spot_img
Home Blog Page 3287

ହାଡ଼ିଆ ହତ୍ୟା ମାମଲା, ୩ ବର୍ଷ ପରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

କଟକ: କଟକର ବହୁଚର୍ଚ୍ଚିତ ହାଡ଼ିଆ ହତ୍ୟା ମାମଲାର ୩ ବର୍ଷ ପରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ । ୨୦୨୦ ସେପ୍ଟେମ୍ବର ମାସରେ କଟକ ସତୀଚଉରା ନିକଟରେ ହୋଇଥିଲା ହତ୍ୟାକାଣ୍ଡ । ଜଘନ୍ୟ ଭାବେ ରିଂ ରୋଡ୍‌ ତଳେ ହତ୍ୟା କରିଥିଲେ ୨ ଭାଇ । ପୂର୍ବରୁ ବଡ଼ଭାଇ ଗିରଫ ହୋଇଥିବା ବେଳେ ଗିରଫ ଭୟରେ ବାବା ବେଶରେ ଲୁଚିଥିଲା ସାନଭାଇ ଦୀପକ ମଲ୍ଲିକ ।

କଟକ ବିଡ଼ାନାସୀର କୃଷ୍ଣ ମଲ୍ଲିକଙ୍କ ପୁଅ ଦୀପକ ହାଡ଼ିଆ ହତ୍ୟାକାଣ୍ଡ ପରେ କଟକରୁ ଯାଇ ଢେଙ୍କାନାଳ ରାସୋଳ ଥାନା କାଠକୁମ୍ପା ନିକଟରେ ମହିମାଧର୍ମୀ ବାବାବେଶରେ କୁଡ଼ିଆ କରି ରହୁଥିଲା। ଆଖପାଖ ଅଞ୍ଚଳରେ ଦେଉଥିଲା ପ୍ରବଚନ । ବାଣ୍ଟୁଥିଲା ଚେରମୂଳି ଔଷଧ । ଗାଁକୁ ଗାଁ ବୁଲି ଭିକ୍ଷା କରି ଚଳୁଥିଲା । ଶେଷରେ କଟକ ପୋଲିସ ତାକୁ ଗିରଫ କରିଛି ।

ବିଦେଶ ମାଟିରେ ପ୍ରଥମ ଥର ବସିଲା କ୍ୟାବିନେଟ୍ , ୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର: ବିଦେଶ ମାଟିରୁ ପ୍ରଥମ ଥର ପାଇଁ ବସିଲା କ୍ୟାବିନେଟ୍ ବୈଠକ । ଜାପାନରୁ କ୍ୟାବିନେଟ୍ ବୈଠକରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ । କ୍ୟାବିନେଟ୍ ବୈଠକରେ ୭ଟି ପ୍ରସ୍ତାବରେ ମୋହର ବାଜିଛି । FPO ପାଇଁ ଆରମ୍ଭ ହେବ ସହାୟତା ପାଣ୍ଠି । ଓଡ଼ିଶା ପରିବାର ପାଇଁ ଖୋଲିବ ନୂଆ ନିର୍ଦ୍ଦେଶାଳୟ । ରାଜ୍ୟ ବାହାରେ ଓ ପ୍ରବାସୀ ଓଡ଼ିଆଙ୍କ ସୁବିଧା ପାଇଁ ଖୋଲିବ ନିର୍ଦ୍ଦେଶାଳୟ । ସେହିପରି ୭ଟି ଗ୍ରାମୀଣ ପାଇପ୍ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଂଜୁରୀ ।

ବଲାଙ୍ଗୀରରେ ୬ଟି ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ । ବଲାଙ୍ଗୀର, ପୁଇଁତଳା, ଆଗଲପୁର, ଲୋଇସିଂହାରେ ପ୍ରକଳ୍ପ । ସେହିପରି ଦେଓଗାଁ, ତୁରେଇକେଲା ଓ ମୁରିବାହଲରେ ହେବ ପ୍ରକଳ୍ପ । ଷୋଡ଼ଶ ଓଡ଼ିଶା ବିଧାନସଭାର ଦ୍ବାଦଶ ଅଧିବେଶନର ସତ୍ରାବସାନକୁ ମୋହର ।

ଆସିଲା ବାଘ ଗଣନା ରିପୋର୍ଟ, ୨୦୨୨ରେ ଦେଶର ମୋଟ୍ ବାଘସଂଖ୍ୟା ୩ ହଜାର ୧୬୭

ନୂଆଦିଲ୍ଲୀ: ଦେଶରେ ବାଘ ସଂଖ୍ୟା ୩ ହଜାର ୧୬୭ । ୨୦୨୨ରେ ହୋଇଥିବା ବାଘ ଗଣନା ଅନୁସାରେ ସେମାନଙ୍କ ସଂଖ୍ୟା ୩ ହଜାର ପାର୍ ହୋଇଛି ବୋଲି କୁହାଯାଇଛି । ୨୦୦୬ରେ ବାଘ ସଂଖ୍ୟା ୧୪୧୧ ଥିବାବେଳେ ୨୦୧୦ରେ ସେମାନଙ୍କ ସଂଖ୍ୟା ହୋଇଥିଲା ୧୭୦୬ । ୨୦୧୪ରେ ଦେଶର ବାଘ ସଂଖ୍ୟା ଥିଲା ୨ ହଜାର ୨୨୬ । ଗତ ୧୦ ବର୍ଷ ମଧ୍ୟରେ ଦେଶରେ ବାଘ ସଂଖ୍ୟା ୭୫ ପ୍ରତିଶତ ବୃଦ୍ଧି ପାଇଛି । ଦେଶରେ ବାଘ ସଂଖ୍ୟା ବଢାଇବା ଲାଗି ନିରନ୍ତର ଉଦ୍ୟମ ଜାରି ରହିଛି ।

ଦେଶରେ ବର୍ତ୍ତମାନ ୫୩ଟି ବ୍ଯାଘ୍ର ପ୍ରକଳ୍ପ ରହିଥିବାବେଳେ ଜାତୀୟ ବ୍ଯାଘ୍ର ସଂରକ୍ଷଣ ପ୍ରାଧିକରଣ ବା ଏନଟିସିଓ ଦ୍ବାରା ସ୍ବୀକୃତିପ୍ରାପ୍ତ ହୋଇଛନ୍ତି ୩୫ଟି ପ୍ରକଳ୍ପ । ୨୦୨୨ରେ ଦେଶର ୫୩ତମ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଭାବେ ଘୋଷିତ ହୋଇଥିଲା ଉତ୍ତରପ୍ରଦେଶର ରାଣୀପୁର ବନ୍ୟପ୍ରାଣୀ ଅଭୟାରଣ୍ୟ । ବର୍ତ୍ତମାନ ବିଶ୍ବର ମୋଟ ବାଘ ସଂଖ୍ୟାର ପ୍ରାୟ ୭୫ ପ୍ରତିଶତ ରହିଛନ୍ତି ଭାରତରେ ।

କର୍ଣ୍ଣାଟକରେ ମିଲ୍କ ଓ୍ବାର, ଗୁଜରାଟର ଦୁଗ୍ଧ କମ୍ପାନି ଅମୁଲର ପ୍ରବେଶ ଘୋଷଣା ପରେ ବଢ଼ିଲା ବିବାଦ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ନିର୍ବାଚନ ଲାଗି ଚାଲିଛି ଜୋରଦାର ଲଢେଇ । ସେପଟେ ରାଜ୍ୟରେ ମୁଣ୍ଡ ଟେକିଛି ନୂଆ ବିବାଦ । କର୍ଣ୍ଣାଟକରେ ଅମୁଲର ଏଣ୍ଟ୍ରିକୁ ନେଇ ଆରମ୍ଭ ହୋଇଛି ବିବାଦ । ରାଜ୍ୟରେ ହୋଇଯାଇଛି ସେଭ ନନ୍ଦିନୀ, ଗୋବ୍ୟାକ ଅମୁଲ କ୍ୟାମ୍ପେନ । ଅମୁଲ କ୍ଷୀର କମ୍ପାନି ଗୁଜରାଟର ହୋଇଥିବା ବେଳେ ନନ୍ଦିନୀ କ୍ଷୀର ହେଉଛି କର୍ଣ୍ଣାଟକର । ଅମୁଲ କମ୍ପାନୀ ରାଜ୍ୟରେ ପ୍ରବେଶ କରିବା ଦ୍ବାରା କର୍ଣ୍ଣାଟକର ଦୁଗ୍ଧ ଚାଷୀ କ୍ଷତିଗ୍ରସ୍ତ ହେବେ ବୋଲି ଆଶଙ୍କା କରିଛନ୍ତି । ସେପଟେ ରାଜ୍ୟର ଦୁଗ୍ଧ କମ୍ପାନି ନନ୍ଦିନୀକୁ ସମର୍ଥନ କରିଛି ବୃହତ ବେଙ୍ଗାଲୁରୁ ହୋଟେଲ୍ସ ଆସୋସିଏସନ । ତେଣେ ଅମୁଲର ପ୍ରବେଶକୁ ନେଇ ବିଜେପି ଓ ଜେଡିଏସ ମଧ୍ୟରେ ଆରମ୍ଭ ହୋଇଛି କଥା କଟାକଟି । ଅମୁଲର ପ୍ରବେଶ କାରଣରୁ ରାଜ୍ୟର ଦୁଗ୍ଧ ଚାଷୀଙ୍କ ସ୍ବାର୍ଥ ଉପରେ ଆଞ୍ଚ ଆସିଛି ବୋଲି ଅଭିଯୋଗ କରିଛି ଜେଡିଏସ । ଓ୍ବାନ ନେସନ, ଓ୍ବାନ ଅମୁଲ, ଓ୍ବାନ ମିଲ୍କ, ଓ୍ବାନ ଗୁଜରାଟ କେନ୍ଦ୍ର ସରକାରଙ୍କ ସରକାରୀ ନୀତି ହେବାରେ ଲାଗିଛି ବୋଲି କହିଛନ୍ତି ଜେଡିଏସ ନେତା କୁମାରସ୍ବାମୀ ।

ତିନି ଦିନ ତଳେ ଗୁଜରାଟର ସମବାୟ ସମିତି ଅମୁଲ ବେଙ୍ଗାଲୁରୁରେ ପ୍ରବେଶ କରିବ ବୋଲି ଟୁଇଟରେ ଅବଗତ କରାଇଥିଲା । କର୍ଣ୍ଣାଟକ ପିସିସି ସଭାପତି ଡି.କେ.ଶିବକୁମାର କହିଛନ୍ତି- ଆମ ଅଧିକାର, ଜମି, ମାଟି, ଜଳ ଓ ଦୁଗ୍ଧ ସୁରକ୍ଷିତ ରହୁ । ଆମେ ଗୁଜରାଟ ମଡେଲ ଚାହୁଁନା । ଆମର ଏଠାରେ କର୍ଣ୍ଣାଟକ ମଡେଲ ରହିଛି । ରାଜ୍ୟର ନିଜସ୍ବ ଦୁଗ୍ଧ କମ୍ପାନି ନନ୍ଦିନୀକୁ ଶେଷ କରିଦେବାକୁ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଚାହୁଁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ତେଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି- ସମସ୍ତ କନ୍ନଡ ଭାଷାଭାଷୀ ଲୋକ ଅମୁଲଜାତ ସାମଗ୍ରୀ ନକିଣିବା ଲାଗି ଶପଥ ନିଅନ୍ତୁ । ତେଣେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି-କିଛି ଦିନ ମଧ୍ୟରେ ଦେଶରେ ନମ୍ବର ଓ୍ବାନ ବ୍ରାଣ୍ଡ ହେବ ନନ୍ଦିନୀ । ଅନ୍ୟ ରାଜ୍ୟରେ ବି ନନ୍ଦିନୀ କମ୍ପାନୀ ଦ୍ବାରା ପ୍ରସ୍ତୁତ କ୍ଷୀର ବିକ୍ରି କରାଯାଉଛି । ଅମୁଲ ପ୍ରତି ଭୟ କରିବାର କାରଣ ନାହିଁ ।

ପୁରୀ ସାହିଯାତରେ ବୁଲିଲା ବନ୍ଧୁକ, ଯୁବକଙ୍କୁ କାବୁ କରି ପୋଲିସରେ ଜିମା ଦେଲେ ସ୍ଥାନୀୟ ଲୋକ

ପୁରୀ: ପୁରୀ ସାହିଯାତରେ ବୁଲିଲା ବନ୍ଧୁକ । ଯୁବକଙ୍କୁ କାବୁ କରି ପୋଲିସରେ ଜିମା ଦେଲେ ସ୍ଥାନୀୟ ଲୋକ । ପୁରୀ ହରଚଣ୍ଡୀ ସାହି ହନୁମାନ ଗଡ଼ଠାରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ । ଅଭିଯୁକ୍ତର ପରିଚୟ ମିଳିନଥିବା ବେଳେ ତଦନ୍ତ କରୁଛି ପୋଲିସ । ଗତକାଲି ସାହିଯାତ ରାମଲୀଳା ଅବସରରେ ରାବଣ ବଦ୍ଧନୀତି ଚାଲିଥିଲା । ହନୁମାନ ଗଡ଼ଠାରେ ମେଢ଼ ନୃତ୍ୟ ଚାଲିଥିବା ବେଳେ ଜଣେ ଯୁବକ ସେହି ରାସ୍ତାରେ ଯିବା ପାଇଁ ଉଦ୍ୟମ କରିଥିଲେ ।

ସାହିଯାତ ପାଇଁ ପ୍ରବଳ ଭିଡ଼ ଥିବାରୁ ବାଲି ସାହିର କିଛି ଯୁବକ ତାଙ୍କୁ ଅଟକାଇବା ସହ ଅଲଗା ରାସ୍ତା ଦେଇ ଯିବା ପାଇଁ କହିଥିଲେ । ହେଲେ କିଛି ବୁଝିବା ପୂର୍ବରୁ ସମ୍ପୃକ୍ତ ଯୁବକ ଜଣକ ନିଜ ଅଣ୍ଟାରୁ ବନ୍ଧୁକ ବାହାର କରି ଅଟକାଇ ଥିବା ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ପରେ ସାହିର ଯୁବକମାନେ ମିଶି ସମ୍ପୃକ୍ତ ଯୁବକକୁ କାବୁ କରିବା ସହ ପୋଲିସରେ ଜିମା ଦେଇଥିଲେ । ଟାଉନ ଥାନା ପୋଲିସ ସମ୍ପୃକ୍ତ ଯୁବକକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ମେ’ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ୱର: ମେ’ ମାସ ଶେଷ ସୁଦ୍ଧା ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ । ଆସନ୍ତାକାଲିଠାରୁ ପ୍ରଥମ ପର୍ଯ୍ୟାୟ ଖାତାଦେଖା ଆରମ୍ଭ ହେବ । ଏପ୍ରିଲ ୨୩ ପର୍ଯ୍ୟନ୍ତ ଚାଲିବ ପ୍ରଥମ ପର୍ଯ୍ୟାୟ ଖାତାଦେଖା । ତାପରେ ଦ୍ଵିତୀୟ ପର୍ଯ୍ୟାୟ ଖାତାଦେଖା ମେ ୭ରେ ସରିବ । ମେ ୭ରେ ଖାତା ଦେଖା ସରିବା ପରେ ପରେ ଟାବୁଲେସନ ପ୍ରକ୍ରିୟା ହେବ । ଫଳରେ ମେ ଶେଷ ସୁଦ୍ଧା ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ଥିବା ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଚଳିତ ଥର ୬୫ଟି ଅଫଲାଇନ୍ ସେଣ୍ଟର ଓ ୩୯ ଅନଲାଇନ୍ ସେଣ୍ଟରରେ ଖାତାଦେଖା ହେବ । ଶିକ୍ଷକମାନେ ଖାତା ଦେଖାରେ ସହଯୋଗ କରୁଥିବାରୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ ।

IPL ୨୦୨୩: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା-ଗୁଜରାଟ

ଅହମଦାବାଦ: ସୁପର ସଣ୍ଡରେ ସୁପର ସୋ । ଆଜି ଆଇପିଏଲରେ ଖେଳାଯିବ ଦୁଇଟି ମ୍ୟାଚ୍ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ । ଏହି ମ୍ୟାଚ୍ ଆଜି ଅପରାହ୍ମ ୩ଟା ୩୦ରେ ଅହମଦାବାଦରେ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ଉଭୟ ଦଳ ସେମାନଙ୍କ ଶେଷ ମ୍ୟାଚରେ ଦମଦାର ବିଜୟ ଲାଭ କରିଛନ୍ତି । ତେଣୁ ଆଜିର ମ୍ୟାଚରେ ଏହି ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା କରିବେ ଦୁଇ ଦଳ ।

ଅନ୍ୟପକ୍ଷରେ ଆଜି ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ସନ୍ ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ । ଏହି ମ୍ୟାଚ୍ ଆଜି ସନ୍ଧ୍ୟା ୭ଟା ୩୦ରେ ହାଇଦ୍ରାବାଦରେ ଖେଳାଯିବ । ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ଖାତା ଖୋଲିପାରିନାହିଁ ହାଇଦ୍ରାବାଦ । ଦୁଇଟି ମ୍ୟାଚ୍ ଖେଳି ଦୁଇଟିରେ ପରାଜୟ ବରଣ କରି ବ୍ୟାକଫୁଟରେ ରହିଛି । ତେଣୁ ଆଜି ହୋମ୍ ଗ୍ରାଉଣ୍ଡ ନିଜର ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ହାଇଦ୍ରାବାଦ । ଅନ୍ୟପକ୍ଷରେ ଚଳିତ ସିଜିନରେ ଦମଦାର ପ୍ରଦର୍ଶନ ଜାରି ରଖିଛି ପଞ୍ଜାବ । ଦୁଇଟି ମ୍ୟାଚ୍ ଖେଳି ଦୁଇଟିରେ ବିଜୟ ଲାଭ କରିଛି ପଞ୍ଜାବ । ଆଜି ହାଇଦ୍ରାବାଦରେ ପଞ୍ଜାବ ଏହି ଧାରା ବଜାୟ ରଖିବାକୁ ଚେଷ୍ଟା କରିବ ।

ପୁଣି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ବିବାଦୀୟ ବୟାନ, ସର୍ବଭାରତୀୟ ସ୍ତରର ଅଧିକାରୀଙ୍କୁ କହିଲେ ଡକାୟତ

ଜଳେଶ୍ୱର: ସର୍ବଭାରତୀୟ ସ୍ତରର ଅଧିକାରୀ ଜଣେ ଜଣେ ଡକାୟତ । ତାଙ୍କଠୁ ବଡ଼ ଡକାୟତ ପୃଥିବୀରେ କେହି ନାହାନ୍ତି । ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଜାମକୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇ UPSCରେ ନିଯୁକ୍ତି ପାଉଥିବା ଅଧିକାରୀଙ୍କୁ ଡକାୟତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଅଭିଭାଷଣରେ ବିଶ୍ବେଶ୍ବର କହିଛନ୍ତି ଯେ, ମୁଁ ଦିଲ୍ଲୀରେ ଯେଉଁଠି ରହୁଛି, ତା’ର ପଛପଟେ ୟୁପିଏସସି ଭବନ ରହିଛି । ସେଠାରେ ସର୍ବଭାରତୀୟ ସ୍ତରର ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଏ । ସେ ଭବନରେ ହେଉଥିବା କାର୍ଯ୍ୟକଳାପକୁ ଦେଖି ମୁଁ ଜାଣିଲି, ସର୍ବଭାରତୀୟ ସ୍ତରର ଅଧିକାରୀ ହେଉଛନ୍ତି ସବୁଠୁ ବଡ଼ ଡକାୟତ । ପୂର୍ବରୁ ସର୍ବଭାରତୀୟ ଅଧିକାରୀଙ୍କ ପ୍ରତି ମୋର ଏକ ଭିନ୍ନ ଧାରଣା ଥିଲା । ସେମାନଙ୍କୁ ଜ୍ଞାନୀ ବୋଲି ମୁଁ ଭାବୁଥିଲି । କିନ୍ତୁ ଏବେ ଭାବୁଛି ସେମାନେ ବଡ଼ ଡକାୟତ ।

ସ୍କୁଲ ଛାତ୍ରଙ୍କୁ ଏଭଳି ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ କି ଶିକ୍ଷା ଦେଉଛନ୍ତି ? ସବୁ ପିଲାଙ୍କ ମନରେ ସ୍ବପ୍ନ ଥାଏ ସେମାନେ ସର୍ବଭାରତୀୟ ସ୍ତରର ଅଧିକାରୀ ହେବାକୁ । କିନ୍ତୁ ପ୍ରଶାସନିକ ସ୍ତରର ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ତୁଲାଇଥିବା ଅଧିକାରୀଙ୍କୁ ଏଭଳି ଡକାୟତ ବୋଲି ସମ୍ବୋଦନ କରିବା ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଶୋଭା ପାଉଛି କି ? ପୂର୍ବରୁ ମଧ୍ୟ ବିଶ୍ବେଶ୍ବର ଟୁଡୁ ଏଭଳି ଭାବେ ପ୍ରଶାସନିକ ଅଧିକାରୀଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇ ଓ ତାଙ୍କୁ ଆକ୍ରମଣ କରି ବିବାଦକୁ ଆସିଥିଲେ । କେନ୍ଦ୍ର ସରକାରରେ ଏଭଳି ଅନେକ ନେତା ଓ ମନ୍ତ୍ରୀ ଅଛନ୍ତି, ଯେଉଁମାନେ ପୂର୍ବରୁ ସର୍ବଭାରତୀୟ ସ୍ତରର ଅଧିକାରୀ ଭାବେ ଦାୟିତ୍ବ ତୁଲାଇଥିଲେ । କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ନିଜ ଦଳରେ ଥିବା ସେଭଳି ନେତା ଓ ମନ୍ତ୍ରୀଙ୍କୁ ଇଙ୍ଗିତ କରୁନାହାନ୍ତି ତ ?

ନକଲି ସାର୍ଟିଫିକେଟ୍ କାରବାର ମାମଲାରେ ଛାନବିନ୍, ୩ ସନ୍ଦିଗ୍ଧଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ

ବଲାଙ୍ଗୀର: ବଲାଙ୍ଗୀର ଫେକ୍ ସାର୍ଟିଫିକେଟ୍ ମାମଲାରେ ଛାନବିନ୍ । ରାକେଟରେ ସାମିଲ ଥିବା ୩ ଜଣ ସନ୍ଦୀଗ୍ଧଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ । ଆଗକୁ ଗିରଫଦାରୀ ସଂଖ୍ୟ ବଢ଼ିପାରେ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି I ପୂର୍ବରୁ ମାଷ୍ଟରମାଇଣ୍ଡ ସହ ୪ ଜଣଙ୍କୁ ଗିରଫ କରାଯାଇଛି । ରିମାଣ୍ଡ ସମୟରେ ଅଭିଯୁକ୍ତଙ୍କଠାରୁ ସୁରାକ ପାଇବା ପରେ ତଦନ୍ତକୁ ଆହୁରୁ ବ୍ୟାପକ କରିଛି କ୍ରାଇମବ୍ରାଞ୍ଚ I

ତିନି ଦିନିଆ ରିମାଣ୍ଡରେ ଥିବା ୪ ଅଭିଯୁକ୍ତ ମଧ୍ୟରୁ ଆଲୋକ ଓ ତ୍ରିବିହାରୀ ଜେରା ବେଳେ କ୍ରାଇମବ୍ରାଞ୍ଚକୁ ଅନେକ ତଥ୍ୟ ଦେଇଛନ୍ତି I ଯାହାକୁ ନେଇ କ୍ରାଇମବ୍ରାଞ୍ଚ ସ୍କାନରରେ ପ୍ରାୟ ଦୁଇଶହ ବ୍ୟକ୍ତି ରହିଥିବା ଜଣାପଡ଼ିଛି I ଜାଲ ସାର୍ଟିଫିକେଟରେ ଚାକିରି ହାତେଇଥିବା ଲୋକଙ୍କ ଲିଷ୍ଟ ପ୍ରସ୍ତୁତ କରାଯାଇଛି I ଏଥିରେ କିଛି ସରକାରୀ ଚାକିରିଆ ବି ସାମିଲ ଅଛନ୍ତି I ଜାଲ ସାର୍ଟିଫିକେଟ ରାକେଟରେ ଥିବା ମନୋଜର ସହଯୋଗୀକୁ ମଧ୍ୟ ଚିହ୍ନଟ କରାଯାଇଛି I ଜାଲ ସାର୍ଟିଫିକେଟ ଘଟଣାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର, ଆଲୋକ ଉଦଗାତା, ତ୍ରିବିହାରି ପଣ୍ଡା ଓ ପରେସ ବୁଡେକକୁ ରିମାଣ୍ଡରେ ନେଇ ଅଧିକ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ I

 

 

EMIରେ ମିଳୁଛି ଆମ୍ବ, କିସ୍ତିରେ ଟଙ୍କା ଦେଇ ପ୍ରିମିୟମ ଆମ୍ବ ଖାଉଛନ୍ତି ମାୟାନଗରୀ ବାସିନ୍ଦା

ମୁମ୍ବାଇ: EMIରେ ମିଳୁଛି ଆମ୍ବ । କିସ୍ତିରେ ଟଙ୍କା ଦେଇ ପ୍ରିମିୟମ ଆମ୍ବ ଖାଉଛନ୍ତି ମାୟାନଗରୀ ବାସିନ୍ଦା । କଥାରେ ଅଛି ଫଳ ଭିତରେ ରାଜା ହେଉଛି ଆମ୍ବ । ହେଲେ କିସ୍ତିରେ ଟଙ୍କା ଦେଇ ଆମ୍ବ କିଣିବା ଗୋଟେ ଅଜବ କଥା । ପ୍ରିମିୟମ ଆମ୍ବର ଦାମ୍ ଅଧିକ ରହିଥିବାରୁ ଦୋକାନୀ ଏହାକୁ EMIରେ ବିକ୍ରି କରୁଥିବା ଦେଖାଯାଇଛି । ମାୟାନଗରୀ ମୁମ୍ବାଇରେ ଏହି ଘଟଣା ସାମ୍ନାକୁ ଆସିଛି । ଔଷଧୀୟ ଗୁଣ, ନିଆରା ସ୍ବାଦ ପାଇଁ ବିଶ୍ବରେ ପ୍ରସିଦ୍ଧ ଅଲଫାନସୋ ଆମ୍ବ ବା ହାପୁସ ଆମ୍ବକୁ କିସ୍ତିରେ ଟଙ୍କା ଦେଇ କିଣୁଛନ୍ତି ଗ୍ରାହକ ।

କରୋନା ପରେ ବହୁମୂଲ୍ୟ ଏହି ଆମ୍ବ କିଣିବାକୁ ଗ୍ରାହକ ଇଚ୍ଛା କରୁନଥିବାରୁ ଏଥର ଦୋକାନୀମାନେ ଇଏମଆଇ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଡଜନ ଆମ୍ବର ମୂଲ୍ୟ ୬ ଶହରୁ ୧୩ ଶହ ମଧ୍ୟରେ ରହିଛି । ଉଭୟ କ୍ରେଡିଟ୍ ଓ ଡେବିଟ୍ କାର୍ଡରେ ଇଏମଆଇ ଯୋଗେ ଆମ୍ବ ବିକ୍ରି ପାଇଁ ମାର୍କେଟିଂ ଆରମ୍ଭ ହୋଇଛି । ଫଳରେ ଗ୍ରାହକ ମଧ୍ୟ କିସ୍ତିରେ ଆମ୍ବ କିଣିବାକୁ ପସନ୍ଦ କରୁଥିବା ଜଣେ ଦୋକାନୀ କହିଛନ୍ତି ।