spot_img
Home Blog Page 3267

ନୂଆ ସଂସଦ ଭବନ ଉଦଘାଟନୀକୁ ବୟକଟ୍ କଲେ ୮ ବିରୋଧୀ ଦଳ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦଘାଟନୀକୁ ନେଇ ଥମୁନି ବିବାଦ। ରାଷ୍ଟ୍ରପତିଙ୍କ ଦ୍ବାରା ଭବନ ଉଦଘାଟନୀ କରାନଯିବାକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀ ଲଗାତାର ଟାର୍ଗେଟ କରୁଥିବା ବେଳେ ଏବେ ଉତ୍ସବକୁ କେତେକ ରାଜନୈତିକ ଦଳ ବୟକଟ କରିଛନ୍ତି ।

ଆସନ୍ତା ୨୮ ତାରିଖରେ ନୂଆ ସଂସଦ ଭବନର ଉଦଘାଟନୀ ହେବ । ହେଲେ ଉଦଘାଟନୀ ସମାରୋହରେ ସାମିଲ ନହେବାକୁ ନିଷ୍ପତ୍ତି ନେଇଛନ୍ତି ବିରୋଧୀ । କଂଗ୍ରେସ, ତୃଣମୂଳ କଂଗ୍ରେସ,  ଆମ ଆଦମୀ ପାର୍ଟି, ଶିବସେନା ଉଦ୍ଧବ ଗୋଷ୍ଠୀ ଓ ସିପିଆଇ ସମେତ ୧୯ ବିରୋଧୀ ଦଳ ଉଦଘାଟନୀ ସମାରୋହକୁ ବହିଷ୍କାର କରିଛନ୍ତି । ଆଜି ନେଇ ବିରୋଧୀଙ୍କ ପକ୍ଷରୁ ଏକ ମିଳିତ ବିବୃତ୍ତି ଜାରି କରାଯିବ । ଦେଶର ଆର୍ଥିକ ସ୍ଥିତି ଖରାପ ରହିଥିବା ବେଳେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନୂଆ ସଂସଦ ଭବନ ନିର୍ମାଣ କରାଯିବାକୁ ବିରୋଧ କରିଛନ୍ତି ବିରୋଧୀ ।

ରାଷ୍ଟ୍ରପତି ଦେଶର ସାମ୍ବିଧାନିକ ପ୍ରମୁଖ । ହେଲେ ତାଙ୍କୁ ଉଦଘାଟନୀ ସମାରୋହକୁ ନିମନ୍ତ୍ରଣ କରା ନଯାଇ ସଂସଦ ଭବନର ଉଦଘାଟନ କରାଯିବାକୁ ବିରୋଧୀ ସମାଲୋଚନା କରିଛନ୍ତି ।

ରାଜ୍ୟର ପ୍ରମୁଖ ସହରକୁ ସଂଯୋଗ କରିବ ବିଜୁ ଏକ୍ସପ୍ରେସ ୱେ-୨

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ ଲୋକଙ୍କ ବିକାଶକୁ ମିଳିବ ଗତି। ରାଜ୍ୟର ପ୍ରମୁଖ ସହରକୁ ସଂଯୋଗ କରିବ ବିଜୁ ଏକ୍ସପ୍ରେସ ୱେ-୨। ପ୍ରଗତି ପଥରେ ଆହୁରି ଆଗକୁ ବଢିବ ଦକ୍ଷିଣ ଓଡ଼ିଶା। ୩୦୫ କିଲୋମିଟର ଦୀର୍ଘ ଏହି ରାସ୍ତା ବ୍ରହ୍ମପୁର ସହରକୁ ଯୋଡିବ ଜୟପୁର ସହ । ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଖର୍ଚ୍ଚ ହେବ ୭ହଜାର କୋଟି ଟଙ୍କା । ଏଥିରେ ଯୋଡି ହେବ ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲା।

ରାଜ୍ୟର ଅର୍ଥନୈତିକ ଓ ସାମାଜିକ ବିକାଶରେ ଆସିବ ଆହୁରି ପରିବର୍ତ୍ତନ। ରାଜ୍ଯର ଏକ ପ୍ରମୁଖ ଅର୍ଥନୈତିକ କରିଡର ଭାବେ ଗଢି ତୋଳିବା ପାଇଁ ସରକାରଙ୍କ ଲକ୍ଷ୍ୟ ଖୁବଶୀଘ୍ର ପୂରଣ ହେବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ ସହ ଭିଡିଓ ପୋଷ୍ଟ କରି ସୂଚନା ଦିଆଯାଇଛି।

ଅନୁପମା ଫେମ୍ ନିତେଶ ପାଣ୍ଡେଙ୍କ ପରଲୋକ

ମୁମ୍ବାଇ: ଅନୁପମା ଫେମ୍ ନିତେଶ ପାଣ୍ଡେଙ୍କ ପରଲୋକ ହୋଇଛି ।  ୫୧ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ସୂଚନା। ମୁମ୍ବାଇର ଇଗତପୁରୀରେ ତାଙ୍କର ଦେହାନ୍ତ ହୋଇଛି ।

ନିତେଶଙ୍କ ମୃତ୍ୟୁରେ ଟେଲିଭିଜନ ଦୁନିଆରେ ଶୋକର ଛାୟା ଖେଳିଯାଇଛି । ଗତ ୨୫ ବର୍ଷ ଧରି ସେ ଟେଲି ଦୁନିଆର ଜଣେ ଲୋକପ୍ରିୟ ଚେହେରା ଥିଲେ । ହସ ହସ ଚେହେରାର ଜଣେ ବ୍ୟକ୍ତି ଏମିତି ହଟାତ୍ ଚାଲିଯିବେ, ସେନେଇ କେହି ବିଶ୍ୱାସ କରିପାରୁନାହାଁନ୍ତି ।

ତେବେ ଅନୁପମା ଶୋ’ର ଲିଡ୍ ଆକ୍ଟର ସୁଧାଂଶୁ ପାଣ୍ଡେ ଏହି ଦୁଃଖଦ ଖବର ସମ୍ପର୍କରେ ସୂଚନା ଦେଇଛନ୍ତି । ଦୁହେଁ ୱେବ ସିରିଜ୍, ଫିଲ୍ମ ଓ ଓଟିଟି ପ୍ଲାଟଫର୍ମରେ ଏକାଠି କାମ କରିଛନ୍ତି । କିଛି ସମୟ ପୂର୍ବରୁ ଦୁହେଁ ସୁଟିଂ ସେଟରେ ଦେଖାହୋଇଥିଲେ ବୋଲି କହିଛନ୍ତି ସୁଧାଂଶୁ ।

ନିତିଶ ୧୯୯୦ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ ଅନେକ ହିନ୍ଦୀ ଫିଲ୍ମ ଓ ଟିଭି ଶୋରେ ମଧ୍ୟ କାମ କରିଛନ୍ତି । ଓମ୍ ଶାନ୍ତି ଓମ ଫିଲ୍ମରେ ସେ ଶାହରୁଖଙ୍କ ଆସିଷ୍ଟାଣ୍ଟ ଭାବେ ରୋଲ୍ ପ୍ଲେ କରିଥିଲେ ।

ମାଟ୍ରିକରେ ଉତ୍ତୀର୍ଣ୍ଣ କୃତୀ ମେଧାବୀ ଛାତ୍ରଛାତ୍ରୀଙ୍କୁ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ। ସେମାନଙ୍କୁ ଉତ୍ସାହିତ କରିବାକୁ ଦୈନିକ ଖବର କାଗଜ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପରିବାର ପକ୍ଷରୁ ଆୟୋଜିତ ହୋଇଛି ସମ୍ବର୍ଦ୍ଧନା ଉତ୍ସବ ‘ମାଟ୍ରିକ ଉତ୍କର୍ଷ ସମ୍ମାନ’।

ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ତରରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହାସହ ଜିଲ୍ଲାସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବିଦ୍ୟାଳୟକୁ ସମ୍ମାନୀତ କରାଯାଇଛି । ରାଜ୍ୟର ୫ଟି ବଡ଼ ସହରରେ ଚାଲିଥିବା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଭୁବନେଶ୍ବର ଜୟଦେବ ଭବନରେ ୧୦ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହାସହ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବିଦ୍ୟାଳୟକୁ ମଧ୍ୟ ସମ୍ମାନିତ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତୀର୍କି, ମୋ କଲେଜରେ ଅଧ୍ୟକ୍ଷ ଆକାଶ ଦାସ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ବାଲେଶ୍ବରରେ ୩, ସମ୍ବଲପୁରରେ ୧୦, ବ୍ରହ୍ମପୁରରେ ୩ ଏବଂ ଜୟପୁରରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

 

ଘର ସମ୍ମୁଖରୁ ୮ଫୁଟର ଅଜଗର ସାପ ଉଦ୍ଧାର

ଚିତ୍ରକୋଣ୍ଡା: ମାଲକାନଗିରି ଚିତ୍ରକୋଣ୍ଡା ଦୁର୍ଗା ମନ୍ଦିର କୋଲାନିରୁ ୮ଫୁଟର ଅଜଗର ସାପ ଉଦ୍ଧାର। ସନ୍ତୋଷ ବାଘ ନାମକ ଜଣେ ବ୍ୟକ୍ତିଙ୍କ ଘର ଆଗରେ ସାପଟି ବୁଲୁଥିବା ବେଳେ ସାପକୁ ଦେଖି ସାପ ଧରାଳି ମାଧବ କୁସପାରିଆଙ୍କୁ ସୂଚନା ଦେଇଥିଲେ । ସାପ ଧରାଳି ମାଧବ ପହଞ୍ଚି ସାପଟିକୁ ଧରି ଜଙ୍ଗଲ ଭିତରେ ଛାଡି ଦେଇଥିଲେ । ଗ୍ରୀଷ୍ମ ପ୍ରବାହରେ ତାତି ବଢିବା ଯୋଗୁଁ ସାପ ମାନେ ବାହାରକୁ ଚାଲିଆସୁଥିବା ଜଣାପଡିଛି।

ମୁମ୍ବାଇରେ ଉଦ୍ଧବ ଠାକରେଙ୍କୁ ଭେଟିବେ ଅରବିନ୍ଦ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ନୀତିଶ ଓ ମମତାଙ୍କ ସମର୍ଥନ ପରେ ଏବେ ମହାରାଷ୍ଟ୍ର ମୁହାଁ ଅରବିନ୍ଦ କେଜ୍ରିଓ୍ବାଲ। କେନ୍ଦ୍ରର ମନମାନୀ ବିରୋଧରେ ଏକ ହେଉଛନ୍ତି ବିରୋଧୀ । ଦିଲ୍ଲୀରେ କେନ୍ଦ୍ର ସରକାର ଆଣିଥିବା ସ୍ବତନ୍ତ୍ର ଅଧ୍ୟାଦେଶକୁ ରାଜ୍ୟସଭାରେ ପାସ୍ କରାଇ ନଦେବାକୁ ତମାମ ବିରୋଧୀ ଦଳଗୁଡ଼ିକର ସମର୍ଥନ ଯୋଗାଡ କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।

ଆଜି ମୁମ୍ବାଇ ଯାଇ ଉଦ୍ଧବ ଠାକରେ ଓ ଶରଦ ପାଓ୍ବାରଙ୍କୁ ଭେଟିବେ କେଜ୍ରିଓ୍ବାଲ । କେନ୍ଦ୍ରର ମନମାନି ବିରୋଧରେ ସମର୍ଥନ ମାଗିବେ । ଗତକାଲି କୋଲକାତାରେ ପହଞ୍ଚି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଭେଟିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କେନ୍ଦ୍ରରେ ବିଜେପି ସରକାର ଆସିବା ପରଠୁ ଦେଶରେ ଗଣତନ୍ତ୍ରର ହତ୍ୟା ହୋଇଛି । ସୁପ୍ରିମକୋର୍ଟଙ୍କ ରାୟ ବଦଳାଇବା ପାଇଁ ଅସମ୍ବିଧାନିକ ଭାବେ ଅଧ୍ୟାଦେଶ ଜାରି କରିଛନ୍ତି କେନ୍ଦ୍ର ସରକାର।

ଦିଲ୍ଲୀରେ ଅଫିସରଙ୍କ ନିଯୁକ୍ତି ଓ ବଦଳି ପାଇଁ ନିର୍ବାଚିତ ସରକାରଙ୍କ ହାତରେ କ୍ଷମତା ରହିଛି ବୋଲି ସୁପ୍ରିମକୋର୍ଟ ରାୟ ଦେବାର ସପ୍ତାହେ ପରେ ଏହାକୁ ଚ୍ୟାଲେଞ୍ଜ କରି ସ୍ବତନ୍ତ୍ର ଅଧ୍ୟାଦେଶ ଆଣିଛନ୍ତି କେନ୍ଦ୍ର ସରକାର। ଯେଉଁ ରାଜ୍ୟରେ ବିଜେପି ବହୁମତ ପାଉନି, ସେଠାରେ ଅପରେସନ ଲୋଟସ ବଳରେ ସରକାର ଭାଙ୍ଗି ଦିଆଯାଉଛି। ନଚେତ ସିବିଆଇ, ଇଡି ଭଳି ସଂସ୍ଥାର ଦୁରୁପଯୋଗ କରି ବିରୋଧୀଙ୍କୁ ଡରାଇ ରଖିବାକୁ ଅପଚେଷ୍ଟା କରାଯାଉଛି ବୋଲି କେଜ୍ରିଓ୍ବାଲ କହିଛନ୍ତି।

ହୁତୁହୁତୁ ହୋଇ ଜଳୁଛି ଲୁଗା ଦୋକାନ, ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ପଟ୍ଟାମୁଣ୍ଡାଇ: ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଭିତରେ ହୁତୁହୁତୁ ହୋଇ ଜଳୁଛି । ବାହାରେ ଯୁଆଡେ ଦେଖିବ ଖାଲି ଧୁଆଁ ହିଁ ଧୁଆଁ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଆଳି ବଜାରର ଦୃଶ୍ୟ । ରଞ୍ଜିତ ବେହେରାଙ୍କ ନ୍ୟୁ ଟ୍ରେଣ୍ଡ ଲୁଗା ଦୋକାନରେ ଲାଗିଛି ନିଆଁ । ଆଳି, ରାଜକନିକା ଓ ପଟ୍ଟାମୁଣ୍ଡାଇ ଦମକଳ ବାହିନୀଙ୍କ ମିଳିତ ଉଦ୍ୟମରେ ଚାଲିଛି ନିଆଁଲିଭା କାମ ।

ସକାଳୁ ଦୋକାନ ସେଲ୍ସମ୍ୟାନ୍ କୌଣସି କାରଣ ପାଇଁ ଦୋକାନକୁ ଯାଇଥିବା ବେଳେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

ସଡ଼କ ଦୁର୍ଘଟଣାରେ ଟେଲି ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଦୁର୍ଘଟଣାରେ ଆଖି ବୁଜିଲେ  ହିନ୍ଦୀ ମେଗା ଧାରାବାହିକ  ସାରା ଭାଇ ଭର୍ସେସ ସାରା ଭାଇର ଜଣାଶୁଣା ଅଭିନେତ୍ରୀ ବୈଭବୀ ଉପାଧ୍ୟାୟ ।  ଅଭିନେତ୍ରୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ମର ଶରୀରକୁ ଦେଖିବା ପାଇଁ ବନ୍ଧୁ ପରିଜନ ଏବଂ ଟେଲି ଇଣ୍ଡଷ୍ଟ୍ରି କଳାକାରଙ୍କ ଭିଡ଼ ଜମୁଛି ।

ସୂଚନା ଅନୁସାରେ ହିମାଚଳ ପ୍ରଦେଶର କୁଲ୍ଲୁରେ ଏକ ସଡ଼କ ଦୁର୍ଘଟଣାରେ ବୈଭବୀଙ୍କ ପରଲୋକ ହୋଇଛି ।  ତେବେ ବୈଭବୀ ତାଙ୍କ ଭାବି ସ୍ୱାମୀଙ୍କ ସହିତ କାର୍‌ରେ ଫେରୁଥିବାବେଳେ  ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଏଭଳି ଦୁର୍ଘଟଣା ହୋଇଛି ।

ବୈଭବୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କର ସହଯୋଗୀ ମାନେ ସୋସିଅଲ ମିଡିଆରେ ଫଟୋ ଏବଂ ଭିଡ଼ିଓ ଶେୟାର କରି ଶୋକ ପ୍ରକାଶ କରୁଛନ୍ତି ।  ପ୍ରସିଦ୍ଧ ପ୍ରଯୋଜକ ଜେଡି ମଜିଠିୟା ବୈଭବୀଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ସୋସିଅଲ ମିଡିଆରେ ଲେଖିଛନ୍ତିଯେ ବିଶ୍ୱାସ ହଉନିଯେ, ଜୀବନ ଏତେ ଅନ୍‌ପ୍ରେଡିକ୍ଟେବଲ ହୋଇପାରେ ।

ବୈଭବୀଙ୍କ ହସ ହସ ଚେହେରା ବାରମ୍ବାର ଫ୍ୟାନ୍ସଙ୍କୁ ମନେ ପଡ଼ିଯାଉଛି ।  ଅଭିନେତ୍ରୀଙ୍କ ପରିବାରକୁ ଗଭୀର ଆଘାତ ପହଞ୍ଚିଛି । ଭିଜା ଆଖିରେ ସମସ୍ତେ ବୈଭବୀଙ୍କୁ ମନେ ପକାଉଛନ୍ତି । ତେବେ ଏକାଧିକ ଧାରାବାହିକରେ କାମ କରିଛନ୍ତି ବୈଭବୀ । କିନ୍ତୁ ସାରାଭାଇ ଭର୍ସେସ୍‌ ସାରାଭାଇରେ ସେ ଲୋକପ୍ରିୟତା ହାସଲ କରିଥିଲେ ।  ଦର୍ଶକ ତାଙ୍କ ଅଭିନୟକୁ ବେଶ୍‌ ପସନ୍ଦ କରିଛନ୍ତି । ତେବେ ଟିଭି ଧାରାବାହିକ ବ୍ୟତୀତ ବୈଭବୀ ଦୀପିକା ପାଦୁକୋନଙ୍କ ସିନେମା ଛପାକରେ ନଜର ଆସିଥିଲେ

 

ରାଜଧାନୀରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ପୂର୍ବ ଶତ୍ରୁତାରୁ ଖଣ୍ଡାରେ ହାଣିଥିବା ସୂଚନା । ୟୁନିଟ ୧ ହାଇସ୍କୁଲ ସମ୍ମୁଖ ଜିଇଡି ବସ୍ତିରେ ଏଭଳି ଘଟଣା ଘଟିଛି । ମୃତକ ହେଲେ ସୁଶାନ୍ତ ନାୟକ । ହାଣିବା ପରେ ଫେରାର ହୋଇଯାଇଛି ଅଭିଯୁକ୍ତ ।

ଭୋର ୪ଟାରୁ ୫ଟା ଭିତରେ ଆକ୍ରମଣ ହୋଇଥିବା କୁହାଯାଉଛି । ଯୁବକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି । ଘଟଣାସ୍ଥଳରେ ଫରେନସିକ୍ ଟିମ୍ ପହଞ୍ଚି ଛାନବିନ୍ କରୁଛି । ଏଥିସହ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଜଳୁଛି ଓଡ଼ିଶା, ଆସନ୍ତା ୪ଦିନ ଯାଏଁ ନିସ୍ତାର ନାହିଁ

ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା। ୪୩.୩ ଡିଗ୍ରୀ ସହିତ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି ବଲାଙ୍ଗୀର। ୪୦ ଡିଗ୍ରୀ ଉପରେ ରାଜ୍ୟର ୨୨ ସହରର ତାପମାତ୍ରା  । ୮ଟି ସହରର ତାତି ୪୨ ଡିଗ୍ରୀ ବା ତା ଉପରେ ରହିଛି । ସମ୍ବଲପୁରରେ ଦ୍ବିତୀୟ ସର୍ବାଧିକ ୪୨.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଝାରସୁଗୁଡ଼ାରେ ୪୨.୮ ଡିଗ୍ରୀ ତାତି ରେକର୍ଡ ହୋଇଛି।

ସେହିପରି ସୋନପୁରରେ ୪୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଏପଟେ ଜଳୁଛି ଭୁବନେଶ୍ବର । ଆଜି ରାଜଧାନୀରେ ୪୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ବରଗଡ଼ରେ ୪୨.୪, ହୀରାକୁଦରେ ୪୨.୧, ବାରିପଦାରେ ୪୨ ଡିଗ୍ରୀ ତାତି ରେକର୍ଡ ହୋଇଛି । ସୁନ୍ଦରଗଡ଼ ଓ ତାଳଚେରରେ ୪୧.୮, ଅନୁଗୁଳ ୪୧.୭, ରାଉରକେଲା ୪୧.୬, ଖୋର୍ଦ୍ଧା ୪୧.୫, ଢେଙ୍କାନାଳରେ ୪୧.୪, ବୌଦ୍ଧ ଓ କଟକରେ ୪୧, ଚାନ୍ଦବାଲିରେ ୪୦.୭, କେନ୍ଦ୍ରାପଡ଼ାରେ ୪୦. ୬, ଯାଜପୁରରେ ୪୦.୫, ଜଗତସିଂହପୁରରେ ୪୦.୪, ଟିଟିଲାଗଡ଼ ଓ ନୂଆପଡ଼ାରେ ୪୦ ଡିଗ୍ରୀ ତାତି ରେକର୍ଡ ହୋଇଛି ।

ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ପାଗ ଜାରି ରହିବ। ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ କ୍ରମାଗତ ଭାବେ ରାଜ୍ୟକୁ ପ୍ରବେଶ କରୁଛି। ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା କମିବାରୁ କାଳବୈଶାଖୀ ବର୍ଷା କମିଛି। ସୂର୍ଯ୍ୟଙ୍କ ପ୍ରଖର କିରଣ ପାଇଁ ତାପମାତ୍ରା ବଢୁଛି। ଉତ୍ତର ପଶ୍ଚିମ ବାୟୁ ତାପମାତ୍ରାକୁ ଆହୁରି ବଢାଉଛି। ତେବେ ଗ୍ରୀଷ୍ମ ପ୍ରବାହ ପାଇଁ ଦିନ ୧୧ଟା ଠାରୁ ୩ଟା ଯାଏଁ ଆବଶ୍ୟକତା ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି  ।