spot_img
Home Blog Page 3266

ନନ୍ଦିଘୋଷ ଟିଭି ଓ ’ସକାଳ’ ପରିବାର ପକ୍ଷରୁ ବାଲେଶ୍ୱରରେ ଆୟୋଜିତ ହୋଇଛି ମାଟ୍ରିକ୍ ଉତ୍କର୍ଷ ସମ୍ମାନ-୨୦୨୩

ବାଲେଶ୍ୱର: ଦୈନିକ ଖବର କାଗଜ ’ସକାଳ’ ଓ ’ନନ୍ଦିଘୋଷ ଟିଭି’ ପରିବାର ପକ୍ଷରୁ ବାଲେଶ୍ବରରେ ଆୟୋଜିତ ହୋଇଯାଇଛି ମାଟ୍ରିକ ଉତ୍କର୍ଷ ସମ୍ମାନ-୨୦୨୩ । ଏଥିରେ ବାଲେଶ୍ବର ସହ ଭଦ୍ରକ ଓ ମୟୂରଭଂଜ ଜିଲ୍ଲାର ୫୭ ଜଣ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ସମ୍ମାନିତ କରାଯାଇଛି। ସକାଳର ଉତ୍ତର ଓଡ଼ିଶା ମୁଖ୍ୟ ଅସୀମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଫକୀର ମୋହନ ବିଶ୍ବବିଦ୍ୟାଳୟର କୁଳପତି ଡ.ସନ୍ତୋଷ କୁମାର ତ୍ରିପାଠୀ, ଆଇଟିଆର ବୈଜ୍ଞାନିକ ଡ. ପ୍ରିୟନାଥ ପଣ୍ଡା, ଅଧ୍ୟାପକ ଡ. ପଙ୍କଜ ଜେନା ପ୍ରମୁଖ ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ମନୋଜ ପଣ୍ଡା, ଭଦ୍ରକ ଜିଲ୍ଲା ପ୍ରତିନିଧି ଉମାକଲ୍ୟାଣ ମହାପାତ୍ର, ବିଜ୍ଞାପନ ସହକାରୀ ପରିଚାଳକ ଧୃତିସୁନ୍ଦର ପଣ୍ଡା, କଳିଙ୍ଗ ସାହୁ, ପ୍ରତ୍ୟାଶା ମହାନ୍ତି, ମୃତ୍ୟୁଞ୍ଜୟ ପଟ୍ଟନାୟକ, ଉମାକାନ୍ତ ମାଝୀ, ରାଜେଶ ଶର୍ମା, ହିମାଦ୍ରୀ ପାଲ, ସୁରଜ ସିଂ, ବିଶ୍ବମ୍ବର ଦାସ, ଜୟଶ୍ରୀ ବେହେରା, ଶ୍ରୀଲେଖା ସାହୁ ଓ ରମେଶ ଦାସ ଉପସ୍ଥିତ ରହିଥିଲେ ।

ଏହି କାର୍ଯ୍ୟକ୍ରମରେ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ସର୍ବାଧିକ ନମ୍ବର ରଖିଥିବା ଓ ୩ଟି ଜିଲ୍ଲାର ସମସ୍ତ ବ୍ଲକରେ ସର୍ବାଧିକ ନମ୍ବର ରଖିଥିବା ୫୭ ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର, ଉପଢୌକନ ଓ ଫଳକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି। ସେହିପରି ଛାତ୍ରଛାତ୍ରୀଙ୍କୁ ସଠିକ ମାର୍ଗଦର୍ଶନ କରୁଥିବା ଶିକ୍ଷକ, ଶିକ୍ଷୟତ୍ରୀ ଓ ବିଜ୍ଞାପନ ଦାତାମାନଙ୍କୁ ମଧ୍ଯ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଛି ।

ପୁରୁଣା ଢାଞ୍ଚାକୁ ଫେରିଲା ମାଟ୍ରିକ୍ ପରୀକ୍ଷା, ଏବେ ବର୍ଷ ଶେଷରେ ହେବ ବାର୍ଷିକ ପରୀକ୍ଷା

କଟକ: ବଦଳିଲା ମାଟ୍ରିକ୍ ପରୀକ୍ଷା ଢାଞ୍ଚା । ପୁରୁଣା ଢାଞ୍ଚାକୁ ଫେରିଲା ମାଟ୍ରିକ୍ ପରୀକ୍ଷା । ଚଳିତ ବର୍ଷ ପୁରୁଣା ପଦ୍ଧତିରେ ହେବ ଦଶମ ପରୀକ୍ଷା । ବର୍ଷ ଶେଷକୁ ଗୋଟିଏ ଫାଇନାଲ ପରୀକ୍ଷା ହେବ । ତେବେ ଚଳିତ ବର୍ଷ ଆଉ ଦଶମ ଶ୍ରେଣୀରେ ହେବନି ସମ୍ମେଟିଭ୍ ୧ ଓ ୨ ପରୀକ୍ଷା । କରୋନା ପାଇଁ ହେଉଥିଲା ସମ୍ମେଟିଭ୍ ପରୀକ୍ଷା । କିନ୍ତୁ ପୂର୍ବରୁ ହେଉଥିବା ଇଣ୍ଟରନାଲ୍ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ । ଏନେଇ ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା ।

ସେହପରି ଚଳିତ ବର୍ଷ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ମେ’ ୨୬ରୁ ଜୁନ୍ ୧ ପର୍ଯ୍ୟନ୍ତ ଜାରି ରହିବ ଫର୍ମ ଫିଲଅପ୍ । ଫର୍ମ ଫିଲଅପ୍ ପରେ ଜୁଲାଇ ୩ରୁ ଜୁଲାଇ ୮ ପର୍ଯ୍ୟନ୍ତ ଜାରି ରହିବ ସପ୍ଲିମେଣ୍ଟାରୀ ପରୀକ୍ଷା ।

୨ ହଜାର ଟଙ୍କିଆ ନୋଟ ନେଉନି ପେଟ୍ରୋଲ ପମ୍ପ, ପିଙ୍କ୍ ନୋଟ ଦେବାରୁ ପେଟ୍ରୋଲ କାଢ଼ିନେଲେ କର୍ମଚାରୀ

ନୂଆଦିଲ୍ଲୀ: କ୍ଲିନ୍ ନୋଟ୍ ପଲିସି, ଲୋକେ ହିନସ୍ତା । ପେଟ୍ରୋଲ ପମ୍ପରେ ୨ ହଜାର ଟଙ୍କିଆ ନୋଟ୍ ଦେବାରୁ ପେଟ୍ରୋଲ କାଢ଼ି ନେଲେ କର୍ମଚାରୀ । ଉତ୍ତରପ୍ରଦେଶ ଜାଲୋନରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଜାରରୁ ୨ ହଜାର ଟଙ୍କିଆ ନୋଟ ଅପସାରଣ କରିନେବାକୁ ଆରବିଆଇ ଘୋଷଣା କରିଥିବା ବେଳେ ଏନେଇ ସେପ୍ଟେମ୍ବର ୩୦ ତାରିଖ ଯାଏ ସମୟ ଦିଆଯାଇଛି । ଗୋଟିଏ ଦିନରେ ଜଣେ ଗ୍ରାହକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ୨ ହଜାର ଟଙ୍କିଆ ନୋଟ ବଦଳାଇ ପାରିବେ । କିନ୍ତୁ ଏବେ ବି ୨ହଜାର ଟଙ୍କିଆ ନୋଟର ବ୍ୟବହାର ବଜାରରେ ହୋଇପାରିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

ହେଲେ ଦୋକାନୀ ଓ ପେଟ୍ରୋଲ ପମ୍ପରେ ୨ ହଜାର ଟଙ୍କିଆ ନୋଟ ଗ୍ରହଣ କରିବାକୁ ସେମାନେ ମନା କରିଦେଉଥିବା ଭଳି ଘଟଣା ଅନେକ ସ୍ଥାନରେ ଦେଖାଯାଉଛି । ଟ୍ୱିଟର ୟୁଜର ନିଗାର ପରଓ୍ବିନ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ଏବେ ଖୁବ ଭାଇରାଲ ହେଉଛି । ଅନେକ ୟୁଜର୍ସ ପେଟ୍ରୋଲ ପମ୍ପ ଅଧିକରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

 

ମମତା ଓ ନୀତିଶଙ୍କ ପରେ କେଜ୍ରିଓ୍ୱାଲଙ୍କୁ ସମର୍ଥନ ଦେଲେ ଉଦ୍ଧବ ଠାକେରେ

ନୂଆଦିଲ୍ଲୀ: ନୀତିଶ ଓ ମମତାଙ୍କ ପରେ କେଜ୍ରିଓ୍ବାଲଙ୍କୁ ସମର୍ଥନ ଜଣାଇଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ଉଦ୍ଧବ ଠାକରେ । କେନ୍ଦ୍ରର ମନମାନୀ ବିରୋଧରେ ଏକ ହେଉଛନ୍ତି ବିରୋଧୀ । ଦିଲ୍ଲୀରେ କେନ୍ଦ୍ର ସରକାର ଆଣିଥିବା ସ୍ବତନ୍ତ୍ର ଅଧ୍ୟାଦେଶକୁ ରାଜ୍ୟସଭାରେ ପାସ୍ କରାଇ ନଦେବାକୁ ତମାମ ବିରୋଧୀ ଦଳଗୁଡ଼ିକର ସମର୍ଥନ ଯୋଗାଡ଼ କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଆଜି ମୁମ୍ବାଇରେ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି କେଜ୍ରିଓ୍ବାଲ । ସନ୍ଧ୍ୟାରେ ଏନସିପି ପ୍ରମୁଖ ଶରଦ ପାଓ୍ବାରଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କଂଗ୍ରେସ କେଜ୍ରିଓ୍ବାଲଙ୍କୁ ସମର୍ଥନ ଦେଇଛି ।

ଗତକାଲି କୋଲକାତାରେ ପହଞ୍ଚି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କେନ୍ଦ୍ରରେ ବିଜେପି ସରକାର ଆସିବା ପରଠୁ ଦେଶରେ ଗଣତନ୍ତ୍ରର ହତ୍ୟା ହୋଇଛି । ସୁପ୍ରିମକୋର୍ଟଙ୍କ ରାୟ ବଦଳାଇବା ପାଇଁ ଅସମ୍ବିଧାନିକ ଭାବେ ଅଧ୍ୟାଦେଶ ଜାରି କରିଛନ୍ତି କେନ୍ଦ୍ର ସରକାର । ଦିଲ୍ଲୀରେ ଅଫିସରଙ୍କ ନିଯୁକ୍ତି ଓ ବଦଳି ପାଇଁ ନିର୍ବାଚିତ ସରକାରଙ୍କ ହାତରେ କ୍ଷମତା ରହିଛି ବୋଲି ସୁପ୍ରିମକୋର୍ଟ ରାୟ ଦେବାର ସପ୍ତାହେ ପରେ ଏହାକୁ ଚ୍ୟାଲେଞ୍ଜ କରି ସ୍ବତନ୍ତ୍ର ଅଧ୍ୟାଦେଶ ଆଣିଛନ୍ତି କେନ୍ଦ୍ର ସରକାର । ଅଧ୍ୟାଦେଶକୁ ରାଜ୍ୟସଭାରେ ପାସ୍‌ କରାଇ ନଦେବାକୁ ସବୁ ବିରୋଧୀଙ୍କୁ ଏକଜୁଟ କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ଅନ୍ୟାଦେଶ ପର୍ଯ୍ୟନ୍ତ ଟୋଲ ଗେଟ୍ ବନ୍ଦ କଲା ଆଠଗଡ ପ୍ରଶାସନ

ଆଠଗଡ଼: ଗେଟ୍ କର୍ମଚାରୀ ଓ ଛତିଶଗଡ଼ ତୀର୍ଥଯାତ୍ରୀ ଗଣ୍ଡଗୋଳ ଘଟଣା। ଅନ୍ୟାଦେଶ ପର୍ଯ୍ୟନ୍ତ ଟୋଲ ଗେଟ୍ ବନ୍ଦ କଲା ଆଠଗଡ ପ୍ରଶାସନ। ଫେରିଲେ ପର୍ଯ୍ୟଟକ । ଓଡ଼ିଶା ବ୍ରିଜ ଏବଂ ନିର୍ମାଣ ନିଗମ ସହ ବୈଠକ ପରେ ନିଆଯିବ ନିଷ୍ପତି। ସୂଚନା ଦେଲେ ଆଠଗଡ଼ ଉପ ଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ।

ସୂଚନା ଅନୁସାରେ ଛତିଶଗଡରୁ ୨ଟି ବସ୍‌ରେ ପର୍ଯ୍ୟଟକ ଓଡିଶାର ବିଭିନ୍ନ ସ୍ଥାନ ବୁଲୁଥିବା ବେଳେ ମୁଣ୍ଡଳୀ ଟୋଲଗେଟରେ ଟୋଲ କର୍ମଚାରୀ ଅଧିକ ଟଙ୍କା ମାଗିବାରୁ ପ୍ରତିବାଦ କରିଥିଲେ ଡ୍ରାଇଭର। ଯେଉଁଥିପାଇଁ ଉଭୟଙ୍କ ଭିତରେ ବଚସା ଆରମ୍ଭ ହୋଇ ତୁମୁଳକାଣ୍ଡ ଘଟିଥିଲା। ବସ୍ ଭଙ୍ଗାରୁଜା ହୋଇଥିଲା। ବସରେ ଥିବା ୧୧ ଜଣ ଯାତ୍ରୀ, ୩ଜଣ ଟୋଲ୍ କର୍ମଚାରୀ ଆହତ ହୋଇ ଆଠଗଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଜଣେ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଆଠଗଡ଼ ଥାନାରେ ୪ ଟୋଲ୍ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

ଖୁବଶୀଘ୍ର ବଣ୍ଟାଯିବ ରାଜ୍ୟକୁ ଆସିଥିବା ୯ ଲକ୍ଷ ଆବାସ ଘର

ଭୁବନେଶ୍ୱର: ଖୁବଶୀଘ୍ର ବଣ୍ଟାଯିବ ଓଡ଼ିଶାକୁ ଆସିଥିବା ୯ ଲକ୍ଷ ଆବାସ ଘର। ବହୁ ଅଯୋଗ୍ୟ ହିତାଧିକାରୀ ଘର ପାଉଥିବା ନେଇ ବିଭିନ୍ନ ବର୍ଗରୁ ଅଭିଯୋଗ ଆସିବା ପରେ ସାଧାରଣ ଜନତାଙ୍କ ଠାରୁ ଅଭିଯୋଗ ମଗାଯାଇଥିଲା। ସେସବୁର ତର୍ଜମା କରାସରିଛି। ଖୁବଶୀଘ୍ର ରାଜ୍ୟକୁ ଆସିଥିବା ଆବାସ ଘର ଆବଣ୍ଟନ କରାଯିବ।

ମୁଖ୍ୟମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ବିଭାଗୀୟ ସଚିବ ସୁଶୀଲ କୁମାର ଲୋହାନୀ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ବିଭାଗର କାର୍ଯ୍ୟ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ବିଭାଗକୁ ଟାସ୍କ ଦେଇଛନ୍ତି। ରାଜ୍ୟର ସମସ୍ତ ବ୍ଲକରେ ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ୍ ପାର୍କ ସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମିଶନ ମୋଡରେ ମାର୍କେଟିଂ ଲିଙ୍କେଜ୍ ସହିତ ସ୍ଥାପନ ହେବ ଏହି ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ୍ ପାର୍କ। ଆସନ୍ତା ଏକ ବର୍ଷ ମଧ୍ୟରେ ସମସ୍ତ ବ୍ଲକରେ ମିଶନ୍ ଶକ୍ତି କାଫେ  ନିର୍ମାଣ ଏବଂ କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ସ୍ଥାନରେ ଅବ୍ୟବହୃତ ହୋଇ ଖାଲି ପଡ଼ିଥିବା ସରକାରୀ ଅଟ୍ଟାଳିକାକୁ ୩ ମାସ ମଧ୍ୟରେ ସ୍ଥାନୀୟ ମିଶନ୍ ଶକ୍ତି ଗୋଷ୍ଠୀକୁ ହସ୍ତାନ୍ତର, ORMASକୁ ଅଧିକ କ୍ରିୟାଶୀଳ, ସମସ୍ତ ଘରକୁ ପାନୀୟ ଜଳ ଯୋଗାଣକୁ ପ୍ରାଥମିକତା ଦେବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୧% ଗ୍ରାମୀଣ ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି । ସେହିପରି ୫୭ ହଜାର କୋଟି ଟଙ୍କା ବ୍ୟୟରେ ୨୦୬ଟି ମେଗା ପାନୀୟ ଜଳ ପ୍ରକଳ୍ପ ଓ ୧୩୦୦୦ ସିଙ୍ଗଲ ଭିଲେଜ ପାଇପ ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ  ।

ଗାଁରେ ଗଡିବ ମୋ ବସ, ଲକ୍ଷ୍ମୀ ସ୍କିମରେ ମିଳିବ ପରିବହନ ସୁବିଧା

ଭୁବନେଶ୍ୱର: ଗାଁରେ ଗଡିବ ମୋ ବସ। ଲକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳରେ ପରିବହନର ସୁବିଧା ପାଇଁ ମୋ ବସ୍ ଚାଲିବ। ବ୍ଲକରୁ ପ୍ରତି ପଞ୍ଚାୟତକୁ ମୋ ବସ୍ ଚାଲିବ। ପ୍ରଥମ ପର୍ଯ୍ୟାୟରେ ପାଇଲଟ ପ୍ରୋଜେକ୍ଟ ଭାବେ ରାଜ୍ୟର ୬ଟି ଜିଲ୍ଲାକୁ ହାତକୁ ନିଆଯାଇଛି। କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି,କଳାହାଣ୍ଡି ଓ ଗଜପତି ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯାଇଛି। ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ପଞ୍ଚାୟତକୁ ମୋ ବସ ଚାଲିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୨୭ରେ ନୀତି ଆୟୋଗ ବୈଠକ, ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ମେ ୨୭ତାରିଖରେ ନୀତି ଆୟୋଗ ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ବି ସେହି ବୈଠକରେ ସେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଥିଲେ । ଏଥର ବି ସେହି ଦାବି ଦୋହରାଇବେ ମୁଖ୍ୟମନ୍ତ୍ରୀ। ଏଥିସହ ସ୍ୱତନ୍ତ୍ର ପ୍ୟାକେଜ, ଡିବିଟି ମାଧ୍ୟମରେ ଟଙ୍କା ମିଳୁଥିବାରୁ ସବୁ ପଞ୍ଚାୟତରେ ବ୍ୟାଙ୍କ ଖୋଲିବା ନେଇ ଦାବି ରଖିବେ ନବୀନ।

ଟେଲିକମ୍ୟୁନିକେସନ ସୁବିଧା ନେଇ ମଧ୍ୟ ଦାବି ଉଠାଯିବ। ସହରରେ 5G ସମୟରେ ଗାଁରେ 2G କାମ କରୁନି। ଏହାକୁ ଥ୍ରୀଜି କିମ୍ବା ଫୋର-ଜି କରିବାକୁ ନବୀନ ନୀତି ଆୟୋଗ ବୈଠକରେ ଦାବି ଉଠାଇବେ। ରାଜ୍ୟ ସରକାର ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ।

ଆସୁଛି ଆଉ ଏକ ମହାମାରୀ, ସତର୍କ ରହିବାକୁ WHOର ଚେତାବନୀ

ଜେନିଭା: ମାଡିଆସୁଛି ଆଉ ଏକ ମହାମାରୀ। ସଜାଗ ରହିବାକୁ WHOର ଚେତାବନୀ। କରୋନାଠାରୁ ବି ଭୟଙ୍କର ବିପତ୍ତିର ସାମ୍ନା କରିବ ବିଶ୍ବ। ଭୟାବହ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ବିଶ୍ବବାସୀଙ୍କୁ ସତର୍କ କରାଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରମୁଖ ଟେଡରସ ଘେବ୍ରେୟେସସ୍।

ଜେନିଭାରେ ଆୟୋଜିତ ୭୬ତମ ଓ୍ବାର୍ଲଡ ହେଲଥ ଆସେମଲିରେ ଏ ନେଇ WHO ପକ୍ଷରୁ ଏକ ରିପୋର୍ଟ ଦାଖଲ କରାଯାଇଛି । କରୋନା ମହାମାରୀରେ ବିଶ୍ବରେ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି । କରୋନାକୁ ଗ୍ଲୋବାଲ ଏମର୍ଜେନ୍ସିରୁ ହଟାଇ ଦିଆଯାଇଥିଲେ ବି ଆଗାମି ଦିନ ପାଇଁ ଆମକୁ ସତର୍କ ରହିବାକୁ ହେବ । ଆଗାମୀ ଦିନରେ ଭୟଙ୍କର ମହାମାରୀ ବିଶ୍ବକୁ କବଳିତ କରିବା ଆଶଙ୍କା ରହିଛି । ନିର୍ଣ୍ଣାୟକ ଓ ସାମୁହିକ ଭାବେ ଏହାକୁ ପ୍ରତିହତ କରିବାକୁ ପ୍ରସ୍ତୁତ ରହିବା ଆବଶ୍ୟକ।

ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ, ସର୍ଚ୍ଚ ଅପରେସନ ଜୋରଦାର

ଫୁଲବାଣୀ: ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ । ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ସର୍ଚ୍ଚ ଅପରେସନ ଜୋରଦାର । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ କୁର୍ତ୍ତମଗଡ଼ ନିକଟସ୍ଥ ସିନ୍ଧିପଙ୍ଖାଲ ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମଧ୍ୟରେ ଗୁଳିବିନିମୟ। ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ପୋଲିସ୍ ।

ଗୁଇନ୍ଦା ସୂଚନା ଆଧାରରେ ସମ୍ପୃକ୍ତ ଅଞ୍ଚଳରେ ଏସ୍ଓଜି ଯବାନମାନେ କୁମ୍ବିଂ ଅପରେସନ୍ ଚଳାଇଥିଲେ। ଆଜି ସକାଳ ପ୍ରାୟ ୫ଟା ୪୦ମିନିଟ୍ ସମୟରେ ସିନ୍ଧିପଙ୍ଖାଲ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଘଟିବା ପରେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି ।

ଘଟଣାସ୍ଥଳରୁ ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ କିଛି ମାଓବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଗୁରୁତର ଆହତ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ଏଯାବତ୍ କାହାର ମୃତାହତ ଖବର ସ୍ପଷ୍ଟ ହୋଇପାରିନାହିଁ। ସେପଟେ କିଛିଦିନର ନିରବତା ପରେ କନ୍ଧମାଳରେ ଲାଲ୍ ବାହିନୀ ପୁଣିଥରେ ନିଜର ସ୍ଥିତି ଜାହିର କରୁଛି। ଅନ୍ୟପଟେ ଏହି ଗୁଳିବିନିମୟ ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।