spot_img
Home Blog Page 3210

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ନେଲେ ରଞ୍ଜନ ଦାଶ

ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ନେଲେ ରଞ୍ଜନ ଦାଶ। ସ୍ଥାୟୀ ପ୍ରଶାସକ ଭାବେ ଯୋଗଦାନ ପରେ ସେ ଆଜି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ସେବାରେ କାର୍ଯ୍ୟ କରିବେ ବୋଲି ମତ ଦେଇଛନ୍ତି।

ଆଗକୁ ରଥଯାତ୍ରା ଥିବା ବେଳେ ତା ପୂର୍ବରୁ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଯୋଗଦେଇଛନ୍ତି । ସମସ୍ତଙ୍କ ସହ ସମନ୍ୱୟ ରକ୍ଷାକରି ସେ କାର୍ଯ୍ୟ କରିବେ ବୋଲି ମତ ରଖିଛନ୍ତି। ମୁଖ୍ୟ ପ୍ରଶାସକ ଭାବେ ତାଙ୍କର ଏହି ଯୋଗଦାନ ବେଶ ଗୁରୁତ୍ୱପୂର୍ଣ୍ଣ । ମହାପ୍ରଭୁଙ୍କ ଆଶୀର୍ବାଦ ରହିଥିବାରୁ ସେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଥିବା କହିଛନ୍ତି।

ଅତିରିକ୍ତ ଜିଲ୍ଲାପାଳଙ୍କ କାରକୁ ପଛପଟୁ ଧକ୍କା ଦେଲା ମୋ ବସ୍‌

ଭୁବନେଶ୍ବର: କଟକ ଅତିରିକ୍ତ ଜିଲ୍ଲାପାଳଙ୍କ କାରକୁ ପଛପଟୁ ଧକ୍କା ଦେଲା ମୋ ବସ୍‌ । ଅଳ୍ପକେ ବର୍ତ୍ତିଲେ ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର । ରାଜଭବନ ଛକ ନିକଟରେ ଘଟିଛି ଦୁର୍ଘଟଣା । ମୋ ବସ୍‌ଟି ଏଜି ଛକରୁ ଆସୁଥିବା ବେଳେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍‌ ୟୁନିଟ ୬ ପଟୁ ଆସୁଥିଲା । ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ବେଳେ ଗାଡିଟି ଭାଙ୍ଗିଯାଇଛି ।

ପ୍ରାଥମିକ ଚିକିତ୍ସା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ହସ୍ପିଟାଲ ନିଆଯାଇଛି । ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ଜାମ୍ମୁ-କାଶ୍ମୀରରେ NIAର ଆକ୍ସନ, ଆତଙ୍କୀ ଲିଙ୍କରେ ୧୨ଟି ସ୍ଥାନରେ ରେଡ୍

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ NIAର ବଡ଼ ଆକ୍ସନ । ଆତଙ୍କବାଦ ଲିଙ୍କରେ ୧୨ଟି ସ୍ଥାନରେ ରେଡ୍ କରିଛି ଏନଆଇଏ ଟିମ୍ । ପାକିସ୍ତାନୀ ଆତଙ୍କବାଦ ସଂଗଠନ ସହ ସମ୍ପୃକ୍ତି ଓ ଉପତ୍ୟକାରେ ଅଶାନ୍ତି ପାଇଁ ଷଡ଼ଯନ୍ତ୍ରରେ ସମ୍ପୃକ୍ତି ସନ୍ଦେହରେ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି ଚଢ଼ାଉ କରିଛି । ୨୦୨୨ରେ ଜାମ୍ମୁ-କାଶ୍ମୀରରେ ହୋଇଥିବା ଆତଙ୍କୀ ଆକ୍ରମଣ ଓ ଆକ୍ରମଣ ଷଡ଼ଯନ୍ତ୍ରରେ ସମ୍ପୃକ୍ତି ନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ କେନ୍ଦ୍ରୀୟ ଏଜେନ୍ସି ଚଢ଼ାଉ ଜାରି ରଖିଛି । ଅନନ୍ତନାଗ, ଅଓ୍ବନ୍ତିପୁରା, ପୁଲଓ୍ବାମା, ଶ୍ରୀନଗରରl ଥିବା ଆତଙ୍କୀ କ୍ୟାଡର ଓ ଓଭରଗ୍ରାଉଣ୍ଡ ଓ୍ବାର୍କର୍ସଙ୍କ ଘର ଅଫିସରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଛତିଶଗଡ଼ରେ ମାଓ ଆକ୍ରମଣ ପରେ ଓଡ଼ିଶାର ସୀମାନ୍ତ ଜିଲ୍ଲା ସିଲ୍‌

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ଼ରେ ମାଓ ଆକ୍ରମଣ ପରେ ଓଡ଼ିଶାର ସବୁ ସୀମାନ୍ତ ଜିଲ୍ଲା ସିଲ୍‌ । ପୂର୍ବରୁ ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଥିବା ବେଳେ ଏବେ ବରଗଡ଼ ଓ କଳାହାଣ୍ଡିରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ଓଡ଼ିଶାକୁ ୯୦ ପ୍ରତିଶତ ମାଓବାଦୀ ଛତିଶଗଡ଼ରୁ ହିଁ ଆସିଥାନ୍ତି ।

ଛତିଶଗଡ଼ରୁ କିଭଳି ମାଓବାଦୀମାନେ ଓଡ଼ିଶାକୁ ନଆସିବେ, ସେନେଇ ସମସ୍ତ ସୀମାନ୍ତ ଜିଲ୍ଲାକୁ ସିଲ୍‌ କରିଦିଆଯାଇଛି । ଅତିରିକ୍ତ ଡିଜି ଅପରେସନ ଅମିତାଭ ଠାକୁର ଏହି ସୂଚନା ଦେଇଛନ୍ତି । ସୀମାନ୍ତ ଜିଲ୍ଲାର ଏସପିମାନଙ୍କ ସହ ଭିଡିଓ କନଫରେନ୍ସିଂରେ ସ୍ଥିତିର ସମୀକ୍ଷା କରାଯାଉଛି । ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଯୌନ ଶୋଷଣ କରାଯାଉଥିବା ଅଭିଯୋଗ ଆସୁଛି ।

ଯେତେବେଳେ ମହିଳା ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି ସେମାନେ ଏହା ପୋଲିସ ଆଗରେ ପ୍ରକାଶ କରୁଛନ୍ତି । ସମସ୍ତ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ପାଇଁ ଅତିରିକ୍ତ ଡିଜି ଅପରେସନ ଅମିତାଭ ଠାକୁର ଆହ୍ବାନ ଦେଇଛନ୍ତି ।

ଦିନରାତି ଏକ କରି ଝାରସୁଗୁଡା ପ୍ରଚାର ମଇଦାନରେ ବିଜେଡିର ହେଭିୱେଟ୍‌

ଝାରସୁଗୁଡା: ପାଖଉଛି ଝାରସୁଗୁଡ଼ା ଉପନିର୍ବାଚନ । ପ୍ରଚାର ପାଇଁ ହାତରେ ଆଉ କମ୍ ସମୟ । ତେଣୁ ରାତି ଦିନ ଏକ କରି ଲୋକଙ୍କ ପାଖରେ ସରକାରଙ୍କ ବିକାଶ ମୂଳକ ଯୋଜନା ପହଞ୍ଚାଉଛନ୍ତି ବିଜେଡିର ହେଭିୱେଟ୍ ପ୍ରଚାରକ । ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପ୍ରଚାର ଜୋରଦାର୍ କରିଛନ୍ତି  ।

ତେବେ ବିଜେଡ଼ି ପ୍ରଚାରରେ ଆଗୁଆ ରହିଥିବା ଦେଖିବାକୁ ମିଳିଛି  । ପୂର୍ବତନ ମନ୍ତ୍ରୀ ନବ ଦାସ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟଧାରାକୁ ନେଇ ଲୋକଙ୍କୁ ଅବଗତ କରେଇବା ସହ ଝାରସୁଗୁଡ଼ାର ଅଧୁରା ସ୍ଵପ୍ନ ପୂରଣ କରିବା ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରୁଛି  । ସବୁଠି ଦୀପାଳିଙ୍କୁ ସମର୍ଥନର ଆଶୀର୍ବାଦ ଅଜାଡି ଦେଉଛନ୍ତି ଜନସାଧାରଣ ।

ଦିଲ୍ଲୀ ମଦ ନୀତି ମାମଲା: ସିସୋଦିଆଙ୍କ ପରେ ରାଘବ ଚଡ୍ଡାଙ୍କ ନାଁରେ ଚାର୍ଜସିଟ୍

ନୂଆଦିଲ୍ଲୀ: ଦିଲ୍ଲୀ ବିବାଦୀୟ ମଦ ନୀତି ମାମଲା । ମନିଷ ସିସୋଦିଆଙ୍କ ପରେ ରାଘବ ଚଡ୍ଡାଙ୍କ ନାଁରେ ଚାର୍ଜସିଟ । ମଦ ନୀତି ମାମଲାରେ ସିସୋଦିଆଙ୍କୁ ଗିରଫ କରାଯାଇଥିବା ବେଳେ ଇଡି ଦାଖଲ କରିଥିବା ଦ୍ବିତୀୟ ଚାର୍ଜସିଟରେ ଆପର ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କ ନାଁ ରହିଛି । ସିସୋଦିଆଙ୍କ ପୂର୍ବତନ ସଚିବ ସି ଅରବିନ୍ଦଙ୍କ ବୟାନ ଆଧାରରେ ରାଘବ ଚଡ୍ଡାଙ୍କ ନାଁ ଚାର୍ଜସିଟରେ ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ବାସଭବନରେ ବସିଥିବା ବୈଠକରେ ରାଘବ ଚଡ୍ଡା ଉପସ୍ଥିତ ଥିଲେ । ବୈଠକରେ ପଞ୍ଜାବ ଅବକାରୀ ବିଭାଗର କମିସନର ବରୁଣ ରୁଜାମ, ବିଜୟ ନାୟରଙ୍କ ସମେତ ଅନ୍ୟ ଅଫିସର ଉପସ୍ଥିତ ଥିଲେ ବୋଲି ଇଡିକୁ ଅରବିନ୍ଦ ଦେଇଥିବା ବୟାନରେ କହିଛନ୍ତି ।

ଗତକାଲି ପ୍ରଥମ ଥର ଲାଗି ମଦ ଦୁର୍ନୀତିରେ ସିସୋଦିଆଙ୍କ ସମ୍ପୃକ୍ତି ରହିଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଦର୍ଶାଇଥିଲା ସିବିଆଇ । ୨୦୨୧-୨୨ରେ ଦିଲ୍ଲୀ ସରକାର ଲାଗୁ କରିଥିବା ନୂଆ ମଦ ନୀତିରେ ମଦ ମାଫିଆଙ୍କଠାରୁ ଟଙ୍କା ନେଇ ସେମାନଙ୍କୁ ଡିଲରସିପ୍ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ମାମଲାର ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ ଉପରାଜ୍ୟପାଳ ।

ଏନସିପି ସୁପ୍ରିମୋ ପଦରୁ ଇସ୍ତଫା ଦେଲେ ଶରଦ ପାଓ୍ୱାର

ମୁମ୍ବାଇ: ଏନସିପି ସୁପ୍ରିମୋ ପଦରୁ ଇସ୍ତଫା ଦେଲେ ଶରଦ ପାଓ୍ବାର । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛନ୍ତି ଶରଦ ପାଓ୍ୱାର । ପଦ ଛାଡ଼ିବା ଘୋଷଣା ପରେ ପାଓ୍ବାରଙ୍କ ସମର୍ଥନରେ ନାରାବାଜି । ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ପଦ ଛାଡ଼ିବାକୁ ଘୋଷଣା କରିଛନ୍ତି ପାଓ୍ୱାର । ଶରଦ ପାଓ୍ବାରଙ୍କ ପୁତୁରା ତଥା ବରିଷ୍ଠ ନେତା ଅଜିତ ପାଓ୍ବାର ଦଳ ଛାଡ଼ିବା ଚର୍ଚ୍ଚା ଭିତରେ ସୁପ୍ରିମୋ ପଦରୁ ଇସ୍ତଫା ଦେଇଛନ୍ତି ଶରଦ ପାଓ୍ୱାର ।

୧୯୯୯ ମସିହାରେ ଏନସିପି ଗଠନ ସମୟରୁ ଦଳର ଅଧ୍ୟକ୍ଷ ଅଛନ୍ତି ଶରଦ ପାଓ୍ବାର । ଗତବର୍ଷ ପାଓ୍ବାରଙ୍କୁ ଆସନ୍ତା ୪ ବର୍ଷ ଲାଗି ସଭାପତି ଭାବେ ନିର୍ବାଚିତ କରାଯାଇଥିଲା । ଗତ ୨୪ ବର୍ଷ ଧରି ଦଳର ସଭାପତି ପଦରେ ରହିଛନ୍ତି ।

ଖୁବଶୀଘ୍ର କଳିଙ୍ଗରେ ଜିମ୍ନାଷ୍ଟିକ୍‌ ସେଣ୍ଟର, ୫ ଓ ୬ରେ ପ୍ରଥମ ଟ୍ରାଏଲ ମ୍ୟାଚ୍‌

ଭୁବନେଶ୍ବର: ଖୁବଶୀଘ୍ର କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଉଦଘାଟିତ ହେବ ଦେଶର ସର୍ବଶ୍ରେଷ୍ଠ ତଥା ଅତ୍ୟାଧୁନିକ ଜିମ୍ନାଷ୍ଟିକ ସେଣ୍ଟର । ଏହି ଇଣ୍ଡୋର ଜିମ୍ନାଷ୍ଟିକ ସେଣ୍ଟରକୁ ଅତ୍ୟାଧୁନିକ ଭାବରେ ନିର୍ମାଣ କରାଯାଇଥିବାବେଳେ ଏଥିରେ ବିଦେଶୀ ସରଞ୍ଜାମ ଲଗାଯାଇଛି । ୪୦୦ ଦର୍ଶକ କ୍ଷମତା ବିଶିଷ୍ଟ ସେଣ୍ଟରରେ ସେଣ୍ଟ୍ରାଲ ଏସି ସୁବିଧା ରହିଛି ।

ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଥିବା ବେଳେ ଆସନ୍ତା ୫ ଓ ୬ ତାରିଖରେ ଏଠାରେ ଏସିଆନ ଜୁନିଅର ଓ ଏସିଆନ ସିନିଅର ଚାମ୍ପିଅନସିପ ପାଇଁ ଟ୍ରାଏଲ ହେବ । ଯେଉଁଥିରେ ଦେଶର ବଛା ବଛା ଜିମ୍ନାଷ୍ଟିକ ଖେଳାଳି ଅଂଶଗ୍ରହଣ କରିବେ । କଳିଙ୍ଗ ଷ୍ଟାଡିଅମରେ ଜିମ୍ନାଷ୍ଟିକ ଏଚପିସି ନିର୍ମାଣ ହୋଇଥିବାବେଳେ ଆସନ୍ତା ୭ ଓ ୮ ତାରିଖରେ ଜିମ୍ନାଷ୍ଟିକ ଏଚପିସି ପାଇଁ ମଧ୍ୟ ଟ୍ରାଏଲ ହେବ ।

ଏଥିରେ ୧୫୦ରୁ ଅଧିକ ଜିମ୍ନାଷ୍ଟିକ ଖେଳାଳି ଯୋଗଦେବା କାର୍ଯ୍ୟକ୍ରମ ରହିଛି । ତେବେ ଜିମ୍ନାଷ୍ଟିକ ସେଣ୍ଟର ଓ ଏଚପିସି ପାଇଁ ୫ ଜଣ କୋଚଙ୍କୁ ନିଯୁକ୍ତ କରାଯାଇଛି । ସେମାନଙ୍କ ମଧ୍ୟରେ ଜାପାନର ଜଣାଶୁଣା ଜିମ୍ନାଷ୍ଟିକ କୋଚ ସାମିଲ ଅଛନ୍ତି । ସେହିପରି ଏଚପିସି ପ୍ରୋଗ୍ରାମ ନିର୍ଦ୍ଦେଶକ ଭାବେ ବିଶ୍ବବିଖ୍ୟାତ ଷ୍ଟିଭ ବୁଚେରଙ୍କୁ ନିଯୁକ୍ତି ମିଳିଛି ।

ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟ ହେଲା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ ପୋଲିସ ଷ୍ଟେସନ

ଖୋର୍ଦ୍ଧା: ଜିଲ୍ଲାରେ ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ ଓ କେନ୍ଦୁଝର ବଡବିଲରେ ଟ୍ରାଫିକ ପୋଲିସ ଷ୍ଟେସନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ। ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟ ହୋଇଛି ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ ପୋଲିସ ଷ୍ଟେସନ। ଏଥିସହ ୨୩ଟି ଅତିରିକ୍ତ ପଦବୀ ସୃଷ୍ଟି କରାଯାଇଛି। ସେହିପରି କେନ୍ଦୁଝର ଓ ବଡବିଲରେ ୨ଟି ଟ୍ରାଫିକ ପୋଲିସ ଷ୍ଟେସନ ହେବ। ଏଥିପାଇଁ ୨୪ଟି ଅତିରିକ୍ତ ପଦବୀ ସୃଷ୍ଟି କରାଯାଇଛି।

ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟକୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପୋଲିସ ଷ୍ଟେସନ ଭାବେ ଉନ୍ନୀତ କରାଯାଇଛି। ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ଷ୍ଟେସନରେ ସୃଷ୍ଟି ହୋଇଥିବା ୨୩ଟି ନୂତନ ପଦବୀ ମଧ୍ୟରେ ଗୋଟିଏ ଇନ୍‌ସପେକ୍ଟର, ୬ଟି ସବ୍‌ ଇନିସପେକ୍ଟର, ୩ଟି ଆସିଷ୍ଟାଣ୍ଟ ସବ୍‌ ଇନିସପେକ୍ଟର , ୨ଟି ହାବିଲଦାର ଏବଂ ୧୧ଟି କନେଷ୍ଟବଳ ପଦବୀ ରହିଛି।

ସେହିପରି ରାଜ୍ୟ ସରକାର କେନ୍ଦୁଝର ଓ ବଡବିଲ ସହରରେ ଦୁଇଟି ଟ୍ରାଫିକ ପୋଲିସ ଷ୍ଟେସନ ମଧ୍ୟ ସୃଷ୍ଟି କରିଛନ୍ତି। ଏ ସଂପର୍କିତ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି। ଏହାଦ୍ଵାରା ଏହି ଦୁଇ ସହରରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଦୁଇ ଟ୍ରାଫିକ ପୋଲିସ ଷ୍ଟେସନ ପାଇଁ ସୃଷ୍ଟି ହୋଇଥିବା ୨୪ଟି ପଦବୀ ମଧ୍ୟରେ ୨ଟି ଇନ୍‌ସପେକ୍ଟର, ୬ଟି ଆସିଷ୍ଟାଣ୍ଟ ସବ୍‌ଇନସ୍‌ପେକ୍ଟର ଓ ୧୬ଟି କନେଷ୍ଟବଳ ପଦବୀ ରହିଛି।

କର୍ଣ୍ଣାଟକ ବ୍ୟାଟେଲ୍‌: ମହିଳାଙ୍କୁ ୨ ହଜାର ବେକାରୀ ଯୁବକଙ୍କୁ ୩ ହଜାର ଦେବ କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ୮ଦିନ ପୂର୍ବରୁ ସଂକଳ୍ପ ପତ୍ର ଜାରି କରିଛି କଂଗ୍ରେସ । ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରାଯାଇଛି । ଇସ୍ତାହାରରେ ଚାଷୀ, ମହିଳା ଓ ଯୁବଗୋଷ୍ଠୀଙ୍କୁ ଫୋକସ କରିଛି ଦଳ । ରାଜ୍ୟ ପରିବହନ ଯାନରେ ମହିଳାମାନଙ୍କୁ ମାଗଣାରେ ଯାତ୍ରା ସୁବିଧା ଦିଆଯିବ । ନୂଆ ଶିକ୍ଷା ନୀତିକୁ ରଦ୍ଦ କରି ରାଜ୍ୟ ଶିକ୍ଷା ନୀତି ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।

ସୀମା ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ କନ୍ନଡ ଓ ସଂସ୍କୃତ ଭାଷାର ବିକାଶକୁ ଗୁରୁତ୍ବ ଦିଆଯିବ । ସଂରକ୍ଷଣ ସୀମା ୫୦ରୁ ୭୫ ପ୍ରତିଶତକୁ ବୃଦ୍ଧି କରାଯିବ । ପରିବାରର ମୁଖ୍ୟ ମହିଳାଙ୍କୁ ଗୃହଲକ୍ଷ୍ମୀ ଯୋଜନାରେ ମାସିକ ୨ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି ଦଳ । ଏହାଛଡ଼ା ବେରୋଜଗାର ଥିବା ସ୍ନାତକ ଡିଗ୍ରୀ ଧାରୀ ଯୁବକଙ୍କୁ ୨ ବର୍ଷ ଯାଏଁ ମାସିକ ୩ହଜାର ଟଙ୍କା ଲେଖାଏଁ ଭତ୍ତା ଆକାରରେ ଦିଆଯିବ । ଡିପ୍ଲୋମା ଡିଗ୍ରୀଧାରୀଙ୍କୁ ମାସିକ ମିଳିବ ଦେଢ଼ ହଜାର ଟଙ୍କା ।

ସମାଜରେ ଘୃଣା ସୃଷ୍ଟିକାରୀ ସଂଗଠନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ବଜରଙ୍ଗ ଦଳ, ପିଏଫଆଇ ଭଳି ସଂଗଠନକୁ କର୍ଣ୍ଣାଟକରେ ବ୍ୟାନ କରାଯିବ ବୋଲି ନିର୍ବାଚନୀ ଇସ୍ତାହାର ରିଲିଜ ବେଳେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । ରାତିରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କୁ ମାସିତ ୫ହଜାର ଅତିରିକ୍ତ ଭତ୍ତା ପ୍ରଦାନ କରାଯିବ । ଏହାଛଡ଼ା କଂଗ୍ରେସ ସରକାର ଗଠନ କରିବାର ଗୋଟିଏ ବର୍ଷ ଭିତରେ ବିଜେପି ସରକାର ଦ୍ବାରା ପାରିତ ହୋଇଥିବା ସମସ୍ତ ଜନବିରୋଧୀ ଆଇନକୁ ରଦ୍ଦ କରିଦିଆଯିବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି ।

ଗୃହ ଜ୍ୟୋତି ଯୋଜନାରେ ୨ଶହ ୟୁନିଟ ବିଜୁଳି ମାଗଣାରେ ଦିଆଯିବ । ଏହାଛଡ଼ା ଦୁଗ୍ଧ ଚାଷୀଙ୍କ ପାଇଁ ସବସିଡିକୁ ୫ଟଙ୍କାରୁ ୭ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଇସ୍ତାହାରରେ ଉଲ୍ଲେଖ କରିଛି କଂଗ୍ରେସ । କଂଗ୍ରେସ ସଂକଳ୍ପ ପତ୍ର ଉନ୍ମୋଚନ ବେଳେ ଦଳର ଅଧ୍ୟକ୍ଷ ଖଡଗେ, ପିସିସି ସଭାପତି ଡି କେ ଶିବକୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପ୍ରମୁଖ ଉପସ୍ଥିତ ଥିଲେ ।