ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଅବକାରୀ ନୀତି ମାମଲାରେ ଆଉ ଏକ ଝଟକା ଲାଗିଛି । ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ କୋର୍ଟ ଶୁକ୍ରବାର ତାଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି । ରାଉଜ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ଜଜ ଏମକେ ନାଗପାଲ ମନିଷ ସିସୋଦିଆଙ୍କ ଜାମିନ ଆବେଦନ କାରଜ କରିଛନ୍ତି । ଏବେ ନିମ୍ନ ଅଦାଲତଙ୍କ ଏହି ନିଷ୍ପତ୍ତି ବିରୋଧରେ ସିସୋଦିଆ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ । କୋର୍ଟରେ ଶୁଣାଣି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜାମିନ ଆବେଦନକୁ ବିରୋଧ କରିଥିଲେ । ସୂଚନାଥାଉକି, ଅବକାରୀ ନୀତିରେ କଥିତ ଅନିୟମିତତା ଅଭିଯୋଗରେ ସିବିଆଇ ୨୬ ଫେବ୍ରୁଆରୀରେ ସିସୋଦିଆଙ୍କୁ ଗିରଫ କରିଥିଲା । ଏବେ ସେ ତିହାର ଜେଲରେ ବନ୍ଦ ଅଛନ୍ତି ।
ବ୍ରିଜଭୂଷଣ ଜେଲ୍ ନଯିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ: ଆନ୍ଦୋଳନରତ କୁସ୍ତିଯୋଦ୍ଧା
ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ସମସ୍ୟା ଆଗକୁ ବଢ଼ିପାରେ । ବ୍ରିଜଭୂଷଣଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଯୌନ ନିର୍ଯାତନାର ଅଭିଯୋଗ ଆଣି ଦିଲ୍ଲୀ ଜନ୍ତର ମନ୍ତରରେ ଆନ୍ଦୋଳନ କରୁଛନ୍ତି । ବିଭିନ୍ନ ରାଜନୈତିକ ଦଳ ସହ ବିଶିଷ୍ଟ ବ୍ୟକ୍ତିମାନେ ସେମାନଙ୍କ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି । ଅନ୍ୟପକ୍ଷରେ ବିଜେପି ସମର୍ଥିତ କିଛି ନେତା କୁସ୍ତିଯୋଦ୍ଧାଙ୍କ ଧାରଣାକୁ ମିଛ ବୋଲି କହୁଛନ୍ତି ।
ଏମିତି କି ଗତକାଲି ଇଣ୍ଡିଆନ ଅଲିମ୍ପିକ ଆସୋସିଏସନର ଅଧ୍ୟକ୍ଷ ପିଟି ଉଶା ମଧ୍ୟ କୁସ୍ତିଯୋଦ୍ଧାଙ୍କ ଧାରଣାକୁ ଅଗଣତାନ୍ତ୍ରିକ ବୋଲି ଦର୍ଶାଇଥିଲେ । କୁସ୍ତିଯୋଦ୍ଧାଙ୍କ କହିବା କଥା ଆମେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ପଦକ ଜିତିଛୁ । ଦେଶର ସମ୍ମାନ ପାଇଁ ଆମେ ସବୁକିଛି କରିଛୁ । ହେଲେ ଜଣେ ନାବାଳିକା ସମତେ ୭ ଜଣଙ୍କ ସହ ବ୍ରିଜଭୂଷଣ ଯେଉଁ ଯୌନ ନିର୍ଯାତନା କରିଛନ୍ତି ତାଙ୍କୁ ଦଣ୍ଡ ମିଳିବା ଆବଶ୍ୟକ । ଆଗକୁ ଯେପରି କ୍ରୀଡ଼ା କ୍ଷେତ୍ରରେ କେହି ଶୋଷଣର ଶିକାର ନହୁନ୍ତି ।
ସରକାର ଆମ ଗୁହାରୀ ଶୁଣି ନ୍ୟାୟ ପ୍ରଦାନ କରନ୍ତୁ । ଅନ୍ୟପକ୍ଷରେ ସରକାର ବ୍ରିଜଭୂଷଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାର କୁସ୍ତିଯୋଦ୍ଧାଙ୍କ ଦାବିକୁ ମାନି ନେଇଛନ୍ତି । ଶୁକ୍ରବାର ସଲିସିଟର ଜେନେରାଲ ଏନେଇ ସୂଚନା ସୁପ୍ରିମକୋର୍ଟରେ ଦେଇଛନ୍ତି । ଏହାରି ମଧ୍ୟରେ କୁସ୍ତିଯୋଦ୍ଧାମାନେ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରିଛନ୍ତି ଯେ ବ୍ରିଜଭୂଷଣଙ୍କୁ ସମସ୍ତ ପଦରୁ ହଟାଯାଉ ଏବଂ ଜେଲ ପଠାଯାଉ ।
ସାମ୍ବାଦିକ ସମ୍ମିଳନୀ କରି କୁସ୍ତିଯୋଦ୍ଧାମାନେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସେମାନଙ୍କ ଧାରଣା ଏବେ ସମାପ୍ତ ହେବ ନାହିଁ । ସୂଚନାଥାଉକି, ଏପର୍ଯ୍ୟନ୍ତ ସୁଦ୍ଧା କୁହାଯାଉଥିଲା ଯେ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ କୁସ୍ତିଯୋଦ୍ଧାମାନେ ଧାରଣା ସମାପ୍ତ କରିଦେବେ କିନ୍ତୁ ଏପରି କରିବାକୁ ସେମାନେ ସ୍ପଷ୍ଟ ମନା କରିଦେଇଛନ୍ତି । ବିନେଶ ଫୋଗାଟ କହିଛନ୍ତି ଯେ, ଆମକୁ ସୁପ୍ରିମକୋର୍ଟଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ।
ବ୍ରିଜବୂଷଣଙ୍କୁ ସମସ୍ତ ପଦରୁ ହଟାଯାଉ । ସେ ନିଜ ପଦର ଦୁରୁପଯୋଗ କରିପାରନ୍ତି । ଆମେ କୌଣସି ବି କମିଟି ବା କମିଟିର ସଦସ୍ୟଙ୍କ ଉପରେ ଭରସା ନାହିଁ । ଏ ଲଢେଇ କେବଳ ଏଫଆଇଆର ପର୍ଯ୍ୟନ୍ତ ସୀମିତ ନୁହେଁ ବ୍ରିଜ ଭୂଷଣଙ୍କୁ ଦଣ୍ଡ ମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ । ବ୍ରିଜଭୂଷଣଙ୍କୁ ଜେଲକୁ ପଠାଯାଉ ।
‘କର୍ଣ୍ଣାଟକରେ ଚାଲିଥିବା ୪୦ ପର୍ସେଣ୍ଟ ସରକାରକୁ ଆସନ୍ତା ନିର୍ବାଚନରେ ରାଜ୍ୟବାସୀ ଗାଦିଚ୍ୟୁତ କରିବେ’
ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାରଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟାର୍ଗେଟ । ରାଜ୍ୟରେ ଚାଲିଥିବା ୪୦ ପର୍ସେଣ୍ଟ ସରକାରକୁ ଆସନ୍ତା ନିର୍ବାଚନରେ ରାଜ୍ୟବାସୀ ଗାଦିଚ୍ୟୁତ କରିବେ ବୋଲି କହିଛନ୍ତି ରାହୁଲ । ବିଜେପିକୁ ୪୦ ସଂଖ୍ୟା ସୁହାଉଛି । ଏଣୁ ଆସନ୍ତା ନିର୍ବାଚନରେ କର୍ଣ୍ଣାଟକରେ ବିଜେପି ୪୦ ଆସନ ପାଇବ ବୋଲି କହିଛନ୍ତି ରାହୁଲ । କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତି ପଞ୍ଚାୟତକୁ ଏକ କୋଟି ଲେଖାଏ ଟଙ୍କା ମିଳିବ ବୋଲି ସେ କହିଛନ୍ତି । ସେପଟେ ଅଭିନେତା ଶିବରାଜ କୁମାରଙ୍କ ପତ୍ନୀ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ. ବାଙ୍ଗାରାପ୍ପାଙ୍କ କନ୍ୟା ଗୀତା ଶିବରାଜ କୁମାର କଂଗ୍ରେସରେ ସାମିଲ ।
ଜେଡିଏସ ପରିତ୍ୟାଗ କରି କଂଗ୍ରେସର ହାତ ଧରିଛନ୍ତି ଗୀତା । ପିସିସି ସଭାପତି ଡି.କେ. ଶିବକୁମାରଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ଗୀତା । ୨୦୧୪ରେ ଶିବମୋଗା ଲୋକସଭା ଆସନରୁ ଜେଡିଏସ ଟିକେଟରେ ଲଢି ସେ ପରାଜିତ ହୋଇଥିଲେ । ଏହି ଆସନରୁ ବିଜୟୀ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦ୍ୟୁରପ୍ପା ।
୨୦୨୧ରେ ଗୀତାଙ୍କ ଭାଇ ମଧୁ ବାଙ୍ଗରାପ୍ପା ବି ଜେଡିଏସ ତ୍ୟାଗ କରି କଂଗ୍ରେସରେ ମିଶିଥିଲେ । ସେତେବେଳେ ଭାଇଙ୍କ ଏହି ପଦକ୍ଷେପକୁ ସମର୍ଥନ କରିଥିଲେ ଗୀତା । ଗୀତାଙ୍କ ଅନ୍ୟ ଜଣେ ଭାଇ କୁମାର ବାଙ୍ଗରାପ୍ପା ବିଜେପିରେ ଅଛନ୍ତି । ସେ ସୋରବା ବିଧାନସଭା ଆସନରୁ ବର୍ତ୍ତମାନ ବିଧାୟକ ଅଛନ୍ତି । ଆସନ୍ତା ନିର୍ବାଚନରେ ସୋରବା ଆସନ ଦେଖିବ ଦୁଇ ଭାଇଙ୍କ ମଧ୍ୟରେ ଲଢେଇ । ମଧୁ କଂଗ୍ରେସ ଟିକେଟରେ ଲଢୁଥିବାବେଳେ କୁମାର ଲଢୁଛନ୍ତି ବିଜେପି ଟିକେଟରୁ ।
ସୀମା ବିବାଦ ପ୍ରସଙ୍ଗରେ ଚୀନକୁ ଭାରତର କଡ଼ା ଚେତାବନୀ
ବ୍ୟୁରୋ : ସୀମା ବିବାଦ ପ୍ରସଙ୍ଗରେ ଚୀନକୁ କଡ଼ା ଚେତାବନୀ । ସେପଟେ ଅନ୍ତର୍ଜାତୀୟ ସୀମାରେଖରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ଲାଗି ଆହ୍ବାନ ଦେଇଛି ଚୀନ । ସୀମା ବିବାଦ ପ୍ରସଙ୍ଗରେ ଗତକାଲି ଚୀନକୁ ପ୍ରତିରକ୍ଷା ମନ୍ତ୍ରୀ କଡ଼ା ଚେତାବନୀ ଦେଇଥିବାବେଳେ ସ୍ବାଭାବିକ ଅବସ୍ଥା ଫେରାଇଆଣିବା ଲାଗି ଆହ୍ବାନ ଦେଇଛନ୍ତି ଚୀନ ପ୍ରତିପକ୍ଷ ଜେନେରାଲ ଲି ସାଙ୍ଗଫୁ ।

ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ଲାଗି ଉଦ୍ୟମ କରିବା ଆବଶ୍ୟକ ବୋଲି କହିଛନ୍ତି ସାଙ୍ଗଫୁ । ସୀମା ପ୍ରସଙ୍ଗରେ ଚୀନ ଓ ଭାରତ ମଧ୍ୟରେ କେତେକ ମତପାର୍ଥକ୍ୟ ରହିଥିବା ସତ୍ତ୍ବେ ଅନେକ ପ୍ରସଙ୍ଗରେ ଦୁଇ ରାଷ୍ଟ୍ର ମଧ୍ୟରେ ସହମତି ରହିଆସିଛି । ସାମଗ୍ରିକ ଓ ଦୀର୍ଘସ୍ଥାୟୀ ତଥା କୌଶଳଗତ ଦୃଷ୍ଟିଭଙ୍ଗୀ ଦୃଷ୍ଟିରୁ ଦୁଇ ଦେଶ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ଦିଗରେ କାର୍ଯ୍ୟ କରିବା ଲାଗି ଆହ୍ବାନ ଦେଇଛି ଚୀନ ।

ଭାରତ ଓ ଚୀନ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୧୮ ରାଉଣ୍ଡ କଥାବାର୍ତ୍ତା ହୋଇସାରିଥିବାବେଳେ ଲଦାଖ, ହଟ୍ ସ୍ପ୍ରିଙ୍ଗସ୍, ଗଲଓ୍ବାନ ଓ ପଙ୍ଗୋଙ୍ଗ ହ୍ରଦ ପ୍ରସଙ୍ଗକୁ ନେଇ ରହିଥିବା ବିବାଦ ଦୂର କରିବାକୁ ଉଦ୍ୟମ ହୋଇଛି ।
ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଓ ଭାଇ ଅସରଫ ହତ୍ୟା ମାମଲା , ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଓ ଭାଇ ଅସରଫ ହତ୍ୟା ମାମଲା । ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା । ଅତିକ, ଅସରଫକୁ ମେଡିକାଲ ଟେଷ୍ଟ ପାଇଁ ନିଆଯାଉଛି ବୋଲି ହତ୍ୟାକାରୀ ଜାଣିଲେ କେମିତି ? ଆମ୍ବୁଲାନ୍ସରୁ ବାହାର କରି ସେମାନଙ୍କୁ ଚଲାଇ ଚଲାଇ କାହିଁକି ହସ୍ପିଟାଲକୁ ନିଆଯାଉଥିଲା ? ସିଧା ସିଧା ଆମ୍ବୁଲାନ୍ସରେ କାହିଁକି ଅତିକ ଓ ଅସରଫକୁ ହସ୍ପିଟାଲକୁ ନିଆଗଲାନି ? ମିଡିଆ ଆଗରେ କାହିଁକି ବାଇଟ ଦେବାକୁ ସେମାନଙ୍କୁ ଅଟକା ଯାଇଥିଲା ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ।

ଅତିକ-ଅସରଫ ହତ୍ୟା ମାମଲାରେ ୟୁପି ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି ଖଣ୍ଡପୀଠ । ତିନି ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହତ୍ୟାକାଣ୍ଡ ମାମଲାରେ ହୋଇଥିବା କେଉଁ କେଉଁ ଦିଗକୁ ନେଇ ତଦନ୍ତ କରାଯାଇଛି ବୋଲି ରିପୋର୍ଟ ଦେବାକୁ କୋର୍ଟ କହିଛନ୍ତି । ଏହାସହ ଉମେଶ ପାଲ ମର୍ଡର କେସ ଓ ଅତିକର ପୁଅ ଅସଦକୁ ଏନକାଉଣ୍ଟର ମାମଲାର ତଦନ୍ତ ରିପୋର୍ଟ ମଧ୍ୟ କୋର୍ଟରେ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

୨୦୨୦ରେ ବିକାଶ ଦୁବେ ଏନକାଉଣ୍ଟର ମାମଲାରେ ଗଠନ ହୋଇଥିବା ତଦନ୍ତ କମିସନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୧୭ରୁ ୟୁପିରେ ହୋଇଥିବା ଏନକାଉଣ୍ଟର ମଧ୍ୟରୁ ଅଧିକାଂଶ ଫେକ୍ ଓ ଏହାର ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିଲେ ଆଇନଜୀବୀ ବିଶାଲ ତିଓ୍ବାରୀ ।
ଝାରସୁଗୁଡ଼ା କୋଲାଵିରା ଵ୍ଲକରେ କୀର୍ତ୍ତନ ସହ ନୃତ୍ୟଗୀତ ଗାନ କରି ଵିଜେଡି ପ୍ରାର୍ଥୀ ଦିପାଳୀ ଦାସଙ୍କୁ ସ୍ଵାଗତ
ଝାରସୁଗୁଡା : ପାଖେଇ ଆସୁଛି ଝାରସୁଗୁଡା ଉପନିର୍ବାଚନ। ଝାରସୁଗୁଡାରେ ଜୋରଦାର ଚାଲିଛି ଉପନିର୍ବାଚନ ପାଇଁ ପ୍ରଚାର । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ କୋଲାଵିରା ଵ୍ଲକ ଅଞ୍ଚଳରେ ଵିଜେଡି ପ୍ରାର୍ଥୀ ଦିପାଳୀ ଦାସ ଘରକୁ ଘର ଵୁଲି ଓ ନିର୍ବାଚନ ସଭା କରି ପ୍ରଚାର କରୁଛନ୍ତି ।

ଏହା ସହ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ଵିଜେଡି ମୁଖପାତ୍ର ସଞ୍ଜୟ ଵାଵୁ ନିର୍ବାଚନ ପ୍ରଚାର କରୁଛନ୍ତି । ଝାରସୁଗୁଡାରେ ଵିଜେଡି ପ୍ରାର୍ଥୀ ଦିପାଳୀ ଦାସଙ୍କୁ ବିପୁଳ ଜନ ସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି । ଗ୍ରାମବାସୀମାନେ କିର୍ତ୍ତନ କରିବା ସହ ନୃତ୍ୟଗୀତ ଗାନ କରି ଵିଜେଡି ପ୍ରାର୍ଥୀ ଦିପାଳୀ ଦାସଙ୍କୁ ସ୍ଵାଗତ କରୁଛନ୍ତି।

ବହୁଚର୍ଚ୍ଚିତ ଅଭିନେତ୍ରୀ ଜିୟା ଖାନ ଆତ୍ମହତ୍ୟା ମାମଲା , ସୁରଜଙ୍କୁ ଦୋଷମୁକ୍ତ କଲେ ସିବିଆଇ ସ୍ପେଶାଲ କୋର୍ଟ
ବ୍ୟୁରୋ : ବହୁଚର୍ଚ୍ଚିତ ଅଭିନେତ୍ରୀ ଜିୟା ଖାନ ଆତ୍ମହତ୍ୟା ମାମଲା । ଅଭିନେତା ସୁରଜ ପାଞ୍ଚୋଲୀ ନିର୍ଦ୍ଦୋଷ । ସୁରଜଙ୍କୁ ଦୋଷମୁକ୍ତ କଲେ ସିବିଆଇ ସ୍ପେଶାଲ କୋର୍ଟ । ସୁରଜଙ୍କ ବିରୋଧରେ ପ୍ରମାଣ ନମିଳିବାରୁ ତାଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି । ଆଜି କୋର୍ଟରେ ଶୁଣାଣି ବେଳେ ଜିୟାଙ୍କ ମାଆ ମଧ୍ୟ ଉପସ୍ଥିତ ଥିଲେ । ସୁରଜ ପଞ୍ଚୋଲି, ଜିୟାଙ୍କୁ ଆତ୍ମହତ୍ୟା ପାଇଁ ଉକୁସାଇଥିବା ଅଭିଯୋଗ ଆଣିଥିଲା ଜିୟାଙ୍କ ମାଆ ।

୨୦୧୩ ମସିହା ଜୁନ ୩ ତାରିଖରେ ଜିୟା ଖାନଙ୍କ ଝୁଲନ୍ତା ମୃତେଦହ ତାଙ୍କ ମୁମ୍ବାଇସ୍ଥିତ ଘରୁ ମିଳିଥିଲା । ଜିୟାଙ୍କ ଘରୁ ପୋଲିସ ୬ ପୃଷ୍ଠାର ସୁଇସାଇଡ ନୋଟ ମଧ୍ୟ ଜବତ କରିଥିଲେ । ଜିୟା ଅଭିନେତା ସୁରଜ ପଞ୍ଚୋଲିଙ୍କୁ ଡେଟ୍ କରୁଥିଲେ ।

ହେଲେ ସୁରଜ ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିବା ବେଳେ ଧୋକା ଦେଇଛନ୍ତି । ସୁରଜଙ୍କ ଏଭଳି ବ୍ୟବହାର ପାଇଁ ସେ ଭିତରୁ ମରି ସାରିଥିଲେ ବୋଲି ସୁଇସାଇଡ ନୋଟରେ ଉଲ୍ଲେଖ କରିଥିଲେ । ସୁଇସାଇଡ ନୋଟ ଆଧାରରେ ପୋଲିସ ସୁରଜ ପଞ୍ଚୋଲିଙ୍କୁ ଗିରଫ କରିଥିଲା । ପରେ ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା । ହେଲେ ଜିୟାଙ୍କ ମାଆ ହାର ମାନି ନଥିଲେ । ଜିୟାଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ତାଙ୍କ ମାଆ ଅଭିଯୋଗ କରିଥିଲେ । ମାଆଙ୍କ ଅଭିଯୋଗ ଆଧାରରେ ସିବିଆଇକୁ ମାମଲାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଜିୟା ୨୦୦୭ ମସିହାରୁ ବଲିଉଡରେ କ୍ୟାରିଅର ଆରମ୍ଭ କରିଥିଲେ । ଡେବ୍ୟୁ ଫିଲ୍ମ ନିଶବ୍ଦରେ ଅମିତାଭ ବଚ୍ଚନଙ୍କ ସହ ଅଭିନୟ କରିଥିଲେ ଜିୟା । ଆମୀର ଖାନଙ୍କ ଫିଲ୍ମ ଗଜନୀରେ ମଧ୍ୟ ଜିୟାଙ୍କୁ ଦେଖିବାକୁ ମିଳିଥିଲା । ୧୦ବର୍ଷ ପରେ ଜିୟା ଖାନ ଆତ୍ମହତ୍ୟା ମାମଲାର ରାୟ ଶୁଣାଇଛନ୍ତି କୋର୍ଟ ।
ଦିଲ୍ଲୀ ଜନ୍ତରମନ୍ତରରେ ରେସଲରଙ୍କ ଧାରଣା , ଆଜି ସୁପ୍ରିମକୋର୍ଟରେ ରେସଲରଙ୍କ ପିଟିସନର ଶୁଣାଣି
ଦିଲ୍ଲୀ : ଦିଲ୍ଲୀ ଜନ୍ତରମନ୍ତରରେ ରେସଲରଙ୍କ ଧାରଣା । ଆଜି ସୁପ୍ରିମକୋର୍ଟରେ ରେସଲରଙ୍କ ପିଟିସନର ଶୁଣାଣି । କୁସ୍ତି ମହାସଂଘ ସଭାପତିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ରାଜଧାନୀରେ ଗତ ୬ଦିନ ଧରି ଧାରଣାରେ ବସିଛନ୍ତି କୁସ୍ତିଯୋଦ୍ଧା । ଦିଲ୍ଲୀ ପୋଲିସ ପୀଡ଼ିତାଙ୍କ ଏତଲା ନରଖିବା ନେଇ ସୁପ୍ରିମକୋର୍ଟରେ ଦାଏର ପିଟିସନର ଶୁଣାଣି କରିବେ ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ।

କୁସ୍ତି ସଂଘ ସଭାପତି ତଥା ବିଜେପିର ବାହୁବଳି ସାଂସଦଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଥିବା ବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏମିତିକି ଦିଲ୍ଲୀ ପୋଲିସ ପୀଡ଼ିତାଙ୍କ ଏତଲା ମଧ୍ୟ ରେଜିଷ୍ଟର କରାଇନଥିବା ଜଣାପଡ଼ିଛି । ଜାତୀୟ, ଅନ୍ତର୍ଜାତୀୟସ୍ତରରେ ମେଡାଲ ଜିତି ତ୍ରିରଙ୍ଗାର ମାନ ବଢ଼ାଇଥିବା ଖେଳାଳିମାନେ ରାଜଧାନୀ ରାଜରାସ୍ତାରେ ବସି ହାତ ଯୋଡ଼ି ନ୍ୟାୟ ଭିକ୍ଷା କରୁଛନ୍ତି । ଧାରଣାସ୍ଥଳରେ କୁସ୍ତିଯୋଦ୍ଧାମାନେ ବିଜେପିର ବାହୁବଳି ସାଂସଦ ବ୍ରିଜଭୂଷଣଙ୍କ ନାଁରେଥିବା ସମସ୍ତ ମାମଲାର ଏକ ତାଲିକାର ପୋଷ୍ଟର ମଧ୍ୟ ଲଗାଇଛନ୍ତି ।

ବ୍ରିଜଭୂଷଣଙ୍କ ନାଁରେ ୩୮ ମାମଲା ରହିଥିବା ପୋଷ୍ଟରରେ ଦର୍ଶାଯାଇଛି । ସେପଟେ ରେସଲରଙ୍କ ଧାରଣାକୁ ସମର୍ଥନ ଦେଇଛନ୍ତି ଅଲିମ୍ପିକ ଗୋଲ୍ଡ ମେଡାଲିଷ୍ଟ ନିରଜ ଚୋପ୍ରା । ଦେଶ ପାଇଁ ମେଡାଲ ଜିତି ଦେଶକୁ ଗର୍ବିତ କରିଥିବା ମହିଳା ଖେଳାଳିଙ୍କ ଅଭିଯୋଗକୁ ଅତି ସମ୍ବେଦନଶୀଳ କହିବା ସହ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିରଜ ନିଜ ଟୁଇଟର ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ସେହିପରି କୁସ୍ତିଯୋଦ୍ଧାଙ୍କ ଧାରଣା ଦେଶର ଛବିକୁ ମଳିନ କରୁଛି ବୋଲି ଇଣ୍ଡିଆନ ଅଲିମ୍ପିକ ଆସୋସିଏସନ ସଭାପତି ତଥା ରାଜ୍ୟସଭା ସାଂସଦ ପି ଟି ଉଷାଙ୍କ ମନ୍ତବ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଧାରଣାରତ କୁସ୍ତିଯୋଦ୍ଧା ପି ଟି ଉଷାଙ୍କ ମନ୍ତବ୍ୟକୁ ସମାଲୋଚନା କରିଥିବା ବେଳେ ଟୁଇଟ କରି ବର୍ଷିଛନ୍ତି ଟିଏମସି ସାଂସଦ ମହୁଆ ମଇତ୍ରୋ ।

ଜଳୁଛି ମଣିପୁର , ଇଣ୍ଟରନେଟ ସେବା ବନ୍ଦ, ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ..
ବ୍ୟୁରୋ : ଜଳୁଛି ମଣିପୁର । ଇଣ୍ଟରନେଟ ସେବା ବନ୍ଦ ସହ ୧୪୪ ଧାରା ଲାଗୁ ହେଲା। ସ୍ଥାନୀୟ ଅଂଚଳରେ ପୋଡା ଜଳା ପାଇଁ ବାତିଲ ହେଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଉତ୍ତ୍ୟକ୍ତ ଲୋକେ ଭେନ୍ୟୁରେ ନିଆଁ ଲଗାଇ ଦେଇଥିବାରୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ଏହାସହ ଅଧିକ ଜନସମାଗମ ମଧ୍ୟ ନକରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂ ଚୁରାଚାନ୍ଦପୁର ଜିଲ୍ଲାର ନ୍ୟୁ ଲମକାରେ ଜିମ-କମ୍-ସ୍ପୋଟସ ଫାସିଲିଟି ସେଣ୍ଟର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ପହଞ୍ଚିବା ପୂର୍ବରୁ ଜିମରେ ସ୍ଥାନୀୟ ଆଦିବାସୀ ନିଆଁ ଲଗାଇଦେଇଥିବା ଜଣାପଡ଼ିଛି । ଆଦିବାସୀ ଓ ଚାଷୀଙ୍କ ସଂରକ୍ଷିତ ବନାଞ୍ଚଳକୁ ଖାଲି କରିବାକୁ ଚାଲିଥିବା ଜବରଦଖଲ ଉଚ୍ଛେଦ ଅଭିଯାନରେ ରୋକ ପାଇଁ ବାରମ୍ବାର ଦାବି ସତ୍ତ୍ବେ ସରକାର ଏ ଦିଗରେ ଗୁରୁତ୍ବ ଦେଉ ନଥିବା ଅଭିଯୋଗ ହୋଇଛି । ଏହାସହ ଅନେକ ସ୍ଥାନରେ ଚର୍ଚ୍ଚଗୁଡ଼ିକ ଭାଙ୍ଗି ଦିଆଯାଉ ଥିବାରୁ ସରକାରଙ୍କ ଉପରେ ଜନଜାତିଙ୍କର ଅସନ୍ତୋଷ ରହିଥିଲା । ସକାଳ ୮ଟାରୁ ସନ୍ଧ୍ୟା ୪ଟା ଯାଏଁ ବନ୍ଦ ଡାକରା ଦେଇଥିଲା ଜନଜାତି ବିକାଶ ମଞ୍ଚ । ଆଦିବାସୀଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ବିରୋଧକରି ଦିଆଯାଇଥିବା ବନ୍ଦ ଡାକରାକୁ କୁକି ଛାତ୍ର ସଂଗଠନ ମଧ୍ୟ ସମର୍ଥନ ଦେଇଥିଲା । ଚଳିତ ମାସ ଆରମ୍ଭରୁ ମଣିପୁର ସରକାରଙ୍କ ପକ୍ଷରୁ ତିନିଟି ଚର୍ଚ୍ଚକୁ ବେଆଇନ ନିର୍ମାଣ ଦର୍ଶାଇ ଭାଙ୍ଗି ଦିଆଯାଇଥିଲା । ଲୋକଙ୍କ ମଧ୍ୟରେ ଏ ନେଇ ଦୀର୍ଘଦିନ ଧରି ସରକାରଙ୍କ ବିରୋଧରେ ଅସନ୍ତୋଷ କୁହୁଳୁଥିବା ବେଳେ ଉଗ୍ର ରୂପ ଧାରଣ କରିଛନ୍ତି ମଣିପୁର ବାସିନ୍ଦା।..

ୟୁକ୍ରେନ ରାଜଧାନୀ କିବ୍ ସମେତ ଅନ୍ୟାନ୍ୟ ସହରରେ ପୁଣି ଋଷର ଭୟଙ୍କର ହମଲା
ବ୍ୟୁରୋ : ପୁଣି ରକ୍ତମୁଖା ଋଷ । ୟୁକ୍ରେନ ରାଜଧାନୀ କିବ୍ ସମେତ ଅନ୍ୟାନ୍ୟ ସହରରେ ହମଲା । କିବର କେତେକ ସ୍ଥାନରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଛନ୍ତି । କିବରେ ୟୁକ୍ରେନ ଏୟାର ଡିଫେନ୍ସ ସିଷ୍ଟମ ପକ୍ଷରୁ ୧୧ଟି ମିସାଇଲ ଓ ୨ଟି ଆଟାକ ଡ୍ରୋନକୁ ଖସାଇଦିଆଯାଇଛି ।

ଉମାନ ସହରରେ ହୋଇଛି ମିସାଇଲ ହମଲା । ହମଲାରେ ଏକ ୯ମହଲା ବିଶିଷ୍ଟ କୋଠା ନଷ୍ଟ ହୋଇଥିବା ବେଳେ ୩ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ଆକ୍ରମଣ ହେବା ଆଶଙ୍କାରେ ସହରରେ ବିମାନବିଧ୍ବଂସୀ ୟୁନିଟକୁ ସଜାଗ ରଖାଯାଇଛି । ନିପ୍ରୋ, କ୍ରେମେନଚୁକ, ମିକୋଲେଭ ଓ ପୋଲତଭା ସହରରେ ବି ବିସ୍ଫୋରଣ ଘଟିଛି । ନିପ୍ରୋରେ ଆକ୍ରମଣ ଯୋଗୁ ଜଣେ ଶିଶୁ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଯୁଦ୍ଧ ଆରମ୍ଭରୁ ପ୍ରଥମ ଥର ଲାଗି ବୁଧବାର ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଆଲୋଚନା ପରେ ଏହି ହମଲା ଘଟିଛି ।


