spot_img
Home Blog Page 3401

ମହିଳା ପ୍ରିମିୟର ଲିଗ୍; ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଗୁଜୁରାଟ, ବ୍ୟାଟିଂ କରିବ ମୁମ୍ବାଇ

ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ)ର ଉଦଘାଟନୀ ମ୍ୟାଚ୍ ଗୁଜୁରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ମୁମ୍ବାଇର ଡିୱାଇ ପାଟିଲ ସ୍ପୋର୍ଟ ଏକାଡେମୀ ଷ୍ଟାଡିମୟରେ ଆଉ କିଛି ସମୟ ମଧ୍ୟରେ ଏହି ଟକ୍କର ହେବ । ଉଦଘାଟନୀ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଗୁଜୁରାଟ ଜିଆଣ୍ଟସ । ଆହ୍ୱାନକ୍ରମେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବ । ମ୍ୟାଚ୍ ରାତି ୮ଟାରେ ଆରମ୍ଭ ହେବ । ଗୁଜୁରାଟ ଟାଇଟନ୍ସର କମାନ ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟର ବେଥ ମୁନିଙ୍କ ହାତରେ ରହିଛି ଯେତେବେଳେ କି ମୁମ୍ବାଇର କମାନ ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ କୌରଙ୍କ ପାଖରେ ରହିଛି । ଉଭୟ ଅଧିନାୟକଙ୍କ ନଜର ଆଜିର ଐତିହାସିକ ମ୍ୟାଚକୁ ନିଜ ନାଁରେ କରିବା ଉପରେ ହେବ । ସନ୍ଧ୍ୟା ୬ ଟା ୨୫ ମିନିଟରେ ଓପନିଂ ସେରେମନୀ ହୋଇଥିଲା । ସେରେମନୀରେ କିୟାରା ଆଡଭାନୀ, କୃତି ସେନନ ଏବଂ ସିଙ୍ଗର ଏପି ଢିଲ୍ଲନ ଫରଫର୍ମ କରିଥିଲେ ।

ସିଦ୍ଧୁ ମୁସେୱାଲାଙ୍କ ବାପା-ମାଆ ଓ ସଲମନ ଖାନଙ୍କୁ ହତ୍ୟା ଧମକ

ଚଣ୍ଡିଗଡ଼: ଦିବଙ୍ଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ବାପା-ମାଆ ଏବଂ ବଲିଉଡ଼ ଅଭିନେତା ସଲମାନ ଖାନଙ୍କୁ ମିଳିଛି ହତ୍ୟା ଧମକ । ୨୫ ଏପ୍ରିଲ ପୂର୍ବରୁ ହତ୍ୟା କରିବା ନେଇ ଧମକ ଦିଆଯାଇଛି । ଏହି ମାମଲାକୁ ନେଇ ସିଦ୍ଧୁଙ୍କ ପରିବାର ଲୋକେ ପୋଲିସରେ ମାମଲା ରୁଜୁ କରିଛନ୍ତି । ମାମଲା ପରେ ପୋଲିସ ଆକ୍ସନ ମୁଡରେ ରହିଛି । ସତର୍କ ରହିବା ସହ ସୁରକ୍ଷା ବୃଦ୍ଧି କରାଯାଇଛି । ତେବେ ଫୋନ୍ ମାଧ୍ୟମରେ ଏହି ହତ୍ୟା ଧମକ ମିଳିଥିବା ସୂଚନା । ସୂଚନାନୁଯାୟୀ, ଧମକ ଦେଇଥିବା ବ୍ୟକ୍ତିଜଣକଙ୍କ ଘର ରାଜସ୍ଥାନର ଜୋଧପୁର ସହର ଆଖପାଖରେ ବୋଲି କୁହାଯାଉଛି । ମାନସା ପୋଲିସ ଉକ୍ତ ଧମକ ଦେଇଥିବା ଯୁବକକୁ ଧରିବା ପାଇଁ ରାଜସ୍ଥାନର ବିଭିନ୍ନ ସ୍ଥାନରେ ରେଡ୍ କରୁଛି । ତେବେ ଏହା ପୂର୍ବରୁ ମଧ୍ୟ ସିଦ୍ଧୁ ମୁଜେୱାଲାଙ୍କ ବାପାଙ୍କୁ ହତ୍ୟା କରିବାକୁ ଧମକ ମିଳିସାରିଛି ।

ସୂଚନାଥାଉକି, ସିଦ୍ଧୁ ମୁଜେୱାଲାଙ୍କୁ ୨୯ ମଇ ୨୦୨୨ରେ ପଞ୍ଜାବର ମାନସାରେ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାର ଯାଞ୍ଚ ସମୟରେ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ଜାଣିବାକୁ ପାଇଥଇଲା ଯେ ଗୋଲ୍ଡି ବରାଡ-ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିବା ପୂର୍ବରୁ ସଲମାନ ଖାନଙ୍କୁ ମଧ୍ୟ ହତ୍ୟା କରିବାକୁ ଯୋଜନା କରିଥିଲା । ଏହି ସମ୍ପୂର୍ଣ୍ଣ ଅପରେଶନକୁ ଗୋଲ୍ଡି ବରାଡ-ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସାର୍ପ ସୁଟର କପିଲ ପଣ୍ଡିତ ସମ୍ଭାଳୁଥିଲା । ପଣ୍ଡିତକୁ ନେପାଳ ସୀମାରୁ ଗିରଫ କରାଯାଇଥିଲା । ଏବେ ବି ଏହି ମାମଲାରେ ଯଡ଼ିତ ଅଭିଯୁକ୍ତଙ୍କ ତଲାସରେ ରହିଛି ପୋଲିସ ।

ଦୁଷ୍କର୍ମ-ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶ ମିଳିଥିଲା, ନାବାଳକ ଜଣାପଡ଼ିବା ପରେ ମୁକ୍ତ କଲେ ସୁପ୍ରିମକୋର୍ଟ

ଭୋପାଳ: ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ଚାରି ବର୍ଷର ଶିଶୁ ସହ ଦୁଷ୍କର୍ମ ଏବଂ ହତ୍ୟା ପାଇଁ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଯାଇଥିଲା । କିନ୍ତୁ ଏବେ ଜଣାପଡ଼ିଛି ଯେ ଯେ ଅଭିଯୁକ୍ତ ବ୍ୟକ୍ତି ଜଣଙ୍କ ନାବାଳକ ଅଟେ । ଘଟଣା ଘଟିବା ସମୟରେ ସେ ନାବାଳକ ଥିଲା ଏଥିପାଇଁ ସୁପ୍ରିମକୋର୍ଟ ତାର ଦଣ୍ଡକୁ ଖାରଜ କରିଛନ୍ତି । ଏଥିସହିତ ତାକୁ ମୁକ୍ତ କରିବା ପାଇଁ ଆଦେଶ ଦେଇଛନ୍ତି । ସୂଚନାଥାଉକି, ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଟ୍ରାଏଲ କୋର୍ଟ ଉକ୍ତ ଆସାମୀକୁ ଫାଶୀ ଦଣ୍ଡ ଶୁଣାଇଥିଲେ । ଏହାପରେ ମଧ୍ୟପ୍ରଦେଶ ହାଇକୋର୍ଟ ଫାଶୀ ଦଣ୍ଡକୁ ବଳବତ୍ତର ରଖିଥିଲେ । ଏହାପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।

ସୁପ୍ରିମକୋର୍ଟରେ ଯେବେ ଅପିଲ ବିଚାରଧୀନ ଥିଲା ତେବେ ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଥିଲା ଯେ ଘଟଣା ସମୟରେ ସେ ନାବାଳକ ଥିଲା ଏବଂ ଏପରିସ୍ଥିତିରେ ତାକୁ ଜୁଭେନାଇଲ ଜଷ୍ଟିସ ଆକ୍ଟର ଲାଭ ମିଳିବା ଆବଶ୍ୟକ । ପ୍ରକାଶଥାଉକି, ଜେଜେ ଆକ୍ଟର ପ୍ରାବଧାନ ଆଧାରରେ ନାବାଳକ ଯଦି ଅପରାଧ ପାଇଁ ଦୋଷୀ ମିଳେ ତେବେ ଅଧିକରୁ ଅଧିକ ତାକୁ ତିନି ବର୍ଷ ପାଇଁ ବାଲ ସୁଧାର ଗୃହରେ ରଖାଯାଇ ପାରିବ । ଏହି କ୍ରମରେ ସୁପ୍ରିମକୋର୍ଟ ଶୁଣାଣି ସମୟରେ ଟ୍ରାଏଲ କୋର୍ଟଙ୍କୁ କହିଥିଲେ ଯେ ଜେଜେ ଆକ୍ଟ ଆଧାରରେ ଅଭିଯୁକ୍ତର ନାବାଳିକ ହେବାର ଦାବିକୁ ଯାଞ୍ଚ କରାଯାଉ ।

ଟ୍ରାଏଲ କୋର୍ଟ ପକ୍ଷରୁ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରାଯାଇଥିଲା । ଏଥିସହିତ କୁହାଯାଇଛି ଯେ ଅପରାଧୀର ଜନ୍ମ ୨୫ ଜୁଲାଇ ୨୦୦୨ରେ ହୋଇଥିଲା । ସେହିପରି ଘଟଣା ଦିନ ଅର୍ଥାତ ୧୫ ଡିସେମ୍ବର ୨୦୧୭ରେ ତାକୁ ୧୫ ବର୍ଷ ହୋଇଥିଲା । ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଇନ୍ଦୋର ଖଣ୍ଡପୀଠର ୧୫ ନଭେମ୍ବର ୨୦୧୮ର ଆଦେଶରେ ସଂଶୋଧନ କରିଛନ୍ତି । ଇନ୍ଦୋର ଖଣ୍ଡପୀଠ ନିଜ ଆଦେଶ ଜରିଆରେ ଯୁବକଙ୍କୁ ଦୋଷୀ ପାଇବା ପରେ ମୃତ୍ୟୁଦଣ୍ଡ ଶୁଣାଇଥିଲେ । ହେଲେ ଏବେ ସେ ଘଟଣା ବେଳେ ନାବାଳକ ଥିବାର ଜଣାପଡ଼ିବା ପରେ ସୁପ୍ରିମକୋର୍ଟ ତାଙ୍କୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

୧୫ ଡିସେମ୍ବର ୨୦୧୭ରେ ଚାରି ବର୍ଷର ଶିଶୁ ଧାର ଜିଲ୍ଲାରେ ନିଜ ଘର ବାହାରେ ସାଙ୍ଗମାନଙ୍କ ସହ ଖେଳିବା ସମୟରେ ନିଖୋଜ ହୋଇଯାଇଥିଲା । ଏହାପରେ ତାର ମାତା ପିତା ନିଖୋଜ ରିପୋର୍ଟ ଲେଖିଥିଲେ । ହେଲେ ଗୋଟେ ଦିନ ପରେ ଶିଶୁଟିର କ୍ଷତବିକ୍ଷତ ଶବ ତାର ଘରଠାରୁ କିଛି ମିଟର ଦୂରରେ ମିଳିଥିଲା । ପୋଲିସ କହିଥିଲା ଯେ ପଥରରେ ଛେଚି ତଙ୍କୁ ହତ୍ୟା କରାଯାଇଥିଲା । ପୋଲିସ ତଦନ୍ତ କରି ଉକ୍ତ ଯୁବକଙ୍କୁ ଗିରଫ କରିଥିଲା । ୧୭ ମଇ ୨୦୧୮ରେ ନିମ୍ନ ଅଦାଲତ ତାକୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟଦଣ୍ଡ ଶୁଣାଇଥିଲେ ।

‘ରାଜ୍ୟର ବିକାଶରେ ଇଲେକ୍‌ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଭୂମିକା ରହିଛି’

ଭୁବନେଶ୍ୱର: ୨୦୨୩-୨୪ ବଜେଟ୍‌ ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱର ଗୀତ ଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି । ଇଲେକ୍‌ଟ୍ରୋନିକ୍‌ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର ଏହି ସାମ୍ବାଦିକ ସମ୍ମଳନୀରେ ଯୋଗଦେଇ ଚଳିତ ବର୍ଷ ଉପସ୍ଥାପିତ ବିଭାଗୀୟ ବଜେଟ୍‌ର ବିଭିନ୍ନ ପ୍ରସ୍ତାବ, ବ୍ୟୟବରାଦ ଓ ସେସବୁର ଉତ୍କୃଷ୍ଟତା ସମ୍ପର୍କରେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ । ମନ୍ତ୍ରୀ ଶ୍ରୀ ବେହେରା ସୂଚନା ପ୍ରଦାନ କରି କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଚଳିତ ବର୍ଷ ଯେଉଁ ବଜେଟ୍‌ ପ୍ରସ୍ତୁତ ହୋଇଛି, ସେଥିରେ ଇଲେକ୍‌ଟ୍ରୋନିକ୍‌ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟାକୁ ପ୍ରାଥମିକତା ଦିଆଯାଇଛି ।

ରାଜ୍ୟର ବିକାଶରେ ଏହି ବିଭାଗର ଏକ ପ୍ରମୁଖ ଭୂମିକା ରହିଅଛି । ଓଡ଼ିଶା ଭବିଷ୍ୟତରେ ଏକ ଜ୍ଞାନ ଆଧାରିତ ଅର୍ଥନୀତି ରାଜ୍ୟରେ ପରିଗଣିତ ହେବ ବୋଲି ବିଶ୍ୱାସ ରହିଛି । ରାଜ୍ୟ ସରକାର ଇଲେକ୍‌ଟ୍ରୋନିକ୍ସ ନୀତି, ପ୍ରୁଯକ୍ତିବିଦ୍ୟା ନୀତି, ବିପିଓ ନୀତି ଏବଂ ଡାଟା ସେଣ୍ଟର ନୀତି ଆଦି ଚାରିଗୋଟି ନୂତନ ନୀତିକୁ ଅନୁମୋଦନ କରିଛନ୍ତି । ଏହି ନୀତିଗୁଡ଼ିକ ଦେଶର ସର୍ବୋତ୍ତମ ଏବଂ ଗୁରୁତ୍ୱପୂର୍ଣ୍ଣ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିପାରିବ । ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭ ସମୟରେ ସ୍ୱାକ୍ଷରିତ ପୁଞ୍ଜି ବିନିଯୋଗ ଉଦ୍ଦେଶ୍ୟ ହାସଲ କରିବାରେ ସରକାର ସକ୍ଷମ ହୋଇଛନ୍ତି । ଇଲେକ୍‌ଟ୍ରୋନିକ୍‌ସ ସୂଚନା ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକୁ ରାଜ୍ୟକୁ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଆଇବିଏମ୍‌, ଡେଲୋଏଟ୍‌, ହାପିଷ୍ଟ ମାଇଣ୍ଡସ୍‌, ପିଡବ୍ଲୁଡି, ଇନ୍‌କୁ୍ୟଟର, ଇନୋଭେୟାରଟେକ୍‌, ଓପେକ୍ସ ଆମେରିକା, ୟୋଭାଣ୍ଟ ଏବଂ ଅନ୍ୟାନ୍ୟ ଆଇଟି କମ୍ପାନୀ ଓଡ଼ିଶାରେ ସେମାନଙ୍କ କେନ୍ଦ୍ର ଖୋଲି ସାରିଛନ୍ତି ଏବଂ ଆହୁରି ଅନେକ କମ୍ପାନୀ ଓଡ଼ିଶାରେ ସେମାନଙ୍କ କେନ୍ଦ୍ର ପ୍ରତିଷ୍ଠା ପାଇଁ ଇଚ୍ଛୁକତା ପ୍ରକାଶ କରିଛନ୍ତି । ରାଜ୍ୟ ମାଲିକାନାରେ ଥିବା ଆଇଟି ଟାୱାରରେ କାର୍ଯ୍ୟ କରୁଥିବା ଆଇଟି କମ୍ପାନୀଗୁଡ଼ିକ ପାଇଁ ଲିଜ୍‌ ଭଡ଼ା ବର୍ଗଫୁଟ ପିଛା ୨୦ ଟଙ୍କାକୁ ହ୍ରାସ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ଯାହା ଓଡ଼ିଶାକୁ ଏକ ଆଇଟି ଗନ୍ତବ୍ୟ ସ୍ଥଳରେ ପରିଣତ କରିଛି । ଆନ୍ତର୍ଜାତିକ ଆଇଟି କମ୍ପାନୀର ସହଭାଗିତାରେ ଓଡ଼ିଶାର ପ୍ରତ୍ୟେକ ଯୋଗ୍ୟ ଏବଂ ଆଗ୍ରହୀ ବ୍ୟକ୍ତିବିଶେଷଙ୍କୁ ପ୍ରଶିକ୍ଷିତ କରିବା ସହିତ କୃତି୍ରମ ବୁଦ୍ଧିମତ୍ତାର ଏକ ସହରୀ କ୍ଷେତ୍ର ପ୍ରସ୍ତୁତ କରାଯିବ ।

ପ୍ରଥମ ପର୍ଯ୍ୟାୟରେ ଏହା ପୁରୀ, ଭୁବନେଶ୍ୱର ଓ କଟକ ଅଞ୍ଚଳରେ ପ୍ରବର୍ତ୍ତନ କରାଯିବ । ଆମ ରାଜ୍ୟର ସମସ୍ତ ଅଧିକାରୀଙ୍କୁ ମଧ୍ୟ ତାଲିମ୍‌ ପ୍ରଦାନ କରାଯିବ । ରାଜ୍ୟର ୧୩୩ଟି ବ୍ଲକ୍‌ରେ ମୌଳିକ ଭିତ୍ତିଭୂମି ମାଧ୍ୟମରେ ଇଣ୍ଟରନେଟ୍‌ ଲିଜ୍‌ ଲାଇନ୍‌ର ଉପଲବ୍ଧତା ପାଇଁ ରାଜ୍ୟ ସରକାର ୨୬.୬ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଯାହାଦ୍ୱାରା ଗ୍ରାମାଞ୍ଚଳ ନାଗରିକମାନଙ୍କର ଡିଜିଟାଲ ଦୁନିଆରେ ପ୍ରବେଶ ସହଜଲଭ୍ୟ ହୋଇପାରିବ । ଗ୍ରାମପଞ୍ଚାୟତ ସ୍ତରରେ ଥିବା ସରକାରୀ ଅନୁଷ୍ଠାନଗୁଡ଼ିକରେ ଭିଡିଓ କନ୍‌ଫରେନସିଂ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ସମସ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ୧ ଜିବିପିଏସ୍‌ ଉଚ୍ଚ-ବ୍ୟାଣ୍ଡୱିଡଥ୍‌ ଯୋଗାଇ ଦିଆଯିବ ଯାହାଦ୍ୱାରା ଗ୍ରାମ ପଞ୍ଚାୟତ ନିକଟସ୍ଥ ସରକାରୀ ସଂସ୍ଥା ଯଥା- ସ୍କୁଲ, ଡାକ୍ତରଖାନାଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମ ସହଜରେ ବିତରଣ କରାଯାଇପାରିବ ।

ବ୍ରଡବ୍ୟାଣ୍ଡ ସଂଯୋଗ ଫଳରେ ଗ୍ରାମଞ୍ଚଳ ଏବଂ ସହର ମଧ୍ୟରେ ପାର୍ଥକ୍ୟକୁ ଯଥେଷ୍ଟ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍‌ ଜରିଆରେ ବଜେଟ୍‌ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ଯାଇ କହିଲେ ଚଳିତ ବର୍ଷ ବଜେଟ୍‌ରେ ଇଲେକ୍‌ଟ୍ରୋନିକ୍‌ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପାଇଁ ୩୬୫ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖାଯାଇଛି । ମେକ୍‌-ଇନ୍‌-ଓଡ଼ିଶାର ସଫଳତା ପରେ ବହୁ ବଡ଼ ବଡ଼ ଆଇଟି କମ୍ପାନୀ ଓଡ଼ିଶାକୁ ଆସିବାକୁ ଇଚ୍ଛା କରୁଛନ୍ତି । ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଜାଗା ଓ ଗୃହ ଯୋଗାଇ ଦେବା ପାଇଁ ପଦକ୍ଷେପ ନିଆଯାଇଛି, ଯାହାଦ୍ୱାରା ଓଡ଼ିଶାରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

ସରକାରୀ ସେବାଗୁଡ଼ିକ ଜନସାଧାରଣଙ୍କ ମଧ୍ୟରେ ବିତରଣକୁ ସୁନିଶ୍ଚିତ କରିବା ପାଇଁ ‘ମୋ ସେବାକେନ୍ଦ୍ର’ ପ୍ରତିଷ୍ଠା କରାଯାଇଛି ଏବଂ ପଞ୍ଚାୟତ ସ୍ତରରେ ମୋ ସେବାକେନ୍ଦ୍ର କାର୍ଯ୍ୟ କରିବାକୁ ପଦକ୍ଷେପ ନିଆଯାଉଛି । ଏଥିସହିତ ସାଇବର ଆଟାକ୍‌ରୁ ସରକାରୀ ତଥ୍ୟଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ ନାଗରିକମାନଙ୍କୁ ଓଡ଼ିଶା ୱାନ ପୋର୍ଟାଲ ଜରିଆରେ ଯୋଗାଇ ଦିଆଯାଉଥିବା ୫୫୦ଟି ସେବାକୁ ୬୫୦କୁ ଉନ୍ନୀତ କରିବାକୁ ଚେଷ୍ଟା ଜାରି ରହିଛି । ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ‘ୱସ୍ୱାସ୍’ ପରି ଏକ ଏଣ୍ଟରପ୍ରାଇଜ୍‌ ପ୍ଲାଟଫର୍ମ ଅଛି ସରକାରୀ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ବିଭାଗକୁ ୱସ୍ୱାସରେ ସଂଯୋଗ କରାଯିବା ସହିତ ଇ-ଡେସ୍‌ପାଚ୍‌ ବ୍ୟବସ୍ଥା ପ୍ରଚଳନ କରାଯାଇଛି ।

ୱସ୍ୱାସ୍‌ ଜରିଆରେ ଟେକ୍ନୋଲୋଜିର ଦକ୍ଷ ଉପଯୋଗ ପାଇଁ ବଜେଟ୍‌ରେ ୧୯.୭୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଡାଟାର ନିର୍ଭର ଯୋଗ୍ୟତା ଏବଂ ସୁଲଭତା ପାଇଁ ପୁରୀଠାରେ ସମୁଦ୍ର ଭିତରେ ଏକ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ୍‌ ପ୍ରତିଷ୍ଠାର ଯୋଜନା ହୋଇଛି । ଏହି ଷ୍ଟେସନ୍‌ ପ୍ରତିଷ୍ଠା ଦ୍ୱାରା ଡାଟା ସେଣ୍ଟର, ଚିତ୍ତବିନୋଦନ, ଦୂରସଂଚାର ଏବଂ ଫିନ୍‌ଟେକ୍‌ର ବଜାରକୁ ସଶକ୍ତ କରିବ । ଯାହାଦ୍ୱାରା ଓଡ଼ିଶା ପୂର୍ବଭାରତ, କେନ୍ଦ୍ରୀୟ ତଥା ଉତ୍ତର- ପୂର୍ବ ଭାରତ ପାଇଁ ଏକ ଡିଜିଟାଲ ହବ୍‌ ଭାବେ ଛଡ଼ା ହୋଇପାରିବ ।

ଇଲେକେଫ୍ରାନିକ୍‌ସ ଡିଜାଇନ୍‌ ଏବଂ ଉତ୍ପାଦନ କ୍ଷେତ୍ରରେ ଏକ ସୁବାତାବରଣ ସୃଷ୍ଟି କରିବାକୁ ୩୦ କୋଟି ଟଙ୍କା ବିନିଯୋଗରେ ଏକ ଉଚ୍ଚାଭିଳାସି ଓ ଓଡ଼ିଶା ଚିଫ୍‌ (କ୍ସ-ଈଓଔP) କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗବେଷଣା, ନମୂନା ପ୍ରସ୍ତୁତି, ପରୀକ୍ଷଣ ଏବଂ ଉତ୍ପାଦନ ପାଇଁ ସଠିକ୍‌ ପରିବେଶ ସୃଷ୍ଟି ହୋଇପାରିବ । ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ(ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା ଏବଂ ଯୁଗ୍ମ ନିର୍ଦ୍ଦେଶକ ଗୁରୁବୀର ସିଂ ପରିଚାଳନା କରିଥିଲେ ।

ଇନ୍ଦୋର ପିଚକୁ ଖରାପ ରେଟିଂ ଦେଲା ଆଇସିସି, ଅପିଲ ପାଇଁ ବିସିସିଆଇକୁ ୧୪ ଦିନର ସମୟ ସୀମା

ନୂଆ ଦିଲ୍ଲୀ : ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟରେ ଭାରତର ଲଜ୍ଜା ଜନକ ପରାଜୟ ସମସ୍ତଙ୍କୁ ଚକିତ କରିଛି । ମ୍ୟାଚର ତୃତୀୟ ଦିନର ପ୍ରଥମ ସେସନରେ ହିଁ ଅଷ୍ଟ୍ରେଲିଆ ଭାରତକୁ ହରାଇ କ୍ରିକେଟ ଫ୍ୟାନ୍ସଙ୍କୁ ଝଟକା ଦେଇଥିଲା । ଏହି ମ୍ୟାଚରେ ପରାଜୟ ସହ ଭାରତକୁ ମିଳିଥିଲା ଆଉ ଏକ ଝଟକା । ତୃତୀୟ ଟେଷ୍ଟ ଖେଳାଯାଉଥିବା ଇନ୍ଦୋର ପିଚକୁ ଖରାପ ରେଟିଂ ଦେଲା ଆଇସିସି । ଇନ୍ଦୋର ପିଚକୁ ଖରାପ ରେଟିଂ ଦେବା ସହ ସବୁଠୁ ନିମ୍ନମାନର କହିଲା ଅର୍ନ୍ତଜାତୀୟ କ୍ରିକେଟ ପରିଷଦ।

ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିଲା । ଅଷ୍ଟ୍ରେଲିଆ ତୃତୀୟ ଦିନର ପ୍ରଥମ ସେସନରେ ହିଁ ଭାରତକୁ ପରାଜୟର ଝଟକା ଦେଇଥିଲା । ନିଜ ମାଟିରେ ହିଁ ଭାରତ ୯ ଓ୍ବିକେଟରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା । କେବଳ ଇନ୍ଦୋର ପିଚକୁ ନୁହେଁ ବରଂ ଦିଲ୍ଲୀ ଓ ନାଗପୁର ପିଚକୁ ମଧ୍ୟ ଖରାପ ରେଟିଂ ଦେଇଛି ଆଇସିସି । ଭାରତ ଅଷ୍ଟ୍ରେଲିଆର ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ମଧ୍ୟ ତିନି ଦିନ ଭିତରେ ହିଁ ଶେଷ ହୋଇଥିଲା । ଅନ୍ୟପଟେ ମ୍ୟାଚ ରେଫରୀ ମଧ୍ୟ ସେହି ପିଚ୍ ଉପରେ ନିଜର ଟିପଣୀ ଦେଇଛନ୍ତି । ରେଫରୀଙ୍କ ମତରେ ସେଭଳି ପିଚରେ ବ୍ୟାଟିଂ ସହ ବୋଲିଂର ମଧ୍ୟ ତାଳ ମେଳ ରହିନଥିଲା । ଯାହାର ପ୍ରଭାବ ମ୍ୟାଚରେ ପରିଲକ୍ଷିତ ହୋଇଥିଲା । ପିଚ ଅବସ୍ଥା ଅତ୍ୟନ୍ତ ଶୁଖିଲା ଥିବା ଯୋଗୁଁ ସ୍ପିନରଙ୍କୁ ଓ୍ବିକେଟ ସଂଗ୍ରହ କରିବା ସହଜ ହୋଇନଥିଲା । ଏଠାରେ ରେଫରୀ ସ୍ପଷ୍ଟ କରିଛନ୍ତି ଦୁଇ ଦଳର କ୍ୟାପଟେନଙ୍କ ସହ ପିଚ ସଂପର୍କରେ ଆଲୋଚନା ପରେ ହିଁ ସେ ଆଇସିସିକୁ ନିଜର ରିପୋର୍ଟ ଦେଇଥିଲେ।

ଇନ୍ଦୋରର ହୋଲକର ଷ୍ଟାଡିୟମ ପିଚକୁ ୩ଟି ଖରାପ ପଏଣ୍ଟ ମିଳିଛି । ଏଥିରେ ବିସିସିଆଇକୁ ନିଜର ପକ୍ଷ ରଖି ଅପିଲ କରିବା ପାଇଁ ୧୪ ଦିନର ସମୟ ଦିଆଯାଇଛି। ଏଠାରେ କହି ରଖୁଛୁ ଯେ, ଯଦି କୌଣସି ପିଚକୁ ୫ଟି ଖରାପ ପଏଣ୍ଟ ମିଳିଥାଏ ତେବେ ଅର୍ନ୍ତଜାତୀୟ କ୍ରିକେଟ ଆୟୋଜନ କରିବାର ସୁଯୋଗ ୧୨ ମାସ ପର୍ଯ୍ୟନ୍ତ ମିଳିପାରିବ ନାହିଁ। ଏହା ସହିତ ଯଦି ପିଚକୁ  ୧୦ଟି ଖରାପ ପଏଣ୍ଟ ମିଳେ, ଏହା ୨୪ ମାସ ପର୍ଯ୍ୟନ୍ତ ସେହି ନିୟମ ସକ୍ରିୟ ରହିବ। ଅର୍ଥାତ ୨ ବର୍ଷ ଯାଏଁ  ସମସ୍ତ ଅନ୍ତର୍ଜାତୀୟ କ୍ରିକେଟ୍ ଆୟୋଜନରୁ ନିଲମ୍ବିତ ରହିବ ସେହି ନିଦ୍ଧିଷ୍ଟ ପିଚ୍ । ଏହା ସହିତ ପିଚ୍ ଉପରେ ଲାଗିଥିବା ଖରାପ ପଏଣ୍ଟ ୫ ବର୍ଷ ଯାଏଁ ସେହିପରି ବଳବତ୍ତର ରହିବ।

 

ଦରଦାମ ବୃଦ୍ଧିକୁ ନେଇ ମହିଳା କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ । ମାଷ୍ଟରକ୍ୟାଣ୍ଟିନ ଛକରେ ପ୍ରତିବାଦ କରୁଛି କଂଗ୍ରେସ । ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ହଲ୍ଲାବୋଲ । ଘରୋଇ ଗ୍ୟାସ ଦର ୫୦ଟଙ୍କା ବୃଦ୍ଧି କରି ଗରିବଙ୍କ ଉପରେ ବୋଝ ଲଦିଛନ୍ତି କେନ୍ଦ୍ର ସରକାର । ପ୍ରଦେଶ ମହିଳା କଂଗ୍ରେସ ଓ ଭୁବନେଶ୍ବର ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏଥିରେ ବହୁ ବରିଷ୍ଠ କଂଗ୍ରେସ ନେତା ଓ ମହିଳା କଂଗ୍ରେସର କର୍ମକର୍ତ୍ତା ମାନେ ଉପସ୍ଥିତ ଅଛନ୍ତି  ।

ଚିନ୍ମୟୀ ମୃତ୍ୟୁ ମାମଲା: ବଲାଙ୍ଗୀରରେ ପହଁଚି ତଦନ୍ତ ଚଳାଇଛି ପୋଲିସ

ସମ୍ବଲପୁର: ଭିସୁଟ୍ ପୂର୍ବତନ ଛାତ୍ରୀଙ୍କ ମୃତ୍ୟୁ ମାମଲା । ତଦନ୍ତ ପାଇଁ ବଲାଙ୍ଗୀରରେ ବୁର୍ଲା ପୋଲିସର ଏକ ଟିମ୍ I ଚିନ୍ମୟୀଙ୍କ ବଲାଙ୍ଗୀର ଟିକ୍ରାପଡା ବାସଭବନରେ ପହଂଚି ଚିନ୍ମୟୀଙ୍କ ମାଆ ଓ ସାନ ଭଉଣୀଙ୍କୁ ପଚରାଉଚରା କରାଯାଇଛି । ଘଟଣା ଦିନ ମାଆଙ୍କୁ ଫଟୋ ପଠାଇବା ସହ ସ୍ବାଭାବିକ ଭାବେ କଥା ହୋଇଥିଲେ ଚିନ୍ମୟୀ । ଯାହାର ହ୍ବାଟ୍ସଆପ୍ ଚାଟ୍ ମଧ୍ୟ ସାମ୍ନାକୁ ଆସିଥିଲା ।

ସଂଧ୍ୟା ୬ଟାରେ ଘରକୁ ଫେରିବାକୁ କହିଥିଲେ । କିନ୍ତୁ ପରେ ଭଉଣୀ ଜନ୍ମଦିନ ପାଇଁ ଭୁବନେଶ୍ବର ଆସୁଥିବା ଜଣାଇଥିଲେ । ବସରେ ବସିବା ପରେ ମାଆ କଲ୍ କରିବାକୁ କହିଥିଲେ, ହେଲେ କଲ୍ କରିନଥିଲେ । ତେଣୁ ଝିଅ କେବେ ଆତ୍ମହତ୍ୟା କରି ପାରିବ ନାହିଁ ବୋଲି ମାଆ କହିଛନ୍ତି । ତାକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ଚିନ୍ମୟୀଙ୍କ ମାଆ । ସେପଟେ ଚିନ୍ମୟୀଙ୍କ ମାଆ କହିଛନ୍ତି  । ଝିଅ କଥାହେଲା ବେଳେ ଯେମିତି ଶୁଭୁଥିଲା, କିଏ ଜଣେ ଝିଅ ଗଳାକୁ ଚିପି ଦେଲା ଭଳି  ।

ସେପଟେ ଏଭଳି ଅଭିଯୋଗ ପାଇବା ପରେ ପୋଲିସ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛି  । ଏହା ହତ୍ୟା ନା ଆତ୍ମହତ୍ୟା ତାହା ପୋଲିସ ସନ୍ଧାନ ଚଳାଇଛି  । ଭୁବନେଶ୍ୱପ ପରେ ବଲାଙ୍ଗୀରରେ ପହଁଚିଛି ସମ୍ବଲପୁର ବୁର୍ଲା ପୋଲିସ  । ଚିନ୍ମୟୀଙ୍କ ହତ୍ୟା ହୋଇଛି ନା ଆତ୍ମହତ୍ୟା  । ଯଦି ଏହା ହତ୍ୟା, ତେବେ ହତ୍ୟା ପଛର କାରଣ ଖୋଜୁଛି  । ସେହିପରି ଯଦି ଚିନ୍ମୟୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି  । ତେବେ କେଉଁ କାରଣରୁ ଚିନ୍ମୟୀ ଆତ୍ମହତ୍ୟା କଲେ, ତାହାର କାରଣ ମଧ୍ୟ ଖୋଜୁଛି ପୋଲିସ  ।

ବ୍ୟବସାୟୀଙ୍କୁ ଗୁଳିମାଡ଼ କଲେ ଦୁର୍ବୁତ୍ତ, ଅଳ୍ପକେ ବର୍ତ୍ତିଗଲେ ବ୍ୟକ୍ତି

ଜୟପୁର: ବ୍ୟବସାୟୀଙ୍କୁ ଗୁଳିମାଡ । କାଳିଆ ପେଟ୍ରୋଲ ପମ୍ପ ଡେଙ୍ଗା ତୋଟା ଛକରେ ଫାୟାରିଂ । ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ବ୍ୟବସାୟୀ । ଗୁଳିମାଡ଼ରେ କାହାର କ୍ଷତି ହୋଇନଥିବା ସୂଚନା ଘଟଣାସ୍ଥଳରୁ ଦୁଇଟି ଖୋକା ଜବତ । ଟାଉନ ଓ ସଦର ଥାନା ପୋଲିସର ତଦନ୍ତ ଜାରି ।

ଗୁଳି କାଣ୍ଡର କାରଣ ଘଟଣାସ୍ଥଳରେ ପହଁଚି ଖୋଜୁଛି ପୋଲିସ  । କାହିଁକି ଓ କିଏ ଏହି ଗୁଳିମାଡ଼ କରିଛି  । ସେନେଇ ଚାଲିଛି ତନାଘନା । ଜଣେ ବ୍ୟବସାୟୀଙ୍କୁ ଡେଙ୍ଗାତୋଟା ଛକରେ ଗୁଳିମାଡ଼ ହୋଇଛି  । କିନ୍ତୁ କାରଣ ବଶତଃ ବ୍ୟବସାୟୀ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି  ।

ଆଜିଠୁ ଆରମ୍ଭ ମହିଳା ପ୍ରିମିୟର ଲିଗ୍, ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ-ଗୁଜୁରାଟ

ମୁମ୍ବାଇ: ମହିଳା କ୍ରିକେଟ ପାଇଁ ଆଜି ଐତିହାସିକ ଦିନ । ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗ୍ । ୨୩ ଦିନ ଧରି ହେବାକୁ ଥିବା  ଏହି ପ୍ରତିଯୋଗିତାରେ ୫ଟି ଦଳ ଭାଗ ନେଉଛି । ଆଜି WPLର ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଗୁଜୁରାଟ ଜାଏଣ୍ଟସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ । ଗୁଜୁରାଟ ଜାଏଣ୍ଟସର ନେତୃତ୍ୱ ବେଥ ମୁନି ନେଉଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଉଛନ୍ତି ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ କୌର । ଏହି ମ୍ୟାଚ ଆଜି ସନ୍ଧ୍ୟା ୭.୩୦ରେ ମୁମ୍ବାଇର ଡି ଓ୍ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ । ଆଜି ମ୍ୟାଚ ପୂର୍ବରୁ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇ ଏହି ମେଗା ଟୁର୍ଣ୍ଣାମେଣ୍ଟର ଉଦଘାଟନ କରାଯିବ । ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ସାଜିବେ ଅଭିନେତ୍ରୀ କ୍ରିତି ସାନନ୍, କିଆରା ଆଡଭାନୀ ଓ ଏପି ଧିଲୋନ୍ ।

ଇଂଲଣ୍ଡର ଦି ହଣ୍ଡ୍ରେଡ୍ ମହିଳା ପ୍ରତିଯୋଗିତା ଓ ଅଷ୍ଟ୍ରେଲିଆର ମହିଳା ବିଗ୍ ବାସ୍ ଲିଗ୍ ପରେ ଭାରତରେ ଏହି WPL ଆୟୋଜନ କରାଯାଉଛି । ୫ଟି ଦଳକୁ ନେଇ ୨୩ ଦିନ ଧରି ଚାଲିବ ଏହି ମେଗା ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟେକ ଦଳ ପରସ୍ପର ମଧ୍ୟରେ ୨ଟି ଲେଖାଏଁ ଲିଗ୍ ମ୍ୟାଚ୍ ଖେଳିବେ । ଲିଗ୍ ପର୍ଯ୍ୟାୟ ପରେ ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ଦଳ ସିଧାସଳଖ ଫାଇନାଲରେ ନିଜ ସ୍ଥାନ ପକ୍କା କରିବ । ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଦଳ ମଧ୍ୟରେ ଏଲିମିନେଟର ଖେଳାଯିବ । ଏଲିମିନେଟର ଦଳର ବିଜେତା ଫାଇନାଲକୁ ପ୍ରବେଶ କରିବ ।

 

୬ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ିଲା ମନିଷ ସିସୋଦିଆଙ୍କ ରିମାଣ୍ଡ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ କୋର୍ଟ ଶନିବାର ଆମ ଆଦମୀ ପାର୍ଟିର ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିଛନ୍ତି । ଦିଲ୍ଲୀର ଅବକାରୀ ଦୁର୍ନୀତି ସହ ସମ୍ବନ୍ଧିତ ଏକ ମାମଲାରେ ଗିରଫ ହୋଇଥିବା ମନିଷ ସିସୋଦିଆ ଗତକାଲି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ହେଲେ କୋର୍ଟ ମନିଷ ସିସୋଦିଆଙ୍କ ସିବିଆଇ ରିମାଣ୍ଡକୁ ୬ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଆସନ୍ତା ୧୦ ତାରିଖରେ ପରବର୍ତ୍ତି ଶୁଣାଣି ହେବ । ରାଉଜ ଆଭେନ୍ୟୁ କୋର୍ଟରେ ସିବିଆଇ କହିଥିଲା ଯେ ମନିଷ ସିସୋଦିଆ ତଦନ୍ତରେ ସହଯୋଗ କରୁନାହାନ୍ତି ।

ସିବିଆଇ ସିସୋଦିଆଙ୍କ ଆଉ ତିନିଦିନ କଷ୍ଟଡି ମାଗିଥିଲା । ହେଲେ କୋର୍ଟ କେବଳ ଦୁଇଦିନର ରିମାଣ୍ଡ ମଞ୍ଜୁର କରିଛନ୍ତି । କୋର୍ଟ ପଚାରିଥିଲେ ଯେ ମନିଷ ସିସୋଦିଆଙ୍କୁ କେତେ ଘଣ୍ଟା ଜେରା କରିଥିଲ । ଏହାର ଜବାବରେ ସିବିଆଇ କହିଥିଲା ଯେ ଏପର୍ଯ୍ୟନ୍ତ ସୁଦ୍ଧା କିଛି ଅଧିକାରୀଙ୍କ ସହ ହିଁ ମନିଷଙ୍କ ଆମ୍ନା ସାମ୍ନାରେ ପଚରା ଉଚରା କରାଯାଇଛି । ଏବେ ସିବିଆଇ ଭିନ୍ନ ଭିନ୍ନ ସାକ୍ଷୀଙ୍କ ସହ ତାଙ୍କର ସାମନା କରାଇବା ନେଇ ପ୍ରସ୍ତୁତି କରୁଛି । ଏବେ ଆହୁରି ପଚରା ଉଚରା କରିବା ବାକି ଅଛି । ସିବିଆଇ କୋର୍ଟଙ୍କୁ କହିଛି ଯେ, ପ୍ରତିଦିନ ରାତି ୮ଟାରେ ତାଙ୍କୁ ପଚରାଉଚରା କରାଯାଇଥାଏ । ଗୋଟିଏ ଦିନ ତ ସୁପ୍ରିମକୋର୍ଟରେ ହିଁ ଚାଲି ଯାଇଥିଲା ।

ସେହିପରି ସିସୋଦିଆଙ୍କ ଓକିଲ ଦଲିଲ ଦେଇ କହିଥିଲେ ଯେ ସହଯୋଗ ନକରିବା ବେଲ ନଦେବାର କୌଣସି ଆଧାର ନୁହେଁ । ସିସୋଦିଆଙ୍କ ଓକିଲ ସିବିଆଇ ହେପାଜତ ବଢ଼ାଇବାର ଆବେଦନକୁ ବିରୋଧ କରିଥିଲେ । ସେ କହିଥିଲେ ସିସୋଦିଆଙ୍କ ଘରେ ଏବଂ ଅଫିସରେ ରେଡ୍ କରାଯାଇଥିଲା । ହେଲେ କିଛି ମିଳିନଥିଲା । ତେଣୁ ତାଙ୍କୁ ପୋଲିସ କଷ୍ଟଡିରେ ରଖାଯାଉ, ଯାହା ବି ଦସ୍ତାବିଜ ମାଗିବେ ତାହା ଆମେ ଦାଖଲ କରିବୁ ।  ପ୍ରକାଶଥାଉକି, ସିବିଆଇର ଦାବି ମୁତାବିକ ସେ ଯାଞ୍ଚରେ ପାଇଛି ଯେ ୨୦୨୧-୨୨ ପାଇଁ ଦିଲ୍ଲୀ ସରକାରଙ୍କ ଅବକାରୀ ନୀତିର ନିର୍ମାଣ ଏବଂ କାର୍ଯ୍ୟାନ୍ୱୟନ ଉଭୟରେ କଥିତ ଭାବେ ଅନିୟମିତତା ଥିଲା ।

ଏହାର ଉଦ୍ଦେଶ୍ୟ ଥିଲା ଯେ ଏଏପି ସହିତ ସମ୍ବନ୍ଧିତ ଲୋକଙ୍କୁ ଲାଭ ପହଞ୍ଚାଇବା । ହେଲେ ଆମ ଆଦମୀ ପାର୍ଟି ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି । ପରେ ଦିଲ୍ଲୀର ନୂଆ ଅବକାରୀ ନୀତିକୁ ସମାପ୍ତ କରାଯାଇଥିଲା । ସୂଚନାଥାଉକି ଦିଲ୍ଲୀ ମଦ ନୀତି ମାମଲାରେ ଗତ ୨୬ ତାରିଖରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ କରିଥିଲା ଗିରଫ । ୫୧ ବର୍ଷ ବୟସ୍କ ସିସୋଦିଆଙ୍କୁ ଗତ ୨୬ ତାରିଖରେ ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ କରିଥିଲା ସିବିଆଇ । ଗିରଫର ଦିନକ ପରେ ସିବିଆଇର ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସିସୋଦିଆ । ତେବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ଲାଗି ସିସୋଦିଆଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

ଗତ ସୋମବାର ଠାରୁ ସିବିଆଇ ମନୀଷଙ୍କୁ ରିମାଣ୍ଡ ନେଇଥିବା ବେଳେ ଆଜି ତାଙ୍କ ରିମାଣ୍ଡ ଶେଷ ହେଉଥିଲା । ଦିଲ୍ଲୀ ଅବକାରୀ ନୀତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କ୍ରମେ ଉପରାଜ୍ୟପାଳ ଭିକେ ସକ୍ସେନା ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ସିବିଆଇ ବ୍ୟତୀତ ଇଡି ମଧ୍ୟ ଘଟଣାର ତଦନ୍ତ କରୁଛି । ସିବିଆଇ ଦ୍ୱାରା ଗିରଫ ହେବା ପରେ ସିସୋଦିଆ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ ଦିଲ୍ଲୀର ଶିକ୍ଷା ଠାରୁ ଆରମ୍ଭ କରି ଅର୍ଥ ଭଳି ୧୮ଟି ବିଭାଗର ଦାୟିତ୍ୱରେ ଥିଲେ । ସେପଟେ ସିସୋଦିଆଙ୍କ ଗିରଫକୁ ବିରୋଧ କରି ଦିଲ୍ଲୀରେ ଜନ ଜାଗରଣ ଆରମ୍ଭ କରିବ ଆମ୍ ଆଦମୀ ପାର୍ଟି । ଆସନ୍ତା ୧୦ ମାର୍ଚ୍ଚରୁ ଏହି ଅଭିଯାନ ଆରମ୍ଭ ହେବ ।