ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମେ’ ୯ରେ ବାରିପଦା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । MSCB ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି MSCBU-ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ୟୁନିଭର୍ସିଟିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିଭାଷଣ ପ୍ରଦାନ କରିବେ ।
ହାଇଟେକ୍ ହସ୍ପିଟାଲରେ ନୂଆ ଡାଇଲେସିସ ୟୁନିଟର ଶୁଭାରମ୍ଭ କଲେ ସାଂସଦ ମାନସ ମଙ୍ଗରାଜ
ଭୁବନେଶ୍ବର: ଭୁବନେଶ୍ବର ହାଇଟେକ୍ ହସ୍ପିଟାଲରେ ନୂଆ ଡାଇଲେସିସ ୟୁନିଟର ଶୁଭାରମ୍ଭ । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଏହାର ଶୁଭାରମ୍ଭ କରିଛନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଅଗ୍ରଣୀ ଭୂମିକା ନେଇଥିବା ବେଳେ ହାଇଟେକ୍ ହସ୍ପିଟାଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନେଇଛି । କିଡନୀ ରୋଗୀଙ୍କ ପାଇଁ ଏହା ଅନେକ ସହାୟକ ହେବ । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ପ୍ରକଳ୍ପ BSKYକୁ କାର୍ଯ୍ୟକାରୀ କରିବାରେ ହାଇଟେକ ଆଗୁଆ ରହିଛି ବୋଲି ସାଂସଦ ମାନସ ମଙ୍ଗରାଜ କହିଛନ୍ତି । ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ହାଇଟେକ ହସ୍ପିଟାଲ ନିରନ୍ତର ସେବା ଯୋଗାଇଚାଲିଛି । ପୂର୍ବରୁ ୨୦ ଶଯ୍ୟା ବିଶିଷ୍ଟ ଡାଇଲେସିସ ୟୁନିଟ ଥିବା ବେଳେ ଏବେ ୨୪ ଶଯ୍ୟା ଆଉ ଏକ ଡାଇଲେସିସ ୟୁନିଟ ଗରିବ କିଡନୀ ରୋଗୀଙ୍କୁ ସହାୟକ ହେବ ବୋଲି ହାଇଟେକ ଗ୍ରୁପ ଅଧ୍ୟକ୍ଷ କହିଛନ୍ତି ।
ଓ୍ବାରିସ ପଞ୍ଜାବ ଦେ ମୁଖ୍ୟ ତଥା ପଳାତକ ଅମ୍ରିତପାଲର ସ୍ତ୍ରୀ କିରଣଦୀପ ଅଟକ
ଚଣ୍ଡିଗଡ଼: ଓ୍ବାରିସ ପଞ୍ଜାବ ଦେ ମୁଖ୍ୟ ତଥା ପଳାତକ ଅମ୍ରିତପାଲର ସ୍ତ୍ରୀ କିରଣଦୀପ ଅଟକ । ଅମ୍ରିତସରର ଶ୍ରୀଗୁରୁ ରାମ ଦାସ ଏୟାରପୋର୍ଟରୁ କିରଣଦୀପଙ୍କୁ ଅଟକ ରଖିଛି ପଞ୍ଜାବ ପୋଲିସ । ଲଣ୍ଡନ ଯିବାକୁ ଯୋଜନା କରୁଥିବା ବେଳେ ପୋଲିସ ତାଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ଗତ ଫେବୃଆରୀରେ କିରଣଦୀପଙ୍କୁ ବିବାହ କରିଥିଲା ଅମ୍ରିତପାଲ । କିରଣଦୀପ ବ୍ରିଟିସ ନାଗରିକତ୍ବ ଗ୍ରହଣ କରିଛନ୍ତି । କିରଣଦୀପଙ୍କ ବିରୋଧରେ କୌଣସି ମାମଲା ନାହିଁ । ଅମ୍ରିତପାଲ ଫେରାର ମାମଲାରେ ପଚରାଉଚୁରା ପାଇଁ ପୋଲିସ ତାଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।
ପୁରୀରେ ଲୁଚିଥିଲା ଗୁଡ୍ଡୁ ମୁସଲିମ !
ଭୁବନେଶ୍ୱର: ଉମେଶ ପାଲ ହତ୍ୟା ମାମଲାରେ ଫେରାର ଅଭିଯୁକ୍ତ ଗୁଡ୍ଡୁ ମୁସଲିମର ଲାଷ୍ଟ ଲୋକେସନ୍ ଓଡ଼ିଶା ରହିଛି । ପୁରୀରେ ବମ୍ ସ୍ପେଶାଲିଷ୍ଟ ଗୁଡ୍ଡୁ ଲୁଚିଥିଲା ବୋଲି ଜଣାପଡିଛି । ଅସଦ୍ ଓ ଗୁଲାମର ଏନକାଉଣ୍ଟର ହେବା ସମୟରେ ଅଣ୍ଡର ଗ୍ରାଉଣ୍ଡ ହୋଇଥିଲା ଗୁଡ୍ଡୁ । ଏସଟିଏଫ ଟିମ୍ ଗୁଡ୍ଡୁ ମୁସଲିମକୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ୍ କରୁଛି। ଶେଷ ଲୋକେସନ୍ ଓଡ଼ିଶା ଦେଖାଇବା ପରେ ପୁରୀରେ ଏସଟିଏଫ୍ ଟିମ୍ ପହଞ୍ଚିଥିଲା । ତେବେ ସେତେବେଳକୁ ପୁରୀରୁ ଫେରାର ହୋଇଯାଇଥିଲା ଗୁଡ୍ଡୁ । ତା ନାଁରେ ୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଛି ।
ଗୁଡ୍ଡୁ ସହ ସଂପର୍କରେ ଥିବା ପୁରୁଣା ଅପରାଧୀ ଓ ବାହୁବଳୀଙ୍କ ନେଟଓ୍ବର୍କ ଖୋଜୁଛି ଏସଟିଏଫ୍ । ଲକ୍ଷ୍ନୌର ଜଣେ ବିତ୍ତଶାଳୀ ବ୍ୟକ୍ତି ଓ ଦୁଇ ଜଣ ନେତା ଗୁଡ୍ଡୁ ସହ ସିଧାସଳଖ ସଂପର୍କରେ ଥିବା ଜଣାପଡିଛି । ଓଡ଼ିଶା ପୂର୍ବରୁ କର୍ଣ୍ଣାଟକରେ ଗୁଡ୍ଡୁର ଲୋକେସନ୍ ମିଳିଥିଲା । ଉମେଶ ପାଲ ହତ୍ୟା ପରେ ଗୁଡ୍ଡୁ ଝାନସୀରେ ୫ଦିନ ରହିଥିଲା । ପରେ ମିରଟରେ ଅତିକର ଭଉଣୀ ଆୟଶା ନୁରୀ ଘରେ ଗୁଡ୍ଡୁକୁ ଦେଖିବାକୁ ମିଳିଥିଲା । ଏହାପରଠୁ ଗୁଡ୍ଡୁର ସୁରାକ ମିଳୁନଥିଲା। ପରେ କର୍ଣ୍ଣାଟକ ଓ ଓଡ଼ିଶାରେ ଗୁଡ୍ଡୁର ଲୋକେସନ୍ ଟ୍ରେସ ହୋଇଛି ।
ଦେଶର ବିଭିନ୍ନ ଭାଗରେ ହିଟଓ୍ବେଭର ତାଣ୍ଡବ, ୯୦ ପ୍ରତିଶତ ଅଞ୍ଚଳ ଡେଞ୍ଜର ଜୋନରେ
ନୂଆଦିଲ୍ଲୀ: ଭାରତର ୯୦ ପ୍ରତିଶତ ଅଞ୍ଚଳ ଡେଞ୍ଜର ଜୋନ୍ ବା ଅତ୍ୟଧିକ ବିପଜ୍ଜନକ ସ୍ଥିତିରେ ରହିଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ଅଧିକାଂଶ ଅଞ୍ଚଳ ହିଟଓ୍ବେଭର ଶିକାର ହେଉଛନ୍ତି । କେମ୍ବ୍ରିଜ ବିଶ୍ବବିଦ୍ଯାଳୟର ରମିତ ଦେବନାଥ ଓ ସହଯୋଗୀଙ୍କ ପକ୍ଷରୁ କରାଯାଇଥିବା ଗବେଷଣାରେ କୁହାଯାଇଛି- ଦେଶରେ ହିଟଓ୍ବେଭ ବଢ଼ିବାରେ ଲାଗିଛି । ନିର୍ଦ୍ଦିଷ୍ଟ ଭାବେ ଦିଲ୍ଲୀ ସିଭିୟର ହିଟଓ୍ବେଭର ଶିକାର ହେବାରେ ଲାଗିଛି । ଜାତିସଂଘ ସହନଶୀଳ ବିକାଶ ଆଭିମୁଖ୍ୟ ବା ଏସଡିଜି ହାସଲ କରିବା ଦିଗରେ ଭାରତର ଉଦ୍ୟମ ସତ୍ତ୍ବେ ଏହି ହିଟଓ୍ବେଭ ଜାରି ରହିଛି । ଏହି ତାପମାତ୍ରା ବୃଦ୍ଧି ଯୋଗୁ ଘର ବାହାରେ କାର୍ଯ୍ୟ କରିବାର ସାମର୍ଥ୍ୟ ୧୫ ପ୍ରତିଶତ ହ୍ରାସ ପାଇବ । ପ୍ରାୟ ୪୮ କୋଟି ଲୋକଙ୍କ ଜୀବନର ଗୁଣବତ୍ତା ହ୍ରାସ ପାଇବ । ଏହି କାରଣରୁ ୨୦୫୦ ସୁଦ୍ଧା ଭାରତର ଜିଡିପି ୨.୮ ପ୍ରତିଶତ ହ୍ରାସ ପାଇବ ।
୧୯୯୨ରୁ ବର୍ତ୍ତମାନ ସୁଦ୍ଧା ଦେଶରେ ୨୪ ହଜାର ଲୋକଙ୍କ ପ୍ରାଣହାନି ଘଟିଛି । ଏହି ରିପୋର୍ଟରେ ଗତ ସପ୍ତାହରେ ମହାରାଷ୍ଟ୍ରରେ ଅଂଶୁଘାତରେ ୧୪ ଲୋକଙ୍କ ମୃତ୍ୟୁ ବିଷୟ ବି ସ୍ଥାନ ପାଇଛି । ପ୍ରଚଣ୍ଡ ହିଟଓ୍ବେଭ ଯୋଗୁ ଗ୍ଲାସିୟର ତରୁଳିଥିବା ରିପୋର୍ଟରେ କୁହାଯାଇଛି । ହିଟଓ୍ବେଭରେ ଦିଲ୍ଲୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ ଏବଂ ଦିଲ୍ଲୀ ବସ୍ତିବାସିନ୍ଦା ବିଦ୍ୟୁତ, ପାନୀୟ ଜଳ, ପରିମଳ, ସ୍ବାସ୍ଥ୍ୟ ସେବା ଆଦି ସଙ୍କଟରେ ଅତ୍ୟଧିକ କ୍ଷତିଗ୍ରସ୍ତ ହେବେ ବୋଲି କୁହାଯାଇଛି । ୧୯୦୧ ପରଠାରୁ ଚଳିତ ବର୍ଷ ଫେବ୍ରୁଆରୀରେ ସର୍ବାଧିକ ତାପମାତ୍ରା ପରିଲକ୍ଷିତ ହୋଇଥିବା ରିପୋର୍ଟରେ କୁହାଯାଇଛି ।
କର୍ଣ୍ଣାଟକ ବିଜେପିରେ ପୁଣି ବଢ଼ିଲା ଅଶାନ୍ତି, ପ୍ରାର୍ଥୀ ତାଲିକାକୁ ନେଇ ବିଦ୍ରୋହ
ବେଙ୍ଗାଲୁରୁ: କର୍ଣ୍ଣାଟକ ବିଜେପିରେ ପୁଣି ବଢ଼ିଲା ଅଶାନ୍ତି । ପ୍ରାର୍ଥୀ ତାଲିକାକୁ ନେଇ ବିଦ୍ରୋହ ସ୍ଥିତି । ଶିବମୋଗା ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଚନ୍ନବାସପ୍ପାଙ୍କୁ ପ୍ରାର୍ଥୀ କରାଯାଇଛି । ମାତ୍ର ସେହି ଆସନରୁ ବିଧାୟକ ଥିବା ତଥା ବିଭିନ୍ନ ବିବାଦରେ ଛନ୍ଦି ହୋଇପଡିଥିବା ବରିଷ୍ଠ ବିଜେପି ନେତା କେ.ଏସ. ଈଶ୍ବରାପ୍ପାଙ୍କ ପରିବାରରୁ କାହାରିକୁ ପ୍ରାର୍ଥୀ କରିନି ବିଜେପି । କିଛିଦିନ ତଳେ ରାଜନୀତିରୁ ସନ୍ନ୍ୟାସ ନେବା ଲାଗି ଘୋଷଣା କରିଥିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଈଶ୍ବରାପ୍ପା । ତେବେ ପୁଅ କେ.ଇ. କାନ୍ତେଶଙ୍କୁ ସେହି ଆସନରୁ ପ୍ରାର୍ଥୀ କରାଯାଉ ବୋଲି ଦାବି କରିଥିଲେ ୫ଥରର ବିଧାୟକ ଈଶ୍ବରାପ୍ପା । ତେଣେ ଶିବମୋଗାରୁ ପ୍ରାର୍ଥୀ ହେବା ଲାଗି ଆଶାୟୀ ବିଜେପି ନେତା ଆୟାନୁର ମଞ୍ଜୁନାଥଙ୍କୁ ଟିକେଟ ନ ମିଳିବା ପରେ ସେ ବିଜେପି ତ୍ୟାଗ କରି ଜେଡିଏସରେ ମିଶିଛନ୍ତି ।
ସେପଟେ ବିଜେପିର ଏମଏଲସି ସଦସ୍ୟ ଏଚ. ବିଶ୍ବନାଥ ଦଳ ତ୍ୟାଗ କରି କଂଗ୍ରେସରେ ସାମିଲ ହୋଇଛନ୍ତି । ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ହୋଇଥିବାବେଳେ ବହୁ ନେତାଙ୍କୁ ଟିକେଟ ନ ମିଳିବା ବିଜେପି ଲାଗି ଚିନ୍ତାର କାରଣ ହୋଇଛି । ସେପଟେ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ପଡିଛନ୍ତି ଯୁବ ଚେହେରା ତେଜସ୍ବୀ ସୂର୍ଯ୍ୟ । ବିଜେପି ଯୁବଶାଖା ସଭାପତି ତଥା ବେଙ୍ଗାଲୁରୁ ସାଉଥ ସାଂସଦ ତେଜସ୍ବୀ ହିନ୍ଦୁତ୍ବବାଦୀ ରାଜନୀତିର ଜଣେ ଜଣାଶୁଣା ଚେହେରା । ତେବେ ଷ୍ଟାର ପ୍ରଚାରକ ତାଲିକାରୁ ତାଙ୍କ ନାମ ହଟିବାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି । କୁହାଯାଉଛି କିଛିଦିନ ତଳେ ଏକ ବିମାନର ଉଡାଣ ପୂର୍ବରୁ ସେ ବିମାନର ଏମର୍ଜେନ୍ସି ଏକ୍ସିଟକୁ ଖୋଲିବା କାରଣକୁ ନେଇ ବିଭିନ୍ନ ମହଲରୁ ଉପହାସର ପାତ୍ର ହୋଇଥିଲେ । ସେହିପରି ପ୍ରଚାରକ ତାଲିକାରୁ ବି ବାଦ୍ ପଡିଛନ୍ତି ବି.ଏସ. ୟେଦ୍ୟୁରପ୍ପାଙ୍କ ପୁଅ ବି.ଓ୍ବାଇ. ବିଜୟେନ୍ଦ୍ର । ସଂରକ୍ଷଣ ପ୍ରସଙ୍ଗକୁ ନେଇ ବଞ୍ଜାରା ସମ୍ପ୍ରଦାୟଙ୍କ ଆକ୍ରୋଶର ଶିକାର ହୋଇଆସିଛନ୍ତି ବିଜୟେନ୍ଦ୍ର ।






