spot_img
Home Blog Page 3448

ଝାରସୁଗୁଡ଼ାରେ ବ୍ୟବସାୟୀଙ୍କ ପୁଅ ସମର୍ଥଙ୍କୁ ଅପହରଣ ପରେ ହତ୍ୟା ମାମଲା, ଆଉ ଜଣଙ୍କୁ ଅଟକ ରଖିଛି ପୋଲିସ

ଝାରସୁଗୁଡା: ଝାରସୁଗୁଡାରେ ବ୍ୟବସାୟୀଙ୍କ ପୁଅ ସମର୍ଥଙ୍କୁ କିଡନାପ କରି ହତ୍ୟା ମାମଲାରେ ଆଉ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ । ବିଳମ୍ବିତ ରାତିରେ ବୁର୍ଲାରୁ ଜଣଙ୍କୁ ଉଠାଇ ନେଇଛି ଝାରସୁଗୁଡା ପୋଲିସ । ସମ୍ପୃକ୍ତ ବ୍ୟକ୍ତିକୁ ଅଟକ ରଖି ପଚରାଉଚୁରା ଆରମ୍ଭ କରିଛି ପୋଲିସ । ଝାରସୁଗୁଡାରୁ ଅପହରଣ ପରେ ବୁର୍ଲାରେ କିଛି ସମୟ ସମର୍ଥଙ୍କୁ ରଖାଯାଇଥିବା ସୂଚନା ମିଳିଛି । ପୂର୍ବରୁ ଗିରଫ ଦୁଇ ଅଭିଯୁକ୍ତଙ୍କୁ ବୁର୍ଲା ଓ ବରଗଡ଼ ଅଣାଯାଇଥିଲା ବୋଲି ପୋଲିସ ଜାଣିବାକୁ ପାଇଛି । ଗତ ମାର୍ଚ୍ଚ ୨୭ ତାରିଖରେ ଝାରସୁଗୁଡା ସରବାହାଲର ବ୍ୟବସାୟୀ ସୁନିତ ଅଗ୍ରଓ୍ବାଲଙ୍କ ୧୫ ବର୍ଷର ପୁଅ ସମର୍ଥ ଅଗ୍ରଓ୍ବାଲଙ୍କୁ ସନ୍ଧ୍ୟାରେ ଅପହରଣ କରାଯାଇଥିଲା । ପରିବାର ଲୋକଙ୍କ କହିବା କଥା ଅପହରଣ ଓ ହତ୍ୟା ଘଟଣାରେ ମୋଟ ୪ଜଣ ସଂପୃକ୍ତ ଅଛନ୍ତି । ଅପହରଣ କରିବା ପରେ ପ୍ରଥମେ ଫୋନ କରି ୫୦ଲକ୍ଷ ଟଙ୍କା ମାଗିଥିଲେ । ମାତ୍ର କିଛି ଘଣ୍ଟା ପରେ ୯୦ ଲକ୍ଷ ଟଙ୍କା ଦାବି କଲେ ଅପହରଣକାରୀ ।

ଏ ସଂପର୍କରେ ଝାରସୁଗୁଡା ଏସପିଙ୍କ ସହ ଆଲୋଚନା କରିବା ପରେ, ୯୦ଲକ୍ଷ ଟଙ୍କା ଦେବାକୁ ରାଜି ଥିଲେ ସମର୍ଥଙ୍କ ପରିବାର । ହେଲେ ଅପହରଣକାରୀମାନେ ସମର୍ଥଙ୍କୁ ପ୍ରଥମେ ଝାରସୁଗୁଡାରୁ ବରଗଡ଼, ଏହାପରେ ଭେଡେନ ବ୍ଲକର ଋଷୁଡା ଅଞ୍ଚଳକୁ ନେଇ ଯାଇଥିଲେ । ଅଭିଯୁକ୍ତଙ୍କ ମୋବାଇଲକୁ ଟ୍ରାକ୍ କରି ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ସମର୍ଥଙ୍କୁ ଉଦ୍ଧାର କରିବାକୁ ଆପ୍ରାଣ ଉଦ୍ୟମ ଆରମ୍ଭ କରିଦେଇଥିଲା । ଅପହରଣକାରୀଙ୍କ ମଧ୍ୟରୁ ଜଣେ ସୁନିତଙ୍କ ସଂପର୍କୀୟ ଥିବାରୁ, କାଳେ ପୋଲିସ ହାତରେ ଧରାପଡିଯିବେ ସେହି ଭୟରେ, ଅପହରଣ କରାଯାଇଥିବା କାରରେ ହିଁ ପ୍ରଥମେ ସମର୍ଥଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ କରିଛନ୍ତି ସୁନିତଙ୍କ ସଂପର୍କୀୟ । ସମର୍ଥଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଋଷଡା ଥାନା ଅଞ୍ଚଳର ଏକ ନିଛାଟିଆ ଜଙ୍ଗଲିଆ ସ୍ଥାନରେ ପେଟ୍ରୋଲ ପକାଇ ପୋଡିଦେବାକୁ ଉଦ୍ୟମ କରିଥିଲେ ଅଭିଯୁକ୍ତମାନେ । ହେଲେ ଧୂଆଁ ଦେଖି ସ୍ଥାନୀୟ ଲୋକମାନେ ସେଠାକୁ ଆସିବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ବୁର୍ଜ ଖଲିଫା ସାମ୍ନାରେ ପାଳିଲେ ଉତ୍କଳ ଦିବସ

ଦୁବାଇ: ବୁର୍ଜ ଖଲିଫା ସାମ୍ନାରେ ପାଳନ କଲେ ଉତ୍କଳ ଦିବସ । ଦୁବାଇରେ ରହୁଥିବା ୩ ପ୍ରବାସୀ ଓଡ଼ିଆ ମହିଳା ଅଭିନବ ଉପରେ ପାଳନ କରିଛନ୍ତି ଉତ୍କଳ ଦିବସ । ସେମାନେ ହେଲେ ପାଇଲଟ କ୍ୟାପଟେନ୍ ମଧୁସ୍ମିତା ପଟ୍ଟନାୟକ, ସଫଳ କଳାକାର ମୋନା ବିଶ୍ୱରୂପା ମହାନ୍ତି ଏବଂ ସ୍କୁବା ଡାଇଭର ତିସ୍ୟା ପାଣିଗ୍ରାହୀ । ବିଶ୍ୱର ସବୁଠାରୁ ବଡ଼ ଅଟ୍ଟାଳିକ ବୁର୍ଜ ଖଲିଫା ସାମ୍ନାରେ ଉତ୍କଳ ଦିବସ ପାଳିଛନ୍ତି ଏହି ୩ ମହିଳା । ସେମାନେ ଏପ୍ରିଲ ୧ରେ ବିଶ୍ୱର ସବୁଠାରୁ ଉଚ୍ଚ ଅଟ୍ଟାଳିକା ଦୁବାଇର ବୁର୍ଜ ଖଲିଫା ନିକଟରେ ଏକାଠି ହୋଇ ବନ୍ଦେ ଉତ୍କଳ ଜନନୀର ପ୍ଲାକାର୍ଡ ଦେଖାଇ ପୃଥିବୀର କୋଣ ଅନୁକୋଣରେ ରହୁଥିବା ଓଡ଼ିଆଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

ଆମେରିକାରେ ପ୍ରଳୟଙ୍କରୀ ଝଡ଼ ତୋଫାନ, ୨୧ ମୃତ

ଓ୍ୱାଶିଂଟନ: ଆମେରିକାରେ ଭୟଙ୍କର ଝଡ଼ ତୋଫାନ । ଆମେରିକାର ଦକ୍ଷିଣ ଓ ମଧ୍ୟ ପଶ୍ଚିମ ଭାଗରେ ବିନାଶକାରୀ ଝଡ଼ରେ ମୃତ୍ୟୁସଂଖ୍ୟା ୨୧ ଛୁଇଁଛି । ଅନେକ ଲୋକ ଆହତ ହୋଇଛନ୍ତି । ପ୍ରବାଭିତ ଅଞ୍ଚଳରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିବା ବେଳେ କ୍ଷତିଗ୍ରସ୍ତ ଅଞ୍ଚଳରେ ରେସ୍କ୍ୟୁ ଅପରେସନ ଜାରି ରହିଛି । ଅନେକ ଘର ଭାଙ୍ଗିଥିବା ବେଳେ ଶତାଧିକ ଘରର ଛାତ ଉଡ଼ି ଯାଇଥିବା ଦେଖାଯାଇଛି ।

ଭୟଙ୍କର ଝଡ଼ ତୋଫାନ ପାଇଁ ଆସନ୍ତା ୨୪ ଘଣ୍ଟା ଅନ୍ୟ କିଛି ଅଞ୍ଚଳକୁ ହାଇଆଲର୍ଟ ଜାରି କରାଯାଇଛି । କିଛିଦିନ ତଳେ ଆମେରିକାର ଦକ୍ଷିଣ-ପୂର୍ବ ରାଜ୍ୟରେ ପ୍ରଳୟ ରଚିଥିଲା ଝଡ଼ ତୋଫାନ । ଘଣ୍ଟା ପ୍ରତି ୧୬୦ କିମି ବେଗରେ ପବନ ଯୋଗୁ ଅନେକ ଘର ଭାଙ୍ଗିଥିବା ବେଳେ ୨୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଧର୍ମେନ୍ଦ୍ରଙ୍କୁ ସମାଲୋଚନା କଲେ ନରସିଂହ, କହିଲେ ରାଜନୀତି କରିବାକୁ କୋଟିଆ ଯାଇଥିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କଡ଼ା ସମାଲୋଚନା କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ରାଜନୀତି କରିବାକୁ କୋଟିଆ ଯାଇଥିଲେ । ସେ କେନ୍ଦ୍ରମନ୍ତ୍ରୀ ହିସାବରେ ଯାଇ ନଥିଲେ ବୋଲି ନରସିଂହ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ହିସାବରେ ହସ୍ତକ୍ଷେପ କରିବାକୁ କହିଛନ୍ତି ନରସିଂହ । କେନ୍ଦ୍ରମନ୍ତ୍ରୀ ଦଳୀୟ କାର୍ଯ୍ୟକ୍ରମକୁ ଯାଇ ଆନ୍ଧ୍ର କର୍ମଚାରୀଙ୍କୁ ଗୋ ବ୍ୟାକ୍‌ କହିଲେ । ସେମିତି ଆଗରୁ ବି ହୋଇଛି । କିନ୍ତୁ ଏହାକୁ ନମାନି ଆନ୍ଧ୍ର ପୁଣି ଅନୁପ୍ରବେଶ କରିଛି । ଦୁଇ ରାଜ୍ୟ ଭିତରେ ବିବାଦର ସମାଧାନ ପାଇଁ କେନ୍ଦ୍ରର ଦାୟିତ୍ଵ ରହିଛି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି କେନ୍ଦ୍ର ସରକାର କୋଟିଆ ବିବାଦର ସମାଧାନ କରନ୍ତୁ ବୋଲି ନରସିଂହ ମିଶ୍ର କହିଛନ୍ତି ।

ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ କହି ଧର୍ମେନ୍ଦ୍ର ପ୍ରଧାନ ଦୁଇ ରାଜ୍ୟ ଭିତରେ ବୁଝାସୁଝା କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ନରସିଂହ । ସେହିପରି ବିଜେଡି ନେତା ପ୍ରଦୀପ ମାଝୀ ମଧ୍ୟ ଧର୍ମେନ୍ଦ୍ରଙ୍କ କୋଟିଆ ଗସ୍ତକୁ କଡ଼ା ସମାଲୋଚନା କରିଛନ୍ତି । ଆଗକୁ ନିର୍ବାଚନ ଥିବାରୁ ଲୋକ ଦେଖାଣିଆ ଭାବେ ଧର୍ମେନ୍ଦ୍ର କୋଟିଆ ଯାଇ ରାଜନୀତି କରୁଛନ୍ତି । କୋଟିଆର ସର୍ବାଙ୍ଗୀନ ବିକାଶ ପାଇଁ କେବଳ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି । ଏପର୍ଯ୍ୟନ୍ତ ୧୬୦ କୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କ ଉନ୍ନତି ପାଇଁ ଚିନ୍ତା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଦୀପ ମାଝୀ କହିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କର କୋଟିଆ ପ୍ରତି ଆନ୍ତରିକତା ଥିଲେ ସେ କେନ୍ଦ୍ର ସରକାରଙ୍କୁ ଅବଗତ କରି ବିବାଦର ସମାଧାନ କରିପାରିଥାନ୍ତେ । ଏହାସହ କୋରାପୁଟ ସେଣ୍ଟ୍ରାଲ ୟୁନିଭର୍ସିଟିକୁ ସ୍ଥାନାନ୍ତର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଷଡ଼ଯନ୍ତ୍ର କରୁଥିବା କହିଛନ୍ତି ପ୍ରଦୀପ ମାଝୀ କହିଛନ୍ତି ।

 

ଆସନ୍ତାକାଲି ଦିଲ୍ଲୀରେ ବିରୋଧୀଙ୍କ ମେଗା ସୋ’, ଡିଏମକେ ନେତା ଏମ.କେ ଷ୍ଟାଲିନଙ୍କ ନେୃତୃତ୍ବରେ ଏକାଠି ହେବେ ବିରୋଧୀ

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀରେ ବିରୋଧୀଙ୍କ ମେଗା ସୋ’ । ଡିଏମକେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ନେତୃତ୍ୱରେ ଏକାଠି ହେବେ ବିରୋଧୀ । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହି ରଣନୀତି କିଛି ଗୁରୁତ୍ବ ବହନ କରୁଛି । ଅଲ୍ ଇଣ୍ଡିଆ ଫେଡେରେସନ ଫର୍ ସୋସିଆଲ ଜଷ୍ଟିସ ପକ୍ଷରୁ ହେଉଥିବା ସମ୍ମିଳନୀ ଅବସରରେ ବିରୋଧୀ ଦଳ ଏକାଠି ହେବେ । ଏହି ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ପ୍ରମୁଖ ଯୋଗଦେବେ । ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ନିଜର ପ୍ରତିନିଧି ପଠାଇବା ଅନୁମାନ କରାଯାଉଛି ।

ଏହି ବୈଠକରେ ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓବ୍ରିୟେନ, ଆପ୍ ଏମପି ସଞ୍ଜୟ ସିଂ ଓ ବିଆରଏସ ଏମପି କେଶବ ରାଓ ଯୋଗ ଦେବା ସମ୍ଭାବନା ରହିଛି । ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି କରିବାରେ ଡିଏମକେର ଏହା ହେବ ଦ୍ବିତୀୟ ବୈଠକ । କିଛିଦିନ ତଳେ ଷ୍ଟାଲିନଙ୍କ ୭୦ତମ ଜନ୍ମବାର୍ଷିକୀରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଓ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ପ୍ରମୁଖ ଯୋଗଦେଇଥିଲେ ।

ମଝି ଆକାଶରେ ଲାଗିଲା ନିଆଁ, ଚାଲିଗଲା ୩ ନିରୀହ ଜୀବନ..

ୱାଶିଂଟନ: ମଝି ଆକାଶରେ ଲାଗିଲା ନିଆଁ।  ହର୍ଟ ଏୟାର ବେଲୁନରେ ଉଡିବା ହେଲା କାଳ। କିଛି ଭାବିବା ଆଗରୁ ଚାଲିଗଲା ୩ ନିରୀହଙ୍କ ଜୀବନ। ଏମିତି କିଛି ଭୟଙ୍କର ଘଟଣା ଘଟିଛି ଆମେରିକା ମେକ୍ସିକୋର ପ୍ରସିଦ୍ଧ ଟିଓତିୱାକାନ୍ ପ୍ରତ୍ନତାତ୍ତ୍ୱିକ ପର୍ଯ୍ୟଟକ ସ୍ଥଳରେ। ମନୋରଞ୍ଜନ ପାଇଁ ହର୍ଟ ଏୟାର ବେଲୁନରେ ଉଡିବାକୁ ଯାଇଥିଲେ କିଛି ପର୍ଯ୍ୟଟକ। କିଛି ଦୂର ଉଡିବା ପରେ ହଠାତ ବେଲୁନରେ ନିଆଁ ଲାଗିଲା । ମଝି ଆକାଶରେ ଏଭଳି ଏକ ଘଟଣା ସମସ୍ତଙ୍କ ହୃଦୟ ସ୍ପନ୍ଦନ ଅଟକାଇ ଦେଇଥିଲା। ହର୍ଟ ଏୟାର ବେଲୁନରେ ନିଆଁ ଲାଗିବା ଦ୍ବାରା ୩ ଜଣଙ୍କ ମୃତ୍ୟୁ ହୋଇଛି ।

ମେସ୍କିକୋର ସରକାରୀ ରିପୋର୍ଟ ଅନୁଯାୟୀ, ନିଆଁ ଲାଗିବା ପରେ ବେଲୁନରେ ବସିଥିବା ଯାତ୍ରୀ ଡରରେ ବେଲୁନ ଉପରୁ ତଳକୁ ଡେଇଁ ପଡିଥିଲେ। ଦୁର୍ଘଟଣାରେ ଜଣେ ଶିଶୁ ଜୀବନ୍ତଦଗ୍ଧ ହୋଇଥିବା ସୂଚନା ମିଳିଛି। ଘଟଣାରେ ମୃତ ଯାତ୍ରୀଙ୍କ ପରିଚୟ ମିଳିପାରି ନାହିଁ । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ୩୯ ବର୍ଷିୟ ମହିଳା ଥିବା ବେଳେ ଅନ୍ୟଜଣେ ୫୦ ବର୍ଷିୟ ବ୍ୟକ୍ତି ରହିଛନ୍ତି। ଏହି ଅଗ୍ନିକାଣ୍ଡରେ ଜୀବନ୍ତଦଗ୍ଧ ହୋଇଥିବା ଶିଶୁଟିର ଚେହେରା ଚିହ୍ନିବା ସମ୍ଭବ ହେଉନାହିଁ। ଏହାସହ ପିଲାଟିର ଡାହାଣ ପାଦ ମଧ୍ୟ ଫ୍ୟାକ୍ଚର ହୋଇଥିବା ସୂଚନା ମିଳିଛି । ତେବେ ଏହି ହର୍ଟ ଏୟାର ବେଲୁନରେ କେତେ ଜଣ ଯାତ୍ରୀ ଥିଲେ ତାହା ସ୍ପଷ୍ଟ ହୋଇପାରିନାହିଁ।  ଅନ୍ୟପଟେ ଏହି ଦୁର୍ଘଟଣାର ସଂପୂର୍ଣ୍ଣ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି।

ଭିଡିଓରେ ଦେଖି ପାରିବେ ଯେ , ସ୍ୱଚ୍ଛ ଆକାଶରେ ଉଡ଼ିବା ସମୟରେ ହଠାତ କେଉଁ କାରଣରୁ ବେଲୁନରେ ନିଆଁ ଲାଗିଯାଉଛି । ଯାତ୍ରୀମାନେ ଜୀବନ ବଂଚାଇବା ପାଇଁ ଶେଷରେ ବେଲୁନରୁ ତଳକୁ ଡେଇଁ ପଡିଥିଲେ । କହି ରଖୁଛୁ, ଏହି ଟିଓତିୱାକାନ୍ ସହରଟି ମେକ୍ସିକୋର ଏକ ଲୋକପ୍ରିୟ ପର୍ଯ୍ୟଟକ ସ୍ଥଳି ଅଟେ । ଯେଉଁଠାରେ ସୂର୍ଯ୍ୟ ଏବଂ ଚନ୍ଦ୍ରମା ପିରାମିଡର ଏକ ଧ୍ୱଂସାବଶେଷ ରହିଛି । ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କ ଗହଳି ଲାଗିରହିଥାଏ ।

ମାନହାନି ମାମଲାରେ ଉପରକୋର୍ଟ ଯିବେ ରାହୁଲ, ଆସନ୍ତାକାଲି ସୁରଟ ସେସନ୍ସ କୋର୍ଟରେ କରିପାରନ୍ତି ଅପିଲ

ନୂଆଦିଲ୍ଲୀ: ମାନହାନି ମାମଲାରେ ଉପରକୋର୍ଟ ଯିବେ ରାହୁଲ ଗାନ୍ଧୀ । ଆସନ୍ତାକାଲି ସୁରଟ ସେସନ୍ସ କୋର୍ଟରେ ରାହୁଲ ପିଟିସନ ଦାଏର କରିବେ । ଲିଗାଲ ଟିମ୍ ସହ ରାହୁଲ ନିଜେ ସୁରଟ ଯାଇ ପିଟିସନ ଦାଏର କରିବେ ବୋଲି ସୂଚନା ମିଳିଛି । ୨୦୧୯ରେ କର୍ଣ୍ଣାଟକରେ ରାହୁଲ ଗାନ୍ଧୀ ମୋଦି ସରନେମକୁ ନେଇ ଦେଇଥିବା ଭାଷଣରେ ସୁରଟ ସିଜେଏମ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ମାମଲାରେ କୋର୍ଟ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇବାର ୨୪ ଘଣ୍ଟା ମଧ୍ୟରେ ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା । ଏବେ ସିଜେଏମ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ରାହୁଲ ସୁରଟ ସେସନ କୋର୍ଟରେ ପିଟିସନ ଦାଏର କରିବେ ବୋଲି ସୂଚନା ମିଳିଛି ।

 

ନକଲି ସାର୍ଟିଫିକେଟ କାରବାର ମାମଲାରେ ତନାଘନା, ଖୁବଶୀଘ୍ର ରିମାଣ୍ଡରେ ଆସିପାରେ ମୁଖ୍ୟ ଅଭିଯୁକ୍ତ

ବଲାଙ୍ଗୀର: ରିମାଣ୍ଡରେ ଖୋଲିବ ନକଲି ସାର୍ଟିଫିକେଟ କାରବାରର ଗୁମର । ଦ୍ୱିତୀୟ ଦିନରେ ବଲାଙ୍ଗୀର ଟାଉନ ଥାନାରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଜବତ ହୋଇଥିବା ସାର୍ଟିଫିକେଟ୍, ହାର୍ଡ ଡିସ୍କ, ଲାପଟପ ଓ ଅନ୍ୟ ଜିନିଷ ତଦାରଖ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ସହିତ ସହଯୋଗୀ ଆଲୋକ ଉଦଗାତାକୁ ରିମାଣ୍ଡରେ ନେଇ ତନାଘନା କରିବ । ଏଥିପାଇଁ ଖୁବଶୀଘ୍ର କୋର୍ଟରେ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ । କେବେଠାରୁ ରାକେଟ ଆରମ୍ଭ କରିଥିଲା ମନୋଜ । ଏଥିରେ କେତେଜଣ ସଂପୃକ୍ତ ଥିଲେ । କେଉଁ କେଉଁ ରାଜ୍ୟକୁ ରାକେଟର ଚେର ଲମ୍ବିଛି । ଏମିତି କେତେ ଜଣଙ୍କୁ ଜାଲ ସାର୍ଟିଫିକେଟ ଦେଇ କୋଟି କୋଟି ଟଙ୍କା ହାତେଇଛି ଅଭିଯୁକ୍ତ । ମାମଲାର ମୂଳରେ ପହଞ୍ଚିବାକୁ ସବୁ ଦିଗରୁ ତଦନ୍ତ ଆରମ୍ଭ ହୋଇଛି ।

କ୍ରାଇମବ୍ରାଞ୍ଚ ଡିଏସପି ଡିଏସ ଚକ୍ରଙ୍କ ନେତୃତ୍ବରେ ୫ ଜଣିଆ ଟିମ୍ ଛାନବିନ୍ ଆରମ୍ଭ କରିଛି । ବଲାଙ୍ଗୀର ଏସପିଙ୍କ ସହିତ ଆଲୋଚନା କରି ତଦନ୍ତ ଆଗକୁ ବଢାଇଛି କ୍ରାଇମବ୍ରାଞ୍ଚ । ବଲାଙ୍ଗୀରରେ ଡାକ ବିଭାଗର ଚାକିରି ପାଇଁ ସାର୍ଟିଫିକେଟ ଯାଞ୍ଚ ସମୟରେ ସାମ୍ନାକୁ ଆସିଥିଲା ଫେକ ସାର୍ଟିଫିକେଟ ରାକେଟ । ଖୋଳତାଡ଼ କରି ମୁଖ୍ୟ ଅଭିଯୁକ୍ତ ସହ ୧୯ ଜଣଙ୍କୁ ଗିରଫ କରିଛି ପୋଲିସ । ମନୋଜ ମିଶ୍ରର କୋଚିଂ ସେଣ୍ଟରରୁ ଜବତ ହୋଇଥିବା ଆର୍ଥିକ କାରବାର ସଂପର୍କିତ ଡାଏରି ଓ କିଛି ଚେକର ତଦନ୍ତ ପରେ ସନ୍ଦେହ ଘେରକୁ ଆସିଛନ୍ତି ଆଉ ଜଣେ ଯୁବକ ଭିନିତ ନାଏକ । ସେ ଏବେ କଳାହାଣ୍ଡି ଜେଲରେ ଏକ ମାମଲାରେ ବିଚାରାଧୀନ ଅନ୍ତେବାସୀ ଭାବରେ ରହୁଛି । ଏଣୁ ତାକୁ ମଧ୍ୟ ଆଗାମୀ ଦିନରେ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିପାରେ ।

 

ବୋହୂଙ୍କୁ ବଞ୍ଚାଇବାକୁ ଯାଇ ପୁଅ ହାତରୁ ଗୁଳି ଖାଇଲେ ବାପା

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରି ଗାଁରେ ଅଭାବନୀୟ ଘଟଣା । ବୋହୂଙ୍କୁ ବଞ୍ଚାଇବାକୁ ଯାଇ ପୁଅ ହାତରୁ ଗୁଳି ଖାଇଲେ ବାପା । ଗୁରୁତର ବାପା ହେଲେ ଗଙ୍ଗାଜଳ ମେହେର । ତାଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ ପୁଅ ଓ ବୋହୂଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଏହି ଝଗଡ଼ାରେ ପୁଅ ରାଗିଯାଇ ସ୍ତ୍ରୀକୁ ଗୁଳି କରିବାକୁ ଚେଷ୍ଟା କରିଥିଲା । ସେହି ସମୟରେ ବାପା ଗଙ୍ଗାଜଳ ବୋହୂକୁ ରକ୍ଷା କରିବା ପାଇଁ ସାମ୍ନାକୁ ଚାଲି ଆସିଥିଲେ । ଫଳରେ ଗୁଳିଟି ତାଙ୍କ ଦେହରେ ବାଜିଥିଲା ଓ ସେ ଗୁରୁତର ଆହତ ହୋଇଛନ୍ତି । ଘଟଣାକୁ ନେଇ ଡୁଙ୍ଗୁରିପାଲି ଥାନାରେ ଏକ ମାମଲା ରୁଜୁ ହୋଇଛି ।

ଆଜି IPLରେ ଖେଳାଯିବ ଦୁଇଟି ମ୍ୟାଚ୍, ସନ୍ଧ୍ୟାରେ ମୁହାଁମୁହିଁ ହେବେ ରୋହିତ-କୋହଲି

ବାଙ୍ଗାଲୋର: ଜମୁଛି ଆଇପିଏଲ ଲଢେଇ । ଆଜି ସୁପର ସଣ୍ଡେରେ ଆଇପିଏଲରେ ଖେଳାଯିବ ଦୁଇଟି ମ୍ୟାଚ୍ । ଆଜି ପ୍ରଥମ ମ୍ୟାଚରେ ଗତ ବର୍ଷର ରନର୍ସ ଅପ୍ ଦଳ ରାଜସ୍ଥାନକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ । ଘରୋଇ ଦର୍ଶକଙ୍କ ସମର୍ଥନରେ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ସନରାଇଜର୍ସ ହାଇଦ୍ରାବାଦ । ଅନ୍ୟପକ୍ଷରେ ହାଇଦ୍ରାବାଦରେ ସନରାଇଜର୍ସକୁ ପରାସ୍ତ କରି ନିଜର ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ରାଜସ୍ଥାନ ରୟାଲ୍ସ ।

ସେହପରି ଆଜି ଆଇପିଏଲର ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚ ସନ୍ଧ୍ୟା ୭.୩୦ରେ ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ୩ ବର୍ଷ ପରେ ଘରୋଇ ଷ୍ଟାଡିୟମରେ ମ୍ୟାଚ ଖେଳାଯାଉଥିବାରୁ ଆରସିବି ଦର୍ଶକଙ୍କ ଉତ୍ସାହ ବେଶ୍ ରହିଛି । ଆଇପିଏଲର ବିଗତ ୩ଟି ସିଜିନରେ ଆରସିବି ପ୍ଲେ ଅଫକୁ ଯାଇଥିଲା । ତେଣୁ ଚଳିତ ସିଜିନରେ ଆରସିବି ପ୍ଲେ ଅଫକୁ ଯିବା ସହ ଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ । ଅନ୍ୟପକ୍ଷରେ ଆଇପିଏଲ ଇତିହାସରେ ସବୁଠୁ ସଫଳ ଦଳ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ । ରୋହିତ ଶର୍ମାଙ୍କ ନେତୃତାଧୀନ ମୁମ୍ବାଇ ଆଇପିଏଲରେ ୫ ଥର ବିଜୟ ମୁକୁଟ ପିନ୍ଧିସାରିଛି । ତେବେ ଗତ ସିଜିନରେ ମୁମ୍ବାଇ ଭଲ ପ୍ରଦର୍ଶନ କରିପାରିନଥିଲା । ତେଣୁ ଚଳିତ ସିଜିନରେ ମୁମ୍ବାଇ ଭଲ ଆରମ୍ଭ କରିବାକୁ ଚେଷ୍ଟା କରିବ ।