spot_img
Home Blog Page 3348

ବାଇକରେ ଝୁଲାଇଥିଲେ ଟଙ୍କାବ୍ୟାଗ୍‌, ଆଖି ପିଛୁଳାକେ ଝାମ୍ପିନେଲେ ଏକ ଲକ୍ଷ

ଭଦ୍ରକ: ବନ୍ତ ବଜାରରେ ୧ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁଇ ଲୁଟେରା । ଦୁଇ ଜଣ ଦୁର୍ବୃତ୍ତ ଏକ ନାଲି ରଙ୍ଗର ସ୍କୁଟିରେ ଆସି ଜଣେ ଔଷଧ ଟଙ୍କା ସଂଗ୍ରହକାରୀ ବ୍ୟକ୍ତିଙ୍କ ବାଇକରେ ଟଙ୍ଗାଯାଇଥିବା ବ୍ୟାଗକୁ ଝାମ୍ପି ନେଇ ଚମ୍ପଟ୍ ମାରିଥିଲେ । ବ୍ୟାଗରେ ୧ ଲକ୍ଷ ଟଙ୍କା ସହ ବ୍ୟାଙ୍କ ଚେକ୍ ଥିଲା ।

ଏନେଇ ବନ୍ତ ଥାନାରେ ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ବାଲିଗଢିଆ ଗ୍ରାମର ଧିରତ ଦାସ ଭଦ୍ରକ ନାରାୟଣ ଫାର୍ମାରେ ଟଙ୍କା ଆଦାୟକାରୀ ଭାବେ କାର୍ଯ୍ୟ କରନ୍ତି । ପ୍ରତି ସପ୍ତାହର ଶୁକ୍ରବାର ଦିନ ବିଭିନ୍ନ ଅଂଚଳକୁ ଔଷଧ ଦେଇଥିବା ଦୋକାନୀଙ୍କ ଠାରୁ ଟଙ୍କା ସଂଗ୍ରହ କରିଥାନ୍ତି । ତେବେ ଗାଡିରେ ଟଙ୍କା ରଖି ଦୋକାନକୁ ପାଣି ଆଣିବାକୁ ଯାଇଥିବା ବେଳେ ଟଙ୍କା ନେଇ ଚମ୍ପଟ ମାରିଥିଲେ ଦୁଇ ଲୁଟେରା । ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।

ରକ୍ତମୁଖା ଋଷ୍‌, ଘନଘନ ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଲେ ୨୫

କିଭ୍: ୟୁକ୍ରେନ ରାଜଧାନୀ କିବ୍, ଉମାନ ଓ ନିପ୍ରୋରେ ଋଷର ଘମାଘୋଟ ଏୟାରଷ୍ଟ୍ରାଇକ । ରକ୍ତମୁଖା ଋଷର ଆକ୍ରମଣରେ ପ୍ରାଣ ହରାଇଛନ୍ତି ୪ ଶିଶୁଙ୍କ ସମେତ ୨୫ଜଣ । ଗତ ୨ ମାସ ମଧ୍ୟରେ ଏହା ସବୁଠାରୁ ବଡ଼ ହମ୍‌ଲା ବୋଲି ସୂଚନା ମିଳିଛି । ଏୟାରଷ୍ଟ୍ରାଇକରେ ନିପ୍ରୋ, କ୍ରେମେନଚୁକ, ମିକୋଲେଭ ଓ ପୋଲତଭା ସହରରେ ଆତଙ୍କ ଖେଳି ଯାଇଛି । ଉମାନ ସହରରେ ମୃତ୍ୟୁ ସଂଖ୍ୟା ବଢିବା ସହ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ମିସାଇଲ ଷ୍ଟ୍ରାଇକରେ ବହୁ କୋଠା ନଷ୍ଟ ହୋଇଥିବା ସୂଚନା ମିଳିଛି । ନିପ୍ରୋରେ ଅନେକ କୋଠା ଉପରେ ମିସାଇଲ ଷ୍ଟ୍ରାଇକ ହୋଇଥିବାବେଳେ ସେଠାରେ ଏକ ଶିଶୁ ଓ ଜଣେ ମହିଳା ପ୍ରାଣ ହରାଇଛନ୍ତି । ୟୁକ୍ରେନର ରିଜର୍ଭ ବାହିନୀ ଥିବା ଅଞ୍ଚଳରେ ଏହି ଷ୍ଟ୍ରାଇକ କରାଯାଇଛି ବୋଲି କହିଛି ଋଷ । କିଭ୍‌ର ବିଭିନ୍ନ ପ୍ରାସାଦ ଉପରେ ହମଲା ହୋଇଥିବାବେଳେ ଅନେକ କୋଠା ଛାରଖାର ହୋଇଛି ।ସେପଟେ ଋଷ ଅଧିକୃତ ୟୁକ୍ରେନୀୟ ଅଞ୍ଚଳକୁ ଯଥାଶୀଘ୍ର ମୁକ୍ତ କରାଯିବ ବୋଲି କହିଛି ୟୁକ୍ରେନ । କୌଣସି ପ୍ରକାର ଋଷ ବାହିନୀଙ୍କୁ ସେଠାରୁ ହଟାଯିବ ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି ।

ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କୁ ଭେଟି ଆଶ୍ବସନା ଦେଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଆଜି କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରିବା ସହିତ ଦାବି ବାବଦରେ ଅବଗତ ହୋଇଛନ୍ତି । ପ୍ରିୟଙ୍କାଙ୍କ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଧ୍ୟ ଜନ୍ତରମନ୍ତର ଆସି କୁସ୍ତିଯୋଦ୍ଧାଙ୍କୁ ଭେଟିବେ । ଗତକାଲି କଂଗ୍ରେସର କିଛି ନେତା ମଧ୍ୟ ଧାରଣାସ୍ଥଳକୁ ଯାଇ ସମର୍ଥନ କରିଥିଲେ ।

କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଥିବାବେଳେ ଖୁବଶୀଘ୍ର ସେ ଗିରଫ ହୋଇପାରନ୍ତି । ତାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ । କନ୍ନୌଟ ପ୍ଲେସ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ପୋକ୍ସୋ ଆକ୍ଟ ଅଧିନରେ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ, ଅନ୍ୟଟି କୁସ୍ତି ଯୋଦ୍ଧାଙ୍କ ଅଭିଯୋଗକୁ ନେଇ ଦ୍ବିତୀୟ ମାମଲା ରୁଜୁ ହୋଇଛି ।

ମାମଲା ରୁଜୁ ନେଇ ଦିଲ୍ଲୀ ପୋଲିସକୁ ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ । ସେପଟେ ବ୍ରିଜ ଭୂଷଣ କହିଛନ୍ତି- ସେ ସଭାପତି ପଦ ତ୍ୟାଗ କରିବାକୁ ପ୍ରସ୍ତୁତ । ମାତ୍ର ଜଣେ ଅଭିଯୁକ୍ତ ହିସାବରେ ସେ ଇସ୍ତଫା ଦେବେ ନାହିଁ । ତେଣେ ନ୍ୟାୟ ପ୍ରଦାନ ଦାବିରେ ଜନ୍ତରମନ୍ତରରେ ଧାରଣା ଜାରି ରଖିଛନ୍ତି କୁସ୍ତି ଯୋଦ୍ଧା । ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ ଜେଲ ନଗଲା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି କହିଛନ୍ତି କୁସ୍ତିଯୋଦ୍ଧା । ସେପଟେ ବିଭିନ୍ନ ରାଜନୈତିକ ଦଳ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିଛନ୍ତି ।

ଆଜି ରାହୁଲଙ୍କ ଭାଗ୍ୟପରୀକ୍ଷା, ଦଣ୍ଡାଦେଶରେ ରୋକ ଆବେଦନର ଶୁଣାଣି କରିବେ ଗୁଜରାଟ ହାଇକୋର୍ଟ

ଗାନ୍ଧୀନଗର: ମୋଦି ସାଙ୍ଗିଆ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ଉପରେ ରୋକ ଲଗେଇବାକୁ ହୋଇଥିବା ଆବେଦନର ଆଜି ଶୁଣାଣି କରିବେ ଗୁଜରାଟ ହାଇକୋର୍ଟ । ସୁରଟ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିବା ବେଳେ, ଏହା ବିରୋଧରେ ସେ ଗୁଜରାଟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ରାହୁଲ ନିଜ ଆବେଦନରେ ଦର୍ଶାଇଛନ୍ତି ଯେ, ତଳ କୋର୍ଟ ତାଙ୍କ ବିରୋଧରେ ଅତ୍ୟଧିକ କଠୋର ଆଭିମୁଖ୍ୟ ରଖିଛନ୍ତି ।

ସୁରଟ କୋର୍ଟଙ୍କ ଏହି ରାୟ ପରେ ରାହୁଲ ଗାନ୍ଧିଙ୍କ ସାଂସଦ ସଦସ୍ୟତା ରଦ୍ଦ ହୋଇଥିଲା । ସାଂସଦ ସଦସ୍ୟତା ବାତିଲ ହେବାର କିଛି ଦିନ ପରେ ରାହୁଲ ଗାନ୍ଧିଙ୍କୁ ଦିଲ୍ଲୀସ୍ଥିତ ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିଥିଲା । କିଛିଦିନ ତଳେ ଦଣ୍ଡାଦେଶ ରଦ୍ଦ କରିବା ପାଇଁ ରାହୁଲ ଗାନ୍ଧି ସୁରଟ ସେସନ୍ସ କୋର୍ଟରେ ଆବେଦନ କରିଥିଲେ ।

ରାହୁଲଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ କୋର୍ଟରେ ଯୁକ୍ତି କରିଥିଲେ ଯେ, ମାନହାନି ମାମଲାରେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ମାନକୁ ଆଘାତ ଦେବା ଅଭିଯୋଗ ସ୍ପଷ୍ଟ ହେବା ଦରକାର । କିନ୍ତୁ କୋର୍ଟ ଏହାକୁ ସ୍ବୀକାର କରିନଥିଲେ । ରାହୁଲଙ୍କ ଆବେଦନକୁ ଖାରଜ କରିଥିଲେ ସେସନ କୋର୍ଟ ।

ପଶ୍ଚିମବଙ୍ଗରୁ ପୁରୀ ଯାଉଥିଲେ, ଭଦ୍ରକରେ ଟ୍ରକ ତଳେ ପଶିଗଲା କାର

ଭୁବନେଶ୍ବର: ପଶ୍ଚିମବଙ୍ଗରୁ ପୁରୀ ଯିବାବେଳେ ଟ୍ରକ୍ କାର ଦୁର୍ଘଟଣା । ଟ୍ରକ ତଳେ ପଶିଗଲା କାର, ଜଣେ ମୃତ, ୪ ଜଣ ଗୁରୁତର ଆହତ ହୋଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଛତାବର ନିକଟରେ ଦୁର୍ଘଟଣା ଘଟିଛି ।

ଗୁରୁତରଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ଦୁଘଟଣାଗ୍ରସ୍ତ ଗାଡିରେ ୬ ଜଣ ଥିବା ସୂଚନା ମିଳିଛି । ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।

କୁକୁଡା ନେବାକୁ ଆସି ଭଦ୍ରକରେ ଓଲଟିଲା କଲିକତା ଟ୍ରକ, ୫ ଗୁରୁତର

ଭଦ୍ରକ: ଟ୍ରକକୁ ଧକ୍କା ଦେଇ ଓଲଟିଲା କୁକୁଡ଼ା ଟ୍ରକ, ୫ ଗୁରୁତର । କୁକୁଡ଼ା ନେବାକୁ ଆସିଥିବା ଟ୍ରକ ଦୁର୍ଘଟଣାଗ୍ରସ୍ତ । ଟ୍ରକରେ ସମୁଦାୟ ୬ ଜଣ ଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ତ୍ରିଶଳପୁର ଛକ ନିକଟରେ ଦୁର୍ଘଟଣା ଘଟିଛି । କୋଲକାତାରୁ ଟ୍ରକ କୁକୁଡ଼ା ନେବା ପାଇଁ ଆସିଥିବା ବେଳେ ତ୍ରିଶଳପୁର ଛକ ନିକଟରେ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇ ଓଲଟି ପଡ଼ିଲା ।

ଗାଡିରେ ଥିବା ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର କଲିକତା ଅଞ୍ଚଳର ବୋଲି ଜଣାପଡ଼ିଛି । ଡ୍ରାଇଭରର ଆଖି ଲାଗିଯିବାରୁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଁଚିଛି । ସମସ୍ତ ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅଧିକ ଚିକିତ୍ସା ପାଇଁ ୩ ଜଣଙ୍କୁ କଟକ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ।

ଆମ୍ବ ଗୋଟାଉଥିବା ବେଳେ ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା

ଅନୁଗୋଳ: ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ବନ୍ତଳା ଥାନା ମରଣ୍ଡା ଗାଁରେ ଆଜି ସକାଳୁ ଏହି ଅଘଟଣ ଘଟିଛି । ମୃତ ବୃଦ୍ଧା ଜଣଙ୍କ ହେଲେ ଝଟକ ବେହେରା । ସେ ବାଡ଼ିରେ ଆମ୍ବ ଗୋଟାଉଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଖବର ପାଇ ବନବିଭାଗ ପହଞ୍ଚି ତଦନ୍ତ କରୁଛି ।

ତେବେ ଜିଲ୍ଲାରେ ହାତୀ ଆକ୍ରମଣଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବନ ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି । ଗତ ଜାନୁଆରୀ ମାସରୁ ଏ ପର୍ଯ୍ୟନ୍ତ ଜିଲ୍ଲାରେ ୧୫ରୁ ଉର୍ଦ୍ଧ୍ବଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହେଲାଣି ।

ତାତିରୁ ମିଳିବ ତ୍ରାହି, ଘଡଘଡି ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆହୁରି ୪ ଦିନ ତୁହାକୁ ତୁହା ଭିଜିବ ଓଡ଼ିଶା । ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା । ଆଜି ୧୦ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ବର୍ଷା ସହ ଘଣ୍ଟା ପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ଆଜି କାଳବୈଶାଖୀ ପ୍ରଭାବ ଅଧିକ ହେବା ସମ୍ଭାବନା ରହିଛି ।

କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି କାଳବୈଶାଖୀ ପ୍ରଭାବ ସାମାନ୍ୟ କମିବା ପରେ ୩୦ରୁ ପୁଣି ପ୍ରଭାବ ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

କୁସ୍ତି ମହାସଂଘ ମୁଖିଆ ବ୍ରିଜଭୂଷଣଙ୍କ ବିରୋଧରେ ୨ଟି ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ୍

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ମୁଖିଆ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ । କୁସ୍ତିଯୋଦ୍ଧାଙ୍କ ଅଭିଯୋଗକ୍ରମେ ୨ଟି ମାମଲା ରୁଜୁ କରିଛି ପୋଲିସ । ପ୍ରଥମ ଏଫଆଇଆର ନାବାଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ରୁଜୁ କରାଯାଇଛି, ଯେଉଁଥିରେ ପକ୍ସୋ ଆକ୍ଟ ମଧ୍ୟ ଲଗାଯାଇଛି । ଦିଲ୍ଲୀ ପୋଲିସ କହିଛି ଯେ ଦ୍ୱିତୀୟ ଏଫଆଇଆର ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗରେ ହୋଇଛି । ଉଭୟ ମାମଲାକୁ ନେଇ ତଦନ୍ତ ଆରମ୍ଭ କରି ଦିଆଯାଇଛି ।

ଏହା ପୂର୍ବରୁ ଦିନରେ ଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ଦେଇଥିବା କୁସ୍ତିଯୋଦ୍ଧାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ । ଏହି ସମୟରେ ଦିଲ୍ଲୀ ପୋଲିସ କହିଥିଲା ଯେ ଖୁବଶୀଘ୍ର ଯୌନ ନିର୍ଯାତନା ମାମଲାରେ ଏଫଆଇଆର ରୁଜୁ କରାଯିବ । ସୂଚନା ଥାଉକି ଜଣେ ନାବାଳିକା ସମେତ ୭ ମହିଳା କୁସ୍ତିଯୋଦ୍ଧାଙ୍କ ସହ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଯୌନ ନିର୍ଯାତନା କରିଥିବା ଅଭିଯୋଗ ହୋଇଛି । ଭାରତର ଷ୍ଟାର କୁସ୍ତିଯୋଦ୍ଧା, ବିନେଶ ଫୋଗାଟ, ସାକ୍ଷୀ ମଲ୍ଲିକ ଏବଂ ବଜରଙ୍ଗ ପୁନିଆ ପ୍ରମୁଖ ନ୍ୟାୟ ଦାବିରେ ଦିଲ୍ଲୀ ଜନ୍ତରମନ୍ତରରେ ଧାରଣାରେ ବସିଛନ୍ତି ।

ଏହା ପୂର୍ବରୁ ଦିଲ୍ଲୀ ପୋଲିସ ସେମାନଙ୍କ ଅଭିଯୋଗ ନେଉନଥିବା କହିଥିଲେ ଧାରଣାରତ କୁସ୍ତିଯୋଦ୍ଧାମାନେ । ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ପରେ କୁସ୍ତିଯୋଦ୍ଧା ବିନେଶ ଫୋଗାଟ କହିଥିଲେ ଯେ ସେପର୍ଯ୍ୟନ୍ତ ଧାରଣା ଜାରି ରଖିବୁ ଯେପର୍ଯ୍ୟନ୍ତ ସୁଦ୍ଧା ବ୍ରିଜଭୂଷଣଙ୍କୁ ଜେଲକୁ ପଠା ନଯାଇଛି । ସେ କହିଥିଲେ ଯେ ବ୍ରିଜଭୂଷଣର ସ୍ଥାନ ଜେଲରେ ଅଟେ ଏବଂ ତାଙ୍କୁ ସମସ୍ତ ପଦରୁ ହଟାଯିବା ଆବଶ୍ୟକ । ନଚେତ୍ ସେ ନିଜ ପଦର ଦୁରୁପଯୋଗ କରି ଯାଞ୍ଚ ପ୍ରଭାବିତ କରିବେ ।

ବୋରିସ ଜନସନଙ୍କୁ ଋଣ ଦେବା ପ୍ରସଙ୍ଗ; ନିଜ ପଦରୁ ଇସ୍ତଫା ଦେଲେ ବିବିସି ଚେୟାରମେନ୍ ରିଚାର୍ଡ

ଲଣ୍ଡନ: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଋଣ ପ୍ରସଙ୍ଗ । ନିଜର ଭୂମିକାକୁ ନେଇ ସନ୍ଦେହ ଘେରରେ ଥିବା ବିବିସି ଚେୟାରମେନ ରିଚାର୍ଡ ସାର୍ପ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଋଣ ପ୍ରସଙ୍ଗରେ କର୍ତ୍ତୃପକ୍ଷଙ୍କୁ ସଠିକ୍ ସୂଚନା ଦେବାରେ ବିଫଳ ହୋଇଥିବା ଅଭିଯୋଗ କ୍ରମେ ସେ ଇସ୍ତଫା ଦେଇଥିବା କୁହାଯାଇଛି । ତଦନ୍ତରୁ ସ୍ପଷ୍ଟ ହୋଇଥିଲା- ସେ ଗଭର୍ଣ୍ଣାନ୍ସ କୋଡ୍ ଉଲ୍ଲଂଘନ କରିଛନ୍ତି ଏବଂ ଏହି କାରଣରୁ ସେ ଇସ୍ତଫା ଦେଉଛନ୍ତି ।

ଜନସନ ପ୍ରଧାନମନ୍ତ୍ରୀ ଥିବାବେଳେ ତାଙ୍କୁ ଏକ ଋଣ ପ୍ରଦାନ କ୍ଷେତ୍ରରେ ରିଚାର୍ଡ ସାର୍ପ ସହଯୋଗ କରିଥିବା ଘଟଣାର ତଦନ୍ତ ଲାଗି ବାରିଷ୍ଟର ଆଡାମ ହେପିନଷ୍ଟାଲଙ୍କ ନେତୃତ୍ବରେ ଏକ କମିଟି ଗଠିତ ହୋଇଥିଲା । ପ୍ରାୟ ୮ ଲକ୍ଷ ପାଉଣ୍ଡ ଲୋନ କ୍ଷେତ୍ରରେ ଏକ ଗ୍ୟାରେଣ୍ଟି ଯୋଗାଡ଼ କରିବାର କିଛି ଦିନ ପରେ ରିଚାର୍ଡ ସାର୍ପଙ୍କୁ ଜନସନ ବିବିସି ବୋର୍ଡର ଅଧ୍ୟକ୍ଷ କରାଇଥିଲେ ବୋଲି ଅଭିଯୋଗ ହୋଇଥିଲା ।