spot_img
Home Blog Page 3414

ନିଜର ଆଣବିକ ଅସ୍ତ୍ର ସଂଖ୍ୟା ୩ଗୁଣ କରିବ ଚୀନ୍ ; ବିଭିନ୍ନ ରାଷ୍ଟ୍ରରେ ଛନକା ସୃଷ୍ଟି

ନୂଆଦିଲ୍ଲୀ : ସୁପରପାଓ୍ବାର ଚୀନର ମେଗା ମିଶନ ।  ନିଜର ଆଣବିକ ଅସ୍ତ୍ର ସଂଖ୍ୟା ୩ଗୁଣ କରିବା ଲାଗି ବ୍ଲୁପ୍ରିଣ୍ଟ । ଆସନ୍ତା ୨୦୩୫ ସୁଦ୍ଧା ଆଣବିକ ଅସ୍ତ୍ର ସଂଖ୍ୟା ୯୦୦କୁ ବୃଦ୍ଧି ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି । ଆମେରିକାକୁ ଟକ୍କର ଦେବା ଲାଗି ଚୀନ ନିଜକୁ ପୂର୍ଣ୍ଣ ପ୍ରସ୍ତୁତ କରୁଥିବାବେଳେ ଆଣବିକ ଅସ୍ତ୍ର ସଂଖ୍ୟା ବଢ଼ାଇବା ଲାଗି ଉଦ୍ୟମ ବିଭିନ୍ନ ରାଷ୍ଟ୍ର ଲାଗି ଛନକା ସୃଷ୍ଟି କରିଛି ।

ପିପୁଲ୍ସ ଲିବରେସନ ଆର୍ମି ଦ୍ବାରା ପ୍ରସ୍ତୁତ ଏହି ବ୍ଲୁପ୍ରିଣ୍ଟକୁ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି ସି ଜିନପିଙ୍ଗ । ଗତବର୍ଷ ଆମେରିକା ପକ୍ଷରୁ କୁହାଯାଇଥିଲା ୨୦୩୫ ସୁଦ୍ଧା ଚୀନ ନିଜର ଆଣବିକ ଅସ୍ତ୍ର ସଂଖ୍ୟା ୧୫ଶହକୁ ବଢ଼ାଇବା ଲାଗି ଉଦ୍ୟମ କରୁଛି । ୨୦୨୭ ସୁଦ୍ଧା ୫୫୦ଓ ୨୦୩୫ସୁଦ୍ଧା ୯୦୦ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ୨୦୨୭ ମସିହା ହେଉଛି ଚୀନ ସଶସ୍ତ୍ରବାହିନୀ ପ୍ରତିଷ୍ଠାର100ତମ ବାର୍ଷିକୀ ।

ସେପଟେ ପ୍ରଥମେ ବ୍ୟବହାର ନକରିବା ନିୟମ ବା ନୋ ଫାଷ୍ଟ ୟୁଜ ନିୟମକୁ ଚୀନ ଏଡାଇଦେବା ନେଇ ଆଶଙ୍କା ଘନୀଭୂତ ହେବାରେ ଲାଗିଛି । ଋଷ ନିକଟରେ ବହୁସଂଖ୍ୟକ ଆଣବିକ ଅସ୍ତ୍ର ରହିଥିବା କାରଣରୁ ଆମେରିକା ନେତୃତ୍ବାଧୀନ ନାଟୋ ବାଧ୍ୟ ହୋଇ ଋଷକୁ ଟକ୍କର ଦେବାକୁ ସାହସ ଜୁଟାଇପାରୁନାହିଁ । ସେପଟେ ଚୀନ ବି ପାଦେ ଆଗକୁ ଯାଇ ଆଣବିକ ଅସ୍ତ୍ର ସଂଖ୍ୟା ବଢାଇବା ଆଭିମୁଖ୍ୟ ରଖୁଥିବାରୁ ଏହାକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି ।

ବର୍ତ୍ତମାନର ରିପୋର୍ଟ ଅନୁସାରେ ଋଷ ନିକଟରେ ୫ହଜାର ୯୭୭ଟି ଓ ଆମେରିକା ନିକଟରେ ୫ହଜାର ୪୨୮ଟି ଆଣବିକ ଅସ୍ତ୍ର ରହିଛି । ସେହିପରି ଫ୍ରାନ୍ସ ନିକଟରେ ୨୯୦, ବ୍ରିଟେନ ନିକଟରେ ୨୨୫ଟି ଆଣବିକ ଅସ୍ତ୍ର ରହିଛି । ପାକିସ୍ତାନ ନିକଟରେ ୧୬୫ଟି ଆଣବିକ ଅସ୍ତ୍ର ରହିଥିବାବେଳେ ଭାରତ ନିକଟରେ ୧୬୦ଟି ରହିଛି । ଏବେ ବିଶ୍ବକୁ ଚମକ ଦେଖାଉଥିବା ଉତ୍ତରକୋରିଆ ନିକଟରେ ୨୦ଟି ଆଣବିକ ଅସ୍ତ୍ର ରହିଥିବା କୁହାଯାଉଥିବାବେଳେ ବାସ୍ତବରେ ଏହି ସଂଖ୍ୟା ବହୁ ଅଧିକ ବୋଲି ଆଶଙ୍କା କରାଯାଉଛି ।

ଦୋଷୀ ସାବ୍ୟସ୍ତ ଅବଦୁର ରେହମାନର ଆଜି ହେବ ଦଣ୍ଡ ଘୋଷଣା

କଟକ : ଆତଙ୍କବାଦ କାର୍ଯ୍ୟକଳାପ ପ୍ରଚାରପ୍ରସାର କରିବା ଅଭିଯୋଗ । ଦୋଷୀ ସାବ୍ୟସ୍ତ ଆତଙ୍କବାଦୀ ଅବଦୁର ରେହମାନର ହେବ ଆଜି ଦଣ୍ଡଘୋଷଣା । କଟକ ଜଗତପୁର ଅଞ୍ଚଳର ଅବଦୁର ରେହମାନକୁ ଦୋଷୀ ସାବ୍ୟସ୍ତ କରିଥିଲେ ଦିଲ୍ଲୀ ପଟିଆଲା ହାଉସକୋର୍ଟ ।

ଆତଙ୍କବାଦ କାର୍ଯ୍ୟକଳାପ ପ୍ରଚାରପ୍ରସାର କରିବା ଅଭିଯୋଗରେ ୨୦୧୫ ମସିହା ଡିସେମ୍ବର ୧୬ରେ ଅବଦୁରକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ  । ଜଗତପୁରର ପଶ୍ଚିମକଚ୍ଛ ଗାଁରୁ ଅବଦୁରକୁ ଗିରଫ କରାଯାଇଥିଲା । ଅବଦୁର ଅଲକାଏଦା ଇଣ୍ଡିଆନ୍ ସବକଣ୍ଟିନେଣ୍ଟର ସଦସ୍ୟ ବୋଲି ଜଣାପଡ଼ିଥିଲା।

ସେ ସଂଗଠନର ନିଯୁକ୍ତି କଥା ବୁଝୁଥିଲା ବୋଲି ପୁଲିସ୍ କହିଥିଲା। ଅନେକ ଥର ପାକିସ୍ତାନ ଯାଇ  ଆତଙ୍କବାଦୀ ସଂଗଠନର ମୁଖିଆଙ୍କୁ ଭେଟିଥିଲା  । ତଦନ୍ତ ସମୟରେ ଅବଦୁର ପାଖରୁ ମୋବାଇଲ୍, ଟାବଲେଟ୍ ଓ ପାସପୋର୍ଟ ଜବତ ହୋଇଥିଲା । ବେଆଇନ ମଦ୍ରାସା ଚଳାଇବା , ଅସ୍ତ୍ରଶସ୍ତ୍ର ତାଲିମ ଦେବା ଓ ଉତ୍ତେଜନା ପ୍ରବଣ ଭାଷଣ ଦେବା ଆଦିର ପ୍ରମାଣ ପୋଲିସ ହାତରେ ଲାଗିଥିଲା । ବାରମ୍ବାର ଅବଦୁରକୁ NIA ରିମାଣ୍ଡରେ ନେଇ ତଦନ୍ତ କରିସାରିଛି।

କେନ୍ଦ୍ର ବିରୋଧରେ ଆଜିଠୁ ବିଜେଡିର ରଣହୁଙ୍କାର

ଭୁବନେଶ୍ବର : ଚାଉଳ ଓ ଧାନ ସଂଗ୍ରହ ପ୍ରସଙ୍ଗରେ କେନ୍ଦ୍ରର ଚରମ ଅବହେଳା ବିରୋଧରେ ଆଜିଠୁ ତିନିଦିନ ପାଇଁ ଆନ୍ଦୋଳକୁ ଓହ୍ଲାଇବ ବିଜେଡି । ଆଜି ପୂର୍ବାହ୍ନରେ ରାଜଭବନ ଆଗରେ ବିଜେଡି ତରଫରୁ କେନ୍ଦ୍ର ବିରୋଧରେ ବିକ୍ଷୋଭ ଓ ବିଶାଳ ସମାବେଶ କରାଯିବ । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ୧୫ତାରିଖରେ ପ୍ରତି ପଞ୍ଚାୟତ ହେଡକ୍ବାର୍ଟରରେ ଆନ୍ଦୋଳନ କରିବ ବିଜେଡି । ୧୬ତାରିଖରେ ବ୍ଲକ ଓ ଜିଲ୍ଲାପାଳ ଅଫିସଙ୍କ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ।

ଚଳିତବର୍ଷ କେନ୍ଦ୍ର ସରକାର ବଜେଟରେ ଧାନ ସଂଗ୍ରହ ବାବଦରେ ୨୦ହଜାର କୋଟି ଟଙ୍କା ହ୍ରାସ କରିଛନ୍ତି । ଏହା ସହିତ ଉଷୁନା ଚାଉଳ ଉଠାଣ ପରିମାଣ କମାଇଛନ୍ତି । ପୂର୍ବରୁ ଓଡ଼ିଶାରୁ ୧୮ଲକ୍ଷ ମେଟ୍ରିକ ଟନ ଚାଉଳ ଉଠୁଥିଲା ବେଳେ ଏବେ ମାତ୍ର ୪ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବାକୁ କେନ୍ଦ୍ର ଧାର୍ଯ୍ୟ କରିଛି । କେବଳ ବରଗଡ଼ ଜିଲ୍ଲାରୁ ୪ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ ହୋଇଥାଏ ।

ଯଦି କେନ୍ଦ୍ର ସରକାର ମାତ୍ର ୪ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ କରିବେ, ତେବେ ବାକି ୨୯ଜିଲ୍ଲାର ଭାଗ୍ୟ କ’ଣ ହେବ ବୋଲି ବେଜେଡି ପ୍ରଶ୍ନ କରିଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫କେଜି ଚାଉଳ କାଟି ଦେଇଛନ୍ତି କେନ୍ଦ୍ର ସରକାର । କରୋନା କୁପ୍ରଭାବରୁ ଏପର୍ଯ୍ୟନ୍ତ ଗରିବ, ଖଟିଖିଆ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଆର୍ଥିକ ଅବସ୍ଥା ସୁଧୁରି ନାହିଁ । ସେମାନଙ୍କ ଆର୍ଥିକ ଅବସ୍ଥା ସ୍ବାଭାବିକ ହେବାକୁ ଆହୁରି କିଛି ବର୍ଷ ଲାଗିବ । ଚାଉଳ କାଟିଦେଲେ ସେମାନେ ଚଳିବେ କେମିତି ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛି ବିଜେଡି ।

ସେହିପରି ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ କଟିବାରୁ ଧାନ ସଂଗ୍ରହ ମଧ୍ୟ କ୍ଷତିଗ୍ରସ୍ତ ହେବ । କୃଷକମାନେ ଏମଏସପି ପାଇବାରୁ ବଞ୍ଚିତ ହେବେ । କେନ୍ଦ୍ରର ଏହି ଚାଷୀମାରଣ ନୀତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ଚାଷୀ ଓ ଗରିବଙ୍କ ସହିତ ସବୁବେଳେ ବିଜେଡି ଅଛି ଓ ରହିବ । ଓଡ଼ିଶାର କୃଷକଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିବ ବୋଲି ବିଜେଡି କହିଛି ।

ଆଜିଠୁ ଦୁଇଦିନିଆ ଜିଲ୍ଲାପାଳ ସମ୍ମିଳନୀ , ମୁଖ୍ୟମନ୍ତ୍ରୀ ଦେବେ ଗୁରୁମନ୍ତ୍ର

ଭୁବନେଶ୍ବର : ଆଜିଠୁ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ । ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ । ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବାକୁ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ଗୁରୁମନ୍ତ୍ର । ସମ୍ମିଳନୀରେ ଉପସ୍ଥିତ ରହିବେ ରାଜ୍ୟର ସମସ୍ତ ବରିଷ୍ଠ ଅଧିକାରୀ । ବିଭାଗୀୟ ସଚିବମାନେ ନିଜ ବିଭାଗର ରୋଡମ୍ୟାପ୍‌ ବାବଦରେ ପ୍ରେଜେଣ୍ଟେସନ ରଖିବେ ।

ସରକାରଙ୍କ ରୂପାନ୍ତରଣ କାର୍ଯ୍ୟକ୍ରମର ସଠିକ୍ ପରିଚାଳନା ବାବଦରେ ବୁଝାଇବେ ଫାଇଭ-ଟି ସଚିବ । ସରକାରଙ୍କ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ସଠିକ୍ ଢଙ୍ଗରେ ପହଞ୍ଚାଇବା ପାଇଁ ମୁଖ୍ୟ ଶାସନ ସଚିବ ଆଲୋଚନା କରିବେ । ଫୋକସରେ ରହିବ ରୂପାନ୍ତରଣ କାର୍ଯ୍ୟକ୍ରମ, ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବିକାଶ, ପାନୀୟଜଳ, ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିଭୂମି ବିକାଶ ।

ଟେକ୍ନୋଲୋଜି ଓ ସ୍ଥାନୀୟ ଲୋକଙ୍କ ସହଭାଗିତାରେ ସହରୀ ଯୋଜନା ଉପରେ ନଗର ଉନ୍ନୟନ ସଚିବ ପ୍ରେଜେଣ୍ଟେସନ ଦେବେ । ଆମ ହସ୍ପିଟାଲ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ସ୍ବାସ୍ଥ୍ୟ ସଚିବ । ସେହିଭଳି ମହିଳା ସ୍ବୟଂ ସହାୟକ ଗୋଷ୍ଠୀରୁ ଲଘୁ ଓ ମଧ୍ୟମ ଉଦ୍ୟୋଗୀ ହେବାର ରୋଡମ୍ୟାପ୍‌ ବାବଦରେ ବୁଝାଇବେ ମିଶନ ଶକ୍ତି ସଚିବ ।

ଏସଏଚଜିଙ୍କୁ ୫୦ ହଜାର କୋଟି ଟଙ୍କାର ଋଣ ବିନାସୁଧରେ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ବହୁବିଧ ଫସଲ ଚାଷ ଉପରେ କୃଷି ସଚିବ ଏବଂ ପ୍ରଶାସନରେ ଟେକ୍ନୋଲୋଜିର ଭୂମିକା ବାବଦରେ ପ୍ରେଜେଣ୍ଟେସନ ଦେବେ ଆଇଟି ସଚିବ । ଦକ୍ଷତା ବିକାଶ ଉପରେ ବିଭାଗୀୟ ସଚିବ ଗୁରୁତ୍ବ ଦେବାକୁ ଯାଉଥିବା ବେଳେ ଓଡ଼ିଶା କିପରି ପୁଞ୍ଜିପତିଙ୍କ ପ୍ରିୟସ୍ଥାନ ପାଲଟିଛି ସେ ବାବଦରେ ଶିଳ୍ପ ସଚିବ ତଥ୍ୟ ରଖିବେ ।

ସମ୍ମିଳନୀର ଦ୍ବିତୀୟ ଦିନରେ ଏମ୍ଏସଏମ୍ଇ, ଗଣଶିକ୍ଷା, ଜଳସମ୍ପଦ, ପର୍ଯ୍ୟଟନ ସଚିବ ଭବିଷ୍ୟତ ଯୋଜନା ବାବଦରେ ଆଲୋଚନା କରିବେ । ପାନୀୟଜଳ ଉପରେ ବିଭାଗୀୟ ସଚିବ ଓ ଗମନାଗମନ ସୁବିଧା ଉପରେ ତଥ୍ୟ ରଖିବେ ପରିବହନ ସଚିବ । ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ୍‌ ସେବା ଓ ରାଜସ୍ବ ପ୍ରଶାସନକୁ ପିପୁଲ – ଫ୍ରେଣ୍ଡଲି କରିବା ବାବଦରେ ଅର୍ଥ ସଚିବ କହିବେ । ଲୋକଙ୍କ ପାଖରେ ସରକାରଙ୍କ ଯୋଜନା ପହଞ୍ଚାଇବାକୁ ଜିଲ୍ଲାପାଳଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବାରୁ ଏହି ସମ୍ମିଳନୀକୁ ଗୁରୁତ୍ବ ଦିଆଯାଉଛି ।

ବିବାହକୁ ୭ଦିନ ନପୂରୁଣୁ ଦୁର୍ଘଟଣାରେ ଚାଲିଗଲା ନବଦମ୍ପତିଙ୍କ ଜୀବନ

ବ୍ରହ୍ମପୁର: ସାତ ଜନମ ଲାଗି ସାଥୀ ହୋଇଥିଲେ । ହେଲେ ବିବାହର ସାତ ଦିନ ନ ଯାଉଣୁ ଆରପାରିକୁ ଚାଲିଗଲେ ନବଦମ୍ପତି । ଏପରି ଏକ ମର୍ମନ୍ତୁଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରାରେ । ଗତ ୧୦ ତାରିଖରେ ବ୍ରହ୍ମପୁର ଅଞ୍ଚଳର ସିଏଚ.ପ୍ରବଣିକାଙ୍କ ସହ ଇଚ୍ଛାପୁର ଅଞ୍ଚଳର ଜି.ବେଣୁଙ୍କ ବିବାହ ସମ୍ପନ୍ନ ହୋଇଥିଲା । ପରମ୍ପରା ଅନୁସାରେ ବିବାହର ତୃତୀୟ ଦିନ ମା’ ଘରକୁ ଝିଅ ଓ ଜ୍ବାଇଁ ବ୍ରହ୍ମପୁର ଆସୁଥିବା ବେଳେ ଜାତୀୟ ରାଜପଥ ୧୬ ଅନ୍ତର୍ଗତ ଗୋଳନ୍ଥରା ଥାନା ନିକଟରେ ଏକ ବୋରୱେଲ ଟ୍ରାକ୍ଟର ସହ ବାଇକର ଧକ୍କା ହୋଇଥିଲା ।

ଫଳରେ ଉଭୟ ରାସ୍ତା କଡ଼ରେ ଛିଟିକି ହୋଇ ଗୁରୁତର ଆହତ ହୋଇଥିଲେ । ଗୋଳନ୍ଥରା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପ୍ରବଣିକା ଓ ବେଣୁଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଦୁହିଁଙ୍କ ମୃତ୍ୟୁ ଘଟିଥିଲା । ଟ୍ରାକ୍ଟର ଓ ବାଇକକୁ ପୋଲିସ ଜବତ କରି ତଦନ୍ତ କରୁଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତି ସୂଚନା ଦେଇଛନ୍ତି ।

କଟକରେ ବିଏସକେୱାଇ କାର୍ଡଧାରୀ ରୋଗୀଙ୍କୁ ଚିକିତ୍ସା ଅବହେଳା ଅଭିଯୋଗ

କଟକ: କଟକରେ ବିଏସକେଓ୍ବାଇ କାର୍ଡଧାରୀ ରୋଗୀଙ୍କୁ ଚିକିତ୍ସା ଅବହେଳା ଅଭିଯୋଗ । କେଶରପୁର ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ ବିରୁଦ୍ଧରେ ଅଭିଯୋଗ ଆଣିଲେ ହିତାଧିକାରୀ । ଏନେଇ ଦରଘା ବଜାର ଥାନାରେ ଲିଖିତ ଏତଲା ଦେଲେ ରୋଗୀଙ୍କ ପରିବାର ଲୋକ । ହସ୍ପିଟାଲର ମାଲିକଙ୍କୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି । ସମ୍ପୃକ୍ତ ହସ୍ପିଟାଲ ୩ ଲକ୍ଷ ଟଙ୍କା ନେବା ସହ ବିଏସକେଓ୍ବାଇ କାର୍ଡରେ ପ୍ରାୟ ୪ ଲକ୍ଷ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି ।

ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା ପରେ ଆତ୍ମହତ୍ୟା କଲେ ମହିଳା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଡୁରୁକୁଳିଆ ଗାଁରେ ଅଭାବନୀୟ ଘଟଣା । ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ମହିଳା । ମୃତ୍ୟୁର କାରଣ ଅସ୍ପଷ୍ଟ । ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ପୋଲିସ୍ । ମୃତ ମହିଳା ହେଲେ ଭୀମସେନ ନାୟକଙ୍କ ସ୍ତ୍ରୀ କ୍ଷଣପ୍ରଭା ନାୟକ । କ୍ଷଣପ୍ରଭା ନିଜର ସାଢ଼େ ୩ ବର୍ଷର ଶିଶୁପୁତ୍ର ଓ ଅନ୍ୟଜଣେ ୨ ବର୍ଷର ଶିଶୁପୁତ୍ରଙ୍କର ତଣ୍ଟିଚିପି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

କ୍ଷଣପ୍ରଭାଙ୍କର ବଡ଼ଝିଅ ଆଜି ସ୍କୁଲରୁ ଫେରି ଘରର କବାଟ ବନ୍ଦ ଥିବା ଦେଖିଥିଲେ । ଅନେକ ବାଡ଼ାଇବା ପରେ କବାଟ ନଖୋଲିବାରୁ ପଡ଼ୋଶୀମାନେ ଘରର ଟାଇଲ୍ ଖୋଲିବା ପରେ ଘଟଣା ଜଣାପଡ଼ିଥିଲା । କ୍ଷଣପ୍ରଭାଙ୍କ ସ୍ଵାମୀ ଭୀମସେନ ଜମିକୁ ଚାଷ କରିବାକୁ ଯାଇଥିବା ବେଳେ, ଶ୍ବଶୁର କେନ୍ଦୁଝର ଯାଇଥିଲେ ଓ ଶାଶୁ ଛେଳି ଚରାଇବାକୁ ଯାଇଥିଲେ । ଖବର ପାଇ ଚମ୍ପୁଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଦିଲ୍ଲୀ ମେୟର ନିର୍ବାଚନ ମାମଲା; ସୁପ୍ରିମକୋର୍ଟଙ୍କ ମୌଖିକ ମତ ପରେ ବିଜେପିକୁ ଝଟକା

ନୂଆଦିଲ୍ଲୀ: ଦିଲ୍ଲୀ ମେୟର ନିର୍ବାଚନ ମାମଲା । ସୁପ୍ରିମକୋର୍ଟଙ୍କ ମୌଖିକ ମତ ପରେ ବିଜେପିକୁ ଲାଗିଛି ଧକ୍କା । କୋର୍ଟ କହିଛନ୍ତି- ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ମନୋନୀତ ସଦସ୍ୟ ଭୋଟ ଦେଇପାରିବେ ନାହିଁ । ତେବେ ଆସନ୍ତା ଶୁକ୍ରବାର ମାମଲାର ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ । ମେୟର ନିର୍ବାଚନରେ ମନୋନୀତ ସଦସ୍ୟଙ୍କୁ ଭୋଟ ଦେବାକୁ ଅନୁମତି ନଥିବା ବେଳେ ଉପରାଜ୍ୟପାଳ ଏ ନେଇ ଅନୁମତି ଦେବାରୁ ବିବାଦ ଆରମ୍ଭ ହୋଇଥିଲା ।

ତେବେ ଆଇନ ଅନୁଯାୟୀ ମନୋନୀତ ସଦସ୍ୟଙ୍କ ଭୋଟ ଦେଇପାରିବେ ନାହିଁ ବୋଲି ମାମଲାର ଶୁଣାଣି ପୂର୍ବରୁ କହିଛନ୍ତି ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ । ଆପ ଓ ବିଜେପି ମଧ୍ୟରେ ବିବାଦ ଯୋଗୁ ତିନି ଥର ମେୟର, ଡେପୁଟି ମେୟର ନିର୍ବାଚନ ବନ୍ଦ ରହିଛି । ଜାନୁଆରୀ ୬, ୨୪ ଓ ଫେବୃଆରୀ ୬ ତାରିଖରେ ଏମସିଡି ହାଉସରେ ବୈଠକ ବସିଥିଲେ ବି ଉପରାଜ୍ୟପାଳଙ୍କ ନୂଆ ନିୟମ ଯୋଗୁ ନିର୍ବାଚନ ହୋଇପାରି ନଥିଲା ।

‘ନା ମଙ୍ଗଳସୁତ୍ର ନା ସିନ୍ଦୂର, ଏଇଟା ରିସେପସନ୍ ଥିଲା ନା ଆଓ୍ବାଡ ଶୋ’

ମୁମ୍ବାଇ: ଗତକାଲି ସରିଛି ବଲିଉଡର କ୍ୟୁଟ ଯୋଡ଼ି କିୟାର ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କ ରିସେପସନ୍ । କିଛି ଦିନ ଧରି ଚର୍ଚ୍ଚା ସାଉଁଟିଛି ଏହି ‘ଶେରସାହ’ ସେଲିବ୍ରିଟିଙ୍କ ବିବାହ ବେଳର ଫଟୋ ଏବଂ ଭିଡିଓ।

ଏବେ କିୟାରଙ୍କ ରିସେପସନ ଲୁକ ଦେଖି ଫ୍ୟାନ୍ସ ମାନେ ଚିଡ଼ି ଯାଇଛନ୍ତି । ରିସେପସନରେ କିୟାର ଧଳା ଏବଂ କଳା ଗାଉନ ପିନ୍ଧିଥିବାର ଦେଖାଯାଉଛନ୍ତି । ବେକରେ ପିନ୍ଧିଥିବା ଡାଇମଣ୍ଡ ନେକଲେସ କିୟାରାଙ୍କ ଲୁକକୁ ଚାର୍ ଚାନ୍ଦ ଲଗାଇଦେଉଛି । କିନ୍ତୁ କିୟାରାଙ୍କ ଡ୍ରେସ ଫ୍ୟାନଙ୍କୁ ପସନ୍ଦ ଆସିନି ।

ଫ୍ୟାନମାନେ କିୟାରାଙ୍କ ବେକରେ ମଙ୍ଗଳସୁତ୍ର ଏବଂ ମଥାରେ ସିନ୍ଦୂର ନ ଦେଖି ଚିଡ଼ି ଯାଇଛନ୍ତି । ଫ୍ୟାନମାନେ ତାଙ୍କର ଏହି ଓ୍ବେଷ୍ଟର୍ଣ୍ଣ ଲୁକକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର କମେଣ୍ଟ କରିଛନ୍ତି । କିଛି ଫ୍ୟାନ କହିଛନ୍ତି ନା ଅଛି ମଙ୍ଗଳସୂତ୍ର ନା ଅଛି ସିନ୍ଦୂର, ଆମ ସଂସ୍କୃତି କେତେ କଲରଫୁଲ, କିନ୍ତୁ କିୟାର କେବଳ ଧଳା ଏବଂ କଳାକୁ କାହିଁ ବାଝିଛନ୍ତି । ଏଇଟା ରିସେପସନ କମ୍ ଆଓ୍ବାର୍ଡ ଶୋ’ ଭଳି ଅଧିକା ଲାଗୁଛି । ଆଉ ଜଣେ ସୋସିଆଲ ମିଡିଆ ୟୁଜର୍ ଲେଖିଛନ୍ତି କିୟାରାଙ୍କ ଡ୍ରେସ ପୂରା ବେକାର ହୋଇଛି ।

ହଷ୍ଟେଲ ଛାତରୁ ଡେଇଁ ଛାତ୍ରଙ୍କ ଆତ୍ମହତ୍ୟା

ବମ୍ବେ: ହଷ୍ଟେଲ ଛାତରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ । ବମ୍ବେ ଆଇଆଇଟି କ୍ୟାମ୍ପସରେ ଅଭାବନୀୟ ଘଟଣା । ରବିବାର ଅପରାହ୍ନରେ ଛାତ୍ରଜଣଙ୍କ ହଷ୍ଟେଲର ସପ୍ତମ ମହଲା ଛାତରୁ ଡେଇଁ ପଡ଼ିବା ଯୋଗୁ ମୃତ୍ୟୁ ହୋଇଛି । ଜାତିଆଣ ଆକ୍ଷେପ ସହ୍ୟ କରି ନପାରି ସେ ଛାତରୁ ଡେଇଁ ପଡ଼ିଥିବା କୁହାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ହାତରେ ସୁଇସାଇଡ ନୋଟ ଲାଗି ନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ମୃତ ଛାତ୍ର ହେଲେ ଅହମ୍ମଦାବାଦର ଦର୍ଶନ ସୋଲଙ୍କି । ତିନି ମାସ ତଳେ ସେ ବମ୍ବେ IITରେ ବି-ଟେକରେ ନାମ ଲେଖାଇଥିଲେ । ସଂରକ୍ଷଣ କୋଟା ଯୋଗେ ନାମ ଲେଖାଇଥିବା ପିଲାମାନଙ୍କୁ କ୍ୟାମ୍ପସ ମଧ୍ୟରେ ଅନେକ ସମୟରେ କମେଣ୍ଟ ମାରୁଥିଲେ । ଯାହା ଫଳରେ ଦଳିତ, ଆଦିବାସୀ ଛାତ୍ରମାନେ ମାନସିକ ନିର୍ଯାତନାର ଶିକାର ହେଉଥିଲେ ବୋଲି କଲେଜର କେତେଜଣ ଛାତ୍ର ଟୁଇଟ କରିଛନ୍ତି ।