spot_img
Home Blog Page 3426

ପ୍ରଳୟଙ୍କରୀ ତୁର୍କୀ ଭୂକମ୍ପରେ ବଢ଼ିଚାଲିଛି ମୃତ୍ୟୁର ଗ୍ରାଫ୍, ମୋଟ ମୃତ୍ୟୁ ସଂଖ୍ୟା ୨୧ ହଜାର ପାର୍

ନୂଆଦିଲ୍ଲୀ: ପ୍ରଳୟଙ୍କରୀ ତୁର୍କୀ  ଭୂକମ୍ପରେ ବଢ଼ି ଚାଲିଛି ମୃତ୍ୟୁର ଗ୍ରାଫ୍ । ମୋଟ ମୃତ୍ୟୁ ସଂଖ୍ୟା ହୋଇଛି ୨୧ ହଜାର । ଏବେ ବି ହଜାର ହଜାର ଲୋକ ଧ୍ବଂସାବଶେଷ ତଳେ ଫସିଥିବା ସୂଚନା ମିଳିଛି । ୭୦ରୁ ଅଧିକ ରାଷ୍ଟ୍ରର ରେସ୍କ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ରହିଛନ୍ତି । ସେପଟେ ତୁର୍କୀରେ ଅତି ଆଶ୍ଚର୍ଯ୍ୟଜନକ ଭାବେ ଜଣେ ୬ ବର୍ଷ ବୟସ୍କା ବାଳିକା ନାସରିନଙ୍କୁ ଉଦ୍ଧାର କରିଛନ୍ତି ଭାରତୀୟ ଏନଡିଆରଏଫ ଟିମ୍ । ଗାଜିଆନଟେପ ଅନ୍ତର୍ଗତ ନୁରଦାଗିର ଏକ ଭଗ୍ନ କୋଠା ଭିତରେ ଜଣେ ବାଳିକା ଚାପି ହୋଇରହିଥିବା ସୂଚନା ପାଇବା ମାତ୍ରେ ଏନଡିଆରଏଫ ଟିମ୍ ସାଜିଥିଲେ ଦେବଦୂତ । ତାଙ୍କୁ ଉଦ୍ଧାର କରି ଭାରତୀୟ ଆର୍ମି ଦ୍ବାରା ପ୍ରତିଷ୍ଠିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅପରେସନ ଦୋସ୍ତ ପର୍ଯ୍ୟାୟରେ ତୁର୍କୀରେ ନିଜର କରିସ୍ମା ଦେଖାଇବାରେ ଲାଗିଛନ୍ତି ଭାରତର ୫୧ ଜଣିଆ ସାହସୀ ଟିମ୍ । ତେଣେ ତୁର୍କୀକୁ ବଢ଼ିଛି ସହାୟତାର ହାତ । ବିଶ୍ବବ୍ଯାଙ୍କ ପକ୍ଷରୁ ୧.୭୮ ବିଲିୟନ ଡଲାରର ସହାୟତା ଘୋଷଣା କରାଯାଇଥିବାବେଳେ ଆମେରିକା ୮୫ ନିୟୁତ ଡଲାର ସହାୟତା ଲାଗି ଘୋଷଣା କରିଛି । ଭୟାନକ ଭୂକମ୍ପଜନିତ କ୍ଷତି ପରିମାଣ ୪ ବିଲିୟନ ଡଲାର ବୋଲି ଆକଳନ କରାଯାଇଛି ।

 

ମହାକାଶ ଇତିହାସରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ, ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ SSLV D2 ସଫଳ ଉତକ୍ଷେପଣ

ଶ୍ରୀହରିକୋଟା: ଇତିହାସ ରଚିଲା ଇସ୍ରୋ । ସବୁଠୁ ଛୋଟ SSLVର ସଫଳ ଉତକ୍ଷେପଣ କରିଛି ISRO । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧାଓ୍ବନ ଅନ୍ତରୀକ୍ଷ କେନ୍ଦ୍ରରୁ SSLV- D2 ରକେଟ ଲଞ୍ଚ କରାଯାଇଛି । ଆଜି ସକାଳ ୯ଟା ୧୮ରେ ଏହି ରକେଟ ଲଞ୍ଚ କରାଯାଇଛି । ଏଥିରେ ଆର୍ଥ ଅବଜରବେସନ ସାଟେଲାଇଟ EOS-07 ମହାକାଶକୁ ପଠାଯାଇଛି । ଆମେରିକାର ୧୦.୨ କିଲୋଗ୍ରାମର ଜାସୁସ-୧ ସାଟେଲାଇଟ ମଧ୍ୟ ଏଥିରେ ପ୍ରେରଣ କରଯାଇଛି ।

ଏହାସହ ଭାରତୀୟ ଷ୍ଟାର୍ଟଅପ କମ୍ପାନୀ ସ୍ପେଶ କିଡଜର ଆଜାଦି ସାଟ୍-୨ ମଧ୍ୟ ପଠାଯାଇଛି । ରକେଟ ଉତକ୍ଷେପଣର ୧୩ ମିନିଟ ପରେ ସମସ୍ତ ସାଟେଲାଇଟ ଅରବିଟରେ ପହଞ୍ଚିଛନ୍ତି । ୨୦୨୨ ଅଗଷ୍ଟ ୭ ତାରିଖରେ ଏହି ରକେଟରେ ଦୁଇଟି ସାଟେଲାଇଟ ଛଡ଼ାଯାଇଥିଲା । ମାତ୍ର ଶେଷ ପର୍ଯ୍ୟାୟରେ ଏକ୍ସେଲେରୋମିଟରରେ ତ୍ରୁଟି ଯୋଗୁ ଦୁଇ ସାଟେଲାଇଟ ଭୁଲ ଅରବିଟରେ ପହଞ୍ଚି ଯାଇଥିଲେ । ମାତ୍ର ପ୍ରଥମ ଥରରେ ରକେଟର ସଫଳ ଲଞ୍ଚିଂ କରାଯାଇଥିଲା ।

ସୋମବାର ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ସୋମବାର ବସିବ ରାଜ୍ୟ କ୍ୟାବିନେଟ ଗୁରତ୍ୱପୂର୍ଣ୍ଣ ବୈଠକ । ଅପରାହ୍ଣରେ ଲୋକସେବା ଭବନରେ ବସିବ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ୧୦ରୁ ଅଧିକ ପ୍ରସ୍ତାବ ଉପରେ ଲାଗିବ କ୍ୟାବିନେଟ ମୋହର । ସେହିଦିନ ହିଁ ବସିବ ମନ୍ତ୍ରୀ ପରିଷଦ ବୈଠକ । ୨୦୨୩-୨୪ ଆର୍ଥିକ ବର୍ଷ ବଜେଟକୁ ଅନୁମୋଦନ ମିଳିବ ।

ନବକିଶୋର ଦାସ ହତ୍ୟା ମାମଲା, ଆଜି ଗୋପାଳର ହେବ ନାର୍କୋ ଟେଷ୍ଟ

ଝାରସୁଗୁଡ଼ା: ନବକିଶୋର ଦାସ ହତ୍ୟା ମାମଲା । ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସର ମିଛ ଧରୁଛି କ୍ରାଇମବ୍ରାଞ୍ଚ । ଗୁଜରାଟ ଗାନ୍ଧୀନଗର SFSL ଲ୍ୟାବରେ ଗୋପାଳର ହେଉଛି ମିଛଧରା ପରୀକ୍ଷା । ଗତକାଲି ଗୋପାଳର ପଲିଗ୍ରାଫ ଟେଷ୍ଟ କରାଯାଇଥିବାବେଳେ ଆଜି ନାର୍କୋ ଟେଷ୍ଟ କରାଯିବ । ସ୍ବାସ୍ଥ୍ୟ ପରୀକ୍ଷା ପରେ ଅଭିଯୁକ୍ତର ନାର୍କୋ ଟେଷ୍ଟ ହେବ । ଏଥିପାଇଁ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏକ ଆଠ ଜଣିଆ ଟିମ୍ ଗୋପାଳକୁ ନେଇ ଗୁଜରାଟ ଯାଇଛି ।

ଏହା ପୂର୍ବରୁ ଝାରସୁଗୁଡ଼ାରେ ଗୋପାଳର LVA ଟେଷ୍ଟ କରାଯାଇଛି। ମନସ୍ତତ୍ୱବିତଙ୍କ ଉପସ୍ଥିତିରେ ସ୍ବତନ୍ତ୍ର ମେଡିକାଲ କମିଟି ଅଭିଯୁକ୍ତର ମାନସିକ ସ୍ଥିତି ଅନୁଧ୍ୟାନ କରିଥିଲା। LVA ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଜେରା ବେଳେ ଗୋପାଳ ଦେଇଥିବା ବୟାନ କେତେ ସତ । ତଦନ୍ତକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିନି ତ ଅଭିଯୁକ୍ତ । ମିଛ କହି ମାମଲାକୁ ନୂଆ ମୋଡ଼ ଦେଇନି ତ । ନାର୍କୋ ଟେଷ୍ଟ ମାଧ୍ୟରେ ଗୋପାଳଠୁ ସତ ଆଦାୟ କରିବ କ୍ରାଇମବ୍ରାଞ୍ଚ । ଗତକାଲିଠୁ ଗୋପାଳ ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଆରମ୍ଭ ହୋଇଛି ।

ଆଦାନି ଗ୍ରୁପକୁ ନେଇ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରସଙ୍ଗ, ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଦାନି ଗ୍ରୁପକୁ ନେଇ ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପ୍ରସଙ୍ଗ । ଜଣେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କ ନେତୃତ୍ୱରେ ଏକ ତଦନ୍ତ କମିଟି ଗଠନ କରିବା ସକାଶେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନେଇ ଆଗତ ପିଟିସନର ଆଜି ଶୁଣାଣି କରିବେ କରିବେ ସର୍ବୋଚ୍ଚ ଅଦାଲତ । ଶିଳ୍ପପତି ଗୌତମ ଆଦାନୀ ନେତୃତ୍ବାଧୀନ ବ୍ୟାବସାୟିକ ସାମ୍ରାଜ୍ୟ ପ୍ରସଙ୍ଗରେ ହିଣ୍ଡେନବର୍ଗ ଯେଉଁ ରିପୋର୍ଟ ଦେଇଥିଲା ତାହାକୁ ନେଇ ଷ୍ଟକ ମାର୍କେଟ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ସୃଷ୍ଟି ହୋଇଥିଲା ହଇଚଇ । ଏହାର ଜରୁରୀ ଶୁଣାଣି ଲାଗି କୋର୍ଟ ନିକଟରେ ଆବେଦନ କରିଥିଲେ ଆଡଭୋକେଟ ବିଶାଳ ତିଓ୍ବାରୀ ।

ଏହାସହ ବଡ଼ ବଡ଼ କର୍ପୋରେଟ ମାନଙ୍କୁ ୫୦୦ କୋଟିରୁ ଅଧିକ ଟଙ୍କାର ଋଣ ପ୍ରଦାନ କ୍ଷେତ୍ରରେ ମଞ୍ଜୁରୀ ନୀତିକୁ ଅନୁଧ୍ୟାନ କରିବା ଲାଗି ଏକ ସ୍ବତନ୍ତ୍ର କମିଟି ଗଠନ ପାଇଁ ମଧ୍ୟ ଆବେଦନ କରିଛନ୍ତି ଆଡଭୋକେଟ ତିଓ୍ବାରୀ । ଆମେରିକା ଭିତ୍ତିକ ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚର ନାଥନ ଆଣ୍ଡରସନଙ୍କ ନାମରେ ମାମଲା ରୁଜୁ ଲାଗି ଆଡଭୋକେଟ ଏମଏଲ ଶର୍ମା ଏକ ଜନସ୍ୱାର୍ଥ ମାମଲା ରୁଜୁ କରିବାର କିଛି ଦିନ ପରେ ଆଡଭୋକେଟ ବିଶାଳ ତିଓ୍ବାରୀ ଏହି ମାମଲା ରୁଜୁ କରିଛନ୍ତି । ଆଦାନୀ ଗ୍ରୁପକୁ ନେଇ ଝଡ଼ ସୃଷ୍ଟି ହେବା ପରେ ଲକ୍ଷ ଲକ୍ଷ ନିବେଶକ ଘାଟାରେ ପଡ଼ିଛନ୍ତି ବୋଲି ଦର୍ଶାଇଛନ୍ତି ଆବେଦନକାରୀ ।

ସହିଦନଗର ଥାନା ପରିସରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ଟଙ୍କା କରଜକୁ ନେଇ ଭୁବନେଶ୍ୱର ସହିଦନଗର ଥାନା ପରିସରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ହେଲେ ଗାଡ଼କଣର ବିଚିତ୍ର ପଲେଇ । ନାଲକୋ ଛକରେ ବିଚିତ୍ରଙ୍କର ଏକ ଗାଙ୍ଗୁରାମ ଦୋକାନ ଥିଲା । ଧାର ଟଙ୍କା ଫେରାଇବାରେ ବିଳମ୍ବ କରିବାରୁ ବିଚିତ୍ରଙ୍କୁ କେହି ଅପହରଣ କରି କାରରେ ନେଉଥିବା ବେଳେ ବାଣୀବିହାର ନିକଟରେ ଖସିବାକୁ ଉଦ୍ୟମ କରିଥିଲେ । ଗାଡ଼ି ଭିତରେ ଥିବା ଜଣେ ମହିଳା ଓ ପୁରୁଷଙ୍କ ସହ ମୁହାଁମୁହିଁ ହୋଇଥିଲା । ସେତିକିବେଳେ କାରରୁ ଖସିପଡ଼ିଥିଲେ ବିଚିତ୍ର । ଏହାପରେ ଅପରିଚିତ ବ୍ୟକ୍ତିଙ୍କ ବାଇକ ଜରିଆରେ ସେ ଥାନାକୁ ଯିବାକୁ ଚେଷ୍ଟା କଲା ବେଳେ ଥାନା ପରିସରରେ ପଡ଼ିଯାଇଥିଲେ ।

ଗୁରୁତର ଅବସ୍ଥାରେ ବିଚିତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା ପୋଲିସ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସମସ୍ତ ସିସିଟିଭି ଯାଞ୍ଚ ବି କରାଯାଉଛି । ଗତକାଲି ରାତି ୯.୩୦ ବେଳେ ଘଟିଛି ଅଘଟଣ । ସନ୍ଦିଗ୍ଧ ଅପହରଣକାରୀ ଶାନ୍ତିପଲ୍ଲୀ ବସ୍ତିର ହୋଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ।

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ, ଆଜି ଦ୍ୱିତୀୟ ଦିନରେ ଖେଳ ଆରମ୍ଭ କରିବ ଟିମ୍ ଇଣ୍ଡିଆ

ନାଗପୁର: ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟର ଆଜି ଦ୍ବିତୀୟ ଦିନ । ଆଜି ୭୭ ରନରୁ ପାଳି ଆରମ୍ଭ କରିବ ଟିମ୍ ଇଣ୍ଡିଆ । ଗତକାଲି ପ୍ରଥମ ଦିନରେ ଭ୍ରମଣକାରୀ ଦଳ ଅଲଆଉଟ ହୋଇଯାଇଥିଲା । ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଥିଲା ଦଳ । ରବିନ୍ଦ୍ର ଜାଡେଜା ଓ ଅଶ୍ବିନୀଙ୍କ ସ୍ପିନକୁ ସାମ୍ନା କରିପାରିନଥିଲା କଙ୍ଗାରୁ ଟିମ୍ । ଫଳରେ ପ୍ରଥମ ଦିନରେ ୬୩ ଓଭର ୫ଟି ବଲ ଖେଳି ୧୭୭ ରନରେ ଅଲଆଉଟ ହୋଇଥିଲା ଅଷ୍ଟ୍ରେଲିଆ । ଦଳ ପକ୍ଷରୁ ଲାବୁସାନେ ୪୯ ରନ କରିଥିବା ବେଳେ, ଷ୍ଟିଭ୍ ସ୍ମିଥ ୩୭, ଆଲେକ୍ସ କ୍ୟାରି ୩୬ ଓ ହାଣ୍ଡସକମ୍ବ ୩୧ ରନ କରିଥିଲେ ।

ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ୫ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ଅଷ୍ଟ୍ରେଲିଆ ଅଲଆଉଟ ହେବା ପରେ ମଇଦାନକୁ ଓହ୍ଲାଇଥିବା ଭାରତ ଆରମ୍ଭରୁ ଦୃଢ଼ତାର ସହ ବ୍ୟାଟିଂ କରିଛି । ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ଏକ ଓ୍ବିକେଟ ହରାଇ ୭୭ ରନ କରିଛି । ୨୦ ରନ କରି କେ.ଏଲ ରାହୁଲ ଆଉଟ ହୋଇଛନ୍ତି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଅପରାଜିତ ଅଛନ୍ତି ରୋହିତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ବିନୀ ।

ମେ’ ମାସରେ ଓଜେଇଇ 2023, ଆଜିଠୁ ଆବଦେନ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତା ମେ’ ମାସରେ ହେବ ଓଜେଇଇ-୨୦୨୩ ପରୀକ୍ଷା । ମେ’ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପରୀକ୍ଷା ହୋଇପାରେ । ଏଥିପାଇଁ ଆଜିଠୁ ଆବଦେନ କରିପାରିବେ ଛାତ୍ରଛାତ୍ରୀ । ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଆଗ୍ରହୀ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଓଜେଇଇ । ସିବିଟି ମୋଡରେ ପ୍ରବେଶିକା ପରୀକ୍ଷା କରାଯିବ । ଏଥିପାଇଁ ଅନଲାଇନରେ ଆବେଦନପତ୍ର ପୂରଣ କରିପାରିବେ ଛାତ୍ରଛାତ୍ରୀ । OJEE ଓ୍ୱେବସାଇଟ www.ojee.nic.inରେ ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା, ବ୍ଲୁ ବୁକ୍ ଗାଇଡଲାଇନ ଅନୁସାରେ କାରକେଡ

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ହାଇଆଲର୍ଟରେ ଟ୍ୱିନ୍ ସିଟି । କାରକେଡ ଯିବା ବେଳେ ଲୋକଙ୍କ ପାଇଁ ହେବ ଟ୍ରାଫିକ ଡାଇଭର୍ସନ । ସୁରକ୍ଷା ପାଇଁ ଛାତ ଉପରେ ଜଗିବେ ଗନ ମ୍ୟାନ୍ ପୋଲିସ୍ । ପ୍ରଥମେ warning car ଓ ପଛେ ପଛେ ପାଇଲଟିଂ ଭ୍ୟାନ୍ ଯିବ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ଲୁ ବୁକ୍ ଗାଇଡଲାଇନ ଅନୁସାରେ ଏୟାରପୋର୍ଟରୁ କାରକେଡ କରାଯିବ । ୩୦ଟି କାର୍ ରାଷ୍ଟ୍ରପତିଙ୍କ କାରକେଡରେ ସାମିଲ ହେବ । କ୍ଲିଅରିଂ କାର୍, ଜାମର ଭ୍ୟାନ୍, ଟେକନୋ କାର୍, ଭିଭିଆଇପି କାର୍ ଏହି କାରକେଡରେ ରହିବ ।

ଏସକର୍ଟ-୧ରେ ରାଷ୍ଟ୍ରପତିଙ୍କ ନିଜସ୍ୱ ସୁରକ୍ଷା କର୍ମୀ ଓ ଏସକର୍ଟ-୨ରେ ଓଡ଼ିଶା ପୋଲିସ ଅଫିସର ରହିବେ । ଶେଷରେ ଆମ୍ବୁଲାନ୍ସ ଓ ଫାୟାର ଗାଡ଼ି ରହିବ । ମୋଟ ୪୦ ପ୍ଲାଟୁନ ଫୋର୍ସ ଓ ୨ ଶହ ଅଫିସର ମହାମହିମଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ । ସେହିପରି ମହାମହିମଙ୍କ ଦର୍ଶନ ବେଳେ ଲିଙ୍ଗରାଜ ମନ୍ଦିର ହେବ ନୋ ମ୍ୟାନ୍ ଜୋନ୍ ।

ଆସୁଛନ୍ତି ମହାମହିମ, ମାଟିର ଝିଅଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ଓଡ଼ିଶା

ଭୁବନେଶ୍ୱର: ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ । ସକାଳ ୧୧ଟା ୪୫ ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମହାମହିମ । ଏହା ପରେ ୧୨ଟା ୫ରେ ରାଷ୍ଟ୍ରପତି ଉତ୍କଳ ମଣ୍ଡପରେ ପହଞ୍ଚିବେ । ସେଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ । ସେଠାରୁ ୧ଟା ୨୫ ମିନିଟରେ ମଧ୍ୟାହ୍ନ ଭୋଜନ ନିମନ୍ତେ ରାଜଭବନ ଯିବେ। ରାଜଭବନରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ ୪ଟା ୫ ମିନିଟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ କାର୍ଯ୍ୟକ୍ରମକୁ ଯିବେ ମହାମହିମ । ରାଷ୍ଟ୍ରପତି ହେବା ପରେ ନିଜେ ପଢ଼ୁଥିବା ବିଶ୍ୱବିଦ୍ୟାଳୟକୁ ପ୍ରଥମଥର ପାଇଁ ଯିବେ ମ୍ୟାଡାମ ପ୍ରେସିଡେଣ୍ଟ । ଉତ୍ସବରେ ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣ ରହିବ।

ଏହି ଅବସରରେ ୨୨ ଜଣଙ୍କୁ ସ୍ବର୍ଣ୍ଣପଦକ ଓ ୪ ଜଣଙ୍କୁ ସମ୍ମାନ ସୂଚକ ଡିଲିଟ୍ ଉପାଧି ପ୍ରଦାନ କରାଯିବ । ଏହାସହ ୭ ହଜାର ୪୩୦ ଜଣ ଛାତ୍ରୀଙ୍କୁ ମିଳିବ ଡିଗ୍ରୀ ସାର୍ଟିଫିକେଟ । ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶ୍ରୀମତୀ ପୂର୍ଣମାସି ଜାନି, ପଦ୍ମଶ୍ରୀ ଶ୍ରୀମତୀ ସୁନିଥା କ୍ରିଷ୍ଣନ, ପଦ୍ମଶ୍ରୀ ଡ଼. ଅରୁଣା ମହାନ୍ତିଙ୍କୁ ଡିଲିଟ୍ ଉପାଧି ମିଳିବ । କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ୩୦ଜଣ ସହପାଠୀନୀ ଉପସ୍ଥିତ ରହିବେ। ଆସନ୍ତାକାଲି ସକାଳ ୯ଟା ୧୦ମିନିଟରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଯାଇ ଦର୍ଶନ କରିବେ ମହାମହିମ । ପରେ କଟକ ଗସ୍ତ କରି ବିଦ୍ୟାଧରପୁର ସ୍ଥିତ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ଦ୍ୱିତୀୟ ଜାତୀୟ ଧାନ କଂଗ୍ରେସ ସମ୍ମିଳନୀକୁ ଉଦଘାଟନ କରିବେ ରାଷ୍ଟ୍ରପତି ।