖ ରାସ୍ତାରେ ଏକାଠି ହେବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ରାସ୍ତାରୋକ କରିଥିଲେ ।

ସେପଟେ ଦୁର୍ଘଟଣା ପରେ ଗାଡି ଧରି ଫେରାର ହୋଇଯାଇଥିଲା ଗାଡି ମାଲିକ । ପୋଲିସ ଦୁର୍ଘଟଣା ଘଟାଇ ଥିବା ଥାରଟିକୁ ଜବତ କରିଛି । ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ପୋଲି ସକ୍ଷମ ହୋଇନି ।