spot_img
Home Blog Page 3283

ମେ ୧୦ରେ ଝାରସୁଗୁଡା ଉପ-ନିର୍ବାଚନ

ନନ୍ଦିଘୋଷ ବ୍ୟୁରୋ: ମେ ୧୦ରେ ହେବ ଝାରସୁଗୁଡାରେ ନିର୍ବାଚନ  । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କରିଛନ୍ତି ଏହି ଘୋଷଣା  । ଦେଶରେ ହେବାକୁ ଥିବା ସମସ୍ତ ଉପ-ନିର୍ବାଚନ ତଥା ସଂସଦୀୟ କ୍ଷେତ୍ର ଏବଂ ବିଧାନସଭା କ୍ଷେତ୍ରରେ ଅନୁଷ୍ଠିତ ହେବ ନିର୍ବାଚନ  । ୪ଟି ବିଧାନସଭା ଏବଂ ଗୋଟିଏ ସଂସଦୀୟ କ୍ଷେତ୍ରରେ ଅନୁଷ୍ଠିତ ହେବ ଉପ-ନିର୍ବାଚନ  ।

ସ୍ୱର୍ଗତ ନବକିଶୋର ଦାସଙ୍କ ବିୟୋଗ ପରେ ଖାଲି ପଡିଥିଲା ଝାରସୁଗୁଡା ଆସନ  ।  ଜାନୁଆରି ୨୯ ତାରିଖରେ ନବକିଶୋର ଦାସଙ୍କୁ ହତ୍ୟା କରିଥିଲା ଗୋପାଳ ଦାସ। ସୂଚନା ମୁତାବକ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୧ଲକ୍ଷ ୯୭ହଜାରରୁ ଅଧିକ ଭୋଟର ରହିଛନ୍ତି । ଏଥିରେ ଝାରସୁଗୁଡ଼ା, କିରିମିରା, ଲଇକେରା, କୋଲାବିରା ବ୍ଲକ ରହିଛି।

୨୦୦୯ରୁ ସ୍ୱର୍ଗତ ନବକିଶୋର ଦାସ ଝାରସୁଗୁଡ଼ାରୁ ନିର୍ବାଚିତ ହୋଇଥିଲେ। ଦୁଇଥର କଂଗ୍ରେସ ଓ ଥରେ ବିଜେଡି ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ସ୍ୱର୍ଗତ ନବ କିଶୋର ଦାସ ୯୮ ହାଜରରୁ ଅଧିକ ଭୋଟ ପାଇଥିଲେ  । ଏହା ସହ ବିଜେପି ପ୍ରାର୍ଥୀ ଦୀନେଶ କୁମାର ଜୈନଙ୍କୁ ୪୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ନବକିଶୋର ଦାସ।

ବିଧାନସଭାରେ କୃଷିମନ୍ତ୍ରୀଙ୍କ ଉତ୍ତର: ୩୬ ଶୀତଳଭଣ୍ଡାର କାର୍ଯ୍ୟକ୍ଷମ,୯୭ ଅଚଳ

ଭୁବନେଶ୍ୱର: ରାଜ୍ୟରେ 36ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି । ଆଉ 97ଟି ଅଚଳ ହୋଇ ପଡିଛି । ହେଲେ ଏହି ଅଚଳ ଶୀତଳ ଭଣ୍ଡାରକୁ କାର୍ଯ୍ୟକ୍ଷମ କରିବା ପାଇଁ ଯେଉଁ ପରିମାଣର ଅର୍ଥ ଆବଶ୍ୟକ, ତାହା ନୂତନ ଶୀତଳ ଭଣ୍ଡାର ନିର୍ମାଣ ସହ ସମାନ । ତେଣୁ ଅଚଳ ଶୀତଳ ଭଣ୍ଡାରକୁ କାର୍ଯ୍ୟକ୍ଷମ କରିବା ଲାଭଦାୟକ ନୁହେଁ । ପନିପରିବା ସଂରକ୍ଷଣ ପାଇଁ ଉଦ୍ୟାନ କୃଷି ବିଭାଗ 100 କିଲୋଗ୍ରାମ ବିଶିଷ୍ଟ ହଜାରେ ସବଜି କୁଲର ନିର୍ମାଣ କରୁଛି । ଯେଉଁଥିରେ 70% ରିହାତି ବ୍ୟବସ୍ଥା ରହିଛି । ଏଥିରେ ପ୍ରୋତ୍ସାହନ ରାଶି ବି ଅଛି । ସାଧାରଣ ଅଞ୍ଚଳ ପାଇଁ 55%, ଯାହା 220 ଲକ୍ଷ ଟଙ୍କା ।

ସେହିପରି ସଂରକ୍ଷିତ ଅଞ୍ଚଳ ପାଇଁ 70%, ଯାହା 280 ଲକ୍ଷ ଟଙ୍କା ଅଟେ । ସେହିପରି ଶୀତଳିକରଣ ଗୃହ ବି ନିର୍ମାଣ କରାଯିବ । ଏଥିରେ 55ରୁ 70% ରିହାତି ମିଳିବ । ଏନେଇ ବିଧାନସଭାର ଉତ୍ତର ରଖିଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସେହିପରି ପଞ୍ଚାୟତିରାଜ ବିଭାଗ, SHG ଓ କୃଷକଙ୍କ ସହଯୋଗରେ ସୌରଚାଳିତ ଶୀତଳ ଗୃହ ନିର୍ମାଣ କରାଯାଉଛି । ଇଛୁକ ଲୋକେ ପାଖ ଉଦ୍ୟାନ କୃଷି କାର୍ଯ୍ୟାଳୟରେ ନିବେଦନ କରିପାରିବେ । 2 ଲକ୍ଷ 71 ହଜାର 155 ହେକ୍ଟର ଜମିରେ 31.25 ଲକ୍ଷ ଟନ ଆଳୁ ଉତ୍ପାଦନ ହେଉଛି । ବର୍ତ୍ତମାନ ମହଜୁଦ ଥିବା ଶୀତଳ ଭଣ୍ଡାର ଆଳୁ ରଖିବା ପାଇଁ ପର୍ଯ୍ୟାପ୍ତ । ଏପ୍ରିଲ ପହିଲାରୁ ଶୀତଳିକରଣ ଗୃହ, ପରିବହନ ଖର୍ଚ୍ଚ ଓ ସଂରକ୍ଷଣ ଉପରେ ବଡ଼ ରିହାତି ମିଳିବ ।

ରାଜ୍ୟ ସରକାର 70%ରୁ ଅଧିକ ରିହାତି ଦେବେ ବୋଲି ଗୃହରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଅନ୍ୟ କୌଣସି ରାଜ୍ୟ ସବସିଡ଼ି ଦେଉ ନଥିବା ବେଳେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବସିଡ଼ି ବ୍ୟବସ୍ଥା କରିଛନ୍ତି ବୋଲି କହିଛନ୍ତି କୃଷିମନ୍ତ୍ରୀ । ଚାଷୀଙ୍କ ପାଇଁ ବିଧାନସଭାରେ ହାତ ଯୋଡିଛନ୍ତି କୃଷି ମନ୍ତ୍ରୀ । ଉଦ୍ୟାନ କୃଷି ବାବଦରେ କେନ୍ଦ୍ରୀୟ ଅନୁଦାନ କମୁଛି l ତେଣୁ ବିଜେପି ବିଧାୟକ ମାନେ କେନ୍ଦ୍ରକୁ କହି ସେ ପ୍ରାପ୍ୟ ରାଜ୍ୟକୁ ଦିଅନ୍ତୁ ବୋଲି କହିଛନ୍ତି କୃଷିମନ୍ତ୍ରୀ । ରାଜ୍ୟ ସରକାରଙ୍କ କୃଷି ବଜେଟର ଆକାର ସବୁବେଳେ ବଢୁଛି ।

ହେଲେ ପ୍ରତି ବର୍ଷ କେନ୍ଦ୍ର ସରକାର ଜାତୀୟ ଉଦ୍ୟାନ କୃଷି ମିଶନରେ ଅନୁଦାନ କମାଇ ଚାଲିଛନ୍ତି । 2020-21ରେ 1363.62 କୋଟି ମିଳିଥିବା ବେଳେ, 2021-22ରେ ଏହା କମି 1335.50 କୋଟି ଟଙ୍କା ହେଲା । ଆଉ ଚଳିତ ବଜେଟରେ ଆହୁରି କମାଇ 1049.26 କୋଟି କରିଛନ୍ତି । ହେଲେ ରାଜ୍ୟ ସରକାର ଆବଶ୍ୟକତା ଭିତ୍ତିରେ ନୂତନ ବୈଷୟିକ ଜ୍ଞାନକୌଶଳ ଜରିଆରେ ଚାଷ ଓ ଚାଷୀଙ୍କ ବିକାଶ ପାଇଁ କାମ ଜାରି ରଖିଛନ୍ତି ବୋଲି କହିଛନ୍ତି କୃଷିମନ୍ତ୍ରୀ ।

ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୁଳିମାଡ଼

ବୌଦ୍ଧ: ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୁଳିମାଡ଼ । ଦୁର୍ବୃତ୍ତଙ୍କ ଗୁଳିମାଡରେ ୨ କର୍ମଚାରୀ ଆହତ ହୋଇଛନ୍ତି । ଜଣଙ୍କର ଗୁଳି ହାତରେ ବାଜିଥିବା ବେଳେ, ଅନ୍ୟ ଜଣଙ୍କର ପିଠିରେ ସାମାନ୍ୟ ଆଘାତ ଲାଗିଛି । ଆହତ ମାନେ ହେଲେ ହେଲେ ସରଣ୍ଡା ଗ୍ରାମର ନୀଳମଣି ପ୍ରଧାନ ଓ ବଡ଼ବାଗବର ଗ୍ରାମର ନବ ସାହୁ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

୪ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ବଘିଆପଡା ସେକ୍ସନ ବନବିଭାଗ ପକ୍ଷରୁ ଗତକାଲି ରାତିରେ ପାଟ୍ରୋଲିଂ କରାଯାଇଥିଲା । ବଘିଆପଡା ଠାରୁ କିଛି ବାଟ ଯାଉଥିବା ବେଳେ ଖାଲିଆପାଲି ନିକଟରେ ୪ ଜଣ ଦୁର୍ବୃତ୍ତ ବନ ବିଭାଗ ଗାଡିକୁ ଗୁଳିମାଡ଼ କରିଥିଲେ । ଏଥିରେ ୨ ଜଣ ଓ୍ବାଚର ଆହତ ହୋଇଛନ୍ତି ।

 

ମଦଖାଇ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

ବାଲେଶ୍ୱର: ମଦ୍ୟପ ସ୍ବାମୀର ଉନ୍ମତ୍ତ କାଣ୍ଡ । ମଦଖାଇ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ବାମୀ । ଜଳେଶ୍ବର ରାଇବଣିଆ ଥାନା ଅନ୍ତର୍ଗତ ଗହିରା ବନ୍ଧ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଘରୋଇ କଳହକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ଯରେ କଳହ ଚାଲିଥିଲା ।

ଫଳରେ ସ୍ତ୍ରୀ ମଞ୍ଜୁଲତାକୁ ମଦ୍ୟପ ସ୍ବାମୀ ଦୁର୍ଗା ମୁର୍ମୁ ଠେଙ୍ଗାରେ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହେଇଛି । ଘଟଣାସ୍ଥଳରେ ସ୍ଥାନିୟ ଲୋକେ ପହଞ୍ଚି ମଦ୍ୟପ ସ୍ବାମୀକୁ ରଶିରେ ବାନ୍ଧି ଦେଇଥିଲେ । ରାଇବଣିଆ ପୋଲିସ ପହଞ୍ଚି ସ୍ବାମୀ ଦୁର୍ଗା ମୁର୍ମୁକୁ ଗିରଫ କରି ତଦନ୍ତ ଚଳାଇଛି ।

ଓଡ଼ିଶା ହେବ ଭାରତର ଟେନିସ ଭିତ୍ତିଭୂମିର ସର୍ବଶ୍ରେଷ୍ଠ ରାଜ୍ୟ

ଭୁବନେଶ୍ୱର: ଆଜି ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡି ହେବ ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ । ଓଡ଼ିଶା ହେବ ଭାରତର ଟେନିସ ଭିତ୍ତିଭୂମିର ସର୍ବଶ୍ରେଷ୍ଠ ରାଜ୍ୟ । କଳିଙ୍ଗ ଷ୍ଟାଡିୟମ ପରିସରରେ ଉଦଘାଟିତ ଅତ୍ୟାଧୁନିକ ଟେନିସ କୋର୍ଟ । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ନୂତନ ଷ୍ଟାଡିୟମରେ ଏକାସଙ୍ଗେ ୧୫ଶହ ଦର୍ଶକ ବସି ମ୍ୟାଚ୍ ଦେଖିପାରିବେ ।

ଷ୍ଟାଡିୟମ ପରିସରରେ ବିଶ୍ବସ୍ତରୀୟ କନଫରେନ୍ସ ରୁମ, ଲାଉଂଜ, ମେଡିକାଲ ରୁମ, ଟୁର୍ଣ୍ଣାମେଣ୍ଟ ଡାଇରେକ୍ଟର ରୁମ, ବ୍ରଡକାଷ୍ଟ ରୁମ, ମିଡିଆ ସେଣ୍ଟର, ଡ୍ରେସିଂ ରୁମ ବି ଅଛି । ନୂଆ ଷ୍ଟାଡିୟମ ସହ ଅନ୍ୟ ୧୦ଟି ଟେନିସ କୋର୍ଟ ମଧ୍ୟ କଳିଙ୍ଗ ଷ୍ଟାଡିୟମ ପରିସରରେ ପୂର୍ବରୁ ରହିଛି । ଯେଉଁଠି ୬ଟି ସିନ୍ଥେଟିକ କୋର୍ଟ ଓ ୪ଟି କ୍ଲେ କୋର୍ଟ ମଧ୍ୟ ରହିଛି।

ନୂଆ ଷ୍ଟାଡିୟମରେ ଖେଳାଯିବ ଏସିଆନ୍ ଟେନିସ ଚାମ୍ପିୟନସିପ। ଆସନ୍ତା ଏପ୍ରିଲ ୪ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗିତା ଚାଲିବ । ଜୁନିୟର ସ୍ତରରେ ହେଉଥିବା ପ୍ରତିଯୋଗିତାରେ ଏସିଆର ୧୫ଟି ଦେଶ ଅଶଂଗ୍ରହଣ କରିବେ । ଆସନ୍ତା ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ଡେଭିସ କପ ଆୟୋଜନ ପାଇଁ ଓଡ଼ିଶା ବିଡ଼ିଂରେ ଭାଗନେବ ସୂଚନା ମିଳିଛି ।

ଆଜି ପବିତ୍ର ଅଶୋକାଷ୍ଟମୀ, ଭଉଣୀ ରୁକ୍ମିଣୀଙ୍କୁ ନେଇ ବାହାରିବେ ଭାଇ ଲିଙ୍ଗରାଜ

ଭୁବନେଶ୍ୱର: ଆଜି ପବିତ୍ର ଅଶୋକାଷ୍ଟମୀ । ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଅଶୋକାଷ୍ଟମୀ ତିଥିରେ ପ୍ରଭୁ ଶ୍ରୀଲିଙ୍ଗରାଜ ଭଉଣୀ ରୁକ୍ମିଣୀଙ୍କୁ ରଥରେ ନେଇ ରାମନବମୀ ଯାତ୍ରା ବୁଲିବାକୁ ଯିବେ। ଅଣଲେଉଟା ରୁକୁଣା ରଥରେ ନିଜେ ସୃଷ୍ଟିକର୍ତ୍ତା ବ୍ରହ୍ମା ସାରଥୀ । ନୀତି ଅନୁସାରେ ଦିନ12ଟାରେ ମଙ୍ଗଳ ଆଳତି, 2ଟା ରେ ଭୋଗ ଲାଗି ଓ ପହଣ୍ଡି ପରେ 3ଟା ସମୟରେ ହେବ ରଥଟଣା । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ପୋଲିସ, ବିଏମସି, ମନ୍ଦିର ପ୍ରଶାସନ ଓ ବିଭିନ୍ନ ସେବାୟତ ନିଯୋଗଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇଛି । ପ୍ରଚଣ୍ଡ ଖରା ଯୋଗୁଁ ପାନୀୟ ଜଳ ଯୋଗାଣ, ରାସ୍ତାଘାଟ, ବିଦ୍ୟୁତ, ପରିମଳ ଆଦି ଦାୟିତ୍ୱ ବିଏମସି ନେଇଛି । ସୁର୭ା ଦାୟିତ୍ବରେ 12 ପ୍ଲାଟୁନ ପୋଲିସ ଫୋର୍ସ ଓ ବରିଷ୍ଠ ଅଧିକାରୀ ନିୟୋଜିତ ହୋଇଛନ୍ତି । ଏହା ସହ ଟ୍ରାଫିକ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।

ରଥଟଣା ବେଳେ ପରମ୍ପରା ଆଳରେ ଡାଉକ ଦ୍ୱାରା ବୋଲାଯାଉଥିବା ଅଶ୍ଳୀଳ ଭାଷାକୁ ବନ୍ଦ କରିବାକୁ ପୋଲିସ ପକ୍ଷରୁ ନିବେଦନ କରାଯାଇଛି । 5ଦିନ ଧରି ଆୟୋଜିତ ଯାତ୍ରାରେ ରଥ ଲିଙ୍ଗରାଜ ମନ୍ଦିର ନିକଟରୁ ବାହାରି ମାଉସୀ ମାଆ ଛକରେ ଥିବା ରାମେଶ୍ବର ମନ୍ଦିର ନିକଟକୁ ଯାଇଥାଏ । ଏହି 5ଦିନ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ ।

SCBରେ ସଫଳ ହେଲା କିଡନୀ ପ୍ରତିରୋପଣ

କଟକ: ପୁଣି ଚିକିତ୍ସା ବିଜ୍ଞାନ ଜଗତରେ ଇତିହାସ ରଚିଲା ଏସସିବି ମେଡିକାଲ । ଏସସିବି ମେଡିକାଲରେ ମୃତ୍ୟୁ ବରଣ କରିଥିବା ଜଣେ ରୋଗୀଙ୍କ 2ଟି କିଡ଼ନୀ ଆତ୍ମୀୟ ଦାନ କରିବା ପରେ ଏହି କିଡ଼ନୀ ଦୁଇ ଜଣ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି । ଏହା ପୂର୍ବରୁ ଏସସିବି ୟୁରୋଲୋଜି ବିଭାଗରେ 4ଟି କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ହୋଇଛି । ତେବେ ସମସ୍ତ ଘଟଣାରେ ଘରୋଇ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ କିଡନୀ ଏସସିବି ଅଣାଯାଇ ଏହି ବିରଳ ସର୍ଜରୀ କରାଯାଇଛି ।

ପ୍ରଥମ ଥର ପାଇଁ ଏସସିବିରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ କିଡନୀ ଦାନ ଯୋଗୁ ଏଠାରେ ଏହି ସର୍ଜରୀ ସଫଳ ହୋଇଛି । ସୂଚନା ମୁତାବକ, ସୋମବାର ଏସସିବିରେ ଭର୍ତ୍ତି ହୋଇଥିବା ଜଗତପୁର ଅଞ୍ଚଳର ତନୁଜା କରଙ୍କ ବ୍ରେନ ଡେଡ ହେବାରୁ ଗତକାଲି ତାଙ୍କର ପରଲୋକ ହୋଇଥିଲା । ଏସସିବି ଅଧିକ୍ଷକ ନ୍ୟୁରୋ ସର୍ଜନ ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ନେଫରୋଲୋଜି ମୁଖ୍ୟ ଡାକ୍ତର ଅରୁଣା ଆଚାର୍ଯ୍ୟ, ୟୁରୋଲୋଜି ମୁଖ୍ୟ ଡାକ୍ତର ସମୀର ସ୍ବାଇଁ, ଡାକ୍ତର ସବ୍ୟସାଚୀ ପଣ୍ଡା, ଡାକ୍ତର ସଞ୍ଜୟ ଚୌଧୁରୀ ପ୍ରମୁଖ କିଡନୀ ଦାନ ପାଇଁ ଅନୁରୋଧ କରିଥିଲେ ।

ପରିବାର ଲୋକଙ୍କ ସମ୍ମତି ପରେ ତନୁଜାଙ୍କ ଶରୀରରୁ ଦୁଇଟି କିଡନୀ କଢ଼ାଯାଇ ଅନ୍ୟ ଦୁଇ କିଡନୀ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା । ଏହି ଦୁଇ ଜଣ ବ୍ୟକ୍ତି ହେଲେ ଝାରସୁଗୁଡାର ଆଲୋକ ବୋଡାକ ଓ ସୂର୍ଯ୍ୟରଞ୍ଜନ ସାହୁ । ଆଲୋକଙ୍କର ଏହା ପ୍ରଥମ ଓ ସୂର୍ଯ୍ୟଙ୍କର ଏହା ଦ୍ୱିତୀୟ କିଡନୀ ପ୍ରତିରୋପଣ ବୋଲି ଜଣାପଡ଼ିଛି । ଅସ୍ତ୍ରୋପଚାର ସଫଳତାର ସହିତ ଶେଷ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଏହି ବିରଳ ଅସ୍ତ୍ରୋପଚାରରେ ଡାକ୍ତର ଅରୁଣାଙ୍କ ସହିତ ୧୭ ଜଣ ମେଡିକାଲ ଟିମ ସହଯୋଗ କରିଥିଲେ ।

ସ୍ୱାଭିମାନ ଅଞ୍ଚଳର ଗ୍ରାଉଣ୍ଡ ଜିରୋରେ ବିକାଶ ସମୀକ୍ଷା କଲେ ଭି.କେ ପାଣ୍ଡିଆନ୍

ମାଲକାନଗିରି: ବଣ୍ଡାଘାଟିକୁ ବସ୍, ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ସୁଯୋଗ। ସ୍ବାଭିମାନ ଅଞ୍ଚଳର ଗ୍ରାଉଣ୍ଡ ଜିରୋରେ ବିକାଶ ସମୀକ୍ଷା କରି ଜନସାଧାରଣଙ୍କୁ ଏହି ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ ବିକେ ପାଣ୍ଡିଆନ। ମାଲକାନଗିରି ସୀତାକୁଣ୍ଡରେ ସ୍ଥାନୀୟ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା କରିବା ପରେ ପର୍ଯ୍ୟଟନସ୍ଥଳୀର ବିକାଶ ନେଇ ଅନୁଧ୍ୟାନ କରିଥିଲେ ଫାଇଭ-ଟି ସଚିବ। ରାସ୍ତା ନିର୍ମାଣ ସହିତ ଅନ୍ୟାନ୍ୟ ଅନୁଷଙ୍ଗିକ ବିକାଶ ନେଇ ଆଲୋଚନା କରିଥିଲେ। ପରେ ମୁଦୁଲିପଡାର ବଣ୍ଡା ଘାଟିରେ ପହଞ୍ଚି ଲୋକଙ୍କ ସମସ୍ୟା ସମ୍ପର୍କରେ ସିଧାସଳଖ ଆଲୋଚନା କରିଥିଲେ।

ଜନସାଧାରଣଙ୍କ ଦାବି ଅନୁସାରେ ଖୁବଶୀଘ୍ର ବଣ୍ଡା ଘାଟିକୁ ବସ ଗଡ଼ିବା ସହ ଖଇରପୁଟରେ ଯୁକ୍ତ ଦୁଇ କଲେଜ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ। ଏହି ଅବସରରେ ବଣ୍ଡା ମ୍ୟୁଜିମର ଅଗ୍ରଗତି ସମ୍ପର୍କରେ ସେ ତଦାରଖ କରିଥିଲେ। ମ୍ୟୁଜିୟମରେ ବଣ୍ଡା ସଂପ୍ରଦାୟର ବିଭିନ୍ନ ସଂସ୍କୃତି ସଂରକ୍ଷଣ ହୋଇ ରହିବ। ଏହାସହ ମାଲକାନଗିରିରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ପାଣ୍ଡିଆନ। ମାଥିଲିରେ ପହଞ୍ଚିବା ପରେ ସେଠାରୁ ଶିବସାଗର ଯାଇ ଏହାର ସୌନ୍ଦର୍ଯ୍ୟକରଣ ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।

ପରେ ସପ୍ତଧାରା ଜଳସେଚନ ପ୍ରକଳ୍ପ, ପ୍ରସ୍ତାବିତ ରେଳ ଲାଇନର ସମୀକ୍ଷା କରିଥିଲେ। ହନ୍ତଳଗୁଡ଼ା ଭିୟୁ ପଏଣ୍ଟର ନିର୍ମାଣ ଅନୁଧ୍ୟାନ କରି ଲୋକଙ୍କ ସହ ଆଲୋଚନା କରିଥିଲେ ଫାଇଭ-ଟି ସଚିବ। ଏହାପରେ ବିଏସଏଫ କ୍ୟାମ୍ପରେ ଯବାନଙ୍କ ସହିତ ମାଓ ମୁକାବିଲା ସମ୍ପର୍କରେ ଆଲୋଚନା କରିବା ସହ ବଡ଼ପଦାରେ ସାଧାରଣ ଲୋକଙ୍କ ସମସ୍ୟା ବୁଝିଥିଲେ। ଆଜି ସ୍ବାଭିମାନ ଅଞ୍ଚଳରେ ଫାଇଭ-ଟି ସଚିବ ରାତ୍ର ରହଣି ପରେ ଆସନ୍ତାକାଲି ମଧ୍ୟ ଅନେକ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ।

ଅକ୍ଟୋବର ସୁଦ୍ଧା ତାଳଚେରରେ ୩୩୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଶୀଲିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ । ଅକ୍ଟୋବର ୨୦୨୩ ସୁଦ୍ଧା ତାଳଚେରରେ ୩୩୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟର ସ୍ୱାସ୍ଥ୍ୟ ସେବାରେ ଯୋଡି ହେବାକୁ ଯାଉଛି ଆଉ ଏକ ନୂଆ ଅଧ୍ୟାୟ  । କେବଳ ଚିକିତ୍ସା ନୁହେଁ ମେଡିକାଲ କଲେଜ ମଧ୍ୟ ହେବାକୁ ରାଜ୍ୟ ସରକାର ନେଇଛନ୍ତି ନିଷ୍ପତ୍ତି  । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଶୀଲିନୀ ପଣ୍ଡିତ  । ଏହା ସହିତ ମିଶିବ ନେହେରୁ ଶତାବ୍ଦୀ ହସ୍ପିଟାଲର 100 ବେଡ୍  । ମେ ମାସ ଶେଷ ସୁଦ୍ଧା ଡାକ୍ତର ନିଯୁକ୍ତି ହେବେ  ।

INS ଚିଲିକାରେ ଅଗ୍ନିବୀରଙ୍କ ପାସିଙ୍ଗ ଆଉଟ୍ ପରେଡ୍

ଭୁବନେଶ୍ୱର: ଆଇଏନଏସ ଚିଲିକାରେ ଅଗ୍ନିବୀର ମାନଙ୍କ ପାସିଙ୍ଗ ଆଉଟ୍ ପରେଡ । ଭାରତୀୟ ନୌସେନାରେ ଯୋଗ ଦେଇଥିବା ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚର ପାସିଂଆଉଟ୍ ପ୍ୟାରେଡ ଅନୁଷ୍ଠିତ ହୋଇଛି । ପ୍ରଥମ ବ୍ୟାଚରେ ୨୫ ଶହ ୮୫ ଜଣ ରହିଛନ୍ତି । ଏଥିରେ ୨୭୩ ଜଣ ମହିଳା ଅଗ୍ନିବୀର ରହିଛନ୍ତି । ଦକ୍ଷ ସୈନିକ ହେବା ପାଇଁ ସମସ୍ତେ ନେଇଛନ୍ତି ପ୍ରଶିକ୍ଷଣ ।

ସୈନିକ ହୋଇ ଦେଶ ପାଇଁ କିଛି କରିବାର ଇଚ୍ଛା ପ୍ରତିରକ୍ଷା ବାହିନୀକୁ ଏଠାକୁ ଟାଣି ଆଣିଛି । 4 ମାସର ଟ୍ରେନିଂ ପରେ ଆଜି ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ୍ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଚିଫ୍ ଅଫ୍ ନାଭାଲ ଷ୍ଟାପ୍ ଯୋଗଦେଇଥିଲେ । ତେବେ ଅଗ୍ନିବୀରଙ୍କ ପାଇଁ ଏହା କେବଳ ଏକ ଟ୍ରେନିଂ ନଥିଲା ବରଂ ନୌସେନାରେ ନୂଆ ଜୀବନ ଆରମ୍ଭ କରିବାର ଗର୍ବ ଓ ଗୌରବର ଦିନ ଥିଲା ।

ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରି ନୌସେନା ମୁଖ୍ୟ ଆଡମିରାଲ ଆର. ହରିକୁମାର ଅଗ୍ନିବୀରଙ୍କୁ ଭାରତୀୟ ନୌସେନାର ମୂଲ୍ୟବୋଧ ଓ ଗରିମାକୁ ପାଥେୟ କରି ଦେଶ ଗଠନରେ ଗୁରୁତ୍ବପୂର୍ଣ୍ଣ ଭୁମିକା ନେବାକୁ ଆହ୍ବାନ ଦେଇଥିଲେ । ଏହି ଅବସରେ ଶ୍ରେଷ୍ଟ ଅଗ୍ନିବୀରଙ୍କୁ ସମ୍ମାନିତ କରିଥିଲେ ଚିଫ୍ ଅଫ୍ ନାଭାଲ ଷ୍ଟାଫ । ଏକମାତ୍ର ଆର୍ମଡ ଫୋର୍ସ ଭାବେ ନୌସେନା ହିଁ ଆଇଏନଏସ ଚିଲିକାରେ ମହିଳାଙ୍କୁ ଅଗ୍ନିବୀର ଭାବେ ତାଲିମ ଦେବା ଶେଷ କରିଛି ।