spot_img
Home Blog Page 3393

ପୁରୀରେ ସିଏନଜି ଗ୍ୟାସ ବୋଝଇ ଟ୍ରକରୁ ଗ୍ୟାସ୍ ଲିକ୍

ପୁରୀ: ପୁରୀ ମାଳତୀପାଟପୁରରେ ସିଏନଜି ଗ୍ୟାସ ବୋଝଇ ଟ୍ରକରୁ ଗ୍ୟାସ୍ ଲିକ୍ । 407 ଗାଡ଼ିରେ 3500 ୱାଟର ଲିଟର ଗ୍ୟାସ ଲୋଡ୍‌ ଥିଲା | ଭୁବନେଶ୍ବରରୁ ପୁରୀ ଅଭିମୁଖେ ଗଲା ବେଳେ ହଟାତ୍ ଗ୍ୟାସ ଲିକ ହେବାରୁ ଗାଡି ଚାଳକ ଓ ଅଞ୍ଚଳବାସୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।  ଖବର ପାଇ ଅଗ୍ନିଶମ ବିଭାଗର ଦୁଇଟି ଗାଡି ପହଞ୍ଚି ଗ୍ୟାସ ଲିକକୁ ବନ୍ଦ କରିବାକୁ ଚଳାଇଛନ୍ତି  ଉଦ୍ୟମ । ବର୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିବା ଜଣାପଡିଛି।

ଜନ୍ମଦିନ ପାର୍ଟିରେ ଆଖିବୁଜା ଗୁଳିମାଡ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ୱାଶିଂଟନ୍: ଆମେରିକାରେ ପୁଣି ବନ୍ଧୁକ ଆତଙ୍କ। ବର୍ଥ ଡେ ପାର୍ଟିରେ ଆଖିବୁଜା ଗୁଳିମାଡରେ ୪ମୃତ, ୨୮ ଆହତ । ଅଲବାମାରେ ଏକ ଜନ୍ମଦିନ ପାର୍ଟି ଚାଲିଥିବା ବେଳେ ଜଣେ ଆତତାୟୀ ଗୁଳିଚାଳନା କରିଥିଲେ । ଏଥିରେ ୪ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨୮ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରଯାଇଛି। ଆହତଙ୍କ ମଧ୍ୟରୁ କେତେଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି ।

ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଅଘଟଣ ଘଟିଥିବା ବେଳେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ଘଟଣାରେ ଜଣେ ସନ୍ଦିଗ୍ଧ ଯୁବକକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ । ଗୁଳିକାଣ୍ଡକୁ ୧୨ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ବି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସଠିକ ସୂଚନା ମିଳିପାରିନାହିଁ । ସେପଟେ ଆମେରିକାରେ ବନ୍ଧୁକ ଆଇନ କଡ଼ାକଡ଼ି କରିବାକୁ କହିଥିବା ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ର ଭୂଷଣ ଆୱାର୍ଡ ସମାରୋହରେ ବଡ଼ ଅଘଟଣ, ଅଂଶୁଘାତରେ ୧୧ ଜଣଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ର ନଭି ମୁମ୍ବାଇରେ ଆୟୋଜିତ ମହାରାଷ୍ଟ୍ର ଭୂଷଣ ଆଓ୍ବାର୍ଡ ସମାରୋହରେ ବଡ଼ ଅଘଟଣ। ଅଂଶୁଘାତରେ ୧୧ଜଣଙ୍କ ମୃତ୍ୟୁ। ୧୨୦ରୁ ଊର୍ଦ୍ଧ୍ବ ହୃଦଘାତର ଶିକାର ହୋଇଛନ୍ତି। ସମାରୋହରେ ଲକ୍ଷାଧିକ ଲୋକ ସାମିଲ ହୋଇଥିବା ବେଳେ ପ୍ରାୟ ୬ଶହ ଲୋକ ଅସୁସ୍ଥ ହୋଇଥିବା ଜଣାପଡ଼ିଛି ।

ରବିବାର ଆୟୋଜିତ ଏହି ସମାରୋହରେ ବହୁ ସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ । ହେଲେ ଲୋକଙ୍କ ବସିବା ପାଇଁ ଟେଣ୍ଟ ବ୍ୟବସ୍ଥା କରାଯାଇ ନଥିବାରୁ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଲୋକମାନେ ସହ୍ୟ କରିପାରିନଥିଲେ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଲୋକମାନେ ୬ ଘଣ୍ଟା ଧରି ବସି ରହିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଭଳି ଭିଭିଆଇପି ଯୋଗଦେଇଥିଲେ ବି ଲୋକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାନଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ ଓ ଏନସିପି ନେତା ଅଜିତ ପାୱାର ପ୍ରମୁଖ ହସ୍ପିଟାଲରେ ପହଞ୍ଚି ଚିକିତ୍ସାଧୀନ ଲୋକଙ୍କୁ ଭେଟିଛନ୍ତି । ସେପଟେ ମୃତକ ଓ ଆହତଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

୪ଶହ ୫୦ ଲିଟର ଦେଶୀ ମଦ ସହ ଗାଡି ଜବତ, ଜଣେ ଗିରଫ

କାମାକ୍ଷାନଗର: ୪ଶହ ୫୦ ଲିଟର ଦେଶୀ ମଦ ସହ ଗାଡି ଜବତ, ମଦ ମାଫିଆ ଗିରଫ। କାମାକ୍ଷାନଗର ଓ ପରଜଙ୍ଗ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ଜଣେ ମଦ ମାଫିଆକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ପରଜଙ୍ଗ ଥାନା ଆମ୍ବପଳାଶ ଗାଁର ସାହେବ ମହାପାତ୍ର । ତାଙ୍କ ଠାରୁ ୯ଟି ଜାରରେ ଭର୍ତ୍ତି ୪୫୦ ଲିଟର ଦେଶୀ ମଦ ଓ ଗୋଟିଏ କାର ଜବତ କରାଯାଇଛି ।

ସମ୍ପୃକ୍ତ ମଦ ମାଫିଆ ଜଣଙ୍କ କାରରେ ଭର୍ତ୍ତି ମଦ ନେଇ ଢେଙ୍କାନାଳ ଯାଉଥିବା ବେଳେ ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲ ଚାନ୍ଦପୁର ଗାଁ ନିକଟରେ ମାଡି ବସିଥିଲା ଅବକାରୀ ଟିମ । ଖୁବଶୀଘ୍ର ପରଜଙ୍ଗ, କାମାକ୍ଷାନଗର, କଙ୍କଡାହାଡ଼ ଓ ଭୁବନ ଅଞ୍ଚଳରେ ମାରାଥନ ଚଢ଼ାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

କର୍ଣ୍ଣାଟକ ବିଜେପିକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟର

ବେଙ୍ଗାଲୁରୁ: ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି କଂଗ୍ରେସରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟର। କଂଗ୍ରେସ ଅଧ୍ୟକ୍ଷ ଖଡଗେଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ସେଟ୍ଟର । ପିସିସି କାର୍ଯ୍ୟାଳୟରେ ସଭାପତି ଡିକେ ଶିବକୁମାର, ସିଦ୍ଧରମୈୟାଙ୍କ ଉପସ୍ଥିତିରେ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦିଆଯାଇଛି।

ବିଜେପି ଟିକେଟ ନଦେବାରୁ ସେଟ୍ଟର ଗତକାଲି ଦଳରୁ ଇସ୍ତଫା ଦେଇଥିଲେ । ବିଜେପି ପ୍ରାର୍ଥୀ ତାଲିକାକୁ ନେଇ ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରିଥିଲେ ସେଟ୍ଟର। ଦିଲ୍ଲୀରେ ବରିଷ୍ଠ ନେତାଙ୍କ ସହ ଆଲୋଚନା ପରେ ବି ଟିକେଟ ପ୍ରତିଶ୍ରୁତି ନମିଳିବାରୁ ଗତକାଲି ସେ ଦଳ ଛାଡ଼ିଥିଲେ । ଆଜି ସେ କଂଗ୍ରେସ ଅଧ୍ୟକ୍ଷ ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।

ଗତ ୬ମାସ ଧରି ବିଜେପିରେ ତାଙ୍କୁ ଅଣଦେଖା କରାଯାଉଥିବା ସେଟ୍ଟର କହିଛନ୍ତି। ସେଟ୍ଟର କଂଗ୍ରେସ ଟିକେଟରେ ହୁବାଲିରୁ ଲଢ଼ିବେ ବୋଲି ସୂଚନା ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ସେଟ୍ଟର ଲିଙ୍ଗାୟତ କମ୍ୟୁନିଟିର ଜଣେ ପ୍ରଭାବଶାଳୀ ନେତା। ସେଟ୍ଟର କଂଗ୍ରେସରେ ସାମିଲ ହେବା ପରେ ଲିଙ୍ଗାୟତ ସମୁଦାୟର ସମର୍ଥନ କଂଗ୍ରେସ ପ୍ରତି ରହିବ ବୋଲି କହିଛନ୍ତି ପିସିସି ସଭାପତି ଡିକେ ଶିବକୁମାର।

ରୋଗୀଙ୍କୁ ନଦେଇ ପୋଡ଼ିଦେଲେ ଲକ୍ଷାଧିକ ଟଙ୍କାର ଔଷଧ

ବାଲେଶ୍ୱର: ରୋଗୀଙ୍କୁ ନଦେଇ ପୋଡ଼ିଦେଲେ ଲକ୍ଷାଧିକ ଟଙ୍କାର ଔଷଧ। ବାଲେଶ୍ୱର ଜିଲ୍ଲା ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ। ରୋଗୀଙ୍କ ପାଇଁ ଆସିଥିବା ଔଷଧକୁ ବିତରଣ ନକରି ରାତି ଅଧିଆ ପୋଡ଼ିଦେଇଥିବା ଅଭିଯୋଗ ହୋଇଛି।

ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ବିପୁଳ ଔଷଧ ପୋଡ଼ାଯାଇଥିବା ସୂଚନା ମିଳିଛି । ପୋଡିଯାଇଥିବା ଔଷଧ ଭିତରେ ଓଆରଏସ, ଆଣ୍ଟିବାୟୋଟିକ ଟାବଲେଟ୍, କପସିରଫ ଭଳି ଗୁରୁତ୍ବପୂର୍ଣ୍ଣ ଔଷଧ ରହିଛି । ଲୋକଙ୍କୁ ନଦେଇ ଔଷଧ ପୋଡ଼ିଦେବାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଅଭିଯୋଗ ପରେ ତଦନ୍ତ ହେବ ବୋଲି କହିଛନ୍ତି ହସ୍ପିଟାଲ ଇନଚାର୍ଜ।

କଟକରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ

କଟକ: ବଢୁଛି ବିଜେଡି ବଳ। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମଉଦା ପଂଚାୟତରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଜେଡିରେ ମିଶିଛନ୍ତି ବିଭିନ୍ନ ଦଳର କର୍ମୀ । ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉପସ୍ଥିତିରେ ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ୧୫୦ ରୁ ଅଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି, ବିକାଶଧାରା ଓ ଦୁର୍ନୀତିମୁକ୍ତ ଶାସନ ପ୍ରତି ଆକୃଷ୍ଟ ହୋଇ ଅନ୍ୟ ଦଳର ନେତା ଓ କର୍ମୀ ବିଜେଡିରେ ମିଶିଥିବା ସେମାନେ କହିଛନ୍ତି । ଏଥିରେ ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ପଞ୍ଚାୟତ ପର୍ଯ୍ୟବେକ୍ଷକ ପ୍ରିତମ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ।ଆଗାମୀ ଦିନରେ ମଉଦା ପଂଚାୟତରେ ବିଜେଡ଼ିର ଶକ୍ତି ବୃଦ୍ଧି ପାଇବା ସହ ଅଧିକ ଦଳ ସୁଦୃଢ଼ ହେବ ବୋଲି କହିଛନ୍ତି।

ଗ୍ୟାଙ୍ଗଷ୍ଟର ଅତିକ ଓ ଅସରଫ ହତ୍ୟାକାଣ୍ଡ; ୟୁପି ସରକାରର ଭୂମିକାକୁ ନେଇ ପିଟିସନ ଦାଏର

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଓ ଅସରଫ ହତ୍ୟାକାଣ୍ଡ ଘଟଣାରେ ପିଟିସନ ଦାଏର । ୟୁପି ସରକାର ଓ ପୋଲିସ ପ୍ରଶାସନର ଭୂମିକାକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଛନ୍ତି ଜଣାଶୁଣା ଆଇନଜୀବୀ ବିଶାଲ ତିଓ୍ବାରୀ । ନିରପେକ୍ଷ ଏକ୍ସପର୍ଟ କମିଟି ଗ୍ୟାଙ୍ଗଷ୍ଟର ଅତିକ ଓ ଅସରଫ ହତ୍ୟାକାଣ୍ଡର ତଦନ୍ତ କରିବାକୁ ଅପିଲ କରାଯାଇଛି।

ପୋଲିସର କଡ଼ା ସୁରକ୍ଷା ଭିତରେ କେମିତି ଜଣେ ହାଇପ୍ରୋଫାଇଲ କ୍ରିମିନାଲକୁ ହତ୍ୟା କରାଗଲା? ତାର ତଦନ୍ତ ପାଇଁ ପିଟିସନ ଦାଏର ହୋଇଛି । ଅତିକର ପୁଅ ଅସଦର ସନ୍ଦିଗ୍ଧ ଏନକାଉଣ୍ଟରକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ୨୦୧୭ ମସିହାରୁ ଉତ୍ତରପ୍ରଦେଶରେ ହୋଇଥିବା ୧୮୩  ଏନକାଉଣ୍ଟରର ଯାଞ୍ଚ ପାଇଁ ଅପିଲ କରିଛନ୍ତି ଆଇନଜୀବୀ ବିଶାଲ ତିଓ୍ବାରୀ।

ସେପଟେ ଅତିକ ଓ ଅସରଫ ହତ୍ୟାକାଣ୍ଡ ପରେ ୟୁପିରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରୟାଗରାଜରେ ଆଉ ଦୁଇ ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି ।

୧୮ ଯାଏଁ ସମ୍ବଲପୁରରେ ଇଣ୍ଟରନେଟ୍ ସେବା ବନ୍ଦ

ସମ୍ବଲପୁର: ସମ୍ବଲପୁରରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ । ୧୮ତାରିଖ ସକାଳ ୧୦ ଯାଏ କଟକଣା ଜାରି ହୋଇଛି । ଏହି ସମୟରେ କୌଣସି ସୋସିଆଲ ମିଡ଼ିଆ ବ୍ୟବହାର ହେବନି । ସମ୍ବଲପୁରରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ କର୍ଫ୍ୟୁ କୋହଳ । ଏଣିକି ସକାଳ ୭ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ ଦୋକାନବଜାର ।

ସେହିପରି ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବ ଦୋକାନ । ଆଜିଠାରୁ ବର୍ଦ୍ଧିତ କୋହଳ ସମୟ ଲାଗୁହୋଇଛି । ଗତକାଲି SRC ସତ୍ୟବ୍ରତ ସାହୁ ସମ୍ବଲପୁରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ । ଅନୁଧ୍ୟାନ ପରେ ପରିସ୍ଥିତି ନିୟନ୍ତ୍ରଣରେ ରହିଥିବା ସେ କହିଛନ୍ତି  । ୪୮ଘଣ୍ଟା ମଧ୍ୟରେ କୌଣସି ଗଣ୍ଡଗୋଳ ହୋଇନାହିଁ । ଖୁବଶୀଘ୍ର ସ୍ଥିତି ଫେରିଆସିବ । ଭାଇଚାରା ବଜାୟ ରଖିବାକୁ ସମସ୍ତଙ୍କୁ ସେ ନିବେଦନ କରିଛନ୍ତି ।

ସେପଟେ ଏସପି ଅଫିସରେ ପୁଣି ସମୀକ୍ଷା କରିଛନ୍ତି ପୋଲିସ ଡିଜି । ବିଶୃଙ୍ଖଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଘଟଣାକୁ ପ୍ରତ୍ୟେକ୍ଷ ଭାବେ ନଜର ରଖାଯାଇଛି ବୋଲି କହିଛନ୍ତି ପୋଲିସ ଡିଜି ।

ତାତିରୁ ମିଳିବ ତ୍ରାହି, ଆଜିଠୁ ୫ଦିନ ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜିଠୁ ତାତିରୁ ମିଳିବ ତ୍ରାହି । ଦକ୍ଷିଣ ଓ ଉତ୍ତର ଉପକୂଳ ଓଡିଶାକୁ ତାତିରୁ ମିଳିବ ଆଶ୍ବସ୍ତି ତେବେ ଆଭ୍ୟନ୍ତରୀଣ ଓଡିଶାରେ ପାରଦ ବୃଦ୍ଧିହେବ । ଆଜିଠୁ ୫ଦିନ ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ପ୍ରଭାବରେ ସ୍ବାଭାବିକ ଠାରୁ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ କମିବ ପାରଦ ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବଙ୍ଗୋପସାଗରରୁ ଓଡ଼ିଶାକୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ଯୋଗୁଁ ରାଜ୍ୟରେ ପାଗ ବଦଳିଛି । ଅଧିକାଂଶ ଜିଲ୍ଲାରେ ଆକାଶ ମେଘୁଆ ରହିବା ସହ ତାପମାତ୍ରା କମିଛି । ଆଜି ଘଡଘଡି ବିଜୁଳି ସହ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ ସହ ମୋଟ୍ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାତି କମିଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଅନୁଭୁତ ହୋଇଛି । ଉପକୂଳ ଓଡ଼ିଶାରେ ତାପମାତ୍ରା ୨ଡିଗ୍ରୀ ପର୍ଯ୍ୟନ୍ତ କମିଥିଲେ ମଧ୍ୟ ଗୁଳୁଗୁଳିରେ ସନ୍ତୁଳି ହୋଇଛନ୍ତି ଲୋକେ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

କାଳବୈଶାଖୀ ସମ୍ଭାବନା ଥିବାରୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ମୁକାବିଲା ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ୨୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ୪୧ ଡିଗ୍ରୀ ଉପରେ ରହିଥିଲା ୧୦ ସହରର ତାପମାତ୍ରା । ବିଶ୍ବର ୧୫ ଉତ୍ତପ୍ତ ସହର ତାଲିକାରେ ରହିଥିଲା ଓଡ଼ିଶାର ୨ ସହର । ସର୍ବାଧିକ ୪୩ ଡିଗ୍ରୀ ସହ ବିଶ୍ବର ସପ୍ତମ ଉତ୍ତପ୍ତ ସହର ହୋଇଥିଲା ଝାରସୁଗୁଡ଼ା  । ସେହିପରି ୪୨.୫ ଡିଗ୍ରୀ ସହ ବାରିପଦା ବିଶ୍ବର ୧୩ ନମ୍ବର ଉତ୍ତପ୍ତ ସହର ହୋଇଥିଲା ।