spot_img
Home Blog Page 3435

ଭୂକମ୍ପ ନେଇ ଭବିଷ୍ୟବାଣୀ କରିଥିଲେ ୟୁରୋପର ବୈଜ୍ଞାନିକ

ନୂଆଦିଲ୍ଲୀ : ତୁର୍କୀ ଭୂକମ୍ପ ନେଇ ଭବିଷ୍ୟବାଣୀ କରିଥିଲେ ୟୁରୋପର ବୈଜ୍ଞାନିକ । ତୁର୍କୀରେ ଖୁବଶୀଘ୍ର ପ୍ରଳୟଙ୍କରୀ ଭୂକମ୍ପ ଆସିବ ବୋଲି ଡଚ୍ ସାଇଣ୍ଟିଷ୍ଟ ଫ୍ରାଙ୍କ ହୋଗରବିଟସ କହିଥିଲେ । ସୋଲାର ସିଷ୍ଟମ ଜିଓଗ୍ରାଫିକ ସର୍ଭେର ଏହି ରିସର୍ଚ୍ଚର ସୋସିଆଲ ମିଡିଆରେ ଏ ନେଇ ସତର୍କ କରାଇଥିଲେ । ଏ ନେଇ ଫେବୃଆରୀ ୩ ତାରିଖରେ ସେ ଟୁଇଟ କରିଥିଲେ ।

ସେ କହିଥିଲେ ଆଜି ନୁହେଁ ତ କାଲି, ଖୁବଶୀଘ୍ର ତୁର୍କୀରେ ୭.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହେବ । ଏଥିରେ ୨ହଜାରରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହେବ ଓ ହଜାର ହଜାର ଲୋକ ଗୁରୁତର ହେବେ । ନିଜ ଟୁଇଟର ପୋଷ୍ଟରେ ସେ ଏକ ମ୍ୟାପ ମଧ୍ୟ ପୋଷ୍ଟ କରିଥିଲେ । ସୋମବାର ତୁର୍କୀରେ ଶକ୍ତିଶାଳୀ ଭୂକମ୍ପ ଝଟକା ପରେ ତିନି ଦିନ ତଳେ ଡଚ୍ ସାଇଣ୍ଟିଷ୍ଟ କରିଥିବା ଏହି ଟୁଇଟ ଭାଇରାଲ ହେବାରେ ଲାଗିଛି । ଏବେ ସୁଦ୍ଧା ୩୨ଲକ୍ଷ ଭିଉଜ ଓ ୩୨ହଜାରରୁ ଊର୍ଦ୍ଧ୍ବ ରିଟୁଇଟ କରାଯାଇଛି ।

ଶକ୍ତିଶାଳୀ ଝଟକାରେ ଛାରଖାର ଅନେକ ସହର, ମୃତ୍ୟୁସଂଖ୍ୟା ୪ହଜାର ପାର

ନୂଆଦିଲ୍ଲୀ : ମିଡିଲ ଇଷ୍ଟରେ ପ୍ରଳୟଙ୍କରୀ ଭୂକମ୍ପ । ପ୍ରକୃତି କୋପରେ କ୍ଷୟକ୍ଷତିର କଳନା କରିବା ବି କଷ୍ଟକର ହୋଇପଡ଼ିଛି । ରାଜନୈତିକ ଅସ୍ଥିରତା ଭିତରେ ସମସ୍ତେ ଏକାଠି ହୋଇ ଏହି ବିପତ୍ତିର ସାମ୍ନା କରୁଛନ୍ତି । ୪ଦେଶରେ ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଥଇବା ବେଳେ ଭୂକମ୍ପ କେନ୍ଦ୍ରସ୍ଥଳ ଥିବା ତୁର୍କୀ ସବୁଠୁ ଅଧିକ କ୍ଷତି ସହିଛି । ଦକ୍ଷିଣ ତୁର୍କୀର ୧୦ ସହର ଛାରଖାର ହୋଇଯାଇଛି ।

ଅନେକ ଲୋକ ମାଟି ତଳେ ସମାଧି ନେଇଯାଇଥିବା ଆଶଙ୍କା କରାଯାଉଥିବା ବେଳେ ମୃତ୍ୟୁ ସଂଖ୍ୟା ୪ହଜାର ପାର କରିଛି । ୭.୮, ୭.୬ ଓ ୬.୦ ତୀବ୍ରତାର ଲଗାତାର ତିନି ଭୂକମ୍ପ ମୃତ୍ୟୁର ତାଣ୍ଡବ ରଚିଛି । ଏବେ ବି ହଜାର ହଜାର ଲୋକ ଧ୍ବଂସାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ପ୍ରଭାବିତ ଅଞ୍ଚଳରେ ରେସ୍କ୍ୟୁ ଅପରେସନ ଜାରି ରହିଛି । ପ୍ରବଳ ଶୀତ ଓ ତୁଷାରପାତ ଯୋଗୁ ରେସ୍କ୍ୟୁ ଅପରେସନ ବାଧାପ୍ରାପ୍ତ ହୋଇଛି । ଦକ୍ଷିଣ ତୁର୍କୀ ଓ ଉତ୍ତର ସିରିଆରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଭୟାନକ ଭୂକମ୍ପରେ ଅନେକ ସହର ଧ୍ବସସ୍ତୂପରେ ପରିଣତ ହୋଇଛି । ହଜାର ହଜାର ବହୁତଳ ବିଶିଷ୍ଟ କୋଠା ଭାଙ୍ଗି ମାଟିରେ ମିଶିଯାଇଛି । ୧୯୩୯ ପରେ ଏହା ସବୁଠାରୁ ବଡ଼ ବିପତ୍ତି ବୋଲି କୁହାଯାଉଛି । ସେପଟେ ତୁର୍କୀକୁ ଅନ୍ତରାଷ୍ଟ୍ରୀୟ ସମୁଦାୟରୁ ସହାୟତାର ହାତ ବଢ଼ିଛି । ଭାରତ ଓ ଆମେରିକା ସମେତ ୪୦ଟି ରାଷ୍ଟ୍ର ସହାୟତା, ରେସ୍କ୍ୟୁ ଟିମ ସହଯୋଗ କରିବା ଲାଗି ପଦକ୍ଷେପ ନେଇଛନ୍ତି । ତୁର୍କୀ ସରକାର ଓ ଜରୁରୀକାଳୀନ ବିଭାଗ ସହ ଯୋଗାଯୋଗରେ ରହିଛି UNICEF । ୩ଶହ ସୈନ୍ୟ ବିଶିଷ୍ଟ ୧୦ଟି ଟିମ୍ ସିରିଆ ପଠାଇଛି ଋଷ ।

ସେହିପରି ଭାରତର ଦୁଇଟି ଏନଡିଆରଏଫ ଟିମକୁ ତୁର୍କୀ ପଠାଯାଇଛି । ଏବେସୁଦ୍ଧା ୪ହଜାରରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇତିବା ବେଳେ ୧୫ହଜାର ଲୋକ ଗୁରୁତର ହୋଇଛନ୍ତି । ୫ହଜାର ୬ଶହରୁ ଅଧିକ ବିଲ୍ଡିଂ ଭୁଶୁଡ଼ି ପଡ଼ିଛି । ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ତୁର୍କୀର ଶରଣାର୍ଥୀ ବହୁଳ ଇଲାକା ବିଶେଷ କ୍ଷତିଗ୍ରସ୍ତ ହୋଇଛି ।

ଯନ୍ତ୍ରାଂଶ ଅଭାବରୁ ଅନେକ ଲୋକଙ୍କୁ ଧ୍ବଂସସ୍ତୂପ ତଳୁ ଉଦ୍ଧାର କରିବା ସମ୍ଭବ ହୋଇପାରୁନାହିଁ । ଗତକାଲି ଭୋରରୁ ୭.୮ ତୀବ୍ରତାର ଶକ୍ତିଶଳୀ ଭୂକମ୍ପ ପରେ ତୁର୍କୀ ଓ ସିରିଆରେ ପ୍ରାୟ ୭୭ ଝଟକା ଅନୁଭୂତ ହୋଇଥିବା ଜଣାପଡ଼ିଛି । ୧୯୩୯ରେ ୭.୮ ତୀବ୍ରତା ବିଶିଷ୍ଟ ଭୂମିକମ୍ପରେ ୩୨ହଜାର ୭ଶହ ଲୋକଙ୍କ ଜୀବନ ଯାଇଥିଲା । ୧୯୭୬ ଭୂକମ୍ପରେ ୭ହଜାର, ୧୯୯୯ ମସିହାରେ ହୋଇଥିବା ଭୂମିକମ୍ପରେ ୧୭ହଜାର ଲୋକଙ୍କ ପ୍ରାଣହାନି ହୋଇଥିଲା

ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଅଭିନେତା ପିଣ୍ଟୁ ନନ୍ଦ

ଭୁବନେଶ୍ବର : ଅପରେସନ ପାଇଁ ଦିଲ୍ଲୀ ଗଲେ ଅଭିନେତା ପିଣ୍ଟୁ ନନ୍ଦ । ILVS ହସ୍ପିଟାଲରେ ପିଣ୍ଟୁଙ୍କର ଅପରେସନ କରାଯିବ । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ସୂଚନା ଦେଇଛନ୍ତି ବରିଷ୍ଠ ଅଭିନେତା ଶ୍ରୀତମ ଦାସ । ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ଲିଭର ଡୋନର ସ୍ଥିର ହୋଇଛନ୍ତି । ଦିଲ୍ଲୀରେ ପହଞ୍ଚିବା ପରେ ଚିକିତ୍ସା ଆରମ୍ଭ ହେବ ।

ବ୍ୟୟବହୁଳ ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ଥିବା ବେଳେ ସହାୟତା ପାଇଁ ଶୁଭେଛୁ ଓ କଳାକାରମାନେ ହାତ ବଢାଇଛନ୍ତି। ଏଭଳି ସ୍ଥିତିରେ ଆଉ ପାଦେ ଆଗକୁ ଯାଇ ପିଣ୍ଟୁଙ୍କ ଚିକିତ୍ସା ପାଇଁ ଅର୍ଥ ସଂଗ୍ରହ କରିଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶନୀ ସାହୁ । ଟଙ୍କାଏ ଟଙ୍କାଏ କରି ସଂଗ୍ରହ ହୋଇଥିବା ପ୍ରାୟ ୧୦ ହଜାରରୁ ଅଧିକ ଅର୍ଥକୁ ପିଣ୍ଟୁ ନନ୍ଦଙ୍କୁ ଭୁବନେଶ୍ବର ବିମାନ ବନ୍ଦରରେ ଦେଇଛନ୍ତି ରାଣୀ । ସମସ୍ତେ ପିଣ୍ଟୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଭିକ୍ଟୋରିଆ ଗୌରୀଙ୍କୁ ବିଚାରପତି କରିବା ପ୍ରସଙ୍ଗ : ବଢ଼ିଲା ସୁପ୍ରିମକୋର୍ଟ -କେନ୍ଦ୍ର ସରକାର ବିବାଦ

ଚେନ୍ନାଇ : ଆଡଭୋକେଟ ଏଲ.ଚନ୍ଦ୍ରା ଭିକ୍ଟୋରିଆ ଗୌରୀଙ୍କୁ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ ନେଇ ବିବାଦ । ନିଯୁକ୍ତି ବିରୋଧରେ ହେବାକୁ ଥିବା ଶୁଣାଣିକୁ ୧୦ ତାରିଖ ବଦଳରେ ଆଜି କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ ।

ଗୌରୀଙ୍କୁ ମାଡ୍ରାସ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି କରିବା ଲାଗି କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପରେ କ୍ଷୁବ୍ଧ ହୋଇଛନ୍ତି ସର୍ବୋଚ୍ଚ ଅଦାଲତ । ମାମଲାର ଆଗୁଆ ଶୁଣିବା ଲାଗି ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କରିବ ଶୁଣାଣି । ଆହ୍ଲାବାଦ, କର୍ଣ୍ଣାଟକ ଓ ମାଡ୍ରାସ ହାଇକୋର୍ଟରେ ୧୧ ଜଣ ଆଡଭୋକେଟ ଓ ୨ ଜଣ ଜୁଡିସିଆଲ ଅଫିସରଙ୍କୁ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି କେନ୍ଦ୍ରର ବିଜ୍ଞପ୍ତି ପରେ ବଢିଛି ବିବାଦ ।

ବଡ କଥା ହେଉଛି- ଭିକ୍ଟୋରିଆ ଗୌରୀ ବିଜେପି ସହ ଜଡ଼ିତ ଥିବାରୁ କ୍ଷୁବ୍ଧ ହୋଇଛନ୍ତି ସର୍ବୋଚ୍ଚ ଅଦାଲତ । ପୂର୍ବରୁ ଗୌରୀ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚରେ ପ୍ରତିନିଧିତ୍ବ କରିଥିଲେ । ପରେ ତାଙ୍କର ବିଜେପି ଲିଙ୍କ ସ୍ପଷ୍ଟ ହୋଇଥିଲା । ଗୌରୀ ଖ୍ରୀଷ୍ଟିଆନ ଓ ମୁସଲିମମାନଙ୍କ ବିରୋଧରେ ହେଟ୍ ସ୍ପିଚ କରିଆସୁଥିବାରୁ ତାଙ୍କୁ ହଟାଇବା ଲାଗି ସିଜେଆଇଙ୍କ ନିକଟକୁ ଚିଠି ଲେଖିଥିଲେ ମାଡ୍ରାସ ହାଇକୋର୍ଟର କେତେକ ସଦସ୍ୟ ।

ଆଜି କ୍ରିଷ୍ଟିଆନ ମିସେଲଙ୍କ ଜାମିନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ଭିଭିଆଇପି ଚପର ଦୁର୍ନୀତି ମାମଲା । ଅଭିଯୁକ୍ତ ତଥା ବ୍ରିଟିଶ ନାଗରିକ କ୍ରିଷ୍ଟିଆନ ମିସେଲଙ୍କ ଜାମିନ ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଗତ ଗୁରୁବାର ମାମଲାର ଶୁଣାଣି କରି ପ୍ରଧାନବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ମାମଲାର ଶୁଣାଣି ମଙ୍ଗଳବାର କରିବା ଲାଗି ନିଷ୍ପତ୍ତି ନେଇଥିଲେ । ଦୁର୍ନୀତିରେ ମିସେଲ ସାମିଲ ଥିବା ନେଇ ତାଙ୍କ ବିରୋଧରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨୦୧୩ରେ ମାମଲା ରୁଜୁ କରିଥିଲେ ।

ମିସେଲଙ୍କ ଓକିଲ ଦର୍ଶାଇଛନ୍ତି- ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ମିସେଲ ୪ବର୍ଷ ଜେଲ ଜୀବନ କଟାଇସାରିଲେଣି । ତେଣୁ ତାଙ୍କୁ ଜାମିନ ପ୍ରଦାନ କରାଯାଉ । ୩୬୦୦ କୋଟି ଟଙ୍କାର ୧୨ଟି ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର କ୍ରୟ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଅନ୍ୟକିଛି ଅଭିଯୁକ୍ତଙ୍କୁ ଜାମିନ ମିଳିସାରିଥିଲେ ବି ମିସେଲଙ୍କୁ ଜାମିନ ମିଳିନାହିଁ । ଖଣ୍ଡପୀଠ ନିକଟରେ ଇଡି ଦର୍ଶାଇଛି- ଦୁର୍ନୀତି ମାମଲାରେ ମିସେଲ ସମ୍ପୃକ୍ତ ଥିବା ସ୍ପଷ୍ଟ ହୋଇଛି ଏବଂ ତାଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ମାମଲା ଚାଲିବା ଯଥାର୍ଥ ।

ଗତ ୨୦୨୨ ମାର୍ଚ୍ଚରେ ମିସେଲଙ୍କ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିବା ପରେ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ୨୦୧୮ରେ ତାଙ୍କୁ ଦୁବାଇ ସରକାର ଭାରତ ହାତରେ ପ୍ରତ୍ୟର୍ପଣ କରିଥିଲେ । ସେବଠାରୁ ସେ ଦିଲ୍ଲୀ ତିହାଡ ଜେଲରେ ରହିଆସୁଛନ୍ତି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟ ଭିଭିଆଇପିଙ୍କ ସକାଶେ ୧୨ଟି ହାଇପ୍ରୋଫାଇଲ ଚପର କିଣିବା ଲାଗି ୨୦୧୦ ଫେବୃଆରୀରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।

ଭାରତୀୟ ମଧ୍ୟସ୍ଥି, ରାଜନେତା, ଅମଲାତନ୍ତ୍ରୀ ଓ ବାୟୁସେନା ଅଧିକାରୀଙ୍କୁ ଚୁକ୍ତି ଲାଗି ବିପୁଳ ଲାଞ୍ଚ ଦିଆଯାଇଥିବା ସ୍ପଷ୍ଟ ହୋଇଥିଲା । ଏହି ଘଟଣାରେ ୨୦୧୬ ଡିସେମ୍ବରରେ ତତକାଳୀନ ବାୟୁସେନା ମୁଖ୍ୟ ଏସ.ପି. ତ୍ୟାଗୀଙ୍କୁ ଗିରଫ କରିଥିଲା ସିବିଆଇ । ଶେଷରେ ୨୦୧୪ଜାନୁଆରୀରେ ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ସହ ହୋଇଥିବା ଚୁକ୍ତିକୁ ଭାରତ ରଦ୍ଦ କରିଦେଇଥିଲା ।

ରାଜ୍ୟରେ ଉପରମୁହାଁ ପାରଦ , ଆଗକୁ ସ୍ଥିତି ସଂଗୀନ ହେବା ଆଶଙ୍କା

ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ ହେଲା ପାରଦ । ସ୍ବାଭାବିକଠାରୁ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢିଲା ତାପମାତ୍ରା । ଆଗକୁ ସ୍ଥିତି ହେବ ସଂଗୀନ । ଦକ୍ଷିଣ ସମେତ ଉପକୂଳ ଓଡ଼ିଶାରେ କଲବଲ କରିବ ଖରା । ଆଗାମୀ ସପ୍ତାହେ ମଧ୍ୟରେ ପାରା ୪୦ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଗତକାଲି ରାଜଧାନୀ ଭୁବନେଶ୍ବରରେ ୩୪ଡିଗ୍ରୀ ଅତିକ୍ରମ କଲା ଦିନର ସର୍ବୋଚ୍ଚ ତାପମାତ୍ରା ।

କେବଳ ଭୁବନେଶ୍ବରରେ ସ୍ବାଭାବିକ ତାପମାତ୍ରା ତୁଳନାରେ ୨ ଦଶମିକ ୯ ଡିଗ୍ରୀ ଅଧିକ ରେକର୍ଡ ହୋଇଥିଲା । ଫେବ୍ରୁଆରୀ ମାସ ପାଇଁ ଆଇଏମଡି ଜାରି କରିଥିବା ମ୍ୟାପ୍ ଅନୁସାରେ, ପୂର୍ବ ଏବଂ ଉତ୍ତର ପୂର୍ବ ଭାରତର ଅଧିକାଂଶ ରାଜ୍ୟରେ ତାତି ସ୍ବାଭାବିକଠାରୁ ଅଧିକ ରହିବ । ପଶ୍ଚିମା ଝଡର ପ୍ରଭାବ କମିବା ସହ ସୂର୍ଯ୍ୟଙ୍କ ତେଜ କିରଣ, ମେଘମୁକ୍ତ ଆକାଶ ଏବଂ ଦୀର୍ଘ ଦିନ ବର୍ଷା ନହେବାରୁ ଦେଶରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।

ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ମା’ ନିର୍ମଳପ୍ରଭା ନାୟକଙ୍କ ପରଲୋକ

ଭୁବନେଶ୍ୱର : ଚିର ନିଦ୍ରାରେ ସାରସ୍ବତ ସାଧିକା ନିର୍ମଳପ୍ରଭା ନାୟକ । ଘରୋଇ ଡାକ୍ତରଖାନାରେ ଆଜି ତାଙ୍କ ପରଲୋକ ହୋଇଛି । ପାଟକୁରା ଗାନ୍ଧୀ ଭାବେ ପରିଚିତ ରାଜକିଶୋର ନାୟକଙ୍କର ପତ୍ନୀ ଥିଲେ । ବିବାହ ପରେ ନିଜ ଚେଷ୍ଟାରେ ପାଠ ପଢି ସେ ଶିକ୍ଷୟତ୍ରୀ ଭାବେ ୩୫ବର୍ଷରୁ ଅଧିକ ସମୟ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ । ତାଙ୍କ ଲିଖିତ ସାୟାହ୍ନର ସ୍ମୃତି ପୁସ୍ତକ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛି । ଏଥିଲାଗି ଏକାଡେମୀ କର୍ତ୍ତୃପକ୍ଷ ସମ୍ମାନ ବାବଦରେ ତାଙ୍କୁ ପ୍ରଦାନ କରିଥିବା ଲକ୍ଷାଧିକ ଟଙ୍କା ସେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ ।

ଏହି ପୁସ୍ତକର ଇଂରାଜୀ ଅନୁବାଦ ‘ଟୁଇଲାଇଟ୍‍ ମେମୋରିଜ୍‍’ ମଧ୍ୟ ବେଶ୍‍ ଚର୍ଚ୍ଚିତ ହୋଇଛି । ନିର୍ମଳପ୍ରଭାଙ୍କ ଅନେକ ପୁସ୍ତକ ଏହା ମଧ୍ୟରେ ପ୍ରକାଶ ପାଇଛି । ବିଭିନ୍ନ ପତ୍ର ପତ୍ରିକା ପାଇଁ ସେ ନିୟମିତ ଭାବେ ଲେଖା ଲେଖୁଥିଲେ । ତାଙ୍କ ମୃତ୍ୟୁରେ ସାହିତ୍ୟ, ରାଜନୀତି ଓ ସମାଜସେବା ସହ ଜଡିତ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ମା’ ରମାଦେବୀ, ଅନ୍ନପୂର୍ଣ୍ଣା ମହାରଣା ଇତ୍ୟାଦିଙ୍କ ନିକଟ ବଳୟରେ ସେ କାମ କରିବା ସହ ୱର୍ଦ୍ଧା ଓ ସେବାଗ୍ରାମ ଆଶ୍ରମରେ ମଧ୍ୟ ତାଲିମ ନେଇଥିଲେ । ତାଙ୍କ ସ୍ୱାମୀ ସ୍ୱର୍ଗତ ରାଜକିଶୋର ନାୟକ ଦୁଇ ଦୁଇଥର ବିଧାୟକ ଓ ରାଜ୍ୟ ଖଦିବୋର୍ଡର ଅଧ୍ୟକ୍ଷ ଥିଲେ ମଧ୍ୟ ଶ୍ରୀମତୀ ନାୟକ କେବେହେଲେ ଦିନକ ପାଇଁ ଖଦିବୋର୍ଡ ଗାଡି ବ୍ୟବହାର କରିନଥିଲେ ।

 ଗାନ୍ଧୀ ଆଦର୍ଶରେ ପ୍ରଭାବିତ ହେବା ସହ ଶ୍ରୀମତୀ ନାୟକ ଠାକୁର ନିଗମାନନ୍ଦଙ୍କ ଆଧ୍ୟାତ୍ମିକ ମାର୍ଗରେ ଆକର୍ଷିତା ହୋଇଥିଲେ । ତାଙ୍କର ଦୁଇ ପୁଅ ଓ ତିନି ଝିଅ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ । ସାନ ପୁଅ ଅତନୁ ସବ୍ୟସାଚୀ ନାୟକ ଏବେ ରାଜ୍ୟ ମନ୍ତ୍ରୀମଣ୍ଡଳର ଅନ୍ୟତମ ସଦସ୍ୟ ରହିଛନ୍ତି । ନିର୍ମଳପ୍ରଭା କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ସମସ୍ୟା ଭୋଗୁଥିଲେ ଏବଂ ଚାରି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟରୋ ଅବନତି ହେବାରୁ ତାଙ୍କୁ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । ଚିକିତ୍ସାଧିନ ଅବସ୍ଥାରେ ଆଜି ରାତି ପ୍ରାୟ ସାଢେ ୯ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୋମବାର ରାତିରେ ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେଉଛି ।

ଅପରେସନ ପାଇଁ ଆସନ୍ତାକାଲି ଦିଲ୍ଲୀ ଯିବେ ଅଭିନେତା ପିଣ୍ଟୁ ନନ୍ଦ

ଭୁବନେଶ୍ୱର: ଅପରେସନ ପାଇଁ ଆସନ୍ତା କାଲି ଦିଲ୍ଲୀ ଯିବେ ଅଭିନେତା ପିଣ୍ଟୁ ନନ୍ଦ । ସକାଳ ୯ ଟା ୪୫ ମିନିଟରେ ଭିସ୍ତାରା ବିମାନ ଯୋଗେ ଦିଲ୍ଲୀ ଯିବେ। ଦିଲ୍ଲୀର ILVS ହସ୍ପିଟାଲରେ ଅପରେସନ କରାଯିବ। ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ବରିଷ୍ଠ ଅଭିନେତା ଶ୍ରୀତମ ଦାସ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦୁଇ ଜଣ କିଡ଼ନୀ ଡୋନର ସ୍ଥିର ହୋଇଛି । ଦିଲ୍ଲୀରେ ଆସନ୍ତାକାଲି ପହଂଚିବା ପରେ ସେଠାରେ ଚିକିତ୍ସା ଆରମ୍ଭ କରାଯିବ । ବ୍ୟୟ ବହୁଳ ଅପରେସନ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଛି । ବହୁ ଶୁଭେଛୁ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ଆହୁରି ଅଧିକ ଅର୍ଥର ଆବଶ୍ୟକତା ରହିଛି । ଏଣୁ ଅଧିକ ସହାୟତା ପାଇଁ ଶ୍ରୀତମ ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି । ପିଣ୍ଟୁ ନନ୍ଦଙ୍କ ସହିତ ତାଙ୍କ ଭିଣୋଇ ଯିବାକୁ ଥିବା ବେଳେ ତା ପରଦିନ ପିଣ୍ଟୁଙ୍କ ଭାଇ ଓ ଦୁଇ ଜଣ ଡୋନର ଯିବେ ବୋଲି ଶ୍ରୀତମ ସୂଚନା ଦେଇ କହିଛନ୍ତି ।

ଦିନକୁ ଗାଇ ଦେବ ୧୪୦ ଲିଟର କ୍ଷୀର 

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଗାଇ ଦେବ ୧୪୦ ଲିଟର କ୍ଷୀର  । ଜୀବନ କାଳ ଭିତରେ ଦେବ ୧୦୦ ଟନ୍ ବା ୨ ଲକ୍ଷ ୮୩ ହଜାର ଲିଟର କ୍ଷୀର  । ଏମିତି ଗାଇ ପ୍ରସ୍ତୁତ କରିଛି ଚାଇନା  । ପ୍ରତିଟି କ୍ଷେତ୍ରରେ  ଚାଇନା ଯେଉଁଭଳି ପ୍ରଯୁକ୍ତି ବିଦ୍ୟାରେ ଆଗଉଛି  । କ୍ଷୀର ଉତ୍ପାଦନରେ ମଧ୍ୟ ଆଗେଇବ ଚୀନ  । ଏମିତି ଅଜବ ଧରଣର ଏକ୍ସିପେରିମେଣ୍ଟ କରି ତିଆରି କରିଛି ଗାଇ  । ଯେଉଁ ଗାଇ ଦେବେ ଭରପୁର କ୍ଷୀର  । ଚୀନଲ ବୈଜ୍ଞାନିକ ଦାବି କରିଛନ୍ତି ଯେ, ସେମାନେ କ୍ଲୋନି ଜରିଆରେ ୩ ସୁପର କାଓ ପ୍ରସ୍ତୁତ କରିଛନ୍ତି  । ଏହି ସୁପର ଗାଇ ଦେବେ ଦିନକୁ ୧୪୦ ଲିଟର କ୍ଷୀର  ।

ନର୍ଥୱେଷ୍ଟ ଯୁନିଭର୍ସିଟର ବୈଜ୍ଞାନିକମାନେ ଏଭଳି ଏକ୍ସୁପେରିମେଣ୍ଟ କରିଛନ୍ତି  । ଦୁଇମାସ ତଳେ ବାଛୁରୀ ଜନ୍ମ ହୋଇଥିଲା  । ଏହି ସୁପର କାଓ ନେଦରଲ୍ୟାଣ୍ଡସରୁ ଆସୁଥିବା ହୋଲଷ୍ଟିନ୍ ଫ୍ରିସିଅନରୁ କ୍ଲୋନିଂ କରାଯାଇଛି  ।  ବିନା ଯୌନଗତ ପକ୍ରିୟାରେ ଏକ ଜୀବନରୁ ଅନ୍ୟ ଉପାୟରେ ଆଉ ଏକ ଜୀବକୁ ପ୍ରସ୍ତୁତ ହେଉଥିବା ପକ୍ରିୟାକୁ କ୍ଲୋନିଂ କୁହାଯାଏ  । ବୈଜ୍ଞାନିକମାନେ ଏକ ଜୀବର ଜିଏନଏ ନେଇ ଏହା ସାହାର୍ଯ୍ୟରେ ତାହାର ପ୍ରତିରୂପ ପ୍ରସ୍ତୁତ କରିଥାନ୍ତି    । ଏହି ସମୟରେ ବୈଜ୍ଞାନିକମାନେ ନିଜ ହିସାବରେ ଜିନରେ ପରିବର୍ତ୍ତନ କରିଥାଆନ୍ତି ଷ ଯାହା ଦ୍ୱାରା ଏହି ଜୀବନ ଅନ୍ୟ ସାଧାରଣ ଜୀବନ ତୁଳନାରେ ଅଧିକ ଲାଭଦାୟକ ହୋଇଥାଏ  ।

ଭଲ ପ୍ରଜାତିର ଗାଇର କୋଷକୁ ସଂଗ୍ରହ କରାଯାଇ ସେଥିରୁ ଭ୍ରୁଣ ପ୍ରସ୍ତୁତ କରାଯାଇଥିଲା  । ପରେ ତାହାକୁ ୧୨୦ ଗାଇଙ୍କ ଠାରେ ଛଡାଯାଇଥିଲା  । ଏହି ଗାଇଗୁଡ଼ିକ ମଧ୍ୟରେ ୪୨ ପ୍ରତିଶତ ଗର୍ଭବତୀ ହୋଇଥିଲେ  । ଏବେ ୩ଟି ସୁପରଜକାଓ ଜନ୍ମ ନେଇସାରିଥିବାବେଳେ ଆଗାମୀ ଦିନରେ ବଳକା ଗାଇଗୁଡ଼ିକ ପ୍ରସବ କରିବେ  । ଗୋଟିଏ ସୁପରକାଓ ବରହ୍ଷକୁ ୧୮ ଟନ୍ କ୍ଷୀର ଦେବାରେ ସକ୍ଷମ  । ଏହା ଆମେରୀକୟ ସାଧାରଣ ଗାଇ ତୁଳନାରେ ୧.୭ ପ୍ରତିଶତ ଅଧିକ  ।  ଆଗାମୀ ୧୦ ବର୍ଷ ଭିତରେ ଆଉ ୧୦ ହଜାର ସୁପର କାଓ ଜନ୍ମ କରାଯିବ  ବୋଲି କହିଛନ୍ତି ପ୍ରୋଜେକ୍ଟ ମୁଖ୍ୟ  ।

ଜୟପୁରଠାରେ ଦକ୍ଷିଣାଞ୍ଚଳ କୃଷି ମହୋତ୍ସବ ଓ ଜିଲ୍ଲା କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ

ଭୁବନେଶ୍ୱର: କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ରାଜ୍ୟର ୭୦ ପ୍ରତିଶତରୁ ଊଦ୍ଧ୍ୱର୍ ଲୋକ ଜଡ଼ିତ ହୋଇଥିବାରୁ କୃଷିର ଉନ୍ନତି ବିନା ରାଜ୍ୟର ପ୍ରଗତି କରାଯାଇପାରିବ ନାହିଁ । ରାଜ୍ୟ ସରକାର କୃଷିର ସର୍ବାଙ୍ଗୀନ ବିକାଶ ନିମନ୍ତେ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଥିବାବେଳେ କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତା ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଆଜି ଜୟପୁରଠାରେ ଆୟୋଜିତ ଦକ୍ଷିଣାଞ୍ଚଳ କୃଷି ମହୋତ୍ସବ ଓ ଜିଲ୍ଲା କୃଷି ଯନ୍ତ୍ରପାତି ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ କୃଷିର ବିକାଶ ପାଇଁ ସ୍ୱତନ୍ତ୍ର କୃଷି ବଜେଟ୍‌ କରାଯାଇଛି ।

୨୦୧୩-୧୪ ଆର୍ଥିକ ବର୍ଷରେ ପ୍ରାୟ ୭ ହଜାର କୋଟି ଟଙ୍କା କୃଷି ବଜେଟ ଥିବାବେଳେ ଏହା ବୃଦ୍ଧି ପାଇ ଆଜି ୨୧ ହଜାର କୋଟି ଟଙ୍କାରେ ପହଞ୍ଚିଛି । ବିଗତ ଦୁଇ ଦଶନ୍ଧିରେ ସମୟୋପଯୋଗୀ କୃଷି ଯୋଜନା ଓ ଚାଷୀଭାଇ ଓ ଭଉଣୀମାନଙ୍କର ଅକ୍ଳାନ୍ତ ପରିଶ୍ରମ ଫଳରେ ରାଜ୍ୟ ଏବେ ଚାଉଳ ଉତ୍ପାଦନରେ ଏକ ବଳକା ରାଜ୍ୟ ହୋଇପାରିଛି । ସେହିପରି ମାଛ, ମାଂସ, ଅଣ୍ଡା ଓ କ୍ଷୀର ଉତ୍ପାଦନରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ରାଜ୍ୟ ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନାର ସୁଫଳ ଯେପରି ଚାଷୀମାନଙ୍କ ନିକଟରେ ପହଞ୍ଚିପାରିବ ସେଥି ନିମନ୍ତେ ବ୍ୟାପକ ପଦକ୍ଷେପ ନିଆଯାଇଛି ।

ରାଜ୍ୟର ପ୍ରତ୍ୟେକ ଚାଷୀଭାଇ ଓ ଭଉଣୀଙ୍କ ନିକଟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ସମସ୍ତ କାର୍ଯ୍ୟକ୍ରମ ଓ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସୁବିଧାଗୁଡ଼ିକ ବିଷୟରେ ସଚେତନ କରାଇବା ଓ ପହଞ୍ଚାଇବା ଉଦ୍ଦେଶ୍ୟରେ ଆଞ୍ଚଳିକ ଓ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆୟୋଜନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଆଧୁନିକ ଜ୍ଞାନକୌଶଳ ଓ କୃଷି ଯନ୍ତ୍ରପାତିର ବ୍ୟବହାର ଫଳରେ ଉତ୍ପାଦନ ଖର୍ଚ୍ଚକୁ କମ୍‌ କରାଯାଇପାରିବା ସହିତ ସମୟ ମଧ୍ୟ ସଞ୍ଚୟ ହୋଇପାରୁଥିବାରୁ ରାଜ୍ୟ ସରକାର କୃଷି ଯନ୍ତ୍ରପାତି ନିମନ୍ତେ ଅନେକ ରିହାତି ଦେଉଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ସ୍ୱତନ୍ତ୍ର ରିହାତିର ବ୍ୟବସ୍ଥା ମଧ୍ୟ ରହିଛି ।

ଏଥି ସହିତ ଅଧିକରୁ ଅଧିକ ମହିଳା ଉପଯୋଗୀ କୃଷି ଯନ୍ତ୍ରପାତିର ବ୍ୟବହାରକୁ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଏଥି ସହିତ ରାଜ୍ୟ ସରକାର ଚାଷୀମାନଙ୍କୁ ବିନା ସୁଧରେ କୃଷି ଋଣ ଯୋଗାଇଦେବା ସହିତ ବଳରାମ ଯୋଜନାରେ ଯୁଗ୍ମଦେୟ ଗୋଷ୍ଠୀ ମାଧ୍ୟମରେ ଭୂମୀହୀନ ଓ ଭାଗଚାଷୀମାନଙ୍କୁ ଋଣ ଯୋଗାଇ ଦେଉଛନ୍ତି । କୃଷି ଯୋଜନାଗୁଡ଼ିକରେ ସ୍ୱଚ୍ଛତା ଓ କାର୍ଯ୍ୟାନ୍ୱୟନ ତ୍ୱରିତ କରିବା ପାଇଁ ଅନ୍‌ଲାଇନ୍‌ର ବ୍ୟବସ୍ଥା କରାଯାଇଛି । ଜଳବାୟୁ ସହନଶୀଳ ପୁଷ୍ଟିଶସ୍ୟ ମାଣ୍ଡିଆ ଚାଷର ପ୍ରସାର ନିମନ୍ତେ ରାଜ୍ୟ ସରକାରଙ୍କ ଓଡ଼ିଶା ମିଲେଟ୍‌ ମିଶନ ଉଲ୍ଲେଖନୀୟ ସଫଳତା ହାସଲ କରିବା ସହିତ ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

ଉଦ୍‌ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି, କୋଟପାଡ଼ ବିଧାୟକ ପଦ୍ମିନୀ ଦିଆନ, କୋରାପୁଟ ବିଧାୟକ ରଘୁରାମ ପୋଡାଲ, ପଟାଙ୍ଗୀ ବିଧାୟକ ପ୍ରୀତମ୍‌ ପାଢ଼ୀ, ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀଙ୍କ ସମେତ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, କୋରାପୁଟ ଜିଲ୍ଲାପାଳ ଅବଦଲ୍‌ ଏମ୍‌ ଅଖତର୍‌ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।

କୃଷି ଓ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ସମେତ ବିଭିନ୍ନ ବିଭାଗର ୧୦୭ଟି ଷ୍ଟଲକୁ ନେଇ ଏହି କୃଷି ମେଳା ଆୟୋଜିତ କରାଯାଇଛି ଓ ଏଥିରେ କୃଷି ଯନ୍ତ୍ରପାତିର ବ୍ୟବହାର ଓ କାର୍ଯ୍ୟକାରିତା ସଂପର୍କରେ ପ୍ରଦର୍ଶନ କରାଯାଉଛି । ଉଦ୍‌ଘାଟନୀ ଅବସରରେ ଜିଲ୍ଲାର ଅଗ୍ରଣୀ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଚାରୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଧାନକଳ, ମାଣ୍ଡିଆ ଚୂନାକଳ, ପାଣି ପମ୍ପସେଟ୍‌ ଓ ଅନ୍ୟାନ୍ୟ କୃଷି ଉପକରଣ ଦିଆଯାଇଥିଲା ଓ ଚାଷୀଭାଇମାନଙ୍କୁ ଚାର ଟିି ଟ୍ରାକଫର ମଧ୍ୟ ପ୍ରଦାନ କରାଯାଇଥିଲ । କୃଷି ମହୋତ୍ସବ ରେ କୃଷି ବିଶେଷଜ୍ଞ ଓ ବୈଜ୍ଞାନିକମାନଙ୍କ ଦ୍ୱାରା ବିଭିନ୍ନ ବିଷୟରେ କର୍ମଶାଳାର ଆୟୋଜନ ସହିତ ଚାଷୀମାନଙ୍କ ସହିତ ଭାବବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୧୦ ତାରିଖ ପର୍ଯ୍ୟନ୍ତ ଏହି ମେଳା ଆୟୋଜିତ ହେବ ।