spot_img
Home Blog Page 3428

ଅନ୍ୟର ଜମିକୁ ନିଜର କହି ବିକୁଥିଲେ, କାବୁ କଲା EOW

ଭୁବନେଶ୍ୱର: ଅନ୍ୟର ଜମିକୁ ନିଜର କହି ବିକୁଥିବା ଠକ ରାକେଟକୁ କାବୁ କରିଛି EOW । ଜାଲ୍ କାଗଜପତ୍ର ଠାରୁ ଆରମ୍ଭ କରି ଜମି ବାବଦରେ ସୂଚନା ଦେବା ପାଇଁ ଭଡାଟିଆ ଲୋକଙ୍କୁ ଯୋଗାଡ କରି ଗ୍ରାହକ ଫସାଇ କିଣୁଥିଲେ ଜମି । ଅଭିଯୋଗକୁ ଆଧାର କରି EOW ତଦନ୍ତ ପରେ ୩ ଜଣିଆ ଗ୍ୟାଙ୍ଗ ଧରା ପଡିଛି । ଅଭିଯୁକ୍ତମାନେ ହେଉଛନ୍ତି ହଳଧର ଦାସ, ସୁବୋଧ ପରିଡ଼ା ଓ ଲିପିକା ଦାସ ।

ସବୁଠାରୁ ବଡକଥା ହେଉଛି ମୁଖ୍ୟ ଅଭିଯୁକ୍ତ ହଳଧର ବିଏମସିର ଜଣେ ଅବସରପ୍ରାପ୍ତ କର୍ମଚାରୀ । ନିଜର ଚାକିରୀ ସମୟର ଲିଙ୍କକୁ ବ୍ୟବହାର କରି ଏପରି କରିଥିବା ସନ୍ଦେହ କରୁଛି EOW । ଏନେଇ ଅଧିକ ତଦନ୍ତ ଜାରି ରହିଛି । ଏମାନଙ୍କ ସହ ଆଉ କିଏ ସଂପୃକ୍ତ ଅଛନ୍ତି ଓ ଅନ୍ୟ କେଉଁ ଅପରାଧିକ କାର୍ଯ୍ୟକଳାପରେ ଏମାନଙ୍କ ସମ୍ପୃକ୍ତି ରହିଛି ସେନେଇ ଏବେ EOW ଛାନବିନ କରୁଛି ।

ଋଷିକୂଲ୍ୟା ମୁହାଣରେ ଅଣ୍ଡା ଦେଉଛନ୍ତି ଅଲିଭ୍ ରିଡଲେ କଇଁଛ

ବ୍ରହ୍ମପୁର: ଅଲିଭ୍ ରିଡଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ । ଗଞ୍ଜାମ ଜିଲ୍ଲା ପୁରୁଣାବନ୍ଧ ଗାଁ ନିକଟସ୍ଥ ଋଷିକୂଲ୍ୟା ମୁହାଣ ବେଳାଭୂମିରେ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି l ଦୀର୍ଘ ୭ ବର୍ଷ ପରେ ଚଳିତ ବର୍ଷ ଅଲିଭ୍ ରିଡ୍ଲେ କଇଁଛମାନେ ଦିନବେଳା ଅଣ୍ଡାଦାନ କରିଥିବା ଦେଖିବାକୁ ମିଳିଛି l ଏହି ପ୍ରକ୍ରିୟା ଆହୁରି ତିନି ସପ୍ତାହ ଧରି ଚାଲିବ । ପୂର୍ବ ବର୍ଷ ଅପେକ୍ଷା ପରେ ଚଳିତବର୍ଷ ଏକ ମାସ ବିଳମ୍ବରେ ଅଣ୍ଡାଦାନ ଆରମ୍ଭ ହୋଇଛି ।

କଇଁଛଙ୍କ ଅଣ୍ଡାକୁ ସୁରକ୍ଷା ଦେବା ପାଇଁ ସମୁଦ୍ର ବେଳାଭୂମିର ୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାରିକେଟ୍ ନିର୍ମାଣ କରାଇଛି l ଗଞ୍ଜାମ ବ୍ଲକ ପୋଡ଼ମପେଟା ସମୁଦ୍ର ନିକଟରେ ଦିନ ବେଳା ଶହ ଶହ ସଂଖ୍ୟକ ଅଲିଭ ରିଡଲେ ଅଣ୍ଡାଦାନ କରିଛନ୍ତି । ଯାହାକି ବିରଳ ଘଟଣା ଅଟେ । ବନ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି । 2022ରେ 5ଲକ୍ଷ 50 ହଜାରରୁ ଅଣ୍ଡାଦାନ ହୋଇଥିବା ବେଳେ ଚଳିତ ବର୍ଷ ଆହୁରି ଅଧିକ ହେବ ବୋଲି ଆଶା ରଖିଛି ବନ ବିଭାଗ । ଅଣ୍ଡାଦାନ ପାଇଁ ପରିବେଶ ଅନୁକୂଳ ରହିଛି ।

ଟ୍ରେନ ରହଣୀକୁ ନେଇ ଉତ୍ତେଜନା, ସିଗନାଲ ରୁମରେ ତାଲା ପକାଇଦେଲେ ଲୋକେ

ସମ୍ବଲପୁର: ଏକ୍ସପ୍ରେସ ଟ୍ରେନ ରହଣୀକୁ ନେଇ ବାମରା ଷ୍ଟେସନରେ ଉତ୍ତେଜନା । ସିଗନାଲ ରୁମରେ ତାଲା ପକାଇଦେଲେ ଉତ୍ତ୍ୟକ୍ତ ଲୋକ । ଫଳରେ ଉଭୟ ପଟୁ କୌଣସି ଟ୍ରେନ ଯାତାୟତ ହୋଇପାରୁନି । ସିଗନାଲ ନଥିବାରୁ ଷ୍ଟେସନରେ ଆଜାଦ ହିନ୍ଦ ଏକ୍ସପ୍ରେସ ଅଟକି ରହିଛି । ସିଗନାଲ ନମାନି କୌଣସି ଟ୍ରେନ ଆଗକୁ ବଢିଲେ ବଡ଼ ଅଘଟଣ ହେବାର ଆଶଙ୍କା ରହିଛି । ସ୍ଥିତିକୁ ଦେଖି ୩ଟି ଟ୍ରେନ ବାତିଲ ହୋଇଥିବାବେଳେ ଅନେକ ଟ୍ରେନର ଦିଗ ବଦଳାଯାଇଛି ।

ଉତ୍ତ୍ୟକ୍ତ ଲୋକଙ୍କୁ ସକାଳୁ ଏଯାଏ ସ୍ଥାନୀୟ ପୋଲିସ ଓ ପ୍ରଶାସନ ବୁଝାସୁଝା କଲା ପରେ ମଧ୍ୟ ସ୍ଥିତିରେ କୌଣସି ସୁଦ୍ଧାର ଆସିନି । ପୋଲିସ ସହ ଯୁକ୍ତିତର୍କ କରି ଟେକା ପଥର ମାରିଥିଲେ ଆନ୍ଦୋଳନକାରୀ । ପୋଲିସ ଗାଡିର କାଚ ଭାଙ୍ଗିବା ପରେ ପୋଲିସ ପ୍ରଥମେ ମୃଦୁ ଲାଠି ଚାଳନା କରିଥିଲା । ଏବେ ମଧ୍ୟ ଘଟଣାସ୍ଥଳରେ ଆରପିଏଫ, ଜିଆରପି ଓ ସ୍ଥାନୀୟ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାରେ ଲାଗିଛନ୍ତି । ସେପଟେ ଆନ୍ଦୋଳନକାରୀଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନର ଚିନ୍ତା ବଢିଛି ।

ରେଳ ଚଳାଚଳ ସ୍ବାଭାବିକ ପାଇଁ ସମସ୍ତ ଉଦ୍ୟମ କରାଯାଉଛି । ଗତକାଲି ଏକ୍ସପ୍ରେସ ଟ୍ରେନ ରହଣୀ ଦାବି କରି ସ୍ଥାନୀୟ ଲୋକେ ରେଳରୋକ କରିଥିଲେ । ସମସ୍ତ ଏକ୍ସପ୍ରେସ ଟ୍ରେନ ରହିବ ବୋଲି ଡିଆରଏମ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜି ଟ୍ରେନ ନ ଅଟକିବାରୁ ରେଳ ଷ୍ଟେସନରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ ଗତକାଲିର ପ୍ରତିଶ୍ରୁତିକୁ ଡିଆରଏମ ପ୍ରତ୍ୟାହାର କରିନେଇଥିବା ଜଣାପଡ଼ିଛି । ନିଷ୍ପତ୍ତି ପ୍ରତ୍ୟାହାର ପରେ ଲୋକମାନେ ସିଗନାଲ ରୁମରେ ତାଲା ପକାଇଦେଇଛନ୍ତି

ବିଜେପି ମନ୍ତ୍ରୀଙ୍କୁ ଅଖିଳେଶଙ୍କ ପ୍ରଶ୍ନ, ହସିଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭାରେ ଚାଲିଛି ବଜେଟ ଅଧିବେସନ  । ବିଧାନସଭାରେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ବିରୋଧି ଦଳ ନେତା ଅଖିଳେଶ ଯାଦବ  । ଆଉ ଏମିତି ଢଙ୍ଗରେ ସେ କଟାକ୍ଷ କରୁଥିଲେ ଯେ, ବିଧାନସଭାରେ ହସରେ ଉଠୁଥିଲା-ପଡୁଥିଲା  । ଏମିତିକି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ହସି ପକାଇଥିଲେ  ।

ସମାଜବାଦୀ ପାର୍ଟି ମୁଖ୍ୟ ତଥା ବିରୋଧି ଦଳ ନେତା ଅଖିଳେଶ ଯାଦବ କହିଥିଲେ, ଆମ ରାଜ୍ୟ ସରକାର ଗ୍ଲୋବାଲ ଇନଭେଷ୍ଟମେଣ୍ଟ କରିବାକୁ ଯୋଜନା ଚଳାଇଛନ୍ତି  । ବିଶ୍ୱର ଅନେକ ଦେଶକୁ ଯାଇ ନିବେଶକଙ୍କୁ ନିମନ୍ତ୍ରଣ କରୁଛନ୍ତି  । କିନ୍ତୁ ଆମେରିକା ରାସ୍ତାରେ ଷଣ୍ଢ ଶୋଇଥିବା ଦେଖିଛନ୍ତି କି ? ମନ୍ତ୍ରୀ ସୁରେଶ ଖାନ୍ନାଙ୍କ ଇଙ୍ଗିତ କରି ଅଖିଳେଶ କହିଥିଲେ, ଆପଣ ଆମେରିକା ରାସ୍ତାରେ ଷଣ୍ଢ ଶୋଇଥିବା ଦେଖିଛନ୍ତି କି ? ଅଖିଳେଶଙ୍କ ଏଭଳି ପ୍ରଶ୍ନ ଶୁଣି ବିଧାନସଭାରେ ଉପସ୍ଥିତ ଅନ୍ୟ ସଦସ୍ୟ ମଧ୍ୟ ହସିବାକୁ ଲାଗିଥିଲେ  । ଗୃହର ନେତା ଯୋଗୀ ଆଦିତ୍ୟନାଥ ମଧ୍ୟ ହସକୁ ରୋକି ପାରିନଥିଲେ  ।

ଅଖିଳେଷ ଯାଦବ ବ୍ଜେପି ନେତାଙ୍କୁ ଟାର୍ଗେଟ କରି କହିଥିଲେ, ନିବେଶ ଲୋନ ପାଇଁ କେତେ ଦେଶ ଗଲେ ଆପଣ  । କଣ କେଉଁ ଦେଶରେ ଦେଖିଛନ୍ତି କି ରାସ୍ତାରେ ଷଣ୍ଢ ଶୋଇବାର ? ଯଦି ଜାଣିଥିବେ ଅର୍ଥମନ୍ତ୍ରୀ ଉତ୍ତର ଦେବାକୁ କହିଥିଲେ ଅଖିଳେଶ  । ଆମେରିକା ରାସ୍ତାରେ ଷଣ୍ଢ ଦେଖିଲେ କି ବୋଲି ପ୍ରଶ୍ନ କରିଥିଲେ ଅଖିଳେଶ ଯାଦବ  ।

ସପା ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି, ରାଜ୍ୟରେ ଅନେକ ଲୋକଙ୍କ ଜୀବନ ଯାଉଛି  । ଅନେକ ପ୍ରତିଷ୍ଠିତ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି   । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ଅଫିସର ମଧ୍ୟ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି  । ତାଙ୍କ ପରିବାର ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି  । ସଡ଼କ ଦୁର୍ଘଟଣାରେ ୟୁପିରେ ଅଧିକ ଲୋକଙ୍କ ପ୍ରାଣହାନୀ ଘଟୁଛି  । ପଶୁଙ୍କ ପାଇଁ ଅଧିକାଂଶ ଲୋକ ସଡକ ଦୁର୍ଘଟଣାର ଶିକାର ହେଉଛନ୍ତି  । ଏଥିପାଇଁ ଆମେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରୁଛୁ ବୋଲି କହିଥିଲେ ଅଖିଳେଶ ଯାଦବ  ।

ଅଖିଳେଶ କହିଥିଲେ, ଏହା କମାଲ ରାଜ୍ୟ  । ଏଠି କେବଳ ଷଣ୍ଢ ହିଁ ଷଣ୍ଢ  । ରାଜଧାନୀରେ ଷଣ୍ଢ, ରାଜରାସ୍ତାରେ ଷଣ୍ଢ  । ଯୁଆଡେ ଦେଖିବ ସିଆଡ଼େ ଷଣ୍ଢ  । ପ୍ରଧାନମନ୍ତ୍ରୀଙ୍କ ଭାଷଣ ଉପରେ ସାଧାରଣ ଲୋକଙ୍କ ଭରସା ଥିଲା  । କିନ୍ତୁ ଏଠି ଷଣ୍ଢ ସଂଖ୍ୟା ବଢିଗଲାଣି  । ଗୋଟେପଟେ ସଡକ ଦୁର୍ଘଟଣାରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢୁଥିବାବେଳେ, ଗୋଟେପଟେ ରାଜ୍ୟରେ ଷଣ୍ଢ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି  । ଯାହାକୁ ନେଇ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ସହ ସଡକ ଦୁର୍ଘଟଣାକୁ କଟାକ୍ଷ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଅଖିଳେଶ  ।

କରୋନା ଭୟ, ପୁଅ ସହ ନିଜକୁ ୩ ବର୍ଷ ବନ୍ଦୀ କରି ରଖିଥିଲେ ମହିଳା

ଚଣ୍ଡିଗଡ଼: କରୋନା ହଜାର ହଜାର ଲୋକଙ୍କ ଜୀବନ ନେବା ସହ ପରିବାର ଉଜାଡ଼ି ଦେଇଥିଲା । କାହାର ଜୀବନ ଭିତରକୁ ଏମିତି ଧସେଇ ପଶିଲା ଯେ, ସେହି ଭୟ, ମାନସିକ ଚାପରୁ ମୁକୁଳିବା କଷ୍ଟକର ହୋଇପଡ଼ିଲା । ଏପରିକି ଏବେ ସୁଦ୍ଧା କିଛି ଲୋକ ଅଦୃଶ୍ୟ ଭୂତାଣୁର ଭୟରେ ସନ୍ତୁଳି ହେଉଛନ୍ତି । ବାହାରକୁ ଗଲେ କାଳେ କରୋନା ମାଡ଼ିବସିବ ଏହି ଭୟରେ ଘରୁ ବାହାରୁ ନାହାଁନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ହରିୟାଣାର ଗୁରୁଗ୍ରାମରେ । କରୋନାର ଭୟାନକ ଘଟଣା ବାବଦରେ ଜାଣିବା ପରେ ୩୩ ବର୍ଷିୟା ମୁନମୁନ ମାଝୀ ଅତିମାତ୍ରାରେ ଭୟଭୀତ ହୋଇପଡ଼ିଥିଲେ । ବାହାରକୁ ବାହାରିଲେ କରୋନା ଆକ୍ରାନ୍ତ ହେବା ପକ୍କା ବୋଲି ଧରିନେଇ ସେ ଓ ନିଜର ୧୦ ବର୍ଷୀୟ ପୁଅକୁ ଘର ଭିତରେ ବନ୍ଦ କରି ରଖିଲେ । ଖାସ କରି ପୁଅ ଘରୁ ବାହାରିଲେ କରୋନାରେ ମରିଯିବ ବୋଲି ଧରିନେଇ ଘରେ ତାକୁ ବନ୍ଦ କରି ରଖିଲେ ।

ଏହି ସମୟରେ ମୁନମୁନଙ୍କ ସ୍ବାମୀ ସୁଜାନ ମାଝୀ ଯିଏ କି ଜଣେ ଇଞ୍ଜିନିୟର ସେମାନଙ୍କୁ ଖାଦ୍ୟ ପଦାର୍ଥ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଆସୁଥିଲେ । ଏମିତି ଭାବେ ୩ ବର୍ଷ ବିତିସାରିଥିଲେ ସୁଦ୍ଧା ମୁନମୁନ ଘରୁ ଆଉ ବାହାରିଲେନି । ତିନି ବର୍ଷ ପରେ ବି ଯେତେବେଳେ ଘରୁ ବାହାରିବାକୁ ମୁନମୁନ ମନାକଲେ ସେତେବେଳେ ପୋଲିସର ସାହାଯ୍ୟ ନେଇଥିଲେ ସୁଜାନ । ପୋଲିସ ମୁନମୁନଙ୍କ ଘରେ ପହଞ୍ଚି ଉଦ୍ଧାର କରିବା ସହିତ ତାଙ୍କୁ ଡାକ୍ତରଖାନା ପଠାଇଥିଲେ । ଘରେ ତିନି ବର୍ଷର ଅଳିଆ ଆବର୍ଜନା ପଡ଼ି ଗନ୍ଧମୟ ପରିବେଶ ହୋଇସାରିଥିଲା । ୭ ବର୍ଷର ପୁଅ ୧୦ ବର୍ଷର ହୋଇସାରିଥିଲା । ତା ମୁଣ୍ଡର ଚୁଟି କାନ୍ଧ ଯାଏଁ ଲମ୍ବି ଆସିଥିଲା । ଏପରି ଅବସ୍ଥାରେ ଦେଖି ପୋଲିସ ତାଜୁବ ହୋଇପଡିଥିଲା । ହେଲେ ସେ ନିଜକୁ ଫିଟ୍ ବୋଲି କହିଥିଲେ ମୁନମୁନ । ସେପଟେ ସ୍ତ୍ରୀ ଓ ପୁଅ ବାହାରକୁ ଆସିବା ପରେ ଖୁବ ଶୀଘ୍ର ତାଙ୍କ ଜୀବନ ଟ୍ରାକକୁ ଫେରିବ ବୋଲି କହିଛନ୍ତି ସୁଜାନ ମାଝୀ ।

ରାସ୍ତାରୁ ହଟିବ ୧୫ବର୍ଷରୁ ଅଧିକ ପୁରୁଣା ଗାଡ଼ି

ଭୁବନେଶ୍ୱର: ରାସ୍ତାରୁ ହଟିବ ୧୫ବର୍ଷରୁ ଅଧିକ ପୁରୁଣା ଗାଡ଼ି। ଫିଟନେସ ଠିକ୍ ନଥିବା ଯାନକୁ ସ୍କ୍ରାପ କରାଯିବ। ରାଜ୍ୟରେ ୨୦ ଲକ୍ଷରୁ ଅଧିକ ଗାଡ଼ି ରାସ୍ତାରୁ ହଟିବ। କେଉଁ କେଉଁ ଗାଡ଼ି ହଟିବ ସେ ନେଇ ଗୃହରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ ।

୨୦୨୩ ମାର୍ଚ୍ଚ ସୁଦ୍ଧା ପୁରୁଣା ଗାଡ଼ି ହଟାଇବାକୁ ନିଷ୍ପତ୍ତି ହୋଇଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ।

କୋଭିଡ ସତ୍ୱେ ଅଟକିନି ରାଜ୍ୟର ଅଭିବୃଦ୍ଧି ହାର, ୨୦୨୨ରେ ଥିଲା ୭.୮ ପ୍ରତିଶତ

ଭୁବନେଶ୍ୱର: ୨୦୨୨ରେ ରାଜ୍ୟର ଅଭିବୃଦ୍ଧି ୭.୮ ପ୍ରତିଶତ ରହିଥିଲା । ଚଳିତବର୍ଷ ଏହି ଅଭିବୃଦ୍ଧି ୭.୦ ହେବ ବୋଲି ଆକଳନ କରାଯାଇଥିଲା । କୋଭିଡ ସତ୍ତ୍ବେ ପ୍ରଗତି ପଥରେ ଆଗଉଛି ରାଜ୍ୟର ଅଭିବୃଦ୍ଧି । କୋଭିଡ କାଳରେ ରାଜ୍ୟର ଅଭିବୃଦ୍ଧି ୭.୧ ପ୍ରତିଶତ ଥିଲା । ୨୦୨୩-୨୪ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮ରୁ ୮.୫ ପ୍ରତିଶତ ରହିବ । ୨୦୨୨-୨୩ ଅର୍ଥନୈତିକ ସର୍ଭେ ରିପୋର୍ଟରେ ତଥ୍ୟ ଦେଉଛନ୍ତି ସରକାର ।

ବିଶ୍ବରେ ଆର୍ଥିକ ମାନ୍ଦାବସ୍ଥା ସତ୍ବେ ରାଜ୍ୟ ରାଜସ୍ବ ସଂଗ୍ରହରେ ରେକର୍ଡ ସୃଷ୍ଟି । ରାଜ୍ୟରେ ମୁଣ୍ଡ ପିଛା ଆୟ ୧ଲକ୍ଷ ୫୦ହଜାର ୬୭୬ ରହିଛି । ମୁଣ୍ଡ ପିଛା ଆୟ ବୃଦ୍ଧିରେ ଜାତୀୟ ହାରଠାରୁ ଅଧିକ ରହିଛି । ୨୦୧୧-୧୨ରୁ ୨୦୨୨-୨୩ ମଧ୍ୟରେ ମୁଣ୍ଡପିଛା ଆୟ ୧୦.୯ପ୍ରତିଶତ ବଢ଼ିଛି । କୃଷି କ୍ଷେତ୍ରରେ ବ୍ୟାପକ ଭିତ୍ତିଭୂମି ବିକାଶ ଓ ବିପଣନ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହୋଇଛି । ରୋଜଗାର ବୃଦ୍ଧି ଉପରେ ରାଜ୍ୟ ସରକାର ଜୋର ଦେଇଛନ୍ତି । ରାଜ୍ୟରେ ମହିଳାମାନଙ୍କୁ ଆତ୍ମନିଯୁକ୍ତିରେ ଜାତୀୟ ହାରଠୁ ଅଧିକ ସଫଳତା ପାଇଛି ଓଡ଼ିଶା ।

ମହିଳାଙ୍କ ନିଯୁକ୍ତି ହାର ଜାତୀୟ ସ୍ତରରେ ୩୨.୫ ପ୍ରତିଶତ। ଓଡ଼ିଶାରେ ନିଯୁକ୍ତି ହାର ୩୩.୨ପ୍ରତିଶତ ମହିଳାଙ୍କୁ ନିଯୁକ୍ତି। ବିତ୍ତୀୟ ପରିଚାଳନାରେ ଓଡ଼ିଶା ଭଲ ପ୍ରଦର୍ଶନ କରିଆସିଛି । ଗତ ୧୭ବର୍ଷରେ ନିରନ୍ତର ଭାବେ ବଳକା ରାଜସ୍ୱ ମାନ୍ୟତା ପାଇଛି ଓଡ଼ିଶା । ୨୦୧୯-୨୦ରେ ରାଜ୍ୟ ଘରୋଇ ଉତ୍ପାଦରେ ଅନ୍ୟ ରାଜ୍ୟକୁ ପଛରେ ପକାଇଛି । ହରିୟାଣା, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ତାମିଲନାଡୁକୁ ପଛରେ ପକାଇଛି ଓଡ଼ିଶା ।

କାଳ ହେଲା ଶିକାର ନିଶା, ନିଜ ଗୁଳିରେ ପ୍ରାଣ ହରାଇଲେ ଶିକାରୀ

ରାୟଗଡ଼ା: କାଳ ହେଲା ଶିକାର ନିଶା। ଅସାବଧାନତା ଯୋଗୁ ନିଜ ଗୁଳିରେ ପ୍ରାଣ ହରାଇଲେ ଶିକାରୀ। ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ନିୟମଗିରି ପାହାଡ଼ ଉପରେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ରାତିରେ କୁଲି ପଞ୍ଚାୟତର ବୁଟୁ ଜକେସିକା ଶିକାର ପାଇଁ ଯାଇଥିବା ବେଳେ ହାତରୁ ବନ୍ଧୁକ ଖସିଯାଇଥିଲା।

ଗୁଳି ତାଙ୍କ ପେଟରେ ବାଜିବାରୁ ବୁଟୁ ଗୁରୁତର ଆହତ ହୋଇଥିଲେ। ତାଙ୍କୁ  କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବରପାଇ ପୋଲିସ ହସ୍ପିଟାଲରେ ପହଞ୍ଚିବା ପରେ ବୁଟୁଙ୍କ ଗାଁକୁ ଯାଇ କେତେଜଣଙ୍କୁ ପଚରାଉଚରା କରିଛି। ପୋଲିସ ବନ୍ଧୁକ ଜବତ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।

ଚିଟଫଣ୍ଡ କମ୍ପାନୀ ଶ୍ରୀଭୂମି ଗ୍ରୁପର ୨୪ଏକର ସମ୍ପତ୍ତି ନିଲାମ ନିର୍ଦ୍ଦେଶ

କଟକ: କଟକ ଚିଟଫଣ୍ଡ କମ୍ପାନୀ ଶ୍ରୀଭୂମି ଗ୍ରୁପର ୨୪ଏକର ସମ୍ପତ୍ତି ନିଲାମ ନିର୍ଦ୍ଦେଶ। ନିଲାମ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ବତନ୍ତ୍ର ଚିଟ ଫଣ୍ଡ କୋର୍ଟ। କମ୍ପାନୀ ବିଭିନ୍ନ ଲୋଭନୀୟ ସ୍କିମ ଜରିଆରେ ଲୋକଙ୍କୁ ପ୍ରଲୋଭିତ କରି କୋଟି କୋଟି ଟଙ୍କା ଆଦାୟ କରିଥିବା ବେଳେ ଲୋକମାନେ ଠକେଇର ଶିକାର ହୋଇଥିଲେ।

୨୦୧୫ରୁ କମ୍ପାନୀ ଲୋକଙ୍କ ଠାରୁ ମୋଟ ୭ କୋଟି ଟଙ୍କା ଆଦାୟ କରିଥିଲା। ମାତ୍ର ଲୋକମାନଙ୍କୁ ଟଙ୍କା ଫେରାଇ ନଥିଲା। ପୂର୍ବରୁ କମ୍ପାନୀର ୪୬ ଏକର ଜମି ବାଜ୍ୟାପ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏପର୍ଯ୍ୟନ୍ତ ମୋଟ ୨୩ଟି କମ୍ପାନୀର ସମ୍ପତ୍ତି ବାଜ୍ୟାପ୍ତି ହୋଇଛି।

ଦିଲ୍ଲୀ ବିମାନବନ୍ଦରରେ କଂଗ୍ରେସ ନେତା ପଓ୍ବନ ଖେରା ଗିରଫ, ଖେରାଙ୍କୁ ଗିରଫ କଲା ଆସାମ ପୋଲିସ

ନୂଆଦିଲ୍ଲୀ: ପୁଣି ଗଣତନ୍ତ୍ର ଉପରେ ଆକ୍ରମଣ । କଂଗ୍ରେସ ପ୍ଲେନାରି ସେସନକୁ ଯିବାବେଳେ ଦିଲ୍ଲୀରେ ଗିରଫ ହେଲେ କଂଗ୍ରେସର ବରିଷ୍ଠ ନେତା ତଥା ମିଡିଆ ଇନ ଚାର୍ଜ ପଓ୍ବନ ଖେରା । ଖେରାଙ୍କୁ ଗିରଫ କରିଛି ଆସାମ ପୋଲିସ । ଆସାମର ଦିମା ହାସାଓ ଜିଲ୍ଲା ଅନ୍ତର୍ଗତ ହାଫଲଙ୍ଗ ପୋଲିସ ଷ୍ଟେସନରେ ଖେରାଙ୍କ ନାମରେ ଏକ ମାମଲା ରହିଛି ବୋଲି କହିଛନ୍ତି ଆସାମ ପୋଲିସ ଆଇଜି ପ୍ରଶାନ୍ତ ଭୂୟାଁ ।

ଆଜି ଦିଲ୍ଲୀରୁ ଛତିଶଗଡ଼ ଯିବା ଲାଗି କଂଗ୍ରେସ ନେତା ତଥା ମିଡିଆ ଇନ-ଚାର୍ଜ ପଓ୍ବନ ଖେରାଙ୍କୁ ଅନୁମତି ଦିଆଯାଇ ନଥିଲା । ପ୍ରତିବାଦରେ ଦିଲ୍ଲୀ ବିମାନ ବନ୍ଦରରେ କଂଗ୍ରେସ କର୍ମୀ ହଙ୍ଗାମା କରିଥିଲେ । ଇଣ୍ଡିଗୋ ଏୟାରଲାଇନ୍ସ କହିଛି- ଖେରାଙ୍କୁ ନ ନେବା ଲାଗି ନିର୍ଦ୍ଦେଶ ଆସିବା ପରେ ତାଙ୍କୁ ବିମାନରେ ନିଆଯାଇନାହିଁ । ସେପଟେ ରାୟପୁରରେ କଂଗ୍ରେସ ପ୍ଲେନାରୀ ସେସନକୁ ଯିବା ଲାଗି ପଓ୍ବନ ଖେରାଙ୍କୁ ଅନୁମତି ଦିଆନଯିବାକୁ ନେଇ ରାଜନୀତି ବଢିଛି । ଏହି ଘଟଣା ପରେ ଖେରା କହିଛନ୍ତି- ପ୍ରଥମେ ଜଣେ ଡିସିପି ଆସି ଲଗେଜ ସମ୍ପର୍କରେ ଟିପ୍ପଣୀ ଦେଇଥିଲେ । ପରେ ସେ ରାୟପୁର ଯାଇପାରିବେ ନାହିଁ ବୋଲି ଅଫିସର କହିଥିଲେ ।

ଏହି ବିମାନରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଳ, ସାଧାରଣ ସମ୍ପାଦକ ରଣଦୀପ ସୂର୍ଯେଓ୍ବାଲା ପ୍ରମୁଖ ରାୟପୁର ଯିବାର ଥିଲା । ଗତ ଫେବ୍ରୁଆରୀ ୧୭ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଖେରା ଏକ ଟିପ୍ପଣୀ ଦେବାକୁ ନେଇ ତାଙ୍କ ନାମରେ ଉତ୍ତରପ୍ରଦେଶ ହାଜରତଗଞ୍ଜ ଥାନାରେ ଏକ ମାମଲା ଦାୟର ହୋଇଥିଲା ।