spot_img
Home Blog Page 3410

ସୌରଭ ଭରଦ୍ବାଜ ଓ ଆତିଶି ହେବେ ଦିଲ୍ଲୀର ନୂଆ ମନ୍ତ୍ରୀ

ନୂଆଦିଲ୍ଲୀ: ସୌରଭ ଭରଦ୍ବାଜ ଓ ଆତିଶି ହେବେ ଦିଲ୍ଲୀର ନୂଆ ମନ୍ତ୍ରୀ । ଏହି ଦୁଇ ଜଣଙ୍କ ନାମଙ୍କୁ ଏଲଜି ଭି.କେ. ସକ୍ସେନାଙ୍କ ନିକଟରେ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ବଦଳରେ କାହାକୁ ମନ୍ତ୍ରୀ କରାଯିବ ନେଇ ଚାଲିଥିଲା କଳ୍ପନାଜଳ୍ପନା । ଆଇନ ଅର୍ଥ କାରବାର ମାମଲାରେ ସତ୍ୟେନ୍ଦ୍ର ଜୈନ ଓ ମଦ ନୀତି ମାମଲାରେ ମନୀଷ ସିସୋଦିଆଙ୍କ ଇସ୍ତଫା ପରେ ୧୯ଟି ବିଭାଗର ପରିଚାଳନା ନେଇ ସଙ୍କଟ ସୃଷ୍ଟି ହୋଇଥିଲା । ସତ୍ୟେନ୍ଦ୍ର ଜୈନ ସ୍ବାସ୍ଥ୍ୟମନ୍ତ୍ରୀ ଥିବାବେଳେ ଶିକ୍ଷା ସମେତ ୧୮ଟି ବିଭାଗର ଦାୟିତ୍ବରେ ଥିଲେ ସିସୋଦିଆ । ଦିଲ୍ଲୀ ସରକାରଙ୍କ ନମ୍ବର ୨ ମନ୍ତ୍ରୀ ସିସୋଦିଆ ଗିରଫ ହେବା ପରେ ବରୁ ବିଭାଗର ପରିଚାଳନାରେ ସମସ୍ୟା ସୃଷ୍ଟି ହୋଇଥିଲା ।

ଦିଲ୍ଲୀରେ ସରକାରୀ ସ୍କୁଲଗୁଡିକରେ ବୈପ୍ଳବିକ ପରିବର୍ତ୍ତନ ଆଣି ବେଶ୍ ଚର୍ଚ୍ଚାରେ ଥିଲେ ସିସୋଦିଆ । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ୧୦ ପ୍ରତିଶତ ଅର୍ଥାତ ସର୍ବାଧିକ ୭ଟି ମନ୍ତ୍ରୀ ପଦ ରହିପାରିବ । ବର୍ତ୍ତମାନ ମନ୍ତ୍ରୀ ଅଛନ୍ତି ଗୋପାଳ ରୟ, ଇମ୍ରାନ ହୁସେନ, ରାଜ କୁମାର ଆନନ୍ଦ ଓ କୈଳାସ ଗେହଲଟ । ସେପଟେ ବିଜେପିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ୍‌ । ଏଭଳି ଗିରଫଦାରି ଦିଲ୍ଲୀର ବିକାଶରେ କେବେବି ବାଧା ଦେଇପାରିବ ନାହିଁ ବୋଲି ସେ କହିଛନ୍ତି । ମନିଷ ସିସୋଦିଆ ବିଜେପିରେ ମିଶିଲେ ତାଙ୍କ ବିରୋଧରେ ଲାଗିଥିବା ସବୁ ଦଫା ହଟାଇଦିଆଯିବ ବୋଲି କେଜରିଓ୍ବାଲ କଟାକ୍ଷ କରିଛନ୍ତି । ତାଙ୍କର ସବୁ ଦୋଷ କ୍ଷମା କରିଦିଆଯିବ ।

୫ ପିଲାଙ୍କ ସହ କେନାଲକୁ ଡେଇଁ ପଡ଼ିଲେ ସ୍ୱାମୀ-ସ୍ତ୍ରୀ; ସମସ୍ତଙ୍କ ଶବ ଉଦ୍ଧାର

ଜୟପୁର: ରାଜସ୍ଥାନର ଜାଲୋର ଜିଲ୍ଲାର ସାଞ୍ଚୌରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବୁଧବାର ଅପରାହ୍ନରେ ସ୍ୱାମୀ-ସ୍ତ୍ରୀ ନିଜ ୫ ପିଲାଙ୍କ ସହ ନର୍ମଦା କେନାଲକୁ ଡେଇଁ ପଡ଼ିଥିଲେ । ସମସ୍ତଙ୍କ ଶବ ଉଦ୍ଧାର କରାଯାଇଛି । ଛଅ ଜଣଙ୍କ ହାତ ଜଣେ ଅନ୍ୟଜଣଙ୍କ ସହ ରଶିରେ ବନ୍ଧା ହୋଇଥିଲା । ପ୍ରଥମେ ୯ ବର୍ଷର ଜଣେ ଶିଶୁର ଶବ ଅପରାହ୍ନ ୪ଟାରେ ଉଦ୍ଧାର କରାଯାଇଥିଲା । ଏହାପରେ ସାଢ଼େ ଛଅଟା ସମୟରେ ଅନ୍ୟ ଛଅଜଣଙ୍କ ଶବ ମିଳିଥିଲା । ମୃତକମାନେ ହେଲେ ଶଙ୍କରାରାମ, ତାଙ୍କ ପତ୍ନୀ ବାଦଲୀ, ଝିଅ ରମିଲା, ପୁଅ ପ୍ରକାଶ, ଝିଅ କେଗି, ଝିଅ ଜାନକୀ ଏବଂ ପୁଅ ହିତେଶଙ୍କ ଶବ କେନାଲରୁ ଉଦ୍ଧାର କରାଯାଇଛି ।

ଗଲିପାର ଭମ୍ବର ସିଂ ରାଜପୁତ ନାମକ ଜଣେ ବ୍ୟକ୍ତି ହେଲ୍ପଲାଇନ ୧୦୧ ଅଭୟ କମାଣ୍ଡ ଜାଲୋରକୁ ସୂଚନା ଦେଇଥିଲେ ଯେ ଶଙ୍କାରାର ତା ସ୍ତ୍ରୀ ସହ ଝଗଡ଼ା ହୋଇଥିଲା । ସେ ରାଗରେ ପତ୍ନୀ ଏବଂ ପିଲାଙ୍କ ସହ ଘରୁ ବାହାରି ସିଦ୍ଧେଶ୍ୱରରେ ପହଞ୍ଚିଥିଲା । ପିଲାଙ୍କ ମଧ୍ୟରେ ୩ ଝିଅ ଓ ୨ ପୁଅ ସାମିଲ ଥିଲେ । ଏମାନଙ୍କ କପଡ଼ା ନର୍ମଦା ନଦୀର ମୁଖ୍ୟ କେନାଲ ପାଖରେ ପଡ଼ିଥିବାର ମିଳିଥିଲା । ସାଞ୍ଚୌର ସିଓ ରୁପାସିଂହ ଇନ୍ଦା କହିଛନ୍ତି ଯେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ଉଭୟ ନିଜ ପାଞ୍ଚ ପିଲାଙ୍କ ସହ ଘରୁ ବାହାରି ଯାଇଥିଲେ । ଯେଉଁଠାରେ ସେମାନେ କେନାଲକୁ ଡେଇଁ ପଡ଼ିଥିଲେ, ସେଠାରୁ ୨୦୦ ମିଟର ଆଗକୁ ସେମାନଙ୍କ ଶବ ମିଳିଛି । ପୋଲିସକୁ ନଦୀ ବାହାରୁ ମିଳିଥିବା କପଡ଼ା ସହ ଏକ ମୋବାଇଲ୍ ମଧ୍ୟ ମିଳିଛି ।

ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏବଂ ମେସର୍ସ ଅକ୍ଷରା ନିପୁନ ଜେଭି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଯାନଚାଳନା ଲାଇସେନ୍ସ ପ୍ରଦାନ କ୍ଷେତ୍ରରେ ଉଭୟ ସ୍ୱଚ୍ଛତା ଓ ଦକ୍ଷତାକୁ ଦୃଷ୍ଟିରେ ରଖି ସଚାରୁରୂପେ ଲ।ଇସେନ୍ସ ପ୍ରଦାନ ପରୀକ୍ଷା ନିମେନ୍ତେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଉପଯୋଗରେ ସ୍ୱୟଂଚାଳିତ ଯାନଚାଳନା ପରୀକ୍ଷା ପଦ୍ଧତି ଲାଗୁ କରାଯିବ । ଏହି ପଦ୍ଧତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ଆଜି ଖାରବେଳ ଭବନସ୍ଥିତ ବାଣିଜ୍ୟ ଓ ପରିବହନ ବିଭାଗ ସମ୍ମିଳନୀ କକ୍ଷରେ ରାଜ୍ୟ ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ଓଡ଼ିଶା ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏବଂ ମେସର୍ସ ଅକ୍ଷରା ନିପୁନ ଜେଭି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି ।

 ଏହି ଅବସରରେ ମନ୍ତ୍ରୀ ସାହୁ କହିଥିଲେ ଯେ ଓଡ଼ିଶା ରାଜ୍ୟ ସରକାର ସଡ଼କ ସୁରକ୍ଷା ପ୍ରତି ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି । ୫-‘ଟି’ ଉପକ୍ରମରେ ଏହି ବ୍ୟବସ୍ଥା ପ୍ରଚଳନ ଦ୍ୱାରା ଉତ୍ତମ ଏବଂ ଶୃଙ୍ଖଳିତ ଯାନଚାଳକମାନେ ଲାଇସେନ୍ସ ପାଇବା ସହ ସଡ଼କ ଦୁର୍ଘଟଣା ହ୍ରାସ ପାଇବ । ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ କହିଲେ ଯେ ଓଡ଼ିଶାର ୮୫ ପ୍ରତିଶତ ବ୍ୟକ୍ତି ସଡ଼କ ପରିବହନ ଉପରେ ନିର୍ଭର କରିଥାନ୍ତି । ସେମାନଙ୍କର ନିରାପତ୍ତା ଦାୟିତ୍ୱ ଡ୍ରାଇଭର ଉପରେ ନ୍ୟସ୍ତ । ରାଜ୍ୟରେ ଏହି ସ୍ୱୟଂ ଚାଳିତ ପରୀକ୍ଷା ପଦ୍ଧତି କାର୍ଯ୍ୟକାରୀ ହେଲେ ଆମେ ଦକ୍ଷ ଯାନଚାଳକ ପାଇପାରିବା ।

ଏହି ବ୍ୟବସ୍ଥାର ସୁଫଳ ନିଶ୍ଚୟ ସଡ଼କ ସୁରକ୍ଷା କ୍ଷେତ୍ରରେ ପ୍ରତିଫଳିତ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ପ୍ରାରମ୍ଭରେ ପରିବହନ ଆୟୁକ୍ତ ଅରୁଣ ବୋଥ୍ରା ସ୍ୱାଗତ ଭାଷଣ ପ୍ରଦାନ କରି ସଡ଼କ ସୁରକ୍ଷା ଓ ଦକ୍ଷ ଯାନଚାଳନା ପାଇଁ ଏହି ବ୍ୟବସ୍ଥା ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କହିଥିଲେ । ସଂପ୍ରତି ଯାନଚାଳନା ପାଇଁ ଲାଇସେନ୍ସ ପାଇବାକୁ ହେଲେ ଅବେଦନକାରୀଙ୍କୁ ମୋଟର ଯାନ ଇନ୍ସପେକଫରଙ୍କ ଉପସ୍ଥିତିରେ ପରୀକ୍ଷା ଦେବାକୁ ପଡ଼ୁଛି । ରାଜ୍ୟରେ ଏହି ସ୍ୱୟଂଚାଳିତ ପରୀକ୍ଷା ପଦ୍ଧତି କାର୍ଯ୍ୟକାରୀ ହେଲେ ଯାନଚାଳନା ପରୀକ୍ଷା ସମୟରେ ଟ୍ରାକ୍‌ରେ ପ୍ରବେଶଠାରୁ ଆରମ୍ଭ କରି ଏହାର ସମସ୍ତ ପର୍ଯ୍ୟାୟ ଡିଜିଟାଲ ପଦ୍ଧତି ମାଧ୍ୟମରେ ନିର୍ଣ୍ଣୟ କରାଯିବ ।

ଟ୍ରାକ୍‌ରେ ଫିଟ୍‌ ହୋଇଥିବା ଡିଜିଟାଲ ଟେଷ୍ଟିଂ ସେନ୍ସରଗୁଡ଼ିକ ଏହା ଉପରେ ନଜର ର ଖିବ ଏବଂ ଯାନଚାଳକ ଙ୍କ ଦ କ୍ଷତାକୁ ବିଚାର କରିବ । ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ସଂପୂର୍ଣ୍ଣ ଉପଯୋଗ କରାଯାଇ ଏହି ପରୀକ୍ଷା ବ୍ୟବସ୍ଥାକୁ ସ୍ୱଚ୍ଛ ଓ ନିର୍ଭୁଲ ଭାବେ କରିବାକୁ ପଦକ୍ଷେପ ନିଆଯାଇଛି । ଏହି ବ୍ୟବସ୍ଥାରେ କୌଣସି ମାନବୀୟ ହସ୍ତକ୍ଷେପ ହେବାର ସୁଯୋଗ ନାହିଁ । ପ୍ରଥମ ପର୍ଯ୍ୟାୟରେ ଅନୁଗୋଳ, ବାରିପଦା, ଭଦ୍ରକ, ବଲାଙ୍ଗିର, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ନୟାଗଡ଼, ଫୁଲବାଣୀ, ରାଇରଙ୍ଗପୁର, ରାଉରକେଲା, ସୁନ୍ଦରଗଡ଼, ତାଳଚେର, କେନ୍ଦୁଝର, ମାଲକାନଗିରି, ନୂଆପଡ଼ା, ଭଞ୍ଜନଗର, ନବରଙ୍ଗପୁର ଏବଂ ସୋନପୁର ଆଦି ରାଜ୍ୟର ୧୯ଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଏହି ଡ୍ରାଇଭିଂ ପରୀକ୍ଷଣ ଟ୍ରାକ୍‌ ସ୍ଥାପନ କରାଯିବ । ପର୍ଯ୍ୟାୟ କ୍ରମେ ଅନ୍ୟ କାର୍ଯ୍ୟାଳୟଗୁଡ଼ିକରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ।

ଯାନଚାଳନା ପ୍ରମାଣପତ୍ର ନିମନ୍ତେ ଆବେଦନକାରୀମାନେ ସରକାରୀ ଛୁଟିଦିନମାନଙ୍କରେ ଏହି ସ୍ୱୟଂ-ଚାଳନା ଯାନ ପରୀକ୍ଷଣ କେନ୍ଦ୍ରମାନଙ୍କରେ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ଦେୟ ପ୍ରଦାନ କରି ଯାନ ଚାଳନାର ଅଭ୍ୟାସ କରିବା ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ପ୍ରକଳ୍ପକୁ ୧୦ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯାଇ କାର୍ଯ୍ୟକ୍ଷମ କରିବା ନିମନ୍ତେ ବୁଝାମଣା ପତ୍ରରେ ଉଲ୍ଲେଖରେ କରାଯାଇଛି ।

ଗୁଜୁରାଟରେ ବନ୍ଦୀ ଅତିକ ଅହମ୍ମଦର ନିବେଦନ; ୟୁପିର ଜେଲକୁ ସ୍ଥାନାନ୍ତର ନକରାଯାଉ

ଅହମ୍ମଦାବାଦ: ଅହମ୍ମଦାବାଦ ଜେଲରେ ବନ୍ଦୀ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ସଂରକ୍ଷଣ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛି । ଉମେଶପାଲ ହତ୍ୟାକାଣ୍ଡ ପରେ କାର୍ଯ୍ୟାନୁଷ୍ଠାନ ଏବଂ ବିଜେପି ନେତାଙ୍କ ଆକ୍ରାମକ ବୟାନ ମଧ୍ୟରେ ଅତିକ ଅହମ୍ମଦର ପଦକ୍ଷେପ ସାମ୍ନାକୁ ଆସିଛି । ନିଜ ଆବେଦନରେ ସେ ଅନୁରୋଧ କରିଛି ଯେ, ତାକୁ ଗୁଜୁରାଟରୁ କୌଣସି ଅନ୍ୟ ଜେଲକୁ ପଠା ନଯାଉ । ସମାଜବାଦୀ ପାର୍ଟିର ନେତା ଅତିକ ଅହମ୍ମଦ ସୁପ୍ରିମକୋର୍ଟରୁ ନିଜ ସୁରକ୍ଷା ପାଇଁ ଅନୁରୋଧ କରି କହିଥିଲେ ଯେ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଏଥିସହ ଅତିକ ଅନୁରୋଧ କରିଛନ୍ତି ଯେ ପୋଲିସ ହେପାଜତରେ ପଚରା ଉଚରା ସମୟରେ ତାଙ୍କୁ କୌଣସି ବି ପ୍ରକାର ଶାରିରୀକ କ୍ଷତି ନପହଞ୍ଚାଯାଉ । ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯେ ତାଙ୍କୁ ଅହମ୍ମଦାବାଦ ଜେଲରୁ ଉତ୍ତରପ୍ରଦେଶର ପ୍ରୟାଗରାଜ କିମ୍ବା ରାଜ୍ୟର ଅନ୍ୟ କୌଣସି ଜେଲକୁ ସ୍ଥାନାନ୍ତର ନକରାଯାଉ ।

କାରଣ ବିଜେପି ମନ୍ତ୍ରୀଙ୍କ ବୟାନରୁ ଏପରି ଲାଗୁଛି ଯେ ତାଙ୍କର ଫେକ୍ ଏନକାଉଣ୍ଟର କରାଯାଇପାରେ । ତେଣୁ ତାଙ୍କର ସୁରକ୍ଷା ସୁନିଶ୍ଚିତ କରିବା ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଅନୁରୋଧ କରିଛି । ବିଏସପି ବିଧାୟକ ରାଜୁ ପାଲଙ୍କ ହତ୍ୟାର ମୁଖ୍ୟ ସାକ୍ଷୀ ଉମେଶ ପାଲ ଏବଂ ତାଙ୍କ ସୁରକ୍ଷାକର୍ମୀ ସନ୍ଦୀପ ନିଷାଦଙ୍କୁ ଗତ ସପ୍ତାହରେ ପ୍ରୟାଗରାଜର ଧୁମନଙ୍ଗଜ ଅଞ୍ଚଳରେ ଗୁଳି ହତ୍ୟା କରାଯାଇଥିଲା । ଏହାପରେ ୟୁପି ପୋଲିସ ଓ ପ୍ରଶାସନ ଆକ୍ସନ ମୋଡକୁ ଆସିଯାଇଛନ୍ତି । ମାମଲା ସହ ସମ୍ବନ୍ଧିତ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଉମେଶ ପାଲ ୨୦୦୫ରେ ପ୍ରୟାଗରାଜରେ ହୋଇଥିବା ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀ ଥିଲେ । ଏହି ମାମଲାରେ ଅତିକ ଅହମଦ ଏବଂ ଅନ୍ୟ ମୁଖ୍ୟ ଅଭିଯୁକ୍ତ ରହିଛନ୍ତି ।

2023-24 ବଜଟେ୍‍ର‍ ସଧାରଣ ଆଲୋଚନା ଉପରେ ଅର୍ଥମନ୍ତ୍ରୀଙ୍କ ଉତ୍ତର‍

ଭୁବନେଶ୍ୱର: ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟର ସାଧାରଣ ଆଲୋଚନା ଉପରେ ବିବୃତ୍ତି ରଖିଥିଲେ । ଅର୍ଥମନ୍ତ୍ରୀ କହିଥିଲେ ଯେ ଏହି ବଜେଟ୍ ନୂତନ ଓଡ଼ିଶା-ଏକ ସଶକ୍ତ ଓଡ଼ିଶା- ଏକ ସମୃଦ୍ଧ- ଏକ ସ୍ୱାଭିମାନୀ ଓଡ଼ିଶା ଗଠନ ଦିଗରେ ଆମର ଆଉ ଏକ ପଦକ୍ଷେପ । ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ମୋଟ୍ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ବଜେଟ୍ ଅଟକଳ ମଧ୍ୟରୁ କାର୍ଯ୍ୟକ୍ରମ ବ୍ୟୟ ନିମନ୍ତେ ୧ ଲକ୍ଷ ୨୫ ହଜାର କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି । ୨୦୦୩-୨୦୦୪ ଆର୍ଥିକ ବର୍ଷରେ ମୋଟ୍ କାର୍ଯ୍ୟକ୍ରମ ବ୍ୟୟ ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ୨୫ ପ୍ରତିଶତ ଅଧିକ ଅଟେ ।

ପୁଞ୍ଜି ବ୍ୟୟ ବାବଦକୁ ୫୧ ହଜାର ୬ଶହ ୮୩ କୋଟି ଟଙ୍କା ଅଟକଳ ହୋଇଛି । ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ର ୬ ପ୍ରତିଶତ ଅଟେ । ଚଳିତ ଆର୍ଥିକ ବର୍ଷରେ ଏହି ବାବଦକୁ ଥିବା ଆବଣ୍ଟନ ବିଗତ ବର୍ଷଠାରୁ ୩୩ ପ୍ରତିଶତ ଅଧିକ । ଦେଶର ସମସ୍ତ ପ୍ରମୁଖ ରାଜ୍ୟ ତୁଳନାରେ ଓଡ଼ିଶାର ମୋଟ ବଜେଟରେ ପୁଞ୍ଜି ବ୍ୟୟର ଅନୁପାତ ସର୍ବାଧିକ ଅଟେ । ଏହି ବଜେଟରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ମନ୍ତ୍ର ଏବଂ ମୋ ସରକାରର ସଫଳ ରୂପା ପାଇଁ ଆବଶ୍ୟକ ବ୍ୟବସ୍ଥା ହୋଇଛି । ସୁଲଭ ମୂଲ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ସାର୍ବଜନୀନ ଉପଲବ୍ଧି ସୁନିଶ୍ଚିତ କରାଇବା ନିମନ୍ତେ ମୋଟ ୧୬, ୪୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏକ ବର୍ଷର ରେକର୍ଡ ଅବଧିରେ ୧୪୭ ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବର୍ତ୍ତନ ଆଣିବା ପାଇଁ ଆମ ହସ୍ପିଟାଲ ଯୋଜନାରେ ୭୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ରୋଗୀଙ୍କୁ ନଗଦ ବିହୀନ ଚିକିତ୍ସା ପାଇଁ ଷ୍ଟେଟ୍ ହେଲ୍ଥ ଆସ୍ୟୁରାନ୍ସ ସୋସାଇଟି ଅଧୀନରେ ୨୩୮୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ୨୦୨୩ କୃଷି ବଜେଟ୍ ଅଧୀନରେ ୨୪,୮୨୯ କୋଟି ଟଙ୍କାର ବ୍ୟବରାଦ ହୋଇଛି । ଲଜଡକ ସେତୁ, ବିମାନବନ୍ଦର ଏବଂ ରେଳବାଇ ଅଧୀନରେ ୧୯ ହଜାର ୪ ଶହ ୫୨ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି । ଶିକ୍ଷା ଏବଂ ଦକ୍ଷତା ବିକାଶ କେନ୍ଦ୍ ପାଇଁ ୩୦ ହଜାର ୩୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ସବୁ ବିଭାଗ ପାଇଁ କିଛି ନା କିଛି ଘୋଷଣା କରିଛନ୍ତି ସରକାର । ଚଳିତ ବଜେଟ୍ ରାଜ୍ୟ ବିକାଶକୁ ଆହୁରି ଆଗକୁ ନେବାରେ ସହାୟକ ହେବ ବୋଲି ଶ୍ରୀ ପୂଜାରୀ କହିଛନ୍ତି ।

ବିଜେପି ଯୁବମୋର୍ଚ୍ଚାର ଗୁଣ୍ଡାଗର୍ଦ୍ଦି ପ୍ରସଙ୍ଗ; ଟ୍ୱିଟ୍ କରି ବିଜେପି ଅଧ୍ଯକ୍ଷଙ୍କୁ ଜଣାଇଲେ ବିଜେଡି ସାଂସଦ ସସ୍ମିତ

ଭୁବନେଶ୍ୱର: ଲୋୟର ପିଏମଜିରେ ବିଜେପି ଯୁବମୋର୍ଚ୍ଚର ଗୁଣ୍ଡାଗର୍ଦ୍ଦି ପ୍ରସଙ୍ଗ । ଟୁଇଟରରେ ଭିଡିଓ ପୋଷ୍ଟ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଅବଗତ କରିଛନ୍ତି BJD ସାଂସଦ ସସ୍ମିତ ପାତ୍ର । ପୋଲିସକୁ ଓଡ଼ିଶା ବିଜେପି ଯୁବମୋର୍ଚ୍ଚା କର୍ମୀ ଅତି ଅମାନୁଷିକ ଭାବେ ମାଡ ମାରୁଛନ୍ତି । ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ମାଡ଼ରେ ଜଣେ ଏସିପିଙ୍କ ସମେତ ୨୧ ପୋଲିସ ଆହତ ହୋଇଥିବା ବେଳେ ୨ଜଣ ଗରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ନଡ୍ଡାଙ୍କୁ ଟ୍ୟାଗ୍ କରି ଟୁଇଟ କରିଛନ୍ତି ସସ୍ମିତ ।

କେନ୍ଦୁଝର ପରେ ସୁନ୍ଦରଗଡ଼ରେ ବାଘ ଆତଙ୍କ

କେନ୍ଦୁଝର: କେନ୍ଦୁଝର ପରେ ସୁନ୍ଦରଗଡ଼ରେ ବାଘ ଆତଙ୍କ । ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗେଲେବାହାଲ ଟିମନା ଗାଁରେ ବୁଲୁଛି କଲାରପତରିଆ ବାଘ । ଗାଁକୁ ଵାଘ ପଶି ଆସିଥିବା ଅଭିଯୋଗ ହେବା ପରେ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସ୍ଥାନୀୟ ଜଙ୍ଗଲରେ ଵାଘ ରହିଥିବା ସୂଚନା ମିଳିଥିବାରୁ ବାଘ ଗାଁକୁ ଯେପରି ନ ଆସିଵ ଓ କାହାର ଜୀବନ ଯେମିତି ନଯିବ ସେଥିପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବାଘର ସ୍ଥିତି ଅନୁଧ୍ୟାନ କରିଵା ସହ ବାଘକୁ ଠାଵ କରିଵା ପାଇଁ ଆଜି ଦୁଇଟି କ୍ୟାମେରା ଲଗାଯିଵ ବୋଲି ସୁନ୍ଦରଗଡ଼ ଡିଏଫଓ ସୂଚନା ଦେଇଛନ୍ତି।

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ସୁରେଶ ମହାପାତ୍ର

ଭୁବନେଶ୍ୱର: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଛନ୍ତି ସୁରେଶ ମହାପାତ୍ର । ଗତକାଲି ମୁଖ୍ୟ ଶାସନ ସଚିବ ଭାବେ ତାଙ୍କର କାର୍ଯ୍ୟକାଳ ସରିଥିଲା । ଅବସର ନେବାପରେ ତାଙ୍କୁ ରାଜ୍ୟ ସରକାର ଓଇଆରସିର ଅଧ୍ୟକ୍ଷଭାବେ ନିଯୁକ୍ତି ଦେଇଛନ୍ତି । ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଉହାନର ଲ୍ୟାବରୁ ହିଁ ବ୍ୟାପିଥିଲା କୋରୋନା ଭାଇରସ୍‌, ସାଙ୍ଘାତିକ ରିପୋର୍ଟ ଦେଲା FBI

ବେଜିଂ: ଉହାନରୁ ହିଁ ବ୍ୟାପିଥିଲା କୋରୋନା ଭାଇରସ୍ । ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚିଥିବା ଭୂତାଣୁକୁ ନେଇ ସାଂଘାତିକ ରିପୋର୍ଟ ଦେଇଛି FBI ବା ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ । ଚୀନ ସରକାରଙ୍କ ଦ୍ବାରା ପରିଚାଳିତ ଉହାନ ଲ୍ୟାବରୁ ହିଁ ଭୂତାଣୁ ପୁରା ବିଶ୍ବକୁ ବ୍ୟାପି ଯାଇଥିବା ରିପୋର୍ଟ ଦେଇଛି FBI । FBIର ନିର୍ଦ୍ଦେଶକ କ୍ରିଷ୍ଟୋଫର ରେ ଏ ନେଇ ସୂଚନା ଦେଇଛନ୍ତି ।

ଉହାନ ଲ୍ୟାବରୁ ଲିକ ହୋଇଥିବା ଭୂତାଣୁ ପୁରା ବିଶ୍ବରେ ମହାମାରୀ ସୃଷ୍ଟି କରିଥିଲା ବୋଲି କ୍ରିଷ୍ଟୋଫର ଟୁଇଟ କରି କହିଛନ୍ତି । ଚୀନର କୌଣସି ଗବେଷଣାଗାରରୁ ଏହି ମାରାତ୍ମକ ଭୂତାଣୁ ଲିକ୍ ହୋଇ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିଲା ବୋଲି ନୂଆ ଗୁଇନ୍ଦା ତଥ୍ୟ ଆଧାରରେ ରିପୋର୍ଟ କରିଥିଲା ଓ୍ବାଲ ଷ୍ଟ୍ରଟ ଜର୍ନାଲ । ଏହା ସହ ଜୈବ ଗବେଷଣା କରୁଥିବା କିଛି ସ୍ପାଏ ନେଟଓ୍ବର୍କ ତଥ୍ୟକୁ ବି ଆଧାର କରାଯାଇଥିଲା ।

ଏଣିକି ୧୦ ଟଙ୍କା ଦେଇ ବୁଲନ୍ତୁ ମ୍ୟୁଜିଅମ, ଛାତ୍ରଛାତ୍ରୀ-କାରିଗର ଓ ବୁଣାକାରଙ୍କ ପାଇଁ ମାଗଣା

ଭୁବନେଶ୍ବର: ଓଡିଶା କଳାର ଭୂମି । ଆମର କଳା, ସଂସ୍କୃତି ସାରା ବିଶ୍ବରେ ଓଡିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆମର ଏହି ମହାନ ଐତିହ୍ୟର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ଦିଗରେ ସଂଗ୍ରହାଳୟ ଗୁଡିକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ଜନସାଧାରଣ, ବିଶେଷ କରି ଯୁବ ସମାଜ, ଛାତ୍ର ସମାଜ ତଥା ପର୍ଯ୍ୟଟକ ମାନେ ଯେପରି ଆମ କଳା ଓ ସଂସ୍କୃତି ସହିତ ଭଲ ଭାବରେ ପରିଚିତ ହୋଇପାରିବେ ସେ ଦୃଷ୍ଟିରୁ ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ ୧୦ ଟଙ୍କାରୁ ଅଧିକ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଏତଦ୍‌ବ୍ୟତୀତ ଛାତ୍ରଛାତ୍ରୀ, କାରିଗର ଓ ବୁଣାକାର ମାନଙ୍କ ପାଇଁ ସଂଗ୍ରହାଳୟରେ ପ୍ରବେଶ ନିମନ୍ତେ କୌଣସି ଦେୟ ଆଦାୟ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆମ ରାଜ୍ୟରେ ଥିବା ସଂଗ୍ରହାଳୟ ଗୁଡିକ ଯେପରି ଅଧିକ ଲୋକପ୍ରିୟ ହେବ ଏବଂ ପର୍ଯ୍ୟଟକ ମାନେ ସେଗୁଡିକ ପରିଦର୍ଶନର ସୁଯୋଗ ପାଇପାରିବେ, ସେ ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଭୁବନେଶ୍ବରରେ ରାଜ୍ୟ ସଂଗ୍ରହାଳୟ ସହିତ କଳାଭୂମି, ଆଦିବାସୀ ସଂସ୍କୃତି ଓ ଗବେଷଣା ସଂଗ୍ରହାଳୟ, କଟକରେ ସାମୁଦ୍ରିକ ସଂଗ୍ରହାଳୟ ତଥା ବିଭିନ୍ନ ଜିଲ୍ଲାରେ ଅନେକ ସଂଗ୍ରହାଳୟ ରହିଛି । ଏଗୁଡିକୁ ଲୋକପ୍ରିୟ କରିବା ପାଇଁ ଏବଂ ପରିଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ସହାୟକ ହେବ ବୋଲି ଆଶା କରାଯାଉଛି ।