spot_img
Home Blog Page 3483

ବ୍ରାଜିଲ ସେନାମୁଖ୍ୟଙ୍କୁ ବହିଷ୍କାର କଲେ ରାଷ୍ଟ୍ରପତି ଲୁଲା

ବ୍ରାସିଲିଆ: ବ୍ରାଜିଲ ସେନାମୁଖ୍ୟଙ୍କୁ ବହିଷ୍କାର କଲେ ରାଷ୍ଟ୍ରପତି ଲୁଇ ଇନାସିଓ ଲୁଲା ଡି ସିଲଭା । ଦୁଇ ସପ୍ତାହ ତଳେ ବ୍ରାସିଲିଆରେ ଘଟିଥିବା ହିଂସା ଘଟଣାରେ ସେନାମୁଖ୍ୟ ଜୁଲିଓ ସେସାର ଆରୁଦ୍ଦାଙ୍କୁ ବହିଷ୍କାର କରିଛନ୍ତି ଲୁଲା । ଆର୍ଜେଣ୍ଟିନା ଗସ୍ତ ପୂର୍ବରୁ ସେ ଏହି ପଦକ୍ଷେପ ନେଇଛନ୍ତି । ଗତ ଡିସେମ୍ବର ୩୦ରେ ଆରୁଦ୍ଦା ଦାୟିତ୍ବ ନେଇଥିଲେ ।

ଗତ ଜାନୁଆରୀ ୮ ତାରିଖରେ ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ୩ ହଜାରରୁ ଅଧିକ ସମର୍ଥକ ରାଷ୍ଟ୍ରପତି ଭବନ ଓ ସୁପ୍ରିମକୋର୍ଟରେ ଧସେଇ ପଶିବା ସହ ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ କେତେକ ନିରାପତ୍ତା ଯବାନ ସାମିଲ ଥିଲେ ବୋଲି ଅଭିଯୋଗ ହୋଇଥିଲା । ଗତକାଲି ରାଷ୍ଟ୍ରପତି ଲୁଲାଙ୍କ ସହ ଆଲୋଚନା ପରେ ଏନେଇ ଘୋଷଣା କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ଜୋସ୍ ମୁସିଓ । ଗତବର୍ଷ ଅକ୍ଟୋବର ନିର୍ବାଚନରେ ବୋଲସୋନାରୋଙ୍କୁ ପରାସ୍ତ କରି ଲୁଲା ବିଜୟୀ ହେବା ପରଠାରୁ ଦେଶରେ ବିକ୍ଷୋଭ ଆନ୍ଦୋଳନ ଜାରି ରହିଥିଲା । ଗତ ଜାନୁଆରୀ ୧ ତାରିଖରେ ଦେଶର ୩୯ ତମ ରାଷ୍ଟ୍ରପତି ଭାବେ ତୃତୀୟ ଥର ଲାଗି ଦାୟିତ୍ବ ନେଇଥିଲେ ଲୁଲା ।

ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ପରାଜିତ ପ୍ରାର୍ଥୀ ଡୋନାଲଡ ଟ୍ରମ୍ପ ସମର୍ଥକମାନେ ୨୦୨୧ ଜାନୁଆରୀ ୬ରେ ଯେପରି ଭାବେ ଓ୍ବାଶିଂଟନସ୍ଥିତ କାପିଟଲ ବିଲଡିଂ ଆକ୍ରମଣ କରିଥିଲେ ଠିକ୍ ସେପରି ସ୍ଥିତି ଦେଖା ଦେଇଥିଲା ବ୍ରାଜିଲ କ୍ୟାପିଟାଲରେ ।

ପ୍ରବୋଧ ତିର୍କୀଙ୍କ ଘରୁ ଚୋରୁ, ନେଇଗଲେ ହକି ମେଡାଲ

ଭୁବନେଶ୍ବର: ହକି ତାରକା ପ୍ରବୋଧ ତିର୍କୀଙ୍କ ଘରୁ ଚୋରି । ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଲୁଟେରା । ୟୁନିଟ ୬ ସ୍ଥିତ ବାସଭବନରୁ ଚୋରି ନେଇ ଥାନାରେ ଏତଲା । ଟଙ୍କା, ସୁନା, ଏଲଇଡି ଟିଭି ଚୋରି । ଏପରିକି ପ୍ରବେଧଙ୍କ ହକି ମେଡାଲ ବି ଚୋରି କରିନେଲେ ଲୁଟେରା ।

ବିଳମ୍ବିତ ରାତିରେ କେହି ନଥିବା ବେଳେ ହୋଇଛି ଏହି ଲୁଟପାଟ । ହକି ବିଶ୍ବକପକୁ ନେଇ ପ୍ରବୋଧ ଏବେ ରାଉରକେଲାରେ ଅଛନ୍ତି । ଘରେ କେହି ନଥିବା ବେଳେ ଏହି ଲୁଟ ହୋଇଛି । ଏନେଇ କ୍ୟାପିଟାଲ ଥାନା ପୋଲିସର ତଦନ୍ତ କରୁଛି । ଲୁଟେରାଙ୍କୁ ପୋଲିସ ଚିହ୍ନଟ କରିଥିବା ସୂଚନା ମିଳିଛି ।

କଟକରେ ଚାଲିଥିଲା ନକଲି ଆକ୍ୱାଗାର୍ଡ ତିଆରି ଓ ବିକ୍ରି

କଟକ: କଟକରେ ନକଲି ଆକ୍ୱାଗାର୍ଡ ତିଆରି ଓ ବିକ୍ରି ଅଭିଯୋଗରେ ବାଦାମବାଡି ଥାନା ପୋଲିସର ଚଢ଼ାଉ । ବାଦାମବାଡି ଜଗନ୍ନାଥ ଲେନରେ କମିଶନରେଟ ପୋଲିସ ଓ ସ୍ବତନ୍ତ୍ର ସ୍କ୍ବାର୍ଡ ଚଢ଼ାଉ କରି ନକଲି ଆକ୍ୱାଗାର୍ଡ ଓ ଯନ୍ତ୍ରାଂଶ ଜବତ କରିଛନ୍ତି । ଘଟଣାରେ ୨ ଜଣ ଗିରଫ ।

ବିଭିନ୍ନ କମ୍ପାନୀର ନକଲି ଲୋଗୋ ଲଗାଇ ଚାଲିଥିଲା ବେପାର । ଗୋଦାମରୁ ବିଭିନ୍ନ ନାମୀଦାମୀ କମ୍ପାନୀର ଲୋଗୋ ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ ହୋଇଛି । କିଏ କିଏ ଏଥିରେ ସଂପୃକ୍ତ ? କେଉଁଠାକୁ ଏଠାରୁ ନକଲି ଆକ୍ବାଗାର୍ଡ ପଠାଯାଉଥିଲା ? ସେ ନେଇ ଜାରି ରହିଛି ଖୋଳତାଡ଼ । ପୂର୍ବରୁ କଟକରୁ ବିଭିନ୍ନ ନକଲି ସାମଗ୍ରୀ ଜବତ ହୋଇଛି । ମସଲା, ଘିଅ, ସର୍ଫ, ସସ୍ ଆଦି ନକଲି କାରଖାନାରେ ରେଡ୍ କରି ବିପୁଳ ପରିମାଣର ଭେଜାଲ ସାମଗ୍ରୀ ଜବତ କରିଥିଲା ପୋଲିସ ।

ସେହିପରି ବରଗଡ଼ରୁ ନକଲି ଟିଭି  ଓ ଯନ୍ତ୍ରଶା ବିକ୍ରି ଅଭିଯୋଗରେ ଦୁଇଜଣ ଗିରଫ ହୋଇଛନ୍ତି । ବ୍ରାଣ୍ଡ ନାଁରେ ଉଚ୍ଚ ମୂଲ୍ୟରେ ନକଲି ଟିଭି, ଏଲସିଡି ବିକ୍ରି କରୁଥିଲେ ଠକ ଗ୍ୟାଙ୍ଗ । ବହୁ ନକଲି ଟିଭି ଏଲ.ସି.ଡି, ୧୧ଟି ଟେଲିଭିଜନ ସେଟ୍, 3୮ଟି ସୋନି 4k ର LED ଟିଭିର ଅଲ୍ଟ୍ରା HD ସ୍ମାର୍ଟ ଷ୍ଟିକର, କଳା ରଙ୍ଗର ସୋନି ବ୍ରାଭିଆର ଷ୍ଟିକର, Qr କୋଡ଼ ଓ ସିରିଏଲ ନମ୍ବର ଇତ୍ୟାଦି ବହୁ ସାମଗ୍ରୀ ଏହି ଦୁଇ ଅପରାଧୀଙ୍କ ଠାରୁ ଜବତ କରାଯାଇଛି ।

ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲା: ଆଫତାବ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ

ଦିଲ୍ଲୀ: ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ ପକ୍ଷରୁ ୩ ହଜାର ପୃଷ୍ଠାର ଚାର୍ଜସିଟ ପ୍ରସ୍ତୁତ । ହତ୍ୟା ଅଭିଯୁକ୍ତ ତଥା ଲିଭଇନ ପାର୍ଟନର ଆଫତାବ ପୁନାଓ୍ବାଲା ବିରୋଧରେ ଏହି ଚାର୍ଜସିଟ ପ୍ରସ୍ତୁତ ହୋଇଛି । ୧୦୦ରୁ ଅଧିକ ସାକ୍ଷୀଙ୍କ ବୟାନ, ଇଲେକ୍ଟ୍ରୋନିକ ଓ ଫରେନସିକ ପ୍ରମାଣ ଆଦି ଚାର୍ଜସିଟରେ ସଂଲଗ୍ନ ରହିଛି । ଏହାସହ ଆଫତାବର ନାର୍କୋ ଟେଷ୍ଟ, ସ୍ବୀକାରୋକ୍ତି ବି ଚାର୍ଜସିଟରେ ସ୍ଥାନୀତ ହୋଇଛି । ବିଭିନ୍ନ ଆଇନ ବିଶେଷଜ୍ଞଙ୍କ ଦ୍ବାରା ବର୍ତ୍ତମାନ ଚାର୍ଜସିଟର ସମୀକ୍ଷା କରାଯାଉଥିବା ସୂଚନା ମିଳିଛି ।

ଗତବର୍ଷ ମେ ୧୮ ତାରିଖରେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଶରୀରକୁ ୩୫ ଖଣ୍ଡ କରି ଦିଲ୍ଲୀ ମେହରୁଲି ଜଙ୍ଗଲରେ ଫୋପାଡି଼ ଦେଇଥିଲା କିଲର ଲଭର । ହତ୍ୟାରେ ବ୍ୟବହୃତ ହୋଇଥିବା କରତ ଓ ବ୍ଲେଡକୁ ଗୁରୁଗ୍ରାମର ଜଙ୍ଗଲିଆ ସ୍ଥାନରେ ଫୋପାଡି ଥିଲା ଆଫତାବ । ଗତ ଡିସେମ୍ବରରେ ମିଳିଥିବା ଅସ୍ଥିଗୁଡିକର ଡିଏନଏ ଟେଷ୍ଟରୁ ଏହା ଶ୍ରଦ୍ଧାଙ୍କର ବୋଲି ପ୍ରମାଣିତ ହୋଇଥିଲା । ହତ୍ୟା ଅଭିଯୋଗ ଆସିବା ପରେ ଆଫତାବକୁ ନଭେମ୍ବର ୧୨ ତାରିଖରେ ଗିରଫ କରାଯାଇଥିଲା । ସେହିଦିନଠାରୁ ସେ ବିଚାର ବିଭାଗୀୟ ହେପାଜତରେ ରହିଛି ।

ଶ୍ରୀୟାଙ୍କ ସଙ୍ଗୀନ ଅଭିଯୋଗ: ଥାର୍ଡ ପର୍ସନର ଅନୁପ୍ରବେଶରୁ ଅଶାନ୍ତି, ମଦ ପିଇ ମାରପିଟ କରୁଥିଲେ ହ୍ୟୁମାନ

ପୁରୀ: ହ୍ୟୁମାନ ସାଗର ଓ ଶ୍ରୀୟା ପାରିବାରିକ ବିବାଦ ମାମଲାକୁ ନେଇ ଶ୍ରୀୟାଙ୍କ ପ୍ରେସମିଟ୍ । ହ୍ୟୁମାନଙ୍କ ଉପରେ ବର୍ଷିଲେ ପତ୍ନୀ ଶ୍ରୀୟା ମିଶ୍ର । ସ୍ବାମୀ ହ୍ୟୁମାନ ସାଗରଙ୍କ ବିରୋଧରେ ଆଣିଲେ ସଙ୍ଗୀନ ଅଭିଯୋଗ । କହିଲେ- ଅତ୍ୟଧିକ ମଦ ପିଇ ଗାଳିଗୁଲଜ ସହ ମାରପିଟ କରୁଥିଲେ ହ୍ୟୁମାନ ।

ଆଗୁ ସେ କହିଛନ୍ତି, ‘ମଦ ପିଇ ସ୍ବାସ୍ଥ୍ୟ ଖରାପ ହେଲା, କ୍ୟାରିୟର ବି । ତେଣୁ ମଦ ପିଇବାକୁ ବାରଣ କରିବାରୁ ଅତ୍ୟାଚାର ବଢ଼ିଥିଲା । ଝିଅ ଜନ୍ମ ପରଠାରୁ ନିର୍ଯାତନାର ମାତ୍ରା ବଢ଼ିଥିଲା ।  ଯେହେତୁ ସ୍ୱାମୀ ସେଲିବ୍ରିଟି, ସେଥିପାଇଁ ସବୁ ନିର୍ଯାତନା ସହିଯାଉଥିଲି । ନିର୍ଯାତନା ଅସହ୍ୟ ହେବାରୁ ଥାନାର ଦ୍ୱାରସ୍ଥ ହୋଇଛି ।’

ସେ କହିଛନ୍ତି, ‘ଶରୀରର ବିଭିନ୍ନ ଅଂଶକୁ ପିଟିଛନ୍ତି ହ୍ୟୁମାନ । ଶରୀରରେ ଦାଗ ରହିଛି । ଏହାକୁ ଲୁଚାଇବାକୁ ଟାଟୁ ବନାଇଛି ।’

ଶାଶୂଙ୍କୁ ନେଇ ଶ୍ରୀୟା କହିଛନ୍ତି, ‘ଧର୍ମକୁ ନେଇ କୌଣସି ନିର୍ଯାତନା ଦେଉନଥିଲେ ଶାଶୂ-ଶ୍ୱଶୁର’ । ଶାଶୂ ଧର୍ମ ବଦଳାଇବା କଥାରେ ପିଟାପିଟି କରିନାହାନ୍ତି ।  ମୁଁ ବ୍ରାହ୍ମଣ ଘରର ଝିଅ, ଅଲଗା ଧର୍ମରେ ବିବାହ କରିଥିବାରୁ ସିନ୍ଦୁର ଲଗାଇବାକୁ ବାରଣ କରୁଥିଲେ ।’

ଝିଅକୁ ନେଇ ଶ୍ରୀୟା କହିଛନ୍ତି, ‘ଝିଅ ସହିତ ହ୍ୟୁମାନଙ୍କ ଅଧିକ ଆଟାଚମେଣ୍ଟ ନାହିଁ । ସେ ଝିଅର କୌଣସି ଦାୟିତ୍ୱ ନିଅନ୍ତିନି ।’

ଥାର୍ଡ ପର୍ସନର ଅନୁପ୍ରବେଶରୁ ଅଶାନ୍ତି ହୋଇଥିବା କହିଛନ୍ତି ଶ୍ରୀୟା । ବହୁବାର କମ୍ପ୍ରମାଇଜ୍ ହୋଇଛି । ହ୍ୟୁମାନଙ୍କ ଗୋଡ଼ହାତ ଧରି ମୋ ପରିବାର ବୁଝାଇଛନ୍ତି । ଗତବର୍ଷ ସେପଟେମ୍ବର ୨୭ରେ ଏମିତି ଏକ କଥାରେ ମାରପିଟ୍ କରିଥିଲେ ଓ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ହ୍ୟୁମାନ । ଏମିତିକି କମ୍ପ୍ରମାଇଜ ପାଇଁ ମୋ ବାପାମାଆ ଯାଇଥିବା ବେଳେ ତାଙ୍କୁ ଅସମ୍ମାନ କରିବା ସହ ମୋତେ ଘରୁ ବାହାର କରିଦେଇଥିଲେ । ସେହିଦିନଠାରୁ ବାପାଙ୍କ ଘରେ ରହୁଛି ବୋଲି ଶ୍ରୀୟା କହିଛନ୍ତି ।

ଏବେ ବି ମୋ ପରିବାର ବୁଝାପଣା ପାଇଁ ପ୍ରସ୍ତୁତ ଅଛନ୍ତି । ହେଲେ ହ୍ୟୁମାନ କି ତାଙ୍କ ମାଆଙ୍କର କୌଣସି ଫୋନ କଲ୍ କି ମେସେଜ୍ ଆସି ନଥିବା କହିଛନ୍ତି ଶ୍ରୀୟା । ପୂର୍ବପରି ଭଲ ପାଇବା ଓ ସମ୍ମାନ ଦେଲେ ପୁଣି ସ୍ବାମୀଙ୍କ ପାଖକୁ ଫେରିବି ବୋଲି ଶ୍ରୀୟା କହିଛନ୍ତି ।

୩୦ ତାରିଖ ଯାଏଁ ସମୟ ଦିଆଯାଇଛି । ସମାଧାନର ବାଟ ନମିଳିଲେ, ବିକଳ୍ପ ଚିନ୍ତା କରିବି ବୋଲି କହିଛନ୍ତି ଶ୍ରୀୟା ।

ସାଇକେଲ ଚଲାଇବା ବେଳେ କୂଅରେ ପଡ଼ି ଛାତ୍ର ମୃତ

ଖୋର୍ଦ୍ଧା: ଅସାବଧାନତାରୁ କୂଅରେ ପଡ଼ି ୧୦ ବର୍ଷର ଛାତ୍ରଙ୍କ ମୃତ୍ୟୁ । ସାଇକେଲ ଚଲାଇବା ବେଳେ ଅଘଟଣ । ସାଇକଲ ସହ ପଡ଼ି ଯାଇଥିଲେ କୂଅରେ । ଘଟଣା ଖୋର୍ଦ୍ଧା ଥାନା ପୁବୁସାହି ଓଲସିଂ ଗାଁରେ । ମୃତକ ହେଲେ ମହେଶ୍ବର ବେହେରାଙ୍କ ପୁଅ ଦିବ୍ୟଜ୍ୟୋତି ବେହେରା ।

ଖବର ଅନୁସାରେ ମହେଶ୍ବରଙ୍କ ପୁଅ ଦିବ୍ୟଜ୍ୟୋତି ଗତକାଲି ସନ୍ଧ୍ୟାରେ ସାଇକେଲ ଚଳାଉ ଥିବାବେଳେ ଘର ପାଖ କୂଅରେ ଖସି ପଡ଼ିଥିଲେ । ପରିବାର ଲୋକ ଖୋଜାଖୋଜି କରି ନପାଇବାରୁ ଥାନାରେ ଏତଲା ଦେଇଥିଲେ । ଆଜି ସକାଳୁ କୂଅରେ ଚପଲ ଭାସୁଥିବା ଦେଖିବାକୁ ମିଳିଥିଲା । ଏହାପରେ କୂଅରୁ ମୃତ ଅବସ୍ଥାରେ ଦିବଜ୍ୟୋତିଙ୍କୁ ଉଦ୍ଧାର କରାଯାଇଛି ।

ଅନ୍ୟପଟେ ହତ୍ୟା ସନ୍ଦେହରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ଛାନବିନ୍ କରୁଛି ପୋଲିସ । ନାବାଳକର ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

କୂଅରେ ପିଲାଟି ସାଇକେଲ ସହ ପଡ଼ିଯିବାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । କୂଅରେ ପଡ଼ିବା ସମୟରେ କେହି କିଛି ଶବ୍ଦ ନଶୁଣିବା ନାନା ପ୍ରଶ୍ନ ସୃଷ୍ଟି କରୁଛି ।

ନକଲି ଟିଭି ବିକ୍ରି କରୁଥିଲେ, ବନ୍ଧା ହେଲେ

ବରଗଡ଼: ନକଲି, ନକଲି, ନକଲି । ସବୁ ନକଲି । ଯାହା ବି କିଣୁଛନ୍ତି ସାବଧାନ । ସୂତା ଠୁ ଛୁଞ୍ଚି, ଟିଭି ଠୁ ଔଷଧ ସବୁ ଡୁପଲିକେଟ୍ । ନକଲି ଖାଦ୍ୟ ସାମଗ୍ରୀ କାରବାର ଓଡ଼ିଶାରେ ଠାକ ହେବା କିଛି ନୂଆ କଥା ନୁହେଁ । ହେଲେ ଅସାମାଜିକ ବ୍ୟକ୍ତି ଏତେ ଧ୍ରୁତ ଯେ ନକଲି ଟିଭି ବି ବିକ୍ରି କରି ଦେଉଛନ୍ତି । ଆଉ ସାମାନ୍ୟ ତମ ଟେର ପାଉନାହାନ୍ତି ସାଧାରଣ ଗ୍ରାହକ । ଜାଣିବେ ବା କେମିତି । ନକଲି ମାଲ୍ ଉପରେ ପରା ଲାଗିଛି ଅସଲି ବ୍ରାଣ୍ଡ । ଏମିତି ଏକ ନକଲି ଟିଭି ଓ ଟିଭି ସାମଗ୍ରୀ ବିକ୍ରି ଅଭିଯୋଗରେ ଦୁଇ ଜଣଙ୍କୁ ବାନ୍ଧିଛି ପୋଲିସ୍ ।

ଘଟଣା ବରଗଡ଼ର । ବ୍ରାଣ୍ଡ ଅସଲି, ହେଲେ ବିକ୍ରି ହେଉଥିଲା ନକଲି ମାଲ୍ । ନକଲି  ଔଷଧ ପରେ ନକଲି ଟିଭି ଓ ଟିଭି ସାମଗ୍ରୀ ବିକ୍ରି ଅଭିଯୋଗ । ନକଲି ଇଲେକ୍ଟ୍ରି ସାମଗ୍ରୀ ବିକ୍ରି କରୁଥିବା ରାଜ୍ୟ ବାହାରର ଦୁଇ ଠକଙ୍କୁ ଗିରଫ କରାଯାଇଛି । ବ୍ରାଣ୍ଡ ନାଁରେ ଉଚ୍ଚ ମୂଲ୍ୟରେ ନକଲି ଟିଭି, ଏଲସିଡି ବିକ୍ରି କରୁଥିଲେ ଠକ ଗ୍ୟାଙ୍ଗ । ବହୁ ନକଲି ଟିଭି ଏଲ.ସି.ଡି, ୧୧ଟି ଟେଲିଭିଜନ ସେଟ୍, 3୮ଟି ସୋନି 4k ର LED ଟିଭିର ଅଲ୍ଟ୍ରା HD ସ୍ମାର୍ଟ ଷ୍ଟିକର, କଳା ରଙ୍ଗର ସୋନି ବ୍ରାଭିଆର ଷ୍ଟିକର, Qr କୋଡ଼ ଓ ସିରିଏଲ ନମ୍ବର ଇତ୍ୟାଦି ବହୁ ସାମଗ୍ରୀ ଏହି ଦୁଇ ଅପରାଧୀଙ୍କ ଠାରୁ ଜବତ କରାଯାଇଛି ।

ଟଙ୍କା ଗଣି ନପାରିବାରୁ ଶିଶୁପାଳ ହୋଇ ଫେରିଲା ବର

ଫାରୁଖାବାଦ: ଧୂମଧାମରେ ବାଜା ରୋସଣୀ କରି ବାହା ହେବାକୁ ବାହାରିଲା ବର । ନାଚଗୀତରେ ବରଯାତ୍ରୀ ରାସ୍ତାରେ କଲେ ଧମାଲ । ରାତି ପ୍ରାୟ ଗୋଟାଏରେ ବର ପହଞ୍ଚିଲା କନ୍ୟା ଘରେ । ତା’ପରେ ସବୁ ଓଲଟ ପାଲଟ ହୋଇଗଲା । କାରଣ ବାଟବରଣୀ ବେଳେ ଜଣା ପଡ଼ିଲା ବର ଅପାଠୁଆ । ଟଙ୍କା ବି ଗଣି ପାରିଲେନି । ଏହାପରେ ଅପାଠୁଆ ଯୁବକଙ୍କୁ ବାହା ହେବାକୁ ରୋକଠୋକ ମନା କରିଦେଲା କନ୍ୟା । ଫଳରେ ଶିଶୁପାଳ ହୋଇ ଘରକୁ ଫେରିବାକୁ ପଡିଲା ବରକୁ ।

ଘଟଣା ଉତ୍ତରପ୍ରଦେଶର ଫାରୁଖାବାଦର । ବାଟବରଣୀ ସମୟରେ କନ୍ୟାର ଭାଇ ବରକୁ ଟଙ୍କା ଗଣିବାକୁ ଦେଇଥିଲେ । ନୋଟ୍ ଗଣିବା ଛାଡନ୍ତୁ, ଖୁଚୁରା ପଇସାବି ବର ଗଣି ପାରି ନଥିଲେ । ଏ ଖବର କନ୍ୟା ଜାଣିବା ପରେ ଅପାଠୁଆ ଯୁବକଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଏହାପରେ ଉଭୟ ପରିବାର ମଧ୍ୟରେ ବିବାଦ ଦେଖା ଦେଇଥିଲା । କଥା କଟାକଟି ହେବା ସହ ଘଟଣା ଥାନାକୁ ଯାଇଥିଲା । ପରେ ବିବାହ କରା ନଯିବାକୁ ଥାନାରେ ବୁଝାମଣା ହୋଇଥିଲା । ଏହାପରେ ବର ଫେରି ଯାଇଥିଲା ।

ଖବର ଅନୁସାରେ ଦୁର୍ଗାପୁର ଗାଁର ଯୁବତୀଙ୍କ ବିବାହ ଦୁଇମାସ ପୂର୍ବରୁ ମେନପୁର ଥାନା ବିଛମା ଗାଁର ବବିନା ସାରାରେ ରହୁଥିବା ଯୁବକଙ୍କ ସହ ଠିକ ହୋଇଥିଲା । ଗୁରୁବାର ବର ଆସିଥିଲା । ରାତି ଗୋଟାଏରେ ବାଟବରଣୀ ସମୟରେ ବର ଅପାଠୁଆ ବୋଲି କୌଣସି କାରଣ ସନ୍ଦେହ କରିଥିଲେ । ଯୁବତୀଙ୍କ ଭାଇ ପଣ୍ଡିତଙ୍କୁ ୨୧୦୦ ଟଙ୍କା ଦେଇ ବରକୁ ଗଣାଇବାକୁ କହିଥିଲେ । ତାଙ୍କ ସନ୍ଦେହ ସତ ହେବା ପରେ ଏନେଇ ସେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଏହାପରେ ଯୁବତୀ ବିବାହ କରିବାକୁ ମନା କରି ଦେଇଥିଲେ ।

ଯୁବତୀ ବିବାହ କରିବାକୁ ମନା କରିବା ପରେ ଘଟଣା ଥାନାକୁ ଯାଇଥିଲା । ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ନେଇଯାଇଥିଲା । ଥାନାରେ ଘଣ୍ଟା ଘଣ୍ଟା ଆଲୋଚନା ହେବା ପରେ ବିବାହ ବନ୍ଦ ହୋଇଥିଲା ।

ଡଟ୍ ଫେଷ୍ଟ: ୯୦ ଦଶକର ଲଭ ବାର୍ଡଙ୍କ ଗୀତରେ ମତୁଆଲା ହେବେ ରାଜଧାନୀବାସୀ

ଭୁବନେଶ୍ବର: ଆଜି ସନ୍ଧ୍ୟାରୁ ଝୁମିବ ରାଜଧାନୀ । ୯୦ ଦଶକର ସୁପରହିଟ୍ ସଙ୍ଗରେ ମତୁଆଲା ହେବେ ଭୁବନେଶ୍ବରବାସୀ । କାରଣ ଡପ୍ ଫେଷ୍ଟକୁ ଆସୁଛନ୍ତି ୯୦ ଦଶକର ଲଭ୍ ବାର୍ଡ କୁହାଯାଉଥିବା ବଲିଉଡ଼ ସିଙ୍ଗର ଉଦିତ ନାରାୟଣ ଏବଂ ଅଲକା ୟାଗ୍ନୀ ।

ରବିବାର ସନ୍ଧ୍ୟାରେ ୩ ଘଣ୍ଟା ବାନ୍ଧି ରଖିବ ହୃଦୟ ଛୁଇଁଲା ଭଳି ଗୀତ । ସୁପରହିଟ୍ ଯୋଡିଙ୍କୁ ଶୁଣିବା ପାଇଁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ସେପଟେ ଗତକାଲି ଡଟ୍ ଫେଷ୍ଟର ସପ୍ତମ ଦିନରେ ନାଚିଲା, ଗାଇଲା ଝୁମିଲା ଭୁବନେଶ୍ବର । ଓଲିଉଡ ବଲିଉଡ୍ ଗୀତର ଜଲଓ୍ବା ଦେଖାଇଲେ କଳାକାର । ବଲିଉଡ୍ ସିଙ୍ଗର ଅମିତ୍ ତ୍ରୀବେଦୀଙ୍କ ପଞ୍ଜାବୀ ଠୁମକା ଦର୍ଶକଙ୍କୁ ବେଶ୍ ମତୁଆଲା କରିଥିଲା । ସନ୍ଧ୍ୟା ଆରମ୍ଭ ହେବା କ୍ଷଣି ଷ୍ଟେଜକୁ ଆସିଥିଲେ ଓଡ଼ିଆ ଲୋକପ୍ରିୟ ଗାୟକ ସ୍ବୟଂ ପାଢୀ । ମୋତେ ତୋ ପ୍ରେମରେ…, ଗୀତରୁ ଆରମ୍ଭ ହୋଇଥିଲା ଡଟ୍ ଫେଷ୍ଟ । ପରେ ଅମିତ୍ ତ୍ରିବେଦୀ ଏବଂ ଟିମର ଧମାକାଦାର ଏଣ୍ଟ୍ରି ହୋଇଥିଲା । ପ୍ରଥମେ ଓଡ଼ିଶାରେ ହକି ବିଶ୍ବକପ୍ ଏବଂ ଏତେ ବଡ ଫେଷ୍ଟ ଆୟୋଜନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବେଶ୍ ପ୍ରଂଶସା କରିଥିଲେ ଅମିତ୍ । ପରେ ମହାଦେବଙ୍କ ସଂଗୀତ ‘ଜୟ ହୋ ଜୟ ହୋ ଶଙ୍କାରା…’ ସଙ୍ଗରୁ ସନ୍ଧ୍ୟାର ଆରମ୍ଭ କରିଥିଲେ । ‘ଜିନ୍ଦା ହୁଁ ୟାର କାଫି ହେ…’ ସଙ୍ଗର ତାଳେ ତାଳେ ଝୁମି ଥିଲେ ଦର୍ଶକ । ଶେଷରେ ପଞ୍ଜାବୀ ଠୁମକା, ଗରବା, ଲଣ୍ଡନ୍ ଠୁ ମକଦା… ଗୀତ ଦର୍ଶକଙ୍କୁ ଚେୟାର ଛାଡ଼ି ନାଚିବାକୁ ବାଧ୍ୟ କରିଥିଲା ।

ହକି ବିଶ୍ବକପ: ଆଜି ଭାରତ-ନ୍ୟୁଜିଲାଣ୍ଡ କ୍ରସ ଓଭର ମ୍ୟାଚ୍

ଭୁବନେଶ୍ବର: ହକି ବିଶ୍ବକପ୍ ଆଗକୁ ବଢ଼ିବା ସହ ବଢ଼ିବାରେ ଲାଗିଛି ଉତ୍କଣ୍ଠା । ଆଜିଠୁ ଆରମ୍ଭ ହେଉଛି କ୍ରସ୍ ଓଭର ମ୍ୟାଚ୍ । ଆଜି ଦୁଇଟି ମ୍ୟାଚ ହେବାକୁ ଥିବା ବେଳେ ସମସ୍ତଙ୍କ ନଜର କଳିଙ୍ଗ ଷ୍ଟାଡିୟମର ସନ୍ଧ୍ୟା ୭ଟା ମ୍ୟାଚ୍ ଉପରେ ନଜର ରହିଛି । କାରଣ ଏହି ମ୍ୟାଚରେ ନ୍ୟୁଜଲାଣ୍ଡକୁ ଟକ୍କର ଦେବ ଟିମ୍ ଇଣ୍ଡିଆ । ଆଜିର ମ୍ୟାଚରେ ବିଜୟୀ ହୋଇ ମେନ୍ ଇନ୍ ବ୍ଲ୍ୟୁ କ୍ୱାର୍ଟର ଫାଇନାଲ ପ୍ରବେଶ ଲକ୍ଷ୍ୟରେ ରହିଛି ।

ପୁଲ-ଡିରେ ଦ୍ୱୀତୀୟ ସ୍ଥାନରେ ରହି କ୍ରସ ଓଭର ଖେଳିବାକୁ ଯାଉଛି ଭାରତ । ସନ୍ଧ୍ୟା ୭ଟାରେ ଭାରତ ପୁଲ-ସିର ତୃତୀୟ ସ୍ଥାନରେ ରହିଥିବା ନ୍ୟୁଜିଲାଣ୍ଡକୁ ଭେଟିବ । ଉଭୟ ଟିମ ମଧ୍ୟରେ ରେକର୍ଡ ଦେଖିଲେ, ଭାରତର ପଲ୍ଲା ଭାରି ରହିଛି । ଘରୋଇ ମାଟିରେ ମ୍ୟାଚ୍ ଖେଳୁଥିବା ଭାରତୀୟ ଟିମର ମନୋବଳ ଦୃଢ଼ ରହିଥିବା ବେଳେ ଦର୍ଶକଙ୍କ ପୁଲ୍ ସମର୍ଥନ ମିଳିବ ।

ଯଦି ରେକର୍ଡକୁ ହିସାବ କରାଯାଏ ତେବେ ୨୦୧୩ ପରଠାରୁ ଉଭୟ ଟିମ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ମଧ୍ୟରୁ ଭାରତ ୨୪ଟିରେ ବିଜୟୀ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ୧୫ଟିରେ ଜିତିଛି । ୫ଟି ମ୍ୟାଚ୍ ଡ୍ର ହୋଇଛି ।

ଯଦି ଭାରତ ଏହି ମ୍ୟାଚ୍ ଜିତୁଛି, ତେବେ ଆସନ୍ତା ୨୪ ତାରିଖରେ ବେଲଜିୟମ ସହ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଖେଳିବ ।

ଅନ୍ୟପକ୍ଷରେ ମ୍ୟାଚକୁ ନେଇ ଭାରତୀୟ ଦଳର ମନୋବଳ ଦୃଢ଼ ରହିଛି । ମ୍ୟାଚରେ ସର୍ବୋତ୍ତମ ଦେବୁ ବୋଲି ଉଭୟ ଅଧିନାୟକ ଏବଂ କୋଚ୍ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ କ୍ୱାର୍ଟର ଫାଇନାଲ ଟିକଟ ନେବା ପାଇଁ ପ୍ରସ୍ତୁତ ଅଛୁ ବୋଲି ଦଳ ପକ୍ଷରୁ କୁହାଯାଇଛି । ନ୍ୟୁଜିଲ୍ୟାଣ୍ଡର ସମସ୍ତ ମ୍ୟାଚ୍ ଭିଡ଼ିଓ ଆନାଲିସିସ କରିଛୁ ବୋଲି ଅଧିନାୟକ ହରମନପ୍ରିତ ସିଂହ କହିଛନ୍ତି ।

ସେହିପରି ଆଜି ଅପରାହ୍ଣ ସାଢେ ୪ଟାରେ କ୍ରସ ଓଭର ମ୍ୟାଚରେ ମାଲେସିଆ ଓ ସ୍ପେନ ମଧ୍ୟରେ ଟକ୍କର ହେବ । କାଲି ଜର୍ମାନୀ-ଫ୍ରାନ୍ସ ଓ ଆର୍ଜେଣ୍ଟିନା-କୋରିଆ ମଧ୍ୟରେ କ୍ରସ ଓଭର ମ୍ୟାଚ ଖେଳାଯିବ ।