spot_img
Home Blog Page 3409

ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ, ସ୍ବାମୀ-ସ୍ତ୍ରୀଙ୍କ ଗଳା କାଟି ଦେଲେ

ବାଲେଶ୍ୱର: ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ। ସ୍ବାମୀ, ସ୍ତ୍ରୀଙ୍କ ଗଳା କାଟି ଫେରାର୍ ହେଲେ ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ଥାନା ମୁନିସବିର ବାଲିପଡ଼ିଆ ଠାରେ।

ମୃତକ ହେଲେ ରଘୁନାଥ ବେହେରା ଓ ତାଙ୍କ ସ୍ତ୍ରୀ ପ୍ରଭାତୀ ସବିରା ମହାନ୍ତି। ଉଭୟ ଗତ ରାତିରେ ନିଜ ଫାର୍ମ ହାଉସକୁ ଆସୁଥିବା ବେଳେ କେହି ହତ୍ୟା କରି ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ସ୍ଵାମୀ, ସ୍ତ୍ରୀଙ୍କ ଚିତ୍କାର ଶୁଣି ଗାଁ ଲୋକ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ଘଟଣାର ତଦନ୍ତ କରୁଛି । ତେବେ ଜମିବାଡ଼ି ବିବାଦକୁ ନେଇ ବାଲେଶ୍ବରର ଜଣେ ବ୍ୟକ୍ତି ସହ ବଚଷା ହୋଇଥିବା କହିଛନ୍ତି ରଘୁନାଥଙ୍କ ସାନ ଭାଇ ।

ବାଘକୁ ଫସାଇବାକୁ ଛେଳି ବାନ୍ଧିଥିଲା ବନ ବିଭାଗ, ହେଲେ ଖସିଗଲା ବାଘ

ରାଉରକେଲା: ଖସିଗଲା ବାଘ । ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗେଲେବାହାଲ ଟିମନା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଥିଵା ବାଘକୁ ଧରିବାରେ ଵନ ବିଭାଗ ବିଫଳ । ଜାଲ ଵିଛାଇ ଓ ଟ୍ରାଙ୍କୁଲାଇଜ କରି ବାଘକୁ ଧରିବା ପାଇଁ ଵନ ବିଭାଗ ଉଦ୍ୟମ କରିଥିଲା ।

ବାଘକୁ ଫସାଇବାକୁ ଛେଳି ବି ବନ୍ଧା ଯାଇଥିଲା । ହେଲେ ଗହଳିକୁ ଦେଖି ଵାଘ ଡେଇଁ ଜଙ୍ଗଲକୁ ପଳାଇଯାଇଥିଵା ସୂଚନା ମିଳିଛି । ପ୍ରବଳ ଜନଗହଳି ହେଵାରୁ ଵାଘକୁ ଧରିବାରେ ଵନ ବିଭାଗ ସକ୍ଷମ ହୋଇ ପାରି ନାହାନ୍ତି । ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗେଲେବାହାଲ ଟିମନା ଗାଁରେ କଲାରପତରିଆ ବାଘ ବୁଲୁଥିବା ଓ ଗାଁକୁ ଵାଘ ପଶି ଆସିଥିବା ଅଭିଯୋଗ ହେବା ପରେ ଟ୍ରାଙ୍କୁଲାଇଜ ପାଇଁ ବନ ବିଭାଗ ଟିମ୍ ଉଦ୍ୟମ କରିଥିଲା । ବାଘ ଧରିବା ପାଇଁ ଜାଲ ବିଛା ଯାଇଥିଲା । ହେଲେ ଗହଳି ଯୋଗୁଁ ବନ ବିଭାଗର ଉଦ୍ୟମ ସଫଳ ହୋଇପାରିନଥିଲା ।

ଅଭିନେତା ପିଣ୍ଟୁଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ପିଣ୍ଟୁ ନନ୍ଦଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ରାଜ୍ୟପାଳ । ପିଣ୍ଟୁଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଖୁଣ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ପିଣ୍ଟୁ ସବୁବେଳେ ସ୍ମରଣୀୟ ହୋଇରହିବେ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ କରିଛନ୍ତି ।

ସେହିପରି ପିଣ୍ଟୁ ନନ୍ଦଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପିଣ୍ଟୁଙ୍କ ମୃତ୍ୟୁ ଓଡ଼ିଆ ସିନେ ଜଗତରେ ଅପୂରଣୀୟ କ୍ଷତି । ଚଳଚ୍ଚିତ୍ର ଓ ଧାରାବାହିକରେ ନିଖୁଣ ଅଭିନୟ ପାଇଁ ସେ ସବୁବେଳେ ମନେ ରହିବେ ବୋଲି ପ୍ରଣବ ଟୁଇଟ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ଅନ୍ୟପଟେ ପିଣ୍ଟୁଙ୍କ ପରଲୋକରେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ। ପିଣ୍ଟୁଙ୍କ ପରଲୋକ ଓଡ଼ିଆ ସିନେ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ବିଜେଡି ସାଂସଦ ଟୁଇଟ କରିଛନ୍ତି।

ଆଜି ଆସିବ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ନିର୍ବାଚନର ଫଳାଫଳ

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ତିନି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ। ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ନିର୍ବାଚନର ଆସିବ ଜନାଦେଶ  । ଭୋଟ ଗଣତି ଜାରି ରହିଛି। ତ୍ରିପୁରା ଓ ନାଗାଲାଣ୍ଡରେ ୬୦ ଲେଖାଏ ଆସନ ସହିତ ମେଘାଳୟର ୫୯ ଆସନର ରେଜଲ୍ଟ ଆସିବ।

କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ପାଇଁ ବ୍ୟବସ୍ଥା ହୋଇଛି। ଏକଜିଟ ପୋଲ ଅନୁସାରେ ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପିକୁ ମିଳିବ ସଂଖ୍ୟା ଗରିଷ୍ଠତା । ମେଘାଳୟରେ ହୋଇପାରେ ଝୁଲା ବିଧାନସଭା। ୬୦ ଆସନ ବିଶିଷ୍ଟ ତ୍ରିପୁରାରେ ବିଜେପିକୁ ହାରାହାରି ୩୨ଟି ଆସନ ମିଳିବ ବୋଲି ଅଧିକାଂଶ ସର୍ଭେରେ କୁହାଯାଇଛି।

ବାମପନ୍ଥୀଙ୍କୁ ହାରାହାରି ୧୫ଟି ଆସନ ମିଳିଥିବାବେଳେ କଂଗ୍ରେସକୁ କୌଣସି ଆସନ ମିଳିବ ନାହିଁ। ୬୦ ଆସନ ବିଶିଷ୍ଟ ନାଗାଲାଣ୍ଡରେ ବିଜେପିକୁ ହାରାହାରି ୪୨, କଂଗ୍ରେସକୁ ଗୋଟିଏ ଓ ଏନପିଏଫକୁ ୬ଟି ଆସନ ମିଳିବ ବୋଲି ଜଣାଯାଇଛି। ସେହିପରି ମେଘାଳୟରେ ଝୁଲା ସରକାର ହେବ ବୋଲି ଆକଳନ କରାଯାଇଛି।

ଓଡ଼ିଶାରେ ଉପରମୁହାଁ ହେଲା ପାରଦ, ୩ ରୁ ୫ ଡିଗ୍ରୀ ତାପମାତ୍ରା ବୃଦ୍ଧି ସମ୍ଭାବନା

ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ ଓଡ଼ିଶାରେ ଉପରମୁହାଁ ହେଲା ପାରଦ। ଆଗାମୀ ୪ଦିନ ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାରେ ତାତି ଅସମ୍ଭାଳ ହେବ। ବିଶେଷ କରି ଚଳିତ ସପ୍ତାହରେ ଅଧିକାଂଶ ଅଞ୍ଚଳରେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବ।

ରାଜଧାନୀ ଭୁବନେଶ୍ବର ସମେତ ଅନୁଗୁଳ, ସୋନୁପୁର, ବୌଦ୍ଧ, ଟିଟିଲାଗଡ, ବଲାଙ୍ଗୀର, ସମ୍ବଲପୁର, ତାଳଚେର, ଚାନ୍ଦବାଲି, ମାଲକାନଗିରିରେ ତାପମାତ୍ରା ୩୮ ରୁ ୪୨ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁପାରେ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଏବଂ ରେଡ ଆଲର୍ଟ ଜାରି କରିଛି ଆଇଏମଡି।

ଗତବର୍ଷ ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ ଥିବାରୁ ତାତି ବିଳମ୍ବରେ ବଢିଥିଲା । କିନ୍ତୁ ଚଳିତ ବର୍ଷ ପଶ୍ଚିମା ଝଡର ପ୍ରଭାବ ନଥିବାରୁ ଗତ ନଭେମ୍ବର ମାସରୁ ଗାଏବ ହୋଇଯାଇଛି ବର୍ଷା । ଫଳରେ ତାତି ବଢିବା ସହ ଫେବ୍ରୁଆରୀ ମାସରୁ ଝାଞ୍ଜି ପବନ ବହିବା ଆରମ୍ଭ କରିଛି । ଆଗାମୀ ଦିନରେ ତାପମାତ୍ରାରେ ଆହୁରି ବୃଦ୍ଧି ହେବାନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

‘କୋଇଲି’ରେ ଏଣ୍ଟ୍ରି, ‘ରଙ୍ଗ ନଂ’ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ପିଣ୍ଟୁ ନନ୍ଦ

ଭୁବନେଶ୍ୱର: ପ୍ରିୟ ଗଉରାକୁ ହରାଇ ମର୍ମାହତ ସାରା ଓଡ଼ିଶା। ସ୍ତବ୍ଧ, ନିର୍ବାକ ସିନେ ଜଗତ । ଆଉ ଶୁଣିବାକୁ ମିଳିବନି ତାଙ୍କ ଦମ୍ଭିଲା ସ୍ୱର । ଓଡିଆ ଆଲବମ ହେଉ ବା ଫିଲ୍ମ । କମେଡିଆନ ହେଉ କିମ୍ବା ଖଳନାୟକ ଭୂମିକା । ନିଜର ଦମଦାର ଆକ୍ଟିଂ ପାଇଁ ପିଣ୍ଟୁ ନନ୍ଦ ଦର୍ଶକଙ୍କ ହୃଦୟରେ ରହିଥିଲେ ।

ଓଡ଼ିଆ ଆଲବମ ‘ଏ ଗଉରା ଆଜିକାଲି କ’ଣ ଖାଉଚୁ’ ଓ ରାଣ୍ଡି ପୁଅ ଅନନ୍ତାରୁ ଲୋକଲୋଚନକୁ ଆସିଥିଲେ ପିଂଟୁ । ରାତାରାତି ଘରେ ଘରେ ଲୋକପ୍ରିୟ ହୋଇପାରିଥିଲେ ।

କାହାଣୀ ସାରା ହସାଇ ହସାଇ ଶେଷରେ କନ୍ଦାଇ ଥିଲା ଅନନ୍ତା । ପ୍ରତ୍ୟେକ ମଣିଷକୁ ଶିଖାଇ ଦେଇଯାଉଥିଲା ମାଟି ପ୍ରେମର ଗାଥା, ଗାଁର ମମତା । ଆଉ ସେହି ଅନନ୍ତା ଆଜି ବି କନ୍ଦାଇ ଦେଲା । ସବୁଦିନ ପାଇଁ ଚାଲିଗଲା..

କାହାଣୀ ସାରା ଗୋଟିଏ ଚରିତ୍ର ହସାଉଥାଏ। ସେ ତା ରାଇଜରେ । ଯାହା ବୁଝୁଛି ଠିକ୍, ଯାହା କରୁଛି ଠିକ୍ । ନା ମାଆର କଷ୍ଟ ବୁଝିଥିଲା, ନା ନିଜର ଦୟିତ୍ୱକୁ । ତଥାପି ସେ ବିଧବା ମାଆର ଆଖିର ତାରା ଥିଲା ପୁଅ ଅନନ୍ତା । ନାନା କଥା, ନାନା ଅଭିଯୋଗ ସତ୍ତ୍ୱେ ପୁଅ ପ୍ରତି ମାଆର ମମତା କଣ ତାହା କାହାଣୀର ଶ୍ରେଷ୍ଠ ନିଦର୍ଶନ।

୫୦ରୁ ଅଧିକ ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଛି । ୧୯୯୬ରେ ଚଳଚିତ୍ର କୋଇଲି ଜରିଆରେ ସେ ସିନେମା ଜଗତରେ ପାଦ ଥାପିଥିଲେ । ଏହାପରେ ରାମ ଲକ୍ଷ୍ମଣ, ତୋ ଆଖି ମୋ ଆଇନା, ରଙ୍ଗ୍ ନମ୍ବର, ବାହୁଡ଼ିବେ ମୋ ଜଗା ବଳିଆ, ଓଃ ମାଇଁ ଲଭ୍, ଆଇ ଲଭ୍ ୟୁ, ଆଇ ଲଭ୍ ମାଇଁ ଇଣ୍ଡିଆ, ପ୍ରେମ ରୋଗୀ, ଜୟ ଜଗନ୍ନାଥ, ନନ୍ଦିନୀ ଆଇ ଲଭ୍ ୟୁ, ମିତରେ ମିତ, ମୁଁ କ’ଣ ଏତେ ଖରାପ, ସ୍ୱୟଂସିଦ୍ଧା, ପ‌ହିଲି ରଜ, ପ୍ରେମ ଅଢ଼େଇ ଅକ୍ଷର, ଦୋସ୍ତି, ଶପଥ, କଥା ଦେଲି ମଥା ଛୁଇଁ, ପ୍ରେମ ଋତୁ ଆସିଲାରେ, ହାତ ଧରି ଚାଲୁଥା, ରଙ୍ଗନମ୍ବର ଓ ଲଭ୍‌ ଏକ୍ସପ୍ରେସ୍‌, ଗୁଡ୍ ବୟ, ଲଭ୍ ମାଷ୍ଟର, ହରି ଓମ ହରି, ଡାହା ବାଳୁଙ୍ଗା, ସୁନା ପିଲା ଟିକେ ସ୍କୃ ଢିଲା, ଧର୍ମ, ବ୍ୟାଚଲର, ଡାହା ବାଳୁଙ୍ଗା, ଦୋସ୍ତୀ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏକାଧିକ ଓଡ଼ିଆ ଧାରାବାହିକରେ ମଧ୍ୟ ସେ ଅଭିନୟ ଛାଡିଯାଇଛନ୍ତି ଅଭିନୟର ଛାପ। ଏ ଗଉରା କ’ଣ ଖାଉଚୁ  ଆଲବମ୍ ପିଣ୍ଟୁଙ୍କୁ ଘରେଘରେ ପରିଚିତ କରିଥିଲା ।

ଖାଲି ଏତିକି ନୁହେଁ  ରଙ୍ଗ ନଂ ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ପାଇଥିଲେ । ଏହି ଭର୍ସାଟାଇଲ୍ ଆକ୍ଟରଙ୍କ ଯକୃତ ନଷ୍ଟ ହୋଇଯାଇଥିବା ବେଳେ ଚିକିତ୍ସା ପାଇଁ ସେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ମାର୍ଚ୍ଚ ୧ ତାରିଖ ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିଲା । ସମସ୍ତେ ଭଗବାନଙ୍‌କୁ ଡାକୁଥିଲେ ସେ ପୁଣି ଫେରି ଆସନ୍ତୁ । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ସମସ୍ତଙ୍କୁ ଶୋକର ସାଗରରେ ଭସାଇ ଚିରନିଦ୍ରାରେ ଶୋଇପଡିଲେ ଏହି ଭର୍ସାଟାଇଲ୍ ଆକ୍ଟର । ତାଙ୍କ ଅବର୍ତ୍ତମାନରେ ଜଣେ ଚର୍ଚ୍ଚିତ ତାରକାଙ୍କୁ ହରାଇ ମ୍ରିୟମାଣ ସାରା ଓଡିଶା ।

ଖାଲି ପିଣ୍ଟୁ ନନ୍ଦ ନୁହଁନ୍ତି । ଓଡିଆ ସିନେ ଜଗତର ଅନେକ କଳାକାରଙ୍କ ବିୟୋଗରେ ସିନେ ଜଗତରେ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି । ଯାହାକୁ ପୂରଣ କରିବା ଏତେଟା ସହଜ ନୁହେଁ ।

 

ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପରପାରିରେ ପିଣ୍ଟୁ ନନ୍ଦ । ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ପିଣ୍ଟୁଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଲିଭର ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ପିଣ୍ଟୁଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୫ବର୍ଷ ହୋଇଥିଲା।

ପିଣ୍ଟୁଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘‘ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ନିଜ ନିଖୁଣ ଅଭିନୟ ଦ୍ୱାରା ଚଳଚ୍ଚିତ୍ର ଏବଂ ଧାରାବାହିକରେ ସେ ଛାଡିଯାଇଥିବା ଛାପ ତାଙ୍କୁ ଦର୍ଶକଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି’’ ବୋଲି ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ପିଣ୍ଟୁଙ୍କର ଯକୃତ ଟ୍ରାନ୍ସପ୍ଲାଣ୍ଟ ହେବାକୁ ଥିବା ବେଳେ ଡୋନର ମିଳି ନଥିଲେ । ଫଳରେ ଚିକିତ୍ସାରେ ବିଳମ୍ବ ହୋଇଥିଲା । ଗତ କିଛିଦିନ ତଳେ ତାଙ୍କୁ ଭୁବନେଶ୍ବରରୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଲିଭର ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା । କୋଇଲି ଚଳଚ୍ଚିତ୍ରରେ ପ୍ରଥମ ଥର ଲାଗି ସିନେଜଗତରେ ପାଦଦେଇଥିଲେ ପିଣ୍ଟୁ । ରଙ୍ଗ ନମ୍ବର, ପ୍ରେମଋତୁ ଆସିଲାରେ, ଦୋସ୍ତି, ହାତ ଧରି ଚାଲୁଥା ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଫିଲ୍ମ ଜଗତରେ ପାଦ ଦେବା ପୂର୍ବରୁ ଓଡ଼ିଆ ଆଲବମ ଏ ଗଉରା ଗୀତ ପିଣ୍ଟୁଙ୍କୁ ଘରେ ଘରେ ପରିଚିତ କରାଇଥିଲା । ପିଣ୍ଟୁଙ୍କ ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।

ପରଲୋକରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ

ଭୁବନେଶ୍ୱର: ପରପାରିରେ ପିଣ୍ଟୁ ନନ୍ଦ। ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ପିଣ୍ଟୁଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଲିଭର ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ପିଣ୍ଟୁଙ୍କର ପରଲୋକ ହୋଇଛି । ପିଣ୍ଟୁଙ୍କର ଯକୃତ ଟ୍ରାନ୍ସପ୍ଲାଣ୍ଟ ହେବାକୁ ଥିବା ବେଳେ ଡୋନର ମିଳି ନଥିଲେ।

ବାଲେଶ୍ୱର ଜିଲ୍ଲା ସୋରରେ ଚାଞ୍ଚଲ୍ୟ; ଦମ୍ପତିଙ୍କୁ ଗଳାକାଟି ହତ୍ୟା

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ସୋରରେ ଚାଞ୍ଚଲ୍ୟ । ଦମ୍ପତିଙ୍କୁ ଗଳାକାଟି ହତ୍ୟା । ସବିରା ପଞ୍ଚାୟତ ବାଲିପଡିଆ ସାହିରୁ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବୁଦ୍ଧିରାମ ବେହେରା ଓ ପତ୍ନୀ ପ୍ରଭାତୀ । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ପୋଲିସ ଛାନବିନ କରୁଛି । ରାତି ୯ଟା ବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ମୃତକଙ୍କ ଘର ମହାନ୍ତି ସାହିରେ ହୋଇଥିବାବେଳେ ବାଲିପଡିଆ ସାହିରେ କୁକୁଡ଼ା ଫାର୍ମ କରିଥିଲେ ବୁଦ୍ଧିରାମ । ଫାର୍ମ ଭିତରୁ ହଠାତ ଚିତ୍କାର ଗାଁ ଲୋକ ଆସିବାବେଳେ ସ୍ବାମୀସ୍ତ୍ରୀଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଦେଖିଥିଲେ । କେହି ଦୁର୍ବୃତ୍ତ ଉଭୟଙ୍କ ଗଳାକାଟି ହତ୍ୟା କରିବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଫାର୍ମ ବାହାରେ ମୃତଦେହ ପଡିଥିବାବେଳେ ନିକଟରେ ରଘୁନାଥଙ୍କର ସ୍କୁଟି ରହିଥିଲା l ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।

ଗୁରୁତର ପିଣ୍ଟୁ ନନ୍ଦ, ଆସିଲା ମେଡିକାଲର ଫଟୋ…

ନନ୍ଦିଘୋଷ ବ୍ୟୁରୋ: ସଙ୍କଟାପର୍ଣ୍ଣ ସ୍ଥିତିରେ ଅଛନ୍ତି ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ । ଲିଭର ସିରୋସିସ ରୋଗରେ ପୀଡ଼ିତ ହୋଇ ଅଭିନେତା ପିଣ୍ଟୁ ନନ୍ଦ ଏବେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ଥିତି ଗମ୍ଭୀର ଥିବା ଜଣାପଡ଼ିଛି । ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲେ ମଧ୍ୟ ଏପର୍ଯ୍ୟନ୍ତ ହୋଇନାହିଁ । ଏଥିପାଇଁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି । ଦିଲ୍ଲୀରେ ଅବସ୍ଥା ଗୁରୁତର ହେବାରୁ ତାଙ୍କ ଲିଭର ପ୍ରତିରୋପଣର ଆବଶ୍ୟକ ପଡ଼ିଥିଲା ।

ପରିବାର ସଦସ୍ୟଙ୍କ ଲିଭର୍ ମ୍ୟାଚ ନହେବାରୁ ପ୍ରତିରୋପଣ ହୋଇପାରିନଥିଲା । ପରେ ତାଙ୍କୁ ହାଇଦ୍ରାକବାଦ ଅଣାଯାଇଥିଲା । ଏବେ ସେ ହାଇଦ୍ରାବାଦରେ ଚିକିତ୍ସିତ ହେଉଛନ୍ତି । ଆସନ୍ତା ୬ ମାସ ମଧ୍ୟରେ ତାଙ୍କ ଲିଭର ପ୍ରତିରୋପଣ ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ଆଜି ମଧ୍ୟାହ୍ନରେ ଓଲିଉଡ଼ ଅଭିନେତା ଶ୍ରୀତମ ଦାସ ତାଙ୍କ ସ୍ଥିତି ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଥିଲେ । ସେ ନିଜ ଟ୍ୱିଟରେ ପିଣ୍ଟୁ ନନ୍ଦ ଗୁରୁତର ଥିବା ସୂଚନା ଦେଇଥିଲେ । ସମସ୍ତେ ତାଙ୍କୁ ଆଶୀର୍ବାଦ କରିବା ସହ ଆଶୁ ଆରୋଗ୍ୟ କାମନା କରିବାକୁ ସେ ଟ୍ୱିଟ ଯୋଗେ କହିଥିଲେ ।