spot_img
Home Blog Page 3482

ୟୁକ୍ରେନ ସୈନ୍ୟଙ୍କୁ ବ୍ରିଟେନରେ ତାଲିମ, ଚଳିତବର୍ଷ ଶେଷ ସୁଦ୍ଧା ୨୦ ହଜାରରୁ ଅଧିକ ସୈନ୍ୟଙ୍କୁ ପ୍ରଶିକ୍ଷଣ ଦେବା ଯୋଜନା

କିଭ୍: ୟୁକ୍ରେନର ସୈନ୍ୟଙ୍କୁ ବ୍ରିଟେନରେ ତାଲିମ । ଚଳିତ ବର୍ଷ ଶେଷ ସୁଦ୍ଧା ୟୁକ୍ରେନର ୨୦ ହଜାରରୁ ଅଧିକ ସୈନ୍ୟଙ୍କୁ ତାଲିମ ଦେବା ଲାଗି ଯୋଜନା କରିଛି ବ୍ରିଟେନ । ୟୁକ୍ରେନକୁ ବ୍ରିଟେନ ବିଭିନ୍ନ ଯୁଦ୍ଧାସ୍ତ୍ର ସହାୟତା ଦେଉଥିବାବେଳେ ସୈନ୍ୟଙ୍କୁ ତାଲିମ ଦେବା ପ୍ରକ୍ରିୟା ଜାରି ରଖିଛି । ଗତବର୍ଷ ଜୁନ ମାସରୁ ବ୍ରିଟେନ ୟୁକ୍ରେନର ପ୍ରାୟ ୧୦ ହଜାର ସଦସ୍ୟଙ୍କୁ ତାଲିମ ଦେଇସାରିଛି । ୟୁକ୍ରେନର ସୈନ୍ୟଙ୍କୁ ଅଳ୍ପ କିଛି ସପ୍ତାହ ପ୍ରଶିକ୍ଷଣ ଦିଆଯାଉଥିବାବେଳେ ସର୍ଚ୍ଚ ଅପରେସନ, ଷ୍ଟ୍ରାଟେଜିକ୍ ଆକ୍ରମଣ, ଅସ୍ତ୍ରଶସ୍ତ୍ର ବ୍ୟବହାର, ପାଟ୍ରୋଲ କୌଶଳ ଆଦି କ୍ଷେତ୍ରରେ ତାଲିମ ଦିଆଯାଉଛି । ବ୍ରିଟେନର ଏହି ତାଲିମ କାର୍ଯ୍ୟକ୍ରମ ପ୍ରକ୍ରିୟାରେ ବି ସାମିଲ ଅଛନ୍ତି କାନାଡା ଓ ଲିଥୁଆନିଆ ।

ସେପଟେ ୟୁକ୍ରେନର ବାଖମତରେ ଋଷ ସୈନ୍ୟଙ୍କୁ କଡ଼ା ଟକ୍କର ଦେଉଛନ୍ତି ୟୁକ୍ରେନ ସୈନ୍ୟ । ସାହସିକତା ପ୍ରଦର୍ଶନ କାରଣରୁ ନିଜ ଦେଶର ସୈନ୍ୟଙ୍କୁ ମେଡାଲ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ବାଖମତ ସହର ଅକ୍ତିଆର ଋଷ ଲାଗି ପ୍ରମୁଖ ଚାଲେଞ୍ଜ ହୋଇଥିବାବେଳେ ସେଠାରେ ୟୁକ୍ରେନ ସୈନ୍ୟଙ୍କ ସାହସକୁ ପ୍ରଶଂସା କରିଛନ୍ତି ଜେଲେନସ୍କି । ଗତକାଲିର ଆକ୍ରମଣରେ ୧୩ଟି ଟ୍ୟାଙ୍କ୍, ଗୋଟିଏ ଏୟାର ଡିଫେନ୍ସ ସିଷ୍ଟମ, ୧୧ଟି ଆର୍ମଡ ପର୍ସନାଲ କ୍ୟାରିୟର ଧ୍ବଂସ ହୋଇଥିବା ସୂଚନା ମିଳିଛି । ସେପଟେ ପୋଲାଣ୍ଡ ଗସ୍ତରେ ଯାଇ ସୀମାରେ ୟୁକ୍ରେନୀୟ ସୈନ୍ୟଙ୍କୁ ଭେଟିଛନ୍ତି ବ୍ରିଟେନର ପ୍ରିନ୍ସ ଓ୍ବିଲିୟମ ।

ବଢ଼ିଲା ଖଣ୍ଡଗିରି ଓ ଉଦୟଗିରିର ସୁରକ୍ଷା, ଫାଟକ ଦେଇ ଗଡ଼ିବନି କୌଣସି ଗାଡ଼ି

ଭୁବନେଶ୍ୱର: ବଢ଼ିଲା ଖଣ୍ଡଗିରି ଓ ଉଦୟଗିରିର ସୁରକ୍ଷା ଚିନ୍ତା । ରକ୍ଷଣାବେକ୍ଷଣରେ ଅବହେଳା ଯୋଗୁ ବଢ଼ୁଛି ବିପଦ । ଯାନବାହାନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କଲା ପ୍ରଶାସନ । ଖଣ୍ଡଗିରି ଓ ଉଦୟଗିରି ରାସ୍ତାରେ ଏଣିକି ଆଉ ଗଡ଼ିବନି ଯାନବାହନ । ହାଲୁକା କି ଭାରିଯାନ ନୁହେଁ ବରଂ ମୋଟର ସାଇକେଲ ଚଳାଚଳ ଉପରେ ମଧ୍ୟ ଲାଗିଛି ରୋକ୍। ସମ୍ପୃକ୍ତ ଅଞ୍ଚଳ ASI ବା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧିନରେ ଥିବା ବେଳେ ଏହାକୁ ଭାରିଯାନ ଚଳାଚଳ ନିଷିଧାଞ୍ଚଳ ଘୋଷଣା କରାଯାଇଛି । ପୂର୍ବରୁ ଖଣ୍ଡଗିରି ଛକରେ ଥିବା ବ୍ୟାରିକେଡକୁ ଖଣ୍ଡଗିରି ଯାତ୍ରା ସମୟରେ ଉଦ୍ଦେଶ୍ୟମୂଳକ ଭାବେ ଉଠାଇ ଦିଆଯାଇଥିଲା । ଯାହାକୁ ଆଜି ପର୍ଯ୍ୟନ୍ତ ପୁନଃସ୍ଥାପନ କରାଯାଇନାହିଁ । ଫଳରେ ଉକ୍ତ ରାସ୍ତାରେ ବହୁସଂଖ୍ୟାରେ ଭରିଯାନ ବେନିୟମ ଭାବେ ଚଳାଚଳ କରି ଉଭୟ କୀର୍ତ୍ତରାଜି ପ୍ରତି ବିପଦ ସୃଷ୍ଟି କରିଛି। ASIର  ଅନୁରୋଧ ଓ ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ସମ୍ପୃକ୍ତ ରାସ୍ତାରେ ଯାନବାହାନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।

କଟକଣା ଲାଗୁ ପରେ ଖଣ୍ଡଗିରି ଓ ଉଦୟଗିରି ରାସ୍ତା ସମ୍ପୂର୍ଣ୍ଣ ଖାଁ ଖାଁ । ଗାଡ଼ି ଚଳାଚଳ ବନ୍ଦ ପରେ ଲକଡାଉନ ଓ ସଟଡାଉନ ଭଳି ଭ୍ରମ ସୃଷ୍ଟି ହେଉଛି । ଯାତ୍ରୀଙ୍କ ପାଇଁ ମାଗଣା ପାର୍କିଂ ବ୍ୟବସ୍ଥା କରାଯାଇଛି । ଫଳରେ ଦୂରରେ ଗାଡ଼ି ରଖି ଚାଲି ଚାଲି ଆସିବାକୁ ପଡ଼ୁଛି । ଯାତ୍ରୀଙ୍କ ସୁରକ୍ଷା ଓ ପ୍ରାଚୀନ କୀର୍ତିରାଜିର ସୁରକ୍ଷାକୁ ନେଇ ପ୍ରଶାସନର ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଭାରିଯାନ ଚଳାଚଳ ଯୋଗୁଁ ଭାଇବ୍ରେସନ ହୋଇ ପଥର ଖସିବା ଓ ସେଥିରେ ଫାଟ ସୃଷ୍ଟି ହେବାର ଆଶଙ୍କା କରି ଖଣ୍ଡଗିରି ଆଞ୍ଚଳିକ ଉନ୍ନୟନ ପରିଷଦ ପକ୍ଷରୁ ପୂର୍ବରୁ ଏନେଇ ଦାବି ହୋଇଥିଲା । ଏବେ ଫାଟକ ନିର୍ମାଣ କରି ଗାଡ଼ି ଚଳାଚଳକୁ ବନ୍ଦ କରାଯାଇଥିବା ବେଳେ ଏହାକୁ ସବୁଦିନିଆ କରିବାକୁ ଦାବି ହୋଇଛି ।

ଘନେଇ ଆସୁଛି ବଡ଼ ବିପଦ, ୨୦୫୦ ସୁଦ୍ଧା ଦେଶରେ ଶୁଖିଯିବ ନଦୀ

ନୂଆଦିଲ୍ଲୀ: ଭାରତକୁ ଘନେଇ ଆସୁଛି ସଂକଟ । ନଦୀ ଶୁଖିବ, ମିଳିବନି ପାଣି । ଆଗାମୀ ୨୭ ବର୍ଷ ଭିତରେ ଅର୍ଥାତ ୨୦୫୦ ବେଳକୁ ଦେଶର ମୁଖ୍ୟ ନଦୀ ନାଳ ଶୁଖିଯିବ । ଯାହାଦ୍ବାରା ଦକ୍ଷିଣ ଏସିଆର ୧୭୦ରୁ ୨୪୦ କୋଟି ଲୋକ ପିଇବା ପାଣିର ଘୋର ଅଭାବର ସାମ୍ନା କରିବେ । ଏହାର ମୁଖ୍ୟ କାରଣ ହେଲା ହିମାଳୟର ଗ୍ଲାସିଅର ଦ୍ରୁତ ଗତିରେ ତରଳୁଛି । ଭାରତ, ଚୀନ, ପାକିସ୍ତାନର ଗଙ୍ଗା, ବ୍ରହ୍ମପୁତ୍ର ଓ ସିନ୍ଧୁ ନଦୀର ଜଳସ୍ତର ବହୁତ ତଳକୁ ଖସିଯିବ । ଫଳରେ ଏହି ଅଞ୍ଚଳରେ ଲୋକେ ଘୋର ଜଳ ସଂକଟର ସାମ୍ନା କରିବେ । ଏନେଇ ଚେତାବନୀ ଦେଇଛନ୍ତି ମିଳିତ ଜାତିସଂଘର ଏକ ଭୟ ଉଦ୍ରେକକାରୀ ରିପୋର୍ଟ ।

ପୃଥିବୀ ପାଇଁ ଗ୍ଲାସିଅର ଅତି ଗୁରୁତ୍ବପୂର୍ଣ୍ଣ । ମାତ୍ର ୧୦ ପ୍ରତିଶତ ଅଞ୍ଚଳରେ ଏବେ ଗ୍ଲାସିଅର ଅଛି । କିନ୍ତୁ ବିଶ୍ବ ତାପାୟନ ପାଇଁ ଏହା ଏବେ ଦ୍ରୁତ ଗତିରେ ତରଳିବାରେ ଲାଗିଛି । ଆଣ୍ଟାର୍କଟିକାରୁ ପ୍ରତି ବର୍ଷ ୧୫ ଶହ କୋଟି ଟନ୍ ବରଫ ତରଳିବାରେ ଲାଗିଛି । ଗ୍ରୀନଲାଣ୍ଡର ୨୭ ଶହ କୋଟି ଟନ୍ ବରଫ ପ୍ରତିବର୍ଷ ନଷ୍ଟ ହେବାରେ ଲାଗିଛି । ଏହି ଦୁଇ ଅଞ୍ଚଳ ଅପେକ୍ଷା ହିମାଳୟରୁ ଅଧିକ ପରିମାଣର ବରଫ ତରଳିବାରେ ଲାଗିଛି । ହିମାଳୟରୁ ୧୦ଟି ପ୍ରମୁଖ ନଦୀ ବୋହିଯାଉଛନ୍ତି । ଏହାର ପାଣିରେ ୧୩୦ କୋଟି ଲୋକ ଉପକୃତ ହେଉଛନ୍ତି । ବିଶେଷକରି ପାନୀୟ ଜଳ ଭାବେ ଏହି ନଦୀ ଗୁଡିକର ଜଳକୁ ବ୍ୟବହାର କରୁଛନ୍ତି । ତେବେ ହିମାଳୟ ଗ୍ଲାସିଅର ତରଳିବା ଦ୍ବାରା ଗଙ୍ଗା, ବ୍ରହ୍ମପୁତ୍ର, ସିନ୍ଧୁ ନଦୀ ବିଶେଷ ଭାବେ ପ୍ରଭାବିତ ହେବେ । ଚୀନ ପାକିସ୍ତାନରେ ଗ୍ଲାସିଅର ତରଳିବା ଦ୍ବାରା ଭୟଙ୍କର ବନ୍ୟା ଆସିପାରେ ବୋଲି କହିଛି ଜାତିସଂଘର ଏହି ରିପୋର୍ଟ ।

ଓଡ଼ିଶା-ବଙ୍ଗ ସମ୍ପର୍କ ନିବିଡ଼, ନବୀନ ଜଣେ ଶକ୍ତିଶାଳୀ ନେତା

ଭୁବନେଶ୍ୱର: ନବୀନ ନିବାସରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟିଲେ ମମତା । ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ମମତା କହିଛନ୍ତି । ମମତାଙ୍କୁ ଶ୍ରୀଜିଉଙ୍କୁ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ କଲେ ନବୀନ ପଟ୍ଟନାୟକ । ଏହା ସହ ମମତାଙ୍କୁ ତିନି ରଥର ରୂପାର ତିନୋଟି ପ୍ରତିକୃତି ଓ ଛେନାପୋଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ । ହକି ବିଶ୍ବକପ୍ ସମୟରେ ନବୀନ ନିମନ୍ତ୍ରଣ କରିଥିଲେ । କିନ୍ତୁ ସମୟ ଅଭାବରୁ ସେ ଆସିପାରିନଥିଲେ । ତେଣୁ ଏବେ ପୁରୀ ଆସିଥିବା ବେଳେ ନବୀନ ପଟ୍ଟନାୟକଙ୍କୁ ଦେଖାକରିଥିଲେ । ଏହି ଭେଟଘାଟ ସମୟରେ ପୁରୀରେ ପଶ୍ଚିମବଙ୍ଗ ଭବନ ପାଇଁ ପ୍ରସ୍ତାବିତ ଜାଗା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । ପୁରୀରେ ଜାଗା ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମମତା ।

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ମମତା ବାନାର୍ଜୀ କହିଛନ୍ତି କି ମୁଁ ଆଗରୁ ମଧ୍ୟ ନବୀନ ନିବାସ ଆସିଛି । ମୁଁ ପ୍ରଥମ ଥର ଲୋକସଭା ସଦସ୍ୟ ହେବା ପରେ ବିଜୁ ବାବୁ ମୋତେ ନିମନ୍ତ୍ରଣ କରିଥିଲେ । ସେ ସମୟରେ ମୁଁ ନବୀନ ନିବାସ ଆସିଥିଲି । ପୂର୍ବରୁ ମଧ୍ଯ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣରେ ନବୀନ ନିବାସ ଆସିଥିଲି । ନବୀନଙ୍କ ଆତିଥେୟତାରେ ମୁଁ ଖୁସି । ଏହା ଏକ ସୌଜନ୍ୟତାମୂଳକ ସାକ୍ଷାତକାର ଥିଲା । ଏଥିରେ କୌଣସି ରାଜନୈତିକ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇନଥିଲା ବୋଲି କହିଛନ୍ତି ମମତା ।

ଏହା ସହିତ ସେ ପୁରୀରେ ବଙ୍ଗୀୟ ତୀର୍ଥଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଦେଇଥିବା ୨ ଏକର ଜମି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ପୁରୀରେ ରାଜ୍ୟ ସରକାର ଯେଉଁଭଳି ଭାବେ ତାଙ୍କୁ ଆତିଥେୟତା ଦେଇଥିଲେ ସେଥିପାଇଁ ମଧ୍ୟ ସେ ପ୍ରଶାସନିକ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଓଡ଼ିଶା ଓ ପଶ୍ଚିମବଙ୍ଗ ପଡୋଶୀ ରାଜ୍ୟ । ଏଠାରେ ବାତ୍ୟା ଆସିଲେ ସେହି ବାତ୍ୟା ପଶ୍ଚିମବଙ୍ଗକୁ ମଧ୍ୟ ଯାଏ । ଏମିତିରେ ଆମ ମଧ୍ୟରେ ସହଯୋଗ ଜରୁରୀ ବୋଲି ସେ କହିଥିଲେ । ଆଇରନ୍ ଓରକୁ ନେଇ ପଶ୍ଚିମବଙ୍ଗ-ଓଡ଼ିଶା ଇଣ୍ଡଷ୍ଟ୍ରିଆଲ କରିଡର ପ୍ରତିଷ୍ଠା କଥା ମଧ୍ୟ କହିଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗର ଦୀଘାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ହେଉଛି ଓ ସେଠାକୁ ଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ମମତା ବାନାର୍ଜୀ । ନବୀନଙ୍କୁ ଜଣେ ଶକ୍ତିଶାଳୀ ରାଜନୈତିକ ନେତା ଭାବେ ବର୍ଣ୍ଣନା କରିଛନ୍ତି ମମତା । ୨୦୨୪ ସାଧାରଣ ନିର୍ବାଚନକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ମମତା ବାନାର୍ଜୀ କହିଥିଲେ ଯେ, ନିର୍ବାଚନକୁ ଆହୁରି ବର୍ଷେ ଅଛି । ଏବେଠାରୁ ଆଲୋଚନା କରିବାର କୌଣସି ଆବଶ୍ୟକତା ନାହିଁ ।

ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ବସ୍ତି, ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଢ଼ିବନି ବିଜୁଳି ଦର

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ବସ୍ତି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଢ଼ିବନି ବିଜୁଳି ଦର । ଘରୋଇ ଉପଭୋକ୍ତାଙ୍କ ପାଇଁ ପୂର୍ବ ଦର ଅପରିବର୍ତ୍ତିତ ରଖିଛି ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ । ଗ୍ରାହକଙ୍କ ଉପରେ ପଡ଼ିବନି ବିଦ୍ୟୁତ୍ ବୋଝ । ଚାଷୀଙ୍କ ପାଇଁ ବିଦ୍ୟୁତ ବିଲରେ ମଧ୍ୟ ରିହାତି ରହିବ । ଡିଜିଟାଲ ପେମେଣ୍ଟରେ ୪ ପ୍ରତିଶତ ରିହାତି ରଖାଯାଇଛି । ସେହିପରି ଫାଇନ୍ ବ୍ୟବସ୍ଥାକୁ ବାଦ ଦିଆଯାଇଛି ।

ପୂର୍ବଭଳି 0 ରୁ ୫୦ ୟୁନିଟ୍ ପାଇଁ ୩ ଟଙ୍କା ଦେବେ ବିଦ୍ୟୁତ ଉପଭୋକ୍ତା । ୫୦ ରୁ ୧୫୦ ୟୁନିଟ ପାଇଁ ୪ ଟଙ୍କା ୮୦ ପଇସା ଓ ୨୦୦ରୁ ୪୦୦ ୟୁନିଟ ପାଇଁ ୫ ଟଙ୍କା 80 ପଇସା ଧାର୍ଯ୍ୟ କରାଯାଇଛି । ୪୦୦ ୟୁନିଟ ପରେ ୬ ଟଙ୍କା ୨୦ ପଇସା ଧାର୍ଯ୍ୟ କରାଯାଇଛି । ଶୀତଳ ଭଣ୍ଡାର ପାଇଁ ୟୁନିଟ ପିଛା ୧ ଟଙ୍କା ୬୦ ପଇସା ଛାଡ଼ କରାଯାଇଛି । ସେହିପରି ରେଳବାଇ କ୍ଷେତ୍ରରେ ୨୫ ପ୍ରତିଶତର ରିହାତିକୁ ମଞ୍ଜୁର କରାଯାଇଛି । ଏସମ୍ପର୍କରେ ଓଇଆରସିର ସଚିବ ପ୍ରିୟବ୍ରତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

 

ବିଶାଖାପାଟଣାରେ ଭୁଷୁଡ଼ିଲା ୩ ମହଲା କୋଠା, ୩ ମୃତ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ଭୁଷୁଡିଲା ୩ ମହଲା କୋଠା । ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ୩ ଜଣ । ଆହତ ହୋଇଛନ୍ତି ୬ ଜଣ । ଆଜି ଭୋରରେ ବିଶାଖପାଟଣା ଅନ୍ତର୍ଗତ ରାମଯୋଗୀ ପେଟାରେ ଥିବା ଏକ ପୁରୁଣା ତିନି ମହଲା କୋଠା ଭୁଷୁଡ଼ି ଯାଇଥିଲା । ଘଟଣାସ୍ଥଳରେ ୨ ଶିଶୁଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଏନେଇ ସୂଚନା ଦେଇଛନ୍ତି ଭାଇଜାଗ ସିପି ସିଏଚ ଶ୍ରୀକାନ୍ତ ।

ପ୍ରଥମ ମହଲାରେ ରହୁଥିବା ଜଣେ ବିହାରୀ ଶ୍ରମିକର ମୃତ୍ୟୁ ଘଟିଥିଲା । ଆହତ ୬ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି କୋଠା ନିକଟରେ ପଡ଼ୋଶୀ ଘର ମାଲିକ ନିଜ ଘର ତିଆରି କରିବା ଲାଗି ନିଅଁ ଖୋଳୁଥିବାବେଳେ ଏହି କୋଠା ଧସିଯାଇଥିଲା । ସେପଟେ ଦିଲ୍ଲୀର ରୋହିଣୀ ଇଲାକାରେ ଏକ କୋଠା ଭୁଷୁଡିଯାଇଛି । ରାତି ଗୋଟାଏ ୪୫ ମିନଟରେ ଘଟିଛି ଘଟଣା । ତେବେ ଏହା ଏକ ପରିତ୍ୟକ୍ତ କୋଠା ହୋଇଥିବାରୁ ଧନଜୀବନ ହାନି ଘଟିନାହିଁ ।

ଝାରବନ୍ଧ ଥାନା ଅଧିକାରୀଙ୍କୁ ଆକ୍ରମଣ ମାମଲା: ଜାମିନ ଆବେଦନ ଶୁଣାଣି ପାଇଁ କୋର୍ଟରେ ହାଜର ହେଲେ ଜୟନାରାୟଣ

ଭୁବନେଶ୍ୱର: ୨୦୧୦ ମସିହାରେ ଦଳିତ ବର୍ଗର ଥାନା ଅଧିକାରୀଙ୍କୁ ଆକ୍ରମଣ କରିବା ମାମଲା । ଜାମିନ ଆବେଦନ ଶୁଣାଣି ପାଇଁ ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେ-୩ କୋର୍ଟରେ ହାଜର ହୋଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ସହ ଅନ୍ୟ ୭ ସହଯୋଗୀ । ଜୟନାରାୟଣ ମିଶ୍ରଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବା ସହ ଆଜି ଜାମିନ୍ ଆବେଦନ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ଝାରବନ୍ଧ ତତ୍କାଳୀନ ଥାନା ଅଧିକାରୀ ବାସୁଦେବ ଛତ୍ରୀଆଙ୍କୁ ଜାତିଆଣ ଆକ୍ଷେପ ଓ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେ-୩ କୋର୍ଟରେ ଗତ ୧୩ ତାରିଖରେ ହାଜର ହୋଇଥିଲେ ଜୟନାରାୟଣ ମିଶ୍ର, ପ୍ରଦୀପ ପୁରୋହିତ ଓ ଅନ୍ୟ ୭ ଜଣ ଅଭିଯୁକ୍ତ । ଆଜି ବି କୋର୍ଟରେ ହାଜର ହୋଇନାହାନ୍ତି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ।

୨୦୧୦ରେ ଜୟନାରାୟଣ ମିଶ୍ରଙ୍କ ନେତୃତ୍ବରେ ତତକାଳୀନ ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା ଓ ବିଜେପି ନେତା ପ୍ରଦୀପ ପୁରୋହିତ ପ୍ରମୁଖ ବରଗଡ଼ ଜିଲ୍ଲାର ଝାରବନ୍ଧ ଥାନାର ଭାରପ୍ରାପ୍ତ ଅଧିକାରୀ ବାସୁଦେବ ଛତ୍ରିଆଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ବେଳେ ବାସୁଦେବ ପାଇକମାଳ ଥାନାରେ କାର୍ଯ୍ୟରତ ଥିଲେ । ଏହି ଆକ୍ରମଣ ପରେ ଜୟନାରାୟଣ ଓ ଅନ୍ୟମାନଙ୍କ ବିରୋଧରେ ପାଇକମାଳ ଥାନାରେ କେସ ନମ୍ବର ୧୭୫/୨୦୧୦ ଓ ଆଇପିସିର ଧାରା ୧୪୭ ଅର୍ଥାତ୍ ଦଙ୍ଗା କରିବା, ଧାରା ୩୪୧-ଅନ୍ୟାୟ ଭାବେ କାହାକୁ ଅଟକାଇ ରଖିବା, ୪୫୨ ଅର୍ଥାତ୍ ଥାନା ଭିତରକୁ ବେଆଇନ୍ ଭାବେ ପ୍ରବେଶ କରିବା, ଧାରା ୩୫୪-ସରକାରୀ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବା ସହ କର୍ମଚାରୀଙ୍କୁ କାର୍ଯ୍ୟ କରିବାରେ ବାଧା ଦେବା, ଧାରା ୩୩୨ ଅର୍ଥାତ୍ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା, ୨୯୪ ଅର୍ଥାତ୍ ଅଶ୍ଳୀଳ ଭାଷା ପ୍ରୟୋଗ କରିବା, ୩୦୭ ହତ୍ୟା ଉଦ୍ୟମ କରିବା ଏବଂ ଏସସିଏସଟି ଆଇନର ସେକ୍ସନ୍ ୩ ଅର୍ଥାତ୍ ହରିଜନ ବୋଲି ଜାତିଆଣ ଆକ୍ଷେପ କରିବା। ଏହାମଧ୍ୟରେ ମାମଲାକୁ ୧୩ ବର୍ଷ ବିତିଗଲାଣି ।

ମୁମ୍ବାଇରେ ସନ୍ଦିଗ୍ଧ ଦରଘାକୁ ନେଇ ବିବାଦ, ନଭାଙ୍ଗିଲେ ବୃହତ୍ ଗଣପତି ମନ୍ଦିର ନିର୍ମାଣ କରିବାକୁ ଧମକ

ମୁମ୍ବାଇ: ମୁମ୍ବାଇର ମାହିମରେ ଏକ ନିର୍ମାଣାଧୀନ ଦରଘାକୁ ନେଇ ବିବାଦ । ଆରବ ସାଗର ଉପକୂଳରେ ଏକ ଦରଘା ନିର୍ମାଣ ହେଉଥିବା ନେଇ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କ ଅଭିଯୋଗ ପରେ ସେହି ଅଞ୍ଚଳରେ ପୋଲିସ ମୁତୟନ ହୋଇଛି । ସେଠାରେ ବେଆଇନ ଭାବେ ଦରଘା ନିର୍ମାଣ ହୋଇଛି ବୋଲି ଅଭିଯୋଗ ହେବା ପରେ ତାହାର ଯାଞ୍ଚ ଲାଗି ଏକ ୬ ଜଣିଆ କମିଟି ଗଠିତ ହୋଇଛି । ସେହି ଦରଘାକୁ ଭାଙ୍ଗିବା ଲାଗି ପ୍ରଶାସନିକ ଉଦ୍ୟମ ଆରମ୍ଭ ହୋଇଛି । ରାଜ ଠାକରେ କହିଛନ୍ତି ଗତ କିଛି ବର୍ଷ ତଳେ ସେଠାରେ କୌଣସି ଦରଘା ନଥିଲା । ଯଦି ସେହି ବେଆଇନ ନିର୍ମାଣକୁ ଭଙ୍ଗା ନଯାଏ ତେବେ ସେଠାରେ ସେମାନେ ଏକ ବୃହତ ଗଣପତି ମନ୍ଦିର ନିର୍ମାଣ କରିବେ । ଏହି ନିର୍ମାଣ କାର୍ଯ୍ୟକୁ ପୋଲିସ ଓ ପ୍ରଶାସନ କିପରି ଜାଣିପାରିଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ମାହିମ ଉପକୂଳରେ ଏକ କ୍ଷୁଦ୍ର ଟାପୁ ସଦୃଶ ସ୍ଥାନରେ କିଛି ପୋଲ୍ ନିର୍ମାଣ କରାଯାଇଛି ଯାହାକି ଏକ ଦରଘା ବୋଲି ଦାବି କରିଛନ୍ତି ରାଜ ଠାକରେ । ଏହା ସହ ମାହିମରେ ମକଦ୍ଦମ ବାବାଙ୍କ ଦରଘା ନିକଟରେ ତିଆରି ହେଉଥିବା ସନ୍ଦିଗ୍ଧ ଦରଘାକୁ ସେ ବିରୋଧ କରିଛନ୍ତି । ଏହା ସହ ଗତବର୍ଷ ମସଜିଦରୁ ଲାଉଡସ୍ପିକର ହଟାଇବା ଲାଗି ହୋଇଥିବା ଆନ୍ଦୋଳନରେ ଏମଏନଏସ କର୍ମୀଙ୍କ ବିରୋଧରେ ହୋଇଥିବା ୧୭ ହଜାର ମାମଲା ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ଠାକରେ ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ମହାମେଳି, ଆଜି ଶରଦ ପାଓ୍ବାରଙ୍କ ଘରେ ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ମହାମେଳି । ଆଜି ଏନସିପି ସୁପ୍ରିମୋ ଶରଦ ପାଓ୍ବାରଙ୍କ ଘରେ ଗରୁତ୍ବପୂର୍ଣ୍ଣ ବୈଠକ । ବିରୋଧୀ ମହାମେଣ୍ଟ ଓ ଇଭିଏମକୁ ନେଇ ପାଓ୍ବାରଙ୍କ ଘରେ ଏକାଠି ହେବେ ତମାମ ବିରୋଧୀ ଦଳ ନେତା । ସନ୍ଧ୍ୟା ୬ଟାରେ ବୈଠକ ବସିବ ବୋଲି ଜଣାପଡ଼ିଛି । ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ଇଭିଏମର ଦକ୍ଷତା ଓ ଇଭିଏମକୁ ନେଇ ରହିଥିବା ସନ୍ଦେହକୁ ସିଇସି ଦୂର କରନ୍ତୁ ବୋଲି ପାଓ୍ବାର କହିଛନ୍ତି ।

୨୦୨୪ ଫାଇନାଲ ମ୍ୟାଚ ପୂର୍ବରୁ ଚଳିତବର୍ଷ ୬ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ସେମି ଫାଇନାଲ ମ୍ୟାଚ ବୋଲି କୁହାଯାଉଛି । ଏହି ୬ ରାଜ୍ୟର ନିର୍ବାଚନ ଫଳାଫଳ ଆଗାମୀ ଲୋକସଭା ନିର୍ବାଚନର ଫଳାଫଳକୁ ଏକ ପ୍ରକାର ସ୍ପଷ୍ଟ କରିବ । ସେପଟେ ବିଜେପି ବିରୋଧରେ ବିରୋଧୀ ମହାମେଣ୍ଟର ନେତୃତ୍ବ କଂଗ୍ରେସକୁ ଦେବାକୁ କିଛି ଦଳର ଅସହମତି ଥିବା ବେଳେ ଟିଏମସି, ସମାଜବାଦି ପାର୍ଟି ଓ ବିଆରଏସ କିଛି ଭିନ୍ନ ଯୋଜନା କରୁଥିବା ଚର୍ଚ୍ଚା ହେଉଛି ।

ବିଭୂତି ସଭାପତି, ରାମଚନ୍ଦ୍ର ଉପଦେଷ୍ଟା

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ନୂତନ ସଭାପତି ଏବଂ ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ବରିଷ୍ଠ ନେତା ବିଭୂତି ବଳବନ୍ତରାୟଙ୍କୁ ଦଳର ସଭାପତି ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ରାମଚନ୍ଦ୍ର ମହାପାତ୍ରଙ୍କୁ ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି  । ନୂତନ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଦଳର ସାଧାରଣ ସଂପାଦକ ମାନସ ମଙ୍ଗରାଜ  ।

ସେହିପରି ୩୩ ଜଣଙ୍କୁ ସାଧରଣ ସଂପାଦକ ଦାୟିତ୍ୱ ପ୍ରଦାନ କରାଯାଇଥିବାବେଳେ ୪୨ ଜଣଙ୍କୁ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି ଦଳର ସୁପ୍ରିମୋ  । ପୂର୍ବରୁ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ରହିଥିଲେ ବିଭୂତି  । ତେବେ ଦଳକୁ ତୃଣମୂଳ ସ୍ତରରେ ଏହି କମିଟି ପହଁଚାଇବ ବୋଲି ଆଶା ପ୍ରକାଶ କରିଛି ଦଳ  ।