spot_img
Home Blog Page 3468

ଚୀନ-ଭାରତ ସୀମାରେ ସ୍ବାଭାବିକ ସ୍ଥିତି, ଯୋଗାଯୋଗ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାକୁ ପରାମର୍ଶ

ନୂଆଦିଲ୍ଲୀ: ଚୀନ-ଭାରତ ସୀମାରେ ସ୍ବାଭାବିକ ସ୍ଥିତି ରହିଛି । କୌଣସି ଦ୍ବିପାକ୍ଷିକ ସମସ୍ୟାର ସମାଧାନ ଦିଗରେ ଦୁଇ ପକ୍ଷ ସାମଗ୍ରିକ ଓ ଦୀର୍ଘସୂତ୍ରୀ ଦୃଷ୍ଟିରୁ ବିଚାର କରିବା ଆବଶ୍ୟକ ବୋଲି କହିଛନ୍ତି ଚୀନର ଉପବୈଦେଶିକ ମନ୍ତ୍ରୀ ସୁନ ଓ୍ବଡିଙ୍ଗ । ଦୁଇ ଦେଶର ନେତାଙ୍କ ମଧ୍ୟରେ ହୋଇଥିବା ସହମତି ଭିତ୍ତିକ ଆଲୋଚନା ଅନୁସାରେ ଭାରତ ଓ ଚୀନ କାର୍ଯ୍ୟ କରିବା ଉଚିତ ଏବଂ ଯୋଗାଯୋଗ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଲାଗି ସେ ଆହ୍ବାନ ଦେଇଛନ୍ତି । ବର୍ତ୍ତମାନ ଭାରତ-ଚୀନ ସୀମାନ୍ତରେ ସ୍ଥିତି ସ୍ବାଭାବିକ ରହିଛି ଏବଂ ଜରୁରୀକାଳୀନ ସମସ୍ୟା ବଦଳରେ ସ୍ବାଭାବିକ ପରିଚାଳନା ଓ ନିୟନ୍ତ୍ରଣ ବ୍ୟବସ୍ଥା ଜାରି ରହିଛି । ବିଶ୍ବଶାନ୍ତି ଓ ସାଧାରଣ ବିକାଶ ନୀତି ଅନୁସାରେ ନିଜକୁ ଚୀନ ପର୍ଯ୍ୟବସିତ କରିଛି ଏବଂ ଏଦିଗରେ ନିଜର ବୈଦେଶିକ ନୀତି ପ୍ରତି ଅଙ୍ଗୀକାର ରହିଛି ବୋଲି ସେ କହିଛନ୍ତି ।

ଭାରତ ଓ ଚୀନ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ଲାଗି ଚୀନ ଚାହୁଁଛି । ପ୍ରାଚୀନ ସଭ୍ୟତା ଭାବେ ଭାରତର ବହୁମୁଖୀ ପରିଚୟ ରହିଛି ଏବଂ ଏକ ପ୍ରମୁଖ ଆର୍ଥିକ ସମୃଦ୍ଧ ରାଷ୍ଟ୍ର ଭାବେ ଭାରତ ନିଜକୁ ପ୍ରତିପାଦିତ କରୁଛି ବୋଲି କହିଛନ୍ତି ସୁନ ଓ୍ବଡିଙ୍ଗ । ସୀମାରେ ଭାରତୀୟ ସେନାର ଅନୁପସ୍ଥିତିର ଫାଇଦା ଚୀନ ଉଠାଉଥିବା ନେଇ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା । ୬୫ଟି ଫ୍ଲାସ ପଏଣ୍ଟରୁ ୨୬ଟିରେ ଭାରତ ନିଜର ନିୟନ୍ତ୍ରଣ ହରାଇଛି ବୋଲି ରିପୋର୍ଟରେ କୁହାଯାଇଥିଲା ।

ନିୟନ୍ତ୍ରଣ ରେଖାରେ ପାଳିତ ହେଲା ସାଧାରଣତନ୍ତ୍ର ଦିବସ

ପୁଞ୍ଚ: ନିୟନ୍ତ୍ରଣ ରେଖାରେ ପାଳିତ ହେଲା ସାଧାରଣତନ୍ତ୍ର ଦିବସ । ପୁଞ୍ଚରେ ପ୍ରାୟ ୮ ହଜାର ଫୁଟ ଉଚ୍ଚରେ ଭାରତୀୟ ସେନା ଉଡାଇଛି ଜାତୀୟ ପତାକା । ପୁଞ୍ଚରେ ତୁଷାରପାତ ଜାରି ରହିଥିବା ସତ୍ତ୍ବେ ସେଠାରେ ଜାତୀୟତାବାଦର ଝଲକ । ଯବାନମାନେ ସେଠାରେ ପତାକା ଉତ୍ତୋଳନ କରିବା ପରେ ତ୍ରିରଙ୍ଗାକୁ ଜଣାଇଥିଲେ ସାଲ୍ୟୁଟ ।

ସେପଟେ ଅଟାରୀ ସୀମାନ୍ତରେ ଭାରତ ଓ ପାକିସ୍ତାନ ସୈନ୍ୟଙ୍କ ମଧ୍ୟରେ ହୋଇଛି ମିଠା ବିନିମୟ । ପାରମ୍ପରିକ ବ୍ୟବସ୍ଥା ଅନୁଯାୟୀ ସେଠାରେ ସୌହାର୍ଦ୍ଦ୍ୟମୂଳକ ପରିବେଶ ମଧ୍ୟରେ ଦୁଇ ଦେଶର ସେନା ପରସ୍ପର ସହ ହାତ ମିଳାଇଥିଲେ ।

ରାଜ୍ୟସ୍ତରୀୟ ପୋଲିସ ମେଡାଲ ପ୍ରଦାନ ଉତ୍ସବ : ବିଶିଷ୍ଟ ସେବା ପାଇଁ ୩୪ ଜଣଙ୍କୁ ମେଡାଲ

ଭୁବନେଶ୍ବର : ସାଧାରଣତନ୍ତ୍ର ଦିବସ ଅବସରରେ ଲୋକସେବା କନଭେନସନ ସେଣ୍ଟରରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ପୋଲିସ ମେଡାଲ ପ୍ରଦାନ ଉତ୍ସବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ।

ପୋଲିସ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ, ସାହାସିକତା ଓ ବିଶିଷ୍ଟ ସେବା ପାଇଁ ୩୪ ଜଣ ପୋଲିସ ମେଡାଲ ପାଇଛନ୍ତି। ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ପାଇଛନ୍ତି ଟୁଇନ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସିକ୍ୟୁରିଟି ୱିଙ୍ଗ ଏସପି ସରୋଜ କୁମାର ମହାପାତ୍ର। ସେହିଭଳି ସାହାସିକତା ପାଇଁ ଦୁଇ ଜଣ SOG କମାଣ୍ଡୋ କୁମାର କର୍ମୀ ଓ ପୀତବାସ ପାଣ୍ଡେଙ୍କୁ ପୁରସ୍କୃତ କରାଯାଇଛି।

ଉଲ୍ଲେଖନୀୟ ସେବା ପାଇଁ ୧୦ ଜଣଙ୍କୁ ପୋଲିସ ପଦକ ପ୍ରଦାନ କରାଯାଇଛି । ସେମାନେ ହେଲେ ଭିଜିଲାନ୍ସ ଅତିରିକ୍ତ ଏସପି ପ୍ରକାଶ କୁମାର ନାୟକ, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଡିଏସପି ଗୁରୁ ପ୍ରସାଦ ଶିବ ଶଙ୍କର ନନ୍ଦ, ରାଉରକେଲା ଡିଏସପି ବନିତା ମାଝୀ , କ୍ରାଇମବ୍ରାଞ୍ଚ ଏସଆଇ ଏନ. ତ୍ରିନାଥ ଦୋରା, ସମ୍ବଲପୁର ସ୍ପେଶାଲ ସ୍କ୍ବାଡ ଏଏସଆଇ ମହମ୍ମଦ ଜାହାଙ୍ଗୀର , ଝାରସୁଗୁଡା ବାଟାଲିୟନ ହାବିଲଦାର ବିଷ୍ଣୁ କୁମାର ବୁରା, ଅନୁଗୁଳର ହାବିଲଦାର ହୃଷିକେଶ ବାରିକ, କୋରାପୁଟ ଏସଓଜିର ବସନ୍ତ କୁମାର ଡାକୁଆ, ରାଉରକେଲା ଡିଏଫଏସ୍ଏଲର କନଷ୍ଟେବଲ ଅଞ୍ଜନ ମହାନ୍ତି ଓ କୋରାପୁଟ ତୃତୀୟ ବାଟାଲିୟନର ପ୍ରଶାନ୍ତ ପରିଡା।

ସେହିଭଳି ଓଡିଶା ସରକାରଙ୍କ ଆବାସିକ କମିଶନର ରବିକାନ୍ତ ଓ ଭିଜିଲାନ୍ସ ଆଇଜି ସଞ୍ଜୟ କୁମାର କୌଶଲଙ୍କୁ ମିଳିଛି ରାଜ୍ୟପାଳ ମେଡାଲ ।କ୍ୟାଟାଗୋରୀ ୨ରେ ପାଇଛନ୍ତି ପୁରୀ ଏସପି କନୱାର ବିଶାଲ ସିଂ ଓ କଟକ ଷଷ୍ଠ ବାଟାଲିୟନର କମାଣ୍ଡାଣ୍ଟ ବିଜୟ ଚନ୍ଦ୍ର ପ୍ରଧାନ । ସେହିଭଳି କଟକ ଜୋନ ଏସିପିଙ୍କ ସହ ଅନ୍ୟମାନଙ୍କୁ ରାଜ୍ୟପାଳ ପୋଲିସ ମେଡାଲରେ ସମ୍ମାନିତ କରାଯାଇଛି ।

ପୁରୁଷ ହକି ବିଶ୍ବକପରେ ସେମିରେ ପ୍ରବେଶ କଲା ନେଦରଲାଣ୍ଡସ

ଭୁବନେଶ୍ବର : ପୁରୁଷ ହକି ବିଶ୍ବକପରେ ସେମିରେ ନେଦରଲାଣ୍ଡସ । ଚତୁର୍ଥ ତଥା ଶେଷ ଟିମ୍ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ନେଦରଲାଣ୍ଡସ । ଶେଷ କ୍ୱାର୍ଟର ଫାଇନାଲରେ କୋରିଆକୁ ନେଦରଲ୍ୟାଣ୍ଡସ ୫-୧ ଗୋଲରେ ହରାଇ ସେମିରେ ପ୍ରବେଶ କରିଛି ।

ନେଦରଲ୍ୟାଣ୍ଡସ ତରଫରୁ କୋଏନ ବିଜେନ୍ ଦୁଇଟି ଗୋଲ ଦେଇଥିଲେ ଏବଂ ଯୁଷ୍ଟେନ୍ ବ୍ଲୋକ୍, ଷ୍ଟେଇଜନ ଭାନ ହେଇନିଞ୍ଜେନ୍ ଓ ଟେଉ ବିନ୍ସ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ମ୍ୟାଚରେ କୋରିଆ ମାତ୍ର ଗୋଟଇଏ ଗୋଲ କରି ପାରିଥିଲା ।

ଆସନ୍ତା ୨୭ ତାରିଖରେ ଖେଳାଯିବ ସେମି ଫାଇନାଲ ମ୍ୟାଚ। ପ୍ରଥମ ସେମିରେ ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଏବଂ ଦ୍ଵିତୀୟ ସେମି ଫାଇନାଲରେ ବେଲଜିୟମ ଓ ନେଦରଲାଣ୍ଡ ମଧ୍ୟରେ ଟକ୍କର ହେବ ।

୭୪ତମ ସାଧାରଣତନ୍ତ୍ର ଦିବସରେ ଦମ୍ ଦେଖାଇଲା ଭାରତ

ନୂଆଦିଲ୍ଲୀ : କର୍ତ୍ତବ୍ୟ ପଥରେ ଗର୍ବର ମୁହୂର୍ତ୍ତ । ୭୪ତମ ସାଧାରଣତନ୍ତ୍ର ଦିବସରେ ଦମ୍ ଦେଖାଇଲା ଭାରତ । ବିଶ୍ବ ଆଗରେ ଭାରତର ଶକ୍ତି ପ୍ରଦର୍ଶନ । ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ଆୟୋଜିତ ହୋଇଛି ଜାତୀୟ ଉତ୍ସବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତ୍ତୋଳନ କରିବା ପରେ ଆରମ୍ଭ ହୋଇଥିଲା ରଙ୍ଗାରଙ୍ଗ ପରେଡ । ଏଥିରେ ସମସ୍ତ ବାହିନୀର ଯବାନ ସାମିଲ ହୋଇଥିବାବେଳେ ପ୍ରଦର୍ଶିତ ହୋଇଥିଲା ପ୍ରମୁଖ ଯୁଦ୍ଧାସ୍ତ୍ର । ତନ୍ମଧ୍ୟରେ ରହିଛି ମେନ୍ ବ୍ୟାଟଲ ଟ୍ୟାଙ୍କ ଓ ଅନ୍ୟାନ୍ୟ ଅସ୍ତ୍ର ।

ପ୍ରଥମ ଥର ଲାଗି ଇଜିପ୍ଟି ସାମରିକ ବିଭାଗର ୧୪୪ ଯବାନ ପରେଡରେ ସାମିଲ ହୋଇଥିଲେ । ରାଜପଥକୁ କର୍ତ୍ତବ୍ୟ ପଥ ନାମରେ ପୁନଃନାମିତ କରାଯିବା ପରେ ଏହା ହେଉଛି ପ୍ରଥମ ପରେଡ । ଚଳିତ ବର୍ଷ ପରେଡ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତାହ ଏଲ-ସିସି ଯୋଗଦେଇଥିଲେ ।

ପରେଡରେ ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ ସ୍ଥାନିତ ହୋଇଥିଲା। ଚଳିତ ବର୍ଷ ପ୍ରଥମ ଥର ଲାଗି ସିଆରପିଏଫର ମହିଳା କଣ୍ଟିଜେଣ୍ଟ ପରେଡରେ ସାମିଲ ହୋଇଛନ୍ତି । ନାଭାଲ କଣ୍ଟିଜେଣ୍ଟରେ ଜଣେ ମହିଳା ଅଫିସର ନେତୃତ୍ବ ନେଇଥିବାବେଳେ ସେଥିରେ ସ୍ଥାନ ପାଇଛନ୍ତି ୩ ମହିଳା ଓ ୬ ଅଗ୍ନିବୀର । ପରେଡରେ ଆକାଶ ମିସାଇଲ, ଅର୍ଜୁନ ଟ୍ୟାଙ୍କ ପ୍ରମୁଖ ସ୍ଥାନ ପାଇଛି ।

ସୁରକ୍ଷା ଲାଗି ରାଜଧାନୀରେ ଅର୍ଦ୍ଧସାମରିକ ବାହିନୀ, ଏନଏସଜିର ପ୍ରାୟ ୬ ହଜାର ଯବାନଙ୍କୁ ମୁତୟନ ରାଯାଇଥିଲା । ଚଳିତବର୍ଷ ପ୍ରଥମ ଥର ଲାଗି ନାର୍କୋଟିକ୍ ବ୍ୟୁରୋର କଣ୍ଟିଜେଣ୍ଟ ପରେଡରେ ସାମିଲ ହୋଇଥିଲା ।ପରେଡ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

ୟୁକ୍ରେନକୁ ଶକ୍ତିଶାଳୀ ଟ୍ୟାଙ୍କ ଯୋଗାଇବ ଆମେରିକା ; ଘୋଷଣା କଲେ ଜୋ ବାଇଡେନ

କିଭ୍ : ୟୁକ୍ରେନକୁ ଏଣିକି ଟକ୍କର ଦେବା ଋଷ ପକ୍ଷେ ହେବ କଷ୍ଟକର । ଖୁବ୍ ଶୀଘ୍ର ଆମେରିକାଠାରୁ ୟୁକ୍ରେନ ପାଇବ ୩୧ଟି ଶକ୍ତିଶାଳୀ M1 ଆବ୍ରାହମସ୍ ଟ୍ୟାଙ୍କ । ଏନେଇ ଘୋଷଣା କରିଛି ଆମେରିକା । ସେପଟେ ଲିଓପାର୍ଡ ଟ୍ୟାଙ୍କ ଯୋଗାଇବାକୁ ବି ଜର୍ମାନୀ ଘୋଷଣା କରିଛି । ଯୁଦ୍ଧ ପ୍ରସଙ୍ଗରେ ଅନୁଷ୍ଠିତ ପ୍ରମୁଖ ୟୁରୋପୀୟ ରାଷ୍ଟ୍ରଙ୍କ ବୈଠକରେ ୟୁକ୍ରେନକୁ ଟ୍ୟାଙ୍କ ଯୋଗାଣ ନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହି ଟ୍ୟାଙ୍କ ଯୋଗାଣ ପୂର୍ବରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ ।

୧୯୮୦ ଦଶକରେ ପ୍ରଥମ ଥର ଲାଗି ଏହି ଧରଣର ଟ୍ୟାଙ୍କର ବ୍ୟବହାର କରିଥିଲା ଆମେରିକା । ୧୨୦ ମିଲିମିଟିର ମେନ୍ ଗନ ଓ ୫୦କାଲିବର କ୍ଷମତା ବିଶିଷ୍ଟ ଟ୍ୟାଙ୍କର ୧୫୦୦ ହର୍ଷ ପାଓ୍ବାର ଟର୍ବାଇନ ଇଞ୍ଜିନ ରହିଛି । ତେବେ ୟୁକ୍ରେନରେ ଆବ୍ରାହମସ ଟ୍ୟାଙ୍କ ବ୍ୟବହାରର ଯଥାର୍ଥତାକୁ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି ଆମେରିକୀୟ ପ୍ରତିରକ୍ଷା କର୍ମକର୍ତ୍ତା । ଇନ୍ଧନର ପର୍ଯ୍ୟାପ୍ତ ଆବଶ୍ୟକତା ଓ ତାଲିମ ପ୍ରଦାନ କଷ୍ଟକର ହୋଇଥିବାରୁ ସେମାନେ ଟ୍ୟାଙ୍କ ଯୋଗାଣକୁ ନେଇ ପ୍ରଶ୍ନ କରିଛନ୍ତି ।

ସେପଟେ ୟୁକ୍ରେନର ବାରମ୍ବାର ଅନୁରୋଧ ଓ ସହଯୋଗୀ ରାଷ୍ଟ୍ରର ଚାପ ଯୋଗୁ ୧୪ଟି ଲିଓପାର୍ଡ 2 A6 ଟ୍ୟାଙ୍କ ଯୋଗାଇବାକୁ ଜର୍ମାନୀ ଘୋଷଣା କରିଛି । ଏହି ଟ୍ୟାଙ୍କ ପରିଚାଳନା ଲାଗି ଜର୍ମାନୀରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବ ବୋଲି କହିଛନ୍ତି ଚାନସେଲର ଓଲାଫ ସ୍କଜ । ସେପଟେ ଫିନଲ୍ୟାଣ୍ଡ ଓ ପୋଲାଣ୍ଡ ମଧ୍ଯ ୟୁକ୍ରେନକୁ ଅସ୍ତ୍ର ଦେବାକୁ ଘୋଷଣା କରିଛନ୍ତି । ତେଣେ ଏହି ଟ୍ୟାଙ୍କ ଯୋଗାଣ ଘୋଷଣାକୁ ବିରୋଧ କରିଛନ୍ତି କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକୋଭ ।

ଆଇବିଏମ କର୍ପୋରେସନରେ ବଡ଼ ଧରଣର ଛଟେଇ

Bନୂଆଦିଲ୍ଲୀ : ଆଇବିଏମ କର୍ପୋରେସନରେ ବଡ଼ ଧରଣର ଛଟେଇ । ପୁଞ୍ଜି ପ୍ରତ୍ୟାହାର ଓ ଆର୍ଥିକ ସଙ୍କଟ କାରଣରୁ 3 ହଜାର ୯୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି ଆଇବିଏମ । ଛଟେଇ ହେବାକୁ ଥିବା କର୍ମଚାରୀ ସଂଖ୍ୟା ହେଉଛି ମୋଟ ସଂଖ୍ୟାର ୧ ଦଶମିକ ୫ ପ୍ରତିଶତ । ତେଣେ ଆଇବିଏମର ନିବେଶକମାନେ ଅଧିକ ଛଟେଇ ଲାଗି ପ୍ରସ୍ତାବ ଦେଇଛନ୍ତି ।

ଗତ ୨୦୨୨ରେ ୧୦ ବିଲିୟନ ଡଲାର ରେଭିନ୍ୟୁ ଆବଶ୍ୟକ ଥିବାବେଳେ ଆଇବିଏମ ପାଇଥିଲା ୯ ଦଶମିକ ୩ ବିଲିୟନ ଡଲାର । ଗତବର୍ଷ ବିଭିନ୍ନ ବିଶ୍ବସ୍ତରୀୟ କମ୍ପାନୀ ପ୍ରାୟ ୭୦ ହଜାର କର୍ମଚାରୀ ଛଟେଇ କରିଥିଲେ । ଆଲଫାବେଟ ୧୨ ହଜାର, ଆମାଜନ ୧୮ ହଜାର, ମେଟା ୧୧ ହଜାର, ଟ୍ବିଟର ୪ ହଜାର, ମାଇକ୍ରୋସଫ୍ଟ ୧୦ ହଜାର, ସେଲସଫୋର୍ସ ୮ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲେ । ସେହିପରି ଟେସଲା, ନେଟଫ୍ଲିକ୍ସ, ରବିନ ହୁଡ. ସ୍ନାପ, କଏନବେସ, ସ୍ପଟିଫାଏ ମଧ୍ୟ କର୍ମଚାରୀ ଛଟେଇ କରିଛନ୍ତି ।

ନାଇଜେରିଆ ଭୟଙ୍କର ବିସ୍ଫାରଣ ,୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ନାଇଜେରିଆ ଭୟଙ୍କର ବିସ୍ଫାରଣ । ବୋମା ମାଡ଼ରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ସୂଚନା । ସମସ୍ତ ଆହତ ମାନଙ୍କୁ  ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେ ବିସ୍ଫାରଣ ହୋଇଥିବା ବେଳେ ବୁଧବାର ସରକାରଙ୍କ ପକ୍ଷରୁ ତଥ୍ୟ ପ୍ରକାଶ କରାଯାଇଛି ।

ନାଇଜେରିଆର ଉତ୍ତର-ମଧ୍ୟ ରାଜ୍ୟ ନସାରାଓ୍ବା ବେନ୍ୟୁ ଅଞ୍ଚଳରେ ବୋମା ବିସ୍ଫୋରଣ ଘଟିଛି । ସୂଚନା ଅନୁଯାୟୀ ନସାରାଓ୍ବାରୁ ବେନ୍ୟୁକୁ କିଛି ଗୋ-ପାଳକ ଗୋରୁ ନେଇ ଯାଉଥିବା ସମୟରେ ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ଅଟକାଇ ପଚରାଉଚରା କରିଥିଲେ । ସେହି ସମୟରେ ହଠାତ୍ ଘଟିଥିଲା ଭୟଙ୍କର ବିସ୍ଫୋରଣ  । ଆଉ ସମ୍ପୂର୍ଣ୍ଣ ପରିବେଶ ଧୂଆଁମୟ ହୋଇଯାଇଥିଲା  ।  ବିସ୍ଫାରଣ ପରେ ୫୦ରୁ ଅଧିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତରଙ୍କ ପତା ମିଳିନାହିଁ । ଏପରି ଭୟଙ୍କର ବିସ୍ଫୋରଣ ପଛରେ କାହାର ହାତ ଅଛି ତାହାର ସୂଚନା ମିଳିନାହିଁ । ସ୍ଥାନୀୟ ଅଞ୍ଚଳରୁ ଘେରାବନ୍ଦୀ କରି ଛାନବିନ୍ କରୁଛି ସୁରକ୍ଷା ଏଜେନ୍ସି ।

ଏହି ଘଟଣାକୁ ନେଇ ନସାରାଓ୍ବା ରାଜ୍ୟପାଳ ଗଭୀର ଦଃଖ ପ୍ରକାଶ କରିଛନ୍ତି  । ସେ ପ୍ରତିକ୍ରିୟାରେ କହିଛନ୍ତି ଯେ, ପ୍ରକୃତ ମୃତ୍ୟୁସଂଖ୍ୟା ଜଣାପଡି ନାହିଁ । ବିସ୍ଫାରଣ କିପରି ଏବଂ କାହିଁକି ହୋଇଛି ତାହା ତଦନ୍ତ କରାଯାଉଛି ଏବଂ ଖୁବ୍ ଶୀଘ୍ର ଆକ୍ରମଣକାରୀଙ୍କୁ ଖୋଜି ବାହାର କରାଯିବ ।

ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ବର : ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ୭୪ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଛି । ବିଜେଡି ଉପସଭାପତି ଦେବୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସଙ୍କ ସମେତ ବିଜେଡି ଯୁବ ଏବଂ ଛାତ୍ର ନେତାମାନେ ଯୋଗ ଦେଇଥିଲେ ।

ସମସ୍ତେ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରିବା ସହ ଜାତୀୟ ସଂଗୀତ ଗାନ କରିଥିଲେ । ଦେଶ ସ୍ବାଧୀନ ହେବା ପରେ ସମ୍ବିଧାନ ପ୍ରଣୟନ ପରଠାରୁ ଆଜିର ଦିନ ବେଶ ଗୁରୁତ୍ୱ ବହନ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶାର ସାମାଜିକ, ସାଂସ୍କୃତିକ ଏବଂ ଅର୍ଥନୈତିକ ବିକାଶ ଆଗେଇ ଚାଲିଛି ବୋଲି ଦେବୀ ମିଶ୍ର କହିଛନ୍ତି ।

ଭୁବନେଶ୍ବର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ବର : ଆଜି ସାରା ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ବର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିଛନ୍ତି । ସମ୍ମାନିତ ଅତିଥି ଭାବେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୫୦ ଟି କଣ୍ଟିଜେଣ୍ଟ ମଧ୍ୟରେ ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶର ଏକ ପୋଲିସ ଟ୍ରୁପ ମଧ୍ୟ ପରେଡରେ ସାମିଲ ହୋଇଛନ୍ତି । ଏହାସହ ଓଡିଶା ସରକାରଙ୍କର ପ୍ରମୁଖ ବିଭାଗର ୮ଟି ପ୍ରଜ୍ଞାପନ ମେଢ଼, ସ୍କେଟିଂ ଏକାଡେମୀ ପକ୍ଷରୁ ପିଲାଙ୍କ ସ୍କେଟିଂ ଖେଳର କୌଶଳ ପ୍ରଦର୍ଶିତ ହେବ । ରାଜ୍ୟର ଲୋକ କଳା, ପାରମ୍ପରିକ ବାଦ୍ୟ, ପଶୁ ନୃତ୍ୟକୁ ନେଇ 4ଟି ଦଳକୁ ଏଥର ସାମିଲ କରାଯାଇଛି । ପରେଡର ନେତୃତ୍ବ ନେବେ କେସିଙ୍ଗା SDPO ୟସ୍ ପ୍ରତାପ ଶ୍ରୀମାଲ ।

ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ୨୦୦ବଛା ବଛା ପୋଲିସ ଅଧିକାରୀଙ୍କୁ ସାଦା ପୋଷାକରେ ନିୟୋଜିତ କରାଯାଇଛି । ଗାନ୍ଧିମାର୍ଗକୁ ତ୍ରୀସ୍ତରୀୟ ସୁରକ୍ଷା ବଳୟ ଭିତରେ ରଖାଯିବ ସହ ସିସିଟିଭିରେ ନଜର ରଖାଯାଇଛି ।