spot_img
Home Blog Page 330

ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ

ନନ୍ଦିଘୋଷ ବ୍ୟୁରୋ : ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ ଲାଗୁ କରିବାର ଦିନକ ପରେ ପୁଟିନଙ୍କୁ ଭେଟିଲେ ଡୋଭାଲ। ଭାରତ ରୁଷ ଦ୍ଵିପାକ୍ଷିକ ସମ୍ପର୍କ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ରଣନୀତିକ ସହଭାଗିତା ଓ ପ୍ରତିବଦ୍ଧତା ଉପରେ ଦୁଇ ଦେଶ ଗୁରୁତ୍ଵାରୋ କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବା ପାଇଁ ଏକ ନିର୍ଦ୍ଦେଶର ପରେ ପୁଣି ମୋଟ ଆମଦାନୀ ଶୁଳ୍କ ୫୦ପ୍ରତିଶତକୁ ବୃଦ୍ଧି ପାଇଛି।

ଆଜି ୟୁକ୍ରେନରେ ଯୁଦ୍ଧ ସମାପ୍ତ କରିବାକୁ ରାଜି ନ ହେଲେ ଏହା ଚତୁର୍ଥ ବର୍ଷରେ ପଦାର୍ପଣ କରିବ। ସେପଟେ ଭାରତ ଉପରେ ଟାରିଫ ବୃଦ୍ଧିକୁ ଦୁର୍ଭାଗ୍ୟଜନକ ବୋଲି କହିଛି ଭାରତ। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସୱାଲ ଶୁଳ୍କକୁ ଅନୁଚିତ ଏବଂ ଅଯୌକ୍ତିକ ବୋଲି ନିନ୍ଦା କରିଛନ୍ତି। ନୂଆଦିଲ୍ଲୀ ଏହାର ଆର୍ଥିକ ସାର୍ବଭୌମତ୍ୱକୁ ରକ୍ଷା କରିବା ପାଇଁ ଯାହା ଆବଶ୍ୟକ ତାହା ଗ୍ରହଣ କରିବ ବୋଲି କହିଛନ୍ତି ଜୈସୱାଲ। ସେପଟେ ସିଧାସଳଖ ଆମେରିକାର ନାମ ନ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତ ବାହ୍ୟ ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ, ଯଦିଓ ଏହାର ମୂଲ୍ୟ ବହନ କରିବାକୁ ପଡିବ।ସେପଟେ ରାଷ୍ଟ୍ରପତି ପୁଟିନ ଏହି ବର୍ଷ ଶେଷ ସୁଦ୍ଧା ଭାରତ ଗସ୍ତ କରିବେ ବୋଲି କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ।

ଉତ୍ତରାଖଣ୍ଡ ଧରାଲୀରେ ମାଟି ଭିତରୁ ଜୀବନ ଖୋଜା, ଯବାନଙ୍କ ପକ୍ଷରୁ ଜୋରଦାର ରେସକ୍ୟୁ ଅପରେସନ

ନନ୍ଦିଘୋଷ ବ୍ୟୁରୋ : ଉତ୍ତରକାଶୀରେ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୮ ଜଣ ସେନା କର୍ମଚାରୀଙ୍କ ସମେତ ୫୮ ଜଣ ଏବେବି ନିଖୋଜ ଥିବା ଜଣାପଡ଼ିଛି। ଏ ନେଇ ସୂଚନା ଦେଇଛି NDRF। ବନ୍ୟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମୃତଦେହ ଠାବ କରିବା ପାଇଁ ଦୁଇଟି ସନ୍ଧାନୀ କୁକୁରଙ୍କୁ ମଧ୍ୟ କାର୍ଯ୍ୟରେ ମୁତୟନ କରାଯାଇଛି। ବନ୍ୟା ପ୍ରଭାବିତ ଉତ୍ତରକାଶୀ ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ହର୍ସିଲ-ଧରାଲି ଅଞ୍ଚଳରୁ ୩୭୨ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି।

ଗଙ୍ଗୋତ୍ରୀ ଧାମ ଅଞ୍ଚଳରେ ଫସି ରହିଥିବା ୧୪୦ ଜଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରୟାସ ଜାରି ରହିଛି। ଗତକାଲି ଗୁରୁବାର ଦୁଇଟି ନୂତନ ମୃତଦେହ ଉଦ୍ଧାର କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।ବିପର୍ଯ୍ୟୟର ସଂଖ୍ୟା ଅସ୍ପଷ୍ଟ ରହିଛି।NDRFର ଚାରିଟି ଦଳ ଘଟଣାସ୍ଥଳରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି। ୨୬୦ ଜଣଙ୍କୁ ହେଲିକପ୍ଟର ଯୋଗେ ମାଳତୀକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ଭାରତୀୟ ବାୟୁସେନା IAF ଦ୍ୱାରା ପରିଚାଳିତ ଚିନୁକ୍ ଏବଂ MI-୧୭ ହେଲିକପ୍ଟରରେ ଡେରାଡୁନକୁ ନିଆଯାଇଛି। ଉଦ୍ଧାର ହୋଇଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଉତ୍ତରକାଶୀର ମାଟଲି ଅଞ୍ଚଳକୁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଆହତଙ୍କୁ ଏମ୍ସ ଋଷିକେଶରେ ଭର୍ତ୍ତି କରାଯାଇଛି। ୨ ଜଣଙ୍କୁ ଡେରାଡୁନର ଆର୍ମି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୮ ଜଣଙ୍କୁ ଉତ୍ତରକାଶୀର ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଉଛି ବୋଲି ସେନା ଏକ ବିବୃତ୍ତିରେ କହିଛି।

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାକୁ ବିତିଲାଣି ଦୁଇ ଦିନ,ଏବେ ବି ସସପେନ୍ସ ଜାରି

ନନ୍ଦିଘୋଷ ବ୍ୟୁରୋ : ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାକୁ ବିତିଲାଣି ଦୁଇ ଦିନ । ଏବେ ବି ସସପେନ୍ସ ଜାରି । ହତ୍ୟା ନା ଆତ୍ମହତ୍ୟା ହେଉନି ସ୍ପଷ୍ଟ । ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ । ଛାତ୍ରୀଜଣକ କାହିଁକି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପରିବାର ଲୋକ ପଟ୍ଟାମୁଣ୍ଡାଇ ମେଡିକାଲରୁ ଫେରିବା ବେଳକୁ ଘର କବାଟ ବନ୍ଦ ଥିଲା । ସେମାନେ ତାଲା ଭାଙ୍ଗି ଭିତରକୁ ପଶିବା ବେଳକୁ ଝିଅକୁ ପୋଡିଯାଇଥିବା ଅବସ୍ଥାରେ ଦେଖିଥିଲେ ।

ପୂର୍ବରୁ ଝିଅର ଅଶ୍ଲୀଳ ଭିଡିଓ ଭାଇରାଲ କରି ତେରୋହୀ ଗାଁର ଜଣେ ଯୁବକ ତାଙ୍କୁ ବ୍ଲାକମେଲ କରୁଥିଲେ । ଏନେଇ ଛଅ ମାସ ତଳେ ସେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସେ ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲାନି । ଯେଉଁଥି ପାଇଁ ଝିଅ ଆତ୍ମହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି ।ଗତକାଲି ଏସସିବି ମେଡିକାଲ କଲେଜରେ ମୃତଦେହ ବ୍ୟବଚ୍ଛେଦ ପରେ ଗାଁରେ ଶେଷକୃତ ସମ୍ପନ୍ନ ହୋଇଛି ।

ବାପାଙ୍କ ଅଭିଯୋଗ ଆଧାରରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏଏସଆଇ ଶୈଳେନ୍ଦ୍ର ମୋହନ ପଲେଇଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ତଦନ୍ତରେ ସ୍ବଚ୍ଛତା ପାଇଁ ଏଭଳି କରାଯାଇଥିବା ଦର୍ଶାଯାଇଛି । ନିଜେ ଏସିପି ତଦନ୍ତ ପ୍ରକ୍ରିୟାକୁ ତଦାରଖ କରୁଛନ୍ତି । ପରିବାର ପକ୍ଷରୁ ହେଉଥିବା ଅଭିଯୋଗ ଏବଂ ପାରିପାର୍ଶ୍ବିକ ସ୍ଥିତି ସବୁ ଦିଗକୁ ପୋଲିସ ତଦନ୍ତ ପରିସରଭୁକ୍ତ କରିଛି ।

ଅଶ୍ଲୀଳ ଇଙ୍ଗିତ କରୁଛନ୍ତି ସାହିତ୍ୟ ଶିକ୍ଷକ: ମୁହଁ ପୋଛିବା ପାଇଁ ଛାତ୍ରୀଙ୍କୁ ମାଗୁଛନ୍ତି ଓଢ଼ଣୀ

ଅଶ୍ଲୀଳ ଇଙ୍ଗିତ କରୁଛନ୍ତି ସାହିତ୍ୟ ଶିକ୍ଷକ । ମୁହଁ ପୋଛିବା ପାଇଁ ଛାତ୍ରୀଙ୍କୁ ମାଗୁଛନ୍ତି ଓଢ଼ଣୀ । ଜଣେ ଶିକ୍ଷକଙ୍କ ବିରୁଦ୍ଧରେ ଏଭଳି ସଙ୍ଗୀନ ଅଭିଯୋଗ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ନବମ ଶ୍ରେଣୀ ଛାତ୍ରୀ । ଛାତ୍ରୀ ଜଣଙ୍କୁ ଶିକ୍ଷକ ବାରମ୍ଵାର ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି । ଢେଙ୍କାନାଳ ଭୁବନ ଥାନା ଅଞ୍ଚଳରୁ ଆସିଛି ଏପରି ସାଂଘାତିକ ଅଭିଯୋଗ । ଶିକ୍ଷକ ମନୋଜ କୁମାର ବାରିକ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ଛାତ୍ରୀ । ଘଟଣା ପରେ ମାନସିକ ଚାପରେ ସ୍କୁଲକୁ ଯାଉ ନଥିବା କହିଛନ୍ତି ଛାତ୍ରୀଙ୍କ ବାପା । ଶିକ୍ଷକଙ୍କ ଗିରଫ ପାଇଁ ଭୁବନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଛାତ୍ରୀ ଓ ପରିବାର ଲୋକେ । ଏହା ପୂର୍ବରୁ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କୁ ଅବଗତ କରାଇଥିଲେ ପରିବାର ଲୋକେ । ବିଦ୍ୟାଳୟରେ ମାତ୍ର ଦୁଇଟି ନବମ ଏବଂ ଦଶମ ଶ୍ରେଣୀ ରହିଛି । ଏଠାରେ କାର୍ଯ୍ୟରତ ଅଛନ୍ତି ସମୁଦାୟ ୪ ଜଣ ଶିକ୍ଷକ । ଘଟଣାକୁ ଅତି ଗୁରୁତର ସହ ନେଇଛନ୍ତି ବିଦ୍ୟାଳୟ ପରିଚାଳନା କମିଟି । ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିବାକୁ ଜିଲ୍ଲା ଶିକ୍ଷା ଅଧିକାରିଣୀ ଏବଂ ଭୁବନ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ ପତ୍ର ଦେଇଛି ପରିଚାଳନା କମିଟି । ତୁରନ୍ତ ପଦେକ୍ଷପ ନିଆ ନଗଲେ ଆଗାମୀ ସମୟରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯିବ ବୋଲି କହିଛନ୍ତି କମିଟି ସଭାପତି ପ୍ରମୋଦ ବେହେରା ।

ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

ଭାରତ ଗସ୍ତରେ ଆସିବେ ରାଷ୍ଟ୍ରପତି ପୁଟିନ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚଳିତ ବର୍ଷର ଶେଷ ଆଡ଼କୁ ଭାରତ ଗସ୍ତରେ ଆସିବେ। ତେବେ ଏ ନେଇ ତାରିଖ ଚୂଡ଼ାନ୍ତ ହେଉଛି।ଏବେ ମସ୍ତୋ ଗସ୍ତରେ ଅଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଜାତା ଅଜିତ ଡୋଭାଲ। ରୁଷ ସୁରକ୍ଷା ପରିଷଦ ସଚିବ ସର୍ଗେଇ ସୋଇଗୁଙ୍କ ସହ ଆଲୋଚନା କରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ପୁଟିନଙ୍କ ଆଗମୀ ଗସ୍ତ ଲାଗି ନୂଆଦିଲ୍ଲୀ ଉତ୍ସାହିତ ବୋଲି କହିଛନ୍ତି ଅଜିତ ଡୋଭାଲ। ୨୦୨୨ରେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପୁଟିନଙ୍କ ଏହା ପ୍ରଥମ ଭାରତ ଗସ୍ତ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମସ୍କୋ ଗସ୍ତ ଅବସରରେ ଏହା ନିଶ୍ଚିତ କରିଛନ୍ତି।ଡୋଭାଲ କହିଛନ୍ତି ଯେ, ମସ୍କୋ ସହ ଆଗାମୀ ସମ୍ପର୍କ ନେଇ ନୂଆଦିଲ୍ଲୀ ଉତ୍ସାହିତ ଏବଂ ଆନନ୍ଦିତ। ଭାରତ-ରୁଷିଆ ସମ୍ମିଳନୀକୁ ଦ୍ୱିପାକ୍ଷିକ ସମ୍ପର୍କର ୱାଟରସେଡ୍ ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରିଛନ୍ତି ଡୋଭାଲ। ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୁଟିନ ଦୁଇଥର ସାକ୍ଷାତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୨ତମ ଭାରତ-ରୁଷ ଶିଖର ସମ୍ମିଳନୀ ପାଇଁ ଗତ ଜୁଲାଇରେ ମସ୍କୋ ଗସ୍ତ ସମୟରେ ଭେଟିଥଲେ। ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ମୋଦି ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ସମୟରେ କାଜାନରେ ଦୁଇ ନେତା ପୁଣି ଥରେ ସାକ୍ଷାତ କରିଥିଲେ।ଭାରତ ଦ୍ୱାରା ରୁଷର ତୈଳ କ୍ରୟ ଜାରି ରଖିବା ନେଇ ନୂଆଦିଲ୍ଲୀ ଏବଂ ୱାଶିଂଟନ ମଧ୍ୟରେ ବୃଦ୍ଧି ପାଉଥିବା ବାଣିଜ୍ୟ ଉତ୍ତେଜନା ମଧ୍ୟରେ ପୁଟିନଙ୍କ ଗସ୍ତ ଏକ ସମ୍ବେଦନଶୀଳ ସମୟରେ ଆସିଛି।

ଖୁବ ଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ: ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଖୁବ ଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ । ୧୦ ବିଭାଗର ଗ୍ରୁପ ସି ର ୨୨ ହଜାର ୮୯୬ ପଦବୀ ପୂରଣ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ଅଗଷ୍ଟ ୩୧ ସୁଦ୍ଧା ନିଯୁକ୍ତି ପକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ସର୍ବାଧିକ ବିଦ୍ୟାଳୟ ଓ ଗଣଶିକ୍ଷ ବିଭାଗର ୮ ହଜାର ୩୫୮, ପଂଚାୟତିରଜା ବିଭାଗର ୪ ହଜାର ୪୨, ସ୍ୱାସ୍ଥ୍ୟ ବିଭାଗର ୩ ହଜାର ୬୭୭ ସହ ୧୦ ବିଭାଗରେ ନିଯୁକ୍ତି ସାରିବାକୁ ନିର୍ଦ୍ଦେଶ ରହିଛି । ୧୦ ବିଭାଗରେ ୪୪ ହଜାର ୯୦୯ ପଦବୀ ଖାଲି ପଡ଼ିଥିବା ବେଳେ ୨୨ ହଜାର ୮୯୬ ପଦବୀ ପୂରଣ ପାଇଁ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଓଡ଼ିଶାରେ ଥିବା ଆଦିବାସୀ ଅଞ୍ଚଳରେ ମୋବାଇଲ ନେଟୱାର୍କ ସ୍ଥିତି କଣ: ମାନସଙ୍କ ପ୍ରଶ୍ନର ଉତ୍ତର ଦେଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାରେ ଥିବା ୫୧ ହଜାର ୧୭୬ ଗ୍ରାମ ମଧ୍ୟରୁ ୪୯ ହଜାର ୨୫୫ ମୋବାଇଲ ନେଟୱାର୍କ ଥିବା କେନ୍ଦ୍ର ଯୋଗାଯୋଗ ତଥା ଗ୍ରାମ ବିକାଶ ରାଷ୍ଟ୍ରମନ୍ତ୍ରୀ ଡ.ପ୍ରେମାସନି ଚନ୍ଦ୍ର ଶେଖର ସଂସଦରେ ସୂଚନା ଦେଇଛନ୍ତି। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ଏହି ସୂଚନା ଦେଇଛନ୍ତି। ଓଡ଼ିଶାରେ ଥିବା ଆଦିବାସୀ ଅଞ୍ଚଳରେ ମୋବାଇଲ ନେଟୱାର୍କ ସ୍ଥିତି କଣ ରହିଛି। ଏ ଯାଏଁ କେତେ ଗାଁରେ ମୋବାଇଲ ନେଟୱାର୍କ ପହଞ୍ଚିନାହିଁ। ଏ କ୍ଷେତ୍ରରେ ବିଏସଏନଏଲଡ଼ ଓ ଘରୋଇ ଅପରେଟରଙ୍କ ଭୂମିକା, ଶତପ୍ରତିଶତ ମୋବାଇଲ ନେଟୱାର୍କ ପାଇଁ ଧାର୍ଯ୍ୟସମୟ ସୀମା କଣ? ଏହାସହିତ ଏଥିପାଇଁ କିଛି ସ୍ବତନ୍ତ୍ର ପାଣ୍ଠି ବିନିଯୋଗ ହେଉଛି କି ବୋଲି ମାନସ ରଞ୍ଜନ ମଙ୍ଗରାଜ ୫ଟି ପ୍ରଶ୍ନ ପଚାରିଥିଲେ। ଉତ୍ତରରେ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଡ.ପ୍ରେମାସନି କହିଛନ୍ତି ଯେ, ମୋବାଇଲ ନେଟୱାର୍କ ଥିବା ୪୯ ହଜାର ୨୫୫ ଗାଁ ମଧ୍ୟରୁ ୪୮ ହଜାର ୪୯୦ ଗାଁରେ 4G ନେଟୱାର୍କ କାମ କରୁଛି। ରାଜ୍ୟର ୧୯ ହଜାର ୫୧୯ଟି ଆଦିବାସୀ ଗାଁ ମଧ୍ୟରୁ ୧୮ ହଜାର ୩୦୨ଟି ଗାଁରେ ମୋବାଇଲ ନେଟୱାର୍କ ଅଛି। ଏଥିନିମନ୍ତେ ୯୮ ହଜାର ୮୪୮ଟି ବେସ ଟ୍ରାନସରିସିଭର ଷ୍ଟେସନ ବା ବିଟିଏସ ସ୍ଥାପନ କରାଯାଇଛି। ଏଥିମଧ୍ୟରୁ ୮୮ ହଜାର ୩୬୦ଟି ବିଟିଏସଡ଼ ଘରୋଇ ସଂସ୍ଥାମାନେ ପ୍ରତିଷ୍ଠା କରିଥିବାବେଳେ ବିଏସଏନଏଲ ୧୦ ହଜାର ୪୮୮ଟି ଷ୍ଟେସନ ସ୍ଥାପନ କରିଛି। ଡିଜିଟାଲ ଭାରତ ନିଧି ଯୋଜନା ଆନୁକୂଲ୍ୟରେ ମୋବାଇ ନେଟୱାର୍କର ପରିସର ବୃଦ୍ଧି ପାଇଁ ଉଦ୍ୟମ କରାଯାଇଛି। ୨୦୨୫ ଜୁନମାସ ସୁଦ୍ଧା ୩ ହଜାର ୧୧୩ଟି ମୋବାଇ ଟାୱାର ସ୍ଥାପନ ହୋଇଛି। ଏହାଦ୍ବାରା ୪ ହଜାର ୪ ଶହ ୯୧ଟି ଗାଁ ମୋବାଇଲ ନେଟୱାର୍କ ସହ ଯୋଡ଼ି ହୋଇଛି। ୨୦୨୫ ଜୁନ ମାସ ସୁଦ୍ଧା ଡିଜିଟାଲ ଭାରତ ନିଧି ଯୋଜନା ମାଧ୍ୟମରେ ୩ ହଜାର ୯୩୪ କୋଟି ଟଙ୍କା ପ୍ରଦାନ କରାଯାଇଛି।

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା ନେଉଛି ନୂଆ ମୋଡ଼: ଆତ୍ମହତ୍ୟା ନା ହତ୍ୟା….?

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା ନେଉଛି ନୂଆ ମୋଡ଼ । ଆତ୍ମହତ୍ୟା ନା ହତ୍ୟା ନେଇ ପୋଲିସ କରୁଛି ତଦନ୍ତ । ବାଲେଶ୍ବର, ବଳଙ୍ଗା ପରେ ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ଯ । ଛାତ୍ରୀଜଣକ କାହିଁକି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପରିବାର ଲୋକ ପଟ୍ଟାମୁଣ୍ଡାଇ ମେଡିକାଲରୁ ଫେରିବା ବେଳକୁ ଘର କବାଟ ବନ୍ଦ ଥିଲା । ସେମାନେ ତାଲା ଭାଙ୍ଗି ଭିତରକୁ ପଶିବା ବେଳକୁ ଝିଅକୁ ପୋଡିଯାଇଥିବା ଅବସ୍ଥାରେ ଦେଖିଥିଲେ । ପୂର୍ବରୁ ଝିଅର ଅଶ୍ଲୀଳ ଭିଡିଓ ଭାଇରାଲ କରି ତେରୋହୀ ଗାଁର ଜଣେ ଯୁବକ ତାଙ୍କୁ ବ୍ଲାକମେଲ କରୁଥିଲେ । ଏନେଇ ଛଅ ମାସ ତଳେ ସେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସେ ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲାନି । ଯେଉଁଥି ପାଇଁ ଝିଅ ଆତ୍ମହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି ।

ଏସସିବି ମେଡିକାଲ କଲେଜରେ ମୃତଦେହ ବ୍ୟବଚ୍ଛେଦ ପରେ ଗାଁରେ ଶେଷକୃତ ସମ୍ପନ୍ନ ହୋଇଛି । ବାପାଙ୍କ ଅଭିଯୋଗ ଆଧାରରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏଏସଆଇ ଶୈଳେନ୍ଦ୍ର ମୋହନ ପଲେଇଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ତଦନ୍ତରେ ସ୍ବଚ୍ଛତା ପାଇଁ ଏଭଳି କରାଯାଇଥିବା ଦର୍ଶାଯାଇଛି । ନିଜେ ଏସିପି ତଦନ୍ତ ପ୍ରକ୍ରିୟାକୁ ତଦାରଖ କରୁଛନ୍ତି । ପରିବାର ପକ୍ଷରୁ ହେଉଥିବା ଅଭିଯୋଗ ଏବଂ ପାରିପାର୍ଶ୍ବିକ ସ୍ଥିତି ସବୁ ଦିଗକୁ ପୋଲିସ ତଦନ୍ତ ପରିସରଭୁକ୍ତ କରିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହା ଆତ୍ମହତ୍ୟା ନା ହତ୍ୟା । ତାକୁ ନେଇ ତଦନ୍ତ ଚାଲିଥିବା ଏସପି କହିଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡ଼ା ପଞ୍ଚାୟତର କାଠିଆପଡ଼ା ଗାଁରେ ଗତକାଲି ଘଟିଥିବା ଏହି ଘଟଣା ପାଇଁ ପୋଲିସର ନିଷ୍କ୍ରିୟତାକୁ ଦାୟୀ କରାଯାଇଛି । ମୃତ ଛାତ୍ରୀ ବଡ଼ପଡ଼ା ମହାବିଦ୍ୟାଳୟର ଯୁକ୍ତ ତିନି ଶେଷବର୍ଷର ଛାତ୍ରୀ ଥିଲେ । ତେବେ ଝିଅଙ୍କୁ କିଏ ଓ କାହିଁକି ବ୍ଲାକମେଲ କରୁଥିଲା ତାହା ପୋଲିସର ତଦନ୍ତ ପରିସରକୁ ଆସିଛି । ସେପଟେ ଝିଅ ଆତ୍ମହତ୍ୟାକୁ ନେଇ ପୂରା ପରିବାର ଭାଙ୍ଗି ପଡିବା ସହ ନ୍ୟାୟ ଅପେକ୍ଷାରେ ଅଛନ୍ତି ।

ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ବଢୁଛି ନା କମୁଛି: ତାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି

ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ବଢୁଛି ନା କମୁଛି । ତାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।ଶାସକ ବିଜେପିର ଯୁକ୍ତି- ରାଜ୍ୟ ସରକାରଙ୍କ ପାଇଁ ସବୁଥିରେ କେନ୍ଦ୍ରର ସହଯୋଗ ଓ ସହଭାଗିତା ରହିଛି । ବିଭିନ୍ନ ସମୟରେ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ର ନେତୃତ୍ୱଙ୍କୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଭେଟି ରାଜ୍ୟର ସ୍ବାର୍ଥ ଲାଗି ଆଲୋଚନା କରୁଛନ୍ତି । ଓଡ଼ିଶାକୁ ଆହୁରି କେନ୍ଦ୍ରୀୟ ଅନୁଦାନ ମିଳିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ବରିଷ୍ଠ ଉପସଭାପତି ଦେବୀ ମିଶ୍ରଙ୍କ ଯୁକ୍ତି- କେନ୍ଦ୍ରୀୟ ଅନୁଦାନ ଓଡିଶାରେ କମିବାରେ ଲାଗିଛି । ଗତ ୫ବର୍ଷରେ ଓଡିଶାକୁ ବିଜ୍ଞାନ ଓ କାରିଗରୀ ବିଭାଗ ଲାଗି ଟଙ୍କାଟିଏ ସହାୟତା ମିଳିନାହିଁ। ସଂସଦର ଏକ ପ୍ରଶ୍ନର ଉତ୍ତରେ ଖୋଦ କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି। ପଞ୍ଚାୟତିରାଜ କ୍ଷେତ୍ରରେ ମଧ୍ୟ କେନ୍ଦ୍ରର ଆର୍ଥିକ ସହାୟତା ପୂର୍ବବର୍ଷ ଅପେକ୍ଷା କମ ।

କେନ୍ଦ୍ରୀୟ ଅନୁଦାନ କମିବା ନେଇ ବିଜେପି ସରକାରକୁ ଟାର୍ଗେଟ କରିଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି କେନ୍ଦ୍ର ପାଖରେ ଓଡିଶା ତାର ଦାବି ସଠିକ ଭାବେ ରଖିପାରୁନାହିଁ । ଯେହେତୁ ଓଡିଶାରେ ବିଜେପି ଓ କେନ୍ଦ୍ରରେ ବିଜେପି ସରକାର ତେଣୁ ତାହା ସମସ୍ୟା ହେଉଛି। କେନ୍ଦ୍ର ସରକାର ଓଡିଶାର ଚାଉଳ ନେଉନାହିଁ । ବାରମ୍ବାର ଦାବି ସତ୍ତ୍ବେ ଓଡିଶା ଚାଉଳ ଉଠାଉନାହିଁ ଏଫସିଆଇ । ଏହାର କାରଣ କଣ ବିଜେପି ସରକାର ଜଣାନ୍ତୁ ବୋଲି ବିଜେଡି କହିଛି । ଜବାବରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି- ୨୦୩୬ରେ ବିକଶିତ ଓଡିଶା ଗଠନ କରିବାକୁ ବାରମ୍ବାର କେନ୍ଦ୍ରମନ୍ତ୍ରୀମାନଙ୍କ ସହ ଆଲୋଚନା କରାଯାଉଛି । କେନ୍ଦ୍ରରେ ଯୁପିଏ ହେଉ କି ଏନଡିଏ ସରକାର । ଓଡିଶା ଲଗାତର ହୋଇଛି ଅବହେଳାର ଶିକାର।

ସାରା ରାଜ୍ୟରେ ପୋଷ୍ଟାଲ ସେବା ଅଚଳ: ଲମ୍ବାଧାଡ଼ି ଲଗାଇ ଲୋକେ ହନ୍ତସନ୍ତ

ରେଜିଷ୍ଟର୍ଡ଼ ଚିଠି ହେଉ କି ସ୍ପିଡ୍‌ ପୋଷ୍ଟ । କିଛି ବି ପଠାଯାଇ ପାରୁନି । ଲମ୍ବାଧାଡ଼ି ଲଗାଇ ଲୋକେ ହନ୍ତସନ୍ତ । ସାରା ରାଜ୍ୟରେ ପୋଷ୍ଟାଲ ସେବା ଅଚଳ । ଅଚଳାବସ୍ଥା କେବେ ଦୂର ହେବ କିଛି ଉଁ କି ଚୁଁ କହୁନାହାନ୍ତି ପୋଷ୍ଟାଲ କର୍ତ୍ତୃପକ୍ଷ । ୬ ଦିନରୁ ଅଧିକ ବିତିଯାଇଥିଲେ ମଧ୍ୟ ଲୋକେ ଆଜି ବି ପୋଷ୍ଟ ଅଫିସରେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଛିଡା ହୋଇଥିବା ଦେଖିବାକୁ ମିଳିଛି। ସାଧାରଣ ପୋଷ୍ଟ ଅଫିସ କଥା ଛାଡ଼ନ୍ତୁ । ଖୋଦ ଭୁବନେଶ୍ୱର ପ୍ରଧାନ ଡାକଘର ବା ଜିପିଓରେ ଶହ ଶହ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି। ଗତ ଶନିବାର ଠାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରକ୍ଷା ବନ୍ଧନ ଥିବାରୁ ରାକ୍ଷୀ ପଠାଇବାଠୁ ଆରମ୍ଭ କରି ରେଜିଷ୍ଟର୍ଡ ପୋଷ୍ଟ, ସ୍ପିଡ଼ ପୋଷ୍ଟ, ସଞ୍ଚୟ ଖାତାରେ ଜମା ଓ ଉଠାଣ କିଛି ବି ହୋଇପାରୁନି । ପୋଷ୍ଟାଲ ସେବା ବାଧାପ୍ରାପ୍ତ ହେବାରୁ ପୋଷ୍ଟ ଅଫିସରେ ଗଦା ହେଲାଣି ଚିଠି ଓ ଲୋକଙ୍କ ଗୁରୁତ୍ବପୂର୍ଣ୍ଣ କାଗଜ । ଏତେଦିନ ହେଲାଣି ଲୋକେ ହଇରାଣ ହରକତ ହେଉଛନ୍ତି ଅଥଚ ଏଭଳି ଅସୁବିଧା ସମାଧାନ ପାଇଁ ପୋଷ୍ଟାଲ ଅଧିକାରୀ ଚୁପ । ନୂଆ ସଫ୍ଟଓ୍ବେର ସମସ୍ୟା କରୁଥିବାରୁ ହାତ ଟେକିଦେଇଛନ୍ତି।

ସ୍ଥିତି ଏମିତି ହୋଇଛି କର୍ମଚାରୀ କମ୍ପ୍ୟୁଟର ଲଗ-ଇନ୍‌ କରିପାରୁନାହନ୍ତି । ସଫ୍ଟଓ୍ବେର ଠିକ୍‌ ଭାବେ କାମ କରୁନଥିବାରୁ ଲିଙ୍କ ମିଳୁନି । କର୍ମଚାରୀମାନେ ଘଣ୍ଟା ଘଣ୍ଟା ଧରି ସିଷ୍ଟମ ଅନ କରି ବସି ରହିଥିବା ଦେଖିବାକୁ ମିଳିଛି। ଶାଖା ପୋଷ୍ଟ ଅଫିସରୁ ଫେରି ଲୋକେ ଜିପିଓକୁ ଆସି ବି ସମାନ ଦଶା ଭୋଗୁଛନ୍ତି । ସେପଟେ ଲୋକ ଗହଳିକୁ ଦେଖି ଜିପିଓରେ ଲୋକଙ୍କଠାରୁ ଅଫଲାଇନରେ ଲେଖି ଜିନିଷ ରିସିଭ କରାଯାଉଛି। କିନ୍ତୁ ଅନଲାଇନ ବ୍ୟବସ୍ଥା କାମ କରୁନଥିବାରୁ ପୋଷ୍ଟ ପଠାଯାଇ ପାରୁନାହିଁ। ଯାହାକୁ ନେଇ ଲୋକେ ଘୋର ଅସନ୍ତୋଷ ଝାଡିଛନ୍ତି। ସେପଟେ ନୂଆ ସଫ୍ଟୱେୟାର ଯୋଗୁ ଲୋକେ ସମସ୍ୟା ଭୋଗୁଥିବା ପୋଷ୍ଟାଲ କର୍ମଚାରୀ ସ୍ୱୀକାର କରିଛନ୍ତି। ପୋଷ୍ଟାଲ ସେବା ଲୋକଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । କାହାର ନିଯୁକ୍ତି ଚିଠି ହେଉ କିମ୍ବା କୋର୍ଟ କାଗଜ ସବୁଥିରେ ପୋଷ୍ଟାଲ ସେବା ଉପରେ ରହିଛି ଲୋକଙ୍କ ଭରସା । କେନ୍ଦ୍ର ସରକାରଙ୍କ ଏହି ସଂସ୍ଥାରେ ଏତେଦିନ ହେଲାଣି ଅଚଳାବସ୍ଥା ଜାରି ରହିଛି । ପୋଷ୍ଟମାଷ୍ଟର ଜେନେରାଲ କି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୋଟିଏ ପ୍ରେସ୍‌ ରିଲିଜ ବି ଜାରି କରାଯାଇନି । କେବେ ସେବା ସ୍ବାଭାବିକ ହେବ ତାକୁ ନେଇ ଏବେ ଲୋକେ ଅନ୍ଧାରରେ।