spot_img
Home Blog Page 3467

କଂଗ୍ରେସ ସହ ତମାମ ବିରୋଧୀ ଦଳ ସାମିଲ, ଖଡଗେଙ୍କ ଅଫିସରେ ଆଗାମୀ ରଣନୀତି ନେଇ ଆଲୋଚନା

ନୂଆଦିଲ୍ଲୀ: ଏକଛତ୍ରବାଦୀ ଶାସନ ବିରୋଧରେ ଜାରି ରହିବ ଲଢ଼େଇ । ଗଣତନ୍ତ୍ରର ରକ୍ଷା ପାଇଁ କଂଗ୍ରେସ ସହ ସାଥ୍ ଦେଇଛନ୍ତି ତମାମ ବିରୋଧୀ ଦଳ । ଶରଦ ପାଓ୍ବାରଙ୍କ ଏନସିପି, ନୀତୀଶଙ୍କ ଜେଡିୟୁ, ତେଲେଙ୍ଗାନାର ଶାସକ ଦଳ ବିଆରଏସ, ସିପିଏମ, ସିପିଆଇ, ଆମ ଆଦମୀ ପାର୍ଟି, ଏଆଇଡିଏମକେ, ଟିଏମସି, ଆରଜେଡି, ସମାଜବାଦୀ ପାର୍ଟି, ଜେଏମଏମ, ଡିଏମକେ ଆଦି ୧୮ଟି ଦଳ ଏକଜୁଟ ହୋଇଛନ୍ତି । ଆଜି ବିରୋଧୀଙ୍କ ସହ ଶିବସେନା ମଧ୍ୟ ସାମିଲ ହୋଇପାରେ । ଆଗାମୀ ରଣନୀତି ନେଇ ପାର୍ଲାମେଣ୍ଟ ପରିସରରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ କାର୍ଯ୍ୟାଳୟରେ ବିରୋଧୀଙ୍କ ବୈଠକରେ ନିଷ୍ପତ୍ତି ନିଆଯିବ ।

ସେପଟେ ଭ୍ରଷ୍ଟାଚାରୀଙ୍କ ବିରୋଧରେ କଂଗ୍ରେସ ସ୍ବର ଉଠାଇବା ଜାରି ରଖିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ସାଂସଦ ପ୍ରମୋଦ ତିଓ୍ବାରୀ । ଦେଶର ଟଙ୍କା ଲୁଟି ଫେରାର ହୋଇଯାଇଥିବା ମେହୁଲ ଚୋକସୀ, ନିରବ ମୋଦୀ, ଲଳିତ ମୋଦୀଙ୍କୁ ଓବିସି ସାହାରାରେ ବିଜେପି ବଞ୍ଚାଇବାକୁ ଚାହୁଁଛି ବୋଲି ସେ କହିଛନ୍ତି । ବିଜେପି ବିରୋଧରେ କହିବା ଦେଶ ବିରୋଧରେ କହିବା ନୁହେଁ । ଆଦାନୀ ପ୍ରସଙ୍ଗ ପାଇଁ ସଂସଦ ଚଳାଇବାକୁ ଦେଉନି ବିଜେପି । ପାର୍ଲାମେଣ୍ଟରେ ଆଦାନୀ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟର ଚର୍ଚ୍ଚା ହେଲେ ବିଜେପିର ମୁଖା ଖୋଲିଯିବ ବୋଲି ପ୍ରମୋଦ ତିଓ୍ବାରୀ କହିଛନ୍ତି । ସେପଟେ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ସଦସ୍ୟତା ରଦ୍ଦ ପ୍ରସଙ୍ଗ ଉପରେ ଆମେରିକା ନଜର ରଖିଛି ବୋଲି ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମୋଷ୍ଟ ଓ୍ବାଣ୍ଟେଡ ଅମ୍ରିତପାଲ ସିଂକୁ ସର୍ଭିଲାନ୍ସ ଲିଷ୍ଟରେ ସାମିଲ କଲା ନେପାଳ

ନେପାଳ: ନେପାଳରେ ମୋଷ୍ଟ ଓ୍ବାଣ୍ଟେଡ ଅମ୍ରିତପାଲ ସିଂ । ଖଲିସ୍ତାନୀ ସମର୍ଥକ  ପଳାତକ ଅମ୍ରିତପାଲ ସିଂହକୁ ନେପାଳ ସରକାର ମୋଷ୍ଟ ଓ୍ବାଣ୍ଟେଡ ଘୋଷଣା କରିଛନ୍ତି । ନେପାଳ ସରକାର ଅମ୍ରିତପାଲକୁ ସର୍ଭିଲାନ୍ସ ଲିଷ୍ଟରେ ସାମିଲ କରିବା ସହ ନେପାଳରେ ହାଇ ଆଲର୍ଟ ଜାରି କରାଯାଇଛି।

ୱାରିସ ପଞ୍ଜାବ ଦେ ମୁଖ୍ୟ ଅମ୍ରିତପାଲ ନେପାଳରେ ଲୁଚି ରହି ଥାଇପାରେ ବୋଲି ସନ୍ଦେହ କରାଯାଉଛି । ସୀମା ପାର ହୋଇ ଅମ୍ରିତପାଲ ନେପାଳ ପଳାଇଥିବା ଯାଞ୍ଚ ଏଜେନ୍ସି ଅନୁମାନ କରୁଛି । ଅମ୍ରିତପାଲ ସିଂହକୁ ନକଲି ପାସ୍‌ପୋର୍ଟ ଜରିଆରେ ଅନ୍ୟ ଦେଶକୁ ପଳାଇବାକୁ ଚେଷ୍ଟା କରିପାରେ।  ଅମ୍ରିତପାଲ ସିଂହକୁ ଧରିବା ପାଇଁ ନେପାଳର ସମସ୍ତ ହୋଟେଲ ଠାରୁ ଆରମ୍ଭ କରି ଏୟାରଲାଇନ୍ସ ସମ୍ବନ୍ଧିତ ଏଜେନ୍ସିକୁ ତା’ର ବିବରଣୀ ଦିଆଯାଇଛି।

ତେବେ ଅମ୍ରିତପାଲ ପାଖରେ ଭିନ୍ନ ଭିନ୍ନ ପରିଚୟର ଅନେକ ନକଲି ପାସ୍‌ପୋର୍ଟ ରହିଥିବା କୁହାଯାଉଛି। ଏପଟେ ଅମ୍ରିତପାଲର ଅନେକ ସହଯୋଗୀଙ୍କୁ ପଞ୍ଜାବ ପୋଲିସ ଗିରଫ କରିଥିବା ବେଳେ ଉତ୍ତରାଖଣ୍ଡ, ଆସାମ ଓ ପଞ୍ଜାବରେ ବି ପୋଲିସ ଆଲର୍ଟରେ ରହିଛି ।

୬ କୋଟି ଲୋକଙ୍କ ପାଇଁ ଖୁସୀ ଖବର, ଇପିଏଫ୍ ବଢାଇଲା ପିଏଫ୍ ଉପରେ ଏତିିକି ସୁଧ

ନୂଆଦିଲ୍ଲୀ: ବଢ଼ିଲା EPFO ସୁଧହାର । କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ଉପରେ ସୁଧ ହାର ବୃଦ୍ଧି କରିଛି କର୍ମଚାରୀ ଭବିଷ୍ୟନିଧି ସଂଗଠନ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ ସୁଧ ହାର ୮.୧୫ ପ୍ରତିଶତକୁ ବଢ଼ାଇ ଦିଆଯାଇଛି । EPFରେ ସୁଧ ହାର ବଢିବା ପରେ ପାଖାପାଖି ୬ କୋଟି ଲୋକ ଉପକୃତ ହେବେ । ଏମାନଙ୍କ ମଧ୍ୟରୁ ୭୨.୭୩ ଲକ୍ଷ ଲୋକ ଆର୍ଥିକ ବର୍ଷ ୨୨ରେ ପେନସନଭୋଗୀ ।

ଗତକାଲିଠୁ ଇପିଏଫଓର ଦୁଇ ଦିନିଆ ବୋର୍ଡ ମିଟିଂ ବସିଥିବା ବେଳେ ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ସୁଧହାର ୮.୧ ପ୍ରତିଶତକୁ କମାଇ ଦିଆଯାଇଥିଲା । ଯାହା ୧୯୭୭-୭୮ ଆର୍ଥିକ ବର୍ଷ ପରେ ସବୁଠୁ କମ ସୁଧହାର ରହିଥିଲା । ୨୦୨୦-୨୧ରେ ଇପିଏଫଓ ସୁଧହାର ୮.୫ ପ୍ରତିଶତ ରହିଥିଲା ।

ସେହିପରି ୨୦୧୮-୧୯ରେ ୮.୬୫%, ୨୦୧୭-୧୮ରେ ୮.୫୫%, ୨୦୧୬-୧୭ରେ  ୮.୬୫% ରହିଥିଲା । ସୂଚନା ଅନୁଯାୟୀ, EPFO ପିଏଫ୍ ଆକାଉଣ୍ଟ ହୋଲ୍ଡରଙ୍କ ଜମା ରାଶିକୁ ବିଭିନ୍ନ ସ୍ଥାନରେ ନିବେଶ କରିଥାଏ । ଏହି ନିବେଶରେ ହେଉଥିବା ଆୟର ୧ ପ୍ରତିଶତ ଟଙ୍କା ସୁଧ ଆକାରରେ ଖାତାଧାରୀ ମାନଙ୍କୁ ମିଳିଥାଏ ।

ଗ୍ରାମୀଣ ରାସ୍ତାର ହେବ ମରାମତି କାମ, ୧୧୫୮ କୋଟିରୁ ଅଧିକ ଟଙ୍କାର ବ୍ୟୟ ବରାଦ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନ । ବାର୍ଷିକ ରକ୍ଷଣାବେକ୍ଷଣ ଯୋଜନା ୨୦୨୩-୨୪ରେ ଏପ୍ରିଲ ଶେଷ ସୁଦ୍ଧା ଗ୍ରାମୀଣ ରାସ୍ତାର ହେବ ମରାମତି କାମ । ଏଥିପାଇଁ ୧୧୫୮ କୋଟିରୁ ଅଧିକ ଟଙ୍କାର ବ୍ୟୟ ବରାଦ କରାଯାଇଛି । ଅର୍ଥ ବିଭାଗର ଅନୁମୋଦନ ପରେ ଆରମ୍ଭ ହେବ କାମ । ଏନେଇ ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଟିଟିଲାଗଡ଼ର ତୁରେଇକେଲା, ବଂଗେମୁଣ୍ଡା, ମୁରିବାହାଲ ବ୍ଲକର ଖରାପ ରାସ୍ତା ଗୁଡିକ ସମ୍ବଳ ଅନୁସାରେ ଅନ୍ତର୍ଭୁକ୍ତ କରାଯାଇ ମରାମତି ପାଇଁ ଅଗ୍ରାଧିକାର ଦିଆଯିବ ବୋଲି ପ୍ରୀତି ରଞ୍ଜନ ଘଡାଇ ଗୃହରେ ଉତ୍ତର ରଖିଛନ୍ତି । ଏଥିପାଇଁ ଖରାପ ରାସ୍ତାକୁ କରାଯାଉଛି ଚିହ୍ନଟ । ସେହିପରି ରାସ୍ତାର ଗୁଣବତ୍ତା ଓ ଅଞ୍ଚଳର ଜନସଂଖ୍ୟାକୁ ନେଇ ବାର୍ଷିକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହେଉଛି । ଏହାସହ ନିର୍ବାଚନ ମଣ୍ଡଳୀ ଓ୍ବାରୀ ଆଲୋଚନା କରିବେ ବୋଲି ଗୃହକୁ ଅବଗତ କରିଛନ୍ତି ମନ୍ତ୍ରୀ ।

ହଷ୍ଟେଲରେ ରାଗିଂ ପାଇଁ ଜୀବନ ହାରିଲେ ସରକାରୀ ପଲିଟେକନିକ ଛାତ୍ରୀ !

ଯାଜପୁର: ପୁଣି ହଷ୍ଟେଲରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ । ବେକରେ ଓଢ଼ଣୀ ଲଗାଇ ଝୁଲିପଡ଼ିଲେ ଛାତ୍ରୀ । ଯାଜପୁର ଜିଲ୍ଲା କୋରାଇ ରଗଡ଼ି ସରକାରୀ ପଲିଟେକନିକ କଲେଜର ତୃତୀୟ ବର୍ଷ ଇଲେକ୍ଟ୍ରିକାଲ ଛାତ୍ରୀଙ୍କ ଆତ୍ମହତ୍ୟା। ମୃତ ଛାତ୍ରୀ ଜଣକ ଜେନାପୁର ଥାନା ଷେଣ୍ଢପୁର ଗାଁର ଅମୂଲ୍ୟ ପାତ୍ରଙ୍କ ଝିଅ ରୋଜାଲିନ ପାତ୍ର । ଜଣେ ମେଧାବୀ ଛାତ୍ରୀ ଥିଲେ ରୋଜାଲିନ୍ । ୪ଟି କ୍ୟାମ୍ପସରେ ସିଲେକ୍ଟ ବି ହୋଇଥିଲେ । ତେବେ କାହିଁକି ରୋଜାଲିନ ଏଭଳି ଚରମ ନିଷ୍ପତ୍ତି ନେଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ସେପଟେ ଝିଅକୁ ସାଙ୍ଗସାଥି ସବୁବେଳେ ରାଗିଂ କରୁଥିବା ନେଇ ଫୋନରେ ଘରକୁ ଜଣାଇଥିବା ରୋଜାଲିନଙ୍କ ପରିବାର ଲୋକେ କହିଛନ୍ତି । ତେବେ ଏଥିପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ କୋରେଇ ଥାନା ଅଧିକାରୀ ଓ ଯାଜପୁର ରୋଡ ଏସଡିପିଓ ପହଞ୍ଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।

ଆସନ୍ତାକାଲି ପବିତ୍ର ଅଶୋକାଷ୍ଟମୀ, ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ଅଶୋକାଷ୍ଟମୀ । ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ । ଏହା ପୂର୍ବରୁ ଆଜି ସପ୍ତମୀ ତିଥିରେ ନେତ ଉତ୍ସବ ଅବସରରେ ରୁକୁଣା ରଥ ପ୍ରତିଷ୍ଠା କରାଯିବ । ଲିଙ୍ଗରାଜଙ୍କ ସନ୍ଧ୍ୟା ଆଳତୀ ପରେ ମରିଚି କୁଣ୍ଡରୁ ପ୍ରଥମ ଗରା ପାଣି ଆଣି ପୂଜା କରାଯିବ ସହ ରଥ ପ୍ରତିଷ୍ଠା ହେବ । ପରେ ଏହି ପାଣିକୁ ନିଲାମ କରାଯିବ । ବିଶ୍ବାସ ରହିଛି, ମରିଚି କୁଣ୍ଡର ପାଣିକୁ ସେବନ କଲେ ନିଃସନ୍ତାନ ନାରୀ ସନ୍ତାନ ଲାଭ କରିଥାନ୍ତି । ରଥ ପ୍ରତିଷ୍ଠା କାର୍ଯ୍ୟ ପାଇଁ ପୁରୀରୁ ରାଜଗୁରୁ ଆସି ରଥ ପ୍ରତିଷ୍ଠା କରିବାର ବିଧି ରହିଛି । ଚଳିତ ବର୍ଷ ବିଳମ୍ବରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଛି ।

ଆଜି ରଥରେ ନେତ ଲାଗି ହେବା ସହ ରଥ ପ୍ରତିଷ୍ଠା କରାଯିବ । ଆସନ୍ତାକାଲି ଅଶୋକାଷ୍ଟମୀ ତିଥିରେ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ଆରମ୍ଭ ହୋଇ ୫ ଦିନ ଧରି ଚାଲିବ । ଏଥିପାଇଁ ସମସ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ୧୨ଟାରେ ମଙ୍ଗଳା ଆଳତୀ, ୨ଟାରେ ଭୋଗ ଲାଗି ଓ ୩ଟାରୁ ସାଢ଼େ ୩ଟା ମଧ୍ୟରେ ରଥଟଣା ଆରମ୍ଭ ହେବ । ରୁକୁଣା ରଥଯାତ୍ରା ସୁରୁଖୁରୁରେ ତଥା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ମନ୍ଦିର ପ୍ରଶାସନ, ପୋଲିସ ଓ ବିଏମସି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଦୁଇଟି ପର୍ଯ୍ୟାୟରେ ପ୍ରସ୍ତୁତି ଓ ସମନ୍ୱୟ ବୈଠକ ଶେଷ ହୋଇଥିବା ବେଳେ, ସମସ୍ତଙ୍କ ସହଯୋଗ ଲୋଡିଛି ପ୍ରଶାସନ ।

ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା

ପଦ୍ମପୁର: ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା । ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ସିଆରପିଏଫ କ୍ୟାମ୍ପରେ କାର୍ଯ୍ୟରତ ସିଆରପିଏଫ ଯବାନ ପ୍ରସନ୍ନଜିତ ପାଳ ଡ୍ୟୁଟିରେ ଥିବା ସମୟରେ ନିଜ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ରାତିରେ ସୁରକ୍ଷା ଟାଓ୍ବାର ଉପରେ ଡ୍ୟୁଟିରେ ଥିଲେ ପ୍ରସନ୍ନଜିତ । ମୄତ ଯବାନ ଜଣକ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି । କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନି । ଘଟଣାସ୍ଥଳରେ CRPF ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।

ଆଜି ବିରଳ ମହାଜାଗତିକ ଅବସ୍ଥାନ, ଅତି ନିକଟତର ହେବେ ୫ ଗ୍ରହ

ନୂଆଦିଲ୍ଲୀ: ମହାଜାଗତିକ ସ୍ତରରେ ଆଜି ପରିଲକ୍ଷିତ ହେବ ବିରଳ ଦୃଶ୍ୟ । ପାଞ୍ଚଟି ଗ୍ରହ ପରସ୍ପରର ଅତି ନିକଟତର ହେବା ସହ ଆର୍କ ଆକାର ଅର୍ଥାତ ବକ୍ର ରେଖାରେ କରିବେ ଅବସ୍ଥାନ । ଏହି ପାଞ୍ଚଟି ଗ୍ରହ ହେଲେ ବୃହସ୍ପତି, ବୁଧ, ଶୁକ୍ର, ୟୁରାନସ ଓ ମଙ୍ଗଳ । ସୂର୍ଯ୍ୟାସ୍ତ ପରେ ପରେ ପଶ୍ଚିମ ଦିଗରେ ଏହି ବିରଳ ଦୃଶ୍ୟ ଦେଖାଯିବ । ଗ୍ରେଟ ପ୍ଲାନେଟାରୀ ଆଲାଏନମେଣ୍ଟ କୁହାଯାଉଥିବା ଏହି ଅବସ୍ଥାନରେ ୫ରୁ ୬ଟି ଗ୍ରହ ସୂର୍ଯ୍ୟର ନିକଟତର ହେବା ସହ ବକ୍ର ରେଖାରେ ଅବସ୍ଥାନ କରିବେ । ଗତ ୨୦୨୨ ଜୁନରେ ସମଧରଣର ମହାଜାଗତିକ ଦୃଶ୍ୟ ପରିଲକ୍ଷିତ ହୋଇଥିଲା । ଏହି ବିରଳ ଅବସ୍ଥାନ ଖାଲି ଆଖିରେ ଦେଖାଯାଇପାରିବ । ବାଇନୋକୁଲାରରେ ଏହି ବିରଳ ଦୃଶ୍ୟ ଅତି ସ୍ପଷ୍ଟ ଭାବେ ଦେଖାଯାଇପାରିବ ।

ବୈଜ୍ଞାନିକ ତଥ୍ୟ ଅନୁସାରେ ପ୍ରାୟ ୪୬୦ କୋଟି ବର୍ଷ ତଳେ ସୌର ଜଗତର ସୃଷ୍ଟି ହୋଇଥିଲା । ଗ୍ୟାସ ଓ ଧୂଳିକଣାରୁ କାଳକ୍ରମେ ଗ୍ରହ ନକ୍ଷତ୍ରର ସୃଷ୍ଟି ହୋଇଥିଲା ଏବଂ ସୂର୍ଯ୍ୟକୁ କେନ୍ଦ୍ର କରି ଗ୍ରହମାନେ ଘୂରିବାକୁ ଲାଗିଥିଲେ । ଗତ କିଛି ଦିନ ଧରି ଏହି ୫ଟି ଗ୍ରହ ପରସ୍ପରର ପାଖାପାଖି ହୋଇଥିବା ବେଳେ ଆଜି ସେମାନେ ପରସ୍ପରର ନିକଟତର ହେବେ । ଆଜି ସନ୍ଧ୍ୟା ୫ଟା ୫୦ ମିନଟରେ ସୂର୍ଯ୍ୟାସ୍ତ ହେବ । ପରେ ୬ଟା ୩୫ରେ ବୃହସ୍ପତି ଓ ୬ଟା ୩୫ରେ ବୁଧ ଅସ୍ତ ଯିବେ । ସୂର୍ଯ୍ୟାସ୍ତ ପରେ ଶୁକ୍ର ଅତି ଉଜ୍ଜଳ ରହିବ ଏବଂ ରାତି ୮ଟା ୩୨ ଯାଏ ଦୃଶ୍ୟମାନ ହେବ । ରାତି ୮ଟା ୪୨ ମିନଟରେ ୟୁରାନସ ଅସ୍ତ ହେବ ।

ଉମେଶ ପାଲ ଅପହରଣ ଘଟଣା, ଆଜି ଗ୍ୟାଙ୍ଗଷ୍ଟାର ଆତିକ ଅହମ୍ମଦ ବିରୋଧରେ ହେବ ଦଣ୍ଡ ଘୋଷଣା

ଲକ୍ଷ୍ନୌ: ବହୁଚର୍ଚ୍ଚିତ ଉମେଶ ପାଲ ଅପହରଣ ଘଟଣା । ଆଜି ଗ୍ୟାଙ୍ଗଷ୍ଟର ତଥା ରାଜନେତା ଆତିକ ଅହମ୍ମଦ ବିରୋଧରେ ଦଣ୍ଡ ଘୋଷଣା କରିବେ ଉତ୍ତରପ୍ରଦେଶ ପ୍ରୟାଗରାଜ କୋର୍ଟ । ଗୁଜରାଟର ସାବରମତୀ ଜେଲରୁ ଉତ୍ତରପ୍ରଦେଶ ପ୍ରୟାଗରାଜକୁ ହାଇପ୍ରୋଫାଇଲ ଗ୍ୟାଙ୍ଗଷ୍ଟର ତଥା ରାଜନେତା ଆତିକ ଅହମ୍ମଦକୁ ଅଣାଯାଇଥିଲା । ବିଏସପି ବିଧାୟକ ରାଜୁ ପାଲ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପାଲ ଅପହରଣ ଘଟଣାରେ ଦଣ୍ଡ ଘୋଷଣା ହେବ । ଜେଲରେ ତା ଲାଗି ସ୍ବତନ୍ତ୍ର ବାରାକ ହୋଇଥିବା ବେଳେ ସମ୍ପୂର୍ଣ୍ଣ ସିସିଟିଭି ସର୍ଭେଲାନ୍ସରେ ତାକୁ ରଖାଯାଇଛି । ଉତ୍ତରପ୍ରଦେଶର ପୂର୍ବତନ ବିଧାୟକ ଆତିକଙ୍କୁ ନିରାପତ୍ତା କାରଣରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗତ ୨୦୧୯ ଜୁନରୁ ଗୁଜରାଟ ସାବରମତୀ ଜେଲରେ ରଖାଯାଇଥିବା ବେଳେ ତାକୁ ଗତକାଲି ପ୍ରୟାଗରାଜ ନିଆଯାଇଥିଲା ।

ବିଗତ ୨୦୦୫ରେ ବିଏସପି ବିଧାୟକ ରାଜୁ ପାଲ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲା ଆତିକ । ଏହା ସହ ରାଜୁ ପାଲ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପାଲ ହତ୍ୟା ଘଟଣାର ମଧ୍ୟ ଅଭିଯୁକ୍ତ ଅଛି ଆତିକ । ଗତ ୨୦୦୫ରେ ଉମେଶ ପାଲଙ୍କୁ ଅପହରଣ ଘଟଣାରେ ଆତିକର ମୁଖ୍ୟ ଭୂମିକା ଥିଲା । ପରେ ଉମେଶଙ୍କୁ ଛାଡ଼ି ଦିଆଯାଇଥିଲା । ଅପହରଣ ମାମଲାର ଶୁଣାଣିର ଶେଷ ଦିନରେ ଅର୍ଥାତ ଗତ ଫେବ୍ରୁଆରୀ ୨୪ ତାରିଖରେ ସ୍ପଷ୍ଟ ଦିବାଲୋକରେ ତାଙ୍କୁ ହତ୍ୟା କରାଯାଇଥିଲା । ଗତ ମାର୍ଚ୍ଚ ୧୪ ତାରିଖରେ ଉମେଶ ପାଲଙ୍କୁ ହତ୍ୟା ଘଟଣାରେ ଜଡ଼ିତ ଥିବା ଅଭିଯୋଗରେ ପୋଲିସର ଏନକାଉଣ୍ଟରରେ ପ୍ରାଣ ହରାଇଥିଲା ବିଜୟ ଚୌଧୁରୀ ଓରଫ ଉସମାନ । ଆତିକ ଅହମ୍ମଦ ଉତ୍ତରପ୍ରଦେଶର ଜଣେ ପୂର୍ବତନ ବିଧାୟକ ଓ ପୂର୍ବତନ ସାଂସଦ ଏବଂ ସେ ୧୦୦ରୁ ଅଧିକ ମାମଲାରେ ଅଭିଯୁକ୍ତ । ଆତିକ ମଧ୍ୟ ରିୟଲ ଇଷ୍ଟେଟ ବ୍ୟବସାୟୀ ମୋହିତ ଜୈସଓ୍ବାଲ ଅପହରଣ ଘଟଣାରେ ଅଭିଯୁକ୍ତ ଅଛି ।

ପବିତ୍ର ଚୈତ୍ରମାସର ତୃତୀୟ ମଙ୍ଗଳବାର, ଲୋକାରଣ୍ୟ ଗଞ୍ଜାମର ମା’ ତାରାତାରିଣୀ ପୀଠ

ଗଞ୍ଜାମ: ଆଜି ପବିତ୍ର ଚୈତ୍ରମାସର ତୃତୀୟ ମଙ୍ଗଳବାର । ରାଜ୍ୟର ପ୍ରମୁଖ ଶକ୍ତିପୀଠରେ ମାଆଙ୍କୁ ଦର୍ଶନ କରିବାକୁ ଲାଗିଛି ଭକ୍ତଙ୍କ ଗହଳି । ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ।‌ ଏଥିପାଇଁ ସକାଳୁ ସକାଳୁ ମାଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି । ମାଆ ଆଜି ମହା ସରସ୍ଵତୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଜି ମାଆଙ୍କ ଦର୍ଶନ ସକାଳ ସାଢେ ତିନିଟାରୁ ଆରମ୍ଭ ହୋଇଥିଲା ।ଚୈତ୍ର ଯାତ୍ରା ସମୟରେ ମା’ଙ୍କୁ ଦର୍ଶନ କଲେ ସମସ୍ତ ପ୍ରକାରର ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ଅତୁଟ ବିଶ୍ବାସ ରହିଛି ।

ସେପଟେ ମାଆଙ୍କୁ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ପହଞ୍ଚିଥିଲେ ମିଶନ ଶକ୍ତି କମିଶନର ତଥା ସଚିବ ସୁଜାତା ଆର କାର୍ତ୍ତିକେୟନ । ମା ତାରାତାରିଣୀ ମନ୍ଦିରରେ କେମିତି ରହିଚି ଭକ୍ତଙ୍କ ଭିଡ଼, କଣ ଚାଲିଛି ନୀତିକାନ୍ତି ସେନେଇ ଅଧିକ ସୂଚନା ଦେଉଛନ୍ତି ରିପୋର୍ଟର ଦେବହରି ବେହେରା ।