ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ଆକ୍ରମଣ କଲେ ଦୁବୃର୍ତ୍ତ। ବେଗୁନିଆ ବୋଲଗଡ଼ ବିଜେପି ପ୍ରାର୍ଥୀ ପ୍ରକାଶ ବିଜୁଳି ଚାଷୀଙ୍କୁ ନେଇ କୃଷି ଅଧିକାରୀଙ୍କ ସହ ସାକ୍ଷାତ କରି ଫେରିବା ସମୟ ରେ ଫୋନ ଯୋଗେ ଧମକ ଦେଇଥିଲେ ଖୋର୍ଦ୍ଧା ବିଧାୟକ । ପରେ ପରେ କିଛି ଦୁବୃର୍ତ୍ତ ପ୍ରକାଶ ବିଜୁଳି ଙ୍କ ଗାଡ଼ି ଭାଙ୍ଗିବା ସହ ଆକ୍ରମଣ କରି ସୁନା ଚେନ ଲୁଟି ନେଇଥିବାର ଅଭିଯୋଗ। ଗତ କିଛିଦିନ ହେଲା ଖୋର୍ଦ୍ଧା ଅଞ୍ଚଳରେ ବିଜେପିର ଦୁଇ ବିଧାୟକଙ୍କ ମଧ୍ୟରେ ତିକ୍ତତା ବଢିଚାଲିଥିବା ବେଳେ, ଆଜିର ଘଟଣା ଖୋର୍ଦ୍ଧା ବିଜେପିରେ ଯେ ସବୁକିଛି ଠିକ୍ ନାହିଁ ତାହା ସ୍ପଷ୍ଟ ହୋଇଯାଇଛି ।
ସିଲଭରସ୍କ୍ରିନରେ ପୁଣି ଧମାଲ କରିବେ ପପୁ ପମପମ: ରିଲିଜ ଅପେକ୍ଷାରେ ଫିଲ୍ମ ଇସ୍କ ଟ୍ରାଫିକ
ସିଲଭରସ୍କ୍ରିନରେ ପୁଣି ଧମାଲ କରିବେ ପପୁ ପମପମ । ରିଲିଜ ଅପେକ୍ଷାରେ ଫିଲ୍ମ ଇସ୍କ ଟ୍ରାଫିକ। ଧମାକାଦାର କମେଡି ସାଙ୍ଗକୁ ଫିଲ୍ମରେ ରହିଛି ଲଭ, ରୋମାନ୍ସ ଓ ଇମୋସନର ଫେଣ୍ଟାଫେଣ୍ଟି କାହାଣୀ । ଫିଲ୍ମରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖାଦେବେ ପପୁ ପମପମ୍ । ଅଭିନେତ୍ରୀ ମନସ୍ବିନୀ ପତି ଓ ପ୍ରିୟଙ୍କା ସାହୁଙ୍କ ସହ ଅନ୍ୟାନ୍ୟ ଭୂମିକାରେ ପୁଷ୍ପା ପଣ୍ଡା, ଚୌଧୁରୀ ଜୟପ୍ରକାଶ ଦାସ, ଜୀବନ ପଣ୍ଡା, ସନ୍ତୁ, ମହାପ୍ରସାଦ କର, ନୈନା ନାଥ, ଅର୍ପିତା ସାହୁ, ଆନ୍ନା, ବାପି, କାଳିଆ, ସୁଧୀର ବାରିକଙ୍କୁ ଦେଖିବାକୁ ମିଳିବ । କାହାଣୀ ଓ ସଂଳାପ ରଚନା କରିଛନ୍ତି ଶୁଭ୍ରାଂଶୁ ବିଶ୍ୱାଳ । ପ୍ରଚାର ମୁଖ୍ୟ ରହିଛନ୍ତି ହରପ୍ରସାଦ ମହାପାତ୍ର ।
ଗ୍ରୀନ ଚିଲିଜ ଏଣ୍ଟରଟେନମେଣ୍ଟ ନିବେଦିତ ଏହି ଫିଲ୍ମର ରିଲିଜ ହୋଇଛି ଅଡ଼ିଓ । କାର୍ଯ୍ଯକ୍ରମରେ ସଙ୍ଗୀତ ନିର୍ଦ୍ଦେଶକ ଅସଦ ନିଜାମ ଓ ତାଙ୍କ ଟିମ ସମେତ ଚଳଚ୍ଚିତ୍ରର ସମସ୍ତ କଳାକାର ଓ ଟେକନିସିଆନ ଯୋଗ ଦେଇଥିଲେ । ରୋହଣଜିତ ଦାସଙ୍କ ସଂଗୀତ ନିର୍ଦ୍ଦେଶନାରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ମଣ୍ଟୁ ଛୁରିଆ, କୁଲଦୀପ ପଟ୍ଟନାୟକ, ଅସୀମା ପଣ୍ଡା, ସତ୍ୟଜିତ ପ୍ରଧାନ ଓ ଅବିନାଶ । ଚଳଚ୍ଚିତ୍ରରେ ସମୁଦାୟ ୭ଟି ଗୀତ ଥିବାବେଳେ ଏହାକୁ ରଚନା କରିଛନ୍ତି ତପୁ ନାୟକ, ରଞ୍ଜନ ନାୟକ, ପୁଷ୍ପକ ପରିଡା ଓ ଅସଦ ନିଜାମ ।
ରାକ୍ଷୀ ପିନ୍ଧିବେ ମହାପ୍ରଭୁ: ଭଉଣୀ ସୁଭଦ୍ରାଙ୍କ ହାତରୁ ରାକ୍ଷୀ ବାନ୍ଧିବେ ଜଗା-ବଳିଆ
ରାକ୍ଷୀ ପିନ୍ଧିବେ ମହାପ୍ରଭୁ । ଭଉଣୀ ସୁଭଦ୍ରାଙ୍କ ହାତରୁ ରାକ୍ଷୀ ବାନ୍ଧିବେ ଜଗା- ବଳିଆ । ଶ୍ରୀମନ୍ଦିରରେ ପାଳିତ ହେବ ସ୍ବତନ୍ତ୍ର ନୀତିକାନ୍ତି । ଗହ୍ମା ପୂର୍ଣମୀ ଦିନ ଉତ୍କଳୀୟ ପରମ୍ପରା ଅନୁସାରେ ଭଉଣୀ ଭାଇ ହାତରେ ସ୍ନେହ ଶ୍ରଦ୍ଧାର ରାକ୍ଷୀ ବାନ୍ଧିଥାଏ । ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଭଉଣୀ ସୁଭଦ୍ରା ଏହି ଦିନ ବଡ଼ଭାଇ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବାର ପରମ୍ପରା ରହିଛି । ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ମଇଲମ କରାଯାଇ ନୂଆ ଲୁଗା ଲାଗି କରି ପୁଷ୍ପାଳକ ସେବକ ମାନେ ବଡ଼ଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହାତରେ ସ୍ୱତନ୍ତ୍ର ଭାବେ ନିର୍ମିତ ପାଟ ରାକ୍ଷୀ ଓ ଗୁଆ ମାଳ ପିନ୍ଧାଇବେ ।
ନାଲି, ନେଳି, ହଳଦିଆ ଓ ବାଇଗଣୀ ରଙ୍ଗର ବାସୁଙ୍ଗା ପାଟରେ ମହାପ୍ରଭୁଙ୍କ ପାଇଁ ପାଟରା ବିଶୋୟୀ ସେବକ ପ୍ରସ୍ତୁତ କରୁଛନ୍ତି ବିଶେଷ ରାକ୍ଷୀ ଓ ଗୁଆ ମାଳ । ଅତ୍ୟନ୍ତ ଶୁଦ୍ଧପୁତ ଓ ନିଷ୍ଠାର ସହ ଜଗନ୍ନାଥ ପାତ୍ରଙ୍କ ପରିବାର ରାକ୍ଷୀ ନିର୍ମାଣରେ ଲାଗିଛନ୍ତି । ୪ ଟି ଵିଶାଳ ରାକ୍ଷୀ ସମେତ ୪ଟି ଗୁଆମାଳ ନିର୍ମାଣ ପାଇଁ ଆବଶ୍ୟକୀୟ ପାଟ ଓ ନିର୍ମାଣ ସମଗ୍ରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି । ବାସୁଙ୍ଗା ପାଟରେ ନିର୍ମିତ ପ୍ରତିଟି ରାକ୍ଷୀର ଓଜନ ପ୍ରାୟ ଏକ କିଲୋରୁ ଉର୍ଦ୍ଧ୍ବ ହେବ ବୋଲି କହିଛନ୍ତି ସେବକ ।
ଡେଙ୍ଗୁ ମୁକାବିଲା କରିବ ଆପ୍: ଡେଙ୍ଗୁ ପ୍ରବଣ ଅଞ୍ଚଳକୁ ଜିଓ ଟ୍ୟାଗିଂ କରିବାକୁ ଯୋଜନା କରିଛି ବିଏମସି
ଡେଙ୍ଗୁ ମୁକାବିଲା କରିବ ଆପ୍ । ଡ୍ରୋନ ପରେ ଏବେ ଜିଓ ଟ୍ୟାଗିଙ୍ଗ୍ । ଚିହ୍ନଟ ହେବ ମଶାପ୍ରବଣ ଅଞ୍ଚଳ । ହଟସ୍ପଟ୍ ଜୋନରେ ହେବ ରେଡ୍ ମ୍ୟାପିଂ । ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଦିଆଯିବ ପ୍ରଶିକ୍ଷଣ । ନୂଆ ଟେକ୍ନୋଲୋଜି ଦ୍ଵାରା ଡେଙ୍ଗୁ ପ୍ରବଣ ଅଞ୍ଚଳକୁ ଜିଓ ଟ୍ୟାଗିଂ କରିବାକୁ ଯୋଜନା କରିଛି ବିଏମସି । ଏଥିଲାଗି ବିଏମସି ପରିମଳ ଓ ଆଇଟି ବିଭାଗ ମିଳିତ ଭାବେ ଏକ ସ୍ବତନ୍ତ୍ର ଆପ୍ ପ୍ରସ୍ତୁତ କରିବାକୁ ଯାଉଛି । ଅଧିକ ମଶା ହେଉଥିବା ସ୍ଥାନକୁ ପ୍ରଥମେ ଚିହ୍ନଟ କରାଯିବ । ସର୍ଭେଲାନ୍ସ ଟିମ୍, ଆଶା, ଅଙ୍ଗନବାଡ଼ି କର୍ମଚାରୀ ମିଳିତ ଭାବେ ଅଞ୍ଚଳ ପରିଦର୍ଶନ କରିବେ । ଅଞ୍ଚଳର ଫଟୋ ଅକ୍ଷାଂଶ, ଦ୍ରାଘିମା, ତାରିଖ ଏବଂ ସମୟ ସହ ଅପଲୋଡ କରାଯିବ । ଏହାକୁ ରେଡ୍ ମ୍ୟାପିଂ କରି ଚିହ୍ନଟ କରାଯିବ । ଏହାପରେ ସ୍ବତନ୍ତ୍ର ଆପ୍ ଜରିଆରେ ସେହି ଅଞ୍ଚଳର ଫଟୋ ଅପଲୋଡ ହେବ । ଜିଓ ହେଉଛି ଜିଓଗ୍ରାଫିକାଲ ଇନଫରମେସନ । ବିଏମସି ପକ୍ଷରୁ ମଶାପ୍ରବଣ ସ୍ଥାନ ଚିହ୍ନଟ ହେବା ପରେ କେଉଁ ଅଞ୍ଚଳରେ ରୋଗୀ ସଂଖ୍ୟା ଅଧିକ ରହିଛି ଏହି ଆପ୍ ଜରିଆରେ ଜାଣିହେବ । ଫଳରେ ଲୋକେ ଅଧିକ ସତର୍କ ହୋଇ ପାରିବେ ।
ଆପ୍ ଜରିଆରେ ଜଣେ ସାଧାରଣ ଲୋକ ଅଭିଯୋଗ ମଧ୍ୟ କରି ପାରିବେ । ଅଭିଯୋଗ ଆସିବା ମାତ୍ରେ ବିଏମସି କୁଇକ୍ ଆକ୍ସନ ଟିମ୍ ଏବଂ ସର୍ଭେଲାନ୍ସ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବେ । ପ୍ରତି ଗୁରୁବାର ପରି ଭୁବନେଶ୍ବରର ଡ୍ରାଏ-ଡେ ପାଳନ ହୋଇଛି । ୫୪ ନମ୍ବର ୱ୍ବାର୍ଡରେ ସ୍ବଛସାଥୀ, ଏନଜିଓ ସହୟତାରେ ସଚେତନ କରିଛନ୍ତି କର୍ପୋରେଟର ସନ୍ତୋଷ ସିଂ। ମଶା ଲାର୍ଭା କେମିତି ନହେବ, ମଶା ତେଲ ପକାଇବା ସହିତ ସ୍ପ୍ରେ କରୁଛନ୍ତି । ସେହିଭଳି ୩୫ ନମ୍ବର ୱାର୍ଡରେ କର୍ପୋରେଟର ଗଳି କନ୍ଦିରେ ଉପସ୍ଥିତ ରହି ସଫେଇ କରାଉଛନ୍ତି । ଏହାସହ ପାଣି ଜମିଥିବା ସ୍ଥାନରେ ମଶା ତେଲ ଓ ସ୍ପ୍ରେ କରୁଛନ୍ତି । ପୂର୍ବରୁ ମଶା ଦମନ କରିବାକୁ ବିଏମସି ଡ୍ରୋନ୍ ସାହାଯ୍ୟରେ ଔଷଧ ସିଞ୍ଚନ କରିଥିଲା । କିନ୍ତୁ ଡେଙ୍ଗୁ ନିରାକରଣ ସମ୍ଭବ ହେଲା ନାହିଁ । ଏବେ ପୁଣି ଡେଙ୍ଗୁ ହଟସ୍ପଟ ଚିହ୍ନଟ କରିବାକୁ ଜିଓ ଟ୍ୟାଗିଂ କରିବାକୁ ଯୋଜନା ହେଉଛି ।
ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାକୁ ମାସେ ପୂରିବ: କ୍ରାଇମବ୍ରାଞ୍ଚ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ
ଦିଆସିଲି ମାରିବା ମାତ୍ରେ ଲାଗିଯାଇଥିଲା ନିଆଁ । ଫୁଲ ବୋତଲ ପେଟ୍ରୋଲ ନିଜ ଉପରେ ଢାଳି ଦେଇଥିଲେ ଛାତ୍ରୀ । ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାକୁ ଆଉ ୫ ଦିନ ପରେ ବିତିବ ମାସେ । ଏହାରି ଭିତରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଘଟଣା ଦିନ ଅନେକ ଅଣଛାତ୍ର କଲେଜ ମଧ୍ୟରେ ପ୍ରବେଶ କରିଥିଲେ । ସେମାନଙ୍କର ମଧ୍ୟ ଆତ୍ମହତ୍ୟା ଉଦ୍ୟମ ପାଇଁ ଉସକାଇଥିଲେ । ଯାହାକୁ ଆଧାର କରି ABVP ର ରାଜ୍ୟ ଯୁଗ୍ମ ସମ୍ପାଦକ ଅଣଛାତ୍ର ଶୁଭ୍ର ସମ୍ବିତଙ୍କୁ ଗିରଫ ମଧ୍ୟ କରିଛି କ୍ରାଇମବ୍ରାଞ୍ଚ । ତଦନ୍ତର ଅଗ୍ରଗତି ସମୀକ୍ଷା କରିବା ପାଇଁ ଦୁଇଦିନ ହେବ ଡେରା ପକାଇଛନ୍ତି କ୍ରାଇମବ୍ରାଞ୍ଚ ଏସପି ଅନିରୁଦ୍ଧ ରାଉତରାୟ । ଡିଏସପି ଇମାନ କଲ୍ୟାଣ ନାୟକଙ୍କ ନେତୃତ୍ୱରେ ଚାଲିଛି ତଦନ୍ତ । ତେବେ ତଦନ୍ତ ଶେଷ ହେବାକୁ କିଛି ଦିନ ସମୟ ଲାଗିବ ବୋଲି କହିଛନ୍ତି ଏସପି । ଫରେନ୍ସିକ ଲ୍ୟାବକୁ ପଠାଯାଇଥିବା କିଛି ତଥ୍ୟର ରିପୋର୍ଟ ଆସିଛି । ନୂଆକରି ପଠାଯାଇଥିବା କିଛି ରିପୋର୍ଟ ଆସିନାହିଁ । ଆହୁରି କିଛି ତଥ୍ୟ ଲ୍ୟାବକୁ ପଠାଯିବ । ତଦନ୍ତକୁ ସଂପୂର୍ଣ୍ଣ ସମୀକ୍ଷା କରି ଡିଜିଙ୍କୁ ପ୍ରଦାନ କରାଯିବ ।
ସପଟେ ଫାଷ୍ଟ ଗେଟରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କୁ ଝାଳବୁହା ଜେରା କରିଛି କ୍ରାଇମବ୍ରାଞ୍ଚ । କେତେବେଳେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ ? ଛାତ୍ରୀ ଜଣକ କେଉଁ ସମୟରେ କଲେଜ୍ କ୍ୟାମ୍ପସକୁ ପଶିଲେ ? ଛାତ୍ରୀଙ୍କ ସାଙ୍ଗରେ କିଏ କିଏ ଥିଲେ ? କେଉଁ ଛାତ୍ର ମାନେ ଛାତ୍ରୀଙ୍କ ସହ ଥିଲେ ? କେତେ ଜଣ ଅଣଛାତ୍ର ଥିଲେ ? ସବୁ ଛାତ୍ର ମାନେ ୟୁନିଫର୍ମ ରେ ଥିଲେ ନା ନର୍ମାଲ ଡ୍ରେସ୍ ରେ ଥିଲେ ? ଏସବୁ ବିଷୟକୁ ନେଇ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ମେନ ଗେଟ୍ ସହ, ପ୍ରିନ୍ସପାଲ୍ ଚାମ୍ବର ଓ କ୍ୟାମ୍ପସରେ ଡ୍ୟୁଟି କରୁଥିବା ୩ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ସେପଟେ ସମୀର ସାହୁଙ୍କ ବେଲ ପିଟିସନର ଶୁଣାଣି ଆସନ୍ତା ୧୨ ତାରିଖ ଧାର୍ଯ୍ୟ କରିଛନ୍ତି । ଏହାରି ଭିତରେ CD ଦାଖଲ ପାଇଁ କ୍ରାଇମବ୍ରାଞ୍ଚ ଆବେଦନକୁ ଗ୍ରହଣ କରି କୋର୍ଟ ୭ ଦିନ ସମୟ ଦେଇଛନ୍ତି ।
ଟ୍ରେଣ୍ଡ ପାଲଟିଛି ଛୁଆ ନିଖୋଜ: କାହିଁକି ବଢୁଛି କୋମଳମତି ଶିଶୁଙ୍କ ନିଖୋଜ ସଂଖ୍ୟା ?
ପୁଣି ଲକ୍ଷ୍ମୀସାଗର ଅଞ୍ଚଳରୁ ୯ ବର୍ଷର କୁନି ଝିଅ ନିଖୋଜ । ସିସିଟିଭିରେ କଏଦ ହେଲା ନିଖୋଜ ବେଳର ଦୃଶ୍ୟ । କାହିଁକି ବଢୁଛି କୋମଳମତି ଶିଶୁଙ୍କ ନିଖୋଜ ସଂଖ୍ୟା ? ପୂର୍ବ ଶତ୍ରୁତା ଓ ଟଙ୍କା ପାଇଁ ବାଜିରେ ଲାଗୁଛି କି ଛୁଆଙ୍କ ଜୀବନ ? ଏପ୍ରିଲ ମାସ ୧୩ ତାରିଖ । ବିଳମ୍ବିତ ରାତିରେ ଖାରବେଳନଗର ଥାନା ଅନ୍ତର୍ଗତ ରାମମନ୍ଦିର ସମ୍ମୁଖରୁ ଦୃଷ୍ଟିବାଧିତ ମହିଳାଙ୍କ ଠାରୁ ପିଲାଚୋରି । ପରେ ପରେ ଡେଲାଙ୍ଗ ରତନପୁର ଅଞ୍ଚଳରେ ଶିଶୁକୁ ଅପହରଣ । ଏ ଘଟଣା ମନରୁ ନଲିଭୁଣୁ ଏୟାରଫିଲଡ଼ ଥାନା ଅନ୍ତର୍ଗତ ପାଞ୍ଚଗାଁରୁ ପୁଣି ଅପହୃତ ହୋଇଥିଲା ଚତୁର୍ଥ ଶ୍ରେଣୀର ପିଲା । ଗତ ୧୯ ତାରିଖରେ ପଳାଶୁଣି ଅଞ୍ଚଳରୁ ୧୧ ବର୍ଷୀୟ ନାବାଳକ ନିଖୋଜ ପରେ ପୁଣି ସମେଇଗାଡ଼ିଆ ଓ ପାହାଳ ଅଞ୍ଚଳରୁ ନିଖୋଜ ୨ ଶିଶୁଙ୍କୁ ଉଦ୍ଧାର କରିଥିଲା ପୋଲିସ । ଏବେ ପୁଣି ସମାନ ଅଭିଯୋଗ ଆସିଛି ଲକ୍ଷ୍ମୀସାଗର ଅଞ୍ଚଳରୁ । ବିହାରରୁ ଆସି ଝାରପଡା ଅଞ୍ଚଳରେ ରହି ଏକ ଅଟୋମୋବାଇଲ ସଂସ୍ଥାରେ କାମ କରୁଥିବା ଜାଭେଦ ଅହମ୍ମଦ ନିଜ ଝିଆରୀ ନିଖୋଜ ନେଇ ଥାନାରେ ଏତଲା କରିଛନ୍ତି । ଇଏ ହେଉଛି ନାବାଳିକା ଯିବା ବେଳର ସିସିଟିଭି ଦୃଶ୍ଯ । ଏକାଧିକ ସିସିଟିଭି ଭେରିଫିକେସନ, ହ୍ୟୁମାନ ଇଣ୍ଟେଲିଜେନ୍ସ ସହାୟତାରେ ନିଖୋଜ ପିଲାଟିକୁ ଉଦ୍ଧାର ପାଇଁ ଛାନଭିନ ଆରମ୍ଭ କରିଛି ପୋଲିସ ।
ଚାଇଲ୍ଡ ଟ୍ରାଫିକିଂ କୁ ରୋକିବା ପାଇଁ ଟେକ୍ନିକାଲ ସପୋର୍ଟ ଏଜେନ୍ସି ପକ୍ଷରୁ ଗଠନ ହୋଇଛି ସ୍ପେଶାଲ ସେଲ । କୋର୍ଟ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା କୁ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ରହିଛି । ଶିଶୁ ନିଖୋଜ ହେଲେ ଅଧଘଣ୍ଟା ଭିତରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଖୋଜିବା ସହ ସମସ୍ତ ଥାନାକୁ ଫଟୋ ପଠାଯିବ । ଜନଗହଳିପୂର୍ଣ ସ୍ଥାନରେ ପ୍ରଚାର କରାଯିବ । ପିଲା ନିଖୋଜ ହେଲେ ତୁରନ୍ତ ମିସିଂ ଚାଇଲ୍ଡ ପୋର୍ଟାଲରେ ପଞ୍ଜିକୃତ କରିବା ସହ ତଦନ୍ତକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏତେ ସବୁ ପରେ ମଧ୍ୟ ବାରମ୍ବାର ପିଲା ନିଖୋଜ ଖବର ଆସିବା ପୋଲିସ ପାଇଁ ବେଶ ଚ୍ୟଲେଞ୍ଜ ଆଣିଛି । ଆର୍ଥିକ ଅନଟନ, ଶିକ୍ଷାର ଅଭାବ, ଦାଦନ ପାଇଁ ଅଧିକାଂଶ ସମୟରେ ବାପା ମାଆଙ୍କ ଜାଣତରେ ପିଲା ବିକ୍ରି ହେଉଥିବା କହିଛନ୍ତି ରୁଚିକା childline ନିର୍ଦ୍ଦେଶକ । ତଥ୍ୟ ମୁତାବକ, ରାଜ୍ୟରେ ଥିବା ୬୪୯ ଟି ଥାନାରେ ମହିଳା ଓ ଶିଶୁ ଡେସ୍କ ପାଇଁ ପ୍ରସ୍ତାବ ରହିଛି । ତ୍ୱରିତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନକୁ ବ୍ୟାପକ କରିବା ଦ୍ୱାରା ଅଭିଯୁକ୍ତଙ୍କ ପାଖରେ ପୋଲିସ ଶୀଘ୍ର ପହଁଚିବା ସହ କୋମଳମତି ଶିଶୁଙ୍କୁ ଉଦ୍ଧାର କରିପାରିଛି ।
ବିକାଶ ଏଠି ଅପହଞ୍ଚ: ନା ପହଞ୍ଚିଛି ରାସ୍ତା ନା ଲୋକଙ୍କୁ ମିଳୁଛି ବିଶୁଦ୍ଧ ପାନୀୟ ଜଳ
ବିକାଶ ଏଠି ଅପହଞ୍ଚ । ନା ପହଞ୍ଚିଛି ରାସ୍ତା ନା ଲୋକଙ୍କୁ ମିଳୁଛି ବିଶୁଦ୍ଧ ପାନୀୟ ଜଳ । କାଦୁଅ ପଚପଚ ରାସ୍ତା ପାଲଟିଛି ଯୋଗାଯୋଗର ମାଧ୍ୟମ । ପାଠ ପଢିବାକୁ ଆଣ୍ଠୁଏ ପାଣିରେ ପଶି ଯାଉଛନ୍ତି ପିଲା । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ତାଟିପଦର ଗାଁ ଲୋକଙ୍କ ପାଖରେ ପହଞ୍ଚି ପାରିନି ମୌଳିକ ସବିଧା ସୁଯୋଗ । ଏହି ଗାଁରେ ୪ ଶହ ଲୋକ ବସବାସ କରୁଥିବା ବେଳେ ଲୋକଙ୍କ ପାଇଁ ରହିଛି ଗୋଟିଏ ନଳକୂପ । ତାହା ପୁଣି ଦୀର୍ଘ ଦିନ ହେଲା ଅଚଳ ହୋଇପଡିଛି । ବାଧ୍ୟ ହୋଇ ବର୍ଷା ଦିନେ ଗୋଳିଆ ପାଣି ପିଇ ବିଭିନ୍ନ ରୋଗରେ ପଡୁଛନ୍ତି ଲୋକେ । ଅନ୍ୟପଟେ ଗାଁରେ ଅଙ୍ଗନବାଡି କେନ୍ଦ୍ର କି ବିଦ୍ୟାଳୟଟିଏ ନାହିଁ । ଫଳରେ କାଦୁଅ ପଚପଚ ରାସ୍ତାରେ ପିଲା ପାଠ ପଢିବାକୁ ଯାଉଛନ୍ତି ତିନି କିଲୋମିଟର ଦୂର ଗାଁକୁ । ରାସ୍ତାର ଦୁରାବସ୍ଥା ପାଇଁ ଗାଁକୁ ଆମ୍ବୁଲାନ୍ସଟିଏ ବି ଆସି ପାରୁନାହିଁ । ସଠିକ ସମୟରେ ଚିକିତ୍ସା ନପାଇ ଅନେକଙ୍କ ଜୀବନ ଯାଉଥିବା ଅଭିଯୋଗ ହୋଇଛି । ତାଟିପଦର ଗାଁରେ ରହିଥିବା ସମସ୍ୟା ସମ୍ପର୍କରେ ଗ୍ରାମବାସୀ ଅନେକ ଥର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ।
ରାୟଗଡା ଜିଲ୍ଲାରେ କମିବାରେ ଲାଗିଛି କପା ଚାଷ
ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ କମିବାରେ ଲାଗିଛି କପା ଚାଷ । ଚଳିତ ବର୍ଷ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୪୦ ପ୍ରତିଶତ କମ ହୋଇଛି ଚାରା ରୋପଣ । ସାଧାରଣତଃ କପା ଅର୍ଥକାରୀ ଫସଲ ହୋଇଥିବାରୁ ଆଦିବାସୀ ମାନେ ଧାନ ପରେ କପା ଚାଷ କରିଥାନ୍ତି । ହେଲେ ଏବେ ରାୟଗଡା ସଦର ବ୍ଲକ ବୀରନାରାୟଣପୁର ଗାଁରେ ପଡିଆ ପଡିଛି ଶହ ଶହ ହେକ୍ଟର ଚାଷ ଜମି । ଆଉ କେଉଁଠି କୀଟନାଶକ ଅଭାବ ଯୋଗୁଁ ଭୂଇଁରୁ ମୁଣ୍ଡ ଟେକିପାରୁନି କପା ଗଛ । ଚାଷୀଙ୍କୁ ସରକାରୀ ଦରରେ ଔଷଧ ମିଳୁନଥିବା ବେଳେ ଚଢା ଦରରେ ବଜାରରୁ ଆବଶ୍ୟକୀୟ କୀଟନାଶକ କିଣିପାରୁନାହାନ୍ତି ଚାଷୀ । ଅନ୍ୟପଟେ ସରକାରୀ କଟକଣା ପରେ କ୍ଷେତରେ ମେସିନ ବ୍ୟବହାର ପାଇଁ ଚାଷୀଙ୍କୁ ଖୁଚୁରାରେ ପେଟ୍ରୋଲ ମିଳୁନାହିଁ । ଫଳରେ ଅନେକ ଚାଷୀ କପା ଚାଷ କରିପାରୁନାହାନ୍ତି ।
ଚଳିତ ବର୍ଷ ୫୦ ହଜାର ହେକ୍ଟର ଜମିରେ କପା ଚାଷ ପାଇଁ କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ହେଲେ ଏଯାଏଁ ୩୦ ହଜାର ୫୨୯ ହେକ୍ଟର ଜମିରେ କପା ଚାଷ ହୋଇଛି । ବଳକା ୨୦ ହଜାର ହେକ୍ଟର ଜମିରେ ଆଦୌ କପା ଚାଷ ଆରମ୍ଭ ହୋଇନି । କାଶୀପୁର, ମୁନିଗୁଡା, ଚନ୍ଦ୍ରପୁର, କୋଲନରା ଓ ବିଷମକଟକ ବ୍ଲକରେ ସ୍ଥିତି ସଙ୍ଗୀନ ରହିଛି । ଅନ୍ୟପଟେ କୃଷି ବିଭାଗ ଚାଷ ହ୍ରାସକୁ ସ୍ବୀକାର କରିବା ସହ ଚାରା ରୋପଣ ପାଇଁ ଆହୁରି ସମୟ ଅଛି ବୋଲି କହିଛନ୍ତି । ବର୍ଷାର ଅଭାବ ଓ ଆବଶ୍ୟକୀୟ ସରକାରୀ ସହାୟତା ମିଳୁନଥିବାରୁ ଉପାନ୍ତ ଅଞ୍ଚଳରେ କମିଛି କପା ଚାଷ । ଯାହା ଏବେ ଚିନ୍ତାର ବିଷୟ ବୋଲି କୃଷି ବିଜ୍ଞାନୀ ମାନେ ମତ ଦେଇଛନ୍ତି ।
ସପ୍ତାହେ ହେବ ଡାକସେବା ଠପ୍: ଗୁରୁତ୍ଵପୂର୍ଣ୍ଣ ସେବାରୁ ବଞ୍ଚିତ ହୋଇ ନିରାଶ ହୋଇ ଫେରୁଛନ୍ତି ଲୋକେ
ସପ୍ତାହେ ହେବ ଡାକସେବା ଠପ୍ । ଗୁରୁତ୍ଵପୂର୍ଣ୍ଣ ସେବାରୁ ବଞ୍ଚିତ ହୋଇ ନିରାଶ ହୋଇ ଫେରୁଛନ୍ତି ଲୋକେ । ନୂତନ ସଫ୍ଟୱେର ଅପଡେଟ ଓ ଇଣ୍ଟରନେଟ ସମସ୍ୟା ପାଇଁ ଏକ ସପ୍ତାହ ହେବ ଚମ୍ପୁଆ ଉପଖଣ୍ଡ ଡ଼ାକଘରେ ଡାକସେବା ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଡାକଘରକୁ ଦୈନିକ ରେଜେଷ୍ଟ୍ରି ଚିଠି, ସ୍ପିଡପୋଷ୍ଟ, ଅର୍ଥ ନେଣଦେଣ, ସୁକନ୍ୟା ଯୋଜନା, ଅଟଳ ପେନସନ ଯୋଜନା ତଥା ଆଧାରକାର୍ଡ ପରି ଗୁରୁତ୍ଵପୂର୍ଣ୍ଣ ସେବା ପାଇଁ ଆସି ନିରାଶ ହୋଇ ଫେରୁଛନ୍ତି ଲୋକେ । ଡାକଘରେ ସେବା ଠପ ହେବାର ପ୍ରଭାବ ଅନେକ ସରକାରୀ କାର୍ଯ୍ୟାଳୟକୁ ମଧ୍ୟ ପ୍ରଭାବିତ କରିଛି । ନିକଟରେ ରାକ୍ଷୀପୂର୍ଣ୍ଣିମା ଥିବା ବେଳେ ଭଉଣୀ ମାନେ ଭାଇମାନଙ୍କ ପାଖକୁ ଡାକ ଯୋଗେ ରାକ୍ଷୀ ପଠାଇ ପାରୁନାହାନ୍ତି । ଚମ୍ପୁଆ ଉପଖଣ୍ଡ ଡାକଘର ସହିତ ଏହି ଉପଖଣ୍ଡରେ ଥିବା ଯୋଡା, ବଡ଼ବିଲ, ଝୁମ୍ପରା ଅଞ୍ଚଳରେ ମଧ୍ୟ ଡାକ ସେବା ଠପ ହୋଇଯାଇଥିବା ହେତୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ସେପଟେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ପେlଷ୍ଟ ମାଷ୍ଟର ।
ବାଇକ୍ ଉପରେ ଚଢିଗଲା ହାଇଓ୍ବା: ଘଟଣାସ୍ଥଳରେ ବାପା-ଝିଅ ମୃତ
ବାଇକ୍ ଉପରେ ଚଢିଗଲା ହାଇଓ୍ବା । ଘଟଣାସ୍ଥଳରେ ବାପା-ଝିଅ ମୃତ । ପାରାଦୀପ କୁଜଙ୍ଗ କୋଠିଆସାହି ନିକଟରେ ଘଟିଛି ଦୁର୍ଘଟଣା । ଡିପିଏସ ସ୍କୁଲରୁ ବାପା-ଝିଅ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଘଟଣାସ୍ଥଳରୁ ହାଇଓ୍ବା ଡ୍ରାଇଭର ଫେରାର ହୋଇଯାଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଚାପା ଉତ୍ତେଜନା ଲାଗି ରହିଛି । ଖବର ପାଇ ଘଟଣାସ୍ଥଳରେ କୁଜଙ୍ଗ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

