spot_img
Home Blog Page 328

ମଧ୍ୟପ୍ରଦେଶରେ ଚାଞ୍ଚଲ୍ୟ : ସରକାରୀ ଚାକିରି ବଞ୍ଚାଇବାକୁ ଚତୁର୍ଥ ସନ୍ତାନକୁ ବଣରେ ଛାଡି ଚାଲିଗଲେ ଦମ୍ପତି

ନନ୍ଦିଘୋଷ ବ୍ୟୁରୋ : ଚାକିରି ବଞ୍ଚାଇବା ପାଇଁ ସୈତାନ ସାଜିଲେ ବାପା ମାଆ । ନବଜାତ ଶିଶୁକୁ ଜଙ୍ଗଲରେ ଛାଡି ଚାଲିଗଲେ ଦମ୍ପତି । ସରକାରୀ ଚାକିରି ଚାଲିଯିବା ଭୟରେ ଚତୁର୍ଥ ସନ୍ତାନକୁ ଜଙ୍ଗଲରେ ପଥର ତଳେ ଛାଡି ଚାଲି ଚାଲିଗଲେ ଶିକ୍ଷକ ଦମ୍ପତି। ମଧ୍ୟପ୍ରଦେଶର ଛିନ୍ଦୱାଡ଼ାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସରକାରୀ ନିୟମରେ ଦୁଇରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ଉପରେ କଟକଣା ଥିବା ଯୋଗୁଁ  ଚାକିରି ହରାଇବା ଭୟରେ ବୁଲୁ ଦଣ୍ଡୋଲିୟା ଓ ପତ୍ନୀ ରାଜକୁମାରୀ ଗର୍ଭଧାରଣ ଖବର ଗୁପ୍ତ ରଖିଥିଲେ। ୨୩ ସେପ୍ଟେମ୍ବର ଘରେ ପିଲା ଜନ୍ମ ପରେ କେବଳ କିଛି ଘଣ୍ଟା ମଧ୍ୟରେ ଶିଶୁକୁ ଜଙ୍ଗଲରେ ଛାଡ଼ି ଆସିଥିଲେ।

ବର୍ଷା ଦିନର ରାତିରେ ଶିଶୁଟିକୁ ଦମ୍ପତି ଛାଡି ଆସିବା ପରେ ମଧ୍ୟ ସେ ୩ ଦିନ ବଞ୍ଚି ଯାଇଥିଲା। ଗ୍ରାମବାସୀମାନେ କାନ୍ଦ ଶୁଣି ଶିଶୁଟିକୁ ଉଦ୍ଧାର କରିଥିଲେ। ଥଣ୍ଡାରେ କମ୍ପୁଥିବା ରକ୍ତାକ୍ତ ଶିଶୁକୁ ଉଦ୍ଧାର କରିଥିଲେ ଗ୍ରାମବାସୀ। ସଙ୍ଗେ ସଙ୍ଗେ ଛିନ୍ଦୱାଡ଼ା ଜିଲ୍ଲା ହସ୍ପିଟାଲରେ ଡାକ୍ତର ଶିଶୁଟିକୁ ଭର୍ତ୍ତି କରିଥିଲେ । ଶିଶୁଟିକୁ ପିମ୍ପୁଡ଼ି କାମୁଡ଼ିଥିବା  ଏବଂ ହାଇପୋଥର୍ମିଆର ଲକ୍ଷଣ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଏପରି ପରିସ୍ଥିତିରେ ଶିଶୁଟି ବଞ୍ଚିବା ଏକ ଚମତ୍କାର ବୋଲି ଡାକ୍ତର କହିଛନ୍ତି । ବର୍ତ୍ତମାନ ଶିଶୁଟି ସୁରକ୍ଷିତ ଥିବାବେଳେ ଚିକିତ୍ସା ଜାରି ରହିଛି ।

ତେବେ ପୋଲିସ ଭାରତୀୟ ନ୍ୟାୟ ସଂହିତାର ବିଏନ୍‌ଏସ୍ ଧାରା ୯୩ ଅଧୀନରେ ମାମଲା ରୁଜୁ କରିଛି। ଏସ୍‌ଡିଓପି କାଲ୍ୟାଣୀ ବର୍କଡ଼େ କହିଛନ୍ତି, “ଆମେ ଉପରିସଟି ଅଧିକାରୀଙ୍କୁ ପରାମର୍ଶ ଦେଉଛୁ। ଧାରା ୧୦୯ ହତ୍ୟା ପ୍ରୟାସ ସମେତ ଅନ୍ୟ ଧାରା ଯୋଡ଼ାଯାଇପାରେ।” ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ତଥ୍ୟ ଅନୁଯାୟୀ, ଭାରତରେ ପରିତ୍ୟକ୍ତ ନବଜାତ ଶିଶୁଙ୍କ ସଂଖ୍ୟା ମଧ୍ୟପ୍ରଦେଶରେ ସର୍ବାଧିକ। ଦାରିଦ୍ର୍ୟ, ସାମାଜିକ କଳଙ୍କ ଏବଂ ପ୍ରତିଗାମୀ ଚାକିରି ସମ୍ପର୍କିତ ଭୟରେ ଏପରି ଅନେକ ଘଟଣା ସାମ୍ନାକୁ ଆସୁଛି।

 

 

 

ଦୁର୍ଗା ଭସାଣ ବେଳେ ମଧ୍ୟପ୍ରଦେଶରେ ବଡ଼ ଅଘଟଣ, ଦୁଇଟି ସ୍ଥାନରେ ବୁଡ଼ିଗଲେ ୧୩ ଜଣ

ନନ୍ଦିଘୋଷ ବ୍ୟୁରୋ : ଦୁର୍ଗା ଭସାଣ ବେଳେ ମଧ୍ୟପ୍ରଦେଶରେ ବଡ଼ ଅଘଟଣ  । ଗୁରୁବାର ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ମଧ୍ୟପ୍ରଦେଶରେ ଦୁଇଟି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁମାନଙ୍କ ମଧ୍ୟରେ ୧୦ ଜଣ ଶିଶୁ ଅଛନ୍ତି। ଉଜ୍ଜୟିନୀ ନିକଟସ୍ଥ ଇନ୍ଗୋରିୟାରେ ଏକ ଟ୍ରାକ୍ଟର୍-ଟ୍ରଲି ଚମ୍ବଳ ନଦୀରେ ଖସି ପଡ଼ିଥିଲା । ଯେତେବେଳେ ୧୨ ବର୍ଷର ଏକ ଶିଶୁ ଭୁଲ୍ ହୋଇ ଇଞ୍ଜିନ୍ ଚାଲୁ କରିଥିଲା। ୧୨ ଶିଶୁ ପାଣିରେ ଖସିଥିଲେ, ୧୧ଜଣଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରିଥିଲେ ଯେଉଁମାନଙ୍କ ମଧ୍ୟରେ ୨ଜଣ ଚିକିତ୍ସା ସମୟରେ ଜୀବନ ଚାଲିଯାଇଥିଲା, ଜଣେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ପୋଲିସ ଓ ଏସ୍‌ଡିଆର୍‌ଏଫ୍ ଦଳ ମଧ୍ୟ ଖୋଜା ଜାରି ରଖିଛନ୍ତି।

ଅନ୍ୟ ଏକ ଘଟଣାରେ ଖଣ୍ଡବା ଜିଲାର ପନ୍ଧନା ତହସିଲରେ ଆର୍ଦଳା ଓ ଜମଲି ଗ୍ରାମର ୨୦-୨୫ ଜଣଙ୍କୁ ନେଇ ଯାଉଥିବା ଟ୍ରାକ୍ଟର୍-ଟ୍ରଲି ପୋଖରୀରେ ଖସି ଯାଇଥିଲା। ଅଧିକାରୀମାନେ ୧୧ ଶବ ଉଦ୍ଧାର କରିଛନ୍ତି ,ଯେଉଁଥିରେ ୮ ନାବାଳିକା ରହିଛନ୍ତି । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଟ୍ରଲି ଓଭରଲୋଡ୍ ଥିଲା। ଘଟଣା ନେଇ ପୋଲିସ ଓ ପ୍ରଶାସନ ତଦନ୍ତ ଆରମ୍ଭ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏହି ଅଘଟଣ ନେଇ ଦୁଃଖ ପ୍ରକାଶ କରିଛନ୍ତି। ମୃତଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରି ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ତୁରନ୍ତ ଚିକିତ୍ସା ନିର୍ଦ୍ଦେଶ ଦେଇଛନ୍ତି। “ଦେବୀ ଦୁର୍ଗାଙ୍କୁ ପ୍ରାର୍ଥନା, ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ଓ ପରିବାରମାନେ ଧୈର୍ଯ୍ୟ ପାଆନ୍ତୁ,” ସେ କହିଛନ୍ତି।

୨୬ରୁ ଭାରତ ଓ ଚୀନ ମଧ୍ୟରେ ସିଧାସଳଖ ବିମାନ ସେବାର ଶୁଭାରମ୍ଭ

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ଅକ୍ଟୋବର ୨୬ରୁ ଭାରତ ଓ ଚୀନ ମଧ୍ୟରେ ସିଧାସଳଖ ବିମାନ ସେବାର ଶୁଭାରମ୍ଭ। ୨୦୨୦ ଗଲୱାନ ସଂଘର୍ଷ ପରଠାରୁ ଦୁଇ ଦେଶ ମଧ୍ୟରେ ବିମାନ ସେବା ବାତିଲ ହୋଇଥିଲା। ୨୬ରୁ ବିମାନ ଯାତ୍ରା ସମ୍ପର୍କରେ ସୂଚନା ଦେଇଛି ଇଣ୍ଡିଗୋ ଏୟାରଲାଇନ୍ସ। ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ହେବା ସମ୍ପର୍କରେ ସହମତି ପ୍ରକାଶ ହୋଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯିବା ପରେ ଇଣ୍ଡିଗୋ ଏହି ସୂଚନା ଦେଇଛି। ବନ୍ଦ ରହିଥିବା ବିମାନ ସେବାକୁ ପୁନଃପ୍ରଚଳନ କରିବା ସଂକ୍ରାନ୍ତରେ ଦୁଇ ଦେଶ ମଧ୍ୟରେ ବୈଷୟିକ କଥାବାର୍ତ୍ତା ଚାଲୁ ରହିଥିଲା। ଗଲୱାନ ସଂଘର୍ଷ ପରେ ପରେ କୋଭିଡ ସମସ୍ୟା ଯୋଗୁ ବିମାନ ସେବା ଅଧିକ ପ୍ରଭାବିତ ହୋଇଥିଲା।

ଆଜି ମେଲାଣି ନେବେ ମାଆ, ରାଜଧାନୀରେ ଅନୁଷ୍ଠିତ ହେବ ଡିଜେ ଓ ନିଶାମୁକ୍ତ ଭସାଣ

ନନ୍ଦିଘୋଷ ବ୍ୟୁରୋ : ଆଜି ରାଜଧାନୀରେ ଅନୁଷ୍ଠିତ ହେବ ଡିଜେ ମୁକ୍ତ ଓ ନିଶାମୁକ୍ତ ଭାସାଣ । ପାରମ୍ପାରିକ ବାଦ୍ୟ ଓ ନୃତ୍ୟରେ କମ୍ପିବ ଭୁବନେଶ୍ୱର । ୫ ଟି ଜାଗାରେ ହେବ ଭସାଣ ମଞ୍ଚ। ନଦୀରେ କେମିକାଲ ଓ ପ୍ଲାଷ୍ଟିକ ଯେପରି ନପଡିବ ସେଥିପାଇଁ ବିଏମସି ତାର କୂଅଖାଇର ଦୁଇ ପଟ, ଦୟା ଓ ଭାଗର୍ବୀକୁ ମିଶାଇ ମୋଟ ୪ ଟି ଅସ୍ଥାୟୀ ପୁଷ୍କରିଣୀ କରିଛି । ଭାସାଣ ଲାଗି ରାସ୍ତା, ଘାଟ ଓ ଅଲୋକିକରଣ ବ୍ୟବସ୍ଥା ବି କରାଯାଇଛି ।

ଭସାଣ ସମୟରେ ଅଘଟଣ ରୋକିବା ଲାଗି ଅଗ୍ନିଶମ ଓ ଶାନ୍ତିଶୃଙ୍ଖଳା ଲାଗି ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ସହିଦନଗର ଭୁବନେଶ୍ୱର ଭସାଣ ଉତ୍ସବ କମିଟି, ନୟାପଲ୍ଲୀରେ ରାଜଧାନୀ ମନ୍ଦିର ଭସାଣ ସୁରକ୍ଷା କମିଟି, ଏକାମ୍ର ଦୁର୍ଗା ମହୋତ୍ସବ, ଉତ୍ତର ଭୁବନେଶ୍ୱର ପଟେ ଦୁଇଟା ଭସାଣ ମହୋତ୍ସବ ଆୟୋଜିତ ହେଉଛି । ପ୍ରଶାସନ ପକ୍ଷରୁ ଡିଜେ ବାରଣ ହୋଇଥିବାରୁ ଓଡ଼ିଶାର ପାରମ୍ପରିକ ବାଦ୍ୟ ଓ ଅଲୋକୀକରଣ ଉପରେ ଧ୍ୟାନ ଦିଆଯାଇଛି ।ଏହା ସହ ରସୁଲଗଡ଼ ଓ ଦାରୁଠେଙ୍ଗ କୌଣସି କମିଟିକୁ ନଯାଇ ନିଜସ୍ଵ ଭସାଣ ଉତ୍ସବ ଆୟୋଜନ କରିଛନ୍ତି । ଭୁବନେଶ୍ୱରରେ ଭସାଣ ଉତ୍ସବ ଲାଗି କମିଶନରେଟ ପୋଲିସ ପକ୍ଷରୁ ମାର୍ଗଦର୍ଶୀକା ଜାରି ହୋଇଛି।

ଥମୁନି ବର୍ଷା , ୭ ଜିଲ୍ଲାକୁ ରେଡ୍ ଓ ୧୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ନନ୍ଦିଘୋଷ ବ୍ୟୁରୋ : ଗଭୀର ଅବପାତ ପ୍ରଭାବରେ ବର୍ଷା । ୭ ଜିଲ୍ଲାକୁ ରେଡ୍ ଓ ୧୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ । ଭୀଷଣ ବର୍ଷା ନେଇ ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି ଓ କନ୍ଧମାଳକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବିଜୁଳି ଘଡଘଡି ସହ ବର୍ଷାକୁ ନେଇ ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଢେ଼ଙ୍କାନାଳ, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ନୂଆପଡ଼ା,ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେଓଗଡ଼, ସୁନ୍ଦରଗଡ଼, କେଉଁଝର ଜିଲ୍ଲାରେ ୟେଲୋ ୱାର୍ଣ୍ଣି ଜାରି ହୋଇଛି । ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ଅଧିକ ରହିବ । ବାଲେଶ୍ୱର ବାହାନଗାରେ ସର୍ବାଧିକ ୧୦୫ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଏହାର ପ୍ରଭାବରେ ଟୁଇନ ସିଟିରେ ଲାଗି ରହିଛି ବର୍ଷା ।

ନକ୍ସଲ ଆତ୍ମସମର୍ପଣର ବିରଳ ଘଟଣା : ଏକାସହ ଛତିଶଗଡ଼ ବିଜାପୁରରେ ଅସ୍ତ୍ର ଛାଡ଼ିଲେ ୧୦୩ ମାଓବାଦୀ

ନନ୍ଦିଘୋଷ ବ୍ୟୁରୋ : ଛତିଶଗଡ଼ ବିଜାପୁରରେ ୧୦୩ ଜଣ ମାଓବାଦୀ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି। ଏକା ଥରେ ଏତେ ନକ୍ସଲ ଆତ୍ମସମର୍ପଣ କରିବା ବିରଳ ଘଟଣା। ଏହି ମାୱାଦୀଙ୍କ ନାଁରେ ଥିଲା ୧ କୋଟିରୁ ଅଧିକ ଟଙ୍କାର ପୁରସ୍କାର । ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ବିଭିନ୍ନ ପଦବୀରେ ସକ୍ରିୟ ଥିବା ମାଓବାଦୀ ଅଛନ୍ତି। ସେମାନଙ୍କ ମଧ୍ୟରେ ଜଣେ DVCM, ଚାରି ଜଣ PPCM, ଚାରି ଜଣ ACM, ପାଞ୍ଚ ଜଣ କ୍ଷେତ୍ର କମିଟି ସଦସ୍ୟ, ପାଞ୍ଚ ଜଣ ମିଲିସିଆ କମାଣ୍ଡର/ଡେପୁଟି କମାଣ୍ଡର, ଚାରି ଜଣ ଜନତାନା ସରକାର ସଭାପତି, ୨୨ ଜଣ ଜନତାନା ସରକାର ସଦସ୍ୟ ଏବଂ ୨୩ ଜଣ ମିଲିସିଆ ପ୍ଲାଟୁନ୍ ସଦସ୍ୟ। ଆତ୍ମସମର୍ପଣ କରିଥିବା ନକ୍ସଲମାନେ କହିଛନ୍ତି ଯେ ସଂଗଠନର ବିଚାରଧାରା ପ୍ରତି ଭ୍ରମ, ନେତୃତ୍ୱର କ୍ରମାଗତ ଅଭାବ, ସୁରକ୍ଷା ବାହିନୀ ଦ୍ୱାରା ଜବରଦସ୍ତି କାର୍ଯ୍ୟ ଏବଂ ସରକାରଙ୍କ ପୁନର୍ବାସ ନୀତି ଏହି ପଦକ୍ଷେପ ନେବାକୁ ସେମାନଙ୍କୁ ପ୍ରେରଣା ଦେଇଥିଲା। ଆତ୍ମସମର୍ପଣକାରୀ ମାଓବାଦୀମାନଙ୍କୁ ପ୍ରୋତ୍ସାହନ ସ୍ୱରୂପ ₹୫୦,୦୦୦ ଟଙ୍କାର ଲେଖାଏଁ ଚେକ୍ ଦିଆଯାଇଛି। ସରକାରଙ୍କ ନିୟମ ଅନୁସାରେ ସମସ୍ତଙ୍କୁ ଥଇଥାନ କରାଯିବ।

ମହେନ୍ଦ୍ରଗିରି ଅଞ୍ଚଳରେ ବଡ଼ ଧରଣର ଭୂସ୍ଖଳନ; ଫସି ଯାଇଥିଲେ ୧୫ ପର୍ଯ୍ୟଟକ

ନନ୍ଦିଘୋଷ ବ୍ୟୁରୋ : ଲଘୁଚାପ ଜନିତ ଲଗାଣ ବର୍ଷାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ଗଜପତି ନୂଆଗଡ ବ୍ଲକ ସଦରମହକୁମା। ଖଜୁରିପଦା ଠାରୁ ନୂଆଗଡ ରାସ୍ତା ଧୋଇ ହୋଇଯାଇଥିବା ବେଳେ ନୂଆଗଡ ଠାରୁ ଗୁଣୁପୁର ରାସ୍ତାର ଶିବ ମନ୍ଦିର ନିକଟ ପୋଲର ଆପ୍ରୋଚ ରୋଡ଼ ନଦୀ ସ୍ରୋତରେ ଭାସିଯାଇଛି। ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ନୂଆଗଡ ଠାରୁ ପରିମଳ ରା. ଉଦୟଗିରି ରାସ୍ତାର ରୁବୁଡିସିଂ ଠାରେ ଏକ କଲଭର୍ଟ ଭାସିଯାଇ ରାସ୍ତା ବିଚ୍ଛିନ୍ନ ହୋଇଛି। ଫଳରେ ସବୁ ଦିଗରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଆଗକୁ ବର୍ଷା ଥିବାରୁ ଆହୁରି ଅଧିକ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି।

ସେପଟେ ଲଗାଣ ବର୍ଷାରେ ମହେନ୍ଦ୍ର ଗିରିଠାରେ ଭୁସ୍ଖଳନ ହୋଇ ରାସ୍ତା ଅବରୋଧ ହେବା ଫଳରେ ୧୫ ଜଣ ପର୍ଯ୍ୟଟକ ଫସି ରହିଥିଲେ। ଖବର ପାଇ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଗତକାଲି ରାତିରୁ ଉଦ୍ୟମ ଆରମ୍ଭ ହୋଇଥିଲା। ଆଜି ସକାଳୁ ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାପଡିଛି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ ଓ ପୋଲିସ କର୍ମଚାରୀମାନେ ନିୟୋଜିତ ହୋଇଥିଲେ।

ଓଡ଼ିଶାରେ ବଡ଼ ସ୍କାଣ୍ଡାଲ ; ରାଜ୍ୟରେ ସରକାରୀ ଚାକିରି ବିକ୍ରୀ ହେବାରେ ଲାଗିଛି

ଭୁବନେଶ୍ବର : ଓଡ଼ିଶାରେ ଏକ ବଡ଼ ସ୍କାଣ୍ଡାଲ ଚାଲିଛି ବୋଲି ସରକାରଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛି ବିଜେଡି । ମଧ୍ୟପ୍ରଦେଶର ବ୍ୟାପକ ଦୁର୍ନୀତି ପରି ଓଡ଼ିଶାରେ ମଧ୍ୟ ନିଯୁକ୍ତିରେ ବଡ଼ କେଳେଙ୍କାରୀ ଚାଲିଛି ବୋଲି ଅଭିଯୋଗ ଆଣିଛି ବିଜେଡି । ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି, ବାରମ୍ବାର ନିଯୁକ୍ତି ପରୀକ୍ଷା ବାତିଲ ହେଉଛି । ନିକଟରେ ଏସଆଇ ପରି ଆହୁରି କେତେ ନିଯୁକ୍ତି ପରୀକ୍ଷା ସରକାର ତତକ୍ଷଣାତ ବାତିଲ କରିଛନ୍ତି । ନବୀନ ପଟ୍ଟନାୟକ ସ୍ବଚ୍ଛ ଶାସନ ଦେଇଥିଲେ । ଯାହାକୁ ଆଗେଇ ନେବାରେ ବିଜେପି ସରକାର ବିଫଳ ହୋଇଛି ବୋଲି କହିଛି ବିଜେଡି । ଏସଆଇ ପରୀକ୍ଷା ବାତିଲ ନେଇ ସରକାରଙ୍କୁ ଟାର୍ଗେଟ କରି ବିଜେଡି କହିଛି, ୩୦ ସେପ୍ଟେମ୍ବରରେ ପରୀକ୍ଷା ବାତିଲ ହେଲା । କାରଣ ଶ୍ରୀକାକୁଲମ ପୋଲିସ ଆଶାୟୀଙ୍କୁ ଧରି ବ୍ରହ୍ମପୁର ପୋଲିସକୁ ଦେଲା । ହେଲେ ଓଡ଼ିଶା ପୋଲିସ ଶୁଖିଲାରେ ବାହା ବାହା ନେଉଛି । ୨୫ ଲକ୍ଷ ମୂଲଚାଲରେ ଏହି ପିଲାଙ୍କୁ ମକ ଡ୍ରିଲ ପାଇଁ ନିଆଯାଉଥିଲା । ଆଇନ ଶୃଙ୍ଖଳା ରକ୍ଷା କରିବାକୁ ଏହି ପିଲା ଚାକିରି ପାଇଥାନ୍ତେ । OPRBକୁ ସରକାର ପରୀକ୍ଷା ଦାୟିତ୍ୱ ଦେଇଥିଲେ । OPRB ITIକୁ ଦାୟିତ୍ୱ ଦେଲା । ITI ଗୁଜରାଟର ରିଚ ମାଇନସ ଡିଜିଟାଲକୁ ଦାୟିତ୍ୱ ଦେଲେ । OPRB ଦାୟିତ୍ୱରେ ଜଣେ ସଚ୍ଚୋଟ ଅବସରପ୍ରାପ୍ତ IPS ସନ୍ତୋଷ ଉପାଧ୍ୟାୟ ଥିଲେ । ସଚ୍ଚୋଟ ବୋଲି ସେ ଏପ୍ରିଲରେ ଇସ୍ତଫା ଦେଲେ । ତାଙ୍କ ପରେ ସୁଶାନ୍ତ ନାଥ ଦାୟିତ୍ୱ ନେଲେ । ତା ପରେ ବାସ୍ତବ ଖେଳ ଆରମ୍ଭ ହୋଇଛି ବୋଲି ଅଭିଯୋଗ କରିଛି ବିଜେଡି ।

ରିଚ ମାଇନସକୁ ହଟାଇ ସିଲିକନ ଟେକ ଲ୍ୟାବ ଭୁବନେଶ୍ୱରକୁ ଚାକିରି ପରିଚଳାନା ଦାୟିତ୍ୱ ଦିଆଗଲା । ଏହି କମ୍ପାନୀ କଣ ଆଗରୁ ପରୀକ୍ଷା କରିଥିଲା ? ଏହି କମ୍ପାନୀରେ ବଡ଼ ବଡ଼ ପୋଲିସଙ୍କ ପୁଅ, ବ୍ୟବସାୟୀ ଅଛନ୍ତି । ଏହା ୨୦୦ କୋଟିର ସ୍କାମ । ଓଡ଼ିଶା ପୋଲିସ କହିଲେ ୧୧୭ ପିଲାଙ୍କୁ ଗିରଫ କଲେ । ଯେଉଁମାନେ ପରୀକ୍ଷା ଦେଇଥାନ୍ତେ, ସେମାନେ ଏବେ ଜେଲରେ । ସେ ଲାଞ୍ଚ ଟଙ୍କା ତ ଗଲା, ସେମାନଙ୍କ ଭବିଷ୍ୟତ ବି ଗଲା ବୋଲି କହି ଉଦବେଗ ପ୍ରକାଶ କରିଛି ବିଜେଡି । ଘଟଣାକୁ ତିନି ଦିନ ହୋଇଗଲା । ସରକାର ତିନି ଦିନ ହେବ ନିରବ କାହିଁକି ?

କାହା ସ୍ୱାର୍ଥରେ ITI ଗୁଜୁରାଟର ଏକ ସଂସ୍ଥାକୁ ପରୀକ୍ଷା ଦାୟିତ୍ବ ଦିଆଗଲା ? ପୁଣି ସିଲିକନ ପରି ଅନଭିଜ୍ଞ ସଂସ୍ଥାକୁ କାହିଁକି ଦାୟିତ୍ୱ ସବ-ଲିଜରେ ଦିଆଗଲା ? ସିଲିକନରେ କିଏ ସବୁ ଅଛନ୍ତି ? 117 ପିଲାଙ୍କ ଲାଞ୍ଚ ଯିଏ ନେଇଛନ୍ତି, ସେମାନେ କାହିଁକି ଗିରଫ ହୋଇ ନାହାନ୍ତି ? ଗିରଫ ଦଲାଲ କିଏ ? ସନ୍ତୋଷ ଉପାଧ୍ୟାୟ କାହିଁକି ଇସ୍ତଫା ଦେଲେ ? ଦୁଇ ଥର ପ୍ରଶ୍ନପତ୍ର ଛପା ପ୍ରକ୍ରିୟାରେ କେତେ କୋଟି ସରକାରୀ ତହବିଲ ଖର୍ଚ୍ଚ ହୋଇଛି ? ତାହାର ଶ୍ୱେତପତ୍ର ଦେବେ କି ସରକାର ? ଜେଲରୁ ଫେରିବା ପରେ ୧୧୭ ପିଲାଙ୍କ ଭବିଷ୍ୟତ କଣ ହେବ ? ଲାଞ୍ଚର ମାଷ୍ଟରମାଇଣ୍ଡ କିଏ ? ଉତ୍ତରାଖଣ୍ଡରେ ବି ଏପରି ଘଟଣା ହେବାରୁ CBI କୁ ତଦନ୍ତ ଭାର ଦିଆଗଲା । ଓଡ଼ିଶାରେ ତ ପୋଲିସ ସମ୍ପୃକ୍ତ । ଏଠି କ୍ରାଇମବ୍ରାଞ୍ଚ ତାଙ୍କୁ ବାନ୍ଧିବ ତ ? ପୋଲିସ କଣ ପୋଲିସକୁ ବାନ୍ଧିବ ? ରାଜ୍ୟ ସରକାର ଏ ମାମଲା CBIକୁ ହସ୍ତାନ୍ତର କରନ୍ତୁ । ଏହା ଆନ୍ତଃରାଜ୍ୟ ରାକେଟର କାମ । ୧୫ ମାସରେ ୧୬ ପରୀକ୍ଷା ବାତିଲ ହୋଇଛି । ବିନା ରାଜନୈତିକ ସମ୍ପୃକ୍ତିରେ ଏତେ ବଡ଼ ସ୍କାମ ହୋଇ ପାରିବ ନାହିଁ । ପଦକ୍ଷେପ ନ ନେଲେ ବିଜେଡି ରାଜରାସ୍ତାକୁ ଆସିବ ବୋଲି ଚେତାବନୀ ଦେଇଛି ।

ପୁଣି ତାତିଲା ଇସ୍ରାଏଲ ; ଗ୍ଲୋବାଲ ସୁମୁଦ ଫ୍ଲୋଟିଲା ଉପରେ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: କିଛି ଦିନର ନୀରବତା ପରେ ପୁଣି ତାତିଲା ଇସ୍ରାଏଲ। ଗାଜାକୁ ସହାୟତା ସମେତ ବହୁ ରାଜନୈତିକ ନେତା ଓ କର୍ମୀଙ୍କୁ ନେଇ ଯାଉଥିବା ନୌଜାହାଜ ଉପରେ ହମଲା କରିଛି ଇସ୍ରାଏଲ। ଇସ୍ରାଏଲ ନୌସେନା ପକ୍ଷରୁ ଗ୍ଲୋବାଲ ସୁମୁଦ ଫ୍ଲୋଟିଲା ଉପରେ ହ ମଲା କରାଯାଇଛି। ଗତମାସରେ ସେମାନ ସ୍ପେନରୁ ବାହାରି ଗାଜା ଅଭିମୁଖେ ବାହାରିଥିଲେ। ଏହି ଟ୍ରିପରେ ଥିବା ସୁଇଡେନର ଜଳବାୟୁ କର୍ମୀ ଗ୍ରେଟା ଥୁନବର୍ଗଙ୍କ ସମେତ ଅନେକ ନେତା ଓ କର୍ମୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ପାଲେଷ୍ଟିନୀୟ ସୀମାରୁ ଇସ୍ରାଏଲର ଅବରୋଧକୁ ହଟାଇବା ଉଦ୍ଦେଶ୍ଯରେ ସେମାନେ ଏହି ଅଭିଯାନରେ ଆସିଥିଲେ। ଗାଜାରେ ଦୁର୍ଭିକ୍ଷ ପଡ଼ିଥିବାବେଳେ ହଜାର ହଜାର ଲୋକ ଖାଦ୍ୟାଭାବର ଶିକାର ହେଉଛନ୍ତି। ଅନ୍ତରାଷ୍ଟ୍ରୀୟ ସହାୟତା ସେମାନଙ୍କ ନିକଟରେ ପହଞ୍ଚିପାରୁନାହିଁ। ଇସ୍ରାଏଲର ହମଲା ଫଳରେ ଟ୍ରିପର ଲାଇଭ ଷ୍ଟ୍ରିମିଂ ଓ ଯୋଗାଯୋଗ ବ୍ୟବସ୍ଥା ନଷ୍ଟ ହୋଇଥିବା ସୂଚନା ମିଳିଛି। ସେପଟେ ଇସ୍ରାଏଲ ବୈଦେଶିକ ମନ୍ତ୍ରୀ କହିଛନ୍ତି- ନୌଜାହାଜଗୁଡିକୁ ନିରାପତ ଭାବେ ଅଟକାଯାଇଛି ଏବଂ ସେଥିରେ ଥିବା ଯାତ୍ରୀଙ୍କୁ ଇସ୍ରାଏଲର ଏକ ବନ୍ଦରକୁ ନିଆଯାଇଛି।

ଗ୍ରେଟା ଓ ତାଙ୍କର ସହକର୍ମୀମାନେ ନିରାପଦ ଥିବା ସେ କହିଛନ୍ତି। ପୂର୍ବରୁ ଇସ୍ରାଏଲ ଅଧୀନରେ ଥିବା ଜଳ ସୀମାରେ ବାହାରର ନୌଜାହାଜର ପ୍ରବେଶ ଉପରେ କଟକଣା ଜାରି କରିଥିଲା ଇସ୍ରାଏଲ। ତେଣେ ଗାଜା ସିଟିରେ ରହିଥିବା ଲୋକଙ୍କୁ ଆତଙ୍କବାଦୀ ବୋଲି ବିଚେଚନା କରାଯିବ ବୋଲି କହିଛି ଇସ୍ରାଏଲ। ଗତକାଲି ଗାଜାସିଟି ପରିତ୍ୟାଗ କରିବା ଲାଗି ବାସିନ୍ଦାଙ୍କୁ ଡେଡଲାଇନ ଶୁଣାଇଥିଲା ଇସ୍ରାଏଲ। ତେଣେ ଇସ୍ରାଏଲ ହମଲାରେ ଗାଜାରେ ୭୩ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି।

ଭୁବନେଶ୍ବରରେ ୭ଟି ସ୍ଥାନରେ ରାବଣ ପୋଡି ; ଶହେ ମିଟର ଦୂରରେ ରହିବେ ଦର୍ଶକ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ୭ଟି ସ୍ଥାନରେ ହେବ ରାବଣ ପୋଡି । ପାହାଳ ଥାନା ଅନ୍ତର୍ଗତ ନହରକଣ୍ଟା, ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା, ବଡଗଡ଼ ଥାନା ଅନ୍ତର୍ଗତ କୋରଡକଣ୍ଟା, ବଡଗଡ଼ ଥାନା ଅନ୍ତର୍ଗତ ବାଙ୍କୁଆଳ , ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ଗୋପାଳପୁର, ଇନ୍ଫୋସିଟି ଥାନା ଅନ୍ତର୍ଗତ କିଟ ରୋଡ଼ ଓ ଏୟାରଫିଲଡ଼ ଥାନା ଅନ୍ତର୍ଗତ କପିଳପ୍ରସାଦ ଫୁଟବଲ ପଡିଆ ଠାରେ ଆଜି ଅନୁଷ୍ଠିତ ହେବ ରାବଣ ପୋଡି। ଭୁବନେଶ୍ୱରରେ କମିଶନରେଟ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ୭ ଟି ସ୍ଥାନରେ ରାବଣ ପୋଡି ପାଇଁ ଅନୁମତି ଦିଆଯାଇଛି ।

ଦର୍ଶକଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁନିଶ୍ଚିତ କରିବା ପାଇଁ ବରମୁଣ୍ଡା ପୂଜା ମଣ୍ଡପ ଠାରେ ଅଗ୍ନିଶମ ଅଧିକାରୀ ମାନେ ଯାଞ୍ଚ କରିଛନ୍ତି । ବାଣ ଫୁଟିବା ସ୍ଥାନ ଠାରୁ ଶହେ ମିଟର ଦୂରରେ ଲୋକମାନେ ରହିବେ । ଏଥିପାଇଁ ବ୍ୟାରିକେଡ କରାଯାଇଛି । ବିଶେଷ ଶବ୍ଦ ପ୍ରଦୂଷଣ ନହେବା ପାଇଁ ଗ୍ରୀନ କ୍ରାକରର ବ୍ୟବହାର ପାଇଁ ପୂର୍ବରୁ ପୂଜା କମିଟି ଗୁଡିକୁ ନିର୍ଦ୍ଦେଶ ରହିଛି । କୌଣସି ଅଘଟଣ ଘଟିଲେ ରାବଣ ପୋଡି ହେଉଥିବା ସ୍ଥାନରେ ଫାୟାର ଫାଇଟର ମାନେ ଆମ୍ବୁଲାନ୍ସ ସହ ରହିବେ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି ।