କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ରୁତୁଙ୍ଗିଆ ପଞ୍ଚାୟତର ସେଣ୍ଟ ଜାଭିଅର୍ ହାଇସ୍କୁଲରେ ଅଘଟଣ । ବିସ୍ଫୋରଣରେ ୩ ହଷ୍ଟେଲ ଛାତ୍ର ଗୁରୁତର ହୋଇଛନ୍ତି । ଛାତ୍ରଜଣଙ୍କ ନିଜ ପକେଟରେ କିଛି ବିସ୍ଫୋରକ ଜିନିଷ ରଖିଥିବା ବେଳେ ହଠାତ ତାହା ଫାଟିଥିଲା । ଯେଉଁଥିରେ ଦୁଇଜଣ ଗୁରୁତର ହୋଇଥିବା ବେଳେ ଜଣେ ଆହାତ ହୋଇଛନ୍ତି । ପ୍ରଥମେ ଛାତ୍ର ମାନଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଆଣି ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି । ଛାତ୍ରମାନେ ସ୍କୁଲ ପରିସରକୁ କେମିତି ବିସ୍ଫୋରକ ସାମଗ୍ରୀ ଆଣିଲେ ତାହା ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।
୬ ଫେବୃଆରୀରେ ହେବ ଦିଲ୍ଲୀ ଏମସିଡି ମେୟର ନିର୍ବାଚନ
ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମର ମେୟର ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି । ୬ ଫେବୃଆରୀରେ ଏମସିଡିର ମେୟର, ଡେପୁଟି ମେୟର ଏବଂ ୬ ଷ୍ଟାଣ୍ଡିଂ କମିଟିର ସଦସ୍ୟଙ୍କ ନିର୍ବାଚନ ହେବ । ଦିଲ୍ଲୀର ଏଲଜି ବିନୟ ସକ୍ସେନା ମେୟର ନିର୍ବାଚନର ନୂଆ ତାରିଖକୁ ମଞ୍ଜୁରୀ ଦେଇଛନ୍ତି । ଏହା ପୂର୍ବରୁ ଦିଲ୍ଲୀର ଅରବିନ୍ଦ କେଜରିୱାଲ ସରକାର ଏଲଜି ବିନୟ ସକ୍ସେନାଙ୍କୁ ମେୟର ନିର୍ବାଚନର ନୂଆ ତାରିଖ ପ୍ରସ୍ତାବ ପଠାଇଥିଲେ ।
ଦିଲ୍ଲୀ ସରକାର ୩,୪ ବା ୬ ଫେବୃଆରୀରେ ମେୟର ନିର୍ବାଚନ କରାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ଅବଶ୍ୟ, ଏମସିଡି ଦିଲ୍ଲୀ ସରକାରଙ୍କୁ ୧୦ ଫେବୃଆରୀରେ ନିର୍ବାଚନ କରାଇବା ନେଇ ପ୍ରସ୍ତାବ ଦେଇଥିଲା । ଏହାପରେ ଏବେ ଏଲଜି ଏମସିଡି ନିର୍ବାଚନ ତାରିଖ ୬ ଫେବୃଆରୀକୁ ନିର୍ଦ୍ଧାରିତ କରିଛନ୍ତି । ସୂଚନାଥାଉକି, ଦିଲ୍ଲୀ ନଗର ନିଗମର ନବନିର୍ବାଚିତ ଗୃହର ପ୍ରଥମ ବୈଠକ ୬ ଜାନୁଆରୀରେ ହୋଇଥିଲା ।
ଏହି ଅବସରରେ ଆମ ଆଦମି ପାର୍ଟି ଏବଂ ବିଜେପି ପାରିଷଦଙ୍କ ମଧ୍ୟରେ ଗଣ୍ଡଗୋଳ କାରଣରୁ ମେୟର, ଡେପୁଟି ମେୟର ଏବଂ ଛଅ ସ୍ଥାୟୀ ସମିତିର ସଦସ୍ୟଙ୍କ ନିର୍ବାଚନ ହୋଇ ପାରିନଥିଲା ଏବଂ ଗୃହର କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ଏହାପରେ ୨୪ ଜାନୁଆରୀରେ ପୁଣିଥରେ ବୈଠକ ହୋଇଥିଲା ଏବଂ ହଙ୍ଗାମା କାରଣରୁ ପୁଣି ଗୋଟେଥର ମେୟର ନିର୍ବାଚନ ହୋଇପାରି ନଥିଲା । ମେୟର ନିର୍ବାଚନରେ ୨୫୦ ପାରିଷଦଙ୍କ ବ୍ଯତୀତ ଦିଲ୍ଲୀର ୧୪ ବିଧାୟକ ଏବଂ ୧୦ ସାଂସଦ ଭୋଟ ଦେବେ ।
ସୂଚନାଥାଉକି, ଦିଲ୍ଲୀର ନଗର ନିଗମ ପାଇଁ ଗତ ବର୍ଷ ୪ ଡିସେମ୍ବରରେ ନିର୍ବାଚନ ହୋଇଥିଲା ଏବଂ ଫଳାଫଳ ୭ ଡିସେମ୍ବରରେ ଘୋଷଣା ହୋଇଥିଲା । ଦିଲ୍ଲୀ ନଗର ନିଗମରେ ଆମ ଆଦମି ପାର୍ଟି ୧୩୪ ଆସନ ଜିତିଥିଲା । ସେହିପରି ବିଜେପି ୧୦୪ ଆସନ ଜିତିଥିଲା । ଏହାପରେ ବିଜେପି ୧୫ ବର୍ଷ ପରେ ଏମସିଡିର କ୍ଷମତାରୁ ବାହାରି ଯାଇଥିଲା ।
ନବ ଦାସ ହତ୍ୟା ମାମଲା: ପୁଣି ବ୍ରହ୍ମପୁରରେ ତନାଘନା ଆରମ୍ଭ କଲା କ୍ରାଇମବ୍ରାଞ୍ଚ
ବ୍ରହ୍ମପୁର: ନବକିଶୋର ଦାସଙ୍କୁ ଗୁଳିକରି ହତ୍ୟା ମାମଲା । ପୁଣି ବ୍ରହ୍ମପୁରରେ ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ । ଅଭିଯୁକ୍ତ ଗୋପାଳକୃଷ୍ଣର ବ୍ରହ୍ମପୁର ସ୍ଥିତ ଆଙ୍କୁଲି ବାସ ଭବନରେ ଦୁଇଜଣିଆ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘର ଭିତରେ ASI ଗୋପାଳ ଦାସର ପତ୍ନୀ ଜୟନ୍ତୀ ଦାଶ୍ ଏବଂ ତାଙ୍କ ପୁତୁରା ରହିଥିବା ବେଳେ ତଦନ୍ତ ଆରମ୍ଭ କରିଛି କ୍ରାଇବ୍ରାଞ୍ଚ । ଗତକାଲି ଅଭିଯୁକ୍ତ ଗୋପାଳକୃଷ୍ଣର ବଡ଼ଭାଇକୁ ଉଠାଇନେଇଥିଲା କ୍ରାଇମବ୍ରାଞ୍ଚ । ଅନ୍ୟପକ୍ଷରେ ମୁଖ୍ୟ ଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣକୁ ୪ ଦିନିଆ ରିମାଣ୍ଡରେ ନେଇ ପଚରା ଉଚରା କରୁଛି କ୍ରାଇମବ୍ରାଞ୍ଚ ।
ସୁନ୍ଦରଗଡ଼ କୁଳିପୋଷ ରେଞ୍ଜ ବନ୍ଧବେର୍ଣ୍ଣା ଗାଁରେ ଦନ୍ତା ଉପଦ୍ରବ
ସୁନ୍ଦରଗଡ଼: ସୁନ୍ଦରଗଡ଼ କୁଳିପୋଷ ରେଞ୍ଜ ବନ୍ଧବେର୍ଣ୍ଣା ଗାଁରେ ଦନ୍ତା ଉପଦ୍ରବ । ଘରଦ୍ବାର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛି ଦନ୍ତା ହାତୀ । ଏହାସହ ବନ୍ଧବେର୍ଣ୍ଣା ଗାଁର ରେବତୀ ମୁଣ୍ଡା ଏବଂ ତାଙ୍କ ସ୍ୱାମୀ ସନ୍ତୋଷ ମୁଣ୍ଡା ଘରେ ଶୋଇଥିବା ବେଳେ କାନ୍ଥ ଭାଙ୍ଗିଛି ହାତୀ । କାନ୍ଥ ପଡ଼ି ସ୍ବାମୀ ସ୍ତ୍ରୀ ଗୁରୁତର ଥିବା ଜଣାପଡିଛି ।
ଗୁରୁତରଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କ୍ଷତି ପୂରଣ ଲାଗି ପରିବାର ଦାବି କରିଛନ୍ତି, ଏହି ହାତୀଟି ଦୀର୍ଘ ଦିନ ହେଲା ଘୁରି ବୁଲି ବଣାଇ ରେଞ୍ଜର ପ୍ରାୟ ତିରିଶଟି ଗାଁରେ କ୍ଷତି କରିଥିବା ବେଳେ କୁଳିପୋଷ ରେଞ୍ଜରେ ଅନେକ ଘର ଭାଙ୍ଗିବା ସହ ପୂର୍ବରୁ ଜଣକୁ ମାରି ଦେଇଥିବା ସୂଚନା ରହିଛି l ହାତୀ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି I
ଚିନ୍ତା ବଢ଼ାଇଲା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାର; ଏନଫୋର୍ସମେଣ୍ଟ କଡ଼ାକଡ଼ି କରିବାକୁ ପରିବହନ ବିଭାଗର ନିଷ୍ପତ୍ତି
ଭୁବନେଶ୍ୱର: ରାଜ୍ୟରେ କମିବା ନାଁ ନେଉନି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ । ସିଆଇଡି ଓ କ୍ରାଇମବାଞ୍ଚ ଦେଇଛି ଚିନ୍ତାଜନକ ରିପୋର୍ଟ । ଯେଉଁଥିରେ ୨୦୨୧ ତୁଳନାରେ ୨୦୨୨ରେ ୯.୦୯ପ୍ରତିଶତରୁ ଅଧିକ ବଢିଛି ମୃତ୍ୟୁହାର । ଏପରିକି ୬ଟି ଜିଲ୍ଲାରେ ଏହା ୨୦ ପ୍ରତିଶତ ବୃଦ୍ଧି ପାଇଛି । ଢେଙ୍କାନାଳ, ଭଦ୍ରକ, ପୁରୀ, ସୁବର୍ଣ୍ଣପୁର, ଦେବଗଡ଼ ଓ ନୟାଗଡ଼ରେ ଏହା ୨୦ ପ୍ରତିଶତରୁ ଅଧିକ ବଢିଛି । ସେହିପରି ସୁନ୍ଦରଗଡ଼, ଗଞ୍ଜାମ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, କଟକ, ସମ୍ବଲପୁର, କୋରାପୁଟ ଓ ଯାଜପୁରରେ ୨୦୦ରୁ ଅଧିକ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଛି ।
ଏହାକୁ ଦୃଷ୍ଟିରେ ରଖି ଏନଫୋରସମେଣ୍ଟ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛି ପରିବହନ ବିଭାଗ । ଏଣିକି ପ୍ରତି ମଙ୍ଗଳବାରକୁ ଜିରୋ ଟଲରାନସ୍ ଡେ ଭାବେ ପାଳନ କରି ସଡ଼କ ସୁରକ୍ଷା ନିୟମ ଉଲଂଘନକାରୀଙ୍କ ମନରେ ଭୟ ସୃଷ୍ଟି କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଦୃତ ଗାଡ଼ି ଚାଳକ, ମଦ୍ୟପ ଡ୍ରାଇଭର, ଭୁଲ ସାଇଡ୍ ଡ୍ରାଇଭିଂ, ମୋବାଇଲ ଫୋନରେ ଗପି ଗାଡି ଚଲାଉଥିବା ଲୋକ, ହେଲମେଟ ଓ ସିଟ ବେଲ୍ଟ ନ ପିନ୍ଧିଥିବା ନିୟମ ଉଲଂଘନକାରୀଙ୍କ ପାଇଁ ମଙ୍ଗଳବାର ଏନଫୋରସମେଣ୍ଟ କଡ଼ାକଡ଼ା କରିବେ ପୋଲିସ ଓ ଆରଟିଓ ।
ଯାହାର ମାସିକ ରିପୋର୍ଟ ପରିବହନ କମିଶନରଙ୍କୁ ପଠାଯିବ । ସେହିପରି ଏପ୍ରିଲ ୧ରୁ ୭ ଯାଏ ଜିରୋ ଫାଟାଲିଟି ଓ୍ବିକ୍ ଭାବେ ପାଳନ କରାଯିବ । ଏହି ସପ୍ତାହ ଭିତରେ ରାଜ୍ୟରେ ଯେପରି ଗୋଟାଏ ବି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ନ ହୁଏ, ସେ ମିଳିତ ପଦକ୍ଷେପ ନିଆଯିବ । ଏଥି ପାଇଁ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟ ଖସଡ଼ା ସାରିବାକୁ ତାଲିକା ପ୍ରସ୍ତୁତ ହୋରଇଛି । ଏହି ଖସଡ଼ାକୁ ସ୍ବାସ୍ଥ୍ୟ, ପୂର୍ତ୍ତ, ଜାତୀୟ ରାଜପଥ, ଗ୍ରାମୀଣ ବିକାଶ, ଗୃହ, ନଗର ଉନ୍ନୟନ ଓ ପରିବହନ କମିଶନର କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
୨୦୨୩-୨୪ ଆର୍ଥିକ ବର୍ଷ ଲାଗି ମୋଟ ବଜେଟ ପରିମାଣ ୪୫ ଲକ୍ଷ କୋଟି
ନନ୍ଦିଘୋଷ ବ୍ୟୁରୋ: ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ମୋଟ ବଜେଟ ପରିମାଣ ହୋଇଛି ୪୫ ଲକ୍ଷ କୋଟି ଟଙ୍କା । ଋଣ ବ୍ୟତୀତ ଆୟ ପରିମାଣ ରହିଛି ୨୭ ଦଶମିକ ୨ ଲକ୍ଷ କୋଟି ଟଙ୍କା । ମୋଟ କର ବାବଦ ଆୟ ପରିମାଣ ରହିଛି ୨୩ ଦଶମିକ ୩ ଲକ୍ଷ କୋଟି ଟଙ୍କା । ୨୦୨୩-୨୪ ଲାଗି ରାଜସ୍ବ ନିଅଣ୍ଟ ପରିମାଣ ରହିଛି ଜିଡିପିର ୫ ଦଶମିକ ୯ ପ୍ରତିଶତ । ମୋଟ ପୁଞ୍ଜିନିବେଶ ପରିମାଣ ୩୩ ପ୍ରତିଶତ ଅର୍ଥାତ୧୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।
ଜିଡିପିର ଏହି ପରିମାଣ ହେଉଛି ୪ ଦଶମିକ ୫ ପ୍ରତିଶତ । ୨୦୨୨-୨୩ରେ ରିୟଲ ଜିଡିପି ଅଭିବୃଦ୍ଧି ଲକ୍ଷ୍ୟରହିଛି ୭ ପ୍ରତିଶତ । ଏହା ସହ ରାଜସ୍ବ ବର୍ଷ ୨୦୨୩ରେ ରପ୍ତାନି ଅଭିବୃଦ୍ଧି ଲକ୍ଷ୍ୟ ହାର ରହିଛି ୧୨ ଦଶମିକ ୫ ପ୍ରତିଶତ । ଗତ ୯ ବର୍ଷ ମଧ୍ୟରେ ମୁଣ୍ଡପିଛା ଆୟ ଦୁଇଗୁଣ ଅର୍ଥାତ ୧ ଲକ୍ଷ ୯୭ହଜାର କୋଟି ଟଙ୍କା ହୋଇଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ପରିବହନ ଲାଗି ୫,୧୭, ୦୩୪ କୋଟି ଟଙ୍କା, ପ୍ରତିରକ୍ଷା ଲାଗି ୪,୩୨, ୭୨୦ କୋଟି, ରେଳବାଇ ଲାଗି ୨ ଲକ୍ଷ ୪୦ ହଜାର କୋଟି, ଗ୍ରାମୀଣ ବିକାଶ ଲାଗି ୨,୩୮,୨୦୪ କୋଟି, ଶିକ୍ଷା ଲାଗି ୧,୧୨,୮୯୯ କୋଟି, କୃଷି ଲାଗି ୮୪,୨୧୪ କୋଟି, ନଗର ଉନ୍ନୟନ ଲାଗି ୭୬,୪୩୨ କୋଟି, ବାଣିଜ୍ୟ ଓ ଶିଳ୍ପ ଲାଗି ୪୮, ୧୬୯ କୋଟି, ସ୍ବାସ୍ଥ୍ୟ ଲାଗି ୮୮, ୯୬୮ କୋଟି, ଆଇଟି ଓ ଟେଲିକମ ଲାଗି ୯୩, ୪୭୮ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।
ଆଦାନୀଙ୍କୁ ପଛରେ ପକାଇ ଏସିଆର ସବୁଠୁ ଧନୀ ବ୍ୟକ୍ତି ହେଲେ ମୁକେଶ ଅମ୍ବାନୀ
ନୂଆଦିଲ୍ଲୀ: ହିଣ୍ଡେନବର୍ଗର ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପର ଚେୟାରମ୍ୟାନଙ୍କ ସମ୍ପତ୍ତିରେ ଲଗାତାର ହ୍ରାସ ଦେଖିବାକୁ ମିଳୁଛି । ଏହି କାରଣରୁ ମୁକେଶ ଅମ୍ବାନୀ ଏବେ କେବଳ ଭାରତର ନୁହେଁ ବରଂ ସମ୍ପୂର୍ଣ୍ଣ ଏସିଆର ସବୁଠୁ ଧନୀ ବ୍ୟକ୍ତି ହୋଇଯାଇଛନ୍ତି । ଫୋବର୍ସ ରିୟଲ ଟାଇମ୍ ବିଲେନିୟର ଇଣ୍ଡେକ୍ସରେ ଏବେ ସେ ଆଦାନୀଙ୍କଠାରୁ ୪ ଟି ସ୍ଥାନ ଉପରେ ଅର୍ଥାତ ୯ମ ସ୍ଥାନରେ ରହିଛନ୍ତି । ସେହିପରି ଆଦାନୀ ୧୩ତମ ସ୍ଥାନକୁ ଖସିଆସିଛନ୍ତି ।
ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତିରେ ଆଜି ୯ ଆରବ ଡଲାରର ହ୍ରାସ ଦେଖିବାକୁ ମିଳିଛି । ଏବେ ତାଙ୍କର ମୋଟ ନେଟୱର୍ଥ ୭୮.୯ ବିଲିୟନ ଡଲାର ରହିଯାଇଛି । କିଛି ଦିନ ପୂର୍ବେ ଆଦାନୀ ଫୋବର୍ସ ସୂଚୀରେ ତୃତୀୟ ସ୍ଥାନରେ ରହିଥିଲେ । ହିଣ୍ଡେନବର୍ଗର ରିପୋର୍ଟ ସାମ୍ନାକୁ ଆସିବା ପରେ ତାଙ୍କ କମ୍ପାନୀର ସେୟାର ହ୍ରାସ ପାଇବାରେ ଲାଗିଛି । ଏବେ ସେ ବିଶ୍ୱର ଟପ-୧୦ ଧନୀ ତାଲିକାରୁ ମଧ୍ୟ ବାହାରି ଯାଇଛନ୍ତି ।

